Fransis Satapathy

Tragedy

2.1  

Fransis Satapathy

Tragedy

ସ୍ବପ୍ନ

ସ୍ବପ୍ନ

3 mins
604


ଏମିତି ବହୁତ ସ୍ୱପ୍ନ ବିଷୟରେ ଆଲୋଚନା କରୁଥିଲେ ସେମାନେ । ଚେଇଁ ଥିବା ଅବସ୍ଥାରେ ଦେଖାଉଥିଲେ ସ୍ୱପ୍ନ ପୁରା ନିଆରା ଢଙ୍ଗରେ । ଖୋଲା ଆଖିରେ ଦେଖାଉଥିଲେ ବିଶ୍ୱଭ୍ରମଣର ସୁନେଲି ସ୍ୱପ୍ନ ଓ ତାକୁ ପୁରା କରିବାର ଆଶ୍ୱାସନା । ବତାଉଥିଲେ ବସ୍ ରୁ ଆଗକୁ ଯାଇନଥିବା ବେକାର ତପନକୁ ଫ୍ଲାଇଟ୍ ରେ ରୟାଲ୍ କ୍ଳାସ୍ ଯାତ୍ରା । ଇନ୍ଦିରାଆବାସ୍ ଖଣ୍ଡେ ପାଇଁ ୱାର୍ଡମେମ୍ବର୍ ଠାରୁ ଏମ୍.ଏଲ୍.ଏ. ଙ୍କ ପର୍ଯ୍ୟନ୍ତ ଚକ୍କର୍ କାଟୁଥିବା ଗୋଟିଏ ମଜବୁର୍ ମଣିଷକୁ ଆଲିସାନ୍ ବଙ୍ଗଳା ର ସ୍ୱପ୍ନ । ଦୁଇହଳ ସାର୍ଟ୍ ପ୍ୟାଣ୍ଟ୍ କୁ ଧୋଇଶୁଖେଇ ପିନ୍ଧୁଥିବା ଯୁବକଟିକୁ କଷ୍ଟଲି ଡ୍ରେସ୍ ର ସ୍ୱପ୍ନ । ଭଙ୍ଗା ସାଇକେଲ ରେ ସେକେଣ୍ଡହ୍ୟାଣ୍ଡ୍ ଟାୟାରଟ୍ୟୁବ୍ ପକେଇ ଚଲାଉଥିବା ନିରୁପାୟ ଯୁବକଟିକୁ ଇମ୍ପୋର୍ଟେଡ଼୍ ଗାଡ଼ି ର ସ୍ୱପ୍ନ । ଓଃ ! କି ସୁନ୍ଦର ସେ ସ୍ୱପ୍ନ ର ଦୁନିଆଁ ସତେ । ପୁରା ସଭାଗୃହଟି କରତାଳିରେ ଫାଟିପଡ଼ୁଥିଲା ।

ପୋଡ଼ିୟମ୍ ପାଖରେ ଯାଇ ସୁଟବୁଟ୍ ପିନ୍ଧା ସ୍ୱପ୍ନବିକାଳିମାନେ ଜଣକ ପରେ ଜଣେ ଉପସ୍ଥିତ ତଥାକଥିତ ଅଭାବୀ ବେକାର ଯୁବଗୋଷ୍ଠିଙ୍କ ମନରେ ଅତି ଚାତୁର୍ଯ୍ୟରେ ରୋପଣ କରୁଥିଲେ ଏଇ ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ବଡ଼ଲୋକ ହେବାର ସ୍ୱପ୍ନବୀଜ । ଆଉ ତପନ ଭଳି ସମସ୍ତେ ମୋହାବିଷ୍ଟ ହୋଇ ଭାସୁଥିଲେ ଅଦୃଶ୍ୟ ସ୍ୱପ୍ନତରୀରେ ।

ସ୍ୱପ୍ନତରୀରେ ଲଙ୍ଗର୍ ଲାଗିଲା ଯେବେ ସ୍ୱପ୍ନବିକାଳି ମାଗିଲେ ବଡ଼ଲୋକ ହେବାର ମନ୍ତ୍ରର ମୂଲ୍ୟ, ଗୋଟେ ଯୋଡ଼େ ନୁହେଁ; ପୁରା ପାଞ୍ଚହଜାର ଟଙ୍କା । ତାର ମେମ୍ବରସିପ୍ ଫି । ତପନ ଟିକେ ହଡ଼ବଡେ଼ଇ ଗଲା । ହେଲେ ସବୁ ସ୍ୱପ୍ନକୁ ସାଥିରେ ନେଇ ଘରକୁ ଫେରିଲା ଗାଁ ବସ୍ ରେ ।

×××

ଘରେ ପହଁଚି ଖାଇବସିଛି ତପନ । ପଖାଳ ଭାତ, ବାଇଗଣ ପୋଡ଼ା, ବାଡ଼ି ପିଆଜ ଓ ରସୁଣ ରୁ କୋଲେ କୋଲେ, ଲଙ୍କା ଆଉ ଆମ୍ବୁଲ ଫଡ଼େ । ଭୀଷଣ ଭୋକ । ଦୁଇ ଗୁଣ୍ଡା ଖାଇଛି ବୋଉ ଆସି ପାଖରେ ବସିଲା କାନିରେ ମୁହଁ ପୋଛି ପୋଛି ।

-"ଆଜି ତରୁ(ତପନ ର ସାନ ଭଉଣୀ)ର ବାହାଘର ପାଇଁ ବାପା ମାଳ ଜମି ବିକିବା କଥା କହୁଥିଲେ । କାଲି କିଏ ଦେଖି ଆସିବ । ଦେଢ଼ ଲକ୍ଷରେ ତୁଟିଛି । ତୁ ସାଙ୍ଗରେ ଯିବୁ । "

-"ଜମି ନବିକିଲେ ହ'ନ୍ତାନି ? ମୁଁ ଆଜି ଯୋଉ ମିଟିଙ୍ଗକୁ ଯାଇଥିଲି, ସେଇଥିରେ ଭଲ ବିଜିନେସ୍ କଥା କହୁଥିଲେ । ଭଲ ସ୍କିମ୍। ବର୍ଷେ ଦୁଇ ବର୍ଷରେ ମାଲାମାଲ ହୋଇଯିବା । କୋଉଠୁ ଯୋଗାଡ଼ କରି ପାଞ୍ଚ ହଜାର ଦବାକୁ ପଡ଼ିବ। ତା'ପରେ ସବୁ ଠିକ୍ ହୋଇଯିବ।"

-" ନା। ଆଉ ହବନି । ତୋ ରୋଜଗାର କୁ ଚାହିଁ ଚାହିଁ ଆମେ କଣ ବଢ଼ିଲା ଝିଅକୁ ଘରେ ରଖିବା? ଆସିକି ପଚିଶି ବରଷ ହେଲାଣି । ଆଉ କେତେ ଦିନ ରଖିବା । ଭଲ ପ୍ରସ୍ତାବ ଟା। ହଉ ଦ୍ୱିତୀୟ ପକ୍ଷ । ସବୁ ଭଲ ତ !! ପୁଅର ସରକାରୀ ଚାକିରୀ । କରିଦବା । ମୁଁ ମୋ ଆମ୍ବକଷିଆ ହାରଟା ଭାଙ୍ଗି ତା ବେକକୁ ଚେନ ଆଉ କାନକୁ ହଳେ କରିବା ପାଇଁ ବଣିଆ ଡକେଇଛି। ଆଉ ଯାହା ରହିବ ତୋ ପାଇଁ । ଆର ଗାଁ ରେ ମୋବାଇଲ ଟାୱାର ତିଆରି ହଉଚି। ତା'ପାଇଁ ରାତିରେ ସିକୁରୀଟି ଦରକାର। ତୋ ବାପା ବୁଝିଛନ୍ତି, ଯାଇ ସେଠି ରାତିରେ ଜଗିବେ । କିଛି ପଇସା ମିଳିଯିବ । ଘର ଚଳିବାରେ ଅସୁବିଧା ହେବନି । ଖାଲି ବାହାଘର ଟା ସରିଯାଉ।"

-"ବାପା କାହିଁକି ଯିବେ? ମୁଁ ଯିବିନି?"

-"ତୁ ପାରିବୁନି । ତୋ ବାପା ମନାକଲେ । କହିଲେ ତୁ ପଢ଼ା ପିଲା । ସେ କାମକଲେ ତତେ ଲାଜ ଲାଗିବ।ତୁ ପାଠ ପଢ଼େ।"

ବୋଉ ଉଠି ଚାଲିଗଲେ । ତପନ ଭାତ ବେଲାଟାରେ ହାତ ବୁଡ଼େଇ ବସିଥାଏ ।

ସେ ସକାଳେ ମିଟିଙ୍ଗ୍ ରୁ ନେଇକି ଆସିଥିବା ସ୍ୱପ୍ନ ଉପରେ ଆଉ ଗୋଟେ ବହଳିଆ ସ୍ୱପ୍ନର ଆସ୍ତରଣ ବସି ଯାଇଥାଏ ପରସ୍ତ ପରସ୍ତ । ସେଥିରେ ଥାଏ ତରୁର ବାହାଘର, ବୋଉ ର ଖାଲି ବେକ ଓ ରାତିଅନିଦ୍ରା ହୋଇ ସକାଳେ ଘରକୁ ଫେରୁଥିବା ବାପାଙ୍କର ସ୍ୱପ୍ନ । ଆଉ ସେ ସମସ୍ତଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେ ସବୁଦିନ ଦେଖିଆସୁଥିବା ଦୁର୍ମୂଲ୍ୟ ସ୍ୱପ୍ନ।

■■■

ଫ୍ରାନସିସ୍ ଶତପଥୀ


Rate this content
Log in

Similar oriya story from Tragedy