Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Fransis Satapathy

Drama

3  

Fransis Satapathy

Drama

ଦହିବରା ମସଲା

ଦହିବରା ମସଲା

6 mins
81


ହାଁ ଇଆଡ଼େ ଆସ, ଇଆଡ଼େ ଆସ। ଲାଗିଲା ଅଢ଼େଇଶ କୁ ପନ୍ଦର । ଅଢ଼େଇଶ କୁ ପନ୍ଦର ଦେଶୀ ବିଲାତି ।

ନାଲି କୋଶଳା ତିନି ବିଡ଼ା ଦଶ । ବେଇଗି ଆସ।

ଦେଶୀ ଭେଣ୍ଡି କିଲୋ ପଇଁତିରିଶ, ଅଢ଼େଇଶ ଦଶ; ଲାଗିଲା ଇଆଡ଼େ...।

କୃଷକ ବଜାରରେ ଗହଳି ଚହଳି ସାଙ୍ଗକୁ ଶୁଭୁଥାଏ ବେପାରୀମାନଙ୍କର ଏମିତିଆ କୌତୁକିଆ ବୋଲି। ଜାତିଜାତିକା ପରିବା ସହ ଭିନ୍ନ ଭିନ୍ନ ଲୋକମାନଙ୍କର ଯିବାଆସିବା ସରଗରମ କରୁଥାଏ ମାହୋଲକୁ। ହାଟୁଆ,ବାଟୁଆ, ଖଟିଖିଆ, ମଜୁରୀଆ, ବାରବୁଲା, ବାବୁ, ସାହେବ...ଯାହାକୁ ଖୋଜିବ ସେଇଠି। କେତେବେଳେ ପଇସାକୁ ନେଇ ବେପାର, ତ କେତେବେଳେ ବେପାରକୁ ନେଇ ପଇସା।

ହାଟରୁ ଟିକେ ଦୂରରେ ଠିକ୍ ରିଙ୍ଗରୋଡ଼କୁ ଲାଗିକି ଥାଏ ବୁଦ୍ଧିଆର ଦହିବରା ଠେଲା। ବୁଦ୍ଧିଆ ସମସ୍ତଙ୍କର 'ବୁଧିଆଇ' ଅର୍ଥାତ 'ବୁଦ୍ଧିଆ ଭାଇ'; ପାଞ୍ଚ ବର୍ଷର ପିଲାଠୁଁ ନେଇ ପଚାଶ ବର୍ଷର ଲୋକଙ୍କ ପର୍ଯ୍ୟନ୍ତ, ଯଦିଓ ତାକୁ ପଚାଶ ବର୍ଷ। ତାକୁ ଚିହ୍ନିଥିବା ବୟସ୍କମାନେ 'ବୁଦ୍ଧିଆ', 'ବୁଧିଆ', 'ବୁଧି', ତଥା 'ହେଇରେ', 'ହେଇବେ', 'ଓଏ' ବୋଲି ସମ୍ବୋଧନ କରନ୍ତି। ଏସବୁ ନାଁ ଗୁଡ଼ିକ ତା' ସହ ଜୋଡ଼ି ହୋଇଯାଇଛନ୍ତି ବିଗତ ତିରିଶ ବର୍ଷ ତଳୁ ଯେବେଠୁଁ ଦହିବରା ଆଳୁଦମ ବେପାରକୁ ନିଜର ଜୀବିକା ନିର୍ବାହର ପନ୍ଥା ରୂପେ ବାଛି ନେଇଥିଲା ସିଏ। ଟଙ୍କାଏରେ ଫୁଲପ୍ଲେଟ୍ ଦହିବରା ରୁ ଆରମ୍ଭ କରି ଆଜିକା ରେଟରେ ଫୁଲ୍ ଚାଳିଶ, ହାପ୍ ତିରିଶରେ ପହଁଚିଲାଣି ବେପାର ତା'ର । ଏ କଟିକିଆଙ୍କର ଦହିବରା ଆଳୁଦମ ପ୍ରେମ ଓ ତା' ବାପା ଗଲାପରେ ପରିବାରର ଭରଣପୋଷଣ ଦାୟିତ୍ୱ ତା' ହାତରେ ଧରେଇ ଦେଇଛି ଦହିବରା ଆଳୁଦମର ପସରା। ପ୍ରଥମେ ପ୍ରଥମେ ସାଇକେଲ ଧରି କଟକର ବାଉନ ବଜାର ତେପନ ଗଳି ବୁଲୁଥିଲା । ଏବେ ଠେଲାଟିଏ କରି ଏଇ ଜାଗାରେ ବସିଯାଉଛି ସକାଳ ଆଠରୁ ଦିନ ତିନି ସାଢ଼େତିନି ଯାଏଁ।

ବୁଦ୍ଧିଆର ବେଶଭୁଷା ବି ବଦଳି ଯାଇଛି ବିଗତ ତିରିଶ ବର୍ଷ ହେଲା। ଗୋଟିଏ ହାଫପ୍ୟାଣ୍ଟ, ହାଫସାର୍ଟ ନହେଲେ ଟି-ସାର୍ଟ, କାନ୍ଧରେ ଚାରି ଚଉତା ନାଲି ପୁରୀ ଗାମୁଛା ଗୋଟିଏ ୟୁନିଫର୍ମ ହୋଇଯାଇଛି ତା'ର । ପ୍ରଥମେ ପ୍ରଥମେ ବୁଲି ବେପାର କଲାବେଳେ ଗରାଖ ଜମେଇବାକୁ ଷ୍ଟିଲ ଚାମୁଚରେ ଡେକଚିକୁ ବାଡ଼େଇ ନିଆରା ଢଙ୍ଗରେ 'ଦ.... ହିବରା..ଳୁଦମ୍' ଡାକିବାକୁ ପଡୁଥିଲା ତାକୁ। ଆଜିକାଲି କିନ୍ତୁ ସେସବୁ କରିବାକୁ ପଡ଼ୁନି। କଟକ ଦହିବରା ଆଳୁଦମ ମାର୍କେଟରେ ବୁଦ୍ଧିଆ ଗୋଟେ ପରିଚିତ ନାମ ଏବେ। ଗୋଟେ ବ୍ରାଣ୍ଡେଡ଼୍ ଦହିବରା ବେପାରୀ ସେ।

×××

ସେଦିନ ଟୁନିବୋଉ ଏଗାରଟା ବେଳକୁ ଆସି ପହଁଚିଲା ବୁଦ୍ଧିଆ କତିରେ। ତା' ଦିହ ଦେଖେଇବାକୁ ସିଟିହସ୍ପିଟାଲ ଯିବାର ଥିଲା। ଟୁନିବୋଉ ର ନାଁ 'ଶାନ୍ତି' ଥିଲା ତା' ପିଲାବେଳୁ ବୁଦ୍ଧିଆକୁ ବାହା ହେବାର ବର୍ଷେ ପର୍ଯ୍ୟନ୍ତ। ହେଲେ ବଡ଼ ଝିଅ ଟୁନି ଜନ୍ମ ହେଲା ପରେ ଘରେ ବାହାରେ, ସାଇପଡ଼ିଶାରେ 'ଟୁନିବୋଉ'ର ଆଖ୍ୟା ପାଇଗଲା ସେ। ବୁଦ୍ଧିଆ ବି ଅଭ୍ୟାସଗତ ଭାବରେ ଶାନ୍ତିକୁ 'ଟୁନିବୋଉ' ବୋଲି ଡାକେ ସବୁବେଳେ। କୋଉ ଅକାଳେ ସକାଳେ ଥରେ ତା' ପାଟିରୁ 'ଶାନ୍ତି' ବୋଲି ବାହାରେ।

ବୁଦ୍ଧିଆ-ଏଇନା କୁଆଡ଼େ ଅଇଲୁ?

ଟୁନିବୋଉ-କୁଆଡ଼େ ବୋଲେ? ମେଡିକଲ ଯିଆ ପା' ? ଭୁଲି ଗଲଣି କି? ଏ ଗୋଡ଼ ଟା ଉଠେଇ ହଉନି ଆଉ।

-ଆଲୋ ମିଟୁ (ତା' ସାନ ପୁଅ) ସାଥିରେ ଗଲୁନିଭାରି?

-ସିଏ କହିଲା ତା'ର କୋଉ କାମ ଅଛି। ତମ ସାଥିରେ ଯିବା ପାଇଁ।

-ହଁ..ବାବା ତ ଏଇଠି ବଇଚି ନା...! କୋଉ କାମଟା ହବନି ତା' ଦେହି। ଶ' କୋଢ଼ିଆ କୋଉଠିକାର।

-ତେମେ ଯାଇପାରିବନି ଯଦି ଥାଉ। ମୁଁ ନିଜେ ପଳଉଚି। ନହେଲେ ଘରକୁ ପଳଉଚି। ପଛରେ ଯିବା । ଏଠି ଏମିତି ଗରାକଙ୍କ ସାମନାରେ ହାଉ ହାଉ ହ'ନି । ମୁହଁକୁ ପଛଆଡ଼େ ଟିକେ ହାଲକା ଛିଞ୍ଚାଡ଼ି କହିଲା ଟୁନିବୋଉ।

-ସେ ବେକାର କଥାଗେରାକ କହନି, ବୁଝିଲୁ? ବେପାର ଟାଇମି । ସେ ଟିକେ ମେତେ ସାହାଯ୍ୟ କଲେ ହ'ନ୍ତାନେଇ? ପାଠ ତ ହେଲାନେଇ, ସେଇ ସାଇ ଟୋକାଙ୍କ ସାଂଗେରେ ମସ୍ତି କରି ମିଳୁଛି କ'ଣ? ଆଉରି ଚାରିଶ' ଟଙ୍କାର ମାଲ୍ ଅଛି। ଆମେ ଅବି କ'ଣ ଯାଇପାରିବ। ହଉ ତୁ ବସ, ଦେଖିବା..।

ସେମାନଙ୍କ କଥା ଶୁଣି ଦହିବରା ଖାଉଥିବା ଦି' ତିନିଟା କଲେଜ ଛୁଆ ହସିଦେଲେ ଟିକେ। ତାଙ୍କ ଭିତରୁ ଜଣେ କହିଲା-କ'ଣ ବୁଧିଆଇ ଭାଉଜଙ୍କ ମନଦୁଃଖ କରିଦେଲ?

ଆଉ ଜଣେ ଟିକେ ରଙ୍ଗ ହୋଇ କହି ପକେଇଲା-ଛାଡ଼ ଯାହାହେଲା, ଏବେ ଟିକେ ପ୍ରେମ୍ ରେ ମନେଇ ଦିଅ....। ସମସ୍ତେ ହସି ଉଠିଲେ।

ବୁଦ୍ଧିଆ ତା' ଚିରାଚରିତ କଟକିଆ ଷ୍ଟାଇଲ୍ ରେ ପାନଖିଆ ଦାନ୍ତକୁ ଦେଖେଇ କହିଲା-ପ୍ରେମ୍..! ଏବେ ତମର ହୁଲୁହୁଲିଆ ବୟସ, ସୁଲୁସୁଲିଆ ମନ ତ...; ତମଠୁଁ ପ୍ରେମ ବୋହୁଚ । ଥରେ ବାହା ହେଇ ବା' ହେଇଯା', ହେଇ ଅନେଇଲ ପ୍ରେମ ଧାର ଧାର ହେଇ ଆଖିରୁ ବାହାରିବ। ଶଶୁର, ପଛ ଯଦି ଇଣ୍ଡିକେଟର ନହେଲ, ମୋ ନାଁରେ କୁତ୍ତା ପୋଷିବ ।

-କାଇଁ ତମେ ତ ଖୁବ୍ ଖୁସିରେ ଅଛ। ତମଠି ତ କାଇଁ ଇଣ୍ଡିକେଟର ଦେଖୁନ ଆମେ ? ଭାଉଜ କ'ଣ ପ୍ରେମ କରୁନାହାନ୍ତି ତମକୁ ? ଶ' ତତା ଖରାରେ ଦେଖାକରିବାକୁ ଚାଲି ଆସିଛନ୍ତି ପା' ! ତମେ ଟିକେ ରୋମାଣ୍ଟିକ ହବ ନା ଆ...ଉ ? ଖେଳ...ଅ !! ସେମାନଙ୍କ ଭିତରୁ ଜଣେ ଆଖିମାରି କହିଲା। ସମସ୍ତେ ହସି ଉଠିଲେ ପୁଣି।

-ରୋମାଣ୍ଟିକି..! ୟା'ପ ଖଟି ଖଟି ପେଟ ପିଠି ନାଗି ଗଲଣି, ମୁଣ୍ଡ ବାଳ ଧଳା ହେଲଣି...କହିଲା ରୋମାଣ୍ଟିକି...!

ଟୁନିବୋଉ ଆଂଶିକ ବିରକ୍ତ ହୋଇ କହିଲା-ଏ ପିଲାମାନେ କ'ଣ ତମ ସାଙ୍ଗ? ଏମିତି ବାଜେ କଥାଗେରା କହୁଚ ସରମ ନାଗୁନି??

ବୁଦ୍ଧିଆ ହସି ହସି କହିଲା-ଆଲୋ ସରମ ନାଗିବ କିଆଁ? ଆମେ କ'ଣ ମିଛ କହିଲ??ସେମାନଙ୍କୁ ଏମିତିଆ କଥା ଭଲ ନାଗେ ପା'। ଆମର ସବୁ ଚଳେ।

-ଛି.. ଛି..। ଟୁନିବୋଉ ମୁହଁକୁ ମୋଡ଼ି କହିଲା ।

ସେ ପିଲାମାନେ ପଇସା ଦେଇ ଚାଲିଗଲେ।

×××

ଟୁନିବୋଉ ଉଠି ଆସି ପାଣି ବୋତଲଟା ନେଇ ପାଣି ପିଇଲା।

-ଆଲୋ ଖାଇକି ଆଇଚୁ ଟି..?

-ଚୁଡ଼ା ଖାଇଥେଲି ଆଠଟାରେ। ଆଉ ଖାଇନେଇଁ।

- ହଉ ଆ'। ଟିକେ ଦହିବରା ଖାଇଦେ'।

ଟୁନିବୋଉ ପ୍ଲେଟରେ ନିଜ ପାଇଁ ଦହିବରା ଆଲୁଦମ ବାଢ଼ି ନେଲା।

-ତେମେ ଖାଇବନେଇଁ?

-ନା... ଅବି ଖାଇଥେଲ। ତୁ ଖାଇନେ। ଆଉ ଘଣ୍ଟାଏ ପରେ ଯିଆ ।

-ଦେଖ । ନହେଲେ ମୁଁ ଏକା ଚାଲିଯିବିନି ?

-ନା.. ମ..! ଏକା କେମିତି ଯିବୁ?

ଗୋଟେ କାର ଆସି ରହିଲା ପାଖରେ । ତା' ଭିତରୁ ଓହ୍ଲେଇ ପଡ଼ିଲେ ପଚାଶ/ପଞ୍ଚାବନ ବର୍ଷର ଲୋକ ଜଣେ। ଦେଖିବାକୁ ଖାନଦାନୀ ଭଳି ଦିଶୁଥା'ନ୍ତି।

ପଚାରିଲେ-ଆରେ ଅଛି ତ?

ବୁଦ୍ଧିଆ-ଆଜ୍ଞା।

-ଦେଲୁ।

-ବାବୁ କେତେ ଦେବି ; ହାପ୍ ନା ଫୁଲ୍ ?

-ନା..ମ..। ଦି'ତିନିଟା ଖାଇବାକୁ ଦେ'।

-ହାପ୍ ଦେଇ ଦଉଚି ତାହେଲେ?

-କାଇଁ? ତତେ ପା' କହିଲି ଦି'ତିନିଟା । ଟିକେ ବିରକ୍ତ ହୋଇ କହିଲେ ସେ ଲୋକ କଣକ।

ବୁଦ୍ଧିଆ- ନାଇଁ ବାବୁ ସେମିତିଆ ସିଷ୍ଟମ ନାଇଁ । ଚାରିଟା ବରାରେ ତ ହାପ୍ ।

-ଆଚ୍ଛା..! ଫୁଲ୍ ପ୍ଲେଟରେ?

-ଛ'ଟା ।

-ଫୁଲ୍ କେତେ ନଉଚୁ?

-ଚାଳିଶ। ହାପ୍ ତିରିଶ।

-କାଇଁ? ଫୁଲ୍ ତ ଚାଳିଶ, ହାପ୍ କେମିତି ତିରିଶ ହେଲା କିରେ? କେତେ ଠକୁଚୁ ? ଗଲା ବେଳେ ନେଇକି ଯିବୁ ?

- ଠକିଲ କୋଉଠି? ମାର୍କେଟରେ ତ ସେୟା ଚାଲିଚି ବର୍ଷେ ହେଲା; ଆମେ କ'ଣ ଏକା ନଉଚ? ବରା ଗୋଟା ପାଞ୍ଚ, ଫୁଲରେ ଛ'ଟାକୁ ତିରିଶ ଆଉ ଘୁଗୁନି ଆଲୁଦମ ଦଶ। ସେଓ, ପିଆଜ ଧନିଆପତ୍ର ପଇସା ରଖୁନ ଆମେ। ସେକେଣ୍ଡ ଟାଇମ ଘୁଗୁନି ଆଲୁଦମ ଫ୍ରି ଦଉଚ। ହାପ୍ ରେ ଚାରିଟା ବରାକୁ କୋଡ଼ିଏ ଆଉ ବାକି ସବୁ ସମାନ। ବେଶି ନେଲ କୋଉଠି?

-ମୁଁ ବେଶି କମ ନେବା କଥା କହିଛି ତତେ? ତୁ ଅଧିକ କଥା କାହିଁକି କହୁଚୁ ?

ଟୁନିବୋଉକୁ ତାଙ୍କ ରାଇଁଠାଇଁ କଥାଗୁଡ଼ା ଭଲ ଲାଗୁ ନଥାଏ ଜମା। ସ୍ତ୍ରୀ ଆଗରେ ତା' ସ୍ୱାମୀକୁ ଅସମ୍ମାନ କଲେ କୋଉ ଭଲ ଲାଗିବ ଯେ...? ଚୁପ ହୋଇ ଚାହିଁଥାଏ ବୁଦ୍ଧିଆକୁ ସିଏ । ଲୋକଟାକୁ କ'ଣ ନା କ'ଣ ବକି ଦେବାକୁ ଇଚ୍ଛା ହଉଥାଏ ତା'ର ।କେଡ଼େ ବାଜେ ଲୋକଟା ! କଥାବାର୍ତ୍ତା ଠିକ୍ ନାଇଁ । ଯୋଗଣୀଖିଆ ନାଟସାହାଵ ତ..!

ବୁଦ୍ଧିଆ- ଆମେ ଅଧିକ କଥା କୋଉଠି କହିଲ ସାରେ..? ଯାହା ଭାଉ ଚାଲିଚି ନା....।

-ହଉ ବେଶି ଆଉ ଗପନା । ମୋ ଘର ବାହାରେ ନୁହଁ, ଖୋଦ ମାଣିକଘୋଷ ବଜାରରେ। କୋଉ ଜିନିଷର ଦାମ କେତେ ମୋତେ ମାଲୁମ । କହିଲା କ'ଣ ନା ଭାଉ ଚାଲିଚି। ସବୁଠି ପ୍ଲେଟ ତିରିଶ ଆଉ ହାପ କୋଡ଼ିଏ ଟଙ୍କା। ହାପ୍ ପ୍ଲେଟ ଦେ, କୋଡ଼ିଏ ନବୁ। ରାଗ ଟିକେ ବେଶିକରି ପକେଇବୁ।

-ହବନି ବାବୁ। ଆମର ଏଠି ମୂଲଚାଲ ନାହିଁ। ଫିକ୍ସ ରେଟ ।

-ହବନି ମାନେ ? ତତେ କହିଲି ପରା?

-ଆମର ଗୋଟିଏ ରେଟ। ସମସ୍ତଙ୍କ ପାଇଁ। ଆପଣଙ୍କୁ ପୋଷେଇଲେ ଖାଇବେ, ନହେଲେ ନାଇଁ। କଥା ଏପଟ ସେପଟ କରନ୍ତୁନି।

-କଥା ଏପଟ ସେପଟ ମାନେ? ତୁ ତ ବେଶି କଥା କହୁଚୁ ରେ। ମତେ ଚିହ୍ନିଚୁ? ତୋ' ବେପାର ବନ୍ଦ କରେଇଦେବି।

-ବାବୁ ତିରିଶ ବର୍ଷ ହେଇଗଲା। ଆମେ ତମ ଭଳିଆ କେତେ ଦେଖିଚ, କେତେ ଶୁଣିଚ; ବୁଝିଲ? ବେପାର ଟାଇମ । ମୁଣ୍ଡ ଟେନସନ କରାନି । ତେମେ ଗଲ, ଯୋଉଠି ସୁବିଧା ଖାଇବ। ଦହିବରା ଦି'ଚାରିଟା ଖାଇବ ଯେ, ଏତେ ତାମସା..! ମୁଁ ଦେବିନି ତମକୁ । ତମ ଭଳିଆ ଗରାକ ଦରକାର ନାଇଁ ।

-କ'ଣବେ ଧମକ ଦଉଚୁ? ଦେଖିବୁ? ଶ' ଛୋଟଲୋକ।

ଆଉ ସହି ପାରିଲାନି ଟୁନିବୋଉ। ମୁଣ୍ଡ ଓଢ଼ଣାକୁ ହାତରେ ଭିଡ଼ି ଧରି କହିଲା-ତେମେ ବେଶି କଥା କହନି ବାବୁ। ସିଏ କିଛି କହୁନାହାନ୍ତି ବୋଲି ନା କ'ଣ ?

ବୁଦ୍ଧିଆ-ତୁ ପାଟି କରନା ।

-ମୁଁ ଦେଖିବି ତୁ କେମିତି ବେପାର କରିବୁ..? ସେ ଲୋକଜଣକ ଆଙ୍ଗୁଠି ଦେଖେଇ କହିଲେ ବୁଦ୍ଧିଆକୁ।

-ହଁ..ହଁ...ତେମେ ଯାହା କରିବ କର। ଏଠି ଗହଳି କରନା..।

ସେ ଲୋକଜଣକ ଚିଡ଼ି ଚିଡ଼ି ହୋଇ ଚାଲିଗଲେ। ପାଖାପାଖି ଲୋକ ସବୁ ଦେଖୁଥା'ନ୍ତି । ବୁଦ୍ଧିଆ ମୁହଁ ଲାଲ ପଡ଼ିଯାଇଥାଏ। ଖରାର ତାତି ଅପେକ୍ଷା ଅଯଥା କଳହ ପରିସ୍ଥିତି ବିରକ୍ତ କରୁଥାଏ ତାକୁ। ମୁହଁ ଧୋଇ ପାଣିମୁନ୍ଦେ ପିଇଲା ।

ଗାମୁଛାରେ ମୁହଁ ପୋଛୁଚି ଟୁନିବୋଉ ମୁହଁ ଶୁଖେଇ କହିଲା-କେଡ଼େ ବାଜେ ଲୋକଟା ! ଅଯଥାଟାରେ କେତେ କ'ଣ କହିଗଲା । ବାଡ଼ିଖିଆ କହୁଚି ଛୋଟଲୋକ। ତୁ ଏମିତି ବଡ଼ଲୋକଟା ! ବେବହାର ଶିଖିନୁ । ତେମେ ଆପଣ କହୁଚ, ସିଏ ତୁ ତା କରୁଚି। ପଇସା ନାଇଁ ତ ଖାଇବାକୁ କିଆଁ ମନ ? ଧରମ ସହିବନି ସେଇଟାକୁ । ତେମେ ବି କିଛି କହିଲନି । ସହି ଗଲ। ଦେଲନି ଚାମଚରେ ପାହାରେ । ରହ ମୁଁ ମିଟୁକୁ ଫୁନ କରେ। ପଇସା ଅଛି ବୋଲି ଯାଚ୍ଛାତା କହିବ?

-ଆଉ କ'ଣ ତା' ସହ ନଢ଼େଇ କରିଥା'ନ୍ତ? ବେପାର କଲେ ଏମିତି ଭଉତ ଜିନିଷ ସହିବାକୁ ପଡ଼େ।

-ତା' ବୋଲି କ'ଣ ଯିଏ ଯା' କହିବ ଶୁଣିବ। ମୁଣ୍ଡ ବିକିଚ ତେମେ..?

-ତୁ ଆଜି ଦେଖିଲୁ ବୋଲି କହୁଚୁ। ତିରିଶ ବର୍ଷ ହେଲା ରୋଜ ଏମିତି ଘଟଣା ଘଟେ। କେତେ କିସମର ଗରାକ ଆସ । କିଏ ଭାଇ ଭାଇ ଡାକି ଆଦର କର, କିଏ ମା'ଭଉଣୀ ଗାଳି କର। ଆମେ ବି ଲୋକ ଦେଖି ବେବହାର ଦେଖାଅ । ବୁଝିଲୁ? ସେତିକି ଶୁଣି ହଜମ କରିଚ ବୋଲି ତୁମ ପେଟକୁ ଦାନା, ପଛକୁ କନା ଦେଇପାରିଲ। ନହେଲେ ଭିକ ମାଗିଥା'ନ୍ତ ଆମେ। ତୁମମାନଙ୍କ ପେଟପୋଷିବାକୁ, ଦହିବରା ଆଲୁଦମ ସହ ନିଜେ ବିକିହେଇଯାଇଚ ପା' ଆମେ। ଧରିନେ ଦହିବରା ସହ ଆଉ ଗୋଟେ ମସଲା ଭଳିଆ। ସେଥିପାଇଁ ବୁଦ୍ଧିଆ ଦହିବରା ପା' କଟକରେ ନାଁ କରିଚ ।' ଟିକେ ଉଦାସ ହୋଇ କହିଲା ବୁଦ୍ଧିଆ।

-ତେମେ ନିଜକୁ ବିକିପାର। ତମକୁ ଏମିତି କିଏ କହିଲେ ଆମେ ସହିପାରିବୁ? ଦରକାର ନାଇଁ ଆମର ପଇସା। ତମ ସନମାନ ଆମ ପାଇଁ ବଡ଼ । ତେମେ ଖାଇପିଇ ଘରେ ବସିଲ । ତମର ଦି' ପୁଅ ଏବେ ପାରିବାର ହେଲଣି। ଆମର ଆଉ ପଇସା କ'ଣ ହବ? ବହୁତ ମେହେନତ କରିଚ ଜୀବନରେ। ଆଉ ଦରକାର ନାଇଁ। ଆଖି ଛଳଛଳ କରି କହିଲା ଟୁନିବୋଉ।

-ସନମାନ? ଦହିବରା ହାଣ୍ଡି ବୋହିଲା ଦିନଠାରୁ ପା' ସନମାନ କୁ ଓହ୍ଲେଇ ଘରେ ରଖି ଦେଇଚ। ଏଠି ଯାହାକୁ ଦେଖୁଚୁ, ସେ ଦହିବରାବାଲା, ଏଇଟା ହିଁ ତା' ପରିଚୟ । ହଉ ଛାଡ଼ । ବେକାର କଥାଗେରା । ମୁହଁରେ ମିଛ ହସଧାରେ ଖେଳେଇ କହିଲା ବୁଦ୍ଧିଆ। ହେଲେ ଟୁନିବୋଉ ଲକ୍ଷ୍ୟ କରିପାରୁଥିଲା ତା' ଆଖିକୋଣରେ ଜକେଇ ରହିଥିବା ଲୁହକୁ।

ବୁଦ୍ଧିଆ-ଆଉ ଖାଇବୁ?

ଟୁନିବୋଉ ପଛପଟକୁ ମୁହଁକରି କାନିରେ ଲୁହ ପୋଛୁ ପୋଛୁ କଣ୍ଠ ଥରେଇ କହିଲା-ନା.... ଇଁ।

-ହଉ। ତୁ ପାଣି ପିଇ ବସିଥା। ଯଦି ପାରିବୁ ସେ କଳରୁ ପାଣି ବାଲଟିଟେ ନେଇ ଆସିବୁ। ଆଉ ଟିକେ ପରେ ମେଡିକଲ ଯିବା।

ସେ କଥା ହେବା ବେଳେ ଦୁଇଜଣ ପୁଅଝିଅ ଆସି ପହଁଚିଲେ। ନୂଆ ଗରାଖ । ପୁଅ ଜଣକ ପଚାରିଲା-ଭାଇ...ହବ?

-ହଁ। ହାପ୍ ନା ଫୁଲ୍....?


               


Rate this content
Log in

More oriya story from Fransis Satapathy

Similar oriya story from Drama