puspanjali das

Classics

2  

puspanjali das

Classics

କଣ୍ଟେଇ କୋଳି

କଣ୍ଟେଇ କୋଳି

5 mins
394


     ଅନିମା ସେଦିନ ଅନେକ ବ୍ୟସ୍ତତା ଭିତରେ ମଧ୍ୟ ଫୋନ ଟିକୁ ହାତଛଡା କରିପାରୁ ନ ଥିଲା। ମଝିରେ ମଝିରେ ଫୋନ ଟି ଉପରେ ଆଖି ବୁଲେଇ ଆଣୁଥିଲା। ଝିଅ 'ତନୁ' ର ବାହାଘର ର ସବୁ ଆୟୋଜନ ର ଦାଇତ୍ୱ ସାନ ଦିଅର ନେଇଥିଲେ ମଧ୍ୟ ,ନିଜ ତତ୍ୱାବଧାନ ର ଟିକିଏ ବି ଯେମିତି ତ୍ରୁଟି ନ ରହେ,ସେଥି ପ୍ରତି ଯତ୍ନବାନ ରହିଥିଲା। ତରୁଣ ଙ୍କ ର ବାପା ମା ଙ୍କର ଆସିବା ଯଦିଓ ଏକପ୍ରକାର ନିଶ୍ଚିତ ହୋଇଥିଲା, ହେଲେ ବିଳମ୍ବ ହେବା ଦେଖି କେମିତି କେଜାଣି ଅସହଜ ହୋଇ ଉଠୁଥିଲା।

         ତନୁ ର ସ୍ୱଇଛା ରେ ଅନ୍ୟ ଜାତିରେ ବାହାଘର ଟା ପାଇଁ ,ନିଜ ର ନୈଷ୍ଟିକ ବ୍ରାହ୍ମଣ ପରିବାର ର ଅନେକ ଜଣ ଙ୍କ ଇଛା ବିରୁଦ୍ଧରେ ତା'କୁ ଯିବାକୁ ପଡିଥିଲା, ଯଦିଓ ଶେଷରେ ସବୁକିଛି ସୁରୁଖୁରୁରେ ଠିକ ହୋଇଯାଇଥିଲା, ଯେତେବେଳେ ତନୁ ଶାଶୁ ଘର ର ଲୋକ ଙ୍କ ସାଙ୍ଗରେ ତରୁଣ ଙ୍କ ପରିବାର ର ଲୋକ ଦେଖାସାକ୍ଷାତ କରିଥିଲେ, ହେଲେ ରୂଢ଼ିବାଦି ଦୃଷ୍ଟି ରଖିଥିବା ତରୁଣ ଙ୍କ ପିତାମାତା ଙ୍କ ଅସନ୍ତୋଷ କୁ ସ୍ପଷ୍ଟ ବାରିପାରିଥିଲା ଅନିମା।

     ଫୋନ ଟିକୁ ଦେଖୁ ଦେଖୁ,ହଠାତ୍ ନିଜ ଘର ର ୱାଚମ୍ୟାନ୍ ର ନମ୍ବର ଟିରୁ କଲ୍ ଟି ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କେବଳ,ଏମରଯେନ୍ସି ହେଲେ କଲ୍ କରିପାରିବ କହି,ତରୁଣ ଙ୍କ ର ଅଜଣାତ ରେ ସେ ନିଜ ନମ୍ବର ଟି ଦେଇଥିଲା! ଏମିତି କ'ଣ ଏମରଜେନସି ପଡିଲା ,ପୁଣି ବାହାଘର ଦିନ ର ସକାଳୁ ,ଚିନ୍ତା କରିପାରୁ ନ ଥିଲା ଅନିମା! ଅନିଛାସତ୍ୱେ କଥା ଦୁଇପଦ ହୋଇ ଜାଣିପାରିଥିଲା ଯେ,କେହି ଜଣେ ଭିତରକୁ ଆସି ତନୁ କୁ ଦେଖା କରିବାକୁ ଅନୁମତି ମାଗୁଛି ବୋଲି। ସମୟ ଅଭାବ ରୁ ଅଧିକା କିଛି ନ ବୁଝି କେବଳ ତାର ସମ୍ମତି ଜଣାଇ ଦେଇଥିଲା।

       ନିର୍ଦ୍ଧାରିତ ସମୟ ରେ ତନୁ ର ବାହାଘର ଟା ସମସ୍ତ ଙ୍କ ର ଉପସ୍ଥିତି ରେ ସୂଚାରୁ ରୂପେ ଶେଷ ହୋଇ ଯାଇଥିଲା। ବିଦାୟୀ ର କିଛି ସମୟ ପୂର୍ବରୁ ତନୁ କୁ ନେଇ ଅନିମା ନିଜ ରୁମ୍ କୁ ଚାଲିଯାଇଥିଲା, ଯୋଉଠି ସେଦିନ ର ଉପହାର ସବୁ ଗୋଟେଛୋଟିଆ ପର୍ବତ ର ଆକାର ନେଇ ତା'ରୁମ୍ ଟିକୁ ବେସ୍ ସଙ୍କୁଚିତ କରିଦେଇଥିଲା। ଅନିମା ର ଆଗ୍ରହ ଯୋଗୁଁ ତନୁ ସେସବୁ ଉପହାର ଭିତରୁ କିଛି ଟା ଦେଖୁଥିଲା ଓ ତା'ଅନିଚ୍ଛା ସତ୍ତ୍ୱେ ଅନିମା ତା'ର ପସନ୍ଦ ହୋଇଥିବା କିଛି ଟା ଉପହାର କୁ ଅଲଗା ରଖିଚାଲିଥିଲା। ହଠାତ ତନୁ ର ହାତ ଗୋଟିଏ ଛୋଟିଆ ପ୍ୟାକେଟ ଟି ଉପରେ ରହିଯାଇଥିଲା,ଯାହା କେବଳ ସମାଜ କାଗଜ ରେ ଗୁଡା ହୋଇଥିଲା। ଏତେ ବଡ଼ ବଡ଼ ଉପହାର ଭିତରେ ସେ ପ୍ୟାକେଟ ଟି ସମ୍ପୂର୍ଣ୍ଣ ଅଲଗା ଥିଲା, କୌଣସି ଦୃଷ୍ଟି ରୁ ଉପହାର ଭଳି ଦେଖା ମଧ୍ୟ ଯାଉ ନଥିଲା ! କୌତୁହଳ ସହକାରେ ତନୁ ସଙ୍ଗେ ସଙ୍ଗେ ଖୋଲି ପକାଇଥିଲା, ଆଉ ଯେତେବେଳେ ତା'ଭିତରେ ଥିବା 'କଣ୍ଟେଇ କୋଳି' ର ପୁଡା ଟିଏ ଦେଖିଥିଲା, ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହାତ ତା'ର ସାମାନ୍ୟ ଥରି ଉଠିଥିଲା, ଆଉ ପାଟିରୁ ସ୍ୱତସ୍ପୁତ ବାହାରି ଆସିଥିଲା–'ତାରା ମାଉଷୀ'!!

       ଅନିମା ର ଆଖି ମଧ୍ୟ ସେଇ 'କଣ୍ଟେଇ କୋଳି' ପୁଡିଆ ଟି ଉପରେ ଅଟକି ଯାଇଥିଲା,ମନ ଭିତରେ ତା'ର ଦୀର୍ଘ ଅଠର ବର୍ଷ ତଳ ର ଘଟଣା ଟି ଯେମିତି ଜୀବନ୍ତ ହୋଇ ଉଠି ଥିଲା! ପାଞ୍ଚ ଵର୍ଷ ର ତନୁ ସେଦିନ ସେଇ କୋଳିବାଲି 'ତାରା' ପାଖରୁ 'କଣ୍ଟେଇ କୋଳି' ର ପୁଡ଼ିଆଟିକୁ ଧରି ତାଙ୍କ ଗେଟ୍ ଆଗରେ ଥିବା ରାସ୍ତା ଟି ର ଆର ପଟୁ ଗେଟ୍ ଭିତରେ ପସିବାକୁ ଯାଉଥିବା ବେଳେ, ଅନ୍ୟପଟୁ ଗୋଟିଏ ସାଇକେଲ ରେ ତିନିଜଣ ହୃଷ୍ଟପୃଷ୍ଟ ଯୁବକ ବସି ଯାଉଥିବା ବେଳେ ଏତେ ଜୋରରେ ଧକ୍କା ମାରିଥିଲେ ଯେ ,ସେଇ ରାସ୍ତା ଉପରେ ତନୁ ର ଛୋଟିଆ କୋମଳ ଦେହଟି ଢଳି ପଡିଥିଲା, ଆଉ ସେଇ କଣ୍ଟେଇ କୋଳି ବିକୁଥିବା ତାରା କୋଉଠି ଥିଲା କେଜାଣି, ନିଜ କୋଳି ଟୋକେଇଟି ଫୋପାଡ଼ି ଦେଇ,ଦଉଡ଼ି ଆସି ତନୁ ର ରକ୍ତ ଜୁଡୁବୁଡୁ ଦେହଟାକୁ କୋଳେଇନେଇ ଜୋର ରେ ଡାକ ଦେଇଥିଲା,ତାରି ଡାକରେ ସେଦିନ ତରୁଣ ଓ ଅନିମା ଦୁହେଁ ଦଉଡି କି ବାହାରକୁ ଚାଲି ଆସି ଥିଲେ ଓ ତନୁ ର ରକ୍ତାକ୍ତ ଶରୀର ଟାକୁ ଟେକି ନେଇ ଡାକ୍ତରଖାନା ଚାଲି ଯାଇଥିଲେ! ସେଇ ଦିନ ଠାରୁ ଅନେକ ଦିନ ପର୍ଯ୍ୟନ୍ତ ତନୁ ବିଛଣାରେ ପଡିରହି ଚିକିତ୍ସାଧୀନ ହୋଇଥିଲା। ଘରୁ ବାହାର କୁ ଯିବାର ନାଁ ତାର ଶକ୍ତି ଥିଲା, ନାଁ ଡାକ୍ତର ଙ୍କ ର ଅନୁମତି ଥିଲା,ହେଲେ ସେ କୋଳିବାଲି ,ତନୁ ର 'ତାରା ମାଉଷୀ',ସବୁଦିନ ତା'କୁ ଦେଖିବାକୁ ଯିବାର ଯେମିତି ନିୟମ ଟିଏ କରିଦେଇଥିଲା! ଆଉ ସାଙ୍ଗରେ ତାର ସେଇ 'କଣ୍ଟେଇକୋଳି' ର ଛୋଟିଆ ପୁଡ଼ିଆ ଟିଏ ମଧ୍ୟ ସବୁଦିନ ର ଭେଟି ଥିଲା ତନୁ କୁ! ଯେତେ କହିଲେ ମଧ୍ୟ ନାଁ ସେ କୋଳି ର ମୂଲ୍ୟ ଗ୍ରହଣ କରୁ ଥିଲା, ନାଁ ତନୁ କୁ ଦେଖିବା କୁ ଯିବାଟା ବନ୍ଦ କରିପାରିଥିଲା!

         ସମୟ ର ସ୍ରୋତରେ ତନୁ ଭଲ ହୋଇ ବଡ଼ ହୋଇ ଯାଇଥିଲା, ହେଲେ ତା' 'ତାରା ମାଉଷୀ' ର କଣ୍ଟେଇ କୋଳି ପୁଡ଼ିଆ ପାଇଁ ଯେମିତି ତା'ବୟସ ଟା ଅଟକି ଯାଇଥିଲା ସେଇ ପାଞ୍ଚ ବର୍ଷ ରେ! ଇଞ୍ଜିନିୟରିଂ ପଢିବା ପାଇଁ ଘର ଛାଡ଼ି ସୁଦୂର ହଷ୍ଟେଲ ରେ ରହିଥିଲା ଓ ସେଇ କିଛି ବର୍ଷ ଭିତରେ ଯେମିତି ତା' 'ତାରା ମାଉଷୀ' ଓ 'କଣ୍ଟେଇକୋଳି' କୁ ହଜାଇ ଦେଇଥିଲା,ଯଦିଓ କେତେ ଥର ତାରା ମାଉଷୀ ବିଷୟରେ ବୁଝିବାକୁ ଚେଷ୍ଟା କରିଥିଲା,ହେଲେ କୌଣସି ସଠିକ ଖବର ପାଇପାରିନଥିଲା,କେବଳ ଉଡା ଖବର ଶୁଣି ଥିଲା ଯେ,ତାରା ମାଉଷୀ ର ଡାହାଣ ହାତ ଭାଙ୍ଗି ଯିବାରୁ ସେ ଆଉ କୋଳି ତୋଳିପାରୁନାହିଁ ଓ ଘରେ ତା'ପୁଅ ବୋହୂ ତାକୁ ବାହାରକୁ ଛାଡୁନାହାନ୍ତି।

      ନିଜର ପାଠପଢ଼ା ସରୁ ସରୁ ,ଚାକିରି ଜୀବନ ର ଆରମ୍ଭରେ, ବ୍ୟସ୍ତତା ଭିତରେ ଯେମିତି ସେସବୁ ସ୍ମୃତି ଠାରୁ ଅନେକ ଦୂର କୁ ଚାଲିଯାଇଥିଲା ତନୁ! ହେଲେ, ସେଇ କଣ୍ଟେଇକୋଳି ର ପୁଡ଼ିଆଟି ସତେ ଯେମିତି ତାକୁ ପୁଣି ଫେରାଇନେଇଥିଲା ସେ ସ୍ମୃତି ର ପାହାଚ ଉପରକୁ! ତାରା ମାଉଷୀ ର ସେଇ ସ୍ନେହ ବୋଳା କଥାଗୁଡିକ ତା ମନ କୁ ବିଚଳିତ କରିଦେଇଥିଲା। କଲେଜ ଜୀବନ ରେ ମଧ୍ୟ ସେ ତାରା ମାଉଷୀ କୁ ଯେତେ ଚେଷ୍ଟା କରିଲେ ବି ସେ କଣ୍ଟେଇକୋଳି ର ମୂଲ୍ୟ ଦେଇପାରିନ ଥିଲା,ତା'ର ସେଇ ଗୋଟିଏ କଥା ସବୁବେଳେ ଶୁଣୁଥିଲା–"ନାଇଲୋ ତନୁ,ତୁ ବଡ଼ ହୋଇ ଚାକିରି କରେ,ସବୁ ପଇସା ଦେବୁ!" ହସ ହସ ମୁହଁ ରୁ ତା'ର ସବୁବେଳେ ସେଇ ପଦୁଟିଏ ଆଶୀର୍ବାଦ ବହାରିପଡ଼େ-–"ଠାକୁରେ ତତେ ଭଲରେ ରଖନ୍ତୁ!" ନିଜ ଝିଅ ଟିକୁ ହରାଇଥିବା 'ତାରା ମାଉଷୀ' ର ସବୁଯାକ ସ୍ନେହ ଯେମିତି ତନୁ ଉପରେ ହିଁ ଅଜାଡି ହୋଇ ପଡୁଥିଲା!

        ନିଜ ଭାବନା ରାଜ୍ୟରୁ ଓହ୍ଲାଇ ଆସିଥିଲା ତନୁ,ଯେତେବେଳେ ତରୁଣ ଆସି ଶିଘ୍ର ବାହାରିବା ପାଇଁ ପ୍ରସ୍ତୁତ ହେବାକୁ ଅନିମା ଓ ତନୁ କୁ ଜଣାଇଥିଲେ।'ତାରା ମାଉଷୀ' ଯେ ତା'ବାହାଘର କଥା ଶୁଣି ଆସିଥିଲା ଓ ତାକୁ ଦେଖା ନ କରି ଫେରିଯାଇଛି,ଏକଥା ଯେମିତି ତନୁ ସହଜ ରେ ଗ୍ରହଣ କରି ପାରୁନଥିଲା,ଯଦିଓ ତାର ଆସିବାଟା କୁ ନିଶ୍ଚିତ ହୋଇଯାଇଥିଲା! ନିଜ ମନରେ ଉଠୁଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଅନିମା କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଚାଲିଥିଲା-କେମିତି କେହି ତାକୁ କହିଲେନି,ଦେଖିପରିଲେନି..ଏଥର ଅନିମାର ମନେପଡିଯାଇଥିଲା ଯେ,ସକାଳ ର ୱାଚ୍ ମ୍ୟାନ ର ଫୋନକଥା,ଆଉ ନିଶ୍ଚିତ ହୋଇଯାଇଥିଲା ଯେତେବେଳେ ତା'ଠାରୁ ବୁଢ଼ୀଟିଏ ଖୋଜୁଥିଲା ,ଯାହାର ନାଁ 'ତାରା'ଥିଲା ବୋଲି ଶୁଣିଥିଲା,ଯିଏ ତନୁ କୁ ଦେଖାକରିବାକୁ ଅନୁମତି ମାଗୁଥିଲା ଓ ଅଳ୍ପ ସମୟପରେ ନିରାଶ ହୋଇ ଫେରିଯିବାର ମଧ୍ୟ ଜଣାଇଥିଲା। ହୁଏତ କେହି ବ୍ୟସ୍ତତା ଭିତରେ ତନୁ ପାଖରେ ଖବର ପହଞ୍ଚାଇ ପାରି ନ ଥିବାରୁ,କାହା ହାତରେ ସେ କଣ୍ଟେଇକୋଳି ର ପୁଡ଼ିଆ ଟି ଦେଇ ଦେଇ ଫେରିଯାଇଥିଲା!

     ଅନିମା ଠାରୁ ତାରା ମାଉଷୀ କଥା ଶୁଣି ତନୁ ସେଇ କଣ୍ଟେଇକୋଳି ପ୍ୟାକେଟ ଟି ଉଠାଇନେଇ ନିଜ ପର୍ସ ଭିତରେ ରଖିଦେଇଥିଲା ଓ ନିଜ ରୁମ୍ ରୁ ଯାଇ ଗୋଟିଏ ଚେକ୍ ଆଣି ତା' ପାପା 'ତରୁଣ' ଙ୍କୁ ଧରାଇଦେଇଥିଲା ଓ କହିଥିଲା-ପାପା ,ପ୍ଲିଜ ,'ତାରାମାଉଷୀ'କୁ ଯେମିତିହେଲେ ଖୋଜି କି ଏଇ ଚେକ୍ ରେ ଯୋଉ ଟଙ୍କା ମୁଁ ରଖିଛି,ସେଥିରେ ଫୁଲ ଦୋକାନ ଟିଏ କରାଇଦେଵ। ତାରା ମାଉଷୀ କୁ ଫୁଲ ବହୁତ ଭଲ ଲାଗେ, ମୁଁ ଜାଣି ଛି। ଏଇଟା ମୋର ପ୍ରଥମ ମାସ ର ଦରମା ରୁ ମୁଁ ତା'ପାଇଁ ରଖିଥିଲି,ହେଲେ ତାକୁ ପାଉ ନ ଥିଲି। ତା'ହାତ ଭାଙ୍ଗି ଯାଇଥିବା ରୁ ସିଏ କୋଳି ତୋଳି ପାରୁନଥିଲା ବୋଲି ଶୁଣିଥିଲି। ପ୍ଲିଜ ପାପା,ତମେ ମୋ କଥା ରଖିବତ??

       ତରୁଣ ଓ ଅନିମା ,ତନୁକୁ କୁଣ୍ଢେଇ ପକାଇ ଏକା ସାଙ୍ଗରେ କହିଉଠିଥିଲେ–ହଁ ରେ,ତୋର କୋଉକଥା ଆମେ କେବେ ଭାଙ୍ଗିଛୁ?ଆଖିରୁ ସମସ୍ତଙ୍କର ବୋହିଯାଉଥିଲା ଅଶ୍ରୁଧାର, ସେ ଅଶ୍ରୁ ତନୁ ର ବିଦାୟୀ ର କି ଅନ୍ୟ କିଛି ର କେହି ହୁଏତ ବୁଝିପାରିନଥିଲେ..


Rate this content
Log in

Similar oriya story from Classics