Fransis Satapathy

Drama

4.0  

Fransis Satapathy

Drama

ଲକ ଡାଉନ

ଲକ ଡାଉନ

8 mins
80


-" ଓଁ ବିଷ୍ଣୁ ର୍ବିଷ୍ଣୁ ର୍ବିଷ୍ଣୁ ଶୁକ୍ଲାମ୍ବରଧରଂ ବିଷ୍ଣୁଂ ଶଶିବର୍ଣ୍ଣ ଚତୁର୍ଭୁଜମ।


କପଡ଼ା ବ୍ୟାଗ ଭିତରୁ ପୁରୁଣା ନୋକିଆ ୧୬୦୦ ଫୋନର ରିଂ ରେ ଅନ୍ୟମନସ୍କ ହେଲେ ବିଶୁ ନନା। ମନ୍ତ୍ର ପଢ଼ୁ ପଢ଼ୁ ଫୋନ କାଢ଼ି ଦେଖିଲେ ତାଙ୍କ ସ୍ତ୍ରୀ ଲତାଙ୍କର। ଚିଡ଼ି ଚିଡ଼ି ହୋଇ ରଖିଦେଲେ।


-"ପ୍ରସନ୍ନବଦନଂ ଧ୍ୟାୟେତ୍ ସର୍ଵବିଘ୍ନୋପଶାନ୍ତୟେ ।।

ବାବୁ ଆଞ୍ଜୁଳାରେ ଫୁଲ ଧର।" ଯଜମାନଙ୍କ ଉଦ୍ଦେଶ୍ୟରେ କହିଲେ ।


ପୁଣି ଫୋନ ରିଂ ହେଲା। ସେଥିରେ ଧ୍ୟାନ ନଦେଇ ପୂଜା କରିବାକୁ ଯାଉଥିଲେ ତ ଯଜମାନ କହିଲେ - "ନନା ଘରୁ ଫୋନ ତ..? ଉଠେଇ ଦିଅନ୍ତୁ। ଅର୍ଜେଂଟ ଥିବ ବୋଧେ। ଦି'ଥର କଲ କଲେଣି ଭାଉଜ।"


-"ନାଇଁ ମ ବାବୁ। ମାଇକିନାଙ୍କ କଥା ଜାଣିନ? କିଛି କାମ ନଥିବ। ଅଯଥାରେ ଫୁନ। କୋଉଠି ଅଛ? କେତେବେଳେ ଆସିବ? ଏଇଟା ନାହିଁ, ସେଇଟା ନାହିଁ..ବେକାର କଥା।" କହି କହି ଫୋନ ଉଠାଇଲେ ନନା ।


-"ହାଲୁ... କିଆଁ ଫୁନ କରୁଚୁ? ଜାଣିନୁ ପୂଜାରେ ଅଛି?"


-"ମଲା ମଲା..। କାମ ଅଛି ବୋଲି କଲି ନା...! ଏନ୍ତି ଚିଡ଼ି ଚିଡ଼ି ହଉଚ କିଆଁ ବା?"


-"ଚ୍..ଚୁ.. କଣ କହୁଚୁ କହ। ଟାଇମି ନାଇଁ।"


-"ଝୁନି ଡାକ୍ତରଖାନାରେ....ତା' ଡେଲିଭରି ଟାଇମି ହେଲାଣି....ଡାକ୍ତର କହୁଛନ୍ତି କାଲି କି ପଅରିଦିନ କଣ ଅପରସନ ହେଇ ଛୁଆ ହବ। ଦଶହଜାର ଟଙ୍କା ଦରକାର ବୋଲି ଜୁଆଇଁ ଫୁନ କରିଥିଲେ।"


-"ହଉ ମୁଁ ଯାଏ। ତୁ ରଖେ।" ଟିକେ ଚିନ୍ତିତ ହେଇ ଫୋନ ରଖିଲେ ବିଶୁ ନନା।


-"କଣ ହେଲା ନନା? ସବୁ ଠିକ୍ ତ?"


-"ହଁ ବାବୁ। ମୋ ଝିଅର ପିଲାପିଲି ହେବ ତ.. ସେଥିପାଇଁ ଫୁନ କରିଥିଲା..। ହଉ ଏ ପାତ୍ରୀରେ ପାଣି ଧର।"

               ×××


ଏ ଲକ ଡାଉନ ସମୟରେ କାଲି ଭିତରେ ଦଶହଜାର ଟଙ୍କା ଯୋଗାଡ଼ କରିବା ବିଶୁ ନନାଙ୍କ ପାଇଁ କଷ୍ଟକର ଥିଲା ନିଶ୍ଚୟ। ଦୁଇମାସ ହେଲା ପୂଜାପୁଜି ବନ୍ଦ। ସେଇଟା ହିଁ ତାଙ୍କ ବଞ୍ଚିବାର ଏକମାତ୍ର ମାଧ୍ୟମ।


ବଡ଼ ଝିଅ ଝୁନି ବାହାଘର ବେଳେ କରିଥିବା ଧାର ସୁଝିବା, ପ୍ଳସ ଟୁ ସାଇନ୍ସ ପଢ଼ୁଥିବା ସାନଝିଅ କୁନିର ସ୍କୁଲ ଆଉ ଟ୍ୟୁସନ ଫି, ଲତାଙ୍କର ଡାଇବେଟିସ ମେଡିସିନ ଓ ନିଜର ଶ୍ବାସ ପାଇଁ ଔଷଧ କିଣିସାରିଲା ବେଳକୁ ହାତରେ କିଛି ନଥାଏ ଆଉ। ତା' ବାଦେ ଯାନିଯଉତୁକ, ବାହାପୁଆଣି, ବେଭାର ବନ୍ଦାଣ, ସାବିତ୍ରୀ, ରଜ ଆଦିର ଅଲଗା ଖର୍ଚ୍ଚ ଅଛି। ସେଇ ପୂଜାପୁଜିରୁ ସବୁ।


ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ବାପାଙ୍କୁ ହରେଇଥିଲେ ବିଶୁ ନନା । ବିଧବା ମା', ଉପରେ ତିନି ଅଭିଆଡ଼ି ଭଉଣୀ, ତଳେ ସାନ ଭାଇ — ଏ ସମସ୍ତଙ୍କର ବୋଝ ବୋହିବାକୁ କାନ୍ଧରୁ ଵହି ବସ୍ତାନୀ ଓହ୍ଲେଇ ମୂଲିଆ ମଜୁରିଆର ଝୁଲା ମୁଣି ପକେଇବାକୁ ପଡ଼ିଥିଲା ତାଙ୍କୁ। ତା' ପରେ ଜେଜେ ହିସାବ ହେବା ଗାଁର ମଧୁ ତିଆଡ଼ି ପୁରୋହିତ କାମ ଶିଖିବାକୁ ପରାମର୍ଶ ଦେଲେ ତାଙ୍କୁ। ବୁଢ଼ାର ତାଗିଦା- ବ୍ରାହ୍ମଣ ପିଲା, ମୁଲ ଲାଗିବ କଣ? କାନ୍ଧରେ ନାଲି ମୁଗେଇ ଖଣ୍ଡେ ପଡ଼ିଥିଲେ ପେଟ ଅପୋଷା ରହିବନି। ବାସ, ସେତିକି । ସେଇ ତିଆଡ଼ିଏ ହୋଇଯାଇଥିଲେ ଗୁରୁ, ବାପା, ଭଗବାନ ସବୁକିଛି ବିଶୁ ନନାଙ୍କ ପାଇଁ। ତାଙ୍କ ସାଥିରେ ବୁଲି ଶିଖିଗଲେ ସବୁ। ଧୀରେ ଧୀରେ ଏକୁଟିଆ କାମ କରି ଖୁବ୍ ସୁନାମ ଅର୍ଜିଲେ ସେ। ଲତା ହେଉଛନ୍ତି ସେଇ ମଧୁ ତିଆଡ଼ିଙ୍କ ମଝିଆ ଝିଅ ଅନ୍ନପୂର୍ଣ୍ଣାଙ୍କ ଝିଆରୀ। ବିଶୁନନାଙ୍କ ପାଇଁ ଭାଗ୍ୟଲକ୍ଷ୍ମୀ। ହାତଧରିଲା ଦିନଠାରୁ ବିଶୁ ନନା ଆଉ ପଛକୁ ଫେରି ନାହାନ୍ତି କେବେ।


ଏ ଲକଡାଉନ କିନ୍ତୁ ଆଣ୍ଠେଇ ଦେଇଚି ବିଶୁ ନନାଙ୍କୁ। ବୟସ ଘୋଡ଼ିଘାଡ଼ି ହୋଇ କାନ୍ଧରେ ସବାର ହେଲା ବେଳକୁ ଏ ଲକ୍ଷ୍ମୀଛଡ଼ା ପରିସ୍ଥିତି ବୟସ ଉପରେ ବି ସବାର ହୋଇ ବସିଯାଇଛି ନିର୍ଦୟ ହୋଇ। ରୋଜଗାର ଠପ, ଖଟିବାକୁ ବି ସବୁ ବାଟ ଚୁଣ୍ଟା ଦିଆ। ନିଜ ସ୍ୱଳ୍ପ ଜ୍ଞାନରେ ଅକାଳେ ସକାଳେ ପାଞ୍ଜିଟିକେ ଦେଖିଦେଲେ ଦୁଇପଇସା ମିଳୁଥିଲା। ଲତା ସେଇ ପଇସାକୁ ଉପୁରି କହି ନେଇଯାଇ ସୁଧ ଲଗାନ୍ତି। ବେସ କିଛି ଆସିଯାଏ ସେଥିରୁ। ଏ ନିଆଁ ଲଗା ବେଳରେ ସେତକ ବି ବନ୍ଦ।


ଲକ ଡାଉନ ପାଇଁ ସବୁଠି ତାଟି କବାଟ। ଚାରିଆଡ଼େ ପୁଲିସ କଟକଣା। ଯଜମାନମାନେ ପୂଜା ପାଇଁ ସେତେଟା ଆଗ୍ରହୀ ନୁହନ୍ତି। ବିଶୁ ନନାଙ୍କୁ ବି ବାଷଠି ବର୍ଷ। ତେଣୁ କରୋନା ହେବାର ଚାନ୍ସ ବେଶି।


ଜୀବନ ରହିଲେ ସିନା ରୋଜଗାର..! ହେଲେ ରୋଜଗାର ବିନା ଜୀବନ ଯେ ବୋଝ। କରୋନା ହଉ କି ଫରୋନା ଘରେ ଖାଇବାକୁ ନଥିଲେ ସବୁ ସମାନ। 


ତେଣୁ ଲୁଚି ଲୁଚି ଦି' ଚାରିଟା ବଡ଼ ଲୋକଙ୍କ ପୂଜା କରି ଦେଇଛନ୍ତି ସେ। ଟଙ୍କା କୋଡ଼ିଏ ହଜାର ରୋଜଗାର ହେଇଥିଲା। ହେଲେ ସିଏ ଖର୍ଚ୍ଚ ହେଇ ଧାର ହେଲାଣି ଆଉ ପାଞ୍ଚ ହଜାର। ତେଲ ପୋଡ଼ିବ ବୋଲି ସ୍କୁଟିଟି ବି ଚଲାଉ ନାହାନ୍ତି ଆଉ। ତତା ଖରାରେ ସାଇକେଲ ପେଲି ଯିବାଆସିବା କରୁଛନ୍ତି ଦରକାର ହେଲେ। 


                ×××


ଲତା-"କିଛି ଯୋଗାଡ଼ ହେଲା? ପୂଜାରୁ କେତେ ଆଣିଲ?"


-"ହଜାରେ।"


-"ଆଉ ବାକି ନ' ହଜାର କଥା କଣ କରିବ? କୁନି ବି କହୁଥିଲା ତାଙ୍କ ଟିଉସନ ସାରେ ପଇସା ମାଗୁଥିଲେ।"


-"ଆରେ ଲକ ଡାଉନ ପାଇଁ ପ୍ରା କେହି ପଇସା ନେବେନି? ଆଉ ତାଙ୍କ ସାରେ କଁ ମାଗୁଛନ୍ତି?"


-"ହଁ ସିଏ ତମ କକାପୁଅ ଭାଇ ତ... ନବନି। ପଇସା କିଏ ଛାଡ଼ିଚି ନା ଛାଡ଼ିବ!" ମୁହଁ ମୋଡ଼ି କହିଲେ ଲତା।


-"ଶୁଣେ ଏନ୍ତି ଛାଉଲେଇ ହେଇ କଥା କହନି କହୁଚି। ଶୁଣିବୁ ପଦିକିଆ। ଯା' ଏଠୁ। ମୋ ପାଇଁ ପାଣି ମୁନ୍ଦେ ଆଣେ। ମୁଁ ଦେଖେ କୋଉଠୁ ଯୋଗାଡ଼ ହବ।"


-"ଖାଇବନି?"


-"ନାଇଁ। ସେ ଯଜମାନଙ୍କ ଘରେ ଖାଇଥିଲି।"


               ×××


ଧୁ ଧୁ ଖରା। ଇଆଡ଼େ ହୋମ ନିଆଁ ପାଖରେ ବସି ଦେହ ତାତି ଯାଇଛି। ଖାଲି ପିଣ୍ଡାରେ ଗାମୁଛାଟା ପକେଇ ଟିକେ ଗଡ଼ି ପଡ଼ିଛନ୍ତି ନନା। ମୁଣ୍ଡରେ ପଇସା ଚିନ୍ତା। ଏଇ ସମୟରେ କାହାକୁ କହିବେ? ଯେଉଁମାନେ ଦେଇଥିଲେ, ସେମାନେ ଆଉ କଣ ଦେବେ? ଲତା ତାଙ୍କ ସୁଧ ଟଙ୍କାରେ ହାତ ମରେଇ ଦେବେନି। କହିବେ 'ବେପାରରେ ସ୍ନେହ ସମ୍ପର୍କ ନାଇଁ' । ଯଦି ବା ଦେବେ, ବାହାରୁ ଦି' ପଇସା ଆଣୁଥିଲେ, ବିଶୁ ନନାଙ୍କ ଠାରୁ ତିନି ପଇସା ସୁଧ ନେବେ। କହିବେ କାଳେ ଏଇ ବାହାନାରେ ଅଧିକ ଟିକେ ସଞ୍ଚୟ ହେଇଯିବ। ବିଶୁ ନନା ବି କୁହନ୍ତିନି କିଛି। ଘର ପାଇଁ ତ କରୁଛି, କରୁ। ଏବେ କିନ୍ତୁ ପରିସ୍ଥିତି ଅଲଗା ପ୍ରକାରର। ମୂଳରୁ ନାଇଁ, ଅଧିକ ସୁଧ ଦେବେ କୋଉଠୁ? ସାଇକେଲରେ ଟିଉବଟେ ପଡ଼ିଲା ଯେ, ବାକି କରିଛନ୍ତି, ନାରାୟଣୀ ସାଇକେଲ ଷ୍ଟୋରରୁ। କାଳେ ମାଗିଦେବ ବୋଲି ସେଇ ବାଟରେ ଯାଉନାହାନ୍ତି ମାସେ ହେଲା। ଏମିତି ଭାବନା ଭିତରେ ହଜି ହଜି ଆଖି ଲାଗି ଯାଇଛି ତାଙ୍କର।


-"ନନା ଘରେ ଅଛନ୍ତି?" ଦାଣ୍ଡପଟୁ ଡାକ ଶୁଭିଲା।


-"ହଁ । କିଏ?" ନିଦ ଭାଙ୍ଗିଗଲା ବିଶୁ ନନାଙ୍କର।


ବାହାରକୁ ଆସି ଦେଖିଲେ ଗୋବିନ୍ଦ ସାହୁ। ଗୋଦାମ ମାଲିକ। ବିଶୁ ନନାଙ୍କ ଗାଁପାଖ ଲୋକ। ବୟସରେ ଦଶ ବାର ବର୍ଷ ସାନ। ନନାଙ୍କୁ ଭାରି ଭଲ ପାଆନ୍ତି। ମାନନ୍ତି ବି। ସୁଖ ଦୁଃଖରେ ସାହାଯ୍ୟ କରନ୍ତି।


-"ନନା ପ୍ରଣାମ।" ପାଦ ଛୁଇଁ ପ୍ରଣାମ କଲେ ଗୋବିନ୍ଦ ।


-"ସର୍ବାରିଷ୍ଟ ଶାନ୍ତିଅସ୍ତୁ। ଗୋବିନ୍ଦ ବାବୁ ମୁଁ ତମ କଥା ଭାବୁଥିଲି। ଆଚ୍ଛା କୁଆଡ଼େ ଆସିଲ ?


-"ନନା କାଲି ଘରେ ଗୋଟେ ପାଲାପୂଜା ଅଛି। ସତ୍ୟନାରାୟଣ ପାଲା। ମୋ ନାତିର। ଯିବେ ତ?"


-"ଏଇ କଥା ପାଇଁ ଏତେ ଖରାରେ ଆସିଛ? ଫୁନ କରି ଦେଇଥା'ନ୍ତ। ହଉ। କେତେବେଳକୁ? "


-"ଚାରିଟାବେଳେ କରି ସନ୍ଧ୍ୟା ଆଗରୁ ସାରିଦେବା। ନହେଲେ ଅସୁବିଧା । ଏପଟେ କାମଥିଲା ତ ! ଫୋନ ନକରି ଚାଲି ଆସିଲି। ଆଚ୍ଛା ମୋ କଥା କଁ ଭାବୁଥିଲେ?"


-"ବଡ଼ ଅଡ଼ୁଆରେ ପଡ଼ିଯାଇଚିରେ ଭାଇ। ବଡ଼ ଝିଅର ଡେଲିଭରି। କଣ ଅପର୍ସନ ହବ। ଇଆଡ଼େ ସାନ ଝିଅର ଟିଉସନ ପଇସା । ଟଙ୍କା ପନ୍ଦର ହଜାର ଦରକାର। ଘରେ କିଛି ନାଇଁ। ଏ ବନ୍ଦବାନ୍ଦ ପାଇଁ ପୂଜାପୁଜି ପୁରା ମାନ୍ଦା। କଁ କରିବି କିଛି ଭାବି ପାରୁନି। ଗୋଟେ ସାହାଯ୍ୟ କରିବ? କହିବାକୁ ଖରାପ ଲାଗୁଚି, ହେଲେ ଉପାୟ ନାହିଁ।"


-"ମୋ ଠୁଁ ନେଇଯିବେ, ଆଉ କଁ? ସୁବିଧା ଦେଖି ସୁଝିବେ।"


-"ଆରେ ନାଇଁ ଗୋବିନ୍ଦ ବାବୁ। ମୁଁ ଧାର ନେବିନି। ମୋ ସ୍କୁଟିଟା ବନ୍ଧା ରଖିବି। ନୂଆ ଗାଡ଼ିଟା। ବର୍ଷକର। ତମେ ଜାଣିଛ ତ..? ତମେ ସେଇଟି ରଖ। ମୁଁ ଟଙ୍କା ଦେଲେ ମୁକୁଳେଇବି।"


-"ନାଇଁ ନନା। କି କଥା? ମତେ ପାପ ଲାଗିବ। ମୋର ଏବେ କିଛି ଅସୁବିଧା ନାଇଁ। ଭଗବାନଙ୍କ କୃପାରୁ ଲକଡାଉନ ରେ ମୋ ଆଳୁପିଆଜ ବେପାର ଭଲ ଚାଲିଚି। ମୁଁ ଏ.ଟି.ଏମରୁ ଆଣି ଟଙ୍କା ଦଉଚି।"


ବିଶୁ ନନା ଛଳ ଛଳ ହୋଇ ଚାହିଁଥା'ନ୍ତି। ଗୋବିନ୍ଦବାବୁ ସିନା ଟଙ୍କା ଦେଇଦେବେ, ହେଲେ ଠିକ୍ ସମୟରେ ଶୁଝି ନପାରିଲେ କେଡ଼େ ବିବେକହୀନ କଥା ହେବ ସେଇଟା ! ମୁହଁ ଦେଖେଇ ପାରିବେ ଟି? ଗାଁ ପାଖ ଲୋକ । ବିଶୁ ନନାଙ୍କୁ ଯିଏ ଜାଣିଚି, ଗୋବିନ୍ଦବାବୁଙ୍କୁ ବି ଜାଣିଚି ଭଲ ଭାବରେ। ନକହି ଥିଲେ ହେଇଥା'ନ୍ତା। ଆଉ କୋଉଠୁ ଦେଖିଥା'ନ୍ତେ। କଣ କରିବେ ସେ? ବିଷମ ପରିସ୍ଥିତି — କହିଲେ କୁଳ କୁଟୁମ୍ବକୁ ଲାଜ, ନକହିଲେ କୁଳ ଭାସି ଯାଉଛି। ଯାହା ସେଇ ପ୍ରଭୁଙ୍କ ଇଚ୍ଛା।


                ×××


ତହିଁ ଆରଦିନ ପୂଜା କରିବାକୁ ଯଥା ସମୟରେ ବାହାରିଗଲେ ବିଶୁ ନନା। ବ୍ୟାଗରେ ରକ୍ଷାସୂତାର ମୋଟା ବଣ୍ଡଲଟେ ପକେଇଲେ। ପୂଜାପରେ ଆଶିର୍ବାଦ ବେଳେ କିଛି ରୋଜଗାର ହେଇଯିବ। କୁଶ, ପାତ୍ରୀ, ମୟୁରପୁଚ୍ଛ, ଇତ୍ୟାଦି ଆବଶ୍ୟକୀୟ ସରଞ୍ଜାମ ବି ରହିଲା। ବାକି ଯାହା ପୂଜା ସାମଗ୍ରୀ ନେଇ ଯାଇଥିଲେ ଦରକାର ମୁତାବକ । ସବୁ ବଡ଼ବଡ଼ିଆ ଯଜମାନଙ୍କ ପୂଜାରେ ପୂଜା ସାମଗ୍ରୀ ନିଜେ ନେଇଯାଆନ୍ତି ନନା। କାରଣ ସେପଟୁ ଉପୁରି ଦି'ପଇସା ମିଳେ। ଏଣେ ପୁଣି ମା' ପୂଜାଭଣ୍ଡାର ଯେଉଁଠୁ ସେସବୁ କିଣନ୍ତି, ସେ ଦୋକାନୀ ବି କିଛି ବକ୍ସିସ ଦିଏ। ଅବଶ୍ୟ ଗୋବିନ୍ଦବାବୁଙ୍କ କ୍ଷେତ୍ରରେ ବେଶି ଉପୁରି ନିଅନ୍ତିନି ବିଶୁ ନନା। ଗାଁ ଲୋକ। ପୁଣି ବିପଦ ଆପଦ ରେ ଠିଆ ହୁଅନ୍ତି। ତାଙ୍କଠୁଁ ନେଲେ ଧର୍ମ ସହିବନି। ବାକି ଯେତେ ସବୁ ବଡ଼ ବଡ଼ିଆ ବିଶୁ ନନା ଗଣି ଗଣି ପଇସା ନିଅନ୍ତି। କିଆଁ ଛାଡ଼ିବେ? କିଏ କାହାକୁ ଛାଡ଼ୁଛି? ତା' ଛଡ଼ା ଇଏ ତ ତାଙ୍କ ବଞ୍ଚିବାର ମାଧ୍ୟମ। ପାପ ହେଉ କି ପୁଣ୍ୟ, ରୋଜଗାର ତାଙ୍କର। ଚୋରି ତ କରୁନାହାନ୍ତି? କାହା ପାଇଁ ସେ କି ପୂଜା ହୋଇପାରେ, ହେଲେ ତାଙ୍କ ପାଇଁ ପୂଜା ହେଲା ତାଙ୍କର କର୍ମ, ଆଉ କର୍ମ ହେଲା ଅନ୍ୟ ପାଇଁ ପୂଜା କରିବା। ଭୋକ ବିକଳରେ ପଡ଼ିଲେ କୋଉ ପାପ, କୋଉ ପୁଣ୍ୟ — ସବୁ ସମାନ। ଲାଜୁଆ ବ୍ରାହ୍ମଣ, କାଶୁଆ ଚୋର; ଦୁହେଁ ନିଜ କର୍ମ ପାଇଁ ଅଯୋଗ୍ୟସିଦ୍ଧ ।


କଳରେ ବଚ ଖଣ୍ଡେ ବି ଜାକିଲେ। ଗଳା ଫିଟିବନି ନହେଲେ। ବିଶୁ ନନାଙ୍କୁ ମନ୍ତ୍ର ଉଚ୍ଚାରଣରେ କାଟିବାକୁ କୋଉ ପୁଅ ନାହିଁ। କଣ ଜାଣିଛନ୍ତି ସେଇଟା ବଡ଼ କଥା ନୁହେଁ, ହେଲେ ଯାହା ବି ଜାଣିଛନ୍ତି ଏମିତି ପ୍ରାଞ୍ଜଳ ଭାବରେ ସ୍ୱର କରି ଉଚ୍ଚାରଣ କରିବେ ଯେ, ଯେକେହିବି କହିବ ଇଏ ଜଣେ ବିଦ୍ୱାନ ନିଶ୍ଚୟ। ଥରେ ଦି'ଥର ଯୁକ୍ତିତର୍କ ବି ହୋଇଛି ମନ୍ତ୍ରକୁ ନେଇ। ହେଲେ ବିଶୁ ନନାଙ୍କ ବଳିଷ୍ଠ ଗର୍ଜନ ଆଗରେ ସମସ୍ତେ ଫିକା ପଡ଼ିଯାଆନ୍ତି। ଆଉ ଯେଉଁଠି ଦି'ପଇସା ଭଲ ବାହାରିବାର ଥାଏ, ବିଶୁ ନନାଙ୍କ ଓଡ଼ିଆ ବି ସଂସ୍କୃତ ଭଳି ଲାଗେ। ଉଚ୍ଚାରଣ ଓ ଆଚରଣ ସବୁ ସ୍ୱତନ୍ତ୍ର ଥାଏ।


                ×××


ଗୋବିନ୍ଦବାବୁଙ୍କ ଘରେ ପାଲା ପୂଜା ସରିଲା। ସିରିଣୀ, ବିଡ଼ିଆ ଭୋଗ ବଣ୍ଟା ହୋଇଗଲା। ଆଶୀର୍ବାଦ ଦିଆ ସରିଲା। ନନା ଭୋଜନ ବି ସାରିଲେ। ଦକ୍ଷିଣା ଦେବାକୁ ଟିକେ ବାହାରକୁ ବିଶୁ ନନାଙ୍କୁ ଡାକିଲେ ଗୋବିନ୍ଦବାବୁ।


-"ନନା କାଲି ଗୋଦାମ ଆସି ଦକ୍ଷିଣା ନେଲେ ଚଳିବ?"


-"ନାଇଁ ଗୋବିନ୍ଦ ବାବୁ। ଥାଉ। ଏମିତି ତ ତମ ପଇସା ମୋ ଉପରେ ଅଛି।"


-"ନନା, ସେକଥା ଛାଡ଼ନ୍ତୁ। ସିଏ ତ ଅଲଗା। ଦକ୍ଷିଣା ଅଲଗା କଥା। କାଲି ଆସନ୍ତୁ।"


-"ହଉ ତାହେଲେ ଯଦି ବାଧ୍ୟ କରୁଛ ତେବେ ଟଙ୍କାଟେ ଦେଇ ଦିଅ, ଚଳିବ ।"


-"ନନା କାହିଁକି ମତେ ପାପ କରିବାକୁ କହୁଛନ୍ତି କହିଲେ? ନାଇଁ ଯଦି ଏବେ ନେବେ ଟିକେ ଅପେକ୍ଷା କରନ୍ତୁ। ଦଉଚି।"


-"ନାଇଁ ମ। କାଲି ମୁଁ ଗୋଦାମ କୁ ଯିବି।"


                 ×××


ଗୋବିନ୍ଦବାବୁଙ୍କ ଗୋଦାମରେ ଯାଇ ପହଁଚିଲେ ବିଶୁ ନନା। ସ୍କୁଟି ନେଇ ଯାଇଛନ୍ତି। ଗୋଦାମ ଭାରି ଗହଳି। ଟ୍ରକରୁ ମାଲ ଓହ୍ଲାଉ ଓହ୍ଲାଉ ଶେଷ। ଖଲାସିଆଙ୍କୁ ଫୁରୁସତ ନାହିଁ। ଗୋବିନ୍ଦବାବୁ ଟଙ୍କା ଗଣିଚାଲିଥା'ନ୍ତି। ବେଳେ ବେଳେ ବଡ଼ ପାଟିରେ ଗୋଦାମରେ କାମ କରୁଥିବା ପିଲାମାନଙ୍କୁ ଡାକ ପକାଉଥା'ନ୍ତି।


ନନାଙ୍କୁ ଦେଖି ପ୍ରଣାମ କଲେ ଗୋବିନ୍ଦବାବୁ। ତାଙ୍କ ଗୋଦାମର ଜଣେ ପିଲାକୁ କହିଲେ-"ଆରେ ନନାଙ୍କ ପାଇଁ ଥଣ୍ଡାଟେ ଆଣେରେ।"


-"ନନା କିଛି ଖାଇବେ?"


-"ନାଇଁ। ଖାଇକି ଆସିଛି।"


-"ହଉ ଏଇଟି ନିଅନ୍ତୁ।" ଡ୍ରୟାର ରୁ ହଜାରେ ଏକ ଟଙ୍କା କାଢ଼ି ବିଶୁ ନନାଙ୍କୁ ଦେଲେ ଗୋବିନ୍ଦ ବାବୁ।


-"ନାଇଁ ନାଇଁ। ଏ ଟଙ୍କା ମୁଁ ନେବିନି।"


-"କାହିଁକି? କାଲି ପ୍ରା କହିଥିଲି ସେ ଟଙ୍କା ସହ ଦକ୍ଷିଣାର କିଛି ସମ୍ପର୍କ ନାଇଁ। କମି ଯାଉଛି ଯଦି ଭାବୁଛନ୍ତି, କେତେ ଦେବି କୁହନ୍ତୁ।"


-"ନାଇଁ ମ ସେ କଥା ନୁହଁ।"


-"ତାହେଲେ?"


-"ହଉ। ଯଦି ଦକ୍ଷିଣା ଦବ ବୋଲି କହୁଚ, ତେବେ ମତେ ଟଙ୍କା ଦରକାର ନାଇଁ। ମତେ ଆଳୁ ଆଉ ପିଆଜ ବସ୍ତେ ବସ୍ତେ ଦିଅ।"


-"ବସ୍ତେ ବସ୍ତେ ଆଳୁ ପିଆଜ? ଏତେଗୁଡ଼େ ନେଇ କଁ କରିବେ? ପଚି ଯିବ।"


-"ନାଇଁ ଗୋବିନ୍ଦ ବାବୁ ଖାଇବାକୁ ନୁହେଁ, ବିକିବାକୁ।"


-"ମାନେ?"


-"ହଁ। ଏ କୁଶ ପାତ୍ରୀ ସହ ଆଳୁ ପିଆଜ ନଧରିଲେ ତମ ଟଙ୍କା କେମିତି ସୁଝିବି?"


-"ଆପଣ ପାରିବେନି ନନା। ଭାରି କଷ୍ଟ । ପଲା ଟେକି ହାତ ଦରଜ ହେଇଯିବ। ତା' ଛଡ଼ା ଆପଣଙ୍କର ଶ୍ବାସ ବି ଅଛି। ଦିହ ଖରାପ ହେଇଯିବ।"


-"ଯେଉଁ ପେଟ କୁଶ ପାତ୍ରୀ ଧରିବା ଶିଖେଇ ଥିଲା, ସିଏ ପଲା ଧରିବା ବି ଶିଖେଇ ଦେବ ଗୋବିନ୍ଦ ବାବୁ। ବାହାରେ ଖରାରେ ବସି ଆଳୁ ପିଆଜ ବିକିଲେ ହୁଏତ ମୋ ରୋଗ ବଢ଼ିଯିବ, ହେଲେ ସେ ସବୁକୁ ଡରି ମୁଁ କିଛି ନକଲେ ମୋ ସଂସାର ରୋଗୀ ହେଇଯିବନି ? ବହୁତ କଷ୍ଟ ସହି ଆଜିଯାଏଁ ଭିଡ଼ି ଆଣିଲି, ଆଉ ଟିକେ ପାରିବିନି...? ବିଶୁ ପଣ୍ଡା ପରା ମୁଁ ! ଗୋଟେ ବେଗ ରେ କୁଶ ପାତ୍ରୀ ଅଛି, ଆଉ ଗୋଟାକରେ କିଲପଲାଟେ ପଡ଼ିବ ଏଥର। ଯିଏ ଯେତେବେଳେ ପେଟକୁ ଦାନା ଦେବ। କଣ କରିବା? ବଞ୍ଚିବାକୁ ପଡ଼ିବ ନା।


ମତେ ମନା କରନି ଗୋବିନ୍ଦବାବୁ। ଏଠି ତମକୁ ଛାଡ଼ି ମୋ ନିଜର କିଏ କହିଲ? ମୋ ଯଜମାନ ହେଲେ ବି ତମେ ମୋ ସାନ ଭାଇ ଭଳି। ସେଥିପାଇଁ ଦୁଃଖ କହିପକେଇଲି। କାହା ଆଗରେ ଏକଥା କହିବି? ତମ ଭାଉଜ ଓ ମୋ ଝିଅ ମୁହଁରେ ଦାନା ନଦେଇ ପାରିଲେ ଏ ଜୀବନ ଥାଇ ଲାଭ କଣ? ମତେ ହୁଏତ କଷ୍ଟ ହବ, ମୋ ରୋଗ ହୁଏତ ବଢ଼ିଯିବ, ହେଲେ ମୋ ସଂସାରକୁ ଭୋକ ଉପାସରେ ରଖି ମୁଁ କେତେଦିନ ନିରୋଗ ରହିପାରିବି? ବୋଧେ ଏଇଟା ହିଁ ଭଗବାନଙ୍କ ଇଚ୍ଛା।" ଗାମୁଛାରେ ଆଖି ପୋଛିଲେ ନନା।


ଗୋବିନ୍ଦ ବାବୁଙ୍କ ଆଖି ଛଳ ଛଳ ଥିଲା। ତାଙ୍କ ପିଲା ଉଦ୍ଦେଶ୍ୟରେ କୋହମିଶା କଣ୍ଠରେ କହୁଥିଲେ -"ଆରେ ଆଳୁ ପକେଟେ, ପିଆଜ ପକେଟେ ନନାଙ୍କ ଗାଡ଼ିରେ ଲଦି ଦବୁ।"


                  

                      


Rate this content
Log in

Similar oriya story from Drama