Lipi Sahoo

Comedy

4.8  

Lipi Sahoo

Comedy

ମେକ୍ଅପ୍ ଜିନ୍ଦାବାଦ

ମେକ୍ଅପ୍ ଜିନ୍ଦାବାଦ

4 mins
268


ହେଇଟି ଶୁଣିଛ !!! ଲୁଣ ସରିଗଲା । ଏବେ ଶାଗ, ତରକାରି, ଭଜା ସବୁ କେମିତି କରିବି ଯେ ?? ଯାଅ ଗୋଟେ ପାକେଟ ଆଣିବ । ନହେଲେ ରୋଷେଇ ବନ୍ଦ । 

      ଉଁ.... ତମ ମୁଣ୍ଡ ଠିକ୍ ଅଛି ତ ?? ଏଇନେ କୋଉଠୁ ଆଣିବି ଲୁଣ ?? ବାହାରେ ହୋଲି ଖେଳ ଆରମ୍ଭ ହେଲାଣି ପା । କାଲି କହିଲନି ?? 

      କାଲି କାହାକୁ କହି ଥାଆନ୍ତି ??? ତମେ ତ ଗଲ ଯେ ଗଲ ରାତି ଦଶଟାରେ ଫେରିଲ ମନ୍ଦିରରୁ ଭୋଜି ଖାଇ । ଆଉ ମୁଁ ଭାବିଥିଲି ସକାଳ ବେଳାକୁ ଲୁଣ ପାଇଯିବ । ସନ୍ଧ୍ୟାରେ ଆଣିଲେ ଚଳିବ । ମୋତେ କ'ଣ ଜଣାଥିଲା ସକାଳୁ ତମକୁ ପଖାଳ ଖିଆ ମଡାଇବ । 

      ଆରେ !! ହୋଲିରେ ମୁନା କ'ଣ ଦୋକାନ ଖୋଲିଥିବ ?? କେମିତି ଆଣିବି ???

     ଓହୋଃ !! ତା ଘରକୁ ପଳେଇ ତାକୁ ଡାକିଦେବ ସେ ଦୋକାନରୁ କାଢି ଦେଇଦେବ । ଘରକୁ ଦୋକାନ ତ ଲାଗିଛି । ସେ ନଥିଲେ ବି ତା ସ୍ତ୍ରୀ ଦେଇଦେବ । 

       ଏଇନେ ଯିବି କିଏ ରଙ୍ଗଫଙ୍ଗ ମାରିବ । ତମେ ଯମା ବୁଝୁନ । ଟୋକା ଦଳ ରାସ୍ତାରେ ଏଇନା ରୋଳା କରୁଥୁବେ । 

         ସେମାନଙ୍କୁ ଡରିକି ଘରେ ବସିବ ?? ଆଉ ରୋଷେଇ ହେବ କେମିତି ?? ନ ହେଲେ ମୁଁ ଯାଉଚି ଆଣିକି ଆସିବି, ତମେ ଘରେ ବସିଥାଅ !! କହି ସାପ ଭଳି ନସର ପସର ହେଇ ଭିତର ଘରକୁ ପଶିଗଲେ ଶ୍ରୀମତୀ । 

      କିଛି ଉପାୟ ନପାଇ କାନ କୁଣ୍ଡେଇ କୁଣ୍ଡେଇ ଶ୍ରୀମାନ ତାଙ୍କ ପଛେ ପଛେ ଯାଇ କହିଲେ, ଏଇତ ସବୁ କଥାରେ ରାଗିଯିବା ତମର ଗୋଟେ ଅଭ୍ୟାସ । ହଉ ହଉ ମୁଁ ଯାଉଚି ।      

       ପୁରୁଣା ସାର୍ଟ ପ୍ୟାଣ୍ଟ ହଳେ ଗଳେଇ ବାହାରିଲେ ଶ୍ରୀମାନ । ରାସ୍ତାରେ କନ୍ କନ୍ ହେଇ ଅନଉ ଥାଆନ୍ତି ଚାରିଆଡେ । ଠିକ୍ ଯେମିତ ବିଲେଇ କ୍ଷୀର ପିଇ ଗଲା ବେଳେ ଅନାଏ । କାଳେ କୋଉଠି ଟୋକା ଦଳ ହାବୁଡି ଯିବେ । ମଉସା ଟିକେ !! ମଉସା ଟିକେ !! କହି ରଙ୍ଗରେ ପୋତି ପକେଇବେ । ଏମାନଙ୍କୁ ବିଶ୍ୱାସ ନାହିଁ । ଏମିତି ଭାବି ଭାବି ମାଡି ଚାଲି ଥାଆନ୍ତି । ଦଳେ କୋଉଠି ଥିଲେ କେଜାଣି ହଠାତ ସାମ୍ନାରେ ଆସି ଉଭା ହେଇଗଲେ ରାସ୍ତା ଉପରେ । ହ୍ୟାପି ହୋଲି !!! ଟିକେ ରଙ୍ଗ ଦେବୁ ମଉସା । ଆଗରେ ଦୁଇ ଜଣ ତାଙ୍କ ପଛକୁ ଆଠ କି ଦଶ ଜଣ ଟୋକା । ଶ୍ରୀମାନଙ୍କ ଛାତି ଧଡପଡ ହେବାକୁ ଲାଗିଲା । ଛେପ ଢୋକି କହିଲେ ପିଲେ !! ମୋ ଦେହଟା ଟିକେ ଭଲ ନାହିଁ । ନ ହେଲେ ମୁଁ ଖେଳି ଥାଆନ୍ତି କିଛି କଥା ନାହିଁ ।

         ଏଇତ !! ମଉସା ଆମକୁ ଖାଲି ବାଳୁଙ୍ଗା ବୋଲି ଭାବିବେ । କେବଳ ଅବିର ଅଛି ଆମ ହାତରେ ଦେଖୁ ନାହାନ୍ତି । ଟିକେ ପାଦରେ ଟିକେ ମୁହଁରେ ଦେବୁ । ଆଗର ଦୁଇ ଜଣ ସାଙ୍ଗେ ସାଙ୍ଗେ ନଇଁ ପଡି ପାଦରେ ଅବିର ଦେଲେ । ଏତିକିରେ ତ ଶ୍ରୀମାନଙ୍କ ଆଖି ଛଳଛଳ ହେଇଗଲା । ଓଃ !! କି ସଂସ୍କାର କେତେ ଭଦ୍ର କେତେ ଭକ୍ତି । ତା ପରେ ତ ଜଣେ ଜଣେ ଆସି ପାଦ ମୁହଁ ପାଦ ମୁହଁରେ ବୋଳି ଅତି ଶୃଙ୍ଖଳାର ସହ ଚାଲିଗଲେ । 

      ଶ୍ରୀମାନ ମୁନାକୁ ଘରୁ ଡାକି ଦୋକାନରୁ ଲୁଣ ପାକେଟ୍ ଟେ ଆଣିଲେ । ମୁନା ତାଙ୍କ ମୁହଁକୁ ଚାହିଁ ହସ ଚାପି କହିଲା ବାଟରେ ଟୋକା ଦଳ ହାବୁଡରେ ପଡିଥିଲେ ବୋଧେ । 

        ହଁ ଅବିର ଟିକେ ବୋଳିଛନ୍ତି । ଦେଖୁନ ପାଦରେ ବି ଦେଇଛନ୍ତି । ମୁଁ ଖାଲିଟାରେ ଡରୁଥିଲି ।        

       ଆଚ୍ଛା ଆଚ୍ଛା !! ଘରକୁ ଗଲେ ଦେଖିବେ । ମୁହଁଟାକୁ ଭଲ କି ସଜେଇ ଦେଇଛନ୍ତି । 

         ଦୁଆର କବାଟ ଖୋଲି ଚମକି ପଡିଲେ ଶ୍ରୀମତୀ । ଠୋଲେ ଛେପ ପକେଇଲେ ଛାତିରେ । ଇଏ କି ରୂପ ତୁମର ?? 

         କାଇଁ କଣ ହେଲା କି ??? ପିଲାମାନେ ଅବିର ଦେଇଛନ୍ତି । ତମେ ଏମିତି ଚମକୁଚ ଯେମିତି ଆଲକାତରା ବୋଳି ଦେଇଛନ୍ତି । 

         ଯାଇ ଆଇନାରେ ଦେଖ । କଣ କରିଛନ୍ତି ତମ ମୁହଁକୁ । ପାଟିରେ କାନି ଚାପି ଚାଲିଗଲେ ଶ୍ରୀମତୀ ରୋଷେଇ ଘରକୁ ।

        ଶ୍ରୀମାନ ଧାଇଁଲେ ଆଇନା ପାଖକୁ । ହେ ଭଗବାନ!!! ୟେ ସବୁ କଣ ବୋଳିଛନ୍ତି ମୁହଁରେ ....। ଛାଡିବ ନା ନାହିଁ ?? ସନ୍ଧ୍ୟା ରେ ହାସ୍ୟକବି ସମ୍ମିଳନୀ ଆଛି । ମଞ୍ଚ ଉପରକୁ ଯିବି କେମିତି, ମୁହଁ ଦେଖେଇବି କେମିତି ?? ପଟେ କଳା ଆଉ ପଟେ ନାଲି । ରଡି ପକେଇଲେ ଶ୍ରୀମତୀ ଶୁଣିଛ ଶିଘ୍ର ଆସ ।

   କ'ଣ ହେଲା ?? ଏମିତି ରଡୁଛ କାହିଁକି ???       

     ମାନେ... ତମେ କଣ ଜାଣିନ ଆଜି ମୁଁ କବି ସମ୍ମିଳନୀ ଯିବି । ଏ ସବୁ ନ ଛାଡିଲେ କେମିତି ଯିବି । ସବୁ ତୁମରି ସକାଶେ ହେଇଛି । ହନୁ ଭଳିଆ ମୁହଁ ଦିଶୁଚି । ଟୋକାଗୁଡା ଏତେ ଉସ୍ତାଦ । ଦେଖେଇଲେ ଅବିର ବୋଳିଲେ ଆଉ କ'ଣ । ପାଜି ଟୋକା ଗୁଡା । କି ଭକ୍ତି ଦେଖେଇଲେ ଯେ ମୋ ହୃଦୟ ପୂରିଗଲା ।

     ଆରେ !! ସେମାନେ ତମ କାମ ସହଜ କରିଦେଲେ । ଲୋକ ତମକୁ ଦେଖିକି ହସିବେ ଆଉ ହାସ୍ୟ କବିତା ପଢିବାକୁ ବି ପଡିବନି ।

          ଦେଖ ମୋ ସାଙ୍ଗେ ଥଟ୍ଟା ଖେଳି ମୋ ମୁଣ୍ଡ ଗରମ କରନି । ଏ ସବୁ କେମିତି ଛାଡିବ କୁହ । କୁହ ନୁହେଁ, କଣ କର ।         

        ତା ପରେ ତ କିରୋସିନି, ସାବୁନ, ଲେମ୍ବୁ, ତେଲ, ସୋଢା, ଭିନେଗାର ସବୁ ବୋଳା ହେଲା ମୁହଁରେ ହେଲେ କିଛି ଲାଭ ହେଲାନି । ମୁହଁ ଆହୁରି ଲାଲ ପଡି ତଦ୍ରୁପ ଦେଖାଗଲା । ଶ୍ରୀମତୀ କହିଲେ ଆଉ ପାରିବିନି । ସବୁ ଘସି ସାରିଲିଣି । କିଛି ହେଉନି । ହଠାତ ତାଙ୍କ ମୁଣ୍ଡକୁ ଆସିଲା ଗୋଟେ ବୁଦ୍ଧି । କହିଲେ ତୁମେ ଯିବା ଆଗରୁ ମୁଁ ସବୁ ଠିକ୍ କରିଦେବି । ଏବେ ଖାଇ ପିଇ ଶୁଅ ।        

         ଖରାବେଳ ସରା ଛଟପଟ ହେଲେ ଶ୍ରୀମାନ । ବାର ବାର ପଚାରୁ ଥାଆନ୍ତି ସବୁ ଠିକ କରିଦେବ ତ ??? ନହେଲେ ଜୋକର ହେଇ ଯିବାକୁ ପଡିବ ।

          

       ସନ୍ଧ୍ୟାବେଳେେ  ଶ୍ରୀମାନଙ୍କୁ ନେଇ ବସେଇ ଦେଲେ ଡ୍ରେସିଂ ଟେବୁଲ ପାଖରେ । ତା ପରେ ତ ମୁହଁରେ ବୋଳି ଚାଲିଲେ ପରସ୍ତ ପରସ୍ତ ଫାଉଣ୍ଡେସନ, ପାଉଡର, କ୍ରିମ୍ କଣ କଣ ସବୁ । ଅଧ ଘଣ୍ଟେ ପରେ କହିଲେ ରେଡ୍ଡି । ଏବେ ତମ ମୁହଁ ଦେଖ । ସତରେ ଚକ୍ ଚକ୍ କରୁଥାଏ ତାଙ୍କ ମୁହଁ । ଗୋଟେ ଦୀର୍ଘ ନିଃଶ୍ୱାସ ପକେଇଲେ ଶ୍ରୀମାନ । ପୂରା ବର ଭଳିଆ ଦିଶୁଥାଆନ୍ତି ସେ ।          

     ଜାନୁ ତମେ ଚମକୁଚ ଚମକୁଚ....କହି ଶ୍ରୀମତୀ ତାଙ୍କ ଗାଲକୁ ଆସ୍ତେ ଚିପି ଦେଲେ । ଦେଖିଲ ମୋ କମାଲ !! ଆଜି ସମସ୍ତଙ୍କ ଆଖି ତମ ଉପରେ ରହିବ । ହେଇଠି !! ହୁସିଆରି କରି ଦେଉଛି ମୁହଁକୁ ଜମା ଘସାଘସି କି ପୋଛାପୋଛି କରିବନି ସେଠି । ନ ହେଲେ ସବୁ ପରସ୍ତ ଏକାଥରେ ଉତୁରି ଆସିବ । ସେଥିରେ ମୋର ଆଉ କିଛି ଗ୍ୟାରେଣ୍ଟି ନାହିଁ କହି, ଠୋ ଠୋ ହସି ଉଠିଲେ ଶ୍ରୀମତୀ ........।।



Rate this content
Log in

Similar oriya story from Comedy