STORYMIRROR

puspanjali das

Abstract

3  

puspanjali das

Abstract

ନିଃଶବ୍ଦ

ନିଃଶବ୍ଦ

5 mins
330


     ଘର ଅଧା ଝାଡୁ ଝାଡୁ,କଲିଂବେଲ ର ଶବ୍ଦ ଶୁଣି ସୁରଭି ତର ତର ହୋଇ ଚାଲିଆସିଥିଲା କବାଟ ଖୋଲିବାକୁ।ହଠାତ୍ ଲତା ଅପାଙ୍କୁ ଦେଖି ,କ୍ଷଣେ ରହିଯାଇଥିଲା।ମୁଣ୍ଡରେ ଓଢଣା ଦେଇ ମୁଣ୍ଡିଆ ମାରିବାକୁ ବସିଲା ବେଳକୁ ,ଲତା ଅପା ଧରିପକାଇଥିଲେ,ଆଉ କହିଲେ-ଆଲୋ ,ଉଠୁ ଉଠୁ।ଏମିତି ବାଇଆଣି ଭଳିଆ କାହିଁକି ଦିଶୁଛୁ?ଆଜି କୋଉ ଅଭିଯାନ ରେ ଥିଲୁ କି?ସାମାନ୍ୟ ଅପ୍ରସ୍ତୁତ ହୋଇଯାଇ ହସିଦେଇ ସୁରଭି କହିପକାଇଲା-ନାଇଁ ଅପା,ଆଜି ଟିକେ ଘର ଝଡା ଝଡି କରୁଥିଲି,ଆପଣ କାଲି ଆସିବାକୁ କହିଥିଲେ ତ,ବୋଉଙ୍କ ରୁମଟା ଓ ଆପଣ ଯୋଉ ରୁମରେ ରହିବେ,ସେତକ ଝଡ଼ାଝଡ଼ି କରି ଦେବାକୁ ଭାବିଥିଲି।ହଉ,ଚାଲେ,ସେତିକି ଥାଉ,ମୋ ରୁମ ଟା ମୁଁ ନିଜେ ଝାଡ଼ିଦେବି,ତୁ ଖୁଡି ଙ୍କ ରୁମ ଟା ଝାଡ଼ିଦେ।ମୋର ଗୋଟାଏ ଦିନ ଆଗୁଆ ପ୍ରୋଗ୍ରାମ ହୋଇଗଲା,ନ ଜଣାଇ ,ସରପ୍ରାଇଜ ଦେବାକୁ ଚାଲି ଆସିଲି।ତୁ ମୋ ପାଇଁ ଜମା ବ୍ୟସ୍ତ ହ' ନା।ଏଥର ସୁରଭି ବଡ଼ନଣନ୍ଦ ଲତା ଅପା ଙ୍କୁ ତାଙ୍କ ରୁମ କୁ ନେଇଯାଇ,ବ୍ୟାଗ ଟି ତାଙ୍କ ର ରଖିଦେଇ,ତର ତର ରେ ବେଡ଼ସିଟ ଟି କେବଳ ବଦଳାଇ ଦେଇ,ନିଜ ବ୍ୟସ୍ତତା କୁ ଲୁଚାଇବା କୁ ଯାଇ,ଚା'କରିବାକୁ ରୋଷେଇ ଘର କୁ ଚାଲି ଯାଇଥିଲା।

     ଚା'କପ୍ ଟି ହାତରେ ଧରି ଲତା ଅପା ବୋଉ ଙ୍କ ପାଖକୁ ଉଠିଯାଇଥିଲେ,ଓ ସୁରଭି କୁ ଚା' କପେ ପିଇବାକୁ ବାଧ୍ୟକରିଥିଲେ।ଆସେ,ଏଇଠି ଶାଶୁ ବୋହୁ ଙ୍କ ସାଙ୍ଗରେ ଚା'କପେ ଆଜି ପିଏ।କାଲି ଠୁ ଏଇ ସମୟ ରେ ଏମିତି ସାଙ୍ଗ ହୋଇ ଚା'ଟିକିଏ ପିଇବା,ମତେ ଏକୁଟିଆ ଚା'ପିଇବାକୁ ଜମା ଭଲ ଲାଗେନି।ଏତକ ଆଦେଶ ଦେବା ଢଙ୍ଗ ରେ ଲତା ଅପା କହିଥିଲେ।ସମ୍ପର୍କ ରେ ନଣନ୍ଦ ହେଲେ ବି ବୟସ ରେ ଶାଶୁ ଙ୍କ ସମାସ୍କନ୍ଦ,ତା'ଛଡା ବୃତ୍ତି ରେ ଡାକ୍ତର ହୋଇ ଥିବାରୁ,ସୁରଭି ର ମନ ଭିତରେ ଡର ଓ ସମ୍ମାନ ଅଧିକ ଥାଏ,ଅବଶ୍ୟ ତାଙ୍କ ଅମାୟିକ ବ୍ୟବହାରରେ ସ୍ନେହମମତା ଭରପୁର ଥାଏ,ହେଲେ ଆକଟ ମଧ୍ୟ ଲୁଚି ରହିଥାଏ।ସ୍ୱଳ୍ପ ସମୟ ପାଇଁ ଆସିଲେ ମଧ୍ୟ ,ସୁରଭି ର ନିଜପ୍ରତି ଅବହେଳା ହିଁ ସବୁବେଳେ କେମିତି କେଜାଣି ତାଙ୍କ ଆଖିରେ ପଡିଯାଇ ଥାଏ !ହେଲେ,ଏବେତ କିଛିଦିନ ନିଜଘର ମରାମତି କରିବାକୁ ତାଙ୍କୁ ରହିବାକୁ ପଡିବ,ତାଙ୍କର ମୁହେଁମୁହେଁ କହିଦେବା ର ସ୍ଵଭାଵ ସହିତ ଯଦିଓ ସମସ୍ତେ ପରିଚିତ ଥିଲେ,ହେଲେ ଶାଶୁ ଓ ସୁଶାନ୍ତ ଙ୍କୁ ସେସବୁ ଜମା ଭଲ ଲାଗେନି ବୋଲି ସିଏ ମଧ୍ୟ ଜାଣିଥିଲା।ସମସ୍ତଙ୍କ ଭିତରେ କୌଣସି ତିକ୍ତତା ନ ଆସିବାକୁ ତାକୁଇ ଯଥାସାଧ୍ୟ ଚେଷ୍ଟା କରିବାକୁ ପଡିବ ଭାବି ସାମାନ୍ୟ ବ୍ୟସ୍ତ ହୋଇ ପଡୁଥିଲା!

    ସେଦିନ ରବିବାର ଥିବାରୁ ,ଘରେ ସୁଶାନ୍ତ ଓ ଝିଅ ରୁଚି ର ଉପସ୍ଥିତି ସୁରଭି କୁ ଦିନସାରା ବ୍ୟସ୍ତ ରଖିଦେଇ ଥିଲା,ହେଲେ ସନ୍ଧ୍ୟା ବେଳ କୁ ଲତା ଅପାଙ୍କ ଆଗ୍ରହ କ୍ରମେ ତାସ ଖେଳ ର ଆସର ଜମି ଯାଇଥିଲା।ସୁଶାନ୍ତ,ଲତା ଅପା,ଶାଶୁ ଓ ରୁଚି କୁ ନେଇ ଚାରିଜଣିଆ ଟ୍ୱେଣ୍ଟି ନାଇନ ଖେଳ ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିଲା,ଅବଶ୍ୟ ତାକୁ ଲତା ଅପାଙ୍କ ବାରମ୍ବାର ଖେଳ ରେ ଯୋଗ ଦେବାପାଇଁ ଡାକିବା ଟାକୁ ଶାଶୁ ଙ୍କ ର ପସନ୍ଦ ନ ଥିଲା,ହେଲେ,କଥା ଟାକୁ ତୁଲାଇବାକୁ ଯାଇ କହିପକାଇଥିଲେ-ତୁ ଆସେ,ମୋ ଜାଗାରେ ବସେ,ମୁଁ ଟିକିଏ ଅଣ୍ଟା ସିଧା କରିଦିଏ,ଏଇଠି ଟିକିଏ ଗଡ ପଡ ହୋଇଯାଏ,ହେଲେ ସୁଶାନ୍ତ ଙ୍କ ର ପକୁଡି ଖାଇବା ର ବରାଦ ରେ ସେତକ କୁ ଆଡେଇ ଯାଇ ରୋଷେଇଘରକୁ ଉଠିଯାଇଥିଲା ସୁରଭି।ଏଥର ଲତାଅପା କଥା ଆରମ୍ଭ କରିଥିଲେ-ଆଛା ସୁଶାନ୍ତ,ପକୁଡି ଖାଇବାକୁ ତ କହିଦେଲୁ,ଆଉ ସୁରଭି ସୁନା ଘରଣୀ ଟି ପରି ଉଠିଗଲା,ତାକୁ ଖେଳିବାକୁ ଇଛା ଅଛି କି ନ ଅଛି,ଥରେ ପଚାରିଛୁ?ତୋ ବାହାଘର ଚବିଶ ବର୍ଷ ହେଲାଣି,ତାକୁ କଣ ଭଲଲାଗେ ,ଜାଣିଛୁ?ରୁଚି ଆଉ ଚୁପହୋଇ ରହିପାରିନଥିଲା,ସଙ୍ଗେ ସଙ୍ଗେ କଥାରେ ଯୋଡ ଦେଇକି କହିପକାଇଲା-ହଁ ଅପା,ମମ୍ କୁ ତାସ୍ ବହୁତ ଭଲ ଲାଗେ,ଥରେ କହୁଥିଲା,ଝିଅ ବେଳେ କେମିତି ଖରାଦିନ ଛୁଟି ରେ ସେମାନେ ଘଣ୍ଟା ଘଣ୍ଟା ଧରି ଖେଳୁଥିଲେ ବୋଲି।ସୁଶାନ୍ତ ଏଥର କିନ୍ତୁ ଚୁପ ରହିନଥିଲେ,କହିପକାଇଲେ-ଆଲୋ ଅପା,ସେ ଖେଳୁନି, ତାକୁ କଣ କିଏ ମନାକରୁଛି!ବୋଉ ତ ତାକୁ ଖେଳିବାକୁ କହିଲା।ଘରେ ତ କାହାରିକୁ ସମୟ ହୁଏନି,ତାସ୍ କିଏ ଖେଳେ କି?ଏମିତି,କେବେ କେମିତି ସମସ୍ତେ ଛୁଟି ରେ ଏକାଠି ହେଲେ,ଖେଳ ଟିକିଏ ହୁଏ,ତା'ଛଡା ତା'ର ତ ସବୁବେଳେ କିଛି ନା କିଛି କାମ ଥାଏ,ତାକୁ କେବେ ଖେଳିବାର ଦେଖିନି!

     ଲତା ଅପା କିନ୍ତୁ ଚୁପ ରହି ନ ଥିଲେ,ପୁରା ଦମ୍ ରେ ସୁଶାନ୍ତ ଙ୍କ ପଛରେ ଲାଗିପଡିଲେ!ଆଛା କହିଲୁ,ସୁରଭି କୁ କଣ ସବୁଭଲ ଲାଗେ!ତୁ କେତେ ତୋ ସ୍ତ୍ରୀ ବିଷୟ ରେ ଜାଣିଛୁ,ମୁଁ ଟିକିଏ ଶୁଣେ।ଲତା ଅପା ଙ୍କ ଏମିତି ପ୍ରଶ୍ନ ରେ ଅବଶ୍ୟ ସୁଶାନ୍ତ ହଡ଼ବଡେଇ ଯାଇଥିଲେ,କଥା ବଦଳାଇବାକୁ ବହୁତ ଚେଷ୍ଟା ମଧ୍ୟ କରିଥିଲେ,ହେଲେ ସେଦିନ ଯେମିତି ଲତା ଅପା ଙ୍କ ଭିତରେ ବହୁ ଦିନ ରୁ ଥିବା ପ୍ରଶ୍ନ ଗୁଡିକ ଛଟପଟ ହୋଇ ବାହାରି ଆସିଥିଲା!ତାସ୍ ଖେଳୁ ଖେଳୁ,ସମସ୍ତଙ୍କୁ ବୁଝାଇବାକୁ ଯାଇ କଥା କଟକଟି ଆରମ୍ଭ କରିଦେଇଥିଲେ।ଗତ କିଛି ଦିନ ର ରହଣି ଯେମିତି ତାଙ୍କୁ ସୁରଭି ର ଟିକିନିଖି କାର୍ଯ୍ୟକଳାପ ଓ ବ୍ୟସ୍ତତା ,ଅନେକ କିଛି ଜଣାଇ ଦେଇଥିଲା।ରାତି ପାହିବା ଠାରୁ ଶୋଇବା ସମୟ ପର୍ଯ୍ୟନ୍ତ,ସମସ୍ତଙ୍କ ର ସବୁ ଆବଶ୍ୟକତା ଓ ରୁଚି କୁ ଆଖିରେ ରଖି ସୁରଭି ର ମେସିନ ପରି କାମ କରିବା ଓ ନିଜକୁ ସମ୍ପୂର୍ଣ ଭୁଲିଯିବା ଟା ତାଙ୍କୁ ଗ୍ରହଣ କରିବା ସହଜ ହୋଇ ନ ଥିଲା!ଅବିବାହିତ ରହି ଚାକିରୀ ରୁ ଅବସର ନେବାପର୍ଯ୍ୟନ୍ତ ହୁଏତ ସେ ନିଜ କଥା ଛଡା ଅନ୍ୟ କାହାକଥା ଯେମିତି ଭାବି ପାରି ନ ଥିଲେ,ଚାକିରୀ ଜୀବନର ଅବଧି ରେ ଘର ର କୌଣସି ଦାୟିତ୍ୱ ନ ଥିବାରୁ ,ସେସବୁ ହୁଏତ ତାଙ୍କ ଭାବନା ର ବାହାରେ ଥିଲା!କେବଳ ସ୍ୱାଧୀନ ଚିନ୍ତାଧାରା ନେଇ ବଢିଥିଲେ,ଆଉ ଗୋଟିଏ ଭିନ୍ନ ଜୀବନ ଧାରା କୁ ଆପଣେଇ ନେଇଥିଲେ।ନାରୀ ଟିଏ ର ଯେ ଜୀବନ ର ମୂଲ୍ୟ ଓ ନିଜସ୍ୱ ଚିନ୍ତାଧାରା ରହିବା ଆବଶ୍ୟକ ଓ ସେସବୁ ସମ୍ମାନ ଯୋଗ୍ୟ,ଏକଥା ମର୍ମେ ମର୍ମେ ଅନୁଭବ କରୁଥିଲେ।ସେଦିନ ତାଙ୍କରି ସେଇ ଚିନ୍ତାଧାରା କୁ ସମସ୍ତଙ୍କୁ ବୁଝାଇବାକୁ ଲାଗିପଡିଥିଲେ।

     ପରିବେଶ ଟା ଗମ୍ଭୀର ହୋଇଯିବାର ଦେଖି,ସୁରଭି ତରତର ହୋଇ ପକୁଡି ପ୍ଲେଟ ଟି ଧରି ଚାଲିଆସିଥିଲା,ସମସ୍ତଙ୍କୁ ଖାଇବାକୁ କହି ପରିସ୍ଥିତି ଟିକୁ ସମ୍ଭାଳିବାକୁ ବସିଥିଲା,ହେଲେ ଲତା ଅପାଙ୍କର ଜିଦ୍ଦି ଆ ଗୁଣ ଟା ବାହାରି ଆସିଥିଲା।ଶାଶୁ ଓ ସୁଶାନ୍ତ ଉଭୟଙ୍କୁ ତାଙ୍କ ବାରମ୍ବାର ପଚାରିବା,ତାରି ପସନ୍ଦ ନାପସନ୍ଦ ବିଷୟ ରେ ଯେମିତି ଗୋଟିଏ ଜାଗାରେ ଅଟକି ଯାଇଥିଲା!ଦୀର୍ଘ ଚବିଶ ବର୍ଷ ଭିତରେ ନା ସୁଶାନ୍ତ ଠିକ୍ କରି ମନେ ରଖିଥିଲେ ସୁରଭି କୁ କଣ ଭଲ ଲାଗେ,ନାଁ ତା'ଶାଶୁ ଜାଣିଥିଲେ ତା ପସନ୍ଦ!ସମସ୍ତ ଙ୍କ ର ଖାଇବା ପିଇବା କଥା ଟିକିନିଖି କରି ମନେ ରଖି ,ସେସବୁ ଭିତରେ ନିଜ ର ରୁଚି କୁ କେବେ ପ୍ରକାଶ କରିବାକୁ ଇଛା କରିନଥିଲା!ଅବଶ୍ୟ ତା'ର ସେମିତି କୌଣସି ଖାଦ୍ୟପେୟ ପ୍ରତି ଅଧିକ ଆଶକ୍ତି ନ ଥିଲା,କି କୌଣସି ଥିରେ କିଛି ବାଛିବା ଗୁଣ ନ ଥିଲା,କେବଳ ପିଲାଟି ବେଳୁ ଆଇଁଶ ଖାଉ ନ ଥିଲା ବୋଲି ସମସ୍ତେ ଜାଣିଥିଲେ।ଜଞ୍ଜାଳମୟ ଜୀବନରେ କେବେ ଫୁର୍ଷତ ଟିକିଏ ପାଉନଥିବାରୁ,ଘର ସଜାସଜି କରିବା ଛଡା, ଅନ୍ୟକିଛି ରେ ଆଗ୍ରହ ନ ଥିଲା ଭଳି ସମସ୍ତଙ୍କୁ ଲାଗୁଥିଲା।ଅବଶ୍ୟ ଝିଅ ପାଇଁ ଡ୍ରେସ ତିଆରି କରିବା ଠାରୁ ଆରମ୍ଭ କରି ସବୁପ୍ରକାର ସିଲାଇ ପତ୍ର କରିପାରୁଥିଲା,ଶାଶୁଙ୍କ ପୂଜାପାଠ ରେ ମଧ୍ୟ ଚିତା ପକାଇବା ,ରଙ୍ଗୋଲି କରିବା,ସବୁଥିରେ ଭଲ ଗୃହିଣୀ ଟିଏ ର କର୍ତ୍ତବ୍ୟ ଠିକ୍ ଭାବରେ କରିପାରୁଥିଲା।ହେଲେ,ତାକୁ କଣ କରିବାକୁ ଭଲ ଲାଗେ,ସେକଥା କେହି ପଚାରିବା ର ସୁଯୋଗ ହିଁ କେବେ ନ ଥିଲା!ଅଳ୍ପ ଦିନ ର ରହଣି ଭିତରେ,ଲତା ଅପା ଙ୍କ ହାତରେ ସୁରଭି ର ଫୋନ ଟିରୁ ତା'ଗୀତ ରେକଡିଂ ଟିଏ ପଡି ଯାଇଥିଲା,ଆଉ ଷ୍ଟାର ମେକର ରେ ତାର ଅନେକ ଶୁଭେଛୁ ଓ ଆଦର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ!ସେଦିନ ଘର ର ସମସ୍ତଙ୍କୁ ସେକଥା ଜଣାଇଦେଇ ଆଶ୍ଚର୍ଯ୍ୟ କରିଦେଇଥିଲେ,ଅବଶ୍ୟ ରୁଚିକୁ ଜଣାଥିଲା ସୁରଭି ର ଗୁଣୁ ଗୁଣୁ ହେବା,ଆଉ ତା'ର ଷ୍ଟାର ମେକର ରେ ଆକାଉଣ୍ଟ ଖୋଲିବା!ତାକୁ ଯେ ନିଜ ପାଇଁ କିଛି ସମୟ ବାହାର କରିବାକୁ ପଡିବ,ତା'ଖୁସି କୁ ସମ୍ମାନ ଜଣାଇ ସମସ୍ତଙ୍କୁ ଯେ ସହଯୋଗ କରିବାକୁ ପଡିବ,ଏକଥା ମଧ୍ୟ ସ୍ପଷ୍ଟ କରି ବୁଝାଇ ଦେଇଥିଲେ!ସୁରଭି ର ଲାଜୁଆ ମୁହଁ ସେଦିନ କିଛି ବି ଉତ୍ତର ଦେଇ ପାରିନଥିଲା!

    ପକୁଡି ଖାଉ ଖାଉ ରାପିଡ଼୍ ଫାୟାର ରାଉଣ୍ଡ ଭଳି,ପ୍ରଶ୍ନଗୁଚ୍ଛ ଟିଏ ଲେଖାଏଁ ସମସ୍ତଙ୍କୁ ପଚାରି,ସୁରଭି ଯେ ସମସ୍ତଙ୍କ ର ରୁଚି କୁ ଟିକିନିଖି କରି ମନେରଖିଛି, ଏକଥା ସ୍ପଷ୍ଟ କରିଦେଇଥିଲେ!ଯଦିଓ ସୁଶାନ୍ତ ଓ ଶାଶୁ ସାମାନ୍ୟ ଅପ୍ରସ୍ତୁତ ହୋଇ ଯାଇଥିଲେ,ତଥାପି ହସଖୁସି ରେ ସେଦିନ ପକୁଡିଖିଆ ପର୍ବ ଓ ତାସ୍ ଖେଳ ସରିଯା ଇଥିଲା।

   ଅଳ୍ପଦିନ ପରେ ,ହଠାତ୍ ଦିନେ ଚବିଶ ବର୍ଷ ହେବ କାଠବାକ୍ସ ଭିତରେ ଅଣନିଶ୍ଵାସୀ ହୋଇ ପଡ଼ିଥିବା ହାର ମୋନିଆମ ଟି ଯେମିତି ନିଶ୍ୱାସ ନେବାକୁ ବାହାର ଆଲୋକ ଦେଖି ପାରିଥିଲା!ଷ୍ଟୋର ରୁମ ଭିତରୁ ରୁଚି ବାହାର କରି ସୁଶାନ୍ତ ଙ୍କ ବେଡ଼ରୁମ ର କୋଣରେ ଥିବା ଛୋଟ ଟେବୁଲ ଟି ଉପରେ ଝାଡ଼ିଝୁଡ଼ି ରଖିବାର ଦେଖି,ସୁରଭି ଆଶ୍ଚର୍ୟ୍ଯ ହୋଇ ଯାଇଥିଲା!"ହେଲେ,ତା'ଆଖିରେ ଭାଷି ବୁଲୁଥିବା ଅନେକ ପ୍ରଶ୍ନ କୁ ଆଡେଇ ଦେଇ,ରୁଚି କହିପକାଇଲା-ମମ୍,ଏଇଟା ଏଥର ଏଇଠି ରହିବ,ଆଉ ତୁ ଯେତେବେଳେ ଚାହିଁବୁ ଅଭ୍ୟାସ କରିପାରିବୁ,ମୁଁ କହୁନି, ପାପାଙ୍କ ନିର୍ଦେଶ!ଶାଶୁ ଙ୍କ ର ସ୍ମିତ ହାସ୍ୟ ବହୁତକିଛି କହିଦେଉଥିଲା ଓ ଲତା ଅପାଙ୍କ ହସ ହସ ମୁହଁ ଯେମିତି ତାକୁ ନିଜପାଇଁ ସମୟ ବାହାର କରିବାକୁ ପ୍ରେରଣା ଦେଉଥିଲା।ହୁଏତ କିଛିଟା ବୁଝାମଣା ର ସମ୍ଭାବନା ଓ ନିଜପାଇଁ ସମୟ ବାହାର କରିବାର ସୁଯୋଗ ତାକୁ ଅପେକ୍ଷା କରିଥିଲା..!



Rate this content
Log in

Similar oriya story from Abstract