Durga Panda

Fantasy Inspirational

4.0  

Durga Panda

Fantasy Inspirational

ଲକ ଡାଉନ ରେ ଜଗା

ଲକ ଡାଉନ ରେ ଜଗା

5 mins
214


ବାଇଶି ମାର୍ଚ୍ଚରୁ ସାରା ଭାରତ ଲକ ଡାଉନରେ । ମଣିଷ ମନରେ ଅଜଣା ଭୟ ଗ୍ରାସ କରୁଛି ପ୍ରତି ମୁହୂର୍ତ୍ତରେ । କରୋନାରୁ କେମିତି ନିଜକୁ ଆଉ ନିଜ ପରିବାରକୁ ସୁରକ୍ଷିତ ରଖିବେ ସେଇ ଚିନ୍ତାରେ ସାରା ସମାଜ । ଏ ମୁହୂର୍ତ୍ତରେ ସବୁବେଳେ ଖାଲି ଠାକୁରଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରୁଛନ୍ତି କି ଶୀଘ୍ର ଭାରତ କରୋନା ମୁକ୍ତ ହେଉ । ମଣିଷର ଗତିବିଧି ପୂର୍ଵ ପରି ସ୍ୱାଭାବିକ ହେଇଯାଉ । କିନ୍ତୁ ଏ ସବୁ କେବେ ହେବ ତାହା ତ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନବାଚୀ । ରୋହିତର ବି ସେଇ ଗୋଟିଏ ଚିନ୍ତା କରୋନା ଶୀଘ୍ର ଏ ଦେଶରୁ ବିଦାୟ ନେଉ । ଏସବୁ ଚିନ୍ତାରେ ତା ମୁଣ୍ଡ ଆଉ କାମ କରୁନି । ବହୁତ ଦିନ ଧରି ଘରେ ରହିବା ଫଳରେ ସେ ମାନସିକ ଭାରାକ୍ରାନ୍ତ ହୋଇଗଲାଣି । ଏ ବର୍ଷ ସେ ନବମରୁ ଦଶମ ଶ୍ରେଣୀକୁ ଯାଇଥାନ୍ତା । କିନ୍ତୁ କରୋନା ଯୋଗୁଁ ତା ପରୀକ୍ଷା ହେଲାନାହିଁ । ବିନା ଯୋଗ୍ୟତାରେ ଦଶମ ଶ୍ରେଣୀରେ ପହଞ୍ଚିଗଲା ସିନା, କିନ୍ତୁ ଚାରି ମାସ ହେଲାଣି ପାଠ ପଢାରେ କରୋନା ତାଲା ପକେଇ ଦେଇଛି । ସ୍କୁଲ କୋଚିଙ୍ଗ ସବୁ ବନ୍ଦ ପଡିଛି । ଏହି ସବୁ ଚିନ୍ତାରେ ଗଡୁ ଗଡୁ କେତେବେଳେ ନିଦ ହେଇ ଯାଇଛି ସେ ଜାଣିପାରି ନାହିଁ । 

ସକାଳୁ ଉଠି ଦେଖୁଛି ସକାଳର ସୁନେଲି କିରଣ ତା କୋଠରୀ ସାରା ଭର୍ତ୍ତି ହୋଇଯାଇଛି । ତା ନିଦ ଭାଙ୍ଗିଯିବା ପରେ ଗାଧୋଇ ସତେଜତାର ଅନୁଭବ ନେଇ ବଗିଚା ଆଡେ ଟିକେ ବୁଲି ବାହାରିଛି । ଦେଖୁଛି ବଗିଚାଟି ରକ୍ଷଣା ବେକ୍ଷଣ ଅଭାବରୁ ପୁରା ଜଙ୍ଗଲ ପରି ଦିଶୁଛି । ଯଦିଓ ସବୁ ଗଛରେ ଫୁଲ ଫଳ ଭର୍ତ୍ତି ହୋଇରହିଛି, କିନ୍ତୁ ଗଛମାନେ ଆଉ ହସୁନାହାଁନ୍ତି । ବଗିଚା ଠିକରେ ସଫାସଫି ନହେବା କାରଣରୁ ଗଛମାନେ ଯେପରି ତା ଉପରେ ରୁଷି ଯାଇଛନ୍ତି । ଏମିତି ବୁଲୁବୁଲୁ ଯାଇ ପହଞ୍ଚିଛି ବଗିଚାର ଗୋଟିଏ କୋଣରେ ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରରେ । ଆଗରୁ ପ୍ରତ୍ୟକ ଦିନ ପୂଜାରୀ ଆସି ମହାପ୍ରଭୁଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରି ଯାଉଥିଲା । କିନ୍ତୁ କରୋନା ହେବା ପରେ ତାହା ବନ୍ଦ ହୋଇଯାଇଛି । ସେ ନିଜେ ଆସି ମନ୍ତ୍ର ଜାଣି ନାହିଁ ବୋଲି ପ୍ରଭୁଙ୍କୁ ସେମିତି ପାଣି ଟିକେ ଛିଞ୍ଚି ଦେଇ ଧୂପ ଭୋଗ ଲଗେଇଦେଇ ଚାଲିଯାଉଛି । ମହାପ୍ରଭୁଙ୍କ ବିଭିନ୍ନ ସେବା ପୂଜା ପୁରା ବନ୍ଦ ହୋଇ ଯାଇଛି । 

ଚାଲୁ ଚାଲୁ ଯାଇ ପହଞ୍ଚିଲା ମନ୍ଦିର ସାମ୍ନାରେ । ଦୁଆର ଖୋଲିଲା ପରେ କାଳିଆର ମୁହଁ ଦେଖି ଚମକି ପଡିଲା । ଏ କଣ ଦେଖୁଛି ସେ ! କାଳିଆ ଆଖିରେ ଲୁହ! ଭଗବାନଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଚାଲିଛି । ହାତ ଯୋଡି ବସି ପଡିଲା ସେ । ଯୋଡ଼ ହସ୍ତରେ ପଚାରିଲା, କାଳିଆ ସାଆନ୍ତ କଣ ହୋଇଛି ତୁମର? ହେ ଭଗବାନ, ତୁମେ ଜଗତର ସ୍ୱାମୀ ହୋଇ କାନ୍ଦୁଛ କାହିଁକି ? ଲାଗିଲା ଯେପରି ମୂର୍ତ୍ତି କଥା କହୁଛି । 

ଜଗନ୍ନାଥ କହିଲେ, ଦେଖ ବାବୁ ଏ ସଂସାର ମୋର ହୋଇପାରେ । ହୋଇପାରେ ମୁଁ ଏ ସଂସାରର ରକ୍ଷାକର୍ତ୍ତା । କିନ୍ତୁ ଆଜି ମୁଁ ମୋ ଭକ୍ତଙ୍କ ଭାବନାରେ ବନ୍ଧା ହୋଇ ଯାଇଛି । ଗୀତାରେ ମୁଁ ସାରା ସଂସାରକୁ ଚଲେଇବା ପାଇଁ କେତେ ଜ୍ଞାନ ଦେଲି । ହେଲେ ଆଜିର ଏ ବସ୍ତୁବାଦୀ ସମାଜରେ ଲୋକ ମୋହ ମାୟା ଗ୍ରସ୍ତ ହୋଇ ଈଶ୍ୱରଙ୍କ ସତ୍ତାକୁ ଭୁଲି ଗଲେ । ଅନ୍ୟାୟ ଅନୀତିରେ ମୁଁ ସୃଷ୍ଟି କରିଥିବା ଏ ସୁନ୍ଦର ସଂସାରକୁ କଳୁଷିତ କରି ସାରିଲେଣି । ଦେଖ ଆଜି ସଂସାର କେମିତି ବିବଶ ହୋଇ ପଡିଛି । ସମସ୍ତଙ୍କ ପାଖରେ ପୁଳା ପୁଳା ଟଙ୍କା, କିନ୍ତୁ ସମସ୍ତେ ଘର ଭିତରେ ବନ୍ଦୀ । ନା କୁଆଡେ ଯାଇ ପାରୁଛନ୍ତି ନା ମଉଜ କରିପାରୁଛନ୍ତି । ନା ଖାଦ୍ୟରେ ସ୍ୱାଦ ଅଛି ନା ଜୀବନ ବଞ୍ଚିବାରେ ମଜା ଅଛି । ଗୋଟିଏ ଛୋଟିଆ ଅଦୃଶ୍ୟ ଶକ୍ତି ପାଖରେ ଦେଖ କେମିତି ସାରା ବିଶ୍ୱ ଆଜି ଆଣ୍ଠୁ ମାଡି ଠିଆ ହୋଇଛି । ଆଜି ମୋ ଭକ୍ତମାନେ ମୋତେ ସ୍ମରଣ କରୁଛନ୍ତି ଏ ବିପଦରୁ ଉଦ୍ଧାର ପାଇଁ, କିନ୍ତୁ ମୁଁ ବି ନାଚାର । କାହିଁକି ଜାଣିଛ? କାରଣ ଏ ସବୁର ସ୍ରଷ୍ଟା ମୁଁ ଓ ସୃଷ୍ଟି ବି ମୁଁ । 

ଆଜି ମୋର ଏ ଲୀଳା ସାରା ସମାଜକୁ ଚେତାଇ ଦେବା ପାଇଁ ଯେ କାମ, କ୍ରୋଧ, ଲୋଭ, ମୋହର ସମାହାର ଏ ସଂସାରରେ ସନ୍ତୁଳିତ ଖାଦ୍ୟ, ସୁରକ୍ଷିତ ପରିବେଶ ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ହିଁ ଦୀର୍ଘାୟୁର ଏକମାତ୍ର ମାଧ୍ୟମ । ସେଇଥିପାଇଁ ତ ଭଗବାନ ହେଲେ ମଧ୍ୟ ମୁଁ ବରଷକୁ ଥରେ ଅତ୍ୟଧିକ ସ୍ନାନ କଲେ ମୋତେ ଜର ହୁଏ ଏବଂ ମୁଁ ଚଉଦ ଦିନ ଅଣସର ଘରେ ବନ୍ଦୀ ହୋଇ ରହେ ଯାହା ଏବେ ସମଗ୍ର ବିଶ୍ୱ ଭୋଗ କରୁଛି । ତେଣୁ ସବୁ କର୍ମରେ ଅତ୍ୟଧିକଟା ସବୁବେଳେ ବର୍ଜନୀୟ । 

ହଁ ମୁଁ କାନ୍ଦୁଛି, କାରଣ ମୁଁ ଆଜି ଏକେଲା ଅନୁଭବ କରୁଛି । ଯୋଉ ମନ୍ଦିରରେ ବର୍ଷ ସାରା ମୋ ଭକ୍ତଙ୍କ ଗହଳି ଲାଗି ରହୁଥିଲା ସେଠାରେ ଏବେ ତାଲା ଝୁଲୁଛି । ମୋର ରଥ ଉପରେ ମଧ୍ୟ ମୋ ଭକ୍ତ ଆଖି ଖୋଲି ଦର୍ଶନ କରି ପାରିଲେ ନାହିଁ । ସାଂସାରିକ ଲୋକମାନେ ମଦ୍ୟ ଓ ମାଂସରେ ଏତେ ଭୋଳ ରହିଗଲେ ଯେ ସଂସାର ସାରା ମଦ ଦୋକାନ ଓ ଆମିଷ ବଜାର ଖୋଲା ରହିଲା ହେଲେ ମନ୍ଦିର ମାନଙ୍କରେ ତାଲା ଝୁଲୁଛି । ମଦ ଦୋକାନ ଆଗରେ ଓ ଆମିଷ ବଜାର ଆଗରେ ଯେଉଁପରି ଲୋକ ଭିଡ କରୁଛନ୍ତି ତାହା ସରକାରୀ ନିୟମକୁ କିପରି ପାଳନ କରୁଛି କାହିଁ ମୋତେ ଦେଖା ଯାଉନି । ମୋର ସରକାରୀ କଳ ଉପରେ କଣ ଯେ ଅଧିକାର ରହିଛି ନା ମୁଁ କଣ ପାଟି କଲେ କାହାକୁ ଶୁଣାଯିବ ଯେ ସେମାନେ ମୋ କଥା ବୁଝିବେ? ଭକ୍ତ ସିନା ଟିଭି ପରଦାରେ ମୋର ମୁହଁ ଦେଖି ଭାବ ଭକ୍ତିରେ କୃତ୍ୟ କୃତ୍ୟ ହୋଇଗଲେ । ଏହାର ସୁଯୋଗ ନେଇ କିଛି ଟିଭି ଵାଲା ସିନା ମାଲାମାଲ ହୋଇଗଲେ, ହେଲେ ମୁଁ ମୋ ଭକ୍ତଙ୍କୁ ଆଖି ସାମ୍ନାରେ ନ ଦେଖି ମୋ ମନ ପୁରିଲାନି । 

ଆଉ ଗୋଟେ କଥା ଏ ମହାମାରୀ ପରେ ସାରା ସଂସାର ହୃଦୟଙ୍ଗମ କରିବ ଯେ ଏ ସଂସାରରେ ମଣିଷ ସବୁଠାରୁ ବଳବାନ ନୁହେଁ । ଗୋଟେ ଅଦୃଶ୍ୟ ଜୀବ ଆଗରେ ଏ ମଣିଷର ଶକ୍ତି ନାହିଁ ଠିଆ ହେବା ପାଇଁ । ତେଣୁ ନିଜ ଠାରୁ କୌଣସି ଜୀବଙ୍କୁ ବି ଇତର ମନେ କରିବା ଉଚିତ ନୁହେଁ । ସଂସାରର ସୃଷ୍ଟିକର୍ତ୍ତା ସଂସାରକୁ ଏକ ସନ୍ତୁଳିତ ଉପାୟରେ ତିଆରି କରିଛନ୍ତି । ତେଣୁ ଏ ସୃଷ୍ଟିକୁ ଓ ତାର ଜଳବାୟୁ ଓ ପରିବେଶକୁ କ୍ଷତି ପହଞ୍ଚାଇବା ପାଇଁ ମଣିଷ କେବେ ଚେଷ୍ଟା ନ କରୁ । ସେହିପରି ଯେଉଁମାନେ ପଇସାକୁ ବଡ ବୋଲି ମନେ କରୁଛନ୍ତି ସେମାନେ ବୁଝିବା ଦରକାର ଯେ ପଇସାର ମୂଲ୍ୟ ଏ ସଂସାରରେ କିଛି ନୁହେଁ । ପକେଟରେ ବିଡା ବିଡା ଟଙ୍କା ଥାଇ ମଧ୍ୟ ମଣିଷ ଏପରି ଅସମୟରେ ବିନା ଚିକିତ୍ସାରେ ବିନା ଖାଇବାରେ ଘରେ ରହି ରହି ପାଗଳ ହେଇ ମୃତ୍ୟୁ ବରଣ କରିବ । ସେଥିପାଇଁ ଅନ୍ୟକୁ ସାହାଯ୍ୟ ସହଯୋଗ କରି ପ୍ରକୃତିର ସୁରକ୍ଷା ସହକାରେ ଏକ ସୁନେଲି ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିବା ଉଚିତ । 

ଠାକୁରଙ୍କ ହୃଦୟର କଥାକୁ ଶୁଣିଲା ପରେ ମନ ମୋ କୋହରେ ଭରିଗଲା । ମନେ ମନେ ଭାବିଲି ସତ କଥା ତ, ମଣିଷ ନିଜର ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରୁଛି । ସେଇ ପ୍ରକୃତିରୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇ ମଣିଷକୁ ମାରିବାକୁ ଗୋଡ଼ାଉଛନ୍ତି । କିଛି ଖଳ ପ୍ରକୃତିର ବ୍ୟକ୍ତିଙ୍କ ପାଇଁ ସାରା ସମାଜ ଦୁଃଖଦୁର୍ଦ୍ଦଶା ଭୋଗ କରୁଛି । କଣ ଦୋଷ ଗାଁରେ ବସବାସ କରୁଥିବା ନିରୀହ ଚାଷୀଟିର? ସେ କଣ କରୋନାକୁ ବିଦେଶରୁ ଆଣି ଆସିଥିଲା ଏ ଦେଶକୁ ? ବାହାରେ ବସବାସ କରୁଥିବା ଧନୀମାନେ ଉଡ଼ାଜାହାଜରେ ରୋଗ ଧରି ଆସିଲେ । ସାରା ଦେଶକୁ ଅସୁବିଧାରେ ପକାଇଲେ । କଣ ସରକାର ପ୍ରଥମରୁ ଏହି ମହାମାରୀର ଆରମ୍ଭରୁ ବିଦେଶ ଯାତ୍ରା ଉପରେ ରୋକ ଲଗାଇଥିଲେ ଦେଶ ଏହି ମହାମାରୀରୁ ବଞ୍ଚି ଯାଇ ନଥାନ୍ତା ? ବିଦେଶରେ ଯେଉଁମାନେ କାମ କରିବାକୁ ଯାଉଛନ୍ତି ସେମାନଙ୍କ ପାଖରେ ପଇସା ନଥିଲେ ସେମାନେ ବିଦେଶ ଗସ୍ତ କରିପାରନ୍ତେ କି ? ସେଇ ଧନୀ ମଣିଷ ମାନଙ୍କ ପାଇଁ ଆଜି ମୋ ପରି କେତେ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ । ଜୀବନର ଗୋଟିଏ ବର୍ଷ ନଷ୍ଟ ହେବାକୁ ବସିଲାଣି । କେତେ କେତେ ମାଆ ତାଙ୍କର ପୁଅ ଝିଅଙ୍କୁ ହରାଇଲେଣି । ସରକାର ସେମାନଙ୍କୁ କରୋନା ଯୋଦ୍ଧା କହିଲେ ବି କଣ ସେମାନେ ଫେରି ଆସିବେ ତାଙ୍କ ମାଆଙ୍କ କୋଳକୁ ? କେତେ ଗରିବ ବ୍ୟବସାୟୀ ଆଜି ତଳିତଳାନ୍ତ ହେଲେଣି । ଯୋଉମାନେ ଛୋଟ ଛୋଟ ଦୋକାନ କରି ବଞ୍ଚୁଥିଲେ ସେମାନେ ଆଉ ବଞ୍ଚିବାର ରାହା ପାଉନାହାଁନ୍ତି । 

ଏ ସବୁ ଭାବିବା ଭିତରେ ହଠାତ ମୋର ନିଦ ଭାଙ୍ଗିଗଲା । ଦେଖିଲା ବେଳକୁ ସୂର୍ଯ୍ୟଙ୍କ ପହିଲି କିରଣ ମୋ ରୁମରେ ପଡୁଥିଲା । ଆଉ ଲାଗୁଥିଲା ସତେ ଯେମିତି ଜଗା ତା ଚାରି କୋଟି ଓଡ଼ିଆଙ୍କ ହୃଦୟର ଦୁଃଖ ବୁଝି ମନ ଦୁଃଖରେ ତା ବଡ଼ଦେଉଳରେ ବନ୍ଦୀ ହୋଇ କାନ୍ଦୁଛି ଆଉ କହୁଛି ବେଳହଁଗ ସାବଧାନରେ ସମାଜ ନହେଲେ ଆଗକୁ ଆହୁରି କେତେ ଯେ ବିପଦ ଅଛି ଭାବି ପାରିବ ନାହିଁ । କାରଣ ଯୋଉ ରୋଗ ଆଜି ଜଗତର ନାଥ ଜଗନ୍ନାଥଙ୍କୁ ବନ୍ଦୀ କରି ଛଅ ମାସ ଦେଉଳ ଭିତରେ ରଖିଛି ତା ଆଗରେ ଏ ଛାର ମଣିଷ କଣ ଯେ ?



Rate this content
Log in

Similar oriya story from Fantasy