କୋଥଳି ବଟୁଆ ଓ ପୁଟୁଳି
କୋଥଳି ବଟୁଆ ଓ ପୁଟୁଳି
ମୋ ଆଈଙ୍କ ପାଖରେ ଥିବା କୋଥଳିରେ, ଚନ୍ଦନ ଚନ୍ଦନ ବାସ। ତାସହ ଜଗନ୍ନାଥଙ୍କ ଫୋଟୋ, ଶିବ ତାଣ୍ଡବ ସ୍ତୋତ୍ର, ଅଗରୁ, ତିଳକ, ରୁମାଲରେ ରେଜା ପଇସା ସହ ଟଙ୍କା ଆଉ କେତେକଣ, ଏଇ ଯେମିତି ରୂପାର ପାନ ଡବା, କାଇଁଚ ଆଉ କଉଡ଼ି l ଆଈ ଯେତେବେଳେ କୋଥଳିରୁ ଜଗନ୍ନାଥ ଙ୍କୁ କାଢ଼ି ମୁଣ୍ଡିଆ ମାରି ଶିବ ତାଣ୍ଡବ ପଢ଼ି, ଶହେଆଠ ମାଳି ଗଡ଼େଇ, ସିନ୍ଦୁର ଟୋପା ଟିଏ ଲଗେଇ, ଆଖିରେ କଳା ଲଗେଇ, ଶିବ ତାଣ୍ଡବ ବୋଲି ବୋଲି, ଶହେଆଠ ବେଲପତ୍ର ଓ ତୁଳସୀ ନେଇ ଶିବ ମନ୍ଦିର ଚାଲିଯାଆନ୍ତି, ମୋର ସେ କୋଥଳି ଘାଣ୍ଟି କାଇଁଚ, କଉଡ଼ି ଓ ରେଜା ପଇସା ନେବାକୁ ଇଛା, ବୋଉ ପାଟିକରେ, କହେ ଅଜା ପାରାଲିଶସରେ ପଡିଛନ୍ତି ବୋଲି ଔଷଧ ପତ୍ର ଖାଇଲେ ବି ତାଙ୍କ ପାଇଁ ସବୁଦିନ ଶିବଙ୍କୁ ବେଲପତ୍ର ଓ ତୁଳସି ନେଇ ଶିରଙ୍କ ଲାଗି କରି କ୍ଷୀର ଢ଼ାଳି କେତେ କଷ୍ଟ କରୁଛି, ତୁ ତା ଅନୁପସ୍ଥିତିରେ ତା କୋଥଳୀ ଖୋଲି ଘାଣ୍ଟିଲେ ଠାକୁର ବିରକ୍ତ ହୋଇ ତୋ ଅଜାଙ୍କୁ ଆରୋଗ୍ୟ କରିବେ ନାହିଁ, ମୁଁ ନିଜକୁ ସଞ୍ଜତ ରଖି ଆଉ ଆଈଙ୍କ କୋଥଳି, ନଘାଣ୍ଟି, ଲୁଚେଇ ଲୁଚେଇ କାନ୍ଦେ, ମୋ ଅଜାଙ୍କୁ ଭଲ କରିଦେବାକୁ। ଆଈଙ୍କ ରୁମାଲ ହଜିଗଲେ, ମୁଁ ଖୋଜିଦିଏ, ତ ଆଈ ଯେଉଁ ଖୁଚୁରା ଦିଅନ୍ତି ମୁଁ ତାକୁ ରଖି ବୋଉ ସଙ୍ଗେ ମନ୍ଦିର ଗଲେ ଜଗନ୍ନାଥଙ୍କ ପାଖରେ ଦୀପ ବସାଏ, ଅଜାଙ୍କୁ ଭଲ କରି ଆଇଙ୍କୁ ଖୁସି ଦିଅ ପ୍ରଭୂ ବୋଲି ଡାକେ। ହେଲେ ମୋର ଦ୍ୱିତୀୟ ଶ୍ରେଣୀରେ ଅଜା ଚାଲିଗଲେ। ମତେ ସବୁବେଳେ ଦ୍ୱିତୀୟ ଶ୍ରେଣୀର, ଓଡିଆ ବନାନ ପଚାରି, ସାବାସୀ ଦେଉଥିବା ଅଜାଙ୍କୁ ହରାଇ ମୁଁ ବହୁତ୍ କାନ୍ଦିଲି, ଆଉ ଜଗନ୍ନାଥଙ୍କ ଉପରୁ ଭରସା ତୁଟି ଗଲା, ଯେବେ ବୋଉ କହେ ସେ ଡାକ ଶୁଣନ୍ତି ଯେ ବହୁ ଡେରିରେ। ଅଭିମାନ ଅଭିଯୋଗ ସେହି ଦିନଠୁ ମୋର ଜଗନ୍ନାଥଙ୍କ ଉପରେ। ଆଉ ଆଈଙ୍କ କୋଥଳି କିନ୍ତୁ ଆଈଙ୍କର ସର୍ବସ୍ବ ନିଜସ୍ଵ ସମ୍ପତ୍ତି ନହୋଇ ସମସ୍ତଙ୍କର ହୋଇଯିବାରୁ ମୋ ମନ କେଜାଣି କାହିଁକି ଭାରି ଦୁଃଖ ହୁଏ ମାମୁଁ ଘରକୁ ଗଲେ।
ଏଣିକି ଏଣିକି ଆମ ଘରକୁ ଆସନ୍ତି ଆଈ, ଯିବାକୁ ବାହାରିଲେ ତାଙ୍କ କୋଥଳି ଇତ୍ୟାଦି ଲୁଚେଇ ଦେଉ ଆମେ। ଏମିତିକି ସେ ବସରେ ବସିସାରିଥିଲେ ବି ଆମେ ଯାଇ ତାକୁ ନେଇଆସୁ ଭିଡ଼ି ଭିଡ଼ି। ମୋ ବାହାଘର ହୋଇଗଲା। ମୋ ପୁଅ ଝିଅ ଜନ୍ମ ହେବା ପରେ ଉଣେଇଶ ଶହ ଅନେଶତ ମହାବାତ୍ୟାରେ ସେ ଚାଲିଗଲେ। ଭୀଷଣ ଦୁଃଖ ପାଇଥିଲି, ଆଉ ମୋ ବୋଉ ବାପା ମୋ ପୁଅ ଝିଅଙ୍କର ଅଜା ଆଈ ହୋଇଯାଇଥିଲେ। ସେମାନେ ଯେବେ ଆସନ୍ତି ପୁଅ ଝିଅ ଅଜାଙ୍କ ପାଠପଢ଼ା ଦିଗ ପାଇଁ ପ୍ରଯତ୍ନଶିଳତା ଗୁଣ ଯୋଗୁଁ ଯେତିକି ଡରନ୍ତି, ତାଙ୍କ ସଙ୍ଗେ ପୁରୀର ରଥ, ଚନ୍ଦନ ଯାତ୍ରା, ଛେନା ଖଇ ଓ ଅବଢ଼ା କ୍ଷୀରା ଖିଆର ଆନନ୍ଦ ମଧ୍ୟ ଉଠାନ୍ତି। ହେଲେ ମୋ ବୋଉର ପାନ ବଟୁଆ ଯୋଉଟାକୁ ବପାଙ୍କର ବେଶୀ ଦରକାର ହେଲେ ବି ବୋଉ ହେପାଜତ ରେ ରୁହେ, ସେଥିରୁ ସାଦା ପାନ ଖଣ୍ଡେ ଖଣ୍ଡେ ଖାଇବାକୁ ଲାସର୍ ପସର୍ ମୋ ପୁଅ ଝିଅ ହେଲାବେଳେ ଅଜା ମାନେ ମୋ ବାପା ସେତିକି ବେଳେ ପଣିକିଆ ମାନସାଙ୍କ ପଚାରି ଯିଏ କହିପାରିବ ସେ ପାନ ଖାଇବ ଆଈଠୁ କହନ୍ତି। ଝିଅ ମୋର ଅଜାଙ୍କ ଗୋଡ ଘଷୁଥାଏ, ବନ୍ଦ କରିବାକୁ ନକହିବା ପର୍ଯ୍ୟନ୍ତ, ହେଲେ ପୁଅ ଛୁ ମାରେ, ଆଉ ବୋଉ ଭିଡ଼ିଆଣେ, ତା ନାତୁଣୀକୁ ହାତ କଣ ହେଇଯିବ କହି, ଠିକ ବାର କି ତେର ଦିନ ଥିବ ବାହାଘର ମୋ ଝିଅର, ମୋ ବାପା, ତା ଅଜା ଚାଲିଗଲେ ହାର୍ଟ ଆଟାକରେ, ଆଉ ବୋଉ ପାଲଟିଗଲା ଆଲଯାଇମର ପେସେଣ୍ଟ।
ମୁଁ ଆଉ ମୋ ସ୍ୱାମୀ ଏବେ ଅଜା ଆଇ। ଦୁଇ ବର୍ଷର ଅବୁଝା ଖନେଇ ଖନେଇ କଥା ଟିକେ ଟିକେ କହୁଥିବା ନାତୁଣୀ କୁ ଦେଖି ଯାଇଥିଲୁ। ଗାଧେଇ ସାରିବା ପରେ ପରେ ମୁଣ୍ଡ କୁଣ୍ଡେଇ ମୋ ପୁଟୁଳି ଖୋଲିଲେ ମୋ ପାଖେ ହାଜର ହୋଇଯାଏ ସୁର। ମୋ ଜରି ପୁଟୁଳି ରେ ଥିବା କ୍ରିମ ପାଉଡର, ସିଙ୍ଗାର ସହ ଭେସଲିନ ରେ ତାର ଭାରି ଲୋଭ। ମୁଁ ଲଗେଇବା ସହ ତାକୁ ଟିକେ ଲଗେଇ ଆଇନା ଆଗରେ ଠିଆ କରିଦେଲେ କି ଖୁସି। ମାଆ ତାର ବାରଣ କରୁଥାଏ, ଥାଉ ମମି ଲଗାନା, କାଳେ ଇନ୍ଫେକସନ୍ ହେବ। ହେଲେ କିଛି ହେବନି କହି ମୁଁ ତାକୁ ତା ପିଲାଡ଼ିନର ଆଈର ବଟୁଆ ଆଉ ମୋ ପିଲାଦିନର ମୋ ଆଈଙ୍କର୍ କୋଥଳି କଥା ମନେ ପକେଇ ଦିଏ। ସେ କାନ୍ଦି ପକାଏ, ମୁଁ ବି, ମନେ ମନେ ଭାବେ, ଏଇତ ସଂସାର।
