Lalita Mohan Mishra

Romance Tragedy

4  

Lalita Mohan Mishra

Romance Tragedy

ଲୁହର ବନ୍ୟା

ଲୁହର ବନ୍ୟା

6 mins
301



ସୁ ସୁ ଗର୍ଜନରେ ବହିଯାଉଛି ନଦୀର ଜଳଧାର । ବହି ଯାଉଛି କାହାର ଆଖି ରେ ଲୁହର ବନ୍ୟା । ଜୀବନର ଗତିପଥରେ କେତେ ଝଡ ଝଞ୍ଜା ଲୁହ ହସ କାନ୍ଦ । ମନୁଷ୍ଯର ଦୁଃଖ ରୂପକ ଲୁହକୁ.... କୋହକୁ... ଅଟକାଇବା ଏତେ ସହଜ ନୁହେଁ । 


ତନ୍ମୟ ସକାଳୁ ନିତ୍ୟକର୍ମରେ ବ୍ୟସ୍ତ । ପ୍ରତିଦିନ ଅଫିସ୍ ଯିବାରେ ଡେରି। ଏତିକି ବେଳେ ଇତି ଆସି ପଚାରିଲେ ଆଜି କେତେ ତାରିଖ ......


ତାରିଖ ସହିତ କଣ ଅଛି ? ତୁମେ ଟିକେ ଶୀଘ୍ର ରୋଷେଇ କରିଦିଅ ମୁଁ ଅଫିସ୍ ଯିବାରେ ଡେରି ହେଉଛି । ତେଣୁ ଅଫିସ୍ ରେ ଶୁଣିବାକୁ ପଡୁଛି !


ତୁମର ତ କିଛି ମନେ ନାହିଁ । କେତୋଟି ବର୍ଷ ଭିତରେ ତୁମେ ସବୁ ଭୁଲିଗଲଣି । ଆଜି ଆମର ବିବାହ ବାର୍ଷିକୀ । 


ମୁଁ ବ୍ୟସ୍ତତାରେ ଭୁଲି ଯାଇଥିଲି । ମୁଁ ଅଫିସ୍ ପଳାଇ ଯାଉଛି, ଫେରିଲେ ଆମେ ସାଥି ହୋଇ ମନ୍ଦିର ଯିବା । ତୁମେ ଆଜି ମୋତେ ଉପହାର କଣ ଦେବ ?


ତୁମେ ଯମା ବ୍ୟସ୍ତ ହୁଅନି । ମୋର ରେଗୁଲାର ହୋଇଯାଉ । ବିବାହର ଏହା ଭିତରେ ପାଞ୍ଚବର୍ଷ ବିତିଗଲାଣି । ଆଜି ପର୍ଯ୍ୟନ୍ତ ତୁମେ ଭଲ ଶାଢୀ ଖଣ୍ଡେ ଆଣିଲ ନାହିଁ କି ବେକକୁ ଚେନ୍ ଟିଏ । ରେଗୁଲାର ହେଲେ ସବୁ କରିଦେବ ? ତୁମର ଖାଲି ଭାଇ, ଭାଉଜ, ଆଉ ବାପା ମାଆ । ଏହା ବ୍ୟତୀତ ସଂସାରରେ କିଏ ଅଛି... ତୁମେ ଜାଣିନ ? ଆମେ ମାଆ ଝିଅ ଘରେ ପଡିରହୁଛି । ଝିଅଟି ସ୍କୁଲ ଯିବ ! ସେଥିପ୍ରତି ନିଘା ନାହିଁ ।


ଛି ଛି ଇତି ! ଆଜିର ଦିନରେ ଏସବୁ ଶୋଭା ପାଉନି । ସବୁଦିନ ତ କହୁଛ ଶୁଣୁଛି ... । ଆଜି ଟିକେ ଚୁପ୍ ରୁହ ? ତନ୍ମୟ ଅଫିସ୍ ଚାଲିଯାଏ । ଅଫିସ୍ ଯିବା ବାଟରେ ବିଭିନ୍ନ ଚିନ୍ତା । ସ୍ତ୍ରୀ ଏବଂ ଝିଅ ପାଇଁ କିଛି ନ କଲେ ସ୍ତ୍ରୀ କହୁଛି । ବାପା ମା ଜନ୍ମ କରିଛନ୍ତି । ତାଙ୍କ ପାଇଁ ନ କଲେ ଲୋକେ କହିବେ କଣ ? କେତେ ଅବା ଦରମା ? ଏ ସବୁ ଚିନ୍ତାକଲେ ମୁଣ୍ଡ ଘୁରି ଯାଉଛି ।


ଅଫିସ୍ ରୁ ପାଞ୍ଚଟା ବେଳକୁ ଫେରିଲା ତନ୍ମୟ । ଘରେ ଦେଖେ ତ... ପଡିଶା ଘର ସନ୍ତୋଷ ଉପହାର ନେଇ ଆସିଛି - ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇବାକୁ। ଇତି ମୋତେ ଦେଖି ସୋଫାରୁ ଉଠି କହିଲା ! ତୁମେ ମୋ ପାଇଁ କଣ ଆଣିଛ ? ଫୁଲ ତୋଡ଼ାଟି ଦେଲି । ଇତି ଆରମ୍ଭ କରିଦେଲା ! ଖାଲି ତୁମକୁ ଫୁଲ ତୋଡା ମିଳୁଛି..... ପଡିଶାଘର ହରେନ୍ଦ୍ର ବାବୁ ତାଙ୍କ ସ୍ତ୍ରୀଙ୍କ ପାଇଁ ହାରଟିଏ ଆଣିଛନ୍ତି | ନରେଶ ବାବୁ ତାଙ୍କ ମିସେସ୍ ଙ୍କୁ ନେଇ ଗୋଆ ବୁଲି ଗଲେ, ଆଉ ତୁମେ......


ଦେଖ ! ସନ୍ତୋଷ ...... ଆମ ପାଇଁ ଆଣିଛନ୍ତି - ସୁନା ମୁଦିଟିଏ । ତୁମେ......

ନିଜ ସ୍ତ୍ରୀ ଠାରୁ ପରପୁରୁଷର ପ୍ରଶଂସା ଶୁଣିଲେ ନିଜକୁ ହତୋତ୍ସାହିତ ଲାଗେ । ପରଦିନ ଅଫିସ୍ ଯିବାକୁ ବ୍ୟସ୍ତ ତନ୍ମୟ । ମୋ ପାଇଁ ଟିକେ ଟିଫିନ୍ ଦିଅ ଇତି ! ମଧ୍ୟାନ୍ତରରେ ଭୋକ ଲାଗୁଛି । ତନ୍ମୟ କହିବା ସରି ନାହିଁ , ଇତି କଥା ଛଡାଇ ଆରମ୍ଭ କରି ଦେଲେ ..... ମୁଁ ତ ସକାଳୁ ରାତି ପର୍ଯ୍ୟନ୍ତ ଖଟୁଛି ମରିବାକୁ ତର ନାହିଁ । ଗୋଟେ ଚାକରାଣୀ ଟାଏ ରଖି ଦିଅ । ହେଉ ହେଲା ଇତି ! ଟିଫିନ୍ ନ ହେଲା ନାହିଁ । କଥା ଆଉ ଆଗକୁ ବଢାଅ ନାହିଁ ।


ଏହିଭଳି ପ୍ରତ୍ୟେହ ସାମାନ୍ୟ କଥାରେ ଝଗଡା । ସ୍ବାମୀ ସ୍ତ୍ରୀର ଭଲ ପାଇବା ଠାରୁ ଘୃଣା ନୈରାଶ୍ୟ ଓ କଳହ ଅଧିକ । ତନ୍ମୟ ସବୁ ସହି, ନିରବି ଅନ୍ତର୍ବେଦନା ମନ ଭିତରେ ମାରି ଅଫିସ୍ ଚାଲିଯାଏ ।


ଆଜିକାଲି ତନ୍ମୟ ର ମନ ବଦଳିବାକୁ ଲାଗିଲାଣି । ଅଫିସକୁ କିଛି ଦିନ ହେବ ନୂଆ ତରୁଣୀ ସ୍ବପ୍ନା ଜଏନ କରିଛି । ସ୍ବପ୍ନା ତନ୍ମୟ ମଧ୍ୟରେ କଥାବାର୍ତ୍ତାରେ କାର୍ଯ୍ୟରେ ନିକଟରୁ ନିକଟତର । ସ୍ବପ୍ନା ତନ୍ମୟ ପାଇଁ ଟିଫିନ୍ ଆଣେ, ମଧ୍ୟାନ୍ତରରେ ବସି ଖାଆନ୍ତି । ହସ ଖୁସି ହୁଅନ୍ତି । ତନ୍ମୟ ମଧ୍ଯ ଇତି ଠାରୁ ପ୍ରତ୍ୟେହ ଗାଳିଶୁଣି ସ୍ବପ୍ନା ଆଡକୁ ମନ ବଳାଇଲେଣି । 


ଦିନେ ଏକାନ୍ତରେ ସ୍ବପ୍ନାର ବାମ ହାତକୁ ନିଜର ଦୁଇ ହାତ ପାପୁଲିରେ ଚାପିରଖି କହିଲେ... କେବେଠାରୁ କଥାଟିଏ କହିବାକୁ ଚାହୁଁଥିଲି । ସାରା ଜୀବନ ତୁମ ସାଥୀରେ ରହିବି । ସ୍ବପ୍ନା ! ତୁମେ ରାଜି ତ ? 


ସ୍ବପ୍ନାର ହାତଟି ତନ୍ମୟ ର ହାତ ପାପୁଲିରେ ଝାଳେଇ ଯାଉଥିଲା । ଏକ ଅଜଣା ଭୟ ଗ୍ରାସ କରୁଥିଲା । ସ୍ବପ୍ନା କହିଲେ ଆଜି ଯାହା ଘଟିଲା ମୁଁ କଳ୍ପନା କରି ନ ଥିଲି । ମୋର ମନର ଫୁଲ ବଗିଚାରେ ତୁମେ ଉଡି ବୁଲୁଥିଲ କିନ୍ତୁ ମୁଁ ଏହା କେବେ ଆଶା କରି ନ ଥିଲି । ମୁଁ ତୁମକୁ ବନ୍ଧୁପରି ଦେଖେ । ବନ୍ଧୁଠାରୁ ଅଧିକ ଆମ ସମ୍ପର୍କ, ହେଲେ ବିବାହ........ ଏମିତି ଭାବନା ମୋ ମନରେ ଆସିନାହିଁ । ତୁମର ସାନ୍ନିଧ୍ୟ ମୋତେ ଆନନ୍ଦ ଦେଇଛି, ହେଲେ ମୁଁ ତୁମକୁ ଅନେକ କଥା କହିବାର ଅଛି । ସୁଯୋଗ ପାଇଲେ କହିବି। ସ୍ବପ୍ନା ପ୍ରାୟ ରାଜି ବୋଲି ତନ୍ମୟ ଅନୁଭବ କଲେ । 


ପଡିଶାଘର ସନ୍ତୋଷ ମଝିରେ ମଝିରେ ଘରକୁ ଆସୁଥାଏ । କେବେ ଝିଅ ପାଇଁ ଚକୋଲେଟ୍ ତ କେବେ ଖେଳନା । ଏହି ବାହାନାରେ ଝିଅକୁ ଓ ଇତିକୁ ନିଜର କରି ନେଲାଣି । ଏ କଥା ତନ୍ମୟ କୁ ଆଉ ଅଛପା ରହିଲା ନାହିଁ । ତନ୍ମୟ ମଧ୍ୟ ଇତି ଠାରୁ ମୁକ୍ତି ଚାହୁଁଥିଲା ।


ତନ୍ମୟ ସେଦିନ ଅଫିସକୁ ଯିବା ପୂର୍ବରୁ ଇତି ହାତରେ ଗୋଟିଏ କାଗଜ ବଢାଇ ଦେଲେ । ଇତି କାଗଜକୁ ଧରି କହିଲେ - ଏତେଦିନ ପରେ ମନେ ପଡିଲା । ଝିଅର ସ୍କୁଲରେ ନାମ ଲେଖାଇବା ପାଇଁ ଫର୍ମ ଆଣିବାକୁ । ତନ୍ମୟ ନିରବ ରହିବାର ଦେଖି ଇତି କାଗଜକୁ ପଢିବାକୁ ଲାଗିଲା । ଏ କଣ ତନ୍ମୟ ..."ଛାଡପତ୍ର"...ଇତିର ପାଦତଳୁ ମାଟି ଖସି ଗଲାଭଳି ଲାଗିଲା । ମୁଁ କଣ ଟିକେ କହିଲି ବୋଲି ଏତେ ବଡ ଶାସ୍ତି । ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ ତନ୍ମୟ ..... ଏହା କହି ତନ୍ମୟ କୁ ଧରି ପକାଇଲା । ଇତିର ହାତକୁ ଖସାଇ ଅଫିସ୍ ଚାଲିଗଲା । ହଁ ତନ୍ମୟ ... ବାସହୀନ ମଧୁଚନ୍ଦ୍ରିକା ପରି ମୁଁ ଆଜି ତୁମର ଅଲୋଡା ମଣିଷ ।


ସ୍ବପ୍ନା ଅଫିସ୍ ଆସୁନାହିଁ । ସ୍ବପ୍ନା ନ ଆସିବାରୁ ତନ୍ମୟ ବିଚଳିତ । ସ୍ବପ୍ନାର ଘରକୁ ଯାଇ କନିଙ୍ଗବେଲ୍ ମାରିଲେ । କିଛି ସମୟ ପରେ ସ୍ବପ୍ନା ଆସି ଦରଜା ଖୋଲିଲେ । ସୋଫାରେ ବସିବାକୁ ଇସାରା ଦେଲେ । ତନ୍ମୟ ଘରର ଚାରିଆଡକୁ ଦ୍ରୁଷ୍ଟି ନିକ୍ଷେପ଼ କଲେ । କାନ୍ଥରେ ଟଙ୍ଗା ହୋଇଥିବା ଫଟୋ ଉପରେ ହଠାତ୍ ନଜର ପଡିଲା । ସେ ଫଟୋଟି କାହାର ? ସ୍ୱପ୍ନା ସହିତ ଜଣେ ଯୁବକର ବିବାହ ବେଳର ଫଟୋ । ତନ୍ମୟ ଫଟୋକୁ ଦେଖି ଆଶ୍ଚର୍ଯ୍ୟ । ଏହା ଭିତରେ କଣ ସ୍ବପ୍ନା ବିବାହ କଲେ ନା ପୂର୍ବରୁ ବିବାହ କରିଥିବା ଫଟୋ । ଅମୀମାଂସିତ ପ୍ରଶ୍ନ ଉଙ୍କି ମାରୁଥାଏ ।


ଏହି ସମୟରେ ପ୍ରବେଶ କଲେ ସ୍ବପ୍ନା । ଫଟୋକୁ ଲକ୍ଷ୍ୟ କରୁଥିବାର ଦେଖି ସ୍ବପ୍ନା - ତନ୍ମୟ କୁ କହିଲେ ....ଏ ମୋର ସ୍ବାମୀ । ଆଜକୁ ତିନି ବର୍ଷ ହେବ ବିବାହ । ଦିନେ ଆମେ ପୁରୀ ଯାଇଥିଲୁ । ବାଟରେ ଆମର କାର୍ କୁ ଟ୍ରକ ବାଡେଇ ଦେଲା । ସେ ଦୁର୍ଘଟଣାରେ, ଏ କୋମାରେ ଦୀର୍ଘଦିନ ହେବ ଥିଲେ । ଏବେ ଅଳ୍ପ ଦିନ ହେବ ଫେରିଛନ୍ତି ତଥାପି ଭଲ ଭାବରେ ଚାଲି ପାରୁ ନାହାଁନ୍ତି । କି ନିଜ କାମ ନିଜେ କରି ପାରୁ ନାହାଁନ୍ତି । ବିବାହ ସମୟରେ ମୁଁ ଚାକିରୀକୁ ମନା କରିଥିଲେ । ଏମିତି ଅବସ୍ଥା ହେତୁ ମୁଁ ବାଧ୍ଯ ହୋଇ ଚାକିରୀ କଲି । ତୁମର କଥା ମୁଁ ବୁଝି ପାରୁଛି । ମୁଁ ତୁମକୁ ସେଦିନ କହିଥିଲି ସମୟ ପାଇଲେ କହିବି ! ତୁମେ କୁହ ତନ୍ମୟ ! ଏହାଙ୍କୁ ଏହି ଅବସ୍ଥାରେ ଛାଡି ତୁମ ସାଥିରେ ଘରସଂସାର କରିବି ? ଧର୍ମ ସହିବ ତ......... ।


ମୁଁ ମୋର ମନକୁ ହାଲକା କରିବାକୁ ମିଶୁଥିଲି । ତାର ଅର୍ଥ ନୁହେଁ ତୁମକୁ ଭଲ ପାଉଥିଲି । ମୁଁ ତୁମ ପାଇଁ ଗୋଟେ ଅସଂପୂର୍ଣ୍ଣ କବିତା । ଅସମାପ୍ତିରେ ଅହେତୁକ ଆନନ୍ଦ । ମୁଁ ତୁମକୁ ସେଦିନ ଦେଖୁଥିଲି ବନ୍ଧୁ ଭାବରେ ଆଜି ବି। ତୁମ ମନରୁ ସେକଥା ଛାଡ଼ିଦିଅ ଆମେ ଜୀବନସାରା ସ୍ବାମୀ ସ୍ତ୍ରୀ ନ ହୋଇ ଉତ୍ତମ ବନ୍ଧୁ ହୋଇ ରହିଯିବା.... ।


କୌଣସି ଉତ୍ତର ନ ଦେଇ ପଳାଇ ଆସିଥିଲା ତନ୍ମୟ । ଭାବି ପାରିଲା ନାହିଁ କ'ଣ ଘଟିବାକୁ ଯାଉଛି । ଘରକୁ ଫେରି ଦେଖେ ତ ସନ୍ତୋଷ ଘରେ । ପାଖରେ ଇତି ବସି କଥା ହେଉଛି । ତନ୍ମୟ ର କ୍ରୋଧ ବଢିଗଲା । ଏହାର ଗୋଟେ ରଫାଦଫା କରିବାକୁ ପଡିବ। ସେ ରହିବ ନହେଲେ ମୁଁ । ସବୁଦିନ ମରିବା ଅପେକ୍ଷା ଦିନେ ମରିଯିବି ।


ଏହା ଭାବି ଇତିର କଥାବାର୍ତ୍ତା ଶୁଣିଲା | ଇତି କହୁଥାଏ - ତନ୍ମୟ ମୋ ଠାରୁ ଅଲଗା ହେବା ପାଇଁ ଛାଡପତ୍ର କାଗଜରେ ଦସ୍ତଖତ କରି ଦେଇଛନ୍ତି। ମୁଁ ତାଙ୍କର ସ୍ତ୍ରୀ ...କେତେବେଳେ କଣ କହି ଦେଲି ବୋଲି ... ସେ ମୋତେ ଛାଡି ଦେବେ...... ସନ୍ତୋଷ କହିଲେ ତୁମେ କାହିଁକି ବ୍ଯସ୍ତ ହେଉଛ ଭାଉଜ - ମୁଁ ଅଛି ନା........ । ଯଦି କିଛି ନ ଭାବ ଗୋଟେ କଥା କହିବି । ଇତି କହିଲେ - କଣ ଭାବୁଛ କହୁନ.... । ସନ୍ତୋଷ କହିଲେ - ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି । ଇତି ଏକ ଶକ୍ତ ଚାପୁଡା ଟାଏ ଦେଲା । କହିଲେ ମୋର ସ୍ବାମୀ ଥାଉ ଥାଉ ତୁମେ ଏତେବଡ ସାହସ କଲ କିପରି ? କାଗଜ ଟିଏ ଦେଇଦେଲେ ବୋଲି କ'ଣ ଛାଡପତ୍ର ହୋଇଗଲା । 


ସନ୍ତୋଷ ଅପମାନରେ ଗଲା ବେଳକୁ ତନ୍ମୟ ପ୍ରବେଶ କଲେ । ତନ୍ମୟ କୁ ଦେଖି ଇତି ଛାଡପତ୍ର କାଗଜଟିକୁ ଦେଇ କହିଲେ - ମୁଁ ପ୍ରକୃତି, ମୁଁ ବନ୍ୟା ! ମୁଁ ବି ହୋଇପାରେ ନଦୀ ..... ହେଲେ … କାଗଜ ମୋତେ କରିଛି ବାଟବଣା । ମୁଁ ଆଜି ତୁମ ପାଇଁ ଅଲୋଡା ଅନାମିକା ନାୟିକାଟିଏ । ତନ୍ମୟ କାଗଜ ଟିକୁ ଟିକ୍ ଟିକ୍ ଚିରିଦେଲେ । ଇତିକୁ ଭିଡିଆଣି ନିଜ ଛାତିରେ ଚାପିଧରି କହିଲେ ....ସତରେ ଇତି ତୁମେ କେତେ ମହାନ୍ ! ତୁମର ପରାକାଷ୍ଠା ଅତୁଳନୀୟ ! ଇତି କୋହ ସମ୍ଭାଳି ନପାରି କାନ୍ଦିବାରେ ଲାଗିଥାଏ..........। ଲାଗୁଥାଏ ସତେ ଲୁହର ବନ୍ୟା ଚାଲିଛି...



Rate this content
Log in

Similar oriya story from Romance