Durga Prasad Panda

Romance

3  

Durga Prasad Panda

Romance

ନିସର୍ତ୍ତ ଭଲପାଇବା

ନିସର୍ତ୍ତ ଭଲପାଇବା

5 mins
216


ଆଜିବି ଏ ଅନ୍ଧାର କୋଠରୀ ଭିତରେ ମନେ ପଡେ ତୋରି କଥା | ରାତିରେ ସାରା ସହର ଶୋଇଗଲା ପରେ ମୋର କ୍ଲାନ୍ତ ଶରୀର କୁ ମୁଁ ଯେବେ ଖଟର ନରମ ଗଦିରେ ଲୋଟେଇଦିଏ ଆଖି ମୁଦିବା ମାତ୍ରେ ତୋ ଚେହେରା ଓ ତୋ ସହ ବିତେଇଥିବା ସେଇ କ୍ଷଣ ଗୁଡିକ ବହୁତ ମନେ ପଡେ | ଲୋକ କୁହନ୍ତି ସେମାନେ ବିତିଯାଇଥିବା ସମୟକୁ ଭୁଲି ଆଗକୁ ବଢି ଚାଲନ୍ତି | ସତରେ କ'ଣ ବିତିଯାଇଥିବା ସ୍ମୃତି କୁ ଭୁଲିବା ଏତେ ସହଜ ? ହଁ ହେଇଥିବ କାଳେ | ହେଲେ ମୁଁ ଦୃଢ କଣ୍ଠରେ କହି ପାରିବି ଜୀବନର ପ୍ରଥମ ପ୍ରେମ କୁ ଭୁଲିବା ସମ୍ଭବ ନୁହେଁ | ଜୀବନରେ ଯେତେ ଆଗକୁ ବଢିଲେ ବି କୋଉଠି ନା କୋଉଠି ମଣିଷର ଦୁର୍ବଳ ମୁହୁର୍ତ୍ତରେ ସେଇ ସ୍ମୃତି ମାନସ ପଟଳ କୁ ଚାଲିଆସେ | ଯେମିତି ତୁ ଚାଲିଆସୁ ମୋ ସ୍ୱପ୍ନରେ ପ୍ରତିଦିନ ରାତିରେ | ଜାଣେନା ମୁଁ ଆଜି ତୁ କୋଉଠି ଅଛୁ ଆଉ କେମିତି ଅଛୁ ? ହେଲେବି ତୋ ଚେହେରା, ତୋ ହସକୁରି ମୁଂହ ଯାହା କୁ ମୁଁ ଦୀର୍ଘ 10 ବର୍ଷ ତଳେ ଛାଡି ଚାଲି ଆସିଥିଲି ବା ହଜେଇ ଦେଇଥିଲି ସେଇ ଚେହେରା ଆଜିବି ମୋ ଆଖି ଆଗରେ ଭାସି ଆସେ | ଆଜିବି ତୁ ସେଇ ଛୋଟ ଛୁଆ ହୋଇ ମୋ ସ୍ମୃତି ରେ ଘର କରି ରହିଯାଇଛୁ ଯାହା ସହ ମୁଁ ଘଣ୍ଟା ଘଣ୍ଟା ବିତାଉଥିଲି | ହଁ ସତ କଥା ତୋରି ସହ କିଛି ଦିନ ବିତାଇବା ପାଇଁ ତ ମୁଁ ବୁଲିବାର ବାହାନା କରି ଛୁଟି ଆସେ ସୁଦୂର କୋରାପୁଟର ଏହି ବନ ଜଙ୍ଗଲ ଘେରା ପରିବେଶକୁ ଆଉ ପଛରେ ଛାଡି ଦେଇ ଆସେ ମୋର ପ୍ରାଚୁର୍ଯ୍ୟର ସହରୀ ସଭ୍ୟତାକୁ | ଯଦିଓ ପିଲାଦିନୁ ମୁଁ କଟକ ର ସହରୀ ପରିବେଶ ଆଉ ସୁଖସୁବିଧାରେ ବଢି ଆସିଛି ହେଲେ ତୋରି ଭଲପାଇବା ମୋତେ ଟାଣି ଆଣେ ଏହି ସୁନ୍ଦର ପରିବେଶକୁ | ଆଉ ମୁଁ ନିଜକୁ ହଜେଇଦିଏ ବନ ଜଙ୍ଗଲ ଝରଣା ଘେରା ସେଇ ଛୋଟ ଗାଁ ଡୁଙ୍ଗୁରପାଲିରେ |


ମୋ ମାମୁଁ ଘର ଗାଁ ଡୁଙ୍ଗୁରପାଲି | ପିଲାବେଳୁ ମୁଁ କଟକରେ ମୋ ବାପା ମା ଙ୍କ ପାଖରେ ରହି ପାଠ ପଢେ | ସେଦିନ ମା ସହ ମୋ ଅନିଚ୍ଛା ସତ୍ୱେ ମାମୁ ଘର ବୁଲିବାକୁ ଆସିଥିଲି | ସହରରୁ ଆସିଛି ବୋଲି ମାମୁଁ ଘରେ ମୋର ଭାରି ଖାତିର | ମୋର କିଛି ଅଳି ଅଝଟ ମନା କରନ୍ତି ନାହିଁ | ପ୍ରଥମେ ଆସିଲା ବେଳେ ବାଟସାରା ଭାବୁଥିଲି ଏଠି ମୁଁ କେମିତି କିଛି ଦିନ କାଟିବି ? ନା ଏଠି ଥିବ ଭିଡିଓ ଗେମ ପାର୍ଲର ନା ଥିବ ଇଣ୍ଡୋର ପଡିଆ ର କ୍ରିକେଟ ଖେଳ | ଆଉ ଏ ଛୋଟ ଗାଁ ରେ ମୋ ସାଙ୍ଗ ହେବା କୁ କେହିତ ମିଳିବେନି | କିନ୍ତୁ ଏଠି ପହଁଚିଲା ପରେ ମାମୁଁ ଘର ସାମ୍ନା ରେ ତତେ ମୁଁ ଦେଖିଥିଲି | ତୁ ଅନ୍ୟ ମାନଙ୍କ ଠାରୁ ଅଲଗା ଥିଲୁ | ପୁରା ଆମ ସହରୀ ଝିଅ ଙ୍କ ପରି | ଜାଣିଲି ବାପା ତୁମର ଗାଁ ହସ୍ପିଟାଲ ରେ ଡାକ୍ତର | ସେଇଥିପାଇଁ ତୁ ବି ହଷ୍ଟେଲ ଛାଡି ଆସିଛୁ ବୁଲିବା ପାଇଁ ତୋ ବାପା ମା ଙ୍କ ପାଖକୁ | ହେଲେ ମୋ ଅପେକ୍ଷା ତୁ ସେ ଗାଁ ବିଷୟରେ ଅଧିକ ଜାଣିଥାଉ | ସେତେବେଳେ ତୁ ହଷ୍ଟେଲ ରେ ରହି ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିଲୁ ଆଉ ମୋର ବି ସେହି ସମାନ ଶ୍ରେଣୀ |ଦୁଇଜଣ ଏକ ଶ୍ରେଣୀରେ ପଢୁଥିବାରୁ ମାମୁଁ ଆମ ପରିଚୟ କରାଇଦେଇଥିଲେ | ଆଉ ତୋର ମେଳାପୀ ସ୍ୱଭାବ ପାଇଁ ତୁ ମୋ ସହ ଜଲ୍ଦି ମିଶି ଗଲୁ | ମୋ ହାତ ଧରି ଭିଡି ନେଇଗଲୁ ତୋର ପଢାଘର ଦେଖାଇବା ପାଇଁ | ମୁଁ ଲାଜ କରୁଥିଲି ହେଲେ ତୁ ତୋ ବକ ବକ ଚାଲଇଥିଲୁ | ତୁ କଣ ସବୁ କହୁଥିଲୁ ମନ ମୁଣ୍ଡରେ ପଶୁ ନଥିଲା | ତୁ ଯେତେବେଳେ ମୋତେ ପ୍ରଶ୍ନ ସବୁ ପଚାରି ଚଳୁଥିଲୁ ମୋତେ ଲାଗୁଥିଲା ଯେମିତି ନୂଆ ବକରା ପାଇ ତୁ ତୋ ସହରୀ ଷ୍ଟାଇଲ ରେ ରାଗିଙ୍ଗ କରୁଛୁ | ସେଥିପାଇଁ ମୁଁ ତତେ ଗାଳିକରି ମାମୁଁ ଘରକୁ ପଳେଇ ଆସିଲି | ତୁ କାନ୍ଦି କାନ୍ଦି ଆସି ମୋ ବୋଉ ପାଖରେ ଫେରାଦ ହେଲୁ | ତତେ ଗାଳି କରିଥିବାରୁ ମୋତେ ଗାଳି କଲା ବୋଉ ଆଉ ତତେ ସରି କହିବାକୁ କହିଲା | ମୁଁ ତତେ ସମସ୍ତଙ୍କ ସାମ୍ନା ରେ ସରି କହିଲା ବେଳେ ମୋ ଇଜ୍ଜତ ର ବଳାତ୍କାର ହେଲା ପରି ଲାଗୁଥିଲା ହେଲେ ତୁ ହସୁଥିଲୁ |


ଧୀରେ ଧୀରେ ରାଗ ଅଭିମାନ ରୁ ଆରମ୍ଭ ହେଇଥିବା ଆମ ସମ୍ପର୍କ ସମୟ କ୍ରମେ ଶୀତଳ ପଡି ବନ୍ଧୁତାର ରୂପ ନେଲା | ସେଇଦିନ ମୋତେ ଆଶ୍ଚର୍ଯ୍ୟ ଲାଗିଲା ଏତେ ଘୃଣା ମୋ ନିକଟରୁ ପାଇଲା ପରେ ବି ମୋତେ ନେଇ ତୁ ଯେବେ ମେଳା ଦେଖି ଯିବା ପାଇଁ ମୋ ମାମୁଁ ଙ୍କୁ କହିଥିଲୁ | ଆଉ ଆମେ ମିଶି ଗୋଟିଏ ସାଇକେଲ ରେ ମେଳା ଦେଖି ଯାଇଥିଲେ | ସେଇଟା ଥିଲା ଆମର ପ୍ରଥମ ଡେଟିଂ | ସେଇ ଡେଟିଂ ସହର ର ସିସିଡ଼ି ର କୋଉ କର୍ଣ୍ଣର ଟେବୁଲ ଡେଟିଂ ଠାରୁ ଅଧିକ ରୋମାଞ୍ଚକରଥିଲା | ତୋ ହାତ ଧରି ମେଳା ବୁଲିବାରେ ଯୋଉ ମଜା ଲାଗୁଥିଲା ତାହା ଆଜି ସହରର ପାର୍କ ବୁଲିବାରେ ବି ଲାଗୁନି | ସେଇ ମେଳା ର ଗହଳି ଭିତରେ ବେଳେ ବେଳେ ତୋ ଶରୀର ସହ ମୋ ଶରୀର ଅଜାଣତରେ ଯେତେବେଳେ ଯୋଡି ହୋଇ ଯାଉଥିଲା ସେତେବେଳେ ଏକ ଅଜଣା ଶିହରଣ ଦେହ ସାରା ଖେଳି ହୋଇ ଯାଉଥିଲା | ସବୁଠୁ ମୁଁ ଆଶ୍ଚର୍ଯ୍ୟ ସେତେବେଳେ ହେଲି ଯେତେବେଳେ ଗୋଟିଏ କୋନ ଆଇସ୍କ୍ରିମ କୁ ଆମେ ଦୁହେଁ ମିଶି ପାଟି ଲାଗେ ଖାଉଥିଲେ| ମୋ ଓଠରେ ଲାଗିଥିବା କ୍ରିମ ଯାହା ଧଳା ନିଶା ପରି ଦେଖାଯାଉଥିଲା ତାକୁ ଦେଖି ତୁ ହସୁଥିଲୁ | ପରେ ତୋ ରୁମଲ ରେ ଯେବେ ମୋ ଓଠଟାଉ ତୁ ତୋ ହାତରେ ପୋଛିଦେଲୁ ତୋ ରୁମଲ ର ବାସ୍ନା ରେ ମୁଁ ତୋ ଦେହର ବାସ୍ନା କୁ ଅନୁଭବ କରି ପାରୁଥିଲି ଆଉ ସେଇ ମୁହୁର୍ତରେ ମୁଁ ଅଜାଣତରେ ତତେ ଭଲ ପାଇ ବସିଲି | ମେଳା ରୁ ଫେରିଲା ବେଳେ ତୁ ମୋ ସାଇକେଲ ଆଗରେ ବସିଲୁ ଆଉ ଆମେ ଅନେକ କଥା ଗପି ଗପି ଘରକୁ ଫେରିଲେ | ସେଇ ଘଂଟାକର ବାଟ ମୋ ଜୀବନର ସବୁଠୁ ସୁନ୍ଦର ବାଟ ଥିଲା | ଲାଗୁଥିଲା ଏ ବାଟ ଏମିତି ଅଧିକ ଥାନ୍ତା କି ଆଉ ସାରା ଜୀବନ ତତେ ଏମିତି ସାଇକେଲ ର ଆଗରେ ବସେଇ ବୁଲୁଥାନ୍ତି କି |


ଏହା ପର ଠାରୁ ମୁଁ ଏକ ଅଲଗା ମଣିଷ ହେଇଗଲି | ଯୋଉ ପିଲା ତତେ ଦେଖିଲେ ମାରି ଗୋଡ଼ଉଥିଲା ସେଦିନ ପରଠାରୁ କେମିତି ତୋ ସହ ସମୟ କାଟିବି ସେଇ ଚିନ୍ତାରେ ମୋ ରାତି ବିତୁ ଥିଲା | ତୋ ସହ ଗାଁ ର ଖେତ ବୁଲିବା, ଝରଣା କୂଳେ ବସି ସମୟ କାଟିବା, ଜଙ୍ଗଲ ରୁ କୋଳି ତୋଳି ଖାଇବା ରେ କେମିତି ଆମ ଛୁଟି କଟିଗଲା ଜଣ ନଥିଲା | ସେ ଭିତରେ ତୁ ମୋ ଠାରୁ ପ୍ରମିଶ କରେଇ ନେଇଥିଲୁ ଯେ ଆମ ସମ୍ପର୍କ କେବେ ବି ଭାଙ୍ଗିବନି | ଜାଣିଛୁ ନା ଯେତେବେଳେ ତୁ ଜଙ୍ଗଲୀ କୋଳି କୁ ଟିକେ ଚାଖି ମୋତେ ଖୁଆଇଦେଉଥିଲୁ ସେ କୋଳିର ମିଠାପଣ ତୋ ପାଟି ର ସ୍ପର୍ଶ ରେ ଆହୁରି ବଢିଯାଉଥିଲା | ତୋ ସେଇ ନିଷ୍କପଟ ଭଲପାଇବା ପାଖରେ ମୁ ମୋ ହୃଦୟ ବନ୍ଧା ପକାଇ ଦେଇଥିଲି | ଜାଣିନଥିଲି ଏଇଟା ପ୍ରେମ ଥିଲା | ସହରକୁ ଆସି ମୋ ସାଙ୍ଗ ରାକେଶ କୁ ଯେତେବେଳେ ଏସବୁ କହିଥିଲି ସେ ମୋତେ କହିଥିଲା ଏଇଟା କୁଆଡେ ପ୍ରେମ ବୋଲି | ଆଉ ଏହା ପରା ଠାରୁ ତୋର ସେ ଟିକେ ପ୍ରେମ ଆଉ ତୋ ସାହଚର୍ଯ୍ୟ ପାଇବା ପାଇଁ ମୁଁ ପ୍ରତି ଛୁଟିଦିନେ ଧାଇଁ ଆସୁଥିଲି ଏହି ବନ ପାହାଡ ଘେରା ଡୁଙ୍ଗୁରିପାଲି କୁ | ଡୁଙ୍ଗୁରିପାଲି ପାଲଟି ଯାଇଥିଲା ଆମ ପ୍ରେମ ର ସାକ୍ଷୀ | ସମସ୍ତ ଙ୍କ ଅଗୋଚରରେ ଆମେ ଦୁଇ କୁନି ହୃଦୟ ପରସ୍ପର ପ୍ରତି ଅନୁବନ୍ଧିତ ହୋଇଯାଇଥିଲେ ଏକ ଅଜଣା ସମ୍ପର୍କ ର ସୁତାଖିଅରେ | ସେତେବେଳେ ଭାବି ବି ନଥିଲେ ଏହାର ପରିସମାପ୍ତି କୋଉଠି ହେବ |


ସମୟ ଗାଡି ଚାଲିବ ସହ ଆମେ ବଡ ହେଲେ ସ୍କୁଲ ପଢି ଯେବେ କଲେଜ ଗଲେ ସେତେବେଳେ ଏକାଠି କଥା ହୋଇ ଗୋଟେ କଲେଜ ରେ ଆଡ଼ମିସନ କରିବା ବୋଲି ଆମେ ଯୋଜନା ପ୍ରସ୍ତୁତ ବି କରିଥିଲେ ଏହି ଡୁଙ୍ଗୁରି ପାଲି ରେ | ଏହାପରେ କଟକ ର ରେଭେନ୍ଶା କଲେଜ ଆମ ପ୍ରେମ ର ସାଥି ହୋଇ ରହିଲା | ତୋ ସହ ରେଭେନ୍ଶା ର ଲନ ହଉ କି ମହାନଦୀ କୁଳ ହଉ ଅବା ନରାଜ ବନ୍ଧ ହଉ ସବୁଠି ଆମ ପ୍ରେମ ର ସ୍ମୃତି କୁ ବାଣ୍ଟି ଚାଲିଲେ | ହେଲେ ଛୁଟି ହେଲେ ଆମେ ପୁଣି ଛୁଟି ଯାଉଥିଲେ ସେ ଅଗନା ଅଗନି ବନସ୍ତରେ ଡୁଙ୍ଗୁରି ପାଲି କୁ | ସେଠି ଝରଣା କୂଳରେ ତୋ କୋଳରେ ମୁଣ୍ଡ ରଖି ଯେବେ ମୁଁ ସୋଇ ଯାଉଥିଲି ଆଉ ତୁ ତୋ ବକର ବକର କଥା ମୋତେ ଶୁଣାଉଥିଲୁ ସେଥିରେ ଯୋଉ ଆନନ୍ଦ ଥିଲା ଆଜି ଏ ମହନନଗରୀ ର ବହୁତଳ ବିଶିଷ୍ଟ ପ୍ରସାଦ ରେ ମିଳୁନାହିଁ | ଆଜି ବି ମୁଁ ଝୁରୁଛି ତୋ ସହ ବିତେଇଥିବା ସେଇ ବନ ପାହାଡ ଘେରା ଡୁଙ୍ଗୁରି ପାଲି ର ସ୍ମୃତି କୁ | ଆଉ ତୁ ଏବେ ହଜି ଯାଇଛୁ ମାୟା ନଗରୀ ର କର୍ମ ବ୍ୟସ୍ତ ଜୀବନ ଧାରାରେ | ଆଜି ନା ତୋ ପାଖରେ ସମ୍ପର୍କ ପାଇଁ ସମୟ ଅଛି ନା ଅଛି ପ୍ରେମ ଟିକେ ବାଣ୍ଟିବାକୁ ନିଜର ମନର ମଣିଷକୁ |



Rate this content
Log in

Similar oriya story from Romance