ଚପଲ
ଚପଲ


ବର୍ଷା ଟିକେ ଛାଡ଼ିଲାରୁ ବଜାରରେ ଗହଳି ଆରମ୍ଭ ହୋଇଗଲା। କେବିନ ସନ୍ଧିରେ, ଗଛ ମୂଳେ, ମଲ୍ ଭିତରେ ଆଶ୍ରା ନେଇଥିବା ଲୋକଗୁଡ଼ାକ ଖପଖାପ ଓହ୍ଲେଇ ଆସିଲେ ବର୍ଷାଭିଜା ରାସ୍ତା ଉପରକୁ। ରାସ୍ତାକଡ଼ରେ ଲାଗିଥିବା ବହୁବର୍ଣ୍ଣା ଲାଇଟରୁ ବିଛୁରିତ ରଙ୍ଗୀନ ଆଲୋକ ଓଦା ଚଟାଣରେ ପ୍ରତିଫଳିତ ହୋଇ ସୃଷ୍ଟି କରୁଥାଏ ଖୋଲା ମଞ୍ଚର ଭ୍ରମ। ଭିଡ଼ ବଢ଼ିଲା ପରେ ଟ୍ରାଫିକ କଟକଣା ପାଇଁ ତିଆର ହୋଇଗଲେ ପୋଲିସ ବାବୁମାନେ। ପୂଜା ପେଣ୍ଡାଲ ପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଗଲା। ପୁଣି ଆରମ୍ଭ ହୋଇଗଲା ଟିକେ ପୂର୍ବରୁ ନୀରବି ଯାଇଥିବା ମେଲୋଡ଼ିର ମସଗୁଲ ମାହୋଲ। ମଜନୁ ମାର୍କା ବାତେରା ଟୋକା ସବୁ ପେଁକାଳି ଫୁଙ୍କି ଜାହିର କଲେ ସେମାନଙ୍କ ବିରକ୍ତିକର ଉପସ୍ଥିତି।
ସେ ପିଲାଟା ବର୍ଷା ବେଳେ ଘରୁ ବାହାରି ଆସି କୋଉଠି ରହିଥିଲା ବୋଧେ। ସମ୍ପୂର୍ଣ୍ଣ ନହେଲେ ବି ପାଏ-ଦି'ପାଏ ଭିଜିଯାଇଥାଏ। ଦରଓଦା ହୋଇଯାଇଥାଏ ପିନ୍ଧା ଜାମା ତା'ର।
ବଜାର ପାଖ ବସ୍ତିରେ ରୁହେ ସିଏ। ସେଇଠି ତ ବୁଲୁଥାଏ ସବୁବେଳେ। ବୟସ ବାର କି ତେର ବର୍ଷ ହେବ। ବସ୍ତିରେ ବାକି ପିଲାଙ୍କ ଭଳି ପ୍ରତିଦିନ ସଂଘର୍ଷ କରିଚାଲିଥାଏ ଚିର ପରିଚିତ ଶତ୍ରୁ ଦାରିଦ୍ର୍ୟ ସହ।
ସେଦିନ ଦଶହରା ଯାତ୍ରା ବୁଲିବା ପାଇଁ ଭାରି ମନରେ ଆସିଥିଲା ସେ। ଦେହରେ ସାଇତା ପୁରୁଣା ଲୋଚାକୁଚା ସାର୍ଟପ୍ୟାଣ୍ଟ ସାଙ୍ଗକୁ କଇରା ଚୁଟିକୁ ଜଡ଼ା ତେଲ ମାରି ଉପରକୁ ଟେକି କୁଣ୍ଡେଇଛି, ଠିକ୍ ଯେମିତି ଦେଖିଥିଲା ସେଲୁନ କାନ୍ଥରେ ଲଗା ହୋଇଥିବା ଫଟୋରେ ମଡେଲମାନଙ୍କର ଚୁଟି ପରି। ହେଲେ ପାଦରେ ନଥିଲା ଚପଲ ହଳେ। ଗଲା ଚାରି ପାଞ୍ଚ ଦିନ ହେଲା ଛିଡ଼ି ଯାଇଛି। ମାଆକୁ ମାଗିଥିଲା ଯେ ପଇସା ନାଇଁ ବୋଲି କହୁଥିଲା। 'ବାପା ବନ୍ଧ କାମ କରିବାକୁ ଯାଇଛି, ଆସିଲେ ଦେଖିବା' ବୋଲି ବି କହିଲା ବାରମ୍ବାର ମାଗିଲା ପରେ। ହେଲେ ଦଶହରା କଣ ବାପା ଆସିଲା ଯାଏଁ ଅପେକ୍ଷା କରିବ କି ? ଖାଲି ପାଦରେ ବୁଲିବାକୁ ଶରମ ଲାଗିବନି? ତେଣୁ ଲୋଭ ସମ୍ବରଣ ନକରିପାରି ଚୋରି କରିଛି ସେ ବୋଉ ବାକ୍ସରୁ। କାଲି ବୋଉ କାଳେ ବି.ପି.ଏଲ୍. ଚାଉଳ ବିକି ପଇସା ରଖିଥିଲା, ତା' ପୋଖତି ଦେଇ ଘରକୁ ପିଠାପଣା ପଠେଇବ ବୋଲି । କଏନ୍ ଓ ନୋଟ ମିଶେଇକି ମୁଠେ ପଇସା ଚୋରେଇଛି ସେ ଅନ୍ଧାରରେ। ଜାଣିନି କେତେ ହବ। ଯାହା ଯେତିକି ହଉ, ହଳେ ଚପଲ ହେଇଗଲେ ଗଲା। ବୋଉ ଅବଶ୍ୟ ଜାଣିଦେଵ, ଚୋର କିଏ; କାରଣ ଘରେ ତା' ଛଡ଼ା କିଏ ଅଛି କି ଆଉ? ଛୋଟି ଥାଉ ଥାଉ ପିଣ୍ଡାରେ ହଗିବ କିଏ? ଧରା ପଡ଼ିଲା ପରେ ତା' ଅବସ୍ଥା କ'ଣ ହେବ ସେକଥା ବି ଭଲରୂପେ ଜାଣିଛି ସେ। ବାରିପଟ ରାଇପିନି ହେଉ ଅବା ଚୂଲିମୁଣ୍ଡ କାଠଫାଳିଆ, ନିହାତି ଭାଙ୍ଗିବ ତା' ପିଠିରେ। ଚୋର ବାଡ଼ିଖିଆ, ରଈଜଳା, ଅଳପେଇସିଆ କହି ବହେ ସମ୍ପିବ ବୋଉ ତାକୁ। ହେଲେ ସେ ମାଡ଼ର କଷ୍ଟ କଣ ବେଶିଦିନ ରହିବ ନା ବୋଉ ଗାଳିରେ ତା'ର ଅମଙ୍ଗଳ ହେବ ? ଟିକେ କାଠେଇ ଗଲେ ଗଲା। ତା' ବଦଳରେ ଚପଲ ହଳେ ତ ମିଳିଯିବ ! ବୋଉ ଆଉ କଣ ସେ ଚପଲ ଫେରେଇବ ନା ଦୋକାନୀ କେବେ ନେବ ପିନ୍ଧା ଚପଲକୁ। ହଁ ଆଉଗୋଟେ କଥା। ଚପଲ କିଣିବା ସାଙ୍ଗେ ସାଙ୍ଗେ ସେଥିରେ ଲାଗିଥିବା ଷ୍ଟିକରଟାକୁ ଛଡ଼େଇ ଦେବ ସେ। ଆଉ ଚାହିଁଲେ ବି ଫେରେଇ ପାରିବନି ବୋଉ।
ଦଶହରା ବୁଲିବା ପୂର୍ବରୁ ଆଗେ ଚପଲ ହଳେ କିଣିବା ପାଇଁ ଚପଲ ଦୋକାନକୁ ଗଲା ପିଲାଟି। ନୂଆ ନୂଆ ବିଭିନ୍ନ ପ୍ରକାରର ଚପଲ ସଜାହୋଇଛି ସୋ-କେସ୍ ରେ। ଦର ଆକାଶଛୁଆଁ। ସେ ଆଡ଼କୁ ଦେଖିଲେ ଆଖିପାଇବନି ତା'ର। ତେଣୁ ତଳେ ଗଦା ହୋଇଥିବା ଚପଲରୁ ହଳେ ବାଛିଲା। କଳା ରଙ୍ଗର। ଟିକେ ମଇଳା ଦିଶୁଛି। ଚଳିବ। ପାଦ ତଳେ ତ ରହିବ....! ଦୋକାନୀକୁ ପଚାରିଲା-" ବାବୁ ! ଏଇଟା କେତେ ପଇସା?"
ଦୋକାନୀ ତା'ର ରୂପଭେକକୁ ଦେଖି ପରିହାସ କଲା ପରି କହିଲା-"ପଇସା ନୁହେଁ ରେ ଧନ, ଟଙ୍କା? ଏଇଟା ୧୨୦ ଟଙ୍କା। ଫାଇନାଲ ୧୧୦ ହବ? ନବୁ?"
ମୁଣ୍ଡ ହଲେଇ 'ହଁ' ଭରିଲା ପିଲାଟି।
ଦୋକାନୀ-"ଦେ। ଟଙ୍କା ଦେ ।"
ପିଲାଟି ତା' ପ୍ୟାଣ୍ଟ ପକେଟରୁ ସେ ଟଙ୍କା ମୁଠାକ କାଢ଼ି ଦୋକାନୀ ଆଗରେ ରଖିଦେଲା। କହିଲା-"ନିଅ।"
ଦୋକାନୀ-" ଆରେ କେତେ ଅଛି? ଗଣିକି ଆଣିଛୁ ଟି?"
-"ନାଇଁ ତେମେ ଗଣ।"
-"ଏଇ ଭିଡ଼ ଟାଇମରେ ଏମିତିଆ ବେପାର କରିବନି ମଣିଷ। ମୁଁ ୟାକୁ ଗଣିବି ନା ଗରାଖ ଦେଖିବି?"
ଟିକେ ବିରକ୍ତ ହୋଇ ଟଙ୍କାତକ ଗଣିଲା ଦୋକାନୀଟି। ସମୁଦାୟ ଶହେ ଟଙ୍କା ହେଲା।
ଦୋକାନୀ-"ଶହେ। ଆଉ ଦେ' ଦଶଟଙ୍କା।"
ସେ ପିଲା-"ଆଉ ନାଇଁ। ସେତିକି ହବନି?"
-"ନାଇଁ। ଦେ' ଆଉ ଦଶ ଦେ'।"
-"ଆଉ ନାଇଁ ପା'। ଥେଲେ ଦିଅନ୍ତିନି? ସେତିକି ରଖିକି ଦିଅ।"
-"ନାଇଁ ନାଇଁ ହବନି। କିଣା ନାଇଁ। ଦଶରା ମାର୍କେଟ। କମ୍ପିଟେସନ ବେପାର। ଟଙ୍କେ ଦି'ଟଙ୍କା ବାହାରିଲେ ବହୁତ। ତତେ ଦଶ ଟଙ୍କା କୋଉଠୁଁ ଦେବି? ଇଚ୍ଛା ହେଲେ ନେ', ନହେଲେ ନାଇଁ।"
-"ଇଚ୍ଛା ତ ଅଛି। ହେଲେ.....।"
-"ଇଚ୍ଛା ଅଛି ତ ଯା' ଘରୁ ପଇସା ଆଣି ଆସିବୁ। ଆସିଲେ ନବୁ। ଭିଡ଼ ବେଳ ମୋ' ମୁଣ୍ଡ ଚାଟନା। ହଳେ ଚପଲ ନବ ଯେ' ୟା ପାଇଁ ଘଣ୍ଟେ ବକର ବକର ହେବ ମଣିଷ !"
-"ଆଉ ପଇସା ନାଇଁ ପା'....। ଥେଲେ ଆଣି ନଥା'ନ୍ତି?"
-"ନଥେଲେ ଚୁପଚାପ ଘରକୁ ଯିବୁ। ଆଉ କହୁଛୁ କଣ? ପଇସା ହେଲେ ଚପଲ ପିନ୍ଧିବୁ। "
କହି କହି ଦୋକାନୀଟି ଭିତରକୁ ଚାଲିଗଲା ଅନ୍ୟ ଗରାଖଙ୍କୁ ଜିନିଷ ଦେଖେଇବାକୁ। ପିଲାଟି ସେ ଟଙ୍କା ମୁଠାକ ପକେଟରେ ପୁରାଇ ଛଳଛଳ ଆଖିରେ ବସ୍ତିର ଅନ୍ଧାର ଆଡ଼କୁ ପାଦ ପକାଉଥିଲା ବଜାରର ରଙ୍ଗୀନ ଆଲୋକକୁ ପଛ କରି।