Fransis Satapathy

Romance

3.5  

Fransis Satapathy

Romance

କଳାଜାଇ

କଳାଜାଇ

10 mins
574


ତାକୁ ରାତିରାତି ଜୀଇଁଛି ମୁଁ; ରାତିରାତି ଭୋଗିଛି। ତାକୁ ଛୁଇଁଚି। ତାକୁ ଅନୁଭବ କରିଛି। ଅଭିମାନ କରିଛି। ଅଭିସାର କରିଛି। ତା' ପାଖେ ଅଭିଯୋଗ କରିଛି, ରୁଷିଛି ଓ ରୁଷେଇଛି ମୁଁ। ହେଲେ ତା' ପୁରା ଶରୀରଟାକୁ ଆରେକ ନକ୍ଷତ୍ର ଭାବି ପ୍ରଦକ୍ଷିଣ କଲାପରେ ସବୁଥର ଅଟକି ଯାଇଛି ତା' ଓଠର ଠିକ୍ ବାଁ ପଟେ ଟିକେ ଉପରକୁ ଥିବା କଳାଜାଇ ପାଖରେ । ତା'ର ପାଞ୍ଚଫୁଟ ଦୁଇଇଞ୍ଚର ହଳଦିଗୋରା ଦେହରେ ସୁସ୍ପଷ୍ଟ ସେଇ ଦୁଇ ମିଲିମିଟର କଳାଜାଇକୁ ଚୁମିବାକୁ ଗଲାବେଳେ ପ୍ରତିଥର ମୋବାଇଲ ଆଲର୍ମର ଗାୟତ୍ରୀମନ୍ତ୍ର ଟିଉନରେ ନିଦ ଭାଙ୍ଗିଯାଏ ମୋର। ଥରେ ନୁହେଁ, ଦୁଇଥର ନୁହେଁ, ବାରମ୍ବାର ବିଫଳତା ପରେ ବି ମନରେ ଗୋଟେ ଖୁସିଥାଏ ଯେ ତାକୁ ନେଇ ମୋର ସ୍ୱପ୍ନ ପାହାନ୍ତି ପହରର। ଆଉ ଅନ୍ଧବିଶ୍ୱାସ ହେଲେ ବି ସେଇ ଗୋଟିଏ ଆଶ୍ୱାସନା ପାହାନ୍ତିଆ ସ୍ୱପ୍ନ ସତ ହେବ ନିଶ୍ଚୟ।

×××

ରବିବାର ମୋ ମୋବାଇଲର ଆଲର୍ମ ବନ୍ଦ ଥାଏ। ସପ୍ତାହରେ ଆଟଲିଷ୍ଟ ଗୋଟେ ଦିନ ମୋ ନିଦ ସହ କମ୍ପ୍ରମାଇଜ କରିପାରେନି ମୁଁ। ପୁରା ଦିନ ମୋ ହିସାବରେ ଜୀଏ ସେଦିନ। ମୋ ରବିବାରରେ କାହାର ହସ୍ତକ୍ଷେପକୁ ଗ୍ରହଣ କରିପାରେନି ଜମା। ସେଦିନ ମୁଁ ମୋର କମ୍ପ୍ଲିଟ୍ ବ୍ୟାଚଲର ଲାଇଫକୁ ଏଞ୍ଜୟ କରେ।

-ଶୁଭ ! ଶୁଭ !! ଉଠେ ତୋ' ବାପା ଡାକୁଛନ୍ତି।

ବୋଉର ଡାକରେ ନିଦ ଭାଙ୍ଗିଗଲା ମୋର। ଦେଖିଲି ସକାଳ ସାଢ଼େ ସାତଟା। ଚିଡ଼ି ଚିଡ଼ି ହୋଇ ଉଠିଲି ମୁଁ। 

-କାଇଁ ସକାଳଟାରୁ ଆସି ହୋ ହୋ ହଉଛୁ ମ? ଜାଣିନୁ ଆଜି ସଣ୍ଡେ ବୋଲି? ମୁଁ ଏବେ ଯାଇପାରିବିନି। ଶୋଇକି ଉଠିଲେ ଯିବି। ସକାଳୁ ସକାଳୁ ଆରମ୍ଭ ହେଇଗଲା। କାଲି ରାତିରେ ତ ସବୁ କହିଛି ମୁଁ.. ପୁଣି କ'ଣ?

-ପାଲା ତ ଲଗେଇଛୁ... ସକାଳ କଣ ରାତି କଣ? ତୋ' ବାପା ରାତି ସାରା ଶୋଇନାହାନ୍ତି। ବ୍ଲଡ଼ପ୍ରେସର ବଢ଼ି ଗଲା କି କଣ କେଜାଣି! ତାଙ୍କ ଦିହ ଖରାପ ହେଲେ ପୁଣି ଅସୁବିଧା। ମତେ ମରଣ ହଉନି ଯାହା....!!

-ବେଶି ଆଉ ଡ୍ରାମା କରନି । ଯା' ମୁଁ ଫ୍ରେସ ହେଇ ଯାଉଛି।

ଘର ବାରଣ୍ଡାରେ ଆର୍ମଚେୟାର ଉପରେ ନିଉଜ ପେପର ପଢ଼ୁଥିଲେ ବାପା। ମୋ ପାଦଶବ୍ଦ ଶୁଣି ମୁହଁ ଉଠାଇ ଚାହିଁଲେ।

-ତୋର ସେଇଟା ତାହେଲେ ଶେଷ ନିଷ୍ପତ୍ତି?

-ଆଜ୍ଞା।

-କାହିଁକି ଏତେ ମହାନ ହେବାକୁ ଚାହୁଁଚୁ? ଆମର ଗୋଟେ ବୋଲି ପୁଅ ତୁ। ବ୍ୟାଙ୍କରେ ଚାକିରୀ କରିଛୁ। ଦରମା ଭଲ। ଭଗବାନଙ୍କ ଦୟାରୁ ଆମର ଅଭାବ କିଛି ନାହିଁ। ତଥାପି ସେଇ ଝିଅ ତୋର ଦରକାର? ତତେ କଣ ଝିଅ ମିଳିବେନି? ତା ମୁହଁରୁ ଫାଳେ ଏସିଡ ପଡ଼ି ନଷ୍ଟ। ଲୋକେ କଣ କହିବେ?

-ବାପା ତାକୁ ମୁଁ ଭଲପାଏ। ମୁଁ ଆପଣଙ୍କୁ କାଲି ସବୁ କହିଛି। ଲୋକମାନଙ୍କ ଠାରୁ ମତେ କଁ ମିଳିବ? ପ୍ଲିଜ ମୋତେ ଆଉ ପଚାରନ୍ତୁନି। ପିଲାଦିନୁ କିଛି ମାଗିବା ପୂର୍ବରୁ ସବୁ ଦେଇଛନ୍ତି ଆପଣ। ମୋର ପ୍ରତି ନିଷ୍ପତ୍ତିରେ ଆପଣ ମୋ ସହ ଥାଆନ୍ତି । ମୋର ଏ ନିଷ୍ପତ୍ତି କିଛି ଭୁଲ ନୁହେଁ ବାପା। ଆପଣ ସୀମାକୁ ଗ୍ରହଣ କଲେ ଦୁଇ ଦୁଇଟା ଜୀବନ ବରବାଦ ହେବାରୁ ବଞ୍ଚିଯିବ। କାରଣ ସୀମାକୁ ଛାଡ଼ି ମୁଁ ଅନ୍ୟ କାହା କଥା ଭାବିନି। ସେ ନୁହେଁ ତ ଆଉ କେହି ନୁହେଁ।

- ହଉ ତୋ ଇଚ୍ଛା ଯାହା କର। ଭଲମନ୍ଦ ବିଚାର କରିବାର ଶକ୍ତି ଅଛି ତୋର। ତୁ ମୋର ଶକ୍ତି, ମୋର ଦୁର୍ବଳତା। ତତେ ଛାଡ଼ିପାରିବିନି। ତେଣୁ ....ଠିକ୍ ଅଛି। ତୋ କଥା ହଉ। ତୋ ଭାଗ୍ୟରେ ଯାହା ଥିବ..!

×××

ସୀମା ସହ ମୋର +୨ ଫର୍ଷ୍ଟ ଇଅରରେ ଦେଖା। ଦୁହେଁ ସେମ ବ୍ୟାଚ। ବି.ଜେ.ବି. କଲେଜର ଗୋଡ଼ି ମାଟି ଚିହ୍ନେ କଲେଜ କୁଇନ ସୀମାଦ୍ରୀ ସାସମଲ ଓରଫ ସୀମାକୁ । କ୍ଳାସ, ହଷ୍ଟେଲ, କ୍ୟାଣ୍ଟିନ ସବୁଠି ସୀମାର ଦିବାନା ଘୁରି ବୁଲୁଥାନ୍ତି। ତା ସହ ପଦେ କଥା ହେବାକୁ ଶହେ ଶହେ ଟଙ୍କାର ବେଟ ପଡ଼େ ଆମ ପିଲାଙ୍କ ମଧ୍ୟରେ। 

ସୀମା ବି ଏ ସବୁ ରୋମିଓଙ୍କୁ ତା' ସୀମା ଚାରିପଟେ ଘୁରାଇବାର କୁହୁକ ବିଦ୍ୟା ଜାଣିଥାଏ। ତାର ଆଖି ନାଚିଲେ ନାଚି ଉଠନ୍ତି ସମସ୍ତେ। ତାର ହସ ସମସ୍ତଙ୍କୁ ବେହୋସ କରେ ନିମିଷକେ। ତାର ବାସ୍ନା ପରାସ୍ତ କରେ ଲକ୍ଷେ ପାରିଜାତଙ୍କୁ। ତାର ରଙ୍ଗ ଲୁଚେଇ ପାରେ ଦୁନିଆର ସମସ୍ତ ରଙ୍ଗକୁ। ପୋଏଟିକ ଲାଗୁଚି ନା..? ବଟ ଇଟ୍ସ ଟ୍ରୁ ।

ମୁଁ ତାକୁ ଦେଖି ନିଜକୁ ହଜାଉଥାଏ ସବୁବେଳେ। ହେଲେ ତା ପାଖରେ ଚାଲିବାକୁ ବି ସାହସ ନଥାଏ ମୋର। ନିଜକୁ ଇନଫେରିଅର ଫିଲ କରେ ତା ଆଗରେ। ଆମ କଲେଜର ସ୍ମାର୍ଟ ପିଲାମାନେ ତା ସ୍ମାର୍ଟନେସ ଆଗରେ ଅପମାନିତ ହୋଇଯା'ନ୍ତି। ତା ସୌନ୍ଦର୍ଯ୍ୟ ଓ ଷ୍ଟାଇଲ ସେମାନଙ୍କୁ ତାଙ୍କ ଔକାତ ଦେଖେଇ ଦିଏ ସବୁବେଳେ। ମଜା କଥା ହେଲା ସୀମା ସବୁ ପୁଅଙ୍କୁ କମେଣ୍ଟ କରେ। ମୋ ସାଏ ଆଟିଟ୍ୟୁଡ଼୍, ଜେଣ୍ଟଲମ୍ୟାନ ହେୟାରଷ୍ଟାଇଲ ଆଉ ସିମ୍ପ୍ଲିସିଟି ଲାଗି ମତେ ସେ ଡାକେ 'ମାମା'ସ୍ ବଏ'; ଆଉ କମେଣ୍ଟ କରି କହେ ଶୁଭମ - ଦ ମାମା'ସ୍ ବଏ। 

ତାକୁ ଦେଖିବା ଦିନରୁ ତା ପ୍ରେମରେ ପଡ଼ିଥିଲି ମୁଁ । କଲେଜରେ ତା ଠାରୁ ଯେତିକି ଦୂରରେ ଥାଏ, ରାତିରେ ସେତେ ପାଖରୁ ସ୍ୱପ୍ନରେ ଦେଖେ ତାକୁ। ଭାବେ ସୀମା ବାସ୍ତବରେ ନହେଲେ ବି ସ୍ୱପ୍ନରେ ମୋର.... କେବଳ ମୋର । ତା ରୂପ, ରଙ୍ଗ, ବାସ୍ନା, ଯୌବନ, ସୁଖ, ଦୁଃଖ, ବର୍ତ୍ତମାନ, ଭବିଷ୍ୟତ ସବୁରେ କେବଳ ମୋର ହିଁ ଅଧିକାର ଅଛି, ଆଉ କାହାର ନୁହେଁ। 

×××

ନାରୀର ସୌନ୍ଦର୍ଯ୍ୟ କେବଳ ତା’ର ଭୂଷଣ ନୁହେଁ; ତା'ର ଅହଂକାରର କାରଣ ବି । ହଁ, ସୀମା ତା' ରୂପ, ତା' ସୌନ୍ଦର୍ଯ୍ୟକୁ ନେଇ ବହୁତ ଅହଂକାରୀ ଥିଲା। ତା’ର ନେମ ଆଣ୍ଡ ଫେମ ଲାଗି କିଛି ତା'ର ଏ ଦୁର୍ଗୁଣକୁ ସହି ଯାଉଥିଲେ, ଉପରେ କିଛି ନ କହିଲେ ବି ଭିତରେ ରାଗୁଥିଲେ ତା' ଉପରେ । ସୀମା ଆମ କଲେଜରେ ବିୟୁଟି କୁଇନ କଣ୍ଟେଷ୍ଟରେ ୱିନ କରିଥିଲା ସେ ବର୍ଷ । ତାକୁ ମଡେଲିଙ୍ଗ ପାଇଁ ଅଫର ଆସିଲା ବଡ ବଡ କମ୍ପାନୀ ତରଫରୁ । କୁହାଯାଏ ସ୍ଵଜାତି ପର ହିଂସ୍ରୁକ । ତା’ର କଣ୍ଟେଷ୍ଟାଣ୍ଟମାନଙ୍କର ଚକ୍ଷୁଶୂଳ ହେଲା ତା'ର ଏଇ ସଫଳତା । 

ୟା ଭିତରେ ଗ୍ରାଜୁଏସନ ସାରି ମୁଁ ସେଇ ବର୍ଷ ହିଁ ଫର୍ଷ୍ଟ ଚାନ୍ସରେ ବ୍ୟାଙ୍କିଙ୍ଗ କ୍ବାଲିଫାଏ କରି ଜଏନ କରିସାରିଥିଲି ରିଜର୍ଭ ବ୍ୟାଙ୍କ,ବେଙ୍ଗାଲୁରୁରେ। ସୀମା ମଡେଲିଙ୍ଗରେ କ୍ୟାରିଅର କରିବା ପାଇଁ ଲାଗିପଡ଼ିଥାଏ। ତେଣୁ ପାଠପଢ଼ାରେ ଧ୍ୟାନ ଦେଇପାରୁନଥାଏ। ସେମିତି ବି ପାଠରେ ରୁଚି ନଥାଏ ତା'ର। ଫାଇନାଲ ଇଅରରେ ପେପର ବ୍ୟାକ ଲାଗି ସେ ଆଉଥରେ ଏକ୍ଜାମ ଦେଉଥାଏ।

ସୀମାର ଛଦ୍ମବେଶୀ ଶତ୍ରୁମାନେ ସୁଯୋଗକୁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରି ବସିଥାନ୍ତି ତାକୁ ହଇରାଣ କରିବା ପାଇଁ। ସୀମା ସେମାନଙ୍କୁ ସାଙ୍ଗ ହିସାବରେ ବହୁତ ବିଶ୍ୱାସ କରେ। 

ମିତ୍ରର ଶତ୍ରୁତା ଓ ଶତ୍ରୁର ମିତ୍ରତା ଘୋର ବିପଦ୍ଜନକ। ପ୍ରାଣ ଚାଲିଯାଇପାରେ।

ସୀମାକୁ ଥରେ ପ୍ରପୋଜ କରି ଅପମାନିତ ହୋଇଥିବା ଆମ କଲେଜର ରକିକୁ ଉସକେଇଲେ ସେମାନେ। ରକି ଜଣେ ତଥାକଥିତ ଅମୀର ବାପକା ବିଗଡ଼ା ହୁଆ ଔଲାଦ। ଅପର୍ଯ୍ୟାପ୍ତ ଟଙ୍କା ତା ହାତରେ। ଜଣେ ହୀରା ବ୍ୟବସାୟୀଙ୍କର ଏକମାତ୍ର ପୁଅ। ଚାରିନିଶା ପାର ସିଏ। ବହୁତ ବଦରାଗୀ ସ୍ୱଭାବର। ଇଗୋଇଷ୍ଟିକ ବି। ଇଗୋ ପାଇଁ କିଛି ବି କରିପାରେ। ସୀମାଠାରୁ ପ୍ରତିଶୋଧ ନିଆଁରେ ଜଳୁଥିଲା ରକି।

ସୀମା ଏକ୍ଜାମର ଶେଷ ଦିନକୁ ଚାହିଁବସିଥିଲା ରକି। ସାରି ଫେରିବା ବାଟରେ ଏସିଡ ଆଟାକ କଲା ତା' ଉପରେ। ରକିର ଭାଗ୍ୟ ଖରାପ କି ସୀମାର ଭାଗ୍ୟ ଭଲ, ରକି ହାତରେ ଏସିଡ ଵଟଲଟି ଫୁଟିଗଲା। ତା' ହାତ ତ ପୋଡ଼ିଲା, ହେଲେ କିଛି ଏସିଡ ବି ଛିଟକି ସୀମା ଗାଲରେ ପଡ଼ିଲା। ସୀମାର ଗାଲରୁ ଖଣ୍ଡେ ପୋଡ଼ି ହୋଇଗଲା।

ବହୁତ ଦିନର ଟ୍ରିଟମେଣ୍ଟ ଓ ପ୍ଲାଷ୍ଟିକ ସର୍ଜରୀ ପରେ ସୀମା ସୁସ୍ଥ ହେଲା ସିନା ହେଲେ ତା' ମଡେଲ ହେବାର ସ୍ୱପ୍ନ ସ୍ୱପ୍ନରେ ରହିଗଲା।

ସ୍ୱପ୍ନ ଭାଙ୍ଗିବାଟା ଜୀବନ ଯିବାଠୁ ବି କଷ୍ଟ। ସୀମା ହାରିଗଲା ଭିତରୁ। ସାଇକୋଲୋଜିକାଲ ଡିପ୍ରେସନ ଆସିଗଲା ତା'ର। ହସ୍ପିଟାଲରେ ଆଡ଼ମିଟ ହେବାକୁ ପଡ଼ିଲା ତାକୁ। କିଛି ଇମ୍ପୃଭମେଣ୍ଟ ନହେବାରୁ ଡକ୍ଟରଙ୍କ ପରାମର୍ଶରେ ବେଙ୍ଗାଲୁରୁ ଗଲା ନିମହାନ୍ସରେ ଟ୍ରିଟମେଣ୍ଟ୍ ପାଇଁ। 

×××

ସୀମାର ଏସବୁ ପରିସ୍ଥିତି ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥାଏ ମୁଁ । ଜାଣିବାକୁ କୌଣସି ବାଟ ବି ନଥାଏ। ସୀମା ସହ କୌଣସି ସମ୍ପର୍କ ନଥାଏ ମୋର। ସେ ମୋତେ କେବେ ଖୋଜେନି। ମୁଁ ତ ତା’ର ଫ୍ରେଣ୍ଡଲିଷ୍ଟରେ ବି ନଥିଲି ଫେସବୁକରେ ବି। ମୋ ଫ୍ରେଣ୍ଡ ରିକ୍ୟୁଏଷ୍ଟଟା ତା ଟାଇମଲାଇନରେ ସେମିତି ଅପଚରା ଓ ଅଦେଖା ହୋଇ ପଡ଼ିଛି ବାକି ସବୁ ବନ୍ଧୁତ୍ଵ ଆଶାୟୀଙ୍କ ଭିଡ଼ ଭିତରେ । ତା' ନଜରକୁ ଆସିବା ପାଇଁ ନିଜକୁ ବଦଳେଇଛି ନିଜର ରୂପ, ବେଶ, କଥା, ହେୟାର ଷ୍ଟାଇଲ, ଇତ୍ୟାଦି, ଇତ୍ୟାଦି । ଜିମ ଯାଇ ବଡି ବିଲଡିଙ୍ଗ କରିଛି। ମାମା'ସ ବଏ ରୁ ମାଚୋ ମ୍ୟାନ ହୋଇଛି। ହେଲେ ତା'ର ମନ ନେବା ପାଇଁ ବିଫଳ ହୋଇଛି। 

×××

ଦିନେ କୌଣସି କାମରେ ନିମହାନ୍ସ ଯାଇଥାଏ ମୁଁ । ଦେଖାହେଲା ସୀମା ସହ । ମୁଁ ଦେଖିଥିବା ସୀମା ଠାରୁ ପୁରା ଅଲଗା। ଏ ସୀମା ଚଞ୍ଚଳ ନଥିଲା, କ୍ରେଜି ନଥିଲା, ମଡେଲ ନଥିଲା, ଅଶାନ୍ତ ନଥିଲା । ଚୁପ ଚାପ ଥିଲା। ଆଖିଦୁଇଟି ଯେମିତି ସମୁଦ୍ରେ ଅବସୋସର ଲୁହକୁ ବାଡ ଦେଇ ରଖିଥାନ୍ତି। ଲିପଷ୍ଟିକ ଶୂନ୍ୟ ଓଠଟି ନିରାଶାର ଝଞ୍ଜାମାଡ ଖାଇ ଶୁଖିଯାଇଥାଏ । ଗାଲରେ ସୁଦୃଷ୍ଟ ପୋଡ଼ା ଦାଗ। ଦୁଃଖରେ ଆଉଟି ହୋଇ କଳା ପଡ଼ିଯାଇଥାଏ ମୁହଁ । ଗୋଡଦୁଇଟି ଚାଲିବା ଭୁଲି ଯାଇଥାନ୍ତି । ଚେହେରାରେ ଜୀବନବିମୁଖ ବୈରାଗ୍ୟପଣ । ଭାବିନେଲି ଇଏ ସୀମା ନୁହେଁ, ସୀମା ପରି ଦିଶୁଥିବା ଆହତ ଦୁଃଖିନିଟିଏ । ହେଲେ ଏତେ ସାମଞ୍ଜସ୍ୟ ଆସିବ କେମିତି? ନଜର ପଡିଲା ତା' ଓଠ ଉପରେ ସେ କଳାଜାଇ ଉପରେ। ଠିକ ମୋ ସୀମା ପରି। ଚମକି ପଡିଲି। ସୀମା ଏଠି କଣ କରୁଛି? ତା'ର ଏ କି ଅବସ୍ଥା? ତଥାପି ବିଶ୍ଵାସ ହେଉ ନଥାଏ। ତା' ପାଖକୁ ଯାଇ ଡାକିଲି-ସୀମା !

ଉତ୍ତର ନଥିଲା କିଛି। ଅନ୍ୟମନସ୍କ ହୋଇ ଚାହିଁଥାଏ କୁଆଡେ। 

ପୁଣି ଥରେ ଡାକିଲି -ସୀମା ? ତୁମେ ସୀମା ତ ? ଆଇ ମିନ ସୀମାଦ୍ରୀ ସାସମଲ ??

କିଛି କହୁ ନଥାଏ ସେ । 

ଆପଣ ତାକୁ ଚିହ୍ନିଛନ୍ତି ?- ଗୋଟେ ନାରୀ କଣ୍ଠ ଶୁଣି ଚାହିଁଲି ମୁଁ। 

-ଆଜ୍ଞା । ଆମେ ସାଙ୍ଗହୋଇ ପଢୁଥିଲୁ । ଆପଣ ?

-ମୁଁ ସୀମାର ମମି ।

-ଓହୋ....ଆଣ୍ଟି ନମସ୍କାର । ମୁଁ ଶୁଭମ। ଶୁଭମ ମହାପାତ୍ର। ସୀମା ସାଙ୍ଗରେ ବି.ଜେ.ବି. ରେ ପଢ଼ୁଥିଲି। ଏବେ ଏଇ ବେଙ୍ଗାଲୁରୁରେ ଆର.ବି.ଆଇ. ରେ ଜବ କରୁଛି।

ସୀମା ଏଠି ? ଡାକିଲେ ଶୁଣୁନି। ଏମିତି କଣ ଦିଶୁଚି ସେ? ଗାଲରେ ଏତେ ବଡ଼ ପୋଡ଼ା ଦାଗ...କଣ ହେଇଚି ତା'ର?

ଏକା ଥରକେ ଏତେ ଗୁଡ଼ିଏ ପ୍ରଶ୍ନ ପଚାରି ସାରିବା ପରେ ଉତ୍ତରରେ କେବଳ ଆଣ୍ଟିଙ୍କ କାନ୍ଦ ପାଇଲି ମୁଁ।

-ଆଇ'ମ ସରି ଆଣ୍ଟି। ବଟ କେମିତି ହେଲା ଏ ସବୁ...?

- ତା' ଭାଗ୍ୟ ଖରାପ ବାପା। ମୋ ଝିଅ ବରବାଦ ହେଇଗଲା।

ପୁଣି କାନ୍ଦି ପକେଇଲେ ଆଣ୍ଟି। ସବୁକଥା କହିଲେ ମୋତେ। ମୁଣ୍ଡ ଘୁରେଇ ଦେଲା ମୋର। ଆଖିରେ ଲୁହ ଆସିଗଲା। 

ହେଲେ ନିଜକୁ ଦୃଢ଼ କରି ସାନ୍ତ୍ୱନା ଦେଲି ତାଙ୍କୁ।

-ସବୁ ଠିକ୍ ହେଇଯିବ ଆଣ୍ଟି। ଆପଣ ଏମିତି ଭାଙ୍ଗି ପଡ଼ିଲେ ସୀମା ନିଜକୁ ସମ୍ଭାଳିବ କେମିତି?

-ନାଇଁ ପୁଅ। ଏବେ ନିଜକୁ ସମ୍ଭାଳିବା ଛଡ଼ା ଆଉ ଉପାୟ କଣ? ତା' ଭାଗ୍ୟଫଳ ସେ ଭୋଗୁଛି, ଆହୁରି କେତେଦିନ ଭୋଗିବ କିଏ ଜାଣେ? ଲୁହ ପୋଛି ପୋଛି କହିଲେ ଆଣ୍ଟି।

-କେତେଦିନ ହେଲାଣି ଏଠାକୁ ଆସିଲେଣି? 

-ତିନି ମାସ ହେବ।

-ଆଚ୍ଛା। ଡାକ୍ତର କଣ କହୁଛନ୍ତି...ଆଉ କେତେଦିନ ଲାଗିବ?

-ଠିକ୍ ନାହିଁ। ତଥାପି ତିନି ଚାରିମାସ ଲାଗିପାରେ ବୋଲି କହୁଛନ୍ତି।

-ସାଙ୍ଗରେ ଆଉ କିଏ ଅଛନ୍ତି? ରହୁଛନ୍ତି କୋଉଠି?? କେହି ରିଲେଟିଭ ଏଠି ଅଛନ୍ତି କି???

-ଏଠି କିଏ ଅଛିରେ ବାପା? ଏଇ ପାଖ ଲଜିଂରେ ରହୁଚୁ। ଦିନକୁ ଚାରିଶ' ଟଙ୍କା ଲେଖାଏଁ। ଅଙ୍କଲ ଛୁଟି ନେଇ ଅଛନ୍ତି ସାଙ୍ଗରେ। ଭାରି ଅସୁବିଧା ହଉଚି।

ସୀମାର ବାପା ମେଡିସିନ ପାଇଁ ଯାଇଥିଲେ, ଆସି ପହଁଚିଲେ। ଆଣ୍ଟି ତାଙ୍କ ସହ ଚିହ୍ନା କରେଇଦେଲେ ମୋତେ।

-ଅଙ୍କଲ ନମସ୍କାର।

-ନମସ୍କାର। ଆଉ ପୁଅ ସବୁ ଭଲ ତ? କୋଉଠି ତ ବାପା ଘର?

ତାଙ୍କ ଫର୍ମାଲ କଥାବାର୍ତ୍ତା ବେଳେ ତାଙ୍କ ଆଖିରେ ଦିଶୁଥିଲା ଝିଅର ଦୁଃଖରେ ହତାଶ ହୋଇଯାଇଥିବା ଗୋଟେ ବାପର ହୃଦୟ। ଏମିତି ବି ତାଙ୍କ ଚାଲିଚଳନରେ ଫୁଟି ଉଠୁଥିଲା ନିଷ୍କପଟତା ତଥା ସରଳତା। 

ତାଙ୍କ ସହ କଥା ହୋଇ ଆହୁରି ଆତ୍ମୀୟ ହେବାକୁ ଚେଷ୍ଟା କଲି ମୁଁ। ଭରସା ଦେଲି ଯେ ସୀମାକୁ ସୁସ୍ଥ କରିବା ଅଭିଯାନରେ ସେମାନେ ଆଉ ଏକା ନୁହଁନ୍ତି ବୋଲି।

-ଅଙ୍କଲ ଯଦି ଖରାପ ନଭାବିବେ ଗୋଟେ କଥା କହିବି?

-କହୁନ ବାପା। ଏଠି ଏ ଅଜଣା ଜାଗାରେ ତୁମେ ଆମ ନିଜର। ସୀମାର ସାଙ୍ଗ। ଆମ ପୁଅ ଭଳି। ତୁମ କଥାକୁ ଖରାପ କଣ ଭାବିବି? 

-ମୋ କ୍ୱାର୍ଟର ଏଇ ପାଖରେ। ୨-୩ କିମି ହେବ। କେହି ନାହାଁନ୍ତି। ପୁରା ଫାଙ୍କା ପଡ଼ିଛି। ମୁଁ ତ ଦିନଯାକ ବ୍ୟାଙ୍କରେ। ଆପଣ କାହିଁକି ବାହାରେ ଅଯଥାରେ ରହିବେ? ସେଠି ଆପଣମାନେ ରହିଲେ ହୁଅନ୍ତାନି?

-ନାଇଁ ମ ବାପା, ଆମ ପାଇଁ ହଇରାଣ କଣ ପାଇଁ ହବ? ଏଠି ପାଖରେ ତ ଅଛୁ, କିଛି ଅସୁବିଧା ନାହିଁ। ଦୁଇପଦ କହିଲ ସେଇ ଯଥେଷ୍ଟ। ଧନ୍ୟବାଦ।

-ଅଙ୍କଲ ପୁଅ ବୋଲି କହୁଛନ୍ତି ଆଉ ଏତେ ପର ଭାବୁଛନ୍ତି? ବାହାର ଜାଗା ବୋଲି ଭରସା ପାଉନି ମୋ ଉପରେ ବୋଧେ?

-ନା ପୁଅ। ସେମିତି ଭାବନି। ଆମ ଦୁଃଖରେ ତୁମକୁ ଘାଣ୍ଟିବାକୁ ଚାହୁଁନି। ସେମିତି ଦରକାର ପଡ଼ିଲେ କହିବି।

-ଅଙ୍କଲ କିଛି ଶୁଣିବିନି ମୁଁ। ଆପଣମାନେ ଚାଲନ୍ତୁ। ସୀମାକୁ ଠିକ୍ କରିବା ଦାୟିତ୍ୱ ଏବେ ମୋର। ମୁଁ ବୁଝୁଛି ଫର୍ଷ୍ଟ ଟାଇମ୍ କାହାକୁ ଦେଖି ଏତେ ଭରସା କରିବା ଠିକ୍ ନୁହେଁ। ଏଇ ଦେଖନ୍ତୁ, ମୋ ଆଧାର, ଡି. ଏଲ., ମୋ ଆଇକାର୍ଡ଼। ଚାହିଁଲେ ରଖିପାରନ୍ତି। ୱଲେଟରୁ କାଢ଼ି ଦେଖେଇ କହିଲି ଅଙ୍କଲଙ୍କୁ।

-ନାଇଁ ପୁଅ ମଣିଷ ଚିହ୍ନିବାରେ ଭୁଲ କରିବିନି ମୁଁ। ଏସବୁ ଦରକାର ନାହିଁ।

ଅଙ୍କଲ, ଆଣ୍ଟି ଓ ସୀମାକୁ ନେଇ ମୋ କ୍ବାର୍ଟରକୁ ଆସିଲି ମୁଁ। ଅଙ୍କଲ ଆଣ୍ଟିଙ୍କ ଭିତରେ ମୋର ଆଉଜଣେ ବାପାବୋଉଙ୍କୁ ଦେଖିଲି ମୁଁ। ଅଫିସ କ୍ୟାଣ୍ଟିନରେ ମୋ ଖାଇବା ଦରକାର ପଡୁନଥିଲା ଆଉ। ଅଙ୍କଲ ଆଣ୍ଟିଙ୍କ ସ୍ୱାଭିମାନ ମୋ ହାତରୁ କିଛି ଖର୍ଚ୍ଚ କରେଇ ଦିଏନି।

ଏବେ ଏବେ ମୋ ଡେଲି ରୁଟିନରେ ସୀମାକୁ ଡାକ୍ତରଙ୍କ ପାଖକୁ ନେବା, ତାକୁ ବୁଲେଇବା ଆଡ଼ ହୋଇଯାଇଥାଏ। 

×××

ୟା ଭିତରେ ପାଞ୍ଚମାସ ବିତିଗଲାଣି। ସୀମା ଏବେ ପୁରା ସୁସ୍ଥ। ଠିକଣା ହଜେଇଥିବା ଟିକି ଚଢ଼େଇଟି ବାଟପାଇଲାଣି ଏଥର। ଆଖି ଏବେ ଏବେ ଉଜ୍ଜ୍ୱଳ ଦିଶିଲାଣି। ଜୀବନ ଜୀଇଁବା ଶିଖିଲାଣି। ଡେଣା ତିଆର ହେଲାଣି ଉଡ଼ାଣ ଭରିବାକୁ।

ବେଙ୍ଗାଲୁରୁର ଗଳିକନ୍ଦି ଏବେ ସୀମା ଓ ମୋର ଚାରଣ ଭୂମି। ପାର୍କ, ମନ୍ଦିର, ରେଷ୍ଟୁରାଣ୍ଟ ସବୁଠି ଆମର ଚଳପ୍ରଚଳ। ଆମେ ଦୁହେଁ ସବୁକିଛି ସେୟାର କରିପାରୁ। ପରସ୍ପରକୁ ହଗ କରିପାରୁ। ପରସ୍ପରକୁ ଅପେକ୍ଷା କରୁ ଡାଇନିଂ ଟେବୁଲରେ। ପରସ୍ପରକୁ ମିସକରୁ।

ଅଙ୍କଲ ଆଣ୍ଟି ଖୁସି ହୁଅନ୍ତି ଆମ ଦୁହିଁଙ୍କୁ ଏକାଠି ଦେଖି। ଆଦେଖା ସ୍ୱୀକୃତି ଥାଏ ଆମ ସମ୍ପର୍କ ପାଇଁ ବୋଲି ମୋତେ ଲାଗେ।

ଏବେ ଏବେ ସୀମାକୁ ନେଇ ଆଉ ରାତିରେ ସ୍ୱପ୍ନ ଦେଖେନି ମୁଁ। 

×××

ସୀମା ଆସନ୍ତା କାଲି ଓଡ଼ିଶା ଫେରିବାକୁ ଥାଏ। ମୁଁ ବ୍ୟାଙ୍କରୁ ଛୁଟିନେଇଥାଏ ଦୁଇଦିନ ପାଇଁ। ଦିନଯାକ ଆମେ ବାହାରେ ବୁଲିବାକୁ ଅଙ୍କଲଆଣ୍ଟିଙ୍କ ଠାରୁ ପରିମିସନ ମିଳିଯାଇଥାଏ।

ପାର୍କରେ ବସିଥାଉ ଆମେ।

-ଥ୍ୟାଙ୍କ ୟୁ ଶୁଭମ।

-ଫର ହ୍ୱଟ୍ ?

-ଫର୍ ଏଭ୍ରିଥିଙ୍ଗ।

-ହଉ ଏ ସବୁ ଫର୍ମାଲିଟି ବନ୍ଦ କର।

-ଓକେ। ଆଉ କଣ କୁହ।

-ତୁମେ କୁହ।

-କେତେ ଜଲ୍ଦି ସମୟ ପଳେଇଲା ଜାଣିହେଲାନି। ଦ ମୋଷ୍ଟ ବିୟୁଟିଫୁଲ ମୁମେଣ୍ଟସ ଅଫ୍ ମାଇଁ ଲାଇଫ। ଗନା ମିସ ଇଟ। ଦୂର ଦିଗବଳୟକୁ ଚାହିଁ କହିଲା ସୀମା।

-ନୋ। ନଟ ୟୋର୍ସ ଓନଲି। ଦ ମୋଷ୍ଟ ବିୟୁଟିଫୁଲ ମୁମେଣ୍ଟସ ଅଫ୍ ଆ'ର ଲାଇଫ।

-ଉଇଲ ୟୁ ମିସ ମି ଶୁଭମ?।

-ନୋପ୍।।

-ବଟ ଆଇ ଡୁ।

-ଆଚ୍ଛା! କାହିଁକି?

-ନଥିଙ୍ଗ। ନେଭର ଆସ୍କ ମି। ଇଟ୍ସ ପର୍ସନାଲ।

-ଆଚ୍ଛା ! ମତେ ପଚାରିବନି ହ୍ଵାଏ ଓଣ୍ଟ ଆଇ ମିସ ୟୁ?

-ନା। ମୁଁ ଜାଣିଚି। ମତେ ମିସ କଲାଭଳି କୌଣସି କାରଣ ନାହିଁ।।

-ନଟ ଏକ୍ଜାକ୍ଟଲି। ତୁମକୁ ସମସ୍ତେ ମିସ କରିବେ, ବଟ ମୁଁ ନୁହେଁ.....।

ମୋ ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥାଏ ସୀମା। 

-ଜାଣିଛ ସୀମା ଜଣକୁ ମିସ କରିବା ପାଇଁ ତାକୁ ଦୂରକୁ ଯିବାକୁ ପଡ଼େ। ଯେ ପାଖରେ ଥାଏ ତାକୁ ମିସ କରାଯାଏନି।

-ମାନେ?

-ମାନେ ମୁଁ ତୁମକୁ ଦୂରକୁ ଯିବାକୁ ଦେବିନି। ଜୀବନ ସାରା ମୋ ପାଖରେ ରଖିବାକୁ ଚାହେଁ।

-ବୁଝିପାରିଲିନି। ଟିକେ ଇତଃସ୍ତତ ହୋଇ କହିଲା ସୀମା।

-ମୁଁ ତୁମକୁ ମ୍ୟାରେଜ କରିବାକୁ ଚାହେଁ। ଉଇଲ ୟୁ ମ୍ୟାରି ମି?

ସୀମା ମୁହଁ ବିଷର୍ଣ୍ଣ ଦିଶିଲା ହଠାତ। ଠିକ୍ ଯେମିତି ଶରତ ଆକାଶରେ ଅଦିନିଆ କଳା ମେଘର ଆଗମନ।

- ସମସ୍ତଙ୍କ ପରି ତୁମେ ବି ମୋତେ ସିମ୍ପାଥି ଦେଖାଉଛ,ନାଇଁ ଶୁଭମ ?

-ନୋ । ନଟ୍ ଆଟଲ୍ । ମୁଁ ତୁମକୁ ମ୍ୟାରେଜ କରିବାକୁ ଚାହେଁ କଜ୍ ଆଇ ଲଭ୍ ୟୁ। ତୁମକୁ ବହୁତ ଭଲ ପାଏ ସୀମା। ଏ ଭଲ ପାଇବା ଆଜିକାଲିର ନୁହେଁ, ଯେବେଠୁ ତୁମକୁ ପ୍ରଥମେ ଦେଖିଲି। ତୁମେ କେବେ ତାକୁ ନୋଟିସ କରିନ। ତୁମ ସୌନ୍ଦର୍ଯ୍ୟ, ତୁମ ପର୍ସନାଲିଟି ଆଗରେ ଛୋଟ ଲାଗେ ମୋତେ। ନିଜ ଉପରେ ଭରସା ନଥାଏ। କେବେ କହିପାରିନଥିଲି। ତୁମେ ମତେ ପ୍ରତି ମୁହୂର୍ତ୍ତରେ କମେଣ୍ଟ କର। କିନ୍ତୁ ମୁଁ ରିଆକ୍ଟ କି ଅପୋଜ କରେନି। କାହିଁକି ନା ସେଇ କମେଣ୍ଟ ମାଧ୍ୟମରେ ହେଉ ପଛେ ତୁମେ ମୋ ସହ କଥା ହୁଅ। କଲେଜ ଛାଡ଼ି ଆସିଲା ପରେ ଭାବିଲି ନିଜକୁ ଯୋଗ୍ୟ କରି ତୁମକୁ ପ୍ରପୋଜ କରିବି। ହେଲେ ଏମିତି ପରିସ୍ଥିତିରେ ଦେଖା ହେବ ବୋଲି କେବେ ଭାବିନଥିଲି। ମୋ ଭଲ ପାଇବାକୁ ସିମ୍ପାଥିର ନାଁ ଦେଇ ଅପମାନ କରନା । ଇଟ୍ସ ଟ୍ରୁ। ଇଟ୍ସ ପିଓର। ଭଗବାନଙ୍କ ରାଣ।

ସୀମା ଆଖିରେ ଲୁହ ଥିଲା। 

-ମୋ ମୁହଁକୁ ଦେଖୁଛ ତ ଶୁଭମ। ତୁମ ପାଇଁ ଯୋଗ୍ୟ ନୁହେଁ ମୁଁ।

-ମୋର ତୁମ ଯୋଗ୍ୟତା ନୁହେଁ, ତୁମେ ଦରକାର ସୀମା। ଜାଣିଛ ଚନ୍ଦ୍ରରେ କଳଙ୍କ ନଥିଲେ ଚନ୍ଦ୍ର କ'ଣ ଏତେ ସୁନ୍ଦର ଦିଶନ୍ତା? ତୁମକୁ ଭଲ ପାଇଛି ଯେତେବେଳେ ତୁମ ସହ ତୁମର ସବୁ ଗୁଣ, ଅବଗୁଣ, ଦୁଃଖ, ସୁଖ ବି ମୋର।

-ଏ ସବୁ କଥା ଶୁଣିବାକୁ ଭଲଲାଗେ ଶୁଭମ। ପ୍ରାକ୍ଟିକାଲ ରେ ଏହା ବହୁତ କଷ୍ଟ ଦିଏ। ମୁଁ ତୁମକୁ କଷ୍ଟ ଦେଇପାରିବିନି ଶୁଭମ।

-କୋଉ କଷ୍ଟ କଥା କହୁଛ ସୀମା? ତୁମେ ଯାହାକୁ କଷ୍ଟ ବୋଲି କହୁଚ, ସେଗୁଡ଼ାକ ମୋ ପାଇଁ କଷ୍ଟ ନୁହେଁ; ମୋ ପାଇଁ କଷ୍ଟ ତ ତୁମର ଦୂରେଇ ଯିବା।

ଜାଣେ ମୁଁ ତୁମର ଯୋଗ୍ୟ ନୁହେଁ। ତୁମର ଭଲପାଇବା ତୁମର ବ୍ୟକ୍ତିଗତ। କାହାପାଇଁ ଥିବ ମୁଁ ଜାଣେନା। ହେଲେ ମୋ ଭଲପାଇବା ଦେହଜ ନୁହେଁ, ଆତ୍ମଜ। ତୁମକୁ ବହୁତ ଭଲପାଏ। ତୁମେ ମତେ ଭଲପାଇବାକୁ ବାଧ୍ୟ କରିବିନି ଜମା। ହେଲେ ମନେରଖ ଏ ଶୁଭମ ମହାପାତ୍ରର ଜୀଵନରେ ତୁମ ଛଡ଼ା କେହି ନଥିଲେ, ନାହାନ୍ତି କି ଆସିବେନି।

-ବେଶି ବଡ଼ ବଡ଼ କଥା କହନି। ତୁମ କଥା କହିଗଲ। ତୁମ ଭଳି ପୁଅକୁ ପାଇବା ହିଁ ଭାଗ୍ୟ। କିଏ କହିଲା ତୁମକୁ ମୁଁ ଭଲ ପାଏନି ବୋଲି? କଲେଜରେ ତୁମ ପ୍ରତି ମୁଁ ଆକୃଷ୍ଟ ଥିଲି। ତୁମ ସହ କଥା ହେବାକୁ ଚାହୁଁଥିଲି। ହେଲେ ତୁମେ ଏତେ ଲାଜକୁଳା ଥିଲ, ଯେ ମତେ ଦେଖି ଭାଗୁଥିଲ। ସେଥିପାଇଁ ରାଗି ତୁମକୁ ଚିଡ଼ଉଥିଲି। ଜାଣ ମୋର ବିଶ୍ୱାସ ଥିଲା ତୁମ ସହ ଦେଖାହେବ ବୋଲି। ମୋ ଭଳି ଉଦ୍ଧତ ଝିଅକୁ ତୁମେ ଗ୍ରହଣ କରିବନି ବୋଲି ଜାଣିଥିଲି ମୁଁ, ତେଣୁ ସବୁବେଳେ ଭଗବାନଙ୍କୁ ଡାକେ ତୁମକୁ ସାଙ୍ଗ ଭଳି ହଉ ପଛେ ମୋତେ ଦିଅନ୍ତୁ। ଆଉ ଆଜି ଦେଖ....

ସୀମା କଥା ସରିବା ପୂର୍ବରୁ ତା' ପାଟିକୁ ମୋ ହାତରେ ବନ୍ଦ କରିଦେଲି ମୁଁ।

-ଆଉ କିଛି ଶୁଣିବିନି । ତୁମ ଭଲପାଇବାର ସୀମାରୁ ମତେ ତଡ଼ି ଦିଅନି ସୀମା।

ମୋ ଆଖିରୁ ଲୁହ ପୋଛୁଥିଲା ସୀମା । ତା' ଓଠ ପାଖର କଳାଜାଇଟି ଆଉ ଅପହଞ୍ଚ ନଥିଲା ମୋ ପାଇଁ। ଆକାଶ ଧୀରେ ଧୀରେ ସଫା ଦିଶୁଥିଲା ନୂଆଜହ୍ନ ର ଆଲୁଅରେ। ବର୍ଷା ହେଉନଥିଲା, ହେଲେ ସେ ଦିନର ଜହ୍ନ ଆମ ଦୁହିଁଙ୍କୁ ଭିଜାଉଥିଲା ଧୀରେ ଧୀରେ ପାଏ ପାଏ କରି।

             


Rate this content
Log in

Similar oriya story from Romance