Nityananda Sahu

Drama Tragedy Others

4.7  

Nityananda Sahu

Drama Tragedy Others

ମଧୁର ମିଳନ

ମଧୁର ମିଳନ

9 mins
251



ନିୟତି କାହା ଭାଗ୍ୟରେ କଣ ଲେଖି ଅଛି କେହି ବି କହି ପାରିବେ ନାହିଁ । ସେଥିପାଇଁ ସମୟ ସହ ତାଳ ଦେଇ ଧର୍ଯ୍ୟ ଧରି ଅପେକ୍ଷା କରିବା କୁ ହୋଇ ଥାଏ । ସବୁବେଳେ ଭାଗ୍ୟ ଉପରେ ବିଶ୍ୱାସ ରଖୁଥିବା ଶିବାଂଶ ଆଜି ପ୍ରେମରେ ଅସଫଳ ହୋଇ ଭାଙ୍ଗି ପଡିଛି। ପ୍ରେମର ମାୟାବୀ ନିଶାରୁ ଦେହ ଆଉ ମନକୁ ମୁକ୍ତି ଦେବା , ବହୁତ କଷ୍ଟ ହୋଇଥାଏ । ଯେତେ ଚେଷ୍ଟା କଲେ ବି ସ୍ମୃତି କୁ ପାସୋରି ଦେବା ପାଇଁ , ତାହା ବି ସମ୍ଭବ ହୋଇ ପାରେ ନାହିଁ । ଅତୀତ ମନେ ପଡିଗଲେ ଆଖି ଭିଜି ଯାଏ । ହୃଦୟ ଥରି ଉଠେ । କଣ ତରୁଣ ବୟସ ରେ ପ୍ରେମ କରିବା ନିହାତି ଆବଶ୍ୟକ ଅଟେ ? ଏ ପ୍ରଶ୍ନର ଉତ୍ତର ବି ଖୋଜିକି ପାଇ ହୁଏ ନାହିଁ ।


 ପ୍ରେମ ଏମିତି ଏକ ଶବ୍ଦ ଯାହା ଶାଶ୍ୱତ ଆଉ ପବିତ୍ର ଅଟେ । ପ୍ରେମ ପାଇଁ ଦିନେ ପ୍ରଭୁ ରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧି ,ଲଙ୍କାରେ ରାବଣଙ୍କୁ ପରାସ୍ତ କରି ଦେବୀ ଜାନକୀଙ୍କୁ ଉଦ୍ଧାର କରିଥିଲେ । ପ୍ରେମର ଆଶକ୍ତି ଠାରୁ ନିଜକୁ ଦୂରେଇ ରଖୁଥିବା ଭୋଳା ଶଙ୍କର ବି , ସତୀ ଙ୍କୁ ପାଇବା ପାଇଁ ତାଣ୍ଡବ କରିଥିଲେ ।


   କିନ୍ତୁ ଆଜି କାଲିର ପ୍ରେମରେ କାହିଁକି କେଜାଣି ବିଶ୍ୱାସ ପ୍ରେମୀ ମାନଙ୍କ ଭିତରେ ରହି ପାରୁ ନାହିଁ ତାହା ବୁଝିବା ବହୁତ କଷ୍ଟ ହୋଇ ଥାଏ। କିଛି ଦିନର ମିଳାମିଶା , ରୋମାନ୍ସ , ଭାବର ଆଦାନ ପ୍ରଦାନ ପରେ , ସମସ୍ତେ ଦୈହିକ ସୁଖ ପାଇବାକୁ ଇଛା କରନ୍ତି । ଆଉ ଥରେ ଦୈହିକ ସୁଖ ପ୍ରାପ୍ତ କଲା ପରେ , ଅଧିକାଂଶ ପ୍ରେମୀ ମାନେ ଭଲ ପାଇବାରୁ ନିଜକୁ ଦୂରେଇ ଦିଅନ୍ତି । ଆଉ ତା ପରେ ପ୍ରତାରଣା ଆଉ ଧୋକାର କାହାଣୀ ଆରମ୍ଭ ହୁଏ । କିଏ ଲଜ୍ୟା ସହି ନ ପାରି ଆତ୍ମହତ୍ୟା କରେ ତ ଆଉ କିଏ ଜୀବନ ତମାମ କଷ୍ଟ ପାଏ ।

 

 ଯେଉଁଠି ଭଲ ପାଇବାରେ ମନର ଭାବନା ନିୟନ୍ତ୍ରଣରେ ନ ଥାଏ , ସେଠି ପ୍ରତି ମୁହୂର୍ତ୍ତରେ ଭୂଲ ହେବାର ସମ୍ଭାବନା ଥାଏ । ସେମିତି ଏକ ଦ୍ଵନ୍ଦ ରେ ଆଜି ଫସି ଯାଇଛି ଶିବାଂଶ । ସ୍ୱୟଂ ପ୍ରଭାର ମନରେ କଣ ଥିଲା ବୁଝିବାକୁ ଚେଷ୍ଟା କରୁ ନ ଥିଲା ? ଯେଉଁଥି ପାଇଁ ସେ ବି ଆଜି ପ୍ରତାରଣା ର ପାପରେ ନିଜକୁ ପ୍ରତି କ୍ଷଣ ନିଜକୁ ଜାଳି ଚାଲିଛି।


 ଭୂଲ ବା କଣ କହିଛି , ସେ ବୁଝି ପାରୁ ନ ଥିଲା ! ଭଲ ପାଇବା ଆଉ ବିବାହ ଭିତରେ ପାର୍ଥକ୍ୟ ଖୋଜି ହରେଇ ବସିଛି ଦୀର୍ଘ ଛଅ ବର୍ଷ ର ଭଲ ପାଇବାକୁ ।


  ଆଜି ସ୍ୱୟଂପ୍ରଭାର ବାହାଘର । ଶେଷ ଦେଖାରେ କହିଥିଲା , ନିଶ୍ଚୟ ବାହାଘରକୁ ଆସିବା ପାଇଁ । କିନ୍ତୁ ସତରେ କଣ ଜଣେ ପ୍ରେମୀ ,ନିଜର ଭଲପାଇବାକୁ ହରେଇବା ପରେ , ପ୍ରିୟତମା କୁ ବିବାହ ମଣ୍ଡପରେ ସିନ୍ଦୂର ଆଉ କାହା ହାତରୁ ପିନ୍ଧିବା ର ଦେଖି ପାରିବ ? ଏ କଥା ଭାବିଲେ ତାର ଦେହ ଭିତରେ ଯେମିତି ପ୍ରାଣ ଛଟ ପଟ ହେଲା ପରିକା ଅନୁଭବ ହେଉଥାଏ ।


  ହୁଏତ ସେ ଦିନ ସ୍ୱୟଂପ୍ରଭାର ପ୍ରସ୍ତାବକୁ ସ୍ୱୀକାର କରିବାର ଥିଲା। ସାମାନ୍ୟ କେଇ ପଦ କଥା ଦୀର୍ଘ ଦିନର ସମ୍ପର୍କ ଭିତରେ ତିକ୍ତତା ଆଣି ଦେଇ ଥିଲା।


  ଜିଦି ଧରି ସ୍ୱୟଂ ପ୍ରଭା କହିଥିଲେ , ବାସ ବହୁତ ହୋଇ ଗଲା ଶିବାଂଶ , ଘର ଲୋକ ରାଜି ନ ହେଲେ କଣ ହେଲା ସେଇଠୁ ଚାଲ ଆମେ କୋର୍ଟ ମ୍ୟାରେଜ କରି ଦେବା । ନିଜ ଜୀବନ ଜିଇଁବାର ଅଧିକାର ଆମର ଅଛି । ଆମେ ତ ଆଉ ଛୋଟ ଛୁଆ ହୋଇ ରହି ନାହୁଁ ଯେ ପରିବାର ର ନିଷ୍ପତ୍ତି ରେ ଆମ ଭବିଷ୍ୟତ ଦେଖିବା । ଏ ସବୁ ଆଉ ମୁଁ ସହି ପାରିବି ନାହିଁ । ସ୍ୱାଧୀନତା ରେ ବଞ୍ଚିବାର ଅଧିକାର ଆମର ଅଛି। ମାନୁଛି ବାପା ମାଆ ଙ୍କୁ ଆମର ନିଷ୍ପତ୍ତି ହୁଏତ କଷ୍ଟ ଦେଇ ପାରେ , ତା ବୋଲି କାହିଁକି ଆମେ ନିଜର ଖୁସିକୁ ପରିତ୍ୟାଗ କରି ଦେବା।


  ଆଜି ଯାଏଁ ତୁମର ସବୁ ନିଷ୍ପତ୍ତି କୁ ମୁଁ ସମ୍ମତି ଦେଇ ଆସିଛି। କିନ୍ତୁ ବାସ ଏଇଥରକ ମତେ କ୍ଷମା କରି ଦିଅ। ତୁମ ସାଥେ ମତେ ଆସିବାକୁ ଦିଅ। ମୁଁ ତୁମକୁ ବହୁତ ଭଲ ପାଏ । ତୁମ ବିନା ବଞ୍ଚି ପାରିବି ନାହିଁ ।


ପ୍ଲିଜ ଘରକୁ ଫେରି ଯିବା ପାଇଁ ବାଧ୍ୟ କର ନାହିଁ । ତୁମେ ଯଦି ସାଥିରେ ନେବା ପାଇଁ ରାଜି ନ ହୁଅ , ତେବେ ମୁଁ ସତ କହୁଛି ଘରକୁ ଫେରିବି ନାହିଁ , ସିଧା ଶାଶୁଘର ପରିବର୍ତ୍ତେ ଯମାଳୟ ଚାଲି ଯିବି । ତା ପରେ ତୁମେ ଖୁସି ହେବ ତ ?


  ସ୍ୱୟଂ ପ୍ରଭା ସେ ଦିନ କିଛି ବି ବୁଝିବା ପରିସ୍ଥିତିରେ ନ ଥିଲା। ଏକା ଜିଦ ଆଜି ହିଁ କୋର୍ଟ ମ୍ୟାରେଜେ କରିବାକୁ ହେବ। ନିଜର ଭାବନା ଉପରେ ତାର ନିୟନ୍ତ୍ରଣ ରହୁ ନ ଥିଲା। କେମିତି ସମ୍ଭାଳିବ ସ୍ୱୟଂପ୍ରଭାକୁ ବୁଝି ପାରୁ ନ ଥିଲା ଶିବାଂଶ ।

  ଦୁହିଁଙ୍କ ଆଖିରେ ଭରି ଯାଇଥିଲା ଅଶ୍ରୁ । ସ୍ୱୟଂପ୍ରଭାକୁ ବୁଝେଇବାକୁ ଯାଇ ଶିବାଂଶ କହିଲା ,

     ଶୁଣ ସ୍ୱୟଂ ପ୍ରଭା , ଆମେ ଜୀବନରେ ଯେତେ ବଡ଼ ହୋଇଗଲେ ବି ସବୁବେଳେ କିନ୍ତୁ ବୁଦ୍ଧି ଆଉ ବିବେକ ରେ ପିତାମାତାଙ୍କ ସହ ସମାନ ହୋଇ ପାରିବା ନାହିଁ । ମାନୁଛି ଯୁଗ ବଦଳିଛି , ବଦଳି ଯାଇଛି ସାମାଜିକ ଚଳଣି । ହେଲେ ପିତାମାତା ଙ୍କର ଅଭିଜ୍ଞତା ଆଉ ଆଶୀର୍ବାଦ ପାଇ ଆଜି ଆମେ ସଫଳ ।


    ଯଦି ଆମ ଭଲ ପାଇବା ଶାଶ୍ୱତ ଆଉ ପବିତ୍ର ହୋଇ ଥିବ ତେବେ ନିଶ୍ଚୟ ବିଧାତା ଆମର ମିଳନ ଅବଶ୍ୟ କରିବ । ମତେ ଥରୁଟିଏ ପାଇଁ ସୁଯୋଗ ଦିଅ । ତୁମ , ବାପାମାଆଙ୍କ ସହ କଥା ହେବା ପାଇଁ । ଦୁଇ ପରିବାରର ଆଶୀର୍ବାଦ ବିନା ଆମେ କେମିତି ଖୁସିରେ ରହି ପାରିବା କୁହ ? ଆଜି ଯଦି ତୁମକୁ ମୁଁ ଏଇଠୁ ନେଇ ଚାଲି ଯାଏ , ଥରେ ଭାବିଲ ତୁମ ବାପା ମାଆ ସହି ପାରିବେ ତ ?ଘରର ପରିସ୍ଥିତି ଏବେ ଭଲ ନାହିଁ କିନ୍ତୁ ତୁମ ବାପା ଯଦି ରାଜି ହୋଇଯିବେ ଗୋଟେ ବର୍ଷ ପରେ ଆମର ବାହାଘର ହେବା ରେ ମୋର ଆପତ୍ତି ରହିବ ନାହିଁ। 


   ପିଲା ଟି ଦିନରୁ ତୁମ ପାଇଁ ସେ କେତେ କଣ କରିଛନ୍ତି । ତୁମର ଭଲ ମନ୍ଦ ବୁଝି ନ କହିବା ପୂର୍ବରୁ ସବୁ କିଛି ହାତ ପାପୁଲିରେ ଆଣି ଭରି ଦେଇଛନ୍ତି। ତାଙ୍କ ପସନ୍ଦ କେବେ ବି ଭୂଲ ହୋଇ ପାରିବ ନାହିଁ । ସେମାନେ ନିଶ୍ଚୟ ଭଲ ବର ପାତ୍ର ତୁମ ପାଇଁ ଖୋଜି ଆଣିବେ। ଯଦି ତୁମ ଭାଗ୍ୟରେ ମୋ ନାଁ ଲେଖା ଥିବ , ତେବେ ଆମ ଦୁହିଁଙ୍କ ର ମିଳନ ଅବଶ୍ୟ ହେବ । ଆସ ଯିବା ଘରକୁ । ତୁମ ହାତ ପାଇଁ ନିଜେ ମୁଁ ଗୁହାରୀ କରିବି। ଯଦି ମୁଁ ହାରିଗଲି ତେବେ ଜାଣିବ , ତୁମ ବାପା ମାଆ ନିଶ୍ଚୟ ମୋ ଭିତରେ କିଛି ମନ୍ଦ ଗୁଣ ଦେଖି ପାରିଥିବେ । ଆଉ ଯଦି ଜିତି ଗଲି ତେବେ ବୁଝି ନେବ , ମୁଁ କେବଳ ତୁମ ପାଇଁ ଜନ୍ମ ହୋଇଛି।


ଥାଉ ଶିବାଂଶ , ସତ ତ ହେଲା ତୁମେ ଆଉ ମତେ ଆଗ ଭଳି ଭଲ ପାଉ ନାହଁ। ମୋ ଠାରୁ ଦୂରେଇ ରଖିବାକୁ ନିଜକୁ ବାହାନା କରୁଛ। ହଁ, ବାହାନା କରିବ ନି ବା କେମିତି , ଭଲ ଭାବରେ ଜାଣିଛ ମୋ ବାପା ରାଜି ହେବେ ନାହିଁ ଆଉ ତାର ସୁଯୋଗ ନେଇ ନିଜକୁ ନିର୍ଦୋଷ ବି ତୁମେ ସାବ୍ୟସ୍ତ କରି ଦେବ । ଆଉ ଭାଗ୍ୟକୁ ବାହାନା ଦେଖାଇ ତୁମେ ଖସି ଯିବ। କିନ୍ତୁ ତୁମର ସବୁ ଚାଲ ମତେ ଭଲ ଭାବରେ ଜଣା। ମୋ ଦେହକୁ ତ ତୁମେ ଉପଭୋଗ କରି ସାରିଛ। ଆଉ ଆଜି ଗୋଟେ ଉପଭୋଗ ବସ୍ତୁ କୁ ତୁମ ଘରର ଲକ୍ଷ୍ମୀ ହେବାର ଅଧିକାର ବା କେମିତି ଦେବ ?

   ସତରେ ତୁମେ ବି ସେଇ ମାଂସ ଲୋଭି ରାକ୍ଷାସ ମାନଙ୍କ ପରି , ପ୍ରଥମେ ମିଠା ମିଠା କଥାରେ ଫସେଇବେ , ପରେ ବଶୀଭୂତ କରି ଇଜ୍ଜତ ଲୁଟି ନେବେ । ଆଜି ବୁଝିଗଲି ମୁଁ , ଯଦି ପକୃତରେ ତୁମେ ଭଲ ପାଇଥାନ୍ତ ତେବେ , ମତେ ଦୂରେଇ ଦେବାକୁ କେବେ ବି ଚେଷ୍ଟା କରି ନ ଥାନ୍ତ ।

  

   ତୁମକୁ ବା ଦୋଷ ଦେଇ କି ଲାଭ। ମୋର ହିଁ ଭାଗ୍ୟ ଖରାପ। ଜାଣି ଜାଣି ନିଜ ପାଦରେ କୁରାଢ଼ୀ ମାରିଛି। ତୁମକୁ ବୁଝି ନ ପାରି ମୋର ସବୁ କିଛି ସମର୍ପି ଦେଇଛି। ଆଉ ଆଜି ତାର ସୁଯୋଗ ନେଇ ବାହାନା କରି ତୁମେ ବା ଖେଳିବ ନାହିଁ କେମିତି ?

    ଆଜି ଠାରୁ ତୁମ ରାସ୍ତା ଆଉ ମୋ ରାସ୍ତା ସମ୍ପର୍ଣ୍ଣ ଅଲଗା । ମତେ ମୋ ରାସ୍ତାରେ ଛାଡି ଦିଅ ।

ଲୁହ ଛଳ ଛଳ ଆଖିରେ ସ୍ୱୟଂ ପ୍ରଭା କହି ଚାଲିଥାଏ ।


ଶିବାଂଶ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ସେ ବୁଝିବାକୁ ହିଁ ଚାହୁଁ ନ ଥିଲା।

କିଏ କାହାର ହାତ ଧରିବ ତାହା ପୂର୍ବରୁ ନିର୍ଧାରିତ । ତେବେ ସମୟର ବିପକ୍ଷରେ ଯାଇ ଭାଗ୍ୟ ଚକ୍ରକୁ ବଦଳେଇବାର କ୍ଷମତା ମୋର ବି ନାହିଁ।

ରହିବା ପାଇଁ ମୁଣ୍ଡ ଉପରେ ଛାତ ନାହିଁ , ଘରେ ଭଉଣୀର ବାହାଘର ହୋଇ ପାରୁ ନାହିଁ। ବାପା ବୋଉଙ୍କ ପାଇଁ ଔଷଧ ଆଣି ଦେଇ ସାରିଲା ପରେ , ମାସ ଶେଷକୁ ପକେଟ ଶୁନ୍ ହୋଇ ଯାଇଛି।ଏମିତି ରେ ବିବାହ କରି କେମିତି ଘର ସଂସାର କରିବି ବୁଝି ପାରୁ ନାହିଁ।

  ତୁମକୁ ବିବାହ କରିବା ପାଇଁ ମୋର କୌଣସି ଆପତ୍ତି ନାହିଁ କିନ୍ତୁ ଯଦି ବିବାହ କରିବାକୁ ଚାହିଁବି ତେବେ ଦୁଇ ପରିବାର ର ଆଶୀର୍ବାଦ ରେ ହିଁ କରିବି ।ଆଉ ଗୋଟେ ବର୍ଷ ସେଥିପାଇଁ ମତେ ଅପେକ୍ଷା କରିବାକୁ ହେବ।

 

    ସବୁ ଶୁଣି ସାରିଲା ପରେ ସ୍ୱୟଂପ୍ରଭା କିନ୍ତୁ ନିଜ ଜିଦି ରେ ଅଟଳ ଥିଲା । ଶିବାଂଶ କୁ ଧୋକା ବାଜ କହି କାନ୍ଦି କାନ୍ଦି ଚାଲିଗଲା। ଦୁହେଁ ଦୁହିଁଙ୍କର ପରିସ୍ଥିତି ର ଦାସ ଥିଲେ ।

    ସ୍ୱୟଂପ୍ରଭା ଚାଲି ଗଲା ପରେ ଶିବାଂଶ ଭାଙ୍ଗି ପଡିଥିଲା। ସେ ଚାହୁଁ ନ ଥିଲା ସ୍ୱୟଂ ପ୍ରଭାକୁ ହରେଇବା ପାଇଁ । ପରିବାର ଦାୟିତ୍ୱ ତା ଉପରେ ନ୍ୟସ୍ତ । ଏମିତିରେ ତାର ପ୍ରତି ଟି ପାଦ ବୁଝି ସୁଝି ପକେଇବାକୁ ଚାହୁଁ ଥାଏ । ମନରେ ଖୁବ ଆଘାତ ପାଉ ଥାଏ । ସ୍ୱପ୍ନ ସବୁ ଭାଙ୍ଗିକି ଆଖି ସମ୍ନାରେ ଚୂର ମାର ହୋଇ ଯାଉଥାଏ । ମଣିଷ ଯାହା ଚାହେଁ ତାହା ପାଇ ପାରେ କି ? ଯଦି ଇଛା ମୁତାବକ ଦୁନିଆଁ ରେ ସବୁ କିଛି ମିଳି ଯାଆନ୍ତା ତେବେ ଦୁନିଆଁ ରେ କେହି ବି ଦୁଃଖରେ ରହି ନ ଥାନ୍ତେ !


   ଶିବାଂଶ ଠାରୁ ଅଲଗା ହେଲା ପରେ ସ୍ୱୟଂପ୍ରଭା ଅନେକ ଥର ଜୀବନ ହରେଇ ଦେବାକୁ ଚେଷ୍ଟା କରିଛି। ପରିବାର ଲୋକେ ତା ଉପରେ ସତର୍କତା ସହ ନଜର ରଖିଥିଲେ । ତେଣୁ ଆଗତ ବିପଦ କୁ ଅନୁମାନ କରି ସ୍ୱୟଂପ୍ରଭାର ମନ ପରିବର୍ତ୍ତନ ପାଇଁ ତାକୁ ଗାଁ କୁ ପଠେଇ ଦେଲେ । ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଝିଅ ର ଉଦାସ ମନକୁ ଦେଖି ଭାଙ୍ଗି ପଡିଲେ ସ୍ୱୟଂପ୍ରଭାର ବାପା ମାଆ ଦୁହେଁ। ଝିଅର ଜିଦି ସାମ୍ନାରେ ମୁଣ୍ଡ ନୂଆଁଇବା କୁ ପ୍ରସ୍ତୁତ ନ ଥିଲେ । ଝିଅର ଜୀବନ ସହ ଖେଳି ଥିବା ଯୁବକ କୁ ଉଚିତ ଶାସ୍ତି ଦେବା ପାଇଁ ଗୁଣ୍ଡା ଦ୍ୱାରା ଆକ୍ରମଣ କରିଲେ ସ୍ୱୟଂପ୍ରଭାର ବାପା। ଶିବାଂଶ ଗୁରୁତ୍ୱର ଆହତ ହୋଇ ଜୀବନ ଆଉ ମୃତ୍ୟୁ ସହ ମେଡ଼ିକାଲ ରେ ସଂଘର୍ଷ କରିବାକୁ ଲାଗିଲା।

   ବାପା ଙ୍କର ରାଗ ଦେଖି ଭୟଭୀତ ହୋଇ ସ୍ୱୟଂପ୍ରଭା ବି ବାହା ହେବା ପାଇଁ ରାଜି ହୋଇଗଲା। ସହରରେ ଜଣେ ଅଭିଜାତ୍ୟ ସମ୍ପର୍ଣ୍ଣ ଯୁବକ ସହ ସ୍ୱୟଂପ୍ରଭାର ବାହାଘର ସ୍ଥିର ହେଲା।

     ବାପା ମାଆଙ୍କର ରାଣ ନିୟମରେ ବନ୍ଦୀ ହୋଇ ସ୍ୱୟଂପ୍ରଭା ଶେଷରେ ଶିବାଂଶ କୁ ମନ ମଧ୍ୟରୁ ଘୃଣା କରିବାକୁ ଲାଗିଲା। ଶିବାଂଶକୁ ଶେଷ ଥର ପାଇଁ ସାଥିରେ ନେଇଯିବାକୁ ଅନୁରୋଧ କରିଲା। କିନ୍ତୁ ଶିବାଂଶ ସତ କଣ ନ ଜଣାଇ ଘରର ପରିସ୍ଥିତି କଥା ଭାବି ଚୁପ ରହିଲା। ରାଗିକି ସ୍ୱୟଂପ୍ରଭା ବାହାଘର ଭୋଜିକୁ ମଧ୍ୟ ଆମନ୍ତ୍ରଣ କରିଲା ଶିବାଂଶକୁ।

   ସତ କଣ ଜାଣିବା ପୂର୍ବରୁ ସ୍ୱୟଂପ୍ରଭାର ମଙ୍ଗନ ହୋଇ ସାରିଥାଏ। ଘରେ ବାହାଘର ପାଇଁ ସମସ୍ତେ ଖୁସିରେ ଥାନ୍ତି। ବର ଆସିବାକୁ ଆଉ କିଛି କ୍ଷଣ ବାକି ଥାଏ । ବିବାହ ମଣ୍ଡପ କୁ ପ୍ରବେଶ କରେ ଶିବାଂଶ। ହାତରେ ଗୋଲାପ ଗୁଛ । ମୁଣ୍ଡରେ ବ୍ୟଣ୍ଡେଜ ପଟି ଭିଡା ହୋଇ ଥାଏ। ବାମ ପଟ ହାତ ଭାଙ୍ଗି ଯାଇଥିବା କାରଣରୁ ପ୍ଲାଷ୍ଟର ହୋଇ ବନ୍ଧା ହୋଇ ଥାଏ।

   ଲାଲ ଟୁକୁ ଟୁକୁ ସାଧବ ବୋହୂ ବେଶରେ ସ୍ୱୟଂପ୍ରଭା ଖୁବ ସୁନ୍ଦର ଦିଶୁଥାଏ । ଆଖିରେ ଜକେଇ ଆସୁଥିବା ଲୁହକୁ ପୋଛି ଶିବାଂଶ ଫୁଲ ତୋଡ଼ା ଦେଇ ଚାଲି ଯାଉଥାଏ । ଶିବାଂଶ କୁ ଚାହିଁ ରହି ସ୍ୱୟଂ ପ୍ରଭା ନିଜର କୋହକୁ ରୋକି ପାରୁ ନ ଥାଏ। ଅତିଥି ମାନଙ୍କ ସମ୍ମୁଖରେ ରେ ପ୍ରେମିକ କୁ ଦେଖି ସେ ବି ବିବଶ। ଏ ସବୁ ଦୂରରୁ ଦେଖି ରାଗରେ ଗର୍ଜନ କରିବାକୁ ଲାଗିଲେ ସ୍ୱୟଂପ୍ରଭାର ବାପା । ନିଜର ଲୋକଙ୍କୁ ଆଦେଶ ଦେଲେ ଯେ ଶିବାଂଶକୁ ବାହାରକୁ ନେଇ ଉଚିତ ଶାସ୍ତି ଦେବା ପାଇଁ ।

   ଠିକ ଏତିକି ବେଳେ ଫୋନ ଆସିବାରୁ , ଆର ପଟୁ ଭାବି ସମୁଦି କହୁଥିଲେ ,

   ମତେ କ୍ଷମା କରି ଦେବ ସମୁଦି । ଆପଣଙ୍କ ର ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ। ମୋ ପୁଅ ଆଉ ଗୋଟେ ଭିନ୍ନ ଜାତିର ଝିଅକୁ ନେଇ କୁଆଡେ ପଳେଇଛି। ଏ କଥା ଫୋନ୍ ରେ ଶୁଣି ସ୍ୱୟଂପ୍ରଭାର ବାପା ବେହୋସ ହୋଇ ଗଲେ। କଣ ହେଲା ବୋଲି ସମସ୍ତେ ଆସି ଜମା ହୋଇଗଲେ। ପାଣି ମାରି ଚେତା ଫେରେଇବା ପରେ ଘଟଣା ସମସ୍ତେ ଜାଣି ଭାଳେଣି କରିବାକୁ ଲାଗିଲେ ।

    ମଙ୍ଗୁଳା ଝିଅକୁ କିଏ ବାହା ହେବ ଭାବି ବିଚାର କରିବାକୁ ଲାଗିଲେ। ନିଜର ନିକଟ ସମ୍ପର୍କୀୟ ଠାରୁ ଆରମ୍ଭ କରି ଚିହ୍ନା ଜଣାରେ ସମସ୍ତଙ୍କୁ ଅନୁରୋଧ କରିବା ପରେ ଶେଷରେ ନିରାଶ ହେଲେ । ସ୍ୱୟଂପ୍ରଭା ଗୋଟେ କୋଣରେ ବସି କାନ୍ଦୁଥାଏ । ନିଜର ଭାଗ୍ୟକୁ ମଧ୍ୟ ନିନ୍ଦୁ ଥାଏ । ତାକୁ ଜାବୁଡି ଧରି ତାର ଜେଜେ ମାଆ ବି କାନ୍ଦଣା କରୁ ଥାନ୍ତି ।

  ଠିକ ଏତିକି ବେଳେ ଶିବାଂଶର କଥା ମନେ ପଡେ ସ୍ୱୟଂପ୍ରଭା ବାପା ଙ୍କର । ଯାହା ଅତୀତରେ ଭୂଲ କରିଥିଲେ , ଆଜି ତାର ପ୍ରାୟଶ୍ଚିତ୍ତ ପାଇଁ ଶିବାଂଶ ସାମ୍ନାରେ ହାତ ଯୋଡ଼ି ନେହୁରା ହେଲେ ।

    ଘରର ପରିସ୍ଥିତି ପାଇଁ ସେ ଦିନ ସ୍ୱୟଂପ୍ରଭାର ମନକୁ ଭାଙ୍ଗି ଦେଇଥିବା ଶିବାଂଶ କଣ କରିବ କିଛି ବୁଝି ପାରୁ ନ ଥିଲା। ବାପା ମାଆ, ତାର ଏତେ ଶୀଘ୍ର ବାହା କରେଇବା ପାଇଁ ରାଜି ନୁହଁନ୍ତି। ଭଉଣୀ ଥାଉ ଥାଉ ପୁଅ କଥା ଉଠାଇବେ ନାହିଁ ବୋଲି ଦୁହେଁ ସ୍ଥିର କରି ସାରିଥାନ୍ତି।

    ଶେଷରେ ଶିବାଂଶ ଫୋନ ଲଗାଇ ତାର ବାପାଙ୍କୁ ସବୁ କୁହେ। କିଛି ସମୟର ନୀରବତା ପରେ ଶିବାଂଶର ବାପା ରାଜି ହୁଅନ୍ତି। ବାପା ଙ୍କର ଅନୁମତି ପାଇ ସାରିଲା ପରେ ପରିବାରକୁ ଅନୁରୋଧ କରେ ବିବାହ ରେ ଆସି ପହଞ୍ଚିବା ପାଇଁ । ଅନ୍ୟ ପଟେ ଘର ଭିତରେ ନିଜକୁ ତାଲା ପକାଇ ସ୍ୱୟଂ ପ୍ରଭା ହାତ କାଟି ଦେଇ ଥାଏ। ଘର ଲୋକ କବାଟ ବାଡେଇଲେ ବି ନ ଖୋଲିବା କାରଣରୁ କବାଟ ଭାଙ୍ଗି ଯେତେବେଳେ ସମସ୍ତେ ଯାଇ ପହଞ୍ଚିଲେ , ଅତ୍ୟଧିକ ରକ୍ତ ବୋହି ଯାଇଥିବା କାରଣରୁ ସ୍ୱୟଂପ୍ରଭା ଚେତା ହରେଇ ଦେଇଥାଏ । ତତ୍କ୍ଷଣାତ ସ୍ୱୟଂପ୍ରଭାକୁ ମେଡ଼ିକାଲ ରେ ଆଡ଼ମିଶନ କରାଇ ଦିଆଯାଏ । ବ୍ଲଡ ବ୍ୟାଙ୍କରୁ ରକ୍ତ ଆଣି ଚଡେ଼ଇବା ପରେ ଧୀରେ ଧୀରେ ସ୍ୱୟଂପ୍ରଭା ସୁସ୍ଥ ହେବାକୁ ଲାଗେ। ଆଖି ସାମ୍ନାରେ ଶିବାଂଶକୁ ଦେଖି ଜାବୁଡି ଧରି କାନ୍ଦି ପକାଏ।

  ଶିବାଂଶ ହସି ହସି କୁହେ , କହିଥିଲି ନା ନିୟତି ନ ଚାହିଁବା ଯାଏ , କେବେ ବି କିଛି ଘଟେ ନାହିଁ। ଆଉ ଆମର ମିଳନ ର ଯୋଗ ବି ଏମିତି ହିଁ ଭାଗ୍ୟରେ ଲେଖା ସରିଥିଲା। ସେଥିପାଇଁ ଆଜି ଦୁହେଁ ଆମେ ଏକ ହୋଇ ପାରିଛେ ।

      ଦୁହେଁ ମିଶି ହସୁଥିଲେ । ଆଉ ଶିବାଂଶର କଥା ପଛରେ ଥିବା ରହସ୍ୟକୁ ବି ସ୍ୱୟଂପ୍ରଭା ବୁଝି ସାରିଥାଏ।



Rate this content
Log in

Similar oriya story from Drama