Kulamani Sarangi

Classics Children

3  

Kulamani Sarangi

Classics Children

କଥା କଦମ୍ବରୀ ଭାଗ ୯୪

କଥା କଦମ୍ବରୀ ଭାଗ ୯୪

4 mins
186


କଥା କାଦମ୍ବରୀ

ଭାଗ ୯୪


ଅଶ୍ଵତ୍ଥାମା ହତ...ନରେ ବା କୁଞ୍ଜରେ


ଦ୍ରୋଣାଚାର୍ଯ୍ୟଙ୍କ ସେନାପତିତ୍ବ ସମୟରେ ମହାଭାରତ ପ୍ରାଙ୍ଗଣରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଲା।ଯୁଦ୍ଧର ସମସ୍ତ ନୀତି ନିୟମକୁ ଶୂନ୍ୟକୁ ଫିଙ୍ଗିଦେଇ ବୀରମାନେ ପରସ୍ପର ମଧ୍ୟରେ ଲଢେ଼ଇ କରୁଥିଲେ; ଦିନରାତିର ବାଛବିଚାର ରହିଲା ନାହିଁ। ରାତିର ଘୋର ଅନ୍ଧକାର ଭିତରେ ଆଲୋକ ବର୍ତ୍ତିକା ହାତରେ ଧରି ଭୟଙ୍କର ଯୁଦ୍ଧ ଚାଲିଥିଲା।ଏଭଳି ଅନ୍ଧକାର ଭିତରେ ଯୁଦ୍ଧ ଭୀମସେନଙ୍କ ପୁତ୍ର ଘଟୋତ୍କଚ ଏବଂ ତାଙ୍କର ରାକ୍ଷସ ବାହିନୀ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିଲା। 


ମହାଭାରତରେ ଦୁଇଟି ଯୁବଚରିତ୍ର ସେମାନଙ୍କ ଅସୀମ ବୀରତ୍ବ ପାଇଁ ପ୍ରସିଦ୍ଧ ଥିଲେ;ଜଣେ ଥିଲା ଅଭିମନ୍ୟୁ, ଦ୍ବିତୀୟ ଭୀମସେନଙ୍କ ହିଡିମ୍ବା ରାକ୍ଷସୀ ଗର୍ଭରୁ ଜାତ ପୁତ୍ର ଘଟୋତ୍କଚ।ଘଟୋତ୍କଚର ସଂହାର ଲୀଳା କୌରବ ପକ୍ଷରେ ପ୍ରଭୁତ କ୍ଷତି ସାଧନ କଲା।ପର୍ବତ ସମାନ ଶରୀର ଧାରଣ କରିଥିବା ଘଟୋତ୍କଚ ଆକାଶମାର୍ଗରୁ ଆକ୍ରମଣ କରି ଅବଲୀଳା କ୍ରମେ କୁରୁସୈନ୍ୟ ନିହତ କରିବାରେ ଲାଗିଲା। ଏହି ଦୁର୍ଦ୍ଦାନ୍ତ ରାକ୍ଷସବୀରକୁ ସାମ୍ନା କରିବାକୁ କୌରବଙ୍କ ପକ୍ଷରେ କର୍ଣ୍ଣଙ୍କ ବ୍ୟତୀତ ଅନ୍ୟ କେହି ସମର୍ଥ ନ'ଥିଲେ। କର୍ଣ୍ଣଙ୍କ ସହିତ ଘଟୋତ୍କଚର ଭୟଙ୍କର ଯୁଦ୍ଧ ଲାଗି ରହିଥିଲା।ଏହାର ପରିଣତି କଣ ହେବ କେହି ଅନୁମାନ ମଧ୍ୟ କରିପାରୁନଥିଲେ।


କର୍ଣ୍ଣଙ୍କ ପାଖରେ ଏକ ଅମୋଘ ଶକ୍ତି ରହିଥିଲା। ସେହି ଶକ୍ତି ସେ ଇନ୍ଦ୍ରଙ୍କଠାରୁ ବରଦାନ ସ୍ବରୂପ ପାଇଥିଲେ।କର୍ଣ୍ଣ ମହାଦାନୀ ଥିଲେ।ଇନ୍ଦ୍ର, ଦାନ ସୁତ୍ରରେ କର୍ଣ୍ଣଙ୍କ ଠାରୁ କବଚ କୁଣ୍ଡଳ ମାଗି ନେଇଥିଲେ,କାରଣ ସେ ନିଜ ପୁତ୍ର ଅର୍ଜୁନଙ୍କୁ କର୍ଣ୍ଣଙ୍କ ବିପକ୍ଷରେ ଶକ୍ତିମାନ କରିବାକୁ ଚାହୁଁଥିଲେ। ସେହି ସମୟରେ କର୍ଣ୍ଣଙ୍କ ବଦାନ୍ୟତାରେ ସନ୍ତୁଷ୍ଟ ଇନ୍ଦ୍ର, କର୍ଣ୍ଣଙ୍କୁ ବର ଦେବାପାଇଁ ଇଚ୍ଛୁକ ହେବାରୁ ସେ ଇନ୍ଦ୍ରଙ୍କଠାରୁ ଅମୋଘ ଶକ୍ତି ମାଗି ନେଇଥିଲେ। ଯାହା ଉପରେ ସେ ଶକ୍ତି ପ୍ରୟୋଗ କରିବେ ତାର ମୃତ୍ୟୁ ନିଶ୍ଚିତ। କିନ୍ତୁ ଥରେ ପ୍ରୟୋଗ କରିବାପରେ ସେ ଶକ୍ତି ଇନ୍ଦ୍ରଙ୍କ ପାଖକୁ ଫେରିଯିବ...ଏହା ଥିଲା ଶକ୍ତି ପ୍ରଦାନ ସମୟରେ ଇନ୍ଦ୍ରଙ୍କ ସର୍ତ୍ତ।କର୍ଣ୍ଣ ସେହି ଶକ୍ତି, ଆବଶ୍ୟକ ସମୟରେ ଅର୍ଜୁନଙ୍କ ବିରୁଦ୍ଧରେ ପ୍ରୟୋଗ କରିବାପାଇଁ ନିଜ ପାଖରେ ରଖିଥିଲେ।


ଘଟୋତ୍କଚର ଧ୍ବଂସ ଲୀଳା ଦେଖି ଦୁର୍ଯ୍ୟୋଧନ କର୍ଣ୍ଣଙ୍କୁ କହିଲେ..ମିତ୍ର ! ଏହି ରାକ୍ଷସ କୌରବ ପକ୍ଷରେ ଅପୂରଣୀୟ କ୍ଷତି କରିସାରିଲାଣି।ମହାକାଶରେ ରହି ଶୂନ୍ୟରୁ ବାଣ ବର୍ଷଣ କରି ଏହି ଦୁଷ୍ଟ ଆମପକ୍ଷକୁ ଧ୍ବସ୍ତବିଧ୍ବସ୍ତ କରିସାରିଲାଣି। ଆଉ କାଳବିଳମ୍ବ ନକରି ତାକୁ ବଧ କର,ନହେଲେ ଅବିଳମ୍ବେ ସେ ଆମ ସମସ୍ତଙ୍କୁ ମୃତ୍ୟୁପୁରୀ ପଠାଇଦେବ।


ଘଟୋତ୍କଚର ଭୟଙ୍କର ଯୁଦ୍ଧରେ କୌରବ-ପକ୍ଷ ଧ୍ବଂସର ଦ୍ୱାରଦେଶରେ ଦଣ୍ଡାୟମାନ ଦେଖି କର୍ଣ୍ଣ ବାଧ୍ୟହୋଇ,ଇନ୍ଦ୍ରଦତ୍ତ ସେହି ଅମୋଘ ଶକ୍ତି ଘଟୋତ୍କଚ ଉପରେ ପ୍ରୟୋଗ କଲେ। କର୍ଣ୍ଣଙ୍କ ଅମୋଘ ଶକ୍ତି ପର୍ବତ ସଦୃଶ ରାକ୍ଷସ ଘଟୋତ୍କଚର ବକ୍ଷ ଭେଦ କଲା।ଘୋର ଗର୍ଜନକରି ଭୂମିରେ ପତିତ ହେବାକୁ ଯାଉଥିଲା ତା'ର ବିଶାଳ ଶରୀର। ଯେଉଁ ପକ୍ଷରେ ପତିତ ହେବ ଶହ ଶହ ସୈନ୍ୟ ସେ ପର୍ବତାକାର ଶରୀର ତଳେ ଚାପି ହୋଇ ମୃତ୍ୟୁ ବରଣ କରିବେ।ଏହା ଦେଖି ଭୀମସେନ ଘଟୋତ୍କଚକୁ ସମ୍ବୋଧନ କରି କହିଲେ...ପୁତ୍ର ! ପାଣ୍ଡବ ପକ୍ଷ ନୁହେଁ, କୌରବ ସୈନ୍ୟ ମାନଙ୍କ ଉପରେ ଶରୀରକୁ ନିପତିତ କର ।"ସେହି ଅନୁସାରେ ଘଟୋତ୍କଚ ନିଜ ଶରୀରକୁ କୌରବସୈନ୍ୟଙ୍କ ଉପରେ ନିପତିତ କଲା; କୌରବପକ୍ଷର ଶହ ଶହ ସୈନ୍ୟ ତା'ଶରୀର ତଳେ ଚାପି ହୋଇ ପ୍ରାଣ ହରାଇଲେ।


ଭୀମସେନଙ୍କ ବୀରପୁତ୍ର ଘଟୋତ୍କଚ ସିନା ବୀରଗତି ପ୍ରାପ୍ତ ହେଲା କିନ୍ତୁ କର୍ଣ୍ଣଙ୍କ ଦ୍ବାରା ଶକ୍ତିର ପ୍ରୟୋଗ ଯୋଗୁଁ ଅର୍ଜୁନଙ୍କ ପ୍ରାଣରକ୍ଷା ହୋଇଗଲା।


ବୀର ପୁତ୍ରର ମୃତ୍ୟୁରେ ଭୟଙ୍କର ଗର୍ଜନ କରି ପ୍ରଳୟଙ୍କରୀ ଯୁଦ୍ଧରେ ମଜ୍ଜିଗଲେ ଭୀମସେନ। ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ତାଙ୍କର ସମସ୍ତ ଯୁଦ୍ଧକୌଶଳ ପ୍ରୟୋଗ କରି କଦଳୀ ବନରେ ହସ୍ତୀ ପରି ପାଣ୍ଡବ ପକ୍ଷକୁ ଦଳିତ ମଥିତ କରି ଦେଲେ। ଦ୍ରୋଣାଚାର୍ଯ୍ୟଙ୍କର ଏହି ଭୟଙ୍କର ରୂପ ଦେଖି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ...ପାର୍ଥ ! ଏହି ବ୍ରାହ୍ମଣ ଯେବେ ଆଉ ଦିନେ ଦୁଇଦିନ ଯୁଦ୍ଧ କରିବେ ତାହେଲେ ଆମ ଯୁଦ୍ଧ ଜିଣିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ। ଦ୍ରୋଣଙ୍କୁ କପଟ ଯୁଦ୍ଧରେ ହିଁ ପରାସ୍ତ କରି ମୃତ୍ୟୁ ଲୋକକୁ ପଠାବା ଆବଶ୍ୟକ।ଯେବେ କୌଣସି ପ୍ରକାରେ ତାଙ୍କ ମନରେ ବିଶ୍ବାସ ସୃଷ୍ଟି କରାଯିବ ଯେ ତାଙ୍କ ପୁତ୍ର ଅଶ୍ଵତ୍ଥାମା ଯୁଦ୍ଧରେ ମୃତ୍ୟୁ ବରଣ କରିଛନ୍ତି, ପୁତ୍ର ଶୋକରେ ମ୍ରିୟମାଣ ହୋଇ ସେ ଅସ୍ତ୍ର ତ୍ୟାଗ କରିବେ।ସେହି ସମୟରେ, ତାଙ୍କ ମୃତ୍ୟୁ ପାଇଁ ଯଜ୍ଞରୁ ସମ୍ଭୂତ ଧୃଷ୍ଟଦ୍ୟୁମ୍ନ ତାଙ୍କୁ ନିହତ କରିବେ।"


ଶ୍ରୀକୃଷ୍ଣଙ୍କର ଏହି ପ୍ରସ୍ତାବରେ ଶିହରୀ ଉଠିଲେ ଧନଞ୍ଜୟ, କହିଲେ..ଏହା ତ ଘୋର ଅନ୍ୟାୟ ମାଧବ !!

ଶ୍ରୀକୃଷ୍ଣ କହିଲେ.. କେଉଁ ନ୍ୟାୟ କାମଟି କରିଛନ୍ତି ଦ୍ରୋଣାଚାର୍ଯ୍ୟ ? ଚକ୍ରବ୍ୟୁହ ଭିତରେ ନିରସ୍ତ୍ର ଅଭିମନ୍ୟୁକୁ ସପ୍ତରଥି ମିଳିତ ହୋଇ ହତ୍ୟା କରିବା କଣ ମହାପୁଣ୍ୟ କର୍ମ ? ବ୍ରାହ୍ମଣ ହୋଇ,କୌଳିକ କର୍ମ ନକରି,ନିଜ ରାଜ୍ୟ ଅହିଛତ୍ର ତ୍ୟାଗକରି ଅନ୍ୟାୟୀ, ଅଧର୍ମୀ କୌରବପକ୍ଷରେ ରହି,ଧର୍ମପଥାଚାରୀ ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ କରିବା କେଉଁ ପୁଣ୍ୟକର୍ମ ପାର୍ଥ !ଦ୍ୟୂତ କ୍ରୀଡା ସମୟରେ ପୂର୍ଣ୍ଣ କୁରୁ ସଭା ତଳେ ଦ୍ରୌପଦୀଙ୍କ ବସ୍ତ୍ର ହରଣକୁ ନିରବ ସମର୍ଥନ ଦେବା କେଉଁ ଧର୍ମ କାର୍ଯ୍ୟ ପାର୍ଥ ? କଥାରେ ଅଛି... 'ଅଧର୍ମୀ ସହିତ ଧର୍ମ ନୁହେଁ ପାଳିବାର କପଟୀ ସହିତ କର କପଟ ବେଭାର।'ଧର୍ମରାଜ୍ୟ ପ୍ରତିଷ୍ଠା କରିବାପାଇଁ ହେଲେ ପଥରୋଧ କରୁଥିବା ଏହିଭଳି କିଛି ଶକ୍ତିକୁ କଳେ, ବଳେ କୌଶଳେ ଦୂର କରିବାକୁ ପଡ଼ିବ।


ଯୁଧିଷ୍ଠିର ଭୀମ ଏବଂ ଅର୍ଜୁନଙ୍କୁ ପୁତ୍ର ଅଭିମନ୍ୟୁର ଅନ୍ୟାୟ ଯୁଦ୍ଧରେ ମୃତ୍ୟୁ କଥା ମନେପକାଇଦେଇ ଶ୍ରୀକୃଷ୍ଣ ସମସ୍ତଙ୍କ ସମର୍ଥନ ହାସଲ କରିନେଲେ। ଯୋଜନା ଅନୁଯାୟୀ ଭୀମ, ଯୁଦ୍ଧ କ୍ଷେତ୍ରରେ ଥିବା "ଅଶ୍ଵତ୍ଥାମା" ନାମକ ଗୋଟିଏ ହସ୍ତୀକୁ ବଧ କରି ଦ୍ରୋଣାଚାର୍ଯ୍ୟଙ୍କ ଅଗରେ କହିବେ ଯେ ସେ ଗୁରୁପୁତ୍ର ଅଶ୍ଵତ୍ଥାମାଙ୍କୁ ବଧ କରିଛନ୍ତି। ଦ୍ରୋଣ ଏକଥା କାହିଁକି ବା ବିଶ୍ବାସ କରିବେ?ସେ ନିଶ୍ଚୟ ସଦାସତ୍ୟବାଦୀ ଯୁଧିଷ୍ଠିରଙ୍କଠାରୁ ଏହାର ସତ୍ୟତା ଜାଣିବାକୁ ଚାହିଁବେ। ଯୁଧିଷ୍ଠିର କହିବେ ଯେ ... ହଁ ଅଶ୍ଵତ୍ଥାମା ହତ; ଏହା ପରେ, ଦ୍ରୋଣାଚାର୍ଯ୍ୟ ନଶୁଣି ପାରିବା ଭଳି ଧୀର ସ୍ବରରେ କହିବେ...ନରେ ବା କୁଞ୍ଜରେ। ଏହାଦ୍ବାରା ଯୁଧିଷ୍ଠିର ମିଥ୍ୟାବାଦୀ ବୋଲି ପ୍ରମାଣିତ ହେବନାହିଁ ଏବଂ କାର୍ଯ୍ୟ ସାଧିତ ହୋଇ ପାରିବ। ପୁତ୍ର ଶୋକରେ ମ୍ରିୟମାଣ ଦ୍ରୋଣ ଅସ୍ତ୍ର ତ୍ୟାଗକରି ରଥରେ ଧ୍ୟାନ ମୁଦ୍ରାରେ ରହିଥିବା ସମୟରେ ଧୃଷ୍ଟଦ୍ୟୁମ୍ନ ତାଙ୍କୁ ବଧ କରିବେ। 


ଯୋଜନା ଅନୁଯାୟୀ ଭୀମସେନ ଯୁଦ୍ଧ କ୍ଷେତ୍ରରେ ଥିବା, ଅଶ୍ଵତ୍ଥାମା ନାମକ ଏକ ବିଶାଳ ହସ୍ତୀକୁ ବଧକରି ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଆସି ପ୍ରଚାର କଲେ ଯେ‌ ସେ ଅଶ୍ଵତ୍ଥାମାଙ୍କୁ ବଧ କରିଛନ୍ତି। ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କ ଠାରୁ ସତ୍ୟତା ଜାଣିବାକୁ ଚାହିଁଲେ। ଯୁଧିଷ୍ଠିର କହିଲେ... ହଁ ଗୁରୁଦେବ! ଅଶ୍ଵତ୍ଥାମା ହତ; ତା'ପରେ ଧୀର କଣ୍ଠରେ କହିଲେ ..ନରେ ବା କୁଞ୍ଜରେ।


ପୁତ୍ର ଶୋକରେ ମ୍ରିୟମାଣ ଦ୍ରୋଣଙ୍କୁ ଭୀମସେନ ଝିଙ୍ଗାସିବା ଆରମ୍ଵ କରି କହିଲେ..ହେ ବ୍ରାହ୍ମଣ!ନିଜ କୌଳିକ କର୍ମ ତ୍ୟାଗ କରି କ୍ଷତ୍ରିୟଙ୍କ ରାଜନୀତିରେ ନିଜକୁ ସଂପୃକ୍ତ କରି କେଉଁ ଉଦ୍ଦେଶ୍ୟରେ ଏଠାରେ ଅଧର୍ମପଥଗାମୀ କୌରବଙ୍କସହାୟତା କରୁଛ?ତୁମ ଭଳି ବିପଥଗାମୀ ବ୍ରାହ୍ମଣ ମାନଙ୍କ ପାଇଁ କ୍ଷତ୍ରିୟ ମାନେ ମଧ୍ୟ ବିପଥଗାମୀ ହେଉଛନ୍ତି।ନିଜ କର୍ମଫଳ ଏବେ ଭୋଗକର ବ୍ରାହ୍ମଣ,ପୁତ୍ରହୀନ ହୋଇ ଏବେ ପୁତ୍ ନର୍କଗାମୀ ହୁଅ।"


ଭୀମଙ୍କଠାରୁ ଏପରି ଝିଙ୍ଗାସ ଶୁଣି ପୁତ୍ର ଶୋକରେ ଅଧୀର ଦ୍ରୋଣ ଅସ୍ତ୍ର ତ୍ୟାଗକରେ ନିଜ ରଥରେ ଧ୍ୟାନ ମୁଦ୍ରାରେ ବସିଗଲେ। କାଳବିଳମ୍ବ ନକରି ଧୃଷ୍ଟଦ୍ୟୁମ୍ନ ଖଡ୍ଗରେ ଦ୍ରୋଣାଚାର୍ଯ୍ୟଙ୍କ ମସ୍ତକ ଶରୀରରୁ ବିଚ୍ୟୁତ କଲେ।



Rate this content
Log in

Similar oriya story from Classics