Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୮୦

କଥା କାଦମ୍ବରୀଭାଗ ୮୦

4 mins
192



ମହାଭାରତ ଯୁଦ୍ଧର ପୂର୍ବଦିନ କଥା। ଭୀଷ୍ମଙ୍କୁ ସେନାପତି ପଦରେ ବରଣ କରି ତାଙ୍କର ଭୂୟସୀ ପ୍ରଶଂସା କରି ଦୁର୍ଯ୍ୟୋଧନ କୌରବ ବାହିନୀର ମନୋବଳ ବୃଦ୍ଧି କରିବା ପ୍ରୟାସ କରୁଥାନ୍ତି। ଭୀଷ୍ମଙ୍କୁ ଯୋଡହସ୍ତ ହୋଇ ଦୁର୍ଯ୍ୟୋଧନ କହିଲେ ...ହେ କ୍ଷତ୍ରିୟ ଶ୍ରେଷ୍ଠ ! ଆପଣ ଦେବ-ସେନାପତି କାର୍ତ୍ତିକେୟଙ୍କ ସଦୃଶ;ଆପଣଙ୍କ ସେନାପତିତ୍ବରେ ଆମ୍ଭେମାନେ ନିଶ୍ଚିତ ଭାବରେ ଜୟଯୁକ୍ତ ହେବୁ।ବୃଷଭ ପଛରେ ବାଛୁରୀ ଭଳି ଯୁଦ୍ଧରେ ଆମେ ଆପଣଙ୍କ ଅନୁସରଣ କରିବୁ।


ପିତାମହ ଗମ୍ଭୀରତା ସହିତ କହିଲେ ..ପୁତ୍ର ଦୁର୍ଯ୍ୟୋଧନ ! ଏହା ସତ୍ୟ ଯେ ମୁଁ ତୁମର ସେନାପତି,ଯୁଦ୍ଧରେ କୌରବ ପକ୍ଷ ବିଜୟଶ୍ରୀ ମଣ୍ଡିତ ହେବାପାଇଁ ମୁଁ ସମସ୍ତ ପ୍ରୟାସ କରିବି। କିନ୍ତୁ ପୁତ୍ର ! ତୁମେ ଜାଣି ରଖିବା ଉଚିତ ଯେ ତୁମେ ଯେପରି ମୋର ପ୍ରିୟ, ପାଣ୍ଡୁ-ପୁତ୍ରମାନେ ମଧ୍ୟ ମୋର ସେହିପରି ପ୍ରିୟ। ଯେଉଁ ସେନାପତି ଦାୟିତ୍ଵ ତୁମେ ମୋତେ ପ୍ରଦାନ କରିଛ, ତାହା ସମ୍ପନ୍ନ କରି ପ୍ରତିଦିନ ମୁଁ ଶତ ଶତ ପାଣ୍ଡବ ସେନା ନିହତ କରିବି, କିନ୍ତୁ ପାଣ୍ଡୁ ପୁତ୍ର ମାନଙ୍କ ମଧ୍ୟରୁ କାହାରି ମଧ୍ୟ ପ୍ରାଣ ନେଇ ପାରିବି ନାହିଁ। ହସ୍ତିନାର ସିଂହାସନ ସହିତ ମୁଁ ବନ୍ଧା ପୁତ୍ର, ସିଂହାସନ ରକ୍ଷା କରିବା ମୋର କର୍ତ୍ତବ୍ୟ ଏବଂ ତାହା ସମ୍ପାଦନ କରିବା ପାଇଁ ମୁଁ ସତ୍ୟବଦ୍ଧ । 


ଏହି ଧ୍ବଂସକାରୀ ଯୁଦ୍ଧ ସପକ୍ଷରେ ମୁଁ କେବେ ମଧ୍ୟ ନଥିଲି।ମୋ ଉପଦେଶ ନମାନି ତୁମେ ଯୁଦ୍ଧକୁ ଲମ୍ଫ ଦେଇଛ, ସେଥିପାଇଁ ମୁଁ ଗଭୀର ମର୍ମାହତ; କିନ୍ତୁ ମୋ ଦାୟିତ୍ଵ ତୁଲାଇବାରେ ମୁଁ କଦାପି ଅବହେଳା କରିବି ନାହିଁ।


କିଛି ନିରବତା ପରେ ଭୀଷ୍ମ କହିଲେ ..ଆଉ ଗୋଟିଏ କଥା ପୁତ୍ର ଦୁର୍ଯ୍ୟୋଧନ ! ତୁମର ପ୍ରିୟ ମିତ୍ର ଅଙ୍ଗରାଜ କର୍ଣ୍ଣ ମୋ ସେନାପତିତ୍ବରେ ସନ୍ତୁଷ୍ଟ ନୁହଁନ୍ତି।ମୋର ପ୍ରତ୍ୟେକେ କଥା ଏବଂ କାର୍ଯ୍ୟ ତାଙ୍କର ପସନ୍ଦ ନୁହେଁ। ତେଣୁ ତୁମେ ମୋ ସ୍ଥାନରେ ଅଙ୍ଗରାଜ କର୍ଣ୍ଣଙ୍କୁ ସେନାପତି ଦାୟିତ୍ଵ ଦେଇପାର,ମୋର ଆପତ୍ତି ନାହିଁ।"


ପିତାମହ ପୁଣି କହିଲେ କୌରବଙ୍କ ପକ୍ଷରେ ଦ୍ରୋଣ ଶଲ୍ୟ, କୃପାଚାର୍ଯ୍ୟ,ଭୁରିଶ୍ରବା, ଅଶ୍ଵତ୍ଥାମାଙ୍କ ଭଳି ମହାନ ଯୋଦ୍ଧା ରହିଛନ୍ତି, ତେଣୁ ଯୁଦ୍ଧରେ କୌରବଙ୍କ ସ୍ଥିତି ପାଣ୍ଡବ ମାନଙ୍କ ଅପେକ୍ଷା ଦୃଢ, କିନ୍ତୁ ଅଙ୍ଗରାଜ କର୍ଣ୍ଣଙ୍କ ଭଳି ଅହଂକାରୀ,ଅବିନୟୀ,ଏବଂ ଅଯଥା ଫମ୍ପା ଆବାଜ କରୁଥିବା ଯୋଦ୍ଧାଙ୍କ ଉପରେ ତୁମେ ଅତ୍ୟଧିକ ଭରସା କରିବା ଅନୁଚିତ।ସେ ପର୍ଶୁରାମ-ଶିଷ୍ୟ ହୋଇ ପାରନ୍ତି କିନ୍ତୁ ପର୍ଶୁରାମଙ୍କ ଅଭିଶାପ ତାଙ୍କ ମୁଣ୍ଡ ଉପରେ ଖଡ୍ଗ ହୋଇ ଝୁଲୁଛି। ବ୍ରାହ୍ମଣ ଯୁବକ ବୋଲି ମିଥ୍ୟା ପରିଚୟ ଦେଇ ସେ ପର୍ଶୁରାମଙ୍କ ଠାରୁ ବିଦ୍ୟା ଶିକ୍ଷା କରୁଥିଲେ।ଥରେ ଗୁରୁ ପର୍ଶୁରାମ ତାଙ୍କ ଜାନୁ ଉପରେ ମଥା ରଖି ଶୟନ କରିଥିଲେ। ଏହି ସମୟରେ ଭୂମିରୁ ଏକ କୃମ କର୍ଣ୍ଣଙ୍କଜାନୁକୁ ବିଦ୍ଧ କଲା;ବହି ଯାଉଥାଏ ଧାରଧାର ରକ୍ତ। କର୍ଣ୍ଣଙ୍କୁ ଲାଗୁଥିଲା ସତେ ଯେମିତି ଯନ୍ତ୍ରଣାରେ ପ୍ରାଣ ଚାଲିଯିବ। କିନ୍ତୁ ଗୁରୁଙ୍କର ନିଦ୍ରା ଭଙ୍ଗ ହେବା ଡରରେ ସେହିପରି ବସି ରହିଥିଲେ କର୍ଣ୍ଣ। ପର୍ଶୁରାମଙ୍କର ନିଦ୍ରା ଭଙ୍ଗ ହେବାପରେ ଶିଷ୍ୟକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କ ଗୁରୁଭକ୍ତିରେ ନିଶ୍ଚିତ ଭାବରେ ପ୍ରୀତ ହେଲେ ପର୍ଶୁରାମ, କିନ୍ତୁ ତାଙ୍କ ସହନ ଶକ୍ତି ଦେଖି ତାଙ୍କ ବର୍ଣ୍ଣ ଉପରେ ସନ୍ଦେହ ହେଲା। ପର୍ଶୁରାମ ପ୍ରଶ୍ନ କଲେ.. ମୁଁ କେବଳ ବ୍ରାହ୍ମଣ ମାନଙ୍କୁ ପ୍ରଶିକ୍ଷଣ ଦିଏ, କିନ୍ତୁ ତୁମେ କଦାପି ବ୍ରାହ୍ମଣ ନୁହଁ, କାରଣ ଜଣେ ବ୍ରାହ୍ମଣ ଦେହରେ ଏତେ ସହନ ଶକ୍ତି ରହିବା ଅସମ୍ଭବ;କୁହ ଯୁବକ କଣ ତୁମର ବଂଶ ପରିଚୟ?"ସେଦିନ ମୁଖ ଅବନତ କରି କର୍ଣ୍ଣ ନିଜର ପରିଚୟ,"ସୂତପୁତ୍ର କର୍ଣ୍ଣ" ଭାବରେ ପ୍ରଦାନ କରିଥିଲେ।ମହା କ୍ରୋଧରେ ଯାମଦଗ୍ନ୍ୟ କର୍ଣ୍ଣଙ୍କୁ ଅଭିଶାପ ଦେଲେ...ମୋଠାରୁ ତୁମେ ଦିବ୍ୟାସ୍ତ୍ର ପ୍ରୟୋଗର ଯେତେ ମନ୍ତ୍ର ଶିକ୍ଷା କରିଛ,ଆବଶ୍ୟକ ବେଳେ ଯୁଦ୍ଧ କ୍ଷେତ୍ରରେ ତୁମେ ଭୁଲିଯିବ।"


ଅଳ୍ପ ନିରବତା ପରେ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ କହିଲେ.. ଯୁଦ୍ଧ ସମୟରେ ଆବଶ୍ୟକ ବେଳେ ଦିବ୍ୟାସ୍ତ୍ର ମନ୍ତ୍ର ଭୁଲିଯିବା ଯୋଦ୍ଧାର କି ଆବଶ୍ୟକତା ରହିଛି ପୁତ୍ର ଦୁର୍ଯ୍ୟୋଧନ ?"

ପିତାମହଏପରି ଆରୋପ ଲଗାଇବା ଦେଖି କର୍ଣ୍ଣ କ୍ରୋଧରେ କମ୍ପିଉଠି କହିଲେ..ପିତାମହ ! ଆପଣ ସବୁବେଳେ ମୋର ନିନ୍ଦା କରୁଛନ୍ତି,ଏହା ଆପଣଙ୍କ ପାଣ୍ଡବ ପ୍ରୀତି ବ୍ୟତୀତ ଅନ୍ୟ କିଛି ନୁହେଁ।"

ଭୀଷ୍ମ ପୁଣି କହିଲେ..ପୁତ୍ର ଦୁର୍ଯ୍ୟୋଧନ ! ଅଙ୍ଗରାଜଙ୍କ ବକ୍ଷରେ ଯେଉଁ କବଚ ଏବଂ କର୍ଣ୍ଣରେ ଯେଉଁ କୁଣ୍ଡଳ ଥିଲା, ତାହା ତାଙ୍କର ବଳ ବୀର୍ଯକୁ ଶତଗୁଣିତ କରୁଥିଲା। କିନ୍ତୁ ନିଜକୁ ମହାଦାନୀ ବୋଲି ପ୍ରମାଣିତ କରିବାପାଇଁ ସେ ତାହା ଇନ୍ଦ୍ରଙ୍କୁ ଦାନ କରି ଦେଇଛନ୍ତି। ବର୍ତ୍ତମାନ ସେ ମଣି-ହୀନ ସର୍ପ ସହିତ ସମାନ। ଅର୍ଜୁନ ସହିତ ଯୁଦ୍ଧ ସମୟରେ ମନ୍ତ୍ର-ଭୁଲା ଏବଂ କବଚ-ହରା କର୍ଣ୍ଣ ନିଶ୍ଚୟ ନିଜର ପ୍ରାଣ ହରାଇ ବସିବେ।"


ପିତାମହ ଭୀଷ୍ମଙ୍କର କର୍ଣ୍ଣଙ୍କ ଵିଷୟରେ ପ୍ରତିଟି କଥାକୁ ସମର୍ଥନ କରି ଦ୍ରୋଣ କହିଲେ .. କର୍ଣ୍ଣ ମହା ଗର୍ବୀ,ଅବିନୟୀ ଏବଂ ଅତ୍ୟଧିକ ଆତ୍ମାଭିମାନୀ ଏବଂ ଆବଶ୍ୟକରୁ ଅଧିକ ଆତ୍ମବିଶ୍ବାସୀ। ଯେଉଁଠାରେ ଅତ୍ୟଧିକ ଆତ୍ମବିଶ୍ବାସ ସେଠାରେ ଭୁଲ୍ ହେବାର ସମ୍ଭାବନା ଅଧିକ।ଏହା କର୍ଣ୍ଣଙ୍କର ପରାଜୟର କାରଣ।ଦୁଇ ଦୁଇ ଥର ସେ ବଡ ଯୁଦ୍ଧରେ ପରାସ୍ତ ହୋଇଛନ୍ତି...ଥରେ ଘୋଷଯାତ୍ରା ସମୟରେ ଚିତ୍ରସେନ ଗନ୍ଧର୍ବ ହାତରେ ଏବଂ ଆଉଥରେ ମତ୍ସ୍ୟ ଦେଶରେ ଗୋଧନ ହରଣ ସମୟରେ ଅର୍ଜୁନ ହାତରେ।"


ପିତାମହ ଭୀଷ୍ମ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଏଭଳି ଆକ୍ଷେପରେ କ୍ରୋଧରେ ବିସ୍ଫୋରଣ କରି ଉଠିଲେ କର୍ଣ୍ଣ। 

ପିତାମହଙ୍କ ପ୍ରତି ଦୃଷ୍ଟିପାତ କରି ରାଧେୟ କହିଲେ..ମୋ ପ୍ରତି ଆପଣଙ୍କର ଘୃଣା ଯୋଗୁଁ ସର୍ବଦା ଆପଣ ମୋତେ ନିନ୍ଦା କରି ଆସିଛନ୍ତି। ଏପରି କରିବାର କୌଣସି କାରଣ ନଥାଇ ମଧ୍ୟ ଆପଣ ମୋ ସଖା ଦୁର୍ଯ୍ୟୋଧନ ଏବଂ ମୋ ଭିତରେ ମନୋମାଳିନ୍ୟ ସୃଷ୍ଟି କରିବାର ଗୋଟିଏ ମଧ୍ୟ ସୁଯୋଗ ହାତଛଡ଼ା କରିନାହାନ୍ତି।ଆପଣ କହୁଛନ୍ତି ମୁଁ ଯୁଦ୍ଧରେ କୌରବଙ୍କୁ କୌଣସି ସାହାଯ୍ୟ କରିବି ନାହିଁ? ବାସ୍ତବରେ ସତ୍ୟ ତାହା ନୁହେଁ। ମୁଁ କହିରଖେ ପିତାମହ!ଆପଣଙ୍କ ଯୋଗୁଁ କୌରବ ପକ୍ଷରେ ଯୁଦ୍ଧରେ ଅପୂରଣୀୟ କ୍ଷତି ଘଟିବ।ଆପଣଙ୍କ ପାଣ୍ଡବ ପ୍ରୀତି କୌରବଙ୍କ ପରାଜୟର କାରଣ ହୋଇପାରେ।

ସଖା ଦୁର୍ଯ୍ୟୋଧନ ଏବଂ ମୋ ଭିତରେ ମନୋମାଳିନ୍ୟ ସୃଷ୍ଟି କରିବା ପାଇଁ ଆପଣ ମୋତେ ନ୍ୟୂନ ଦେଖାଇବା ପାଇଁ ପ୍ରୟାସ କରୁଛନ୍ତି,ମୋ ବୀରତ୍ବକୁ ଉପହାସ କରିଛନ୍ତି।ଆପଣ ବୟସରେ ବଡ଼, କିନ୍ତୁ ବୟସାଧିକ୍ୟ କେବେ ଶ୍ରେଷ୍ଠତା ପ୍ରଦାନ କରେନାହିଁ।ଆପଣଙ୍କ ବ୍ୟବହାର କ୍ଷତ୍ରିୟୋଚିତ‌ ନୁହେଁ।ଆମର ସମ୍ପର୍କକୁ ବିଷାକ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ପିତାମହ।"


ଦୁର୍ଯ୍ୟୋଧନଙ୍କ ପ୍ରତି ଦୃଷ୍ଟିପାତ କରି କର୍ଣ୍ଣ କହିଲେ..ହେ ମହାନ ଯୋଦ୍ଧା ମିତ୍ର ଦୁର୍ଯ୍ୟୋଧନ ! ଏହି ବୃଦ୍ଧଙ୍କ ପ୍ରତି ସାବଧାନ,ସେ ଆମ ଦୁହିଁଙ୍କ ଭିତରେ ମତଭେଦ ସୃଷ୍ଟିକରି କୌରବ ପକ୍ଷକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।ଏହା ତାଙ୍କ ପାଣ୍ଡବ-ପ୍ରୀତିର ପରିଚାୟକ।ମୋ ବିରୁଦ୍ଧରେ ଏଣୁ ତେଣୁ କହି ମୋ ଆତ୍ମବିଶ୍ବାସ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି ଏହି ବୃଦ୍ଧ ମହାଶୟ।ଏହାଙ୍କ ଦ୍ବାରା ତୁମର ଯୁଦ୍ଧରେ ଲାଭ ଅପେକ୍ଷା ଅଧିକ କ୍ଷତି ହେବ।ଆମ ପକ୍ଷର ସେନାପତି ଯେବେ ପୌତ୍ର ମୋହରେ ପାଣ୍ଡବଙ୍କୁ ବଧ କରିବେ ନାହିଁ ତାହେଲେ ସେ କେଉଁ ପ୍ରକାର ସେନାପତି !! ଏଭଳି ସେନାପତିଙ୍କ ଅଧୀନରେ ମୁଁ ଯୁଦ୍ଧ କରିପାରିବି ନାହିଁ ମିତ୍ର !ଯେ ପର୍ଯ୍ୟନ୍ତ ପିତାମହ ସେନାଧ୍ୟକ୍ଷ ରହିବେ ସେ ପର୍ଯ୍ୟନ୍ତ ମୁଁ ଅସ୍ତ୍ର ଧାରଣ କରିବି ନାହିଁ।ତାଙ୍କ ପରେ ମୁଁ ଯୁଦ୍ଧରେ ଯୋଗଦାନ କରିବି।"


ଭୟଙ୍କର କ୍ରୋଧରେ ପିତାମହ ଭୀଷ୍ମଙ୍କ ଶରୀର କମ୍ପି ଉଠିଲା,ଚକ୍ଷୁ ରକ୍ତାଭ ହେଲା; କର୍ଣ୍ଣଙ୍କୁ ଚାହିଁ ସେ କହିଲେ..ରାଧେୟ ! ଆମ୍ଭେମାନେ ବର୍ତ୍ତମାନ ଯୁଦ୍ଧ କାଳୀନ ସ୍ଥିତିରେ ରହିଛୁ,ନହେଲେ ତୁମ ମୁଖରୁ ଏପରି ପ୍ରଳାପ ଶୁଣିବା ସଙ୍ଗେ ସଙ୍ଗେ ତୁମ ମସ୍ତକ ଭୁଲୁଣ୍ଠିତ ହୋଇ ସାରନ୍ତାଣି।"

ନିଜ ପକ୍ଷର ଦୁଇ ମହାରଥିଙ୍କ ମନୋମାଳିନ୍ୟ ଦେଖି ବିବ୍ରତ ହୋଇ ଦୁର୍ଯ୍ୟୋଧନ ଯୋଡ ହସ୍ତରେ କ‌ହିଲେ...ଆପଣ ଦୁହିଁଙ୍କୁ ପୋତ କରି ଏହି ଅଲଂଘ୍ୟ ଯୁଦ୍ଧ ସାଗର ପାରି ହେବାର ଭରସା ମୁଁ ରଖିଛି,ମୋ ଉପରେ ଦୟା କରନ୍ତୁ।"

କିନ୍ତୁ କର୍ଣ୍ଣ ପିତାମହ ଭୀଷ୍ମଙ୍କ ସେନାପତିତ୍ବରେ ଅସ୍ତ୍ର ଧରିବା ପାଇଁ ସମ୍ମତ ହେଲେ ନାହିଁ। ସେଥିପାଇଁ ଯୁଦ୍ଧର ପ୍ରଥମ ଦଶଦିନ କର୍ଣ୍ଣ ମହାଭାରତ ଯୁଦ୍ଧରେ ଯୋଗ ଦେଇନଥିଲେ।ଭୀଷ୍ମଙ୍କ ଶରସଜ୍ୟା ପରେ ସେ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ।

ଏକତା ଏବଂ ଦୃଢ଼ ସଙ୍କଳ୍ପ ନଥିଲେ,କେବଳ ମହାରଥୀ ମାନଙ୍କ ମୁଣ୍ଡ-ଗଣତିରେ କୌଣସି ବଡ଼ ଯୁଦ୍ଧ ଜୟ କରି ହୁଏନାହିଁ। କୌରବ-ସେନାପତି ଭୀଷ୍ମଙ୍କ ପାଣ୍ଡୁ-ପୁତ୍ର ମାନଙ୍କୁ ବଧ ନକରିବା ନିଷ୍ପତ୍ତି ତଥା କର୍ଣ୍ଣଙ୍କର ଭୀଷ୍ମଙ୍କ ସେନାପତିତ୍ବରେ ଯୁଦ୍ଧ ନକରିବା ନିର୍ଣ୍ଣୟ କୌରବ ମାନଙ୍କ ପାଇଁ ଭାରି ପଡ଼ିଥିଲା।



Rate this content
Log in

Similar oriya story from Classics