ଗୋଟେ ସୀମାହିନ ସଂପର୍କ
ଗୋଟେ ସୀମାହିନ ସଂପର୍କ
ସେଦିନର ସେ ଛୋଟ ବେଳର ପ୍ରଥମ ପ୍ରେମ କାହାଣୀ ମନେ ପଡିଲେ ମନ ଭାରି ରୋମାଣ୍ଟିକ ହେଇଯାଏ | ହଁ , ତା ସହ ମୋର ପ୍ରଥମ ଦେଖା ହୋଇଥିଲା ସେ ଯେବେ ନୂଆ କରି ଆମ ଶ୍ରେଣୀକୁ ଆସିଥିଲା | ଲଙ୍କାଗଡ ପରି ନିପଟ ମଫସଲ ସ୍କୁଲରେ ତା ପରି ଜଣେ ଝିଅ ପାଠ ପଢିବାକୁ ଆସିବ, ଏ ସବୁ ଆମ ପରି ରାଇଜର ସ୍ବପ୍ନ ପରି ଲାଗୁଥିଲା | ପ୍ରଥମ ଦେଖାରେ କାହିଁ ସେ ନିଜର ନିଜର ଲାଗିଲା | ହଁ , ମୁଁ ଥିଲି ମୋ ଶ୍ରେଣୀର ସର୍ଦ୍ଦାର | ମୋର ଚରିତ୍ରଟି ଦୁଷ୍ଟ ପିଲାଙ୍କ ପରି ନଥିଲେ ବି ମୁଁ ଆଦୌ ସୁଧାର ବି ନଥିଲି | ବୟସର ଚପଳାମୀରେ ଯାହା ସବୁ ଉତ୍ପାତ କରିବା କଥା ସେ ସବୁ ମୁଁ କରୁଥିଲି | ହେଲେ ବି ଶ୍ରେଣୀରେ ସାରଙ୍କ କଥା ମାନି ଭଲ ପଢୁଥିବାରୁ ମୋତେ ସମସ୍ତେ ଭଲ ପାଉଥିଲେ | ସେହି କ୍ରମରେ ସାର ମୋତେ ତା ସହ ପରିଚୟ କରାଇଦେଲେ | ସେ ସେଠିକା ତହସିଲଦାରଙ୍କ ଝିଅ ଥିଲା ଯିଏ ଏବେ ଏବଂ ବଦଳି ହେଇ ଆସିଥିଲେ ମୋ ନିକଟ ଗାଁକୁ |
ସମୟ ଗଡ଼ିବା ସହ ଆମ ଭିତରେ ସମ୍ପର୍କର ମଧୁର ସୁତା ଖିଅ ଟିଏ ଗଢି ଉଠିଥିଲା | ମୁଁ ଜାଣିଥିଲି କେବେ ନା କେବେ ଏ ଡୋର ଛିଂଡି଼ବ | ହେଲେ ବି ଯେତିକି ସମୟ ଅଛି ତାକୁ ମୁଁ ଧରି ରଖି ସାରା ଜୀବନ ପାଇଁ ସ୍ମୃତିମୟ କରି ଗଢିବାକୁ ଚାଁହୁଥିଲି | ତାର ମୋର ମିଶି ଅଳକା ନଈ କୂଳକୁ ବୁଲିବାକୁ ଯାଉଥିଲୁ | ସୁରୁଜ ବୁଡ଼ିଲାବେଳକୁ ଉପରବେଳାର ରକ୍ତିମ କିରଣରେ ଆମେ ଢେର ଗପୁଥିଲୁ ଦୁଇଜଣ ମନ ଖୋଲି | ମୋ ଗାଉଁଲିଆ କଥା ଶୁଣି ଯେତେବେଳେ ସେ ଖିଲି ଖିଲି ହୋଇ ହସି ଉଠୁଥିଲା ମୁଁ ସେତେବେଳେ ଏକମନ ହୋଇ ତା ହସ ହସ ମୁହଁକୁ ଚାହିଁ ରହୁଥିଲି | ମୁଁ ତାକୁ ନଈପଠାରୁ କଣ୍ଟେଇ କୋଳି, ଭଇଁଚ କୋଳି, ଖିରି କୋଳି ତୋଳି ଖାଇବାକୁ ଦଉଥିଲି ଆଉ ତାର ପ୍ରତିବଦଳରେ ସେ ମୋତେ ଚାହିଁ ଟିକେ ହସି ଦେଉଥିଲା | ଆଉ ସେଇ ହସରେ କୋଳି ତୋଳିଲା ବେଳେ କଣ୍ଟା ଫୁଟି ହାତରେ ହଉଥିବ କଷ୍ଟ ବି ମିଳେଇ ଯାଉଥିଲା |
ସ୍କୁଲର ଗଣେଶ ପୂଜା ଆଉ ସରସ୍ବତୀ ପୂଜା ଦିନ ତାର ସହରୀ ଫୁଲପକା ଡ୍ରେସ ପିନ୍ଧି ଓଢଣୀ ଉଡେଇ ଉଡେଇ ଯେବେ ସେ ସ୍କୁଲକୁ ଆସୁଥିଲା ଇଚ୍ଛା ହୁଏ ତାକୁ ସବୁବେଳେ ଏମିତି ପାଖରେ ବସେଇ ଦେଖୁଥାନ୍ତି କି | ସାଙ୍ଗ ମାନଙ୍କ କଥାରେ ପଡି ମୋ ପ୍ରେମର ପରିପ୍ରକାଶ ପାଇଁ ଗୋଟେ ପ୍ରେମ ଚିଠି ଲେଖିଲି ଥରେ ତା ପାଖକୁ | ହଜାରେ ଥର ଚିରିଲା ପରେ ମାତ୍ର ଚାରିଧାଡି ଲେଖି ପାରିଲି :
ଯୋଉଦିନ ତତେ ପ୍ରଥମ ଥର ମୁଁ କ୍ଲାସ ରୁମରେ ଦେଖିଲି ଲାଗିଲା ଯେମିତି ଆମ ସମ୍ପର୍କ ଭଗବାନଙ୍କ ଦ୍ୱାରା ତିଆରି ହୋଇଛି | ସେହି ସମ୍ପର୍କର ଡୋର ଯୋଡିବା ପାଇଁ ସେ ତତେ ଏଠିକି ପଠାଇଛନ୍ତି | ଆମର ସମ୍ପର୍କର ପରିସୀମା କୋଉ ଏକ ଶବ୍ଦ ବର୍ଣ୍ଣନା କରିବାକୁ ସମର୍ଥ ନୁହେଁ | ଏ ଦୁନିଆ ଆମ ସମ୍ପର୍କ ବିଷୟରେ ଯାହା ଭାବୁ ନା କାହିଁକି ଆମେ ଆଜି ଯେମିତି ଅଛେ ଯେମିତି ମିସୁଛେ ଜୀବନ ସାରା ସେମିତି ହେଇ ରହିଥିବା |
ଚିଠିଟିଏ ତ ଲେଖା ହୋଇଗଲା ହେଲେ ତତେ ଦେବାକୁ ମୁଁ ସାହସ କରି ପାରିଲିନି | ଦେବୀ ଦେବିନି ଭାବୁ ଭାବୁ ତୋ ଆଗରେ ସେ ଚି଼ଠିକୁ ଚାରି ଫାଳ କରି ତୁ ଆସିବା ରାସ୍ତାରେ ପକେଇଦେଲି | ପରେ ଜାଣିଲି ତୁ ସେ ଚିଠିକୁ ଯୋଡି ପଡ଼ିଛୁ ଆଉ ସବୁ ପଢି ସାରି ବି ତୁ ମୋ ଉପରେ ରାଗିନୁ | କିନ୍ତୁ ଆମ ସମ୍ପର୍କର ନାଁ କଣ ସେ ବିଷୟରେ କେବେ ନା ମୁଁ ତତେ ପଚାରିଥିଲି ନା ତୁ ମତେ କହିଛୁ | ସେଦିନ କୁଅଁର ପୁନେଇ ଚାନ୍ଦିନୀ ରାତିରେ ତୁ ନୂଆ ଡ୍ରେସ ପିନ୍ଧି ଗାଁ ଚଉରା ମୂଳରେ ସନ୍ଧ୍ୟାରେ ପୂଜା କରିବାକୁ ଯାଇଥିଲା ବେଳେ କେବଳ ମୋତେ ଏତିକି କହିଥିଲୁ ଯେ ଯେତେ ଯାହା ହେଇଯାଉ ତୁ ମୋ ସାଙ୍ଗ କେବେ ଛାଡ଼ିବୁନି | ଆଉ ଏହାର ଦୁଇଦିନ ପରେ ତୁ ମୋ ଗାଁ ଆଉ ମୋତେ ଛାଡି ବିଦେଶିନୀ ପକ୍ଷୀ ଭଳି ଉଡି ଚାଲିଗଲୁ | କିନ୍ତୁ ତୁ ତୋ କଥା ରଖିଛୁ ଆଜିଯାଏ ମୁଁ ତତେ ଯେବେ ବି ମନେ ପକାଏ ତୁ ମୋ ପାଖରେ ଆସି ହାଜର ହେଇ ଯାଉ | ଆମର ସେହି ପରିସୀମା ହୀନ ସମ୍ପର୍କର ମଜବୁତୀକୁ ଦେଖ, ତୁ ଆଜି ମୋ ଜିଲ୍ଲାର କଲେକଟର ଆଉ ମୁଁ ଏଠିକା ସର୍ବୋଚ୍ଚ ପୋଲିସ ଅଧିକାରୀ |

