Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ(୯୫)ବେଣୀ ବନ୍ଧନ

କଥା କାଦମ୍ବରୀ(୯୫)ବେଣୀ ବନ୍ଧନ

4 mins
176



ମହାଭାରତ ଯୁଦ୍ଧର ଠିକ୍ ପୂର୍ବକଥା।ମୁକ୍ତକେଶା କୃଷ୍ଣାଙ୍କ ଆଖିରେ ଆଖିଏ ଅଶ୍ରୁ,ଛାତିରେ ଛାତିଏ ଅପମାନ ଭରା କୋହ। ଯୁଧିଷ୍ଠିରଙ୍କ ଠାରୁ ଯେତେବେଳେ ଶାନ୍ତି ପ୍ରସ୍ତାବ ନେଇ ଶ୍ରୀକୃଷ୍ଣ ହସ୍ତିନା ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିଲେ,ଲୁହ ଡବ ଡବ ଆଖିରେ ଯାଜ୍ଞସେନୀ ପଚାରିଥିଲେ...ମୋର ମୁକ୍ତକେଶ କଣ ଚିରଦିନ ଏହିପରି ମୁକ୍ତ ରହିଥିବ କେଶବ?ନାରୀର ଅସ୍ମିତା ଓ ଆତ୍ମସମ୍ମାନର ଅବମାନନା କରିଥିବା ପାଷଣ୍ଡ କ'ଣ ଏହିପରି ଗର୍ବରେ ଛାତି ଫୁଲାଇ ଦିବାଲୋକରେ ଘୂରିବୁଲୁଥିବ? ତୁମ ପରି ସଖା ଥାଉଁ ଥାଉଁ ମୋର ମଥା କ'ଣ ଏହିପରି ଚିରଦିନ ନତ ହୋଇ ରହିଥିବ କେଶବ !! ପୂର୍ଣ୍ଣ କୁରୁ ରାଜଦରବାରରେ ପାଣ୍ଡବ ପାଟରାଣୀ ଦ୍ରୌପଦୀକୁ, ପାଞ୍ଚାଳ ରାଜକନ୍ୟା ଯାଜ୍ଞସେନୀକୁ ବେଶ୍ୟା ବୋଲି କହିଥିବା ସୂତପୁତ୍ର କର୍ଣ୍ଣ କ'ଣ ଏହିଭଳି ନାରୀକୁ ଅସମ୍ମାନ କରିବାର ସ୍ବାଧୀନତା ଉପଭୋଗ କରୁଥିବ କେଶବ ? ଦୁଃଶାସନ ରକ୍ତରେ ବେଣୀ ବନ୍ଧନ କରିବାର ଆଶା କ'ଣ ଆଶାରେ ରହିଯିବ ମାଧବ !"


ଯୁଦ୍ଧର ପଞ୍ଚଦଶ ଦିନରେ ଆଜି ଭୀମଙ୍କର ଆଖିରେ ନାଚି ଯାଉଥିଲା ଶ୍ରୀକୃଷ୍ଣଙ୍କ ଆଗରେ କୃଷ୍ଣା କରିଥିବା ହୃଦୟର ସେହି ଆକୁଳ ଅଭିଯୋଗ। ଦୁଃଶାସନ ରକ୍ତରେ ଦ୍ରୌପଦୀଙ୍କ ବେଣୀ ବନ୍ଧନ କରିବାକୁ କରିଥିବା ପ୍ରତିଜ୍ଞା ଏପର୍ଯ୍ୟନ୍ତ ପୂରଣ କରି ନପାରି ଆଜି ବୃକୋଦର ବ୍ୟଥିତ ଓ ବିବ୍ରତ।ଦ୍ୟୂତକ୍ରୀଡା ସମୟରେ ଦୁଃଶାସନ ଦ୍ରୌପଦୀଙ୍କୁ ବିବସନ କରିବାକୁ ଚେଷ୍ଟା କରିବା ଅବସରରେ ଭୀମ ଦୁଃଶାସନର ଛାତି ଚିରି ଲହୁ ପାନ କରିବାପାଇଁ ଯେଉଁ ପ୍ରତିଜ୍ଞା କରିଥିଲେ ଆଜି ଯୁଦ୍ଧର ପଞ୍ଚଦଶ ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ କରି ନପାରି ଆତ୍ମଗ୍ଲାନି ଅନୁଭବ କରୁଥିଲେ ବୃକୋଦର।


ଆଜି କର୍ଣ୍ଣଙ୍କ ସେନାପତିତ୍ବର ପ୍ରଥମ ଦିନରେ ଦୁଃଶାସନକୁ ସମ୍ମୁଖରେ ଦେଖି ଭୀମଙ୍କ ପାଇଁ ସେ ସମସ୍ତ ପ୍ରତିଜ୍ଞା ପୂରଣ କରିବାର ଅବସର ମିଳିଗଲା।ରଥରୁ ଡେଇଁପଡି ଦୁଃଶାସନକୁ ତା' ରଥରୁ ଘୋଷାରି ଆଣିଲେ ବୃକୋଦର।ମନେହେଲା ସତେ ଯେପରି ବ୍ୟାଘ୍ର ତା'ର ଶିକାର ଉପରକୁ ଲମ୍ଫ ଦେଇ ବେକକୁ ଧରି ଶୂନ୍ୟେ ଶୂନ୍ୟେ ଟେକି ନେଉଛି। ଦୁଃଶାସନ ଉପରେ ବଜ୍ର ମୁଷ୍ଟି ପରେ ମୁଷ୍ଟି ପ୍ରହାର କରି ଚାଲିଲେ ଭୀମସେନ।ଚହଳ ପଡିଗଲା କୁରୁକ୍ଷେତ୍ରରେ ; ଯୁଦ୍ଧ ଛାଡି ସମସ୍ତେ ଉପସ୍ଥିତ ଭୀମ ଓ ଦୁଃଶାସନଙ୍କର ଯୁଦ୍ଧ ଦେଖିବା ପାଇଁ।ଅସଫଳ ଚେଷ୍ଟା କଲା ଦୁଃଶାସନ ଭୀମଙ୍କ କବଳରୁ ମୁକ୍ତି ପାଇବା ପାଇଁ, କିନ୍ତୁ ଅସମ୍ଭବ! ଦୁଃଶାସନ ଛାତିରେ ମାଡିବସି ବୃକୋଦର କହୁଥିଲେ..ରେ କୁରୁକୁଳ କୁଳାଙ୍ଗାର ! ଆଜି ନିଜେ ଯମ ମଧ୍ୟ‌ ତୋର ସହାୟକ ହୋଇ ପାରିବେ ନାହିଁ।କିଏ ତୋତେ ମୋ ହାତରୁ ରକ୍ଷା କରିବ ମୁଁ ଦେଖିବି।


ଆହ୍ବାନ କଲେ ଭୀମସେନ..ହେ ମହାରଥୀ ବୋଲାଉଥିବା ସୂତପୁତ୍ର କର୍ଣ୍ଣ!ପାରିଲେ ରକ୍ଷାକର ଏହି ପାପାତ୍ମା ଦୁଃଶାସନକୁ। କୁଟିଳ ବୁଦ୍ଧି ମାମୁଁ ଶକୁନି ! ତୁମରି ପ୍ରରୋଚନାରେ ଏ ପାଷଣ୍ଡ,ଦ୍ରୌପଦୀ, ଏକବସ୍ତ୍ର ହୋଇ ଅନ୍ତଃପୁରରେ ଥିବା ସମୟରେ କେଶ ଧରି ଝିଙ୍କିଆଣି ରାଜ ସଭାରେ ନିକ୍ଷେପ କରିଥିଲା। ସେତେବେଳେ ତୁମେ ତାକୁ ଉତ୍ସାହିତ କରୁଥିଲ; ଶକ୍ତି ଯେବେ ଅଛି ଆଜି ମୋ ହାତରୁ ଏ ଭେଡିଆକୁ ରକ୍ଷାକର।ରେ ବିବେକ-ହୀନ ଈର୍ଷାଳୁ ଦୁର୍ଯ୍ୟୋଧନ ! ଦୁଃଶାସନ ତୋର ଅତିପ୍ରିୟ ଭ୍ରାତା;ତୋର ସମସ୍ତ ଅପକର୍ମର ସହାୟକ;ପାରିଲେ ଆଜି ତାକୁ ମୋ କବଳରୁ ରକ୍ଷା କର।"


ଭୀମଙ୍କର ମହାପ୍ରଳୟ ରୂପ ଦେଖି ଭୟରେ ସମସ୍ତେ କାକୁସ୍ଥ ହୋଇ ରହିଥିଲେ। ସମସ୍ତ କୁରୁ ଯୋଦ୍ଧାଙ୍କୁ ଗୋଟି ଗୋଟି ଆହ୍ବାନ କରିବାପରେ କେହି ସାହସ କରି ନଆସିବାରୁ ଦୁଃଶାସନ ମୁହଁକୁ ଚାହିଁ ଭୀମ କହିଲେ..ତୋର ଦୁର୍ଭାଗ୍ୟ ଦୁଃଶାସନ ! ତୋତେ ତୋର ତଥାକଥିତ ନିଜ ଲୋକ ମୋ କବଳରୁ ରକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି।ସମ୍ପଦ ସମୟରେ ସମସ୍ତେ ବନ୍ଧୁ ବିପଦରେ କେହି ନୁହଁନ୍ତି।"


ନିଜ ପକ୍ଷର ଯୋଦ୍ଧା ମାନଙ୍କୁ ଗୋଟି ଗୋଟି ଆହ୍ବାନ କରି ଭୀମ କହିଲେ...ଆସ କେହି ଯେବେ ମୋ ହାତରୁ ଦୁଃଶାସନର ପ୍ରାଣ ରକ୍ଷା କରିବାକୁ ଚାହୁଁଛ।ହେ ଧର୍ମରାଜ ! ଭଲକରି ଦେଖ ଏହି ଭ୍ରାତାଙ୍କ ବଦନ,ବଡ଼ ଉପକାରୀ ପରା ଅଟନ୍ତି ଏ ଜନ।ପାରିଲେ ଏହାକୁ ମୋ ହାତରୁ ରକ୍ଷା କର।"


ତାପରେ ଅର୍ଜୁନ ନକୁଳ ଏବଂ ସହଦେବ,ସମସ୍ତଙ୍କୁ ଆହ୍ବାନ ଦେଲେ ଭୀମ ତାଙ୍କ ହାତରୁ ଦୁଃଶାସନର ପ୍ରାଣ ରକ୍ଷା କରିବାପାଇଁ। ଶେଷରେ ବାସୁଦେବଙ୍କୁ ଚାହିଁ ଭୀମ ଆହ୍ବାନ ଦେଇ କହିଲେ..ହେ କେଶବ ! ତୁମେ ମଧ୍ୟ ଚାହିଁଲେ ଏ ପାଷଣ୍ଡକୁ ମୋ କବଳରୁ ରକ୍ଷା କରିପାରିବ ନାହିଁ।"


ନିଜର ନିନ୍ଦା ଶୁଣି ଅର୍ଜୁନ ନିରୁତ୍ତର ଥିଲେ କିନ୍ତୁ ଶ୍ରୀକୃଷ୍ଣଙ୍କ ନିନ୍ଦା ଶୁଣି କ୍ରୋଧରେ କମ୍ପିଗଲେ ସବ୍ୟସାଚୀ।ଗାଣ୍ଡିବରେ ବାଣ ଖଞ୍ଜିବାପାଇଁ ଯାଉଥିଲେ ଅର୍ଜୁନ। ବାଧାଦେଇ ଶ୍ରୀକୃଷ୍ଣ କହିଲେ ..ତୁମେ ଏ କଣ କରୁଛ ପାର୍ଥ ! ଭୀମଙ୍କର ଏହି ପାପବିଧ୍ବଂସକ ପ୍ରଳୟ ରୂପ ଭିତରେ‌ ତୁମେ କ'ଣ ମୋତେ ଦେଖି ପାରୁନାହିଁ !! ଏହି ସଂସାରରେ ବର୍ତ୍ତମାନ ଭୀମଙ୍କୁ ଜିଣିବା ଶକ୍ତି କାହା ପାଖରେ ମଧ୍ୟ ନାହିଁ;ତୁମେ ଏ ଛାର ଗାଣ୍ଡିବ ଧନୁ ତାଙ୍କୁ ଦେଖାଉଛ !!


ପାର୍ଥ !ହିରଣ୍ୟ କଶିପୁ ବକ୍ଷ ମୁଁ ଏହିପରି ରୂପ ଧାରଣକରି ଵିଦାରଣ କରିଥିଲି।ଦୁଷ୍ଟ ଏବଂ ପାପାତ୍ମା ମାନଙ୍କୁ ମୁଁ ଏହି ଭୟଙ୍କର ରୂପ ଧାରଣ କରି ବିନାଶ କରେ। ଏହା ଭୀମଙ୍କର ଆହ୍ବାନ ନୁହେଁ,ଏହା ଦୁଷ୍କୃତ ବିରୁଦ୍ଧରେ ମୋର ଆହ୍ବାନ। ଦୁଃଶାସନ ଭଳି ପାପୀ ମାନଙ୍କର ସମୟ ଶେଷ ହୋଇଯାଇଛି ପାର୍ଥ।ସମୟକୁ ସମ୍ମାନ ଦିଅ।ଗାଣ୍ଡିବରୁ ବାଣ ପ୍ରତ୍ୟାହାର କର।


ଦୁଃଶାସନର ସହାୟତା ପାଇଁ କେହି ଆଗେଇ ନଆସିବା ଦେଖି ଭୀମ କହିଲେ..ହତଭାଗା ଦୁଃଶାସନ! ଆଜି ତୋତେ ମୋ କବଳରୁ ରକ୍ଷା କରିବା ପାଇଁ କେହି ମଧ୍ୟ ପ୍ରସ୍ତୁତ ନୁହନ୍ତି। ସମସ୍ତେ ଜାଣନ୍ତି ସେ ଅପଚେଷ୍ଟା କଲେ ମୋ ହାତରେ ମୃତ୍ୟୁ ବରଣ କରିବେ।"ସହଦେବଙ୍କୁ ଚାହିଁ ଭୀମସେନ କହିଲେ ..ଯାଅ ଅନୁଜ!ଯାଜ୍ଞସେନୀଙ୍କୁ ରଣ ସ୍ଥଳକୁ ସସମ୍ମାନେ ଘେନିଆସ। ଦୁଃଶାସନ ରକ୍ତରେ ତାଙ୍କର ମୁକ୍ତକେଶ ବନ୍ଧନ କରିବା ସମୟ ଆଜି ଆସିଯାଇଛି।"


ଅବିଳମ୍ବେ ସହଦେବ ଦ୍ରୌପଦୀଙ୍କୁ ଆଣି ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହେଲେ।ଯାଜ୍ଞସେନୀଙ୍କୁ ଚାହିଁ ଭୀମ କହିଲେ.. ଏହି ଦକ୍ଷିଣ ଭୁଜରେ ପାପାତ୍ମା ଦୁଃଶାସନ ତୁମର କେଶ ଧରି ରାଜସଭାକୁ ଝିଙ୍କି ଆଣିଥିଲା। ଏଇ ଦେଖ କୃଷ୍ଣା ! ମୁଁ କିପରି ଉତ୍ପାଟନ କରୁଛି ତାର ସେହି ଘୃଣିତ ଭୁଜ।"


କହିବା ମାତ୍ରେ ଭୟଙ୍କର ଗର୍ଜନକରି ଭୀମସେନ ଦୁଃଶାସନର ଦକ୍ଷିଣ ଭୁଜ ଉତ୍ପାଟନ କରି ନିର୍ଗତ ରକ୍ତରେ ଦ୍ରୌପଦୀଙ୍କ ବେଣୀ ବନ୍ଧନ କଲେ। ଦୁଃଶାସନର ଛାତି ଚିରି ତହିଁରୁ ନିର୍ଗତ ଲହୁପାନ କରି ଯେତେବେଳେ ଭୀମ ଅଟ୍ଟହାସ କଲେ,କମ୍ପିଉଠିଲା ସସାଗରା ଧରା।ଭୟରେ ଶିହରୀ ଉଠିଲା ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ।ହିରଣ୍ୟକଶିପୁ'ର ବକ୍ଷବିଦାରଣ କରି ସତେ ଅବା ନୃସିଂହ ରୂପୀ ବିଷ୍ଣୁ ରକ୍ତମୁଖା ହୋଇ ଉଭା ହୋଇ ଛନ୍ତି।ଉପାଡି ଥିବା ଦକ୍ଷିଣ ଭୁଜକୁ ଭୀମ ଆକାଶକୁ ଫିଙ୍ଗିଦେଲେ।ଶୂନ୍ୟରେ ଉଡୁଥିବା ଶ୍ବେନପକ୍ଷୀ ତାହା ଝାମ୍ପିନେଇ ଉଡିଗଲା। ତା'ପରେ ଦୁଃଶାସନର ବାମଭୁଜ ମଧ୍ୟ ଉପାଡି ଶୂନ୍ୟକୁ ଫିଙ୍ଗିଦେଲେ ମହାବଳୀ; ଅନ୍ୟଏକ ଶ୍ବେନପକ୍ଷୀ ଉଠିଆସି ଆକାଶରୁ ଝାମ୍ପିନେଲା ସେ ଉତ୍ପାଟିତ ଭୁଜ।


ଆନନ୍ଦିତ ହେଲେ ପାଞ୍ଚାଳୀ, ଦୁଃଖରେ ମଗ୍ନହେଲେ ଦୁର୍ଯ୍ୟୋଧନ, ,କର୍ଣ୍ଣ ଏବଂ ଶକୁନି,ପୂରଣ ହେଲା ବୃକୋଦରଙ୍କ ପ୍ରତିଜ୍ଞା;ବନ୍ଧନ ହେଲା ଦୀର୍ଘ ତେର ବର୍ଷ ଧରି ମୁକ୍ତ ରହିଥିବା ବେଣୀ।



Rate this content
Log in

Similar oriya story from Classics