STORYMIRROR

Fransis Satapathy

Others

3  

Fransis Satapathy

Others

ଅଙ୍କ

ଅଙ୍କ

3 mins
245

ଭାଙ୍ଗି ଯିବାଟା କାଳେ ନିଜକୁ ନୂଆକରି ଗଢ଼ିତୋଳିବାର ପ୍ରାରମ୍ଭ ― ବାପା କହୁଥିଲେ; ପିଲାବେଳେ ଯେତେବେଳେ ଅଙ୍କ ପରୀକ୍ଷାରେ କମ ନମ୍ବର ରଖି ମୁହଁ ଶୁଖାଇ ବସିରହୁଥିଲା ବିଜୁ। ତା' ବାପା ଆହୁରି ବି କହୁଥିଲେ ଏ ଜୀବନଟା ଗୋଟେ ବଡ଼ ଅଙ୍କ। ତାକୁ କଷିବାକୁ ପଡ଼ିବ। ଥରେ ନୁହେଁ, ଦି' ଥର ନୁହେଁ; ବାରମ୍ବାର ―ବଞ୍ଚିଥିଲା ଯାଏଁ। 


ଏ ଅଙ୍କ କଷାକୁ ନେଇ କେବେ ବି ଖୁସି ନୁହେଁ ବିଜୁ। କେମିତି ହେବ? ନ ହାରିଲେ ବି ଜିତିବାର ଅନୁଭୂତିକୁ ଠିକରେ ଅନୁଭବ କରି ପାରିନି ସେ। ହାରିବା ଜିତିବା ଭିତରର ଝୁଲା ଅବସ୍ଥା ତ ଭାରି କଷ୍ଟ। ତାକୁ କେହି କେହି ଜୀବନ କହିଥା'ନ୍ତି। ହେଲେ ସେ ପାରେନି ଏମିତି ସବୁ ଦର୍ଶନରେ ସନ୍ତୁଷ୍ଟ ହୋଇ। ନ ହାରିଲା ଯାଏଁ ଯେ ବାଜି ହାତରେ!


ସେ ଯାହା ବି ହେଉ ବିଜୁ ଅଙ୍କ ଉପରେ ସନ୍ତୁଷ୍ଟ ନୁହେଁ। ପଡ଼େନି ସେ ଦୁହିଁଙ୍କର। ସେ ଅମକ ମୂଳଧନରେ ଶତକଡ଼ା ସୁଧ ହିସାବ, ସମକ ଅଜ୍ଞାତ ରାଶିର ମୂଲ୍ୟ ନିରୂପଣ, ଅମୁକ ଜ୍ୟାମିତିକ ଚିତ୍ରର କ୍ଷେତ୍ରଫଳ, ସମକ ତ୍ରିଭୁଜର ତ୍ରିକୋଣମିତୀୟ ସୂତ୍ର―ରୁନ୍ଧି ପକାଏ ତାକୁ। ବେଳେବେଳେ ଭାବେ, ଏ ସବୁ ମୁଣ୍ଡବିନ୍ଧା ପାଠ ଜୀବନରେ କି କାମରେ ଆସିବ ଯେ ମଣିଷ ଅଧମରା ହେବ ତାକୁ ପଢ଼ିକି। ତା' ଅପେକ୍ଷା ଜଙ୍ଗଲରେ ଫଳମୂଳ ଖାଇ ପଡ଼ିବ। ହେଲେ ପରମୁହୂର୍ତ୍ତରେ ମନକୁ ବୁଝାଇ ଟ୍ୟୁସନ କୁ ବାହାରେ। ପେଟପୋଷିବାକୁ ବାରମ୍ବାର କିଛି ଅଙ୍କ କଷି କଷି ଆୟତ୍ତ କରି ଅଙ୍କ ମାଷ୍ଟ୍ରେର ଆଖ୍ୟାଟେ ପାଇଛି ଯେହେତୁ।


ନହେଲେ ବେଶି କିଛି ପାଇନି ସେ। ସମାଜରେ ପ୍ରତିଷ୍ଠିତ ହେବାକୁ, ପରିବାର ଚଳେଇବାକୁ ଯେତିକି ଦକ୍ଷତା ର ସହ ତାକୁ ଏ ଅଙ୍କ, ବିଜ୍ଞାନ, ଇତିହାସ, ଭୂଗୋଳକୁ କଷା ଲେଖା କରିବାର ଥିଲା ସେତିକି ଦକ୍ଷତାରେ କରିପାରିଲାନି ସେ। ଅଭ୍ୟାସ କରି ନିପୁଣତା ହାସଲ କଲା ବେଳକୁ ବୟସ ଡେଇଁ ଯାଇଥିଲା ଘାଇ। ବାସ୍ ତା'ପରେ ପ୍ରତିବର୍ଷ ଅନ୍ୟ ପିଲାଙ୍କୁ ଘାଇ ଡିଆଁଇବାର ପ୍ରୟାସ; କିଛି ଟଙ୍କାର ବିନିମୟରେ ଖରା ବର୍ଷା ଶୀତ ଚବିଶ ଇଂଚିଆ ସାଇକେଲରେ ୟା ଦୁଆର ତା' ଦୁଆର ଯୋଡ଼େ ବୃତ୍ତ ଉପରେ ସବାର ହୋଇ। ନୂଆ କିଛି କରିବାର ନାହିଁ, କି ଇଚ୍ଛା ନାହିଁ; ଯେତିକି ଜାଣିଚି ତାକୁ ଗୋଳିବାଟି ପିଆଇବାର ଅଛି ତା' ଭଳି ବିଜୁମାନଙ୍କୁ, ଜାଣେନା ସେଥିରୁ କେତେ ବୟସ ପୂର୍ବରୁ ଘାଇ ଡେଇଁ ଯିବେ ଏବଂ ଆଉ କେତେ ନୂଆ ଘାଇ ଏପଟେ ରହି ନୂଆ ବିଜୁଙ୍କୁ ତିଆରି କରିବେ।


ଆଜି ମ୍ୟାଟ୍ରିକ ପରୀକ୍ଷା ଫଳ ବାହାରିବ। ସବୁ ପିଲାଙ୍କ ଅପେକ୍ଷା ବିଜୁ ଟିକେ ଅଧିକ ବ୍ୟଗ୍ର। ସମସ୍ତେ ଦକ୍ଷତା, ଭାଗ୍ୟ ଓ ପ୍ରାରବ୍ଧର ତରାଜୁରେ ନିଜକୁ ତଉଲିବାରେ ବ୍ୟସ୍ତ। ସକାଳୁ ଗାଧୋଇ ମନ୍ଦିର ଯାଇ ଭୋଗରାଗ କରି ଆସିଛି ବିଜୁ। ଦେଖେଣାହାରିଏ କୁହନ୍ତି ପିଲାଙ୍କ ପରୀକ୍ଷା ପାଇଁ ବିଜୁମାଷ୍ଟ୍ରେ ବହୁତ ବ୍ୟସ୍ତ।


ସବୁବର୍ଷ ଏଇ ଦିନଟିରେ ଛାତିରେ କମ୍ପନ ଅନୁଭବ କରେ ସେ। ପିଲାଙ୍କ ରେଜଲ୍ଟ ଉପରେ ନିର୍ଭର କରେ ତା' ଟ୍ୟୁସନରେ ପରବର୍ତ୍ତୀ ବର୍ଷର ପିଲାଙ୍କ ସଂଖ୍ୟା।


ସେଇଦିନ ବାପାଙ୍କ କଥା ବେଶି ବେଶି ମନେପଡ଼େ। ଅଙ୍କକଷା ଚାଲିଥାଏ ଜୀବନ ତମାମ। ସେଠି ନମ୍ବର ଏକରୁ ନୁହେଁ କି ଶହେରୁ ନୁହେଁ। ପ୍ରକୃତରେ କୌଣସି ସଂଖ୍ୟା ପାଇଁ ନୁହେଁ, ପାସ-ଫେଲ ପାଇଁ ନୁହେଁ। ଏଠି ଅଙ୍କକଷା ବଞ୍ଚିବା ପାଇଁ, ଟଙ୍କା ପାଇଁ, ପେଟ ପାଇଁ, ପିଠି ପାଇଁ, ସମ୍ମାନ ପାଇଁ, ସାଲିସ ପାଇଁ। ଜୀବନ ଅଙ୍କରେ ଫେଲ ବୋଲି ବିକଳ୍ପଟେ ହିଁ ନାହିଁ। କେବଳ ପାସ; ଜୀବନ ସାରା, ପ୍ରତି ମୁହୂର୍ତ୍ତରେ। ଫେଲ ହିଁ ମରଣ। ପାସଟା ଜୀଁ ଥିବାର ସଙ୍କେତ।


ରେଜଲ୍ଟ ଆସିଗଲା। ସେ ପଢ଼େଇଥିବା ସମସ୍ତେ ଅଙ୍କରେ ଶତକଡ଼ା ନବେ ଉପରେ ନମ୍ବର ରଖିଛନ୍ତି। ସମସ୍ତେ ଡେଇଁ ଯାଇଛନ୍ତି ଅନେକ ବାଟ, ଟଣାଯାଇଥିବା ଘାଇକୁ ପଛରେ ପକାଇ। ଖୁସିରେ ନାଚୁଛନ୍ତି ସମସ୍ତେ। ମୁହଁରେ ଯୁଦ୍ଧଜୟର ଭାବ। ବିଜୁର ପାଦ ଛୁଇଁ ପ୍ରଣାମ କରୁଥା'ନ୍ତି ସେମାନେ।


ବିଜୁ କିନ୍ତୁ ଅନ୍ୟମନସ୍କ ଥିଲା। ହାତଯୋଡ଼ିକ ଯନ୍ତ୍ରବତ ଚାଲି ଯାଉଥିଲେ ପିଲାଙ୍କ ମୁଣ୍ଡ ଉପରକୁ ସେମାନଙ୍କର ସ୍ପର୍ଶ ତା' ପାଦରେ ଅନୁଭବ କରିବା କ୍ଷଣି। ଚୁପଚାପ ଦିଗବଳୟ ଆଡ଼େ ଚାହିଁ ସେ କଷୁଥିଲା ଆର ବର୍ଷ ଭଉଣୀ ବାହାଘର ପାଇଁ ଖର୍ଚ୍ଚର ଅଙ୍କ, କାରଣ ଆଜିର ରେଜଲ୍ଟ ଆସନ୍ତା ବର୍ଷ ତା' ଟ୍ୟୁସନରେ ବହୁତ ବିଜୁଙ୍କୁ ଜୁଟାଇବାର ଇସାରା ଦେଇ ସାରିଥିଲା।


                  


                     


Rate this content
Log in