STORYMIRROR

Fransis Satapathy

Tragedy

3  

Fransis Satapathy

Tragedy

ସଖୀକଣ୍ଢେଇ

ସଖୀକଣ୍ଢେଇ

6 mins
155

ସେଦିନ ସଖୀ କଣ୍ଢେଇଟିର ମୁହଁ କାନ୍ଦୁରା କାନ୍ଦୁରା ଦିଶୁଥିଲା। ଯେତେ ନଚେଇଲେ ବି ରାଣ ଖାଇଲା ପରି ଚୁପହୋଇ ଠିଆହୋଇ ରହୁଥିଲା। ବସେଇଲେ ଆଉ ତା' ପରି କଣ୍ଢେଇ ଭଳି ବସୁ ନଥିଲା ଧୀରେ ଧୀରେ ଥରି ଥରି। ମୁହଁ ଫୁଲା ପ୍ରେୟସୀ ଭଳି ବସିଥିଲା ଲଥ୍ କିନା ଗୁମସୁମ ହୋଇ। ହସେଇଲେ ହସୁଥିଲା ଖତେଇ ହେଲାପରି। ଆଉ ନାଚ ଛାଡ଼ ଛାଡ଼; ତା' କଥା ନକହିଲେ ଭଲ। ନାଚ ଆଳରେ କାହାକୁ ଯେମିତି ଜୋରଜବରଦସ୍ତ କରାଯାଉଛି। ଛେଳିକୁ ପାଣିକୁ ଠେଲିବା ଅବସ୍ଥା।

ମୁଁ ଏମିତି ହିଁ ଭାବୁଥିଲି। ସବୁଠୁଁ ବଡ଼କଥା ହେଲା ତା' ସାଙ୍ଗର ପୁଅ କଣ୍ଢେଇଟି ନାଚ ବନ୍ଦ କରୁନଥିଲା। ରୁଷି ଅଧିକ ଅଧିକ ଜୋର ଜୋର ନାଚ କଲାଭଳି ଡେଉଁଥିଲା ମନଇଚ୍ଛା। ଚାହୁଁ ନଥିଲା ସଖୀ କଣ୍ଢେଇ ଆଡ଼େ ଜମାରୁ। କାନ୍ଦିଲେ କାନ୍ଦିଲା, ହସିଲେ ହସିଲା ନଚେଇଲେ ନାଚିଲା ଉନ୍ମତ୍ତ ହୋଇ।

ସବୁବର୍ଷ ଭଳି ସେ ବର୍ଷ ବି ଦୋଳମେଲଣରେ ମାମୁଁ ଘର ଗାଁ ଉଠୁଥିଲା ପଡ଼ୁଥିଲା। ମୁଁ ସବୁଥର ପରି ଜଲ୍ଦି ଯାଇ ତିନିଟା ବେଳୁ ଆସନ ଦୁଇଟି ରଖିଦେଇଥିଲି ଷ୍ଟେଜର ଠିକ ପାଖରେ, ଲଗାଲଗି କରି। ବୋଉଠୁଁ ମାଗି ଆଣିଥିବା ଦି' ଟଙ୍କାରେ ନଳୀ ଓ ବାଦାମ କିଣି ସାରିଥିଲି ଦୁଇ ଦୁଇ ପୁଡ଼ିଆ..ଗୋଟେ ମୋର , ଗୋଟେ କୁନିର। ଚିନିକୋରା ତିଆରି ନେଳି ନାଲି ହାତୀଘୋଡ଼ା ମିଠା ବି କିଣିଥିଲି ଦୁଇ ଦୁଇଟା କୁନି ପସନ୍ଦର। ଆଈ ଦେଇଥିବା ଟଙ୍କାକରୁ ଚାରଣାରେ ଫେଣ ଫୋଟକା ସିସିଟିଏ କିଣି ରଖିଥିଲି କୁନି ପାଇଁ।

ମୋ ମାମୁଁ ଘର ଗାଁର ସେତେବେଳେ ମୋ ପାଇଁ ଅନେକ ଆକର୍ଷଣ ଅଜାଙ୍କ ରୁମରେ ରୋହିଣୀ ଡିଲକ୍ସ କଳାଧଳା ଟିଭି, ମାମୁଁଙ୍କର ରାଜଦୂତ ମଟର ସାଇକେଲ, ପଡ଼ିଶା ଘର ମଉନି ମାଉସୀର ହାତତିଆରି ମାଟି କଣ୍ଢେଇ, ଗାଁ ମୁଣ୍ଡ ମନ୍ଦିରର ଚୁଡାଘଷା ଭୋଗ, ଗାଁ ମଝି ପୋଖରୀରେ କଟା କଦଳୀ ଗଛ ଧରି ପହଁରା ଶିଖା, ସରେଇ ନାଳରେ ଗାମୁଛା ପକେଇ ମାଛ ଧରା, ଚାଉଳ ଦେଇ କଣ୍ଟେଇ କୋଳି କିଣା, ଏମିତି ଅନେକ କିଛି।

କିନ୍ତୁ ଏ ସବୁର ଉପରେ ଥିଲା ମାମୁଁ ଘର ଠାରୁ ପାଞ୍ଚ ସାତ ଘର ଛଡ଼ା ବରଜୁ ଅଜାଙ୍କ ଝିଅ ମିନା ମାଉସୀଙ୍କ ସାନ ଝିଅ କୁନି। ପିଲା ବେଳୁ ତା' ମାମୁଁ ଘରେ ରହି ପଢ଼େ। ମୋ ବୟସର। ଦେଖିବାକୁ ଯେମିତି ହେଲେ ବି ମୋତେ ସୁନ୍ଦର ଦିଶେ। ମୋତେ ଭଲ ଲାଗେ। ତା'ରି ଲାଗି ମାମୁଁ ଘର ଗାଁ ସୁନ୍ଦର, ତା'ରି ଲାଗି ମେଳଣ ପଡ଼ିଆରେ ବେସ କୋଳାହଳ, ତା'ରି ଲାଗି ବର୍ଷ ତମାମ ଗାଁ ଦାଣ୍ଡ ଉତ୍ସବମୁଖର ବୋଲି ମୋତେ ଲାଗେ। ତା'ରି ଲାଗି କଣ୍ଢେଇ ନାଚରେ ମୁଁ ଦେଖେ ଆମ ଦୁହିଁଙ୍କୁ, ଭିନ୍ନ ଭିନ୍ନ ଚରିତ୍ର ଯୁଗଳରେ। ତା'ରି ପାଇଁ ରାଗ ଖାଇ ପାରୁନଥିବା ସତ୍ତ୍ୱେ ତା' ଆଗରେ ବାହାଦୁରୀ ଦେଖେଇ ଖାଇଯାଏ ଝାଲ ମୁଢ଼ିରେ ଡବଲ ରାଗ ପକାଇ, ମିଛରେ ମୋ ପସନ୍ଦ ବୋଲି କହି।

ମୋ ପାଖ ଆସନଟି ଖାଲି ପଡ଼ିଥିଲା ସେଦିନ। କୁନି ଆସିନଥିଲା। ମୁଁ ଆସନଟିକୁ ଜଗି ବସିଥାଏ, ନାଚ ଆରମ୍ଭ ହେଲା, ଦଶ ମିନିଟ, କୋଡ଼ିଏ ମିନିଟ, ଅଧଘଣ୍ଟା.. ଏମିତି ଏମିତିରେ ଘଣ୍ଟେ ଗଲାଣି। ଜାଗା ପାଇଁ ଜଣେ ଦି'ଜଣ ପିଲାଙ୍କ ସହ ଝଗଡ଼ା ହୋଇସାରିଲାଣି ମୋର। ହେଲେ କୁନି ଆସୁନଥିଲା। ମୁଁ ଛଟପଟ ହେଉଥିଲି ମନେ ମନେ। ମୋ ଆଖି ହଳକ ବୁଲି ବୁଲି ଖୋଜୁଥିଲେ ତାକୁ। ନାଚ ସରିଗଲା। ମୋ ଭିତରଟା ରୁଷି ଯାଇଥିଲା ପୁରାପୁରି। ଖୁବ ଅଭିମାନ ଆସିଯାଇଥିଲା ତା' ଉପରେ। ଭାବିଲି କାଲି ଦେଖା ହେଲେ କଥା ହେବିନି ତା' ସହ। ସେ ଆଗ ଭୁଲ ମାଗିଲେ, କେଜାଣି ଯଦି ହୋଇପାରେ.. ମନେ ମନେ କହିହେଲି।

ତା' ପରଦିନ ଅପେକ୍ଷା କରି ରହିଲି। ସେଇ ଏକା କଥା। ମୋ ଅଭିମାନ ଆହୁରି ବଢ଼ିଲା। ବେଳେ ବେଳେ ସେଇଟା ରାଗରେ ରୂପାନ୍ତରିତ ହୋଇଯାଉଥିଲା। ଅଭିମାନଟା ଆଉ କଣ କି..? ନିଜ ଭିତରେ ଜଳି ଜଳି ନିଜର କେହିଜଣେ ଉପରେ ଦେଖେଇ ଦେଖେଇ ଛିଞ୍ଚାଡୁ ଥିବା ମେଂଚାଏ ମିଠା ମିଠା ରାଗ ତ...! ଭାବିଲି ସେ ଆସୁ କି ନ ଆସୁ, ମୁଁ ତା' ମାମୁଁ ଘରକୁ ଯିବିନି କି ତା' ବିଷୟରେ ପଚାରିବିନି। ସେୟା ହିଁ କଲି। ଜମାରୁ ତା' କଥା ପଚାରିଲିନି। ହେଲେ ମୋ ମନ ,ଆଖି କାନ ତାକୁ ଓ ତା' କଥାକୁ ଖୋଜୁଥା'ନ୍ତି ମନେ ମନେ। ଚାହିଁ ରହିଥା'ନ୍ତି କେହି କେତେବେଳେ ଯଦି ତା' କଥା କାଳେ ଉଠାଇବ..।

ମିଲିଟାରୀ ଚାକିରୀ କରିଥିବା କୁନି ବାପା ଅବସର ପରେ ଦିଲ୍ଲୀରେ କେଉଁ ଗୋଟେ କମ୍ପାନୀରେ ଚାକିରୀ ପାଇଥିବାରୁ ତାଙ୍କ ପରିବାରକୁ ସେଠାକୁ ନେଇଯାଇଛନ୍ତି ବୋଲି ସେଦିନ ବୋଉ ହେରିକା କଥା ହେବାର ଶୁଣିଲି। କୁନି ତେଣୁ ତା' ମାମୁଁ ଘରୁ ଚାଲିଗଲାଣି ମାସେ ହେବ। ଛାତି ଭିତରଟା କେମିତି ହୋଇଗଲା ମୋର। ଅଭିମାନ ସବୁ ତରଳି ଯାଇ ଆଖି ସନ୍ଧିରେ ବସା ବାନ୍ଧୁଥିବାର ଅନୁଭବ କଲି। ଦିନ ସାରା ବିନା କାରଣରେ କାନ୍ଦିଲି। କାହାକୁ କହିପାରୁନଥିଲି କି ନିଜକୁ ବୁଝାଇ ପାରୁନଥିଲି।

ସେଦିନ ଆଉ ନାଚ ଦେଖିବାକୁ ଗଲିନି। ସେଦିନ କ'ଣ, ସେଦିନ ଠାରୁ କଣ୍ଢେଇ ନାଚ ମୋତେ ଭଲ ଲାଗିଲାନି ଆଉ। କଣ୍ଢେଇ ମାନଙ୍କ ଭିତରେ କୁନିର ମୁହଁ ଦିଶୁଥିଲା ମୋତେ। ମୋର ଖୋଜିବା ଲୋଡ଼ିବା ଭିତରେ କୁନି ହଜିଯାଉଥିଲା ଧୀରେ ଧୀରେ। ମୁଁ ବଡ଼ ହେଉଥିଲି, କିନ୍ତୁ ବୟସ ସେଇଠି ଅଟକି ଥିଲା ସଖୀକଣ୍ଢେଇଟି ପାଖରେ।

×××


ୟା ଭିତରେ ଅନେକ ବର୍ଷ ଅତିକ୍ରାନ୍ତ। ମୁଁ ଏବେ ଚିରାଚରିତ ସଂସାର ଭିତରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଛି। ଚାହିଁ ବା ନଚାହିଁ ମୋତେ ନିୟନ୍ତ୍ରଣ କରୁଛନ୍ତି ଅନେକ ସମ୍ପର୍କ। ମୁଁ ମଣିଷର ଖୋଳ ପିନ୍ଧିଥିବା କଣ୍ଢେଇଟେ ମାତ୍ର। କୁନିକୁ ମୁଁ ଭୁଲିନି। କିନ୍ତୁ କୁନିର ସ୍ମୃତି ଆଉ କଲବଲ କରୁନି ମୋତେ। ତା'କୁ ଖୋଜି ପାଗଳ ହେଉନି ମୁଁ। ତା' ପସନ୍ଦର ଜିନିଷ ସବୁ ବି ସେତେଟା ମନେ ନାହିଁ ମୋର। ସେ ଏବେ କେମିତି ଦିଶୁଥିବ ବି ଜାଣିନି। କୁନି କଥା ମନେପଡ଼ିଲେ ସେଇ ଛୋଟ ପିଲାର ମୁହଁଟିକୁ ଚେଷ୍ଟା କରି ମନେ ପକାଏ ମୁଁ। ସେ ମୁହଁଟି ପ୍ରତିଦିନ ଚେନାଏ ଚେନାଏ ଅପସରି ଯାଉଥାଏ ଧୀରେ ଧୀରେ ପାହାନ୍ତି କାଳିମା ଭଳି। ତା' ପାଇଁ ମୁଁ ବି ସେମିତି ଗୋଟେ ନିଖୋଜ ସ୍ମୃତି ହୋଇଥିବି, ଯେମିତି ମୋ ପାଇଁ ସେ। ସମୟ ସାଙ୍ଗରେ ସ୍ମୃତି ବି ବହେ ନା..! ଧରି ନପାରୁଥିବା ସୁଉଚ୍ଚ ଡାଳ ପାଇଁ ବେଶୀ ଡେଇଁଲେ ଶରୀର ଓ ମନକଷ୍ଟ ହୁଏ ଯାହା।

ଏବେ ମାମୁଁ ଘରକୁ ଯାଇଥିଲି ବହୁତ ବର୍ଷ ପରେ। ମୋ ଅଜାଙ୍କ ଦଶାହ ଥିଲା। ମାମୁଁଘର ଗାଁ ବହୁତ ବଦଳି ଯାଇଛି। ମୋ ପିଲାଦିନର ସେ ଗାଁ ଆଉ ଆଜିର ଗାଁ ଭିତରେ ଅନେକ ଫରକ। ଗାଁ ଭିତରେ କଂକ୍ରିଟ ରାସ୍ତା, ଚାଳ ଘର ନାହିଁ କହିଲେ ଚଳେ। ମନ୍ଦିର ପାଖରେ ପିଲାଏ ଏକାଠି ଖେଳୁନାହାନ୍ତି ଆଉ । ଦୋଳମେଳଣରେ କଣ୍ଢେଇ ନାଚ ହଉନି ସେଠାରେ। ମୁଁ ଚିହ୍ନିଥିବା, ଆଉ ମୋତେ ଚିହ୍ନିଥିବା ଅନେକ ନଥିଲେ; କିଏ ଗାଁ ଛାଡ଼ିଥିଲେ ପେଟପାଇଁ, କିଏ ସଂସାର ଗଢ଼ିବା ପାଇଁ, ଆଉ କିଛି ଦେହ ଛାଡ଼ି । କିଛି ସମ୍ପର୍କୀୟଙ୍କ ଚେହେରା ବଦଳିଛି ସମୟ ଓ ବୟସ ସହମତିରେ।

ପରଦିନ ଗାଁ ଦାଣ୍ଡରେ ବୁଲୁଥିଲା ବେଳେ ହଠାତ ନଜର ପଡ଼ିଲା ବରଜୁ ଅଜାଙ୍କ ପିଣ୍ଡାରେ ଖେଳୁଥିବା ଛୋଟ ଝିଅଟିଏ ଉପରେ। ପାଦ ଅଟକି ଗଲା ମୋର। ଅବିକଳ କୁନି ପରି ଚେହେରା। ସେଇ ଆଖି, ସେଇ ଚୁଟି, ସେଇ ରଙ୍ଗ, ସେଇ ଚପଳତା। ହାତରେ ଧରିଥିଲା ଵରକନିଆଁ କଣ୍ଢେଇ ହଳେ। ମୁଁ ଚାଲି ଯାଇଥିଲି ତିରିଶ ପଇଁତିରିଶ ବର୍ଷ ପଛକୁ। କୁନି ଉପରେ ଥିବା ସବୁ ଅଭିମାନ ଧୀରେ ଧୀରେ ବର୍ତ୍ତମାନ ମୁହାଁ ହେଉଥିଲେ। ମୁଁ ଟାଣି ହେଇଗଲି ତା' ଆଡ଼େ। ମନେ ମନେ ଭାବି ନେଲି କୁନି ଆସିଛି ଏତେ ବର୍ଷ ପରେ। ଆଜି ସବୁ ହିସାବ ନିକାଶ କରିନେବି। ନିଜକୁ ଦେଖେଇ ପଚାରିବି-"ଚିହ୍ନି ପାରୁଛୁ ମତେ? ଦେଖି କହିଲୁ ମୁଁ କିଏ??ମୋତେ ମନେ ରଖିଛୁ ନା ନାଇଁ..?? ହଁ....ଅଁ.... ତୁ ବଡ଼ଲୋକ ହେଇଗଲୁଣି, ଚିହ୍ନିବୁ କିଆଁ???" .....ଏମିତି ଅନେକ ଅଭିମାନିଆ ପ୍ରଶ୍ନ। ଆଉ ଉତ୍କଣ୍ଠାର ସହ ଅପେକ୍ଷା କରିବି ତା'ର ଉତ୍ତର ତଥା ଦୋଷ ସ୍ୱୀକାର। ବହୁତ କଥା ହେବି। ପରସ୍ପରର ପସନ୍ଦ ନାପସନ୍ଦ ସବୁକୁ ମନେପକାଇ ଉଲ୍ଲସିତ ହେବୁ ଦୁହେଁ। ଦୁଃଖ କରିବି ସେ ନକହି ସେଦିନ ଚାଲିଗଲା ବୋଲି। ସେଦିନ ଠାରୁ କଣ୍ଢେଇ ନାଚ ଦେଖୁନି ବୋଲି ବି ଜଣେଇ ଦେବି ତାକୁ। ଏମିତି ଭାବିବା ଭିତରେ ପହଁଚି ଯାଇଥିଲି ସେ ଝିଅଟି ପାଖରେ।

-"ତୁମ ନାଁ କ'ଣ?" ପଚାରିଲି ତାକୁ।

ସେ କିଛି ନକହି ଭୟରେ ଦୌଡ଼ିଗଲା ଘର ଭିତରକୁ । ମୁଁ ହସି ଠିଆ ହୋଇଥାଏ ସେଇଠି। ମୋତେ ଶୁଭୁଥାଏ ସେ ଝିଅଟିର କଥା--"ବାହାରେ ବାୟା ଆସିଛି..ନେଇଯିବ ମତେ.." ଆହୁରି ହସ ଲାଗୁଥିଲା ମତେ। ଠିକ କୁନି ଭଳି ହଉଥିଲା ସିଏ।

ତାକୁ ସାଙ୍ଗରେ ନେଇ ବାହାରି ଆସିଲେ ଜଣେ ପ୍ରୌଢ଼ାତିପର ମହିଳା। ମିନା ମାଉସୀଙ୍କୁ ଚିହ୍ନିହେଉ ନଥିଲା ଜମା। ଏତେ ସୁନ୍ଦର ଲୋକ, ପୁରା କ୍ଳାନ୍ତ ଦିଶୁଥିଲେ। ମୁହଁକୁ ଦେଖିଲେ ଲାଗୁଥିଲା, ଯେମିତି ସବୁ ଚିନ୍ତା, ସବୁ ଦୁଃଖ ତାଙ୍କ ଠି ଆରମ୍ଭ ଓ ତାଙ୍କଠି ଶେଷ। ତାଙ୍କୁ ପ୍ରଣାମ କଲି ପାଦତଳେ।

-"ଚିହ୍ନି ପାରୁଛ ମାଉସୀ..?" ପଚାରିଲି ତାଙ୍କୁ।

-"ନା..ରେ ପୁଅ। ଜାଣି ପାରୁନି। କିଏ କହିଲ...?" ମୋ ମୁହଁକୁ ନିରେଖି ଦେଖି ଉତ୍ତର ଦେଲେ ମାଉସୀ।

-"ଟିକେ ଚେଷ୍ଟା କର..।"

-"ନା.. ଜାଣି ପାରୁନି..।" ଆହୁରି ପାଖକୁ ଆସି ଦେଖି ମନାକଲେ ମାଉସୀ।

-"ମୁଁ ପା' ଟୁଲୁ..ତମ ଫୁଲ ନାନୀ ପୁଅ। କୁନିର ସାଙ୍ଗ..।"

ମୋ କଥା ସରିନି, ମାଉସୀ କୁଣ୍ଢେଇ ପକେଇଲେ ମୋତେ। ମୋ ଧନ...ମୋ ବାପା..କହି କାନ୍ଦିପକେଇଲେ। ମୋତେ ଟାଣି ଟାଣି ଘର ଭିତରକୁ ନେଇଗଲେ। ସମସ୍ତଙ୍କୁ ଡାକି କହିଲେ- "ଆରେ ଦେଖିବ ଆସ, ଟୁଲୁ ଆସିଛି..ଫୁଲନାନୀ ପୁଅ। ମୋ କୁନିର ସାଙ୍ଗ।" ବରଜୁ ଅଜାଙ୍କ ପୁଅ, ସନ୍ତମାମୁଁ, ମାଇଁ..ଇତ୍ୟାଦି ତାଙ୍କ ଘର ଲୋକ ଦେଖି ଖୁସି ହେଉଥିଲେ ମୋତେ।

ମୁଁ କିନ୍ତୁ ମନେ ମନେ ଖୋଜୁଥିଲି କୁନିକୁ। ମିନା ମାଉସୀଙ୍କ ସାଙ୍ଗରେ ମା'ଝିଅ ବୋଧେ ବୁଲିବାକୁ ଆସିଛନ୍ତି ମାମୁଁଘରକୁ। ହେଲେ କୁନି ଆସୁନଥିଲା। ଛାତ ଉପରକୁ ଯାଇଥିବ ବୋଧେ। ମୁଁ ବଡ଼ପାଟିରେ କଥା ହଉଥିଲି କାଳେ ଶୁଭିବ; କିଏ ବୋଲି ଆସିବ ତଳକୁ। ମୋ' ଧୈଚର୍ଯ୍ୟ ଧୀରେ ଧୀରେ ଚ୍ୟୁତ ହେଉଥିଲା। ଆଉ ରହିପାରିଲିନି।


-"ମାଉସୀ କୁନି? ଛାତ ଉପରେ ଅଛି କି?? ମୁଁ ଯାଉଛି ତାକୁ ଚମକେଇ ଦେବି।"କହିପକେଇଲି ଗୋଟେ ନିଃଶ୍ବାସରେ।

ମାଉସୀ କିଛି କହିବା ପୂର୍ବରୁ ଛୋଟ ଝିଅଟି କହିପକେଇଲା-"ମାମା ଯାଇଛି ଭଗବାନଙ୍କ ପାଖକୁ ମୋ ପାଇଁ ଡଲ୍ ଆଣିବାକୁ। ରାତିରେ ଆସିବ। ନା ଆଈ...??"

ହଠାତ ସମସ୍ତେ ଚୁପ ହେଇଗଲେ। ବିଷର୍ଣ୍ଣ ଦିଶିଲା ସମସ୍ତଙ୍କ ମୁହଁ। ମାଉସୀ ମୁହଁରେ ଲୁଗାକାନିଟାକୁ ଚାପି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ସେ କାନ୍ଦ ଆହୁରି ବଢ଼ିଲା। ମାଇଁ ତାଙ୍କୁ ଛାତିକୁ ଟାଣିନେଉଥିଲେ ଲୁହ ଛଳ ଛଳ ଆଖିରେ। ମୋ ପାଦତଳୁ ପୃଥିବୀ ଖସୁଥିଲା। କାନ୍ଦିବି କି ନାଇଁ ବୋଲି ପଚାରୁଥିଲି ନିଜକୁ। ଅଭିମାନ ସବୁ ବହିବେ ବହିବେ ହଉଥିଲେ। ମୁଁ ପଥର ପାଲଟୁଥିଲି ଭିତରୁ। ସଖୀ କଣ୍ଢେଇଟି ଖସି ପଡ଼ୁଥିଲା ଡୋର ଛିଣ୍ଡାଇ ମଞ୍ଚ ଉପରୁ ତଳକୁ। ମୁଁ କଣ୍ଢେଇ ହେବାକୁ ଚେଷ୍ଟା କରୁଥିଲି। ପୁଅ କଣ୍ଢେଇଟି ମଣିଷ ପାଲଟୁଥିଲା ଆସ୍ତେ ଆସ୍ତେ କରି ।





Rate this content
Log in

Similar oriya story from Tragedy