Fransis Satapathy

Drama

4.1  

Fransis Satapathy

Drama

ମାଛ

ମାଛ

8 mins
307


ନଈ କୂଳରେ ଠିଆ ହୋଇ ମାଛ ଖୋଜୁଥିବା ମଣିଷ ଆଉ ପାଣି ଭିତରେ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଲୁଚି ବୁଲୁଥିବା ମାଛ ଉଭୟେ ସେଇ ଏକା ମନୋଭାବରେ। ଉଭୟେ ଉଭୟଙ୍କୁ ମାତ ଦେବା ଫିରାକରେ। ତେଣିକି ଶିକାରୀ ଓ ଶିକାରଙ୍କର ମାରିବା ବଞ୍ଚିବାର ଛକାପଞ୍ଝା ଭିତରେ ଉଭୟଙ୍କ ଭାଗ୍ୟ। ଉଣିଶ୍-ବିଶ୍ ରେ ଖେଳ। କିଏ ଭାଗ୍ୟକୁ ଖଇନି ପୁଡ଼ିଆ କରି ପିନ୍ଧା କରିଆର ଅଣ୍ଟା ଖୋସଣିରେ ଗୁଡ଼େଇ ଧରେ ତ କିଏ ତାକୁ ଲୁଚେଇ ରଖିଥାଏ ବଢ଼ିବେଳ ଗୋଳିଆ ପାଣିରେ।


ଏଇତ ଜୀବନ, ବସନ୍ତ ଭଳି ଦୁନିଆର ସବୁ ମଣିଷମାନଙ୍କର ଯିଏ ନଈ ଭିତରେ ବେଫିକର ହୋଇ ବୁଲୁଥିବା ମାଛମାନଙ୍କୁ ଶିକାର କରିବାକୁ ଆସେ ସବୁଦିନ ନିଜେ ଦାରିଦ୍ର୍ୟର ଶିକାରୀ ଆଖିରୁ ବଞ୍ଚିବା ପାଇଁ। ହେଲେ ଭାଗ୍ୟ ଯେତେବେଳେ ଗୋଳିପାଣିରେ ମାଛର ସାଥ ଦିଏ, ବସନ୍ତ ହାତରେ ଦୁଇ ଚାରୋଟି ଛୋଟ କେରାଣ୍ଡି ଆଉ ଗୋଛେ ଅଵସୋସ ନେଇ ଘରକୁ ଫେରେ। ଏଇତ ତା'ର ନିତିଦିନିଆ। ଭୋକିଲା ପିଲା ମାଇକିନାଙ୍କ ପେଟରେ ପକେଇବା ପାଇଁ ଓଦା କପଡ଼ାକୁ ବି ସମର୍ଥ ନୁହେଁ ସେ। ସେଇଥିପାଇଁ ତ ତା' ମାଈପ ଚମ୍ପା ତାକୁ କହେ ଅଯୋଗିଅ ମରଦ।


ତା' ଗାଁରେ ବସନ୍ତକୁ ମିଶାଇ ଆହୁରି ପୁଂଜେ ପାଞ୍ଚଟା ବସନ୍ତ ଅଛନ୍ତି। ତେଣୁ ନାଁ ଖାଲି 'ବସନ୍ତ' ନୁହେଁ; ଖନା ବସନ୍ତ। ହଁ ବସନ୍ତର ପାଟି ଟିକେ ଲାଗେ, ପିଲାବେଳୁ। ତେଣୁ ଛୋଟ ଠୁଁ ବଡ଼ ଯାଏଁ ତାକୁ ଟାହିଟାପରା କରନ୍ତି। ସେ କିନ୍ତୁ ଧରେନି ଏସବୁ। ଦିହସୁହା ହେଇଗଲାଣି। 


ନିଧିପୁର ମଉଜାରେ ସିଏ ଏମିତି ଗୋଟେ ମନେ ରଖିବା କି ମନେ ପକେଇବା ଭଳି ଲୋକ ନୁହେଁ। ତେଜରାତି ଦୋକାନରେ ବିଡ଼ି ଭଳି ଲୋକଟେ ସିଏ। ଥିଲେ ଚଳେ, ନଥିଲେ ବି ଖୋଜିବେନି କେହି। କୈବର୍ତ୍ତ ସାହିର ଏକଣାରେ ନୁଆଁଣିଆ ଚାଳ ଘରଟି ବସନ୍ତ ଖଟୁଆ ଓରଫ ବସନ୍ତ ଓରଫ ଖନା ବସନ୍ତର ବସା। ବସା ଏଥିପାଇଁ, କେବଳ ମୁଣ୍ଡଗୁଂଜିବା ଜାଗା ସିଏ। ପିଠି ଲୁଚିଲେ, ଗୋଡ଼ ଓଦା। ଗୋଡ଼ ଲୁଚିଲେ ହାତ ଓଦା। ତା' ଭିତରେ ପାଞ୍ଚଟା ମଣିଷ। ବସନ୍ତ, ଚମ୍ପା ଆଉ ତାଙ୍କର ଦୁଇ ପୁଅ ଓ ଗୋଟେ ଝିଅ ― ସମସ୍ତେ ତିନି ବର୍ଷ ଭିତରେ; ବର୍ଷେ ଦି'ବର୍ଷ ସାନ ବଡ଼। ପ୍ରଥମେ ପୁଅ, ତା' ର ଦି' ବର୍ଷ ପରେ ଯାଆଁଳା ପୁଅ ଆଉ ଝିଅ। ବସନ୍ତର ମା' ଏଇ ଗଲା ସନ ଚାଲିଯାଇଛି ଆରପାରିକୁ। ମରିଯାଇନି ଯେ ତରି ଯାଇଛି। ନହେଲେ ଏ ଚିଡ଼ିଆଖାନା ଭିତରେ ଆଉ ଗୋଟେ ଜନ୍ତୁ ଭଳି ସନ୍ତୋଳି ହେଉଥିଲା ଯାହା।


ଚିଡ଼ିଆଖାନା ନୁହେଁ ତ ଆଉ କଣ? ଘର ଏଯାଏଁ ହେଇନି ସିଏ। ଯଦି କାନ୍ଥବାଡ଼, ଛପରକୁ ଘର କୁହାଯାଏ, ତେବେ ସେଇଟା ଘର ହୋଇପାରେ । ହେଲେ ଘର ପାଇଁ, ପରିବାର ପାଇଁ ଯେଉଁ ମାନସିକତା ଲୋଡ଼ା ତା' ନଥିଲେ ଘର 'ଘର' ନୁହେଁ ଜମା। ବସନ୍ତର ପରିବାର ଆଉ ଜଙ୍ଗଲ ଭିତରେ ଆକାର, ପ୍ରକାର ଆଉ ପ୍ରଜାତିକୁ ନେଇ ସେତିକି ଫରକ। ଚମ୍ପା ନଛୋଡ଼ବନ୍ଧା ମାଇକିନା, ବସନ୍ତ ଅପଦାର୍ଥ ଘଇତା ଆଉ ଦେହ ଗରମରେ ଜନ୍ମ ହୋଇଯାଇଥିବା ତିନି ଛୁଆ ଅବାଂଛିତ ଅବହେଳିତ ଶିଶୁମାନେ। 


ସବୁରି ମୂଳରେ ଅର୍ଥ। ହାତରେ ଅର୍ଥ ନଥିଲେ ନିଜଲୋକ ବି ମୁହଁ ଫେରେଇ ନିଅନ୍ତି। ସ୍ତ୍ରୀ ର ସରାଗ କମିଯାଏ। ଆଉ ପିଲାମାନେ ସମ୍ମାନ ଦିଅନ୍ତିନି ଜମା। 


ବସନ୍ତର ହାଲତ ସେଇମିତି। ଦୈଵ ଯୋଗକୁ ପାଟି ଲାଗେ। ପିଲାଟି ବେଳୁ ବାପାକୁ ହରେଇଚି। ମା' ମୂଲହାକ କରି ବଡ଼ କରିଛି ତାକୁ। ହେତୁ ପାଇଲା ପରେ ନଈ ଦେଇଚି ଖାଇବା ଯାହା। ୟା' ତା' ସାଙ୍ଗରେ ବୁଲି ବୁଲି, ଜାଲ କାନି ଧରି ମାଛ ମରା ଶିଖିଛି। ଡଙ୍ଗା ଚଲେଇବା ଶିଖିଛି। ସେଇ କୌଳିକ ବୃତ୍ତିରୁ ଯାହା ଯେତିକି। ଖନା ହେଲେ କଣ ହେବ, ଏସବୁରେ ଧୁରନ୍ଧର ସିଏ। କିନ୍ତୁ ଅର୍ଥ ଅଭାବରୁ ନିଜର ଡଙ୍ଗାଟିଏ ନାହିଁ, କି କୈବର୍ତ୍ତ ପୁଅର ସାଜ ସରଞ୍ଜାମ ନାହିଁ ଘରେ। ମାଗି ଯାଚି କି ବେଉସା? କେତେ ଦିନ?? ତେଣୁ ମଝିରେ ମଝିରେ ମୂଲ ଲାଗେ।

ସେଇ ରୋଜଗାରରୁ ଯାହା କମେଇ କରିଥିଲା ତା' ମା' ଆଉ ସିଏ ଚଳିଯାଉଥିଲେ ସୁଟୁକୁଟୁରେ। ପଖାଳ ସାଙ୍ଗକୁ କୋଉ ଦିନ ଶାଗ ମୁଠାଟେ ତ କୋଉଦିନ ମାଛ କି ଶୁଖୁଆ ପୋଡ଼ାଟେ ହେଲେ ଖାଇବା ବଢ଼ିଲା। ବେଶି କିଛି ନଥିଲା, କି ପାଇବାର ଆଶା ବି ନଥିଲା ଦୁହିଁଙ୍କର। ଗରିବର ଗୋଟେ ଆଶା କଣ ଯେ? ବେଶି ରୁ ବେଶି ହେଲେ ସପନ ଦେଖେ କାଲି ସକାଳ ଭାତବେଲାଟିଏ ।


ଅଭାବୀ ଥିଲେ ବି ଦୁହିଁଙ୍କ ପାଇଁ ଅଭାବ ନଥିଲା କିଛି।

ଦୁର୍ଯୋଗକୁ ବୁଢ଼ୀ ଖସି ପଡ଼ିବାରୁ ପାରାଲିସିସ ହେଇଯାଏ। ଯାହା ଘରେ ସଞ୍ଚିଥିଲା ସବୁ ସରିଗଲା। ହେଲେ ବୁଢ଼ୀର ଦିହ ଭଲ ହେଲାନି। ଆହୁରି ବିଗିଡ଼ିଲା। ଡାକ୍ତର କହିଲେ କଟକ ଯିବାକୁ ହେବ। କାଣିକଉଡ଼ିଟିଏ ନଥାଏ ବସନ୍ତ ପାଖରେ। ସାଇ ପଡ଼ିଶାଙ୍କଠୁଁ ମାଗିଯାଚି, ଧାର ଉଧାର କରି କଟକ ନେଲା ମା'କୁ। ବୁଢ଼ୀ ବଞ୍ଚିଗଲା ସିନା, ହେଲେ ପୁରା ନିକ ହେଲାନି। ଡାକ୍ତର କହିଲେ ସମୟ ଲାଗିବ।


ଏବେ ବଡ଼ କାମ ହେଲା ମା'ର ସେବା। ତା' ସାଙ୍ଗକୁ କାମକୁ ନଗଲେ ଚଳିବେ କେମିତି ସେମାନେ? ସେଥିରେ ବୁଢ଼ୀର ଓଷଦ ପାଣି ଅଛି। କୋଉଠୁ ଆସିବ ପଇସା? ଘର ବାହାର ଦି'ଟା କାମ ତୁଲେଇବାକୁ ଭାରି ହିନସ୍ତା ହୁଏ ବସନ୍ତ। କେତେବେଳେ ରୋଷେଇ, କେତେବେଳେ ମା'ର ସେବା କରିବ ଆଉ କେତେବେଳେ କାମକୁ ଯିବ? ଭାରି ଅସୁବିଧା ହେଲା। ଶେଷରେ ସାହି ପଡ଼ିଶାଙ୍କ କଥାରେ ଏଇ ଚମ୍ପାକୁ ବିଭାହୋଇ ନେଇ ଆସିଲା ଘରକୁ।


ଚମ୍ପା ପାଖ ଗାଁର ଝିଅ। ବାହା ହେଇ ଘର ସଂସାର କରିଥିଲା ବର୍ଷେ ହବ। କୋଉ ଅଜଣା ରୋଗରେ ଗେରସ୍ତ ଚାଲିଗଲାରୁ ଘରେ ଆସି ଥିଲା। ପିଲାପିଲି ନଥିଲେ କିଛି। ଗାଁ ଲୋକ କଥା ହେଇ ବସନ୍ତ ସହ ବାହା କରେଇ ଦେଲେ ତାକୁ। ଦୁଇ ଅଭାଗା ମିଶି କାଳେ ନିଜ ଭାଗ୍ୟ ସୁଧାରି ନେବେ !


ବାହାଘରର ଦିନାକେତେ ସବୁ ଠିକ୍ ଠାକ ଥିଲା। ଚମ୍ପା ଭଲ ବୋହୂଟିଏ ହୋଇ ସେବାଯତ୍ନ କରୁଥିଲା ଶାଶୁର। ବସନ୍ତ ବି ଖୁସି ଥିଲା। ୟା' ଭିତରେ ତା' ବଡ଼ ପୁଅ ଜନମ । ଜଣଙ୍କର ରୋଜଗାରରେ ସମସ୍ତଙ୍କ ମୁହଁରେ ଦାନା ଦେଲା ବେଳକୁ ନିଅଣ୍ଟ ପଡ଼ୁଥାଏ। ସେଥିରୁ ଆରମ୍ଭ ହୁଏ ଘରେ ଅଶାନ୍ତି। ଅଭାବେ ସ୍ୱଭାବ ନଷ୍ଟ। ସେଇ ଅଭାବ ବସନ୍ତକୁ ଆକ୍ତାମାକ୍ତା କରି ପକାଏ ଆହୁରି ଚମ୍ପା ଯେତେବେଳେ ଜନ୍ମଦିଏ ଦୁଇଟି ଯାଆଁଳା ଛୁଆ, ଗୋଟେ ପୁଅ ଓ ଗୋଟେ ଝିଅ ଦ୍ଵିତୀୟ ପୋଖତୀରେ। ମା'ର ଓଷଦ, ପିଲାଙ୍କ ଖାଇବା ଆଉ ଘର ଖର୍ଚ୍ଚ ବୋଝ ଭଳି ଲଦି ହେଇଯାଏ ବସନ୍ତ ମୁଣ୍ଡରେ। ଗରିବର ଛୋଟ କାନି― ଇଆଡ଼େ ଲମ୍ବେଇଲେ ସିଆଡ଼େ ନିଅଣ୍ଟ। କରିବ କଣ? ସେଥିରେ ପୁଣି ଯାଆଁଳା ଛୁଆ ଯୋଡ଼ାଙ୍କୁ ଖୁଆଇବା ପାଇଁ ଚମ୍ପା ଥନରେ କ୍ଷୀର ଅଣ୍ଟିଲାନି ଯେ, ଡବା କିଣିବାକୁ ପଡ଼ିଲା। ଏତେ ଛୋଟ ଛୁଆଙ୍କୁ ଗାଈକ୍ଷୀର ଦବାକୁ ଡାକ୍ତର କାଳେ ମନାକଲେ ବୋଲି ଚମ୍ପା କହିଲା। ବଜାରର କ୍ଷୀରଡବା କମ ମହରଗ କି? ହେଲେ ବାଧ୍ୟ। କରିବ କଣ? ଛୁଆ ତ ଖାଇବେ ନା....! 


ଏବେ ବସନ୍ତ ପୁରା ନାକୁଆଣି। ରୋଜଗାର ସେତିକି। ଅଭାବ ବଢ଼ି ଚାଲିଲା। ତା' ସହ ବଢ଼ି ଚାଲିଲା ଘରେ ଅଶାନ୍ତି। ଚମ୍ପା ଏବେ ଏବେ ଜବାବ ଦେଲା ମୁହଁରେ। ଶାଶୁକୁ ୟାଡୁସ୍ୟାଡୁ କହିଲା। ଦେଖେଇ ଦେଖେଇ ଛୁଆଙ୍କୁ ଗାଳି ମାଡ଼, ଇତ୍ୟାଦି..ଇତ୍ୟାଦି। ବସନ୍ତର ଜୀବନରେ ପିଲାବେଳୁ ଦୁଃଖ। ହେଲେ ଏବେକାର ଦୁଃଖ ଭାଙ୍ଗି ଦେଉଥିଲା ତାକୁ ପ୍ରତି ମୁହୂର୍ତ୍ତରେ। 


ବୁଢ଼ୀ ଚାଲିଗଲା। ବସନ୍ତ କାନ୍ଦିଥିଲା ବହୁତ। ମା' ତା'ର। କେତେ କଷ୍ଟ ସହି ବଡ଼ କରିଥିଲା ତାକୁ। କିନ୍ତୁ ଭିତରୁ କୋଉଠି ନା କୋଉଠି ଖୁସି ଥିଲା ଯେ ତା' ମା' ଉଦ୍ଧାର ପାଇଗଲା ସେ ନରକ ଯନ୍ତ୍ରଣାରୁ। ଅଯୋଗ୍ୟ ଅଭାବୀ ପୁଅ ଘର ବାପା ମା'ଙ୍କ ପାଇଁ ନର୍କ। ସେ ମାନନ୍ତୁ କି ନ ମାନନ୍ତୁ; କୁହନ୍ତୁ କି ନକୁହନ୍ତୁ।


ମା' ର ଶୁଦ୍ଧିକ୍ରିୟା ପାଇଁ ହାତରେ କିଛି ନଥିଲା ବସନ୍ତର। କୋଉଠୁ ଆସିବ? ଗୋଟେ ଦାନାକୁ ଦଳେ ମାଛ ଖୁମ୍ପିବା ଭଳି ଅବସ୍ଥା। ସେଇ ଖୁମ୍ପା ଖୁମ୍ପି ଭିତରେ ସେ ଦାନା ବି ଦାନା ହୋଇ ନଥାଏ ଆଉ। ବସନ୍ତ ମନେ ମନେ ଭାବିଲା ତା' ମା' ଜାଣିଚି ପୁଅର ଅବସ୍ଥା। ବଞ୍ଚିଥିଲା ବେଳେ ମା'କୁ ଶାନ୍ତିରେ ଗଣ୍ଡେ ଖାଇବାକୁ ଦେଇପାରିନି ସିଏ; ଆଉ ଏବେ ଶୁଦ୍ଧି ହେଲେ କୋଉ ତା' ମା' ଶାନ୍ତି ପାଇବ ଆଉ। ଯେତେ ଯାହା ହେଲେ ବି ଶୁଦ୍ଧି ହେବାକୁ ପଡ଼ିବ ବୋଲି କହିଲେ ସମସ୍ତେ। ଶେଷରେ ଗାଁ ସଙ୍ଘରୁ ତିନି ପଇସା ସୁଧରେ ଟଙ୍କା ଧାର ଆଣି, ଘରୁ କଂସା ବାସନ ଦି'ଟା ଆଉ ତା' ବାହାଘରରେ ଚମ୍ପାଘର ଦେଇଥିବା ସୁନା ମୁଦିଟି ବିକି ଟଙ୍କା ଦଶ ହଜାର ଭିତରେ ଶୁଦ୍ଧିଘର ସାରିଲା, ତା' ପୁଣି ଚମ୍ପା ସହ ଘମାଘୋଟ କଳିକରି, ଚମ୍ପାର ମର୍ଜି ନଥିଲା ବୋଲି।


ଏବେ ଏବେ ବସନ୍ତ ଆହୁରି ଭାରାକ୍ରାନ୍ତ। ସୁଧଟଙ୍କା ଶୁଝି, ଘର ଚଳେଇବା ବେଳକୁ ଅବସ୍ଥା ବାର'ଣ୍ଡା ଦି'କଡ଼ା। ମୂଲ ଲାଗୁଚି, ମାଛ ମାରୁଚି ହେଲେ ଅଣ୍ଟୁନି। ନିଜର ଡଙ୍ଗା ନଥିବାରୁ ମାଗି ଯାଚି ଚଳେଇଛି। ହେଲେ ସବୁ ଦିନ ସୁବିଧା ହଉନି। ଅଧିକ ରୋଜଗାର ଆଶାରେ ମଝିରେ ମାସେ ଦି'ମାସେ ଚିଲିକା ପଳେଇଥିଲା। କିନ୍ତୁ ଲୁଣି ପାଣି ଦିହରେ ଗଲାନି ବୋଲି ଫେରି ଆସିଲା । ଚମ୍ପା ସହ କଥା କଟାକଟି ବେଳେ ସେକଥାକୁ ନେଇ ଚମ୍ପା ଶୁଣାଉଛି ତାକୁ―କାଢୁଆ ମରଦ ଯେ ମାଈପକୁ ଛାଡ଼ି ଦି'ମାସେ ରହିପାରିଲନି, ଦେହ ଲୁଣି ଖାଇଗଲା। ଭାରି ବାଧେ ବସନ୍ତକୁ, ହେଲେ କାହାକୁ କହିବ। ମରଦପୁଅ ଲୁହ ତ ଆଖି ପଛ ପଟକୁ। ଆଗକୁ ବୋହିଲେ ଲୋକେ ହସିବେ।


ଦିନେ ଚମ୍ପା ତାଙ୍କ ଗାଁ ଧଡ଼ି ଦଳେଇ କଥା କହିଲା ବସନ୍ତକୁ। ସେ କୁଆଡ଼େ ଠିକାଦାର। ଲୋକଙ୍କୁ ନେଇ ଯାଏ ସୁରାଟ, କଲିକତାରେ ଦାଦନ ଖଟାଇବାକୁ। ଚମ୍ପାକୁ ତା' ଗାଁ ର କିଏ କହିଲା ଯେ ଚମ୍ପା ବସନ୍ତକୁ ପଚାରିଲା-"ତେମେ ଆମ ଗାଁ ଧଡ଼ିଆଇକୁ ଚିହ୍ନିଚ?"


-"କୋ...ଉ ଦ....ଧଡ଼ିଆଇ? ହେଇ ଯ...ଯୋଉ ଠି...କାଦାର?" ଖନେଇ ଖନେଇ କହିଲା ବସନ୍ତ।


-"ହଁ। ତେମେ ଯାଉନ ତା' ପାଖକୁ? ସିଏ କୋଉଠି କାମେରେ ନଗେଇ ଦବ?"


-"ହେ..ଇଟା ଭଣିଆ ଚ..ଚୋରଟା। ଦ..ଲାରି.. ଆଟା। ନୋ..ଅ..କଙ୍କୁ ବି..ବିକି ଦଉଚି। ଝୁ...ଝୁଅ ବେପାର କ..ରୁଚି। ତା' ପା...ହାକୁ କଁ ଯି.. ଯିବି?"


-"ହଁ.. ତେମେ ତ ବେଶି ଜାଣିଛ? ଆଉ ବାକି ନୋକେ ଯିଏ ଯାଇଛିନ୍ତି ସମେତେ ବିକି ହେଇ ନାହାନ୍ତି, ତେମେ ହେଇଯିବ?"


-"ତୁ...ତୁ କଁ ଜା...ଣିଚୁ କଇଲୁ ତା' ବି..ଷୟରେ? ଥ..ରେ ଯିଏ ଯି..ବ କେବେ ଫେ...ରିବ ଜଣା ନାଇଁ। ଭ..ଭଉତୁ ନୋକ ଜୀ... ଚନ୍ତି ନା ମ..ମଲେଣି କେହି କ..କହି ପାରୁନା..ନାହାନ୍ତି। ମୋ..ମୋ କଥା ମୁଁ ବୁ...ବୁଝୁଚି, ବେଶି ମୁ..ଣ୍ଡ ଖେ..ଳାନା ତୁ।"


ଚମ୍ପା ଆଉ କ'ଣ କହିବାକୁ ଯାଉଥିଲା ଉଠି ଦାଣ୍ଡ ଆଡ଼େ ପଳେଇଲା ବସନ୍ତ। ଚମ୍ପା ଗରଗର ହୋଇ ରହିଲା।

ସେ ଧଡ଼ି ଦଳେଇ ଲୋକଟା ବିଷୟରେ ବସନ୍ତ ଜାଣିଥିଲା। ସୁଦ୍ଦୁ ଟାଉଟରଟା। ବସନ୍ତ ଯାହା ସବୁ ଚମ୍ପା ଆଗରେ କହିଥିଲା, ଅକ୍ଷରେ ଅକ୍ଷରେ ସତ। ସେ ବି ଥରେ ବସନ୍ତକୁ କହିଥିଲା ଦାଦନ ଯିବା ପାଇଁ, ହେଲେ ବସନ୍ତ ମନା କରିଥିଲା ତାକୁ। ସେ କଥା ବହୁତ ପୁରୁଣା, ଚମ୍ପାକୁ ବାହା ହେବା ପୂର୍ବରୁ। ଚମ୍ପା ତା' ଗୁଣଗ୍ରାମ ବିଷୟରେ ଜାଣିନି। ଶ' ପୁରା ଚରିତ୍ରହୀନ ଲୋକଟା। ପର ମାଇକିନାଙ୍କୁ ଫୁସୁଲେଇ ତାଙ୍କ ମରଦଙ୍କୁ ଦାଦନ ପଠାଏ, ଆଉ ତାଙ୍କ ସହ ନାରେନାରେ ହୁଏ। ଥରେ ଦି'ଥର ବସନ୍ତ ବି ଦେଖିଚି ତା' କାରନାମା। ହେଲେ ଚମ୍ପା କଣ ଜାଣିଚି ଏତେ କଥା?? ଖାଣ୍ଟି ମୁର୍ଖୁଣୀଟା ପିରା! ଯିଏ ଯାହା କହିଦେଲା ଭାସିଯିବ ସେଥିରେ।


ବସନ୍ତ ସାହିମୁଣ୍ଡ ବରଗଛ ଚାନ୍ଦିନୀରେ ବସି ଜାଲ ସିଲେଇ କରୁଥାଏ। ତା' ଘର ଆଗରେ କିଏ ପାଟି କରୁଥିବାର ଶୁଭିଲା। ଦଉଡ଼ି ଗଲା ବସନ୍ତ। ଦେଖିଲା ତାଙ୍କ ସାଇ ପଦିଆ। ସିଏ ମାନି ହେଇ ସଙ୍ଘରୁ ସୁଧରେ ଟଙ୍କା ଦିଆକରେଇଥିଲା ବସନ୍ତକୁ, ତା' ମା' ମଲା ବେଳକୁ। ଏବେ ଆସିଛି ମୂଳଟଙ୍କା ନେବାକୁ। ଥରେ ଦି'ଥର ଆଗରୁ ମାଗିଛି ବସନ୍ତକୁ। ହେଲେ ଏବେ ଟଙ୍କା ନାଇଁ କହି ଫେରେଇ ଦେଇଚି ବସନ୍ତ। ତେଣେ ସଙ୍ଘରେ ପଦିଆ ଉପରେ ବର୍ଷଣ। ସେକଥାରେ ତାଉ ଖାଇ ପଦିଆ ପେଟେ ଦେଶୀ ପିଇ ଆସିଛି ବସନ୍ତ ପାଖକୁ। ମା' ଭଉଣୀ ଧରି ଗାଳି କରୁଚି ବସନ୍ତକୁ। ବସନ୍ତ ଟଙ୍କା ଦେବାକୁ ଆଉ ମାସେ ସମୟ ମାଗିଛି। ହେଲେ ନିଶାରେ ଚୁର ପଦିଆ ତାକୁ କହିଛି-"ଟଙ୍କା ନାଇଁ ଯଦି ମାଇକିନାକୁ ଛାଡ଼ିଦେ' ମୋ ପାଖକୁ।" ବାସ ସେତିକି। ନିଆଁ ଲାଗିଗଲା ବସନ୍ତ ମଗଜରେ। ଡେଇଁ ପଡ଼ିଲା ପଦିଆ ଉପରକୁ। ସାଇ ଲୋକ ଆସି ଛଡ଼େଇଲେ ଦୁହିଁଙ୍କୁ। ଚମ୍ପା ଭିଡ଼ିନେଲା ବସନ୍ତକୁ ଘର ଭିତରକୁ, ଆଉ ପଦିଆକୁ କହିଲା ଯେ, ଦି' ଦିନପରେ ଆସି ଟଙ୍କା ନେଇ ଯିବାକୁ।


ସେ ଦିନ ମନ ଦୁଃଖରେ ବସନ୍ତ ଆଉ ଘରେ ରହିଲାନି। ଭାରି ଖରାପ ଲାଗିଲା ତାକୁ। ବଜାର ଯାଇ ଦେଶୀ ଚଢ଼େଇ ଦେଲା ଟିକେ। ଯାଇ କୋଉଠି ଶୋଇଲା ଶୋଇଲା ରାତି ଦଶଟାକୁ ଘରକୁ ଫେରିଲା। ଖାଇଲାନି କିଛି। ତା' ଅବସ୍ଥା ଦେଖି କିଛି କହିବାକୁ ଭରସି ପାରିଲାନି ଚମ୍ପା। ସେମିତି ଅଖିଆ ଅପିଆ ଶୋଇଗଲା ବସନ୍ତ।


ତହିଁ ଆରଦିନ ସକାଳୁ ଚମ୍ପା ବାସି ପାଇଟି କରୁଛି, ବସନ୍ତ ଉଠିଲା । କିଛି କହିଲାନି ଚମ୍ପା। ବସନ୍ତ ଆସି ପଚାରିଲା-"କୋ...କୋଉଠୁ ଆଣି..ବୁ ଯେ' କ.. କହିଦେଲୁ ଦି...ଦି'ନ ଭିତରେ ଟ.. ଟଙ୍କା ଦବୁ ବୋ...ଲି?"


-"ଟଙ୍କା ଆଣି ସାରିଚି?"


-"ଆ..ଆଣି ସା..ରିଚୁ? କୋ...ଉଠୁ?" ଆଶ୍ଚର୍ଯ୍ୟ ହୋଇ କହିଲା ବସନ୍ତ।


-"ଧଡ଼ିଆଇଠୁଁ ଦଶହଜାର ଟଙ୍କା ଆଣିଚି କାଲି।"


-"ତେ.. ତେ କିଏ କ..କହିଲା ତା'ଠୁଁ ଆ..ଣିବାକୁ?" ରାଗି ପଚାରିଲା ବସନ୍ତ।


-"ଆଣି ନଥା'ନ୍ତି ଆଉ କଁ ଯାଇ ପଦିଆ ପାଖରେ ଶୋଇଥା'ନ୍ତି? ଅଲାଜୁକର ତୋଡ଼ ଦେଖ?"


ଥମିଗଲା ବସନ୍ତ। ଖରାପ ଲାଗିଲା ତାକୁ। ଟିକେ ଭାବି ପଚାରିଲା-"ତା.. କୁ ପୁ..ପୁଣି ଶୁଝିବା କେ..କେ'ନ୍ତି?"


-"ଶୁଝିବା କଣ? ପୟା ଅମାସିଆ ବାସି ତେମେ ଯିବ ତା' ସହ କଲିକତା। କଥା ଛିଣ୍ଡିଛି।" 


ବସନ୍ତ ଆଉ କିଛି କହିବା ପୂର୍ବରୁ ଚମ୍ପା ଗରଗର ହେଇ ପଳେଇଲା। ବସନ୍ତ ଶୁଣି ପାରୁଥିଲା ଚମ୍ପାର କଥା 'ଅଯୋଗିଅ କୋଉଠିକାର।'


ମନ ଦୁଃଖରେ ବସନ୍ତ ଘରୁ ବାହାରିଗଲା। ସେଦିନ କାମକୁ ଗଲାନି ଆଉ। ଘରେ ଚମ୍ପା କଥା ହଉନଥିଲା ତା' ସହ।


ଚୁପଚାପ ଦି' ପହରେ ବନିସୀ ଖାଡ଼ିଟା ଧରି ନଈ ଆଡ଼େ ଚାଲିଗଲା ବସନ୍ତ। କେବଳ ମନକୁ ବୁଝେଇବାକୁ। ନିଜକୁ ସାନ୍ତ୍ୱନା ଦେବାକୁ। ମନ ଭରି କାନ୍ଦିବାକୁ। ସେଇଆ ହିଁ କଲା । କେହି ନଥିବା ଗୋଟେ ତୁଠରେ ଯାଇ ପଥର ବନ୍ଧ ଉପରେ ବସି ପାଣିରେ ବନିସୀ ଖାଡ଼ିଟି ପକେଇ ଦେଲା ବସନ୍ତ। କାନ୍ଦି ପକେଇଲା ଭୋ ଭୋ। ମା' କଥା ମନେ ପଡ଼ିଲା ତା'ର। ଆହୁରି କାନ୍ଦିଲା। ବୋଧହୁଏ ଲୁହ ସବୁ ତା'ର ସାଇତା ହୋଇଥିଲେ ମନ ଭିତରେ। ସେ ବି ଭୁଲି ଯାଇଥିଲା, ଯେ ସେ କାନ୍ଦି ପାରେ ବୋଲି। ତା' କୋହ ବାହାରି ଆସିଲା। ତଥାପି ରଖିଲାନି ସେ କାନ୍ଦକୁ। ଏଇ ଲୁହ ଟିକକ ତ ତା'ର; ଯିଏ ତା' ପାଇଁ ପୁରା ଶସ୍ତା, ମାଗଣା।


ପଥର ଉପରୁ ଗୋଟେ ବେଙ୍ଗ ପାଣିକୁ ଡେଇଁ ପଡ଼ିଲା। ସେ ଶବ୍ଦରେ ପ୍ରକୃତିସ୍ଥ ହେଲା ବସନ୍ତ। କରିଆ ଗାମୁଛାଟିରେ ମୁହଁ ପୋଛିଦେଲା। ପାଣିକୁ ଯାଇ ମୁହଁ ଧୋଇ ହେଲା। ଆସି ବନିସୀ ଖାଡ଼ିଟା ହାତରେ ଉଠାଇ ଧରିଲା ବେଳେ ସୁତାଟା ଟାଣି ହୋଇଗଲା ତଳକୁ।ଉଠାଇ ଦେଖିଲା ମାଛଟେ ଥୋପ ଗିଳି ଛାଟିପିଟି ହେଉଛି। ବସନ୍ତ ଦେଖୁଥିଲା ସେ ମାଛର ମୁହଁଟା ଠିକ୍ ତା' ପରି ଦିଶୁଥିଲା।


               


Rate this content
Log in

Similar oriya story from Drama