ମାନବାଧିକାର
ମାନବାଧିକାର
ଧିରେ ଧିରେ ପୋଷା କୁକୁର ଜିମ୍ମୀର ପାଗଳାମୀ ଆରମ୍ଭ ହେଉଥିଲା। ଜିମ୍ମୀକୁ ଆପଣାର ପୁଅ ପରି ଭଲପାଉଥିବା ହେତୁ ପ୍ରଫେସର ପାତ୍ର ଏସବୁକୁ ଜାଣିଶୁଣି ଅଣଦେଖା କରୁଥିଲେ। ପହିଲେ ପହିଲେ ଏତେ ମାରାତ୍ମକ ନଥିଲା ତା'ର ଏଇ ରୋଗ ଆଉ ଉତ୍ପାତ। ପିଲାମାନେ ଡେଣା ଲାଗି ବିଦେଶକୁ ଉଡି ଯିବା ପରେ ନିସ୍ତବ୍ଧତା ଦୂରେଇବାକୁ ଦୁଇମାସର ଛୁଆଟିକୁ ଘରକୁ ଆଣି ବେଶ୍ ଶ୍ରଦ୍ଧାର ସହ ଲାଳନପାଳନ କରୁଥିଲେ ପ୍ରଫେସର ପାତ୍ର। ବିଦେଶୀ ପ୍ରଜାତିର ଜିମ୍ମୀ ବେଶ୍ ଆକ୍ରାମକ ସ୍ବଭାବର ହୋଇଥିଲେ ବି, ତା' ପ୍ରତି ତାଙ୍କ କର୍ତ୍ତବ୍ୟରେ କେବେ ବି କୌଣସି ହେଳା କରି ନାହାଁନ୍ତି ସିଏ।
ଶ୍ରୀମତୀ ପାତ୍ର ଥିଲେ ଜିମ୍ମୀର ପ୍ରଥମ ଶୀକାର, ମାତ୍ର ଏହା ପାଗଳାମୀର ପ୍ରାଥମିକ ଅବସ୍ଥା ଥିଲା। କିନ୍ତୁ ଦିନେ ସୁଯୋଗ ଉଣ୍ଡି ଜିମ୍ମୀ ଚମଡ଼ା ନିର୍ମିତ ପଘା ଓ ଲୁହାର ଜଞ୍ଜିର ଛିଣ୍ଡାଇ ପଡିଶାଘରର କୁନିପୁଅ ବବୁଲ୍ କୁ ଝୁଣି ଲହୁଲୁହାଣ କରିପକାଇଲା ଆଖି ପିଛୁଳାକେ। ଏଥରକ ଜିମ୍ମୀର କାମୁଡା ଏତେ ସାଂଘାତିକ ଥିଲା ଯେ, ବବୁଲ୍.ର ମୁହଁ ଆଉ ଦେହ ହୋଇ ଚଉତିରିଶଟି ଷ୍ଟିଚ୍ ପଡିଛି। କ୍ଷତ ଶୁଖି ନାହିଁ ଏଯାବତ। ଡ଼ାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟାରେ ଯାହିତାହି ବର୍ତ୍ତିଗଲା ସିଏ।
ଏବାବଦରେ ମୁନିସିପାଲିଟିର ଏନ୍ଫୋର୍ସମେଣ୍ଟ୍ ସ୍କ୍ବାଡକୁ ଖବର ଦେଲେ ବବୁଲ୍.ର ବାପା ଅବନୀ ବାବୁ ଏବଂ କଲୋନୀର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ। କାଳ ବିଳମ୍ବ ନକରି ସଠିକ୍ ସମୟରେ ସ୍କ୍ବାଡ ଗାଡି ଆସି ଜୋରଜବରଦସ୍ତି ଜିମ୍ମୀକୁ ନେଇଗଲେ ସାଥିରେ ଆଉ ଅଧିକ କ୍ଷୟକ୍ଷତି ରୋକିବା ଲକ୍ଷ୍ୟରେ। କିନ୍ତୁ ଏ କଣ? ଅଚାନକ ସେଠାରେ ଉଭା ହେଲେ ପଶୁପ୍ରେମୀ ସଂଗଠନର କିଛି ଭଡ଼ାଟିଆ ସ୍ବେଚ୍ଛାସେବୀ। କ୍ଷଣିକରେ ବଦଳି ଗଲା ପରିସ୍ଥିତି। ଅଭିଯୁକ୍ତ ଜିମ୍ମୀ ଏବେ ପାଲଟି ଯାଇଥିଲା ପୀଡ଼ିତ, ନିଷ୍ପେସିତ ଏବଂ ପ୍ରତାଡିତ। କୁକୁର ବବୁଲ୍ କୁ କାମୁଡି ନାହିଁ ବରଂ କୁକୁରକୁ ମାଡ଼ ଦିଆଯାଇଛି ବୋଲି ବିତଣ୍ଡା ଯୁକ୍ତି କରୁଥିଲେ ସେମାନେ।
ଜିମ୍ମୀକୁ ତା'ର ପୋଷ୍ଯ ପିତାଙ୍କ ନିକଟକୁ ଫେରାଇ ଆଣିବା ଦାବୀରେ ରାସ୍ତାରୋକ କରି ଏନଫୋର୍ସମେଣ୍ଟ ସ୍କ୍ବାଡର ପଥ ଓଗାଳୁଥିଲେ ସ୍ବେଚ୍ଛାସେବୀଗଣ। ବବୁଲ୍.ର କ୍ଷତ ଠାରୁ ପାଗଳା କୁକୁରଟିର ଅଧିକାର ସେମାନଙ୍କ ପାଇଁ ଅଧିକ ଗୁରୁତ୍ବ ବହନ କରୁଥିଲା। ଅଧିକନ୍ତୁ ଏଇ ମୌକାରେ ଜିମ୍ମୀ ରୂପକ ପୁତ୍ର ସ୍ନେହରୁ ବଞ୍ଚିତ ପ୍ରଫେସର ପାତ୍ରଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ମାମଲା ଦାୟର କରାଯାଇସାରିଥିଲା ଜାତୀୟ ମାନବାଧିକାର ଆୟୋଗରେ...।