STORYMIRROR

Durga Prasad Panda

Abstract Fantasy Inspirational

4  

Durga Prasad Panda

Abstract Fantasy Inspirational

ବୈଜ୍ଞାନିକ ର ଚିଠି

ବୈଜ୍ଞାନିକ ର ଚିଠି

6 mins
192

ମୋ ପ୍ରିୟ ବିଶ୍ୱବାସୀ,

ମୋ ଏ ଚିଠିଟି ପଢିବା ବେଳକୁ ହୁଏତ ମୁଁ ଏ ସଂସାରରେ ନଥିବି, କିନ୍ତୁ ମୋ ଅନୁଭୂତି କୁ ସଂସାର ଲାଗି ଛାଡ଼ିଯିବାକୁ ମୁଁ ଉଚିତ ମନେକରୁଛି। କାରଣ ଆଗାମୀ ଭବିଷ୍ୟତରେ ଯଦି କେହି ଏହାକୁ ପଢ଼ିବ ତେବେ ମୋ ପରି ଭୁଲ କରିବାକୁ ଚିନ୍ତା କରିବ ନାହିଁ। ହଁ, ଭୁଲ ମୋର। ଭୁଲ ଏୟା ଥିଲା କି ମୁଁ ଛୋଟ ବେଳୁ ଉଚ୍ଚ ଅଭିଳାଷୀ ଥିଲି। ଉଚ୍ଚ ଅଭିଳାଷି ହେବା ମଧ୍ୟ ସ୍ୱାଭାବିକ କାରଣ ସହରଠୁ ଅନେକ ଦୂରରେ ଓଡିଶା ର କେଉଁ ଏକ ଛୋଟିଆ କୋଣ ରେ ଅନାମଧେୟ ମୋର ଟିକି ଗାଁ ରାମପୁର। ମୋ ପରିବାର କହିଲେ ମୁଁ , ମୋ ବୋଉ , ଛୋଟ ଭଉଣୀ ଆଉ ମୋର ଜେଜେମା। ବାପା ମୋର ଗାଁ ମନ୍ଦିର ରେ ପୂଜକ। ମୋ ଛୋଟ ବେଳେ ବାପା ଙ୍କ ସ୍ୱଳ୍ପ ଆୟ ହେଲେ ମଧ୍ୟ ଆମ ପରିବାର ଟି ସୁରୁଖୁରୁ ରେ ଚାଲି ଆସୁଥିଲା ଗାଁ। ରେ ଛୋଟ ରୁ ବଡ ହୋଇଛି। ସେ ସମୟର ଗାଁ ରେ ସପ୍ତାହକୁ ଥରେ ହାଟ ବସୁଥିଲା। ମୋ ବାପା ହାଟ କୁ ଯାଉଥିଲେ ଖାଲି ଆଳୁ, ପିଆଜ, ପାନ ଏହିପରି କିଛିଟା ଜିନିଷ ପାଇଁ । ବାକି ପନିପରିବାର ଅଭାବ ମେଣ୍ଟାଉଥିଲା ଆମର କୁନି ବାଡ଼ିଟି। ସେହି ବାଡ଼ିରେ ଜେଜେମା ଓ ବୋଉ ମିଶି ସବୁ ପନିପରିବା ଲଗାଉଥିଲେ। ମୋ ଘରର ଗୋଟିଏ ବୋଲି ପୁଅ ବୋଲି ଅତି ଯତ୍ନ ରେ ବଢାଇଥିଲେ ମୋ ପରିବାର ଲୋକ। ମୋତେ ଯଦିଓ ସେତେବେଳେ ସମାଜରେ ଝିଅ ମାନଙ୍କୁ ଏତେ ଗୁରୁତ୍ୱ ମିଳୁନଥିଲା। ତଥାପି ମୋ ଜେଜେମା ମୋ ପରି ମୋ ଭଉଣୀକୁ ପାଠ ପଢେବାକୁ ମୋ ବାପା ଙ୍କୁ ସବୁବେଳେ କହୁଥିଲା। ବାପା ମଧ୍ୟ ଜେଜେମା କଥାରେ ମୋ ସହ ପଢିବାକୁ ମୋ ଭଉଣୀ କୁ ସ୍କୁଲ ପଠାଉଥିଲେ । ସ୍କୁଲ ରେ ପଢିବା ସମୟରେ ମୁଁ ସ୍ୱପ୍ନ ଦେଖୁଥିଲି ବଡ ହୋଇ ନୂଆ ନୂଆ ଜିନିଷ କେମିତି ତିଆରି ହୋଇଛି ସେ ସମ୍ପର୍କରେ ଜାଣିବି। ଧୀରେ ଧୀରେ ବଡ ହୋଇ ହାଇସ୍କୁଲ ରେ ପଢିଲା ବେଳେ ଜାଣିବାକୁ ପାଇଲି ଯେ ଏକାଦଶ ଶ୍ରେଣୀରେ ଭଲ ନମ୍ବର ରଖି ପାସ କଲେ ମୋତେ କଲେଜ ରେ ପଢିବାକୁ ମିଳିବ। ସେଠି ବିଜ୍ଞାନ ବିଷୟରେ ଅଧିକ ପାଠ ପଢିଲେ ମୋତେ ନୂଆ ଜିନିଷ କେମିତି ତିଆରି ହୁଏ ସେ ବିଷୟରେ ଜାଣିବାକୁ ମିଳିବ। ଆଉ ବେଶୀ ପାଠ ପଢିଲେ ମୁଁ ମଧ୍ୟ ଅନେକ ନୂଆ ନୂଆ ଜିନିଷ ଉଦ୍ଭାବନ କରି ପାରିବି।

ସେଇ ଝୁଙ୍କ ମୋ ମନ ଭିତରେ ଏମିତି ବସାବାନ୍ଧି ରହିଗଲା ଯେ ମୁଁ ସବୁ କିଛି ଭୁଲି ମୋ ସ୍ୱପ୍ନ ପଛରେ ଧାଇଁଲି। ଗାଁ ସ୍କୁଲ ରୁ ପାଠ ପଢି ଭଲ ନମ୍ବର ରଖି ରେଭେନ୍ସା କଲେଜ ରେ ପଢିବା ପାଇଁ ଯେତେବେଳେ ଗାଁ ଛାଡ଼ିଥିଲି ବାପା ମୋ ପାଇଁ ଗର୍ବ କରୁଥିଲେ। ଭଉଣୀ ସେଦିନ ଖୁସି ହୋଇ ତା ପାଇଁ ଅନେକ ଜିନିଷ ବରାଦ କରୁଥିଲା। ହେଲେ ମୋ ବୋଉ ବୋଧେ ସେତେବେଳେ ଜାଣି ନେଇଥିଲା ଯେ ତା ପକ୍ଷୀ ଟି ବସା ଛାଡି ଉଡିବାକୁ ଲାଗିଲାଣି ।ସେଥିପାଇଁ ତା ଆଖିରୁ ସେଦିନ ଲୁହ ବୋହି ଆସୁଥିଲା। ଧୀରେ ଧୀରେ ମୁଁ କଲେଜ ପଢା ରେ ମଜ୍ଜି ରହିଲି। ମୋ ସ୍ୱପ୍ନ କୁ ପାଖି ଦେଇ ଉଡେଇବା ପାଇଁ ମୁଁ ଚେଷ୍ଟା କରିଲି। ଆଉ ଦିନ ଆସିଲା ମୁଁ ସଫଳ ମଧ୍ୟ ହେଲି। ଯୋଉଦିନ ରେଭେନ୍ସା ରୁ ମୁଁ ପି ଏଚ ଡି ର ଡିଗ୍ରୀ ଧରି ବାହାରକୁ ଆସିଲି ଲାଗୁଥିଲା ମୁଁ ମୋ ସ୍ୱପ୍ନ କୁ ହାତ ମୁଠା ରେ ଧରିବାକୁ ଆଉ ଅଳ୍ପ ସମୟ ଅଛି। ତା ପରଦିନ ସନ୍ଧ୍ୟା ରେ ମୋ ଘରେ ମୋ ବୋଉ ର ଗୋଟେ ପ୍ରଶ୍ନ ମୋତେ ବିରକ୍ତ କରି ଦେଇଥିଲା। ବୋଉ ପଚାରିଲା, "ଧନରେ ବାପା ଆଉ ଆଗ ପରି କାମ କରିବାକୁ ପାରୁନାହାଁନ୍ତି ।ଏ ଗାଁ ମନ୍ଦିର ଆମର ଭାତ ହାଣ୍ଡି ।କାଲିଠୁ ତୁ ପୂଜା କାମ ରେ ଲାଗିଯା।" ମୁଁ ମନେମନେ ବିରକ୍ତ ହଉଥିଲି ଆଉ ଚିଡି ଯାଇ ବୋଉକୁ କହିଲି, "ରଖ ତୋ ସେ ପୂଜା ପୁଜି ମୁଁ ସେସବୁ କରିବିନି ।ମୁଁ ଏତେ ପାଠ ପଢ଼ିଲି କଣ ଏହି ଘଣ୍ଟି ହଲେଇବା ପାଇଁ ?" ମୋ ମୁଂହ କୁ ଆଁ କରି ଚାହିଁଲା ବୋଉ ଆଉ ପଚାରିଲା, ତେବେ ତୁ କଣ କରିବୁ ଶୁଣେ? ଉତ୍ତରରେ ମୁଁ କହିଲି, "ଶୁଣ ମୁଁ ଗବେଷଣା କରିବି ଆଉ ନୂଆ ନୂଆ ଜିନିଷ ଏ ଦୁନିଆ ପାଇଁ ଖୋଜିବି।" ବୋଉ ର ମୁଣ୍ଡ ଉପର ଦେଇ ମୋ କଥାଗୁଡା ଚାଲିଗଲା। ସେଥିପାଇଁ ସେ ପୁଣି ପଚାରିଲା କାହିଁ କାନ ଉଠିଲା ଦିନରୁ ତ ମୁଁ ଏଇ ଆଖପାଖ ଚାରିଖଣ୍ଡି ମୌଜା ରେ ଏମିତି କାମ କୋଉଠି ହୁଏ ଜାଣିନି। ମୁଁ ଉତ୍ତର ଦଉଥିଲି ଯେ ବୋଉ ସେ ସବୁ ଏଠି କଣ ଓଡିଶା ଭିତରେ ବି କୋଉଠି ହଉନି । ମୁଁ ଓଡିଶା ବାହାରକୁ ଯିବି ଚାକିରୀ କରିବାକୁ ।ବୋଉ ଶୁଣିଥିଲା ଓଡିଶା ବାହାରକୁ ମାନେ ସୁରଟ ନହେଲେ ରେଙ୍ଗୁନୁ ଯାଆନ୍ତି ଲୋକ ଦାଦନ ଖଟିବାକୁ। ଆଉ ଯୋଉମାନେ ଯାଆନ୍ତି ସେମାନେ ବର୍ଷ ବର୍ଷ ଧରି ଘରକୁ ଫେରନ୍ତିନି। ମୁଁ ଓଡିଶା ବାହାରକୁ ଯିବା ଲାଗି ବାହାରିବା ବେଳେ ସେ ମନା କରୁଥିଲା କିନ୍ତୁ ବାପା ମୋ ପଟିଆ ହୋଇ ମୋତେ ଆଗକୁ ବଢି କିଛି ଭଲ କାମ କରି ମୋ ଗାଁ ର ନାଁ ରଖିବା ପାଇଁ ଆଶୀର୍ବାଦ ଦେଇ ମୋତେ ତା ପରଦିନ ସକାଳୁ ବସ ରେ ବସେଇଦେଲେ।

ପ୍ରଥମେ ଆସି ମୁଁ ପୁଣି ରେଭେନ୍ସା ରେ ପହଂଚିଗଲି ।ସେଠାରେ ରହି ଜଣେ ଅଧ୍ୟାପକ ଙ୍କ ସାହାଯ୍ୟରେ ମୁଁ ଦିଲ୍ଲୀ ର ଗୋଟେ ଅନୁଷ୍ଠାନରେ ଗବେଷଣା କରିବା ପାଇଁ ସୁଯୋଗ ପାଇଲି । ସେଠାରେ ପାଞ୍ଚବର୍ଷ କାମ କରିବା ଭିତରେ ମୁଁ ମୋ ଗାଁ କୁ ଦୁଇ ଚାରିଥର ଆସି ବୁଲିଯାଉଥିଲି। ପ୍ରତିଥର ଆସିଲା ବେଳେ ଦେଖୁଥିଲି ବାପା ବୋଉ ମୋ ବାହାରେ ରହିବା କୁ ହୃଦୟର ସହକାରେ ଗ୍ରହଣ କରି ପାରୁନଥିଲେ। ବୋଉ ସବୁବେଳେ କାନ୍ଦୁଥିଲା ଫେରି ଆସିବା ପାଇଁ ଆଉ ବାପା ବୟସର ଅପରାହ୍ନରେ ଯେପରି ଅସହାୟ ହୋଇ ପଡ଼ିଥିଲେ। ଏ ଭିତରେ ମୁଁ ଦିଲ୍ଲୀ ର ଜଣେ ଅଣ ଓଡ଼ିଆ ଅଧ୍ୟାପିକା ଙ୍କୁ ଭଲପାଇ ବସିଥିଲି। କିନ୍ତୁ ଘରେ ରାଜି ହେବେନାହିଁ ବୋଲି ଯଦିଓ ସେଠି ମନ୍ଦିର ରେ ବିବାହ କରି ସାରିଥିଲି ହେଲେ ଘରେ ଜଣାଇନଥିଲି ।ଛୋଟ ଭଉଣୀଟିକୁ ବାପା ବାହା କରିସାରିବା ପରେ ଯେତେବେଳେ ମୋ ବାହାଘର ପାଇଁ ବୋଉ ପ୍ରସ୍ତାବ ଖୋଜିଲା ମୁଁ ବାହା ହେବିନାହିଁ ବୋଲି ଜଣାଇଦେଲି। ସେଦିନ ବୋଉ କଡା କରି ଦୁଇପଦ କଥା କହିଦେବାରୁ ଘର ସହ ତା ପରର ସମ୍ପର୍କ ମୋର କମିଗଲା।

ଗବେଷଣା କରୁ କରୁ ମୁଁ ଅଧିକରୁ ଅଧିକ ପଢିବାକୁ ଲାଗିଲି ।ଯୋଉ ପିଲା ଦିନେ ଆକାଶ ରେ ଉଡ଼ାଜାହାଜ ଉଡିବା ଦେଖି ଖୁସି ହୋଇ ତାଳି ମାରୁଥିଲା ସେଇ ପିଲା ଆଜି ଗୋଟେ ଜିନ(ଗୁଣସୂତ୍ର) ସହ ଆଉ ଗୋଟେ ଜିନ(ଗୁଣସୂତ୍ର) ମିଶାଇ ଏକ ନୂଆ ପ୍ରଜାତି ସୃଷ୍ଟି କରିବା କୁ ସକ୍ଷମ ହୋଇ ଯାଇଥିଲା ।ଧୀରେ ଧୀରେ ମୁଁ ମୋ ଗବେଷଣା ର ପରିସୀମା ବୃଦ୍ଧି କରିବାକୁ ଚାଁହୁଥିଲି ଆଉ ଭାରତ ଭିତରେ ରହି ଏସବୁ ସମ୍ଭବ ନଥିଲା। ଏହି ସମୟରେ ବିଦେଶ ରୁ ଏକ ଗବେଷକ ଦଳ ଆମ ଅନୁଷ୍ଠାନ କୁ ପରିଦର୍ଶନ ରେ ଆସିଥିଲେ। ସେମାନେ ମୋ କାର୍ଯ୍ୟ ଦେଖି ଉଚ୍ଚ ପ୍ରଶଂସା କରିବା ସହ ମୋତେ ତାଙ୍କ ଦେଶରେ ଯାଇ କାମ କରିବାକୁ କହିଲେ ।ମୁଁ ତାଙ୍କ କଥାରେ ରାଜି ହେବା ସହ ତାଙ୍କ ସହ ଯାଇ କାମ କରିବାକୁ ଅନୁବନ୍ଧିତ ହୋଇଗଲି ।ସେମାନେ ମଧ୍ୟ ମୋତେ ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଲେ। ତାଙ୍କ ଦେଶ ରେ ପହଂଚିବା ପରେ ମୋତେ ତାଙ୍କ ଗବେଷଣାଗାର ଓ ସୁବିଧା ସୁଯୋଗ ଦେଖି ଖୁସି ଲାଗିଲା ଆଉ ମୁଁ ଦୁଇଗୁଣ ଉତ୍ସାହ ର ସହ କାମ କରିବାରେ ଲାଗି ପଡିଲି ।

ସମୟ ଆସିଲା ଧୀରେ ଧୀରେ ମୁଁ ଦୁଇଟି ପ୍ରଜାତି କୁ ଯୋଡି ଗୋଟେ ଏମିତି ପ୍ରଜାତି ର ଜିନ ତିଆରି କଲି ଯାହା ମଣିଷ ଶରୀରରେ ନିଶ୍ଵାସ ମାଧ୍ୟମରେ ପଶିବାର ଗୋଟିଏ ଦିନ ମଧ୍ୟରେ ମଣିଷ କୁ ମାରି ଦେବ । ଏମିତି ଏକ ଭୁତାଣୁ ର ଜିନ ଦେଖି ପ୍ରଥମେ ମୁଁ ଡରିଗଲି ଓ ଏ ସମସ୍ତ ତଥ୍ୟ ମୋ ସହ କାମ କରୁଥିବା ସେ ଦେଶର ବୈଜ୍ଞାନିକ ମାନଙ୍କୁ ଜଣାଇଲି ।ସେହି ବିଷୟ ଉପରେ ଅତ୍ୟଧିକ ଗବେଷଣା କରିଚାଲିଲି ।ଗୋଟେ ଦିନ ଏମିତି ଗବେଷଣା କରୁ କରୁ ଜାଣିବାକୁ ପାଇଲି ଏ ଭୁତାଣୁଟି ବାୟୁମଣ୍ଡଳ ରେ ଥରେ ବ୍ୟାପିଗଲେ ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ମଣିଷ ଶରୀର ଭିତରେ ଯାଇ ଫୁସଫୁସ କୁ ସଂକ୍ରମିତ କରି ଅତି ଅଳ୍ପ ସମୟ ଭିତରେ ମଣିଷ କୁ ମାରିଦେଇଥାଏ। ଏହା ଦେଖି ମୁଁ ଡରିଗଲି ଯେ ଯଦି କେବେ ଏ ଭୁତାଣୁ କୁ ମାନବ ବୋମା ଭାବରେ ବ୍ୟବହାର କରାଯାଏ ତେବେ ସାରା ବିଶ୍ୱ ପାଇଁ ଏହା ବଡ କ୍ଷତି ପହଂଚାଇବ ।ମୁଁ ଅଧିକ ରୁ ଅଧିକ ଏ ବିଷୟରେ ଗବେଷଣା କରିବାକୁ ଲାଗିଲି। ଭାବିଲି ଏ ଭୁତାଣୁ ର ଉଦ୍ଭାବନ ମୋତେ ସାରା ବିଶ୍ୱ ଆଗରେ ପରିଚୟ ଆଣିଦେବ। ପରେ ଅଧିକ ଗବେଷଣା କରି ମୁଁ ଏହାର ଆଣ୍ଟିବଡ଼ି ତିଆରି କରିବାରେ ସଫଳ ହେଲି। ଭାବିଲି ଏ ଫର୍ମୁଲା କୁ ବିକି ମୁଁ ରାତାରାତି ବଡ଼ଲୋକ ହେଇଯିବି। ସତ କହିବାକୁ ଗଲେ ପିଲାଦିନର ଅଭାବୀ ମୋତେ ଓ ମୋର ଆତ୍ମା କୁ ପୁରା ନଷ୍ଟ କରିଦେଇଥିଲା ।

ଏ ଭିତରେ ମୋର ଗବେଷଣା ବିଷୟରେ ସେ ଦେଶ ର ବୈଜ୍ଞାନିକ ଓ ସରକାର ଙ୍କୁ ଜଣେଇ ଦେଇଥିଲି।ଭାବିଥିଲି ବିଶ୍ୱର କଲ୍ୟାଣ ପାଇଁ ସରକାର ମୋତେ ପୁରସ୍କୃତ କରିବେ ଆଉ ମୋ ଗବେଷଣା କୁ ସାରା ବିଶ୍ୱକୁ ପରିଚୟ ଦେବେ। କାରଣ ମୁଁ ଚାଇନା କୁ ଭାରତ ବୋଲି ଭାବି ନେଇଥିଲି। ଭାରତରେ ଆମର ପରିଶ୍ରମ ଉପରେ କେବଳ ଆମ ଅଧିକାର ଅଛି ଆଉ ଆମ ଅଧିକାର କ୍ଷୁର୍ଣ୍ଣ ହେଲେ ଆମେ ସରକାର ଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାଉ। ଆଉ ଏ ସବୁରେ ସୋସିଆଲ ମିଡ଼ିଆ ଆଉ ନିଉଜଚାନେଲ ଵାଲା ଆମର ପୁରା ସହଯୋଗ କରନ୍ତି ଆମକୁ ଫେମସ କରିବା ପାଇଁ। ହେଲେ ଚାଇନା ସରକାର ମୋର ସ୍ୱର ଚପେଇ ଦେବାପାଇଁ ମୋତେ ପାଗଳ ଘୋଷଣା କଲେ ଓ ସାରା ସମାଜ କୁ ଏ ଭୁତାଣୁ ଠାରୁ ଅଜ୍ଞ ରଖିଲେ ।ଯେତେବେଳେ ସୋସିଆଲ ମିଡ଼ିଆ ଆଉ ନିଉଜଚାନେଲ ଵାଲା ମୋ ସପକ୍ଷରେ କହିବାକୁ ଚାହିଁଲେ ସରକାର ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଲେ ।ପରେ ପରେ ମୋତେ କାରାଗାର ରେ ବନ୍ଦୀ ବନେଇଦେଲେ। ସେହି ବନ୍ଦୀଘରେ ଥିବା ସମୟରେ ମୁଁ ଶୁଣିବାକୁ ପାଇଲି ଯେ ସେ ଭୁତାଣୁ କୁ ଚୀନ ସରକାର ମାନବ ବୋମା ଭାବରେ ବ୍ୟବହାର କରି ସାରା ବିଶ୍ୱ କୁ ତାଙ୍କ ଅଧୀନକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।ଆଉ କିଛି ଦିନ ପରେ ପ୍ରଥମେ ନିଜେ ସେ ମାନବ ବୋମା ର ଶିକାର ହେଲେ। ମୋ ଦ୍ୱାରା ଆବିଷ୍କାର ହୋଇଥିବା ମେଡ଼ିସିନ କୁ ବ୍ୟବହାର କରି ନିଜ ଦେଶରେ ରୋଗ କୁ ତ ନିୟନ୍ତ୍ରଣ କରିଦେଲେ ହେଲେ ସାରା ବିଶ୍ୱ ପାଇଁ ମାରନା ଯନ୍ତା ବନେଇଦେଲେ ।ମୁଁ ଏହା ବିରୁଦ୍ଧ ରେ ସ୍ୱର ଉତ୍ତୋଳନ କରିବା ସମୟରେ ଆଜି ଶୁଣିବାକୁ ପାଇଲି ମୋତେ ପକ୍ଷ ରଖିବାକୁ ନଦେଇ ମୋ ଉପରେ କେଶ କରି ମୋତେ ସଜା ସ୍ୱରୂପ କାଲି ସକାଳେ ଗୁଳିକରି ସର୍ବ ସମ୍ମୁଖ ରେ ହତ୍ୟା କରିବାକୁ ଦଣ୍ଡ ଶୁଣାଇ ଦିଆଗଲା।

ମୁଁ ଆସନ୍ତା କାଲିର ସକାଳ ଦେଖିବାକୁ ଏ ଦୁନିଆ ରେ ନଥିବି ।ହେଲେ ମୋ ଜୀବନର ଅନୁଭବ ରୁ ମୁଁ ଏ ଚିଠିଟି ଛାଡ଼ିଗଲି ଯାହାକୁ ପଢି ମୋ ଭବିଷ୍ୟତ ପିଢୀ ଗୁଡିକ ଅନୁପ୍ରାଣିତ ହୋଇ ମୋ ପରି ଭୁଲ କରିବାରୁ ଦୂରରେ ରହିବେ। ବିଦେଶୀ ପଇସା ଓ ଚାକଚକ୍ୟ ର ଲାଳସା ରେ ପଡି ନିଜର ତଥା ସାରା ବିଶ୍ୱର କ୍ଷତି କରିବାର ପ୍ରୟାସ କରିବେ ନାହିଁ । ନିଜ ଦେଶରେ ରହି ନିଜ ଜ୍ଞାନ ଓ ଶ୍ରମ କୁ ନିଜ ଦେଶର ଉନ୍ନତି ରେ ଉପଯୋଗ କରିବାକୁ ସଦା ସର୍ବଦା ଚେଷ୍ଟା କରିବେ।

ଇତି

ଜଣେ ହତଭାଗ୍ୟ ବୈଜ୍ଞାନିକ


Rate this content
Log in

Similar oriya story from Abstract