ମାଟିର ମହକ
ମାଟିର ମହକ
ଲଣ୍ଡନ ସହର । ସ୍ବପ୍ନରେ ଯାହା କଳ୍ପନା କରିଥିଲି ଥରେ । ହେଲେ ଦିନେ ମୋତେ ସେଇ ସହର ବଡ ପଦବୀର ଅଧିକାରୀ କରି ତା କୋଳକୁ ନେଇଯିବ ସେକଥା କିନ୍ତୁ ଭାବିନଥାଏ । ରୀତିମତ ନିଜ ଯୋଗ୍ୟତାନୁଯାୟୀ ସଫଳତା ପାଇବା ପରେ ଲଣ୍ଡନର କମ୍ପାନୀ ମୋତେ ଟାଣିନେଲା ।
ବାପା କିନ୍ତୁ ମୋ ଚାକିରୀରେ ଖୁସି ନଥିଲେ । ତାଙ୍କ ଇଚ୍ଛାମତେ ମୁଁ ଭାରତରେ ହିଁ ଚାକିରୀ କରି ନିଜକୁ ପ୍ରତିଷ୍ଠିତ କରିବି । ହେଲେ ଏତେ ବଡ ପଦବୀ, ଭିନ୍ନ ଚମକକୁ ଛାଡି ଦେବାର ମୋତେ ଇଚ୍ଛା ନହେବାରୁ ବାପାଙ୍କୁ ବୁଝାଇ ମୁଁ ଆସିଯାଏ ଲଣ୍ଡନ ସହରକୁ ।
ନୂଆ ନୂଆ ସବୁ ଭଲ ଲାଗେ । ସେ ସହର, ଚାଲି ଚଲଣି, ହାବ ଭାବ, ରଂଗ ରୂପ ସବୁକିଛି ଭିନ୍ନ ଏବଂ ଚମକଭରା ଥାଏ । ହେଲେ ସମୟ ଯେମିତି ବିତି ବିତି ଯାଉଥାଏ ମୋତେ ଏକା ଏକା ଅନୁଭବ ମାଡି ଆସୁଥାଏ । କେବେ କେବେ ମା ହାତ ରନ୍ଧା ଖାଇବା ଖୋଜି ମନ ବିଚଳିତ ହେଉଥାଏ ତ ପୁଣି କେବେ କେମିତି ସାଙ୍ଗ ସାଥିଙ୍କ ଥଟ୍ଟା ମଜାକକୁ ଭାରି ଝୁରି ପଡୁଥାଏ । ବାପା ମୋତେ ସବୁବେଳେ ସାଙ୍ଗ । ତାଙ୍କୁ ଯେବେ ଏସବୁ କଥା କହେ ସେ ଉପାୟ ନିର୍ଣ୍ଣୟ କରି କହନ୍ତି ବିବାହ ହିଁ ଗୋଟିଏ ରାସ୍ତା । ଯାହା ଜୀବନରେ ସବୁ ପୁରୁଣା ଦିନ ଫେରେଇ ଆଣିବ । ଦୂରେ ଥାଇ ମଧ୍ୟ ଆପଣାର ଅନୁଭବ କରେଇ ପାରିବ । ବୋଧ ହୁଏ ମୋର ମନ, ମସ୍ତିସ୍କ ଏବଂ ଶରୀର ମଧ୍ୟ ସେଇ ସାଥୀକୁ ହିଁ ଚାହୁଁଥାଏ । ତେଣୁ ବାପାଙ୍କ ଆଗେ ମିଛଟାରେ ନାଇଁ ନାଇଁ ଯାହା କହେ ହେଲେ ମନରେ ଅସଲ କଥା କେମିତି ବାହାଘର ହେଇଯିବ ।
ବିବାହ ପାଇଁ ଝିଅ ଖୋଜା ଆରମ୍ଭ ହୋଇଯାଏ । ମାଁ ବାପାଙ୍କୁ ପସନ୍ଦ ଆସୁଥିବା ଝିଅର ଫଟୋ ମୋ ପାଖକୁ ପଠାଯାଏ । କେଉଁଠି କୁଣ୍ଡଳୀର ଅମେଳ ତ ପୁଣି କେଉଁଠି ଏତେ ଦୂରେ ଝିଅକୁ ସବୁଦିନ ପାଇଁ ଛାଡିଦେବାକୁ ଅନିଚ୍ଛା । କେତେ ପ୍ରସ୍ତାବ ମୋତେ ପସନ୍ଦ ଆସେନି ତ ଆଉ କିଏ ମୋତେ ପସନ୍ଦ କରେନି । ଏମିତି ଚାଲିଥାଏ । ବିରକ୍ତ ଆସିଯାଇଥାଏ ମନରେ । ବେଳେ ବେଳେ ଆକାଶରେ ତାରା, ଚନ୍ଦ୍ର ଆଦିଙ୍କୁ ଦେଖି ପ୍ରଶ୍ନ କରିଦିଏ ଯେ କଣ ମୋ ନାୟିକା ଜନ୍ମ ହେଇନି କି !! ସେତେବେଳେ ସେଇ ଦୁଷ୍ଟ ତାରାମାନେ ଟିମ ଟିମ କରିଦେଲେ ମୋତେ ଲାଗେ ମୋ କଥା ଶୁଣି ହସି ଦେଉଛନ୍ତି । ଜହ୍ନକୁ ଦେଖି ଭାବେ ସେ କହୁଛି ହଁ ହଁ ଅଛନ୍ତି ଅଛନ୍ତି । ନିହାତି ଅଛନ୍ତି । ଆଉ ଟିକିଏ ଖୋଜ । ଖୋଜୁନ ଠିକ୍ ସେ ତ ମିଳିବେ କେମିତି । ସେଇ ହସ ଭରା କଥୋପକଥନ ମୋ ଚିନ୍ତାଗ୍ରସ୍ତ ଶରୀରରେ ଭରିଦିଏ ଫୁର୍ତ୍ତି । ମୁଁ ହସି ପଡେ ଫିର କିନା । ଏବଂ ପୁଣି କହେ ହଁ । ଖୋଜୁଛି ତେବେ । ମିଳିଲେ ଦେଖା କରେଇ ଦେବି ତୁମ ମାନଙ୍କ ସହ ।
ଅନେକ ଧାଁ ଧପଡ ପରେ ଶେଷରେ ମୋତେ ମୋ ନାୟିକା ମିଳିଯାଇଥାନ୍ତି । ମୋ ଠୁ ଭାରି ସୁନ୍ଦର ସେ । ଯେଉଁ କହନ୍ତି ନା ଗୋଟିଏ ଚାଉଳେ ଗଢା । ଠିକ୍ ସେମିତି । ବିବାହ ପାଇଁ ମାସ ଗୋଟିଏର ଛୁଟି ନେଇ ସ୍ବଦେଶକୁ ଆସେ । ସବୁକିଛି ନୂଆଁ ନୂଆଁ ଲାଗେ ମୋତେ । କିନ୍ତୁ ଭାରି ଶାନ୍ତି ପାଉଥାଏ ଏଠିକାର ପବନରେ ।
ମାସ ଗୋଟାଏ ଛୁଟି ସରିଯିବା ପରେ ମୁଁ ପୁନର୍ବାର ପତ୍ରଙ୍କୁ ଧରି ଯାଏ ଲଣ୍ଡନ । ସେଠି ପୂର୍ବବତ ଜୀବନ ଆରମ୍ଭ ହୋଇଯାଏ । ଛଅ/ ସାତ ମାସ ବିତି ଯାଇଥାଏ । ଦିନେ ଅନୁଭବକୁ ଆସେ ମୁଁ ପୁଣି ସେମିତି ହିଁ ଖାଲି ଖାଲି, ଏକା ଏକା ଅନୁଭବ କରୁଛି । ପତ୍ନୀ ସାଙ୍ଗରେ ଥାଇ ମଧ୍ୟ କିଛି ଖୁସି ନଥିଲା ପରିକା ଲାଗୁଛି । ଏଇ ବିଷୟରେ ପତ୍ନୀଙ୍କୁ ଯେବେ କହେ ସେ ମଧ୍ୟ ସେମିତି ଅନୁଭବ ଭିତରେ ଜଳୁଥିବାର ଜାଣିପାରେ । କିନ୍ତୁ କାରଣ ଖୋଜି ପାଉନଥାଏ ଜମାରୁ ।
ରାତି ପ୍ରାୟ ଦିଟା ବିତି ଯାଇଥାଏ । ସେଦିନ କେମିତି ଯେ ଆଖିରେ ଜମାରୁ ନିଦ ହିଁ ନଥାଏ । ପତ୍ନୀଙ୍କ ମଧ୍ୟ ସେଇ ଅବସ୍ଥା । ଏକଡ ସେକଡ ହୋଇ ସେ ଯେମିତି ରାତିକୁ ବିଦାୟ ଦେବାରେ ବ୍ୟଗ୍ର ହୋଇ ପଡିଛନ୍ତି । ମୁଁ ତାଙ୍କ ସହ କଥା ହେବାକୁ ଆରମ୍ଭ କରେ । ସେ ମୋ ଖୋଲା ହୃଦୟରେ ଏକାକାର ହୋଇଯାଇ କାନ୍ଦିବାକୁ ଲାଗନ୍ତି । ସୁନ୍ଦରୀ ନାୟିକା ଆଖିରେ ଲୁହ କେମିତି ମୋତେ ବରଦାସ ହୋଇପାରି ଥାନ୍ତା । ଗାଲରେ, ଆଖିରେ, ନାକରେ, ଓଠରେ ଅସୀମିତ ଚୁମ୍ବନ ଦେଇ ତାଙ୍କୁ ତୁନି କରାଏ । ତା ପରେ ତାଙ୍କ ମନ ଦୁଃଖର କାରଣ ପଚାରେ । ସେ କହନ୍ତି ଲଣ୍ଡନ ତାଙ୍କ ପାଇଁ ନୁହେଁ । ଲଣ୍ଡନ ସହର ସେ ଦୁହିଁଙ୍କ ପାଇଁ ନୁହେଁ । ଦୁହିଁଙ୍କ ପାଇଁ ତ ସେଇ ଭିଜାମାଟିର ମହକ, ଗାଈ ଗୋରୁଙ୍କ ଗୋବର, କ୍ଷେତ ବାଡିର ଚମକ ହିଁ ଉପଯୁକ୍ତ । ଯାହା ସେମାନଙ୍କୁ ଡାକୁଛି । ସେଇ ଡାକ ହିଁ ଆମକୁ ଶାନ୍ତିରି ରହିବାକୁ ଦେଉନି ।
ପତ୍ନୀଙ୍କ କଥାରେ ସହମତି ଜଣାଇ ତା ପରଦିନ ବଡ ପଦବୀରୁ ଇସ୍ତଫା ଦେଇଦିଏ । ନିଜର ସମସ୍ତ ସାମଗ୍ରୀ ଧରି ଦିନେ ଯେଉଁ ଭିଜାମାଟିକୁ ବିଦାୟ ମାଗିଥିଲି ସେଠିକୁ ପୁନର୍ବାର ଫେରିଆସେ । ଲଣ୍ଡନ ପରିକା ଜୀବନ ଶୈଳୀରେ ଆଡମ୍ବର ନଥାଏ ହେଲେ ଥାଏ ଶାନ୍ତି । ମନରେ ଥାଏ ଫୁର୍ତ୍ତି । ବିଚଳିତ କିମ୍ବା ଏକାକୀତ୍ବ ନଥାଏ ଜୀବନରେ । ମାଟିର ମହକରେ ମହକି ଉଠୁଥାଏ ଘର, ପରିବାର ତଥା ମନ ଓ ଶରୀର ।

