Durga Prasad Panda

Tragedy

4  

Durga Prasad Panda

Tragedy

ଝିଅଟିଏ ବୋଲି

ଝିଅଟିଏ ବୋଲି

5 mins
404


ମୋ ପ୍ରିୟ ଡାଏରୀ,


ଝିଅ ଟିଏ ମୁଁ | ଏ ସମାଜ ରେ ମୁଁ ବି ଗୋଟେ ଗୁରୁତ୍ୱପୂର୍ଣ ଅଙ୍ଗ | କୁହାଯାଏ ଭଗବାନ ଯେବେ ପ୍ରଥମେ ପୁରୁଷ ସୃଷ୍ଟି କରିଥିଲେ ତାଙ୍କୁ ତାହା ଅପୂରଣୀୟ ଲାଗିଲା | ସେହି ଅପୂରଣୀୟ ସ୍ଥାନ ପୁରଣ କରିବାକୁ ସେ ନାରୀ ସୃଷ୍ଟି କରିଥିଲେ | ନାରୀ ର ସୃଷ୍ଟି ସଂସାରକୁ ପୂର୍ଣ୍ଣତା ଦେବା ସହ ସଂସାରକୁ ସୁନ୍ଦର କରିଥିଲା | ଘରେ ଝିଅଟିଏ ନଥିଲେ ଘର ସୁନ୍ଦର ଲାଗିନଥାଏ, ସେ ସ୍ତ୍ରୀ ରୂପେ ହେଉ କି ମା, ଭଉଣୀ ଅବା ଝିଅ ରୂପେ ହେଉ | ଝିଅ ଙ୍କ ବିନା ଖାଲି ପୁରୁଷ ଭରପୁର ପୃଥିବୀ ତା କେମିତି ହୋଇଥାନ୍ତା ତାହା କଳ୍ପନା କଲେ ହରର ସିନେମାର ଭୁତ ବଙ୍ଗଳା ଭଳି ପ୍ରତୀୟମାନ ହୁଏ | ସେଇ ଝିଅ ଟି ର କାହାଣୀ କିନ୍ତୁ ପୁରା ଅଲଗା |


ମୁଁ ଯେତେ ବେଳେ ମା ଗର୍ଭରେ ଥିଲି ଭାରି ଖୁସି ରେ ବୁଲୁଥିଲି | ଦୁଇମାସ ପରେ ମୋ ମା କୁ ଡାକ୍ତର ପାଖକୁ ନେଇ ପରୀକ୍ଷା କରେଇଲେ | ସେମାନେ ଜାଣିଗଲେ ମୁଁ ଝିଅ ଟିଏ ବୋଲି | ମୋ ବାପା ଆଉ ଜେଜେ, ଜେଜେ ମା ଙ୍କ ଚେହେରା ଓ ମନ ଦୁଃଖରେ ମଉଳି ଗଲା | ସେମାନେ ମୋ ମା ଉପରେ ଚାପ ପକାଇଲେ ମୋତେ ଗର୍ଭରୁ ନଷ୍ଟ କରି ଦେବା ପାଇଁ | ମୁଁ ପ୍ରଥମେ ଡରିଗଲି | ଆଶ୍ଚର୍ଯ୍ୟ ବି ହେଲି ଏହା ଜାଣି ଯେ କେମିତି ସେମାନେ ଏକ ଜୀବନକୁ ଏ ସଂସାରକୁ ଆସି ଆଖି ଖୋଲି ଏ ସଂସାରକୁ ଦେଖିବ ଆଗରୁ ମାରିଦେବାକୁ ଚାଁହୁଛନ୍ତି ? ବୁଝୁଥିଲି ଯେ ବାପା ଆଉ ଜେଜେ ପୁଅ ହୋଇ ଥିବାରୁ ହୁଏତ ତାଙ୍କୁ ଝିଅ ପସନ୍ଦ ନୁହେଁ , ହେଲେ ମୋ ଜେଜେ ମା ? ସେ ତ ପୁଣି ଝିଅ ଟିଏ | କେମିତି ସେ ଆଉ ଗୋଟେ ଝିଅ କୁ ମାରିଦେବାକୁ କହୁଛନ୍ତି ? ସେ ଯାହାବି ହେଉ ମା ରାଜି ହେଲା ନାହିଁ ମୋତେ ତା ଗର୍ଭ ରେ ମାରିଦେବାପାଇଁ | ସେଥିପାଇଁ ତାକୁ ଅନେକ କଷ୍ଟ ସହିବାକୁ ପଡିଲା | ଅନେକ ଗାଳି ଶୁଣିବାକୁ ପଡିଲା | କିଛି ଲୋକ ତା ଗର୍ଭ ର ଠିକ ଭୁଲ ଉପରେ ମଧ୍ୟ ଟିପ୍ପଣୀ ଦେବାକୁ ପଛାଇଲେ ନାହିଁ | ଏସବୁ ଶୁଣି ସହ୍ୟ କରି ରହିବା ଏତେ ସହଜ କାମ ନଥିଲା |


ଦଶମାଶ ପରେ ମୁଁ ଜନ୍ମ ହେଲି | ମୋ ପରି କଣ୍ଢେଇ ଟିକ୍ୱ ପାଇଁ ମା ମୋର ବହୁତ ଖୁସି ହୋଇଗଲା | ଅନ୍ୟ ମାନେ ମନ ଦୁଃଖ କଲେ | ମୋ ପରେ ଯେତେବେଳେ ମୋ ଭାଇ ଟିଏ ଜନ୍ମ ହେଲା ସମସ୍ତେ ମିଶି ତାର ଏକୋଇଶିଆ ପୂଜା ବଡ ଧୁମ ଧାମ ରେ ଆୟୋଜନ କଲେ | ହେଲେ ମୋ ଜନ୍ମ ବେଳେ ପୂଜା ଟିକେ ବି କଲେ ନାହିଁ | କେବଳ ମା ର ସ୍ନେହ ମମତାରେ ମୁଁ ବଢି ଚାଲିଲି | ହେଲେ ଭାଇ ଯେବେ ଜନ୍ମ ହେଲା ମା ର ମମତା ମଧ୍ୟ ଦୁଇ ଭାଗ ହୋଇଗଲା | ମୁଁ ଖୁସି ହେଲି ଭାଇ ସହ ଖେଳିବି ବୋଲି | ସେଇ ଖୁସିରେ ମୋ ଦୁଃଖ ମିଳେଇ ଗଲା | ଭାଇ ଜନ୍ମ ପରଠାରୁ ସବୁବେଳେ ମୋ ଠାରୁ ମୋ ଭାଇ ର ଅଧିକ ଧ୍ୟାନ ଘର ଲୋକ ରଖୁଥିଲେ | ତାର ଯେବେ ଯାହା ଦରକାର ତାକୁ ମିଳି ଯାଉଥିଲା ହେଲେ ମୋ ଆବଶ୍ୟକତା କଥା କେହି ଭାବୁ ନଥିଲେ | ମୁଁ ସରକାରୀ ସ୍କୁଲ ରେ ପଢିଲା ବେଳେ ଭାଇ ମୋର କନଭେନ୍ଟ ସ୍କୁଲ ଯାଉଥିଲା | ମୁଁ ବିନା କିଛି ସାହାଯ୍ୟ ରେ ଯେବେ ଟିକେ କାମ ନମ୍ବର ରଖୁଥିଲି ସେବେ ଶୁଣିବାକୁ ମିଳୁଥିଲା ଜେ ଝିଅ ପିଲା ଯଦି ନ ପଢୁଛି ତେବେ ଘର କାମ ଶିଖାଅ ଆଗକୁ କାମରେ ଆସିବ | ହେଲେ ଭାଇ କାମ ନମ୍ବର ରଖିଲେ ତାକୁ ଆହୁରି ଟ୍ୟୁସନ ଦିଅ ଯାଉଥିଲା | ଘରେ ଭାଇ ଯେବେ ମୋତେ ବାଡ଼ାଉଥିଲା ସେତେବେଳେ ମୋତେ ତା ଠାରୁ କେହି ଛାଡ଼ୁନଥିଲେ ହେଲେ ମୁଁ ଯଦି ଭାଇ କୁ କେବେ ବଡ ହିସାବ ରେ ଚଟକଣୀ ଟେ ମାରୁଥିଲି ତେବେ ସମସ୍ତେ ମିଶି ମୋତେ ମାଡ ର ବର୍ଷା କରିଦେଉଥିଲେ |


ବିନା କିଛି ସାହାଯ୍ୟ ସହଯୋଗରେ ଦଶମ ପାସ କଲି ଫାଷ୍ଟ ଡ଼ିବିଜନ ରେ ଭଲ ନମ୍ବର ରଖି | ହେଲେ ବାପା ଆଉ ଆଗକୁ ପଢ଼ିବା ରାଜି ନଥିଲେ | ମୁଁ ପାସ କଲା ଦିନ ଘରେ କିଛି ଖୁସି ଜଣା ପଡିଲା ନାହିଁ | ହେଲେ ଭାଇ ଯୋଉଦିନ ଦଶମ ଶ୍ରେଣୀ ପାସ କଲା ସେକେଣ୍ଡ ଡିଭଜନ ରଖି ସେଦିନ ଘରେ ଖୁସିରେ ମିଠା ବାଣ୍ଟିଲେ ଆଉ ଆଲୋଚନ କଲେ ଭାଇର ଉଚ୍ଚ ଶିକ୍ଷା ପାଇଁ | ଭାଇ ହଷ୍ଟେଲ ରେ ରହି ପଢିଲେ ଦେହ ଖରାପ ହେବ ବୋଲି ମୁଁ ରୋଷେଇ କରିବି ଆଉ ଭାଇ ପାଠ ପଢିବ ଏଇ ପ୍ରତିଶୃତି ରେ ଆମେ ଦୁହେଁ ସହର ଆସିଲୁ | ଭାଇ କଲେଜ ଗଲା ପରେ ମୁଁ ପତ୍ରଵିନିମୟ ପାଠ୍ୟକ୍ରମରେ ଗ୍ରାଜୁଏଟ ପାସ କଲି ଭଲ ନମ୍ବର ରଖି | ଏହା ଭିତରେ ମୁଁ ଆକାଉଣ୍ଟ ପରିଚାଳନା କାମ ବି ଶିଖି ସରିଥାଏ ଅନ୍ୟ ମାନଙ୍କ ସହଯୋଗରେ | ଯେତେବେଳେ ଭାଇ ର ପଢା ସରିଗଲା ସେ ଗାଓଁ କୁ ଗଲା ଚାକିରୀ ନ ପାଇ କାରଣ ସେ ପାଠରେ ବହୁତ ଦୁର୍ବଳ ଥିଲା | ହେଲେ ମୋର ଭଲ ନମ୍ବର ଦେଖି ମୋତେ ଚାକିରୀ ମିଳିଗଲା ଗୋଟେ କମ୍ପାନୀରେ | ବାପା ରାଜି ନଥିଲେ ମୁଁ ଚାକିରୀ କରେ ବୋଲି | ହେଲେ ଘରର ପରିସ୍ଥିତି କୁ ଦେଖି ମୁଁ ଚାକିରୀ କଲି | ମୋ ପଇସାରେ ଘର ଚାଲିଲା | ମୋ ପାଖକୁ ବାପା ଏଣିକି ଆସନ୍ତି ମାସକୁ ଥରେ ଭଲମନ୍ଦ ବୁଝିବା ପାଇଁ | କିନ୍ତୁ ଅସଲ ଉଦ୍ଦେଶ୍ୟ ଥାଏ ମୋ ଦରମାରେ |


ଚାକିରୀ ରେ କାମ କରୁଥିବା ସମୟରେ ମୁଁ ମୋ ଚାରିପଟେ ଅନେକ ପୁରୁଷ ଙ୍କ ଲୋଲୁପ ଆଖି ଘୁରି ବୁଲୁଥିବାର ସବୁବେଳେ ଅନୁଭବ କରି ପାରୁଥିଲି | ସେମାନଙ୍କ ଭିତରୁ କିଛ ଉଚ୍ଚ ପଦସ୍ତ କର୍ମଚାରୀ ଯେଉଁ ମାନଙ୍କ କଲମ ମୁନରେ ମୋ ଚାକିରୀ ର ଭାଗ୍ୟ ନିର୍ଭର କରୁଛି ସେମାନେ ମୋତେ ସମୟେ ସମୟେ ମୋ ଇଛା ବିରୁଦ୍ଧ ରେ ମଧ୍ୟ ମୋତେ ଉପଭୋଗ କରିବାକୁ ପଛେଇଲେ ନାହିଁ | ମୋ ଚାକିରୀ ହରେଇବାର ଭୟ, ସମାଜର ରାଜନୀତି ସହ ଏକା ନ ଲଢ଼ି ପରିବାର ଭୟ ସର୍ବୋପରି ଲୋକନିନ୍ଦା ର ଭୟରେ ଏ ସବୁ ସହି ଚୁପ ରହିବାକୁ ବାଧ୍ୟ ହେଲି | ସେଇ ଦିନ ଜାଣି ଗଲି ଯେ ଏ ସମାଜରେ ହାତ ଗଣତି କିଛି ପୁରୁଷ ଙ୍କୁ ଛାଡିଦେଲେ ଅନ୍ୟ ପୁରୁଷ ଙ୍କ ଆଗରେ ନାରୀଟି ସାମାନ୍ୟ ଏକ ଉପଭୋଗ୍ୟ ର ବସ୍ତୁ |


ଭାଇ ଭଲପାଇ ଗୋଟେ ଝିଅ କୁ ନେଇ ଅଲଗା ବାହା ହୋଇ ରହିଲା | ବାପା ମା ଙ୍କୁ ପଚାରିଲା ନାହିଁ | କିନ୍ତୁ ମୁଁ ଯେତେବେଳେ ମୋ ମନ ପସନ୍ଦର ପୁଅ କୁ ବାହା ହେବ ପାଇଁ ଘରେ ଜଣେଇଲି ଘର ଲୋକ ଅରାଜି ହେଲେ ସମାଜ ର ତାଙ୍କର ମାନ ଇଜ୍ଜତ ଓ ପ୍ରତିପତ୍ତି ର ଭୟରେ | ଘର ଲୋକଙ୍କ ବିଚାରରେ ମୁଁ ମୋ ଭଲପାଇବାକୁ ବଳିଦେଇ ବାହାହେଲି ଆଉ ଜଣ ଙ୍କୁ | ମୁଁ ଯେଉଁ ଘରକୁ ବାହା ହୋଇ ଗଲି ସେଠାରେ ପ୍ରଥମ ଦିନ ଚଉଠି ରାତିରେ ମୋତେ ମୋ ମଦ୍ୟପ ସ୍ୱାମୀ ଆଗରେ ସତୀତ୍ଵ ର ପରୀକ୍ଷା ଦେବାକୁ ପଡିଲା | ସେଇ ଦିନ ଠାରୁ ପ୍ରତି ରାତିରେ ମୋ ଇଛା ବିରୁଦ୍ଧରେ ମୁଁ ସେ ବନ୍ଦ କୋଠରୀ ଭିତରେ ନିର୍ଯ୍ୟାତନା ର ଶିକାର ହୋଇଗଲି | ଝିଅ ଥିଲା ବେଳେ ବାପା ମା ଙ୍କ ମନ ରଖୁଥିଲି, ବଡ ହେଲି ଭାଇ ର ମନ କଥା ବୁଝି ଚାଲିଲି, ବାହା ହେଲା ପରେ ସ୍ୱାମୀ ଶ୍ୱଶୁର ଶାଶୁ ଙ୍କ ମନ ନେଇ ଚଳିଲି, ଗୋଟିଏ ପୁଅ ର ମା ହେଲା ପରେ ପୁଅ ମନ ନେଇ ଚଳିଲି | ଏସବୁ ଭିତରେ ନିଜେ ନିଜର ଅସ୍ତିତ୍ବ କୁ କୋଉଠି ଛାଡିଦେଲି ବୁଝି ପାରିଲିନି |ଝିଅ ଟିଏ ହୋଇ ଚାକିରୀ କରିବା ସହ ଘର ର ସବୁ କାମ କରି ସମସ୍ତଙ୍କ ମନ ନେଇ ଚାଲିଲା ବେଳେ କୋଉଠି ଯଦି କେବେ ଟିକେ ଭୁଲ ହୋଇଗଲା ତେବେ ଗାଳି କରିବାକୁ, କଡା କଥା କହିବାକୁ ଓ ସ୍ଥଳ ବିଶେଷରେ ସମୟ ପଡିଲେ ମାଡ ମାରିବାକୁ ବି କେହି ପଛନ୍ତି ନାହିଁ |


ଆଜି ତୋ ପୃଷ୍ଠାରେ ମୁଁ ମୋ ମନ ର କଥା ଲିପିବଦ୍ଧ କଲାବେଳେ ଭାବୁଛି ନାରୀ ବିନା ଯଦି ଏ ସଂସାର ଅସମ୍ଭବ ତେବେ ନାରୀ ଙ୍କ ଉପରେ ଅତ୍ୟାଚାର କଣ ପାଇଁ ? ଗୋଟେ ନାରୀ ହୋଇ ନାରୀ ଟିଏ ର ମନ ର କଥା ବୁଝି ବାକୁ ସେ ମା ହୁଅନ୍ତୁ ବା ଶାଶୁ ହୁଅନ୍ତୁ ବା ଜେଜେ ମା ସେମାନେ ସବୁ ଅସମର୍ଥ କଣ ପାଇଁ ? ନାରୀ ହୋଇ ଆଉ ଏକ ନାରୀ କୁ ଅସମ୍ମାନ କରିବା ବେଳେ ତାଙ୍କ ହୃଦୟ ଧିକ୍କାର କରୁନି କଣ ପାଇଁ ? ନାରୀଟିଏ ପିଲାବେଳୁ ଅବହେଳିତ କାରଣ ଝିଅ ଟିଏ ପରା ଘରକୁ ବାହାହୋଇ ଦିନେ ଚାଲିଯିବ | ଝିଅ ଜନ୍ମ କରିବାକୁ ଗରିବ ବାପା ମା ମାନେ ପଛଘୁଞ୍ଚା ଦେଉଛନ୍ତି କାରଣ ସମାଜରେ ଯୌତୁକ ରାକ୍ଷସ ର ଭୟ | ଝିଅ ଟିଏ ସମାଜରେ ଚାଲିବାକୁ ଭୟ କରୁଛି କାରଣ ରାଜରାସ୍ତାରେ ଦିନ ଦ୍ଵିପ୍ରହରେ ବଳାତ୍କାର | ନାରୀଟିଏ ସ୍କୁଲ କଲେଜ ଠାରୁ କର୍ମକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଭୟଭୀତ କାରଣ କିଛି ପୁରୁଷ ଙ୍କ ଲୋଲୁପ ଆଖି ରେ ସେ ନିଜକୁ ଅସହଜ ମନେ କରେ | ନାରୀ ଏ ସମାଜରେ ପୁରୁଷ ଙ୍କ ଆଖିରେ କେବଳ ଉପଭୋଗ୍ୟ ର ବସ୍ତୁ ପାଲଟି ରହି ଯାଉଛି | ଏ ଦୃଷ୍ଟିକୋଣ, ଚିନ୍ତାଧାରା ଓ ମାନସିକତାର ପରିବର୍ତ୍ତନ ନହେଲେ ସମାଜ ଅବକ୍ଷୟ ମୁଖି ହେଇଯିବ |


Rate this content
Log in

Similar oriya story from Tragedy