Durga Prasad Panda

Fantasy Inspirational

3  

Durga Prasad Panda

Fantasy Inspirational

ଚିଠି ଟିଏ

ଚିଠି ଟିଏ

7 mins
259


ମାମା,

ଏ ଚିଠି ତୁମେ ପାଇଲା ବେଳକୁ ହୁଏତ ମୁଁ ତୁମ ଠାରୁ ବହୁତ ଦୁରକୁ ଚାଲିଯାଇଥିବି । ଏମିତି ଏକ ଅପହଞ୍ଚ ଇଲାକାରେ ମୁଁ ପାଦ ଥାପିଥିବି ଯୋଉଠି ମୋତେ ଖୋଜି ପାଇବାକୁ ମୋ ନିଜ ଲୋକଙ୍କୁ ବହୁତ କଷ୍ଟ ପଡିବ । ଆଉ ମୁଁ ବି ଏହା ଜାଣିଛି ମୋ ଏ ଚିଠି ପଢି ସାରିବା ପରେ ମୋତେ ଖୋଜିବାକୁ ତୁମ କାହାର ଆଗ୍ରହ ନଥିବ କିମ୍ବା ତୁମ ମାନଙ୍କ ଭିତରୁ କାହାରି ପାଖରେ ସମୟ ନଥିବ । ମାମା, ମୁଁ ମୋ ସ୍ୱଇଚ୍ଛା ରେ ଏହି ବାଟକୁ ମୋ ଜୀବନରେ ସେତିକିବେଳେ ବାଛି ନଉଛି ଯେତେବେଳେ ମୁଁ ଅନୁଭବ କରୁଛି ଯେ ମୋ ମନ ଭିତରର କଥା ସବୁ ବୁଝିବାକୁ , ମୋ ମନର ଇଛାକୁ ବୁଝିବାକୁ ତୁମ କାହାରି ପାଖରେ ସମୟ ନାହିଁ । ସେଇଥିପାଇଁ ଏ ଚିଠି ମାଧ୍ୟମରେ ମୁଁ ମୋ କଥା ପଡେ ତମକୁ କହିବାକୁ ଚାଁହୁଛି । ଆଶା କରେ ତମେ ଅନ୍ତତଃ ଚିଠିଟିକୁ ଶେଷ ପର୍ଯ୍ୟନ୍ତ ପଢିବ । ଆଉ ଚିଠି ଚିରି ଡଷ୍ଟବିନରେ ଫୋପାଡିବା ଆଗରୁ ମୋ ମନର କଥାକୁ ଠାରେ ହେଲେ ନାରୀଟିଏର ହୃଦୟରୁ ଭାବିବ ।


ମାମା, ମୁଁ ଜନ୍ମ ହେଲା ବେଳକୁ ଝିଅଟିଏ ହୋଇଛି ବୋଲି ଜାଣି ଘରର ସମସ୍ତେ ଦୁଃଖ ପ୍ରକାଶ କଲେ । କାରଣ ଆଜିବି ଭାରତୀୟ ସମାଜରେ, ଖାସ କରି ଓଡ଼ିଆ ଘରେ ଝିଅଟିଏ କୁ ବୋଝ ଆଉ ପର ହାଣ୍ଡିଶାଳର ସମ୍ପତ୍ତି ବୋଲି ବିବେଚନା କରାଯାଏ । ପିଲାବେଳେ ମୋତେ ଦେଢ଼ ବର୍ଷ ହୋଇଥିଲା ବେଳେ ମୋ ଜନ୍ମ କଲା ମା ମୋତେ ଛାଡି ଆଉ ଜଣଙ୍କୁ ବାହା ହେବାର ନିଷ୍ପତ୍ତି ନେଇ ଘର ଛାଡି ପଳେଇଗଲା । ଜାଣିନି ସେ ଠିକ କଲା କି ଭୁଲ କଲା । କାରଣ ତା ଚାଲିଯିବା ପଛର କାରଣ ମୁଁ ଆଜିଯାଏ କୌଣସି ଲୋକଙ୍କ ଠାରୁ ଠିକ ଭାବରେ ଜାଣିପାରିଲି ନାହିଁ । କିଛି ଲୋକ କୁହନ୍ତି ସେ ଉଦଣ୍ଡି ଥିଲା, କେହି କେହି କହିଲେ ସେ ସ୍ୱାଧୀନ ଚେତା ଥିଲା , କେହି କେହି କହିଲେ ପାରିବାରିକ ଅତ୍ୟାଚାର ସହି ନପାରି ଏମିତି କଲା , ସେ ଯାହାବି ହୋଇଥାଉ ନା କାହିଁକି ? ମୁଁ ପଛରେ ଶୁଣିବାକୁ ପାଇଲି ଛାଡପତ୍ର ମକଦ୍ଦମାରେ ବାପା ମୋତେ ତାଙ୍କ ସହ ରଖିବାର ସର୍ତକୁ ସେ ମାନିନେଇ କିଛି ପଇସା ପାଇ ସେ ତା ବାଟରେ ଚାଲିଗଲା । ସେ ନ୍ୟାୟ ଅଧିକାରୀଙ୍କ ବିଚିତ୍ର ନ୍ୟାୟରେ ମୋର ମନର କଥା ବୁଝିବାର ବୋଧହୁଏ କ୍ଷମତା ନଥିଲା । ମୋ ବାପା ନିଜ ଅଂହ ଦେଖେଇ ମୋତେ ସିନା ନିଜ ପାଖରେ ରଖିନେଲେ ହେଲେ ପୁରୁଷ ପୁଅ ହୋଇ ମୋ କଥା ବୁଝିବାର କ୍ଷମତା ନଥିଲା ତାଙ୍କ ପାଖରେ । ସେ ମୋତେ ଭଲପାଉନଥିଲେ ।ତାଙ୍କର ଭଲପାଇବା ତାଙ୍କ ବିଜିନେସ ଆଉ ତାଙ୍କ ପଇସା ରେ ଥିଲା ।ମୋ ଦେଖାଶୁଣା କରିବା ଦାଇତ୍ୱ ଜେଜେ ମା ଉପରେ ନ୍ୟସ୍ତ ହେଲା । ସେ ମଧ୍ୟ ଏକ ବିଚିତ୍ର ଚିନ୍ତାଧାରାର ଜୀବ ଥିଲା । ବଡ଼ପୁଅର ପୁଅ ଦୁହିଁଙ୍କୁ ଯେତିକି ସ୍ନେହ କରୁଥିଲା ସେତିକି ଦୂର ଦୂର ମାର ମାର କରୁଥିଲା ବଡ଼ପୁଅର ଝିଅକୁ ଆଉ ମୋତେ । କାରଣ ଆମେ ଝିଅ ଥିଲୁ , ଆଉ ତା ଭାଷାରେ କୁଆଡେ ପୁଅର ପୁଅ ବଂଶ ଉଦ୍ଧାର କରି ମୁକ୍ତି ପ୍ରଦାନ କରେ ଯାହା ଆମେ ଝିଅ ମାନେ କରିପାରିବୁ ନାହିଁ ।

ଏମିତି ଏକ ପରିବେଶରେ ମୁଁ ବଢ଼ିଲି ଯୋଉଠି ଝିଅ ମାନଙ୍କର ଅଧିକାର ବୋଲି କିଛି ନଥିଲା । ଆମ ଘରେ ପିଲା ଦିନରୁ ମୁଁ ତତେ, ବଡ ମାମା ଆଉ ସାନ ଖୁଡିଙ୍କୁ ସବୁବେଳେ ଦେଖି ଆସିଛି ତମର ମନ ବୋଲି କିଛି ନଥିଲା । ସ୍ତ୍ରୀ ଲୋକଟିଏ ଗୋଟେ ପୁରୁଷ ଲୋକକୁ ବାହା ହୋଇ ଆସେ ତା ଘର ପରିବାରକୁ ରୋଷେଇ କରି ଖାଇବାକୁ ଦେବ, ସେମାନଙ୍କ ସେବାଯତ୍ନ କରିବ, ରାତିରେ ପୁରୁଷର ଦେହର ଭୋକ ଦୂର କରିବ ଆଉ ଘରର ସମସ୍ତ କାମ କରିବ । ସ୍ତ୍ରୀ ଟିଏ ର ଦିନ ଆରମ୍ଭ ହୁଏ ଅନ୍ୟ ପାଇଁ କାମ କରିବା ଠାରୁ ଏବଂ ରାତି ସରେ ଅନ୍ୟର ସେବାରେ । ନିଜପାଇଁ ଯଦି କେବେ କିଛି ମନରେ ଭାବେ ତେବେ ମଧ୍ୟ ମୁହଁ ଖୋଲି କହିବାର ସାହସ ଟିକକ ନଥାଏ କିମ୍ବା ଘରର ମୁରବୀଙ୍କର ସେସବୁ ପାଇଁ ଅନୁମତି ନଥାଏ ।

ବାପା ନିଜ ମନର ଦେହର ଭୋକକୁ ଦୂରକରିବା ପାଇଁ ତଥା ମୋର ଆଉ ଘରର ଦେଖାଶୁଣା କରିବା ପାଇଁ ତତେ ବାହାହୋଇଗଲେ । ମୁଁ ଭାବିଲି ତୁ ଏ ଘରକୁ ଆସିଲା ପରେ ମୋର ମା ସ୍ନେହ ମୋତେ ମିଳିବ । ଘରଲୋକ ଭାବିଲେ ଯା ହଉ ମୋ ଦାୟିତ୍ୱରୁ ସେମାନଙ୍କୁ ମୁକ୍ତି ମିଳିବ । ହେଲେ ତୁ ଆସିବାର କିଛିଦିନ ପରେ ଜାଣିଲି ତୋ ପାଖରେ ବି ସେ ଜେଜେମା ପରି ମାନସିକତା ଅଛି । ଆଉ ତାର ଅନୁଭବ ମୁଁ ଆମ ଛୋଟ ପୁଅ ହେଲାପରେ ଖୁବ ଅନୁଭବ କଲି । ପୁଅ ପଢିଲା ସୈନିକ ସ୍କୁଲରେ ଆଉ ମୁଁ ଗାଁ ଚାହାଳୀରେ ।ଘରକୁ ଯାହା ଆସିଲା ଆଗେ ଭାଇ ମାନଙ୍କ ଭାଗ ବାହାର କରି ପରେ ବଞ୍ଚିଲେ ଆମ ଭଉଣୀ ମାନଙ୍କୁ ଦିଆ ହୁଏ । ଆଜି ଯେତେବେଳେ ଲୋକ ଭାଷଣ ଦିଅନ୍ତି ପୁରୁଷ ମାନେ ନାରୀ ଉପରେ ଅତ୍ୟାଚାର କରୁଛନ୍ତି ସେତେବେଳେ ମୁଁ ଭାବେ ଯେ ନାରୀ ହିଁ ନାରୀ ଉପରେ ଅତ୍ୟାଚାର କରେ ଆଉ ଏ ସମାଜରେ ତା ଉପରେ ହେଉଥିବା ଅତ୍ୟାଚାରକୁ ସହି ନିଜକୁ ଅତ୍ୟାଚାରିତ ହେବାକୁ ଦିଏ । ସବୁବେଳେ ଶାଶୁ ଟି ନାରୀ ହୋଇ ମଧ୍ୟ ତା ବୋହୂର କଷ୍ଟ ଆଉ ତା ମନ କଥା ବୁଝି ପାରନ୍ତି ନାହିଁ । ସେହିପରି ମା ଟିଏ ସବୁବେଳେ ତା ପୁଅକୁ ଅଧିକ ସ୍ନେହ ଦିଏ ଏହା ଜାଣି ମଧ୍ୟ ଯେ ଝିଅଟି ବି ତାରି ଗର୍ଭରୁ ଜାତ ।

ତୁ ମଧ୍ୟ ମୋ ପରି ସମାନ ଅବସ୍ଥା ଦେଇ ଆମ ଘରେ ସବୁବେଳେ ରହିଛୁ । କାରଣ ବାହା ହେବା ଠାରୁ ଆଜିଯାଏ ତୁ କେବେ ତୋ ମନର କଥା ବାପାଙ୍କୁ କହିବାର ଅଧିକାର ପାଇନୁ ।ଯେତେବେଳେ ଘର ଭିତରେ କୌଣସି କାରଣ ପାଇଁ ଝଗଡା ଲାଗେ ସେତେବେଳେ ବାପାଙ୍କ ରୋଷର ଶିକାର ତୁ ପ୍ରଥମେ ହଉ । ସେଦିନ ରାତିରେ ଲୋକ ସବୁ ଶୋଇଗଲା ପରେ ତୋ ମନର କଷ୍ଟକୁ ମୁଁ ତୋ ନାକ ସଁ ସଁ ଆଉ କେବେ କଇଁ କଇଁ କାନ୍ଦ ରେ ଶୁଣିବାକୁ ପାଏ । ସେତେବେଳେ ଭାବେ ଏତେ ସବୁ ମାଡ ଗାଳି ଖାଇ ତୁ କଣ ପାଇଁ ଆମ ଘରେ ରହିଛୁ ? ଆଜି ବଡ ହେଲା ପରେ ଅନୁଭବ କରୁଛି ସେ ସବୁ ତୁ ନ ସହିଥିଲେ ତୁ କରିଥାନ୍ତୁ ବି କଣ ଯେ ? କାରଣ ତୋ ବାପା ଭାଇଙ୍କର ବି ସେଇ ମାନସିକତା ଥିଲା ଯେ ଝିଅ ବାହା କରିଦେଲେ ଆମ କାମ ସରିଲା । ଆଉ ମଧ୍ୟ ସେମାନଙ୍କ ପାଖରେ ଏତେ ସମ୍ବଳ ନଥିଲା ଯେ ବାପାଙ୍କ ପରି ଧନୀ ଲୋକ ସହ ଆଇନଗତ ଲଢେଇ କରି ତତେ ତୋର ହକ ଦେଇଥାନ୍ତେ ।ତୋର ସେଇ ଦୁର୍ବଳତା ଫାଇଦା ବାପା, ଜେଜେ, ବଡବାପା ଏପରିକି ଦାଦା ଯିଏ ତୋ ଠାରୁ ସାତ ସାନ ସେ ବି ଉଠାଇ ଚଳୁଛନ୍ତି ଆଜିଯାଏ । ଆଉ ତୁ ଆମଘରର ଆଜି ଜଣେ କ୍ରୀତଦାସ ପାଲଟି ସାରିଛୁ ।

ନିଜକୁ ମୁଁ ତୋ ସ୍ତିତିରେ ରଖି ଭାବିଲା ବେଳକୁ ଏ ପୁରୁଷକୈନ୍ଦ୍ରିକ ସମାଜ ବିରୁଦ୍ଧରେ ଘୃଣା, ବିତୃଷ୍ଣା ଆଉ କ୍ରୋଧରେ ଭରିଯାଉଛି । ଯୋଉ ସମାଜ ନାରୀଙ୍କୁ ସେମାନଙ୍କ ସ୍ୱାଧୀନତା ଟିକେ ଦେଇ ପାରୁନି । ଧୀରେ ଧୀରେ ମୁଁ ବଡ ହେଲି, ପଢ଼ିଲି ଓ ଦୁନିଆକୁ ଚିହ୍ନିବା ଶିଖିଲି । ଯେତେବେଳେ ଭଲ ମନ୍ଦ ବିଷୟରେ ଜାଣିବାକୁ ଲାଗିଲି ସେ ସମୟରେ ମୁଁ ପ୍ରତ୍ୟକ ପୁରୁଷ ଆଖିରେ ନାରୀ କୁ ଗୋଟେ ଭୋଗ୍ୟ ପଦାର୍ଥ ବୋଲି ପରିଚୟ ପାଇଲି । ରାସ୍ତାରେ ଗଲାବେଳେ , ସ୍କୁଲରେ ପଢିଲା ବେଳେ, ସିନେମା ଦେଖିଲା ବେଳେ କି ବଜାରରେ ବୁଲିଲା ବେଳେ ମୁଁ ନିଜକୁ ଅସୁରକ୍ଷିତ ମନେ କଲି । ସେତବେଳେ ତୁ ମୋତେ ମୋ ନିଜ ଶରୀରକୁ ଅନ୍ୟଠାରୁ ଲୁଚେଇ ରଖିବା ଶିଖେଇଲୁ । ମୋ ବିଦ୍ରୋହୀ ମନ ମାନୁନଥିଲା । ମୁଁ କାହିଁ ପୁଅଟିଏ ପରି ମନ ଖୋଲି ବୁଲି ପାରିବିନି ଏହି କଥା ମୁଣ୍ଡରେ ସବୁବେଳେ ପଶୁଥିଲା । କାହିଁ କରିପାରିବିନିର ଉତ୍ତର ମୁଁ ସେଦିନ ପାଇଲି ଯେଉଁଦିନ ମୋତେ ମୋ ଇଛା ବିରୁଦ୍ଧରେ ଜଣେ ପୁଅ ଅଶଦା ଆଚରଣ କଲା । ତା ନା ରେ କେଶ କରିବାକୁ ଯିବା ସମୟରେ ବାପା ଲୋକ ଲଜ୍ୟା ଭୟରେ ମୋତେ ଡରଇ ଧମକେଇ ମନା କଲେ । ସେଦିନ ଜାଣିଲି ଭଦ୍ରଲୋକଙ୍କ ଝିଅ ବଳାତ୍କାରର ଶିକାର ହେଲେ ତାର ବାହାରେ ବୁଲିବା ଉପରେ ଅଙ୍କୁଶ ଲଗାଯାଏ ସିନା କିନ୍ତୁ ଆଜିର ସମାଜ, ଆଜିର ଗଣମାଧ୍ୟମ ଆଉ ଆଜିର ନ୍ୟାୟ ବ୍ୟବସ୍ଥା ତାକୁ ନ୍ୟାୟ ଦେଇ ପରେ ନାହିଁ । କାରଣ ମୋର ଅନ୍ୟ ଜଣେ ସାଙ୍ଗର ବଳାତ୍କାର ମାମଲାରେ ଯେବେ ମୁଁ ସାଖ୍ୟ ଦେବା ପାଇଁ ଯାଇଥିଲି ସେତେବେଳେ ନ୍ୟାୟାଳୟରେ ଆମ ପ୍ରତି ଗୋଟେ ଉପହାସର ହସ ସମସ୍ତଙ୍କ ମୁଁହରେ ଫୁଟିଉଠୁଥିବାର ମୁଁ ଅନୁଭବ କଲି ।

ନିଜର ଜୀବନର ସବୁ ଦୁଃଖ କଷ୍ଟକୁ କହିବା ପାଇଁ ମଣିଷର ଗୋଟେ ସାଥିଟିଏ ଲୋଡ଼ା । ସେମିତି ଏକ ପିଲାକୁ ମୁଁ ମୋ ଜୀବନରେ ଭେଟିଲି ମୋ କଲେଜ ପଢିବା ସମୟରେ । ଆମେ ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲୁ । ମୋ ନୀତିଦିନ ର କଷ୍ଟକୁ ମୁଁ ତା ଆଗରେ କହି ମୋ ମନକୁ ହାଲୁକା କରୁଥିଲି । ଆମ ଭଲପାଇବାରେ ମନର ଆକର୍ଷଣ ଥିଲା ସତ ହେଲେ ଶାରୀରିକ ଆକର୍ଷଣକୁ ଆମେ ଆମ ଆୟତ୍ତରେ ରଖି ଆଗକୁ ବଢ଼ୁଥିଲୁ । ହେଲେ ଦୁଇଟି ହୃଦୟର ଭଲପାଇବା ଏ ସମାଜ ଆଖିରେ ଅଶୋଭନୀୟ । ଆଉ କାନକୁ କାନ ଡେଇଁ କଥା ପହଁଚିଲା ଆସି ବାପାଙ୍କ କାନରେ । ଆଉ ତୁ ସେ ନିଆଁରେ ଘିଅ ଢାଳି ଚାଲିଲୁ । ପଚାରିବାରୁ କାରଣ ଦେଲୁ ସେ ପୁଅଟି କୁଆଡେ ଅଜାତି । ମାମା, କହିଲୁ ଦେଖି ପ୍ରେମର କଣ କିଛି ଜାତି, ଧର୍ମ ଥାଏ କି ? ମନ ମିଶିଗଲେ ତ ପ୍ରେମ ହୋଇଯାଏ । ଛାଡ଼ ସେ କଥା , ଯିଏ ନିଜ ଜୀବନର ଯନ୍ତ୍ରଣାକୁ ପତି ପରମେଶ୍ୱରଙ୍କ ଆଶୀର୍ବାଦ ଭାବି ଚିର ପୂଜା କରେ ତା ଠାରୁ ଅଧିକ ମୁଁ କଣ ବା ଆଶା କରିଥାନ୍ତି ?

ତୋ ବିରୋଧାଭାସ ଫଳରେ ମୋ ପାଠପଢା ଅଧାରୁ ବନ୍ଦ କରି ବାପା ମୋର ବାହାଘର ନିଜ ଇଛା ମୁତାବକ ମୋ ମତାମତ ବିନା ଜଣେ ପୁଅ ସହ କରିଦେଲେ । ହଁ , ଏ ସମାଜରେ ତ ବାହାଘର ବେଳେ ଝିଅଙ୍କ ମତାମତ ଠାରୁ ଅଧିକ ବାପା ମା ଙ୍କ ବନ୍ଧୁ ମର୍ଯ୍ୟାଦା ଉପରେ ନିର୍ଭର କରେ । ପୁଅ ପିଲାଟିର ସାର୍ଟିଫିକେଟ ହେଉଛି ତାର ରୋଜଗାର । ପୁରୁଷ ପୁଅ ମଦ ଗଂଜେଇରେ ବୁଡି ରହିଲେ ବି ସେ ଯୋଗ୍ୟ ବରପାତ୍ର ଯଦି ମୋଟା ଅଙ୍କର ପଇସା କମାଉଛି । ଆରେ ଆଜିକାଲିକା ବାପା ମା ଙ୍କୁ କିଏ ତା ଟିକେ ବୁଝାଅ ଯେ ଝିଅଟିଏ ଖାଲି ପଇସା ପାଇଲେ ସୁଖରେ ରହିବନି । ତାକୁ ଦରକାର ତା ମନକୁ ବୁଝି ପାରୁଥିବା ମନର ମଣିଷଟିଏ ।

ଜାଣିଛୁ ମାମା, ମୋ ଚଉଠି ରାତିରେ ସେ ପୁଅ ଟାଙ୍କେ ମଦ ପିଇ ଆସିଲା । ମୋର ଘୃଣା ସତ୍ୱେ ମୋ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା । ସେଇଟାକୁ କଣ ବଳତ୍କାର କୁହାଯିବନି ? ନା ଆଜିକା ସଭ୍ୟ ସମାଜ ପାଇଁ ସେଇଟା ବଳାତ୍କାର ନୁହେଁ , କାରଣ ସେସବୁ କରିବା ପାଇଁ ବାହା ହେଲା ପରେ ପୁଅଟି ଲାଇସେନ୍ସ ପାଇଁ ଯାଇଛି ପରା ।କଥା ସେତିକିରେ ସରିଲାନି, ତାପରଦିନ ଯେତେବେଳେ ସକାଳୁ ମୋ ଚାଦରରେ ନାଲି ଦାଗ ମୋ ନଣନ୍ଦ ଆଉ ଶାଶୁ ମା ପାଇଲେ ନାହିଁ ଆରମ୍ଭ ହେଲା ଘରେ ମହାଭାରତ । କହିଲୁ ମାମା ଗୋଟେ ନାରୀ ପାଇଁ ତା ସତୀତ୍ଵର ପ୍ରମାଣ ଦେବା କେତେ ଯନ୍ତ୍ରଣା ଦାୟକ ? ଆଉ ମୁଁ ତା ପ୍ରଶ୍ନ କରିବି ଯେ ଗୋଟେ ଝିଅଟେ କାହିଁ ତା ସତୀତ୍ଵର ପ୍ରମାଣ ଦେବ ? କାହିଁ ସେ ପୁଅଟି ତା ଦେଉନି ତା ସତୀତ୍ଵର ପ୍ରମାଣ ? ବାହାହେଲା ପୂର୍ବରୁ ଓ ପରେ ଗୋଟେ ପୁଅ ଚାହିଁଲେ ହଜାରେ ଝିଅଙ୍କ ସୁଖ ନେଇ ପାରିବ ଆଉ ସେ ସତ୍ୟବାନ ବୋଲାଇବ କିନ୍ତୁ ମୋ ପରି ଝିଅଟିଏ ଭୁଲ ନଥାଇ ମଧ୍ୟ ଅସତୀ କୁହାଯିବ ଏଇଟା କୋଉଠିକାର ନ୍ୟାୟ ?ସେଇ ସବୁ ଅପବାଦ, ଅଧିକ ପଇସାର ଲୋଭ , ନଷ୍ଟ ଚରିତ୍ର ସ୍ୱାମୀ, ମାନବିକତା ହୀନ ଶାଶୁ ଶଶୁର ଓ ନଣନ୍ଦଙ୍କ ପାଖରେ ରହି ମୋ ଜୀବନକୁ ନଷ୍ଟ କରିବା ଅପେକ୍ଷା ମୁଁ ମୋ ଜୀବନର ସ୍ୱାଧୀନତାକୁ ବାଛି ନେବାକୁ ଉଚିତ ମନେ କଲି । କାହାକୁ କିଛି ନଜଣେଇ ବାହାରି ପଡିଲି ମୋ ସୁଖର ସନ୍ଧାନରେ ।

ଆଜି ବର୍ଷେ ପରେ ମୁଁ ମୋ ନିଜ ଗୋଡ଼ରେ ଠିଆ ହୋଇ ପାରିଛି । ମୋ ପାଠପଢା ଶେଷ କରି ଚାକିରିଟିଏ କରିଛି । ନିଜ ପସନ୍ଦର ଜୀବନ ସାଥି ସହ ଜୀବନକୁ ଉପଭୋଗ କରୁଛି । ଏହା ଭିତରେ ମୋ ଅତୀତକୁ ମୋ ସମ୍ପର୍କ ଯୋଡ଼ୁଥିବା ସବୁ ମାଧ୍ୟମକୁ ମୁଁ କାଟିସାରିଛି କେବଳ ମୋ ନା ଆଉ ପରିଚୟକୁ ଛାଡି । ତୋ ସହ ମୋର ଏହା ଶେଷ ସମ୍ପର୍କ ଥିଲା ଯାହା ଏ ଚିଠି ସାରିବା ସହ ସରିଯିବା । ମାମା, ଶେଷରେ ଏତିକି କହିବି ନାରୀଟିଏ ଆଉ ଅବଳା, ଦୁର୍ବଳା ନୁହେଁ କି ପରର ଆଶ୍ରୟୀ ନୁହେଁ । ନାରୀ ଯଦି ଚାହିଁବ ଏ ଦୁନିଆକୁ ତା ଆଖିର ଜ୍ୱାଳାରେ ଧ୍ବଂସ କରିଦେଇ ପାରିବ । ଯେମିତି ଲତାଟିଏ ପରା ଆଶ୍ରୟରେ ବଢିବା ଶିଖିଛି ଆଉ ଗୁଡେଇ ହୋଇ ଅନ୍ୟକୁ ଦମନ କରିବା ଶିଖିଛି ସେମିତି ନାରୀ ଅନ୍ୟ ଆଶ୍ରୟରେ ବଢିବ ଆଉ ଦରକାର ପଡିଲେ ଅନ୍ୟର ବିନାଶର କାରଣ ବି ହେବ ।

ଇତି 

ତୋର ଝିଅ 


Rate this content
Log in

Similar oriya story from Fantasy