Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Bismita Sahoo

Romance Tragedy


5.0  

Bismita Sahoo

Romance Tragedy


କଳାଚଷମା

କଳାଚଷମା

7 mins 199 7 mins 199

 - ଇସ୍ ଏ କଳା ଚଷମା ଲଗେଇଲେ ତୁମେ କେଡ଼େ ସୁନ୍ଦର ଦିଶୁଛ, ସତେ ଯେମିତି ଶାହରୁଖ ଖାନ।


- ଲୋକମାନେ କଳା ଚଷମା କାହିଁକି ପିନ୍ଧନ୍ତି କେଜାଣି? ଏ ଚଷମା ତଳେ ଆଖି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଉଛି। ଏଇ ଆଖିକୁ ପଢି ତ ଜଣେ ଅନ୍ୟ ଜଣର ହୃଦୟର କଥା ଜାଣିପାରେ। ଏଇ ଆଖି ଦୁଇଟି ତ ଅନ୍ୟକୁ ପ୍ରଭାବିତ କରିବାର ମାଧ୍ୟମ। ଜଣେ ମିଛ କି ସତ କହୁଛି ଏ ଆଖି ଦିଓଟିରୁ ହିଁ ଜଣାପଡ଼େ। ପୁଣି ତୁମର ଏ ପୋଟଳଚିରା ଆଖିକୁ ତ ମୁଁ ପ୍ରେମ କରେ। ଜାଣିଶୁଣି ମୋତେ ଅନ୍ଧ ବନିବାର ନାହିଁ। 


  ଏହା କହି ଚଷମାଟିକୁ ଆଖିରୁ ଖୋଲି ତଳେ ପକେଇଦେଲା ସୁମିତ। ସୋମା ଜାଣେ, ସୁମିତକୁ କଳା ଚଷମା ପିନ୍ଧିବାକୁ ଭଲ ଲାଗେନି, କିନ୍ତୁ ତାର କଳା ଚଷମା ପ୍ରତି ଭାରି ଦୁର୍ବଳତା। ସୁମିତ କଳା ଚଷମା ନିଜେ ପିନ୍ଧେନି କି ସୋମାକୁ ପିନ୍ଧିବାକୁ ଦିଏନି। 

  

ସୋମା ପଦାର୍ଥବିଜ୍ଞାନରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହେଲା ପରେ ଘର ପାଖରେ ଥିବା ଏକ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛି। ସୁମିତ ହେଉଛି ତା ବଡ଼ ଭାଇଙ୍କ ଘନିଷ୍ଠ ବନ୍ଧୁ। ତେଣୁ ସୁମିତ ପ୍ରାୟତଃ ତାଙ୍କ ଘରକୁ ଭାଇ ସହିତ ଆସେ। ଦେଖା ଚାହାଁରୁ ଲୁଚି ଛପି କଥାବାର୍ତ୍ତା। ଏ ଚୋରା କଥାବାର୍ତ୍ତା କେତେବେଳେ ପ୍ରେମ ରୂପ ନେଇଗଲା ଦୁହେଁ ଜାଣି ପାରିଲେନି। ସୁମିତ ହାଇଦ୍ରାବାଦରେ ଏକ ଆଇ ଟି କମ୍ପାନୀରେ ଇଂଜିନିୟର। ଦରମା ବର୍ଷକୁ ଚଉଦ ଲକ୍ଷ। ବାପା ତାର ଏକ ପ୍ରଖ୍ୟାତ ବ୍ୟବସାୟୀ। ଗୋଟିଏ ବୋଲି ଗେହ୍ଲା ଭଉଣୀ। ସୁମିତମାଙ୍କର ଅଧିକାଂଶ ସମୟ କଟେ ପାର୍ଟି , ପିକନିକରେ। ତେଣୁ ସେ ତାଙ୍କ ଷ୍ଟାଟସକୁ ସୁହାଇଲା ପରି ବୋହୂଟିଏ ଚାହୁଁଛନ୍ତି। ଯିଏକି ବାହା ହେଇ ଆସିଲେ ତାଙ୍କ ଘରର ଆଦବ କାଇଦା ମାନ ମହତ ଆହୁରି ବଢିଯିବ। ତେଣୁ ସୁମିତ ଚେଷ୍ଟା କରି ବି ସୋମା ବିଷୟରେ ଏଯାଏଁ କହି ବି ପାରିନି।


ସୋମା ଓ ସୁମିତ ପରସ୍ପରକୁ ନିବିଡ଼ ଭାବରେ ଭଲ ପାଆନ୍ତି। ସୁମିତ ହାଇଦ୍ରାବାଦରେ ଚାକିରି କରିଥିବାରୁ ଉଭୟଙ୍କ ଦେଖା ସାକ୍ଷାତ ଖୁବ କମ୍ ହୁଏ। କିନ୍ତୁ କଲେଜରେ ସେ କଣ ପଢେଇଲା, କେଉଁ ପିଲା ତା ପ୍ରଶ୍ନର କଣ ଉତ୍ତର ଦେଲା, କିଏ ବେଖାତିର କଲା ତାର ସମ୍ପୂର୍ଣ୍ଣ ଧାରା ବିବରଣୀ ସୋମା ସୁମିତକୁ ପ୍ରତିଦିନ ଫୋନ ମାଧ୍ୟମରେ କୁହେ। କାଳେ ନ ଶୁଣିଲେ ସୋମା ମନଦୁଃଖ କରିବ ସେଥିପାଇଁ ସୁମିତ ଧୈର୍ଯ୍ୟ ଧରି ସବୁ ଶୁଣେ। ଅତି ଦରକାର ପଡ଼ିଲେ ହିଁ ମନ୍ତବ୍ୟ ଦିଏ। ନଚେତ ହୁଁ - ହୁଁ ରେ ତା କଥା ସମାପ୍ତ ହୁଏ। 


ସେଦିନ କଲେଜରେ ୧୧:୩୦ରେ ରୁମ ନଂ ୩୧ ରେ ସୋମାର କ୍ଲାସ ଥିଲା। ସେହି କ୍ଲାସରୁମଟି ସୋମା ଜମା ପସନ୍ଦ କରେନି। ରୁମ୍ ଟି କଲେଜର ଦ୍ଵିତୀୟ ମହଲାର ଗୋଟିଏ କଣକୁ ଅଛି। ଆମ୍ବଗଛର ମେଞ୍ଚାଏ ଡାଳ ସେ କୋଠରୀର ଝରକାକୁ କବଜା କରି ରଖିଛି। ଯାହା ପାଇଁ ଦିନରେ ବି କୋଠରୀଟିରେ ଅନ୍ଧାର ବିରାଜମାନ କରେ। ବିନା ବିଦ୍ୟୁତ ଆଲୁଅରେ ପଢେଇ ହୁଏନା। ପାଠ ପଢେଇବା ସମୟରେ ଯଦି ଲାଇଟ ଚାଲିଗଲା ପୁନଶ୍ଚ କୋଠରୀଟିକୁ ଅନ୍ଧକାର ଗ୍ରାସ କରିନିଏ। ପିଲାମାନେ ଏପରି ପରିସ୍ଥିତିରେ ଏପରି ପାଟିତୁଣ୍ଡ କରନ୍ତି ଯେ ସେ ଅଧା ପାଠ ପଢ଼ାରୁ କ୍ଲାସ ଛାଡିବାକୁ ବାଧ୍ୟ ହୁଏ। ସେ ବାରମ୍ବାର ଅଧ୍ୟକ୍ଷଙ୍କୁ ଏ ବିଷୟରେ ଜଣେଇଲାଣି। ଲୋକ ଲଗେଇ ଡାଳଗୁଡ଼ିକୁ କାଟିଦେବେ ବୋଲି ଅଧ୍ୟକ୍ଷ ମହୋଦୟ ଏଥର ପ୍ରତିଶ୍ରୁତି ଦେଇଛନ୍ତି।


  ସୋମା ଷ୍ଟାଫ ରୁମରେ ବସି ସୁମିତକୁ ନେଇ ଗୋଟିଏ କବିତା ଲେଖୁଥିଲା। କେତେବେଳେ ୧୧:୩୫ ବାଜିଗଲାଣି ସେ ଜାଣି ପାରିଲାନି। ତରତର ହେଇ ସେ କ୍ଲାସ କରିବା ପାଇଁ ବାହାରିଲା। ହେଲେ ବେଳା ତାର ଖରାପ। ରାସ୍ତାରେ ପଡିଥିବା ପଥରକୁ ସେ ଝୁଣ୍ଟେଇ ତଳେ ପଡ଼ିଗଲା। ପାଦର ଗୋଇଠି ପାଖରୁ ଜୋରରେ ମକଚି ହେଇଗଲା। ସେ ପାଦକୁ ଧରି ତଳେ ବସି ପଡ଼ିଲା। ଓଃ କି ଯନ୍ତ୍ରଣା। ଦୁଇ ଦିନ ପରେ ପିଲାଙ୍କ ପରୀକ୍ଷା। ପିଲାମାନେ ଆଜି ତାଙ୍କ ଡାଉଟ କ୍ଲିଅର କରିଥାନ୍ତେ। କ୍ଲାସକୁ ନଗଲେ ନଚଳେ। ତେଣୁ ସୋମା ପାଦ ଘୋଷାରି ଘୋଷାରି କ୍ଲାସ ରୁମରେ ପହଁଚିଲା। 

     ଲାଇଟ ବୋଧହୁଏ ନଥିଲା। ଶ୍ରେଣୀରେ କେହି ପିଲାବି ନଥିଲେ। ବୋଧହୁଏ ତାକୁ ଅପେକ୍ଷା କରି ଡେରି ହେବାରୁ ପିଲାମାନେ ଚାଲି ଯାଇଛନ୍ତି। ସେ ବି ରୁମ ଭିତରକୁ ନଯାଇ ବାହାରକୁ ଚାଲି ଆସୁଥିଲା। ହଠାତ ମୋବାଇଲର ଘଣ୍ଟି ବାଜି ଉଠିଲା। ସେ ତା ମୋବାଇଲ ଚେକ କଲା। କାଇଁ ନାଇଁ ତ, ତା ମୋବାଇଲ ବାଜୁନି। ତେବେ କୌଣସି ପିଲା ବୋଧହୁଏ ଭୁଲରେ ମୋବାଇଲ ଛାଡିଯାଇଛି। ବିଚରା ମୋବାଇଲଟି କେତେ ଖୋଜୁଥିବ। ସେ ମୋବାଇଲର ଘଣ୍ଟିକୁ ଅନୁସରଣ କରି ରୁମ୍ ଭିତରକୁ ପଶିଲା। ଅନ୍ଧାରରେ କିଛି ଦିଶୁନଥିଲା। ମୋବାଇଲର ଘଣ୍ଟି ତଥାପି ବାଜି ଚାଲୁଥିଲା। କାହାର ନିଶ୍ଚୟ କିଛି ଜରୁରୀ କଥାବାର୍ତ୍ତା ଅଛି, ନଚେତ ଏତେଥର ଫୋନ କଣ ପାଇଁ କରନ୍ତା?

ସେ ମୋବାଇଲଟିକୁ ଖୋଜିବାକୁ ଲାଗିଲା। ପାଦରେ କଷ୍ଟ ହେଉଥିବା ଯୋଗୁଁ କାନ୍ଥରେ ଭରାଦେଇ  ଚାଲୁ ଚାଲୁ ତା ଅଙ୍ଗୁଳିର ଟିପ ସୁଇଚ ବୋର୍ଡ ଉପରେ ଦାବି ହୋଇଗଲା। ଲାଇଟ ଜଳି ଉଠିଲା। ତା ମାନେ ଲାଇଟ ଥାଇ ପିଲାମାନେ ଜାଣିଶୁଣି ଏମିତି ରୁମଟିକୁ ଅନ୍ଧାର କରି ଆଜି କ୍ଲାସ ବଙ୍କ୍ କରିଛନ୍ତି। ସେ ବିଚାରୀ ପାଦ ମୋଡ଼ି ହେଲା ପରେ ବି ଏତେ କଷ୍ଟରେ କ୍ଲାସ କରିବାକୁ ଆସିଛି। ତାକୁ ବହୁତ ରାଗ ମାଡୁଥିଲା। ସେ ଆଜି ପିଲାଙ୍କ ନାଁ ରେ ନିଶ୍ଚୟ ପ୍ରିନ୍ସିପାଲଙ୍କ ପାଖରେ ଫେରାଦ ଦେବ। 


   ସେ ରାଗ ତମତମ ହେଇ କ୍ଲାସରୁ ବାହାରିଗଲା ବେଳେ ଜୋରରେ ସଁ ସଁ ଶବ୍ଦ ଶୁଭିଲା। ସୋମା ଚାରିଆଡ଼କୁ ଚାହିଁଲା। ହଳେ ପୁଅ ଝିଅ ଅସଂଯତ ଅବସ୍ଥାରେ ପୁରା ସବା ଶେଷ ବେଞ୍ଚ ତଳେ ଶୋଇଛନ୍ତି। ସେ କଣ କରିବ କି କହିବ ବୁଝିପାରିଲାନି। ସେ ନିଜକୁ ସମ୍ଭାଳି ନେଇ ଚିଲ୍ଲେଇଲା "ଏ କଣ ହେଉଛି?"


  ତା ପାଟି ଶୁଣି ସେ ପୁଅ ଝିଅ ଦି ଜଣ ତଳୁ ଉଠି ଝାଡ଼ି ଝୁଡ଼ି ହେଇ ତା ପାଖକୁ ମାଡ଼ି ଆସିଲେ। ଝିଅଟି ସୋମାର ପାଟିକୁ ଚାପି ଧରିଲା। ପୁଅଟି ତା ହାତ ଦିଓଟିକୁ ପଛ ପଟକୁ ମାଡ଼ି ଜୋରରେ ଚାପି କହିଲା


- ମ୍ୟାଡାମ, ଭଲ ଗତି ଅଛି ତ ତୁରନ୍ତ ଏ ରୁମ ଛାଡି ଚାଲି ଯାଆନ୍ତୁ। ବାହାରେ ଯଦି ଏ ବିଷୟରେ ମୁହଁ ଖୋଲିବେ ତେବେ ଆପଣଙ୍କ ଅବସ୍ଥା ଏପରି କରିଦେବି ଯେ ମୁଣ୍ଡ ଟେକି ବାଟ ଚାଲି ପାରିବେନି। 


 ଝିଅଟି ପୁଅଟିର କଥାରେ ତାଳ ଦେଇ ହସିବାକୁ ଲାଗିଲା। ସେ ଏକା ନିଃଶ୍ୱାସରେ ସେ ସ୍ଥାନ ପରିତ୍ୟାଗ କରିଲା। ତା ଆଖି ଆଗରେ ବାରମ୍ବାର ପୁଅ ଝିଅ ଦିଟାଙ୍କ ମୁହଁ ନାଚି ଉଠିଲା। ସେ ସିଧା ଘରକୁ ଚାଲି ଆସିଲା। ସତରେ କଣ ଏବେର ଯୁବ ସମାଜ ଏପରି ଭାବରେ ପଥ ଭ୍ରଷ୍ଟ ହେଲେଣି? ସେମାନଙ୍କର ଏତେ ମାତ୍ରାରେ ନୈତିକ ଅଧୋପତନ ଘଟିଲାଣି ଯେ ନିଜର ଶିକ୍ଷୟିତ୍ରୀଙ୍କ ସହିତ ଏପରି ଦୁର୍ବ୍ୟବହାର କରିବାକୁ ପଶ୍ଚାତପଦ ହେଉନାହାନ୍ତି? ସାରା ରାତି ଏ ବିଷୟରେ ଚିନ୍ତା କରି ତାକୁ ନିଦ ବି ହେଲାନି। ଏ ପରିସ୍ଥିତିରେ ସେ ଚୁପ୍ ରହିବା ଟା କଣ ଠିକ୍ ହେବ? 


ବିଶୃଙ୍ଖଳିତ ଛାତ୍ର ଛାତ୍ରୀଙ୍କୁ ବାଟକୁ ଆଣିବା ତ ତାର କର୍ତ୍ତବ୍ୟ। ତାକୁ ତା ଆତ୍ମା ଧିକ୍କାର କରିଲା। ସୋମା ସକାଳୁ ସକାଳୁ କଲେଜକୁ ବାହାରିଗଲା । ଅଧ୍ୟକ୍ଷଙ୍କ ଆଗରେ କାଲିର ଘଟଣା ଟିକନିଖ ଭାବରେ ଉପସ୍ଥାପନା କରିଲା। ପିଲାଙ୍କର ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ ସେମାନଙ୍କର ଅଭିଭାବକଙ୍କୁ ତୁରନ୍ତ ଡକା ଗଲା। ଆଶ୍ଚର୍ଯ୍ୟର ବିଷୟ ପୁଅର ବାପା ମା ଏ ଖବର ଶୁଣି ପ୍ରତିକ୍ରିୟାଶୂନ୍ୟ ରହିଲେ। ଏଇ ବୟସରେ ଏପରି କାମ ଅତି ସାଧାରଣ କହି ସେଠାରୁ ଚାଲିଗଲେ। 


  ଝିଅଟିର ବାପା ମା ଝିଅ ଆଡ଼କୁ ଅତି ତୀକ୍ଷ୍ଣ ନଜରରେ ଅନେଇବାରୁ ସେ କାନ୍ଦି କାନ୍ଦି ଫିଜିକ୍ସ ମ୍ୟାମ ତାକୁ ମିଛରେ ଏଥିରେ ଫସେଇ ଦେଇଛନ୍ତି ବୋଲି କହିଲା। ଝିଅଟିର ଅଭିଯୋଗ ଅନୁଯାୟୀ ସୋମା ପ୍ରତ୍ୟେକ ଦିନ ଡେରିରେ କ୍ଲାସ ଯାଏ। କ୍ଲାସରେ ଅଳ୍ପ ପାଠ ପଢ଼ାଇ ମୋବାଇଲରେ ଗପେ। ପାଠ ପଢ଼ାଇଲା ବେଳେ ମୋବାଇଲରେ କାହିଁକି ମ୍ୟାମ ଗପୁଛନ୍ତି ବୋଲି ତିନି ଚାରିଦିନ ତଳେ ସେ ସମସ୍ତଙ୍କ ସାମ୍ନାରେ ପଚାରିଥିଲା ବୋଲି ମ୍ୟାମ ତାକୁ "ତୋତେ ଦେଖିନେବି" ବୋଲି କହିଥିଲେ। କାଲି ବି ମ୍ୟାମ କ୍ଲାସକୁ ବହୁତ ଡେରିରେ ଆସିଥିଲେ। ପିଲାମାନେ ତାଙ୍କୁ ଅପେକ୍ଷା କରି ଶେଷରେ ନିରାଶ ହେଇ ଫେରି ଯାଇଥିଲେ। ତାର କିନ୍ତୁ ଫିଜିକ୍ସରେ ଡାଉଟ ଥିବାରୁ ସେ ମ୍ୟାମଙ୍କୁ ଅପେକ୍ଷା କରି କ୍ଲାସରେ ବସି ରହିଥିଲା। ୧୧:୩୦ ରେ ଥିବା କ୍ଲାସକୁ ମ୍ୟାମ ୧୨ଟା ପରେ ଆସିଥିଲେ। ତାକୁ ଏକୁଟିଆ ଦେଖି "ଭାରି ପାଠ ପଢ଼ାଳି ଟା' କହି କମେଣ୍ଟ କରିଥିଲେ। ସେ ପାଠ ବିଷୟରେ ପ୍ରଶ୍ନ ପଚାରିବାରୁ ମ୍ୟାମ ତାର ଉତ୍ତର ନ ଦେଇ ଫୋନରେ ଗପିବାରେ ବ୍ୟସ୍ତ ରହିଲେ। ସେହି ସମୟରେ ସେଇ ବଡ଼ଭାଇ ଜଣଙ୍କ ସେ ରାସ୍ତା ଦେଇ ଯାଉଥିବାରୁ ସେ ତାଙ୍କୁ ସବୁକଥା କହିଥିଲା। ଭାଇ ଜଣକ ମ୍ୟାମଙ୍କ ବିରୁଦ୍ଧରେ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିବା ପାଇଁ କହିଲେ। ଆମେ ଦୁହେଁ କାଳେ ଆପଣଙ୍କୁ କିଛି ତାଙ୍କ ନାଁ ରେ କହିଦେବୁ ସେଥିପାଇଁ ମ୍ୟାମ ଆମ ନାଁ ରେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଯଦି ମୁଁ ମିଛ କହୁଛି ତେବେ ତାଙ୍କ କ୍ଲାସର ପ୍ରତ୍ୟେକଟି ପିଲାଙ୍କୁ ପଚରାଯାଉ ଯେ ମ୍ୟାମ କାଲି କ୍ଲାସକୁ ଠିକ୍ ଟାଇମରେ ଆସିଥିଲେ କି? ମ୍ୟାମଙ୍କୁ ଅପେକ୍ଷା କରି କରି ସେମାନେ ଶେଷରେ ବାଧ୍ୟ ହେଇ କ୍ଲାସରୁମରୁ ଚାଲି ଯାଇଥିଲେ କି ନାହିଁ?


  ପିଲାମାନଙ୍କୁ ଡକେଇ ଯେତେବେଳେ ଅଧ୍ୟକ୍ଷ କାଲିର କ୍ଲାସ ବିଷୟରେ ପଚାରିଥିଲେ ସବୁ ପିଲା ସୋମା ମ୍ୟାମ କାଲି କ୍ଲାସକୁ ଆସିନାହାନ୍ତି ବୋଲି କହିଥିଲେ। ପ୍ରିନ୍ସିପାଲ ରାଗିଯାଇ ସୋମାକୁ ଚାକିରିରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ ଓ ସେ ଝିଅ ସଞ୍ଜନାର ବାପା ମା ସୋମାକୁ ଚରିତ୍ରହିନା କହି ଚାଲି ଯାଇଥିଲେ। 


 ତା ପରଦିନ ଠାରୁ ସଞ୍ଜନା ଓ ସେ ପୁଅ ସୋମାକୁ ଦେଖିଲାକ୍ଷଣି ହାତ ଧରାଧରି ହୋଇ ଏମିତି ବିଦ୍ରୁପ କରି ହସୁଥିଲେ ଯେ ସୋମା ନଜାଣିଲା ପରି ମୁଣ୍ଡ ତଳକୁ କରି ସେ ଜାଗାରୁ ଚାଲିଆସେ। 


   ସୋମାର ବିବାହ ପାଇଁ ଅନେକ ଜାଗାରୁ ଲୋଭନୀୟ ପ୍ରସ୍ତାବ ଆସୁଥିଲା। ବିବାହ କରିବା ପାଇଁ ପ୍ରବଳ ଚାପ ସୋମା ଉପରେ ପଡୁଥିଲା। ସୁମିତ ନୂଆବର୍ଷରେ ଘରକୁ ଆସିଲେ ସୋମା ସମ୍ପର୍କରେ ଘରେ ଜଣେଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସୋମା ଖୁସିରେ ସୁମିତର ଫେରନ୍ତା ପଥକୁ ଚାହିଁ ରହିଥିଲା। ସୁମିତର ବିବାହ ପାଇଁ ତା ମା ଏକ ଝିଅର ଫୋଟୋ ତା ପାଖକୁ ପଠେଇଥିଲେ। ଝିଅଟି ଅତି ଧନାଢ୍ୟ ପରିବାରର ଓ ତାଙ୍କ ପରିବାର ସହିତ ମେଳ ଖାଇବ ବୋଲି ସୁମିତର ମା କହିଥିଲେ। ସେ କିନ୍ତୁ ତା ପାଇଁ ଝିଅ ଠିକ୍ କରି ସାରିଛି ବୋଲି କହିବାରୁ ତା ମା ବାପା ରାଗି ଯାଇଥିଲେ। ଏକମାତ୍ର ପୁଅର ବିବାହ ସେ ନିଜ ପସନ୍ଦ ଅନୁଯାୟୀ କରିବେ ଓ ତା ସହିତ ସୁମିତକୁ ପଢିବାରେ ଯେତିକି ଖର୍ଚ୍ଚ କରିଛନ୍ତି ତାର ଭରଣା ସ୍ୱରୂପ ମୋଟା ଅଙ୍କର ଯୌତୁକ ବି ନେବେ ବୋଲି କହିଥିଲେ। ମା ବାପାଙ୍କଠାରୁ ଏପରି ରୋକଠୋକ କଥା ଶୁଣି ସେ ସ୍ତବ୍ଧ ହେଇଯାଇଥିଲା। ତଥାପି ସେ ସାହସ ସଞ୍ଚୟ କରି ଘରକୁ ଆସିଲା ପରେ ସୋମାର ଫୋଟୋ ସମସ୍ତଙ୍କୁ ଦେଖାଇଥିଲା। ସୋମାର ଫୋଟୋ ଦେଖି ନିର୍ଲ୍ଲଜି, ବେଇମାନି, ଦୋଚାରୁଣୀ ଏପରି କହି ତା ଫୋଟୋଟିକୁ ଚିରି ଫିଙ୍ଗି ଦେଇଥିଲେ। 


   ସୁମିତର ଭଉଣୀ ସଞ୍ଜନା ଏଇ ଝିଅଟି ତା ଫିଜିକ୍ସ ମ୍ୟାମ ଯିଏକି ତାକୁ ମିଛ କେସ୍ ରେ ଫସେଇଥିଲେ ବୋଲି ସବୁକଥା କହିଥିଲା। ସୁମିତ ଫୋନରେ ଗାଁ ଶେଷ ମୁଣ୍ଡରେ ଥିବା ଆମ୍ବତୋଟାକୁ ସୋମାକୁ ଡାକିଲା। ସୁମିତ ଗୋଟିଏ କଳା ଚଷମା ପିନ୍ଧି ଆସିଥିଲା। ତାକୁ ଦେଖି ସୋମା ଖୁସିରେ ଜାବୁଡ଼ି ଧରିଲା। ଯାହାହେଉ ଏତେ ଦିନପରେ ସୁମିତ ତା କଥା ମାନି ନିଜେ ନିଜେ କଳା ଚଷମା ଲଗେଇ ଆସିଛି। ସେ ଖୁସିରେ ଆତ୍ମହରା ହୋଇ ଉଠିଲା। ସେ ସୁମିତର ଛାତି ଉପରେ ମୁଣ୍ଡ ରଖି "ଆଇ ଲଭ ୟୁ ଠୁ ଠୁ ମଚ" ବୋଲି କହି ସୁମିତର ଗାଲ ପାଖକୁ ନିଜ ମୁହଁ ନେଲାବେଳେ ସୁମିତ ତାକୁ ଦୂରକୁ ଠେଲି ଦେଇ କହିଲା


- ସୋମା ତୁମପରି ଝିଅ ଆମ ଘର ପାଇଁ ଯୋଗ୍ୟା ନୁହେଁ । ତୁମର ମୋର ରାସ୍ତା ଅଲଗା। ଆଜିଠାରୁ ମୁଁ ତୁମର କେହି ନୁହେଁ।


 ସୋମାଠାରୁ କୌଣସି ଉତ୍ତର ନ ଶୁଣି ସେ ମଟରସାଇକେଲରେ କ୍ଷିପ୍ର ଗତିରେ ଚାଲିଗଲା। ସୋମା ମୁଣ୍ଡରେ ସତେ ଯେମିତି ଆକାଶ ଛିଡ଼ି ପଡ଼ିଲା। ସେ ସୁମିତକୁ ବାରମ୍ବାର ଫୋନ କରିଲା, କିନ୍ତୁ ସୁମିତର ଫୋନ ସୁଇଚଡ୍ ଅଫ୍ କହୁଥିଲା। ସୁମିତ ଗାଁକୁ ଆସିବା ବନ୍ଦ କରିଦେଇଥିଲା। ଏ ଭିତରେ ବର୍ଷେ ବିତିଗଲାଣି। ସୋମା ଯଥାସମ୍ଭବ ଚେଷ୍ଟା କରିଛି ସୁମିତ ସହିତ ଯୋଗାଯୋଗ କରିବା ପାଇଁ, କିନ୍ତୁ ସେ ପ୍ରତିଥର ନିରାଶ ହେଇଛି। ସୋମା ବାପାଙ୍କ ଦେହ ପ୍ରାୟ ଖରାପ ରହୁଥିଲା। ସେ ସୋମାର ବିବାହ ପାଇଁ ବ୍ୟସ୍ତ ହୋଇ ଉଠିଲେ। ତାର ଆଉ କିଛି କରିବାର ଗତି ନଥିଲା। ସେ ବାପାଙ୍କ କଥାରେ ବିବାହ ପାଇଁ ରାଜି ହେଇ ଯାଇଥିଲା। 


 ସୋମାର ବିବାହ ଅତ୍ୟନ୍ତ ଧୁମଧାମରେ ଜଣେ ଖ୍ୟାତନାମା ଡାକ୍ତରଙ୍କ ସହିତ ହେଇଗଲା। ବିବାହପାଇଁ ଅନେକ ଶୁଭେଚ୍ଛା ତାକୁ ହ୍ଵାଟ୍ସଆପରେ ମିଳିଥିଲା। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲା ବେଳେ ଦେଖିଲା ଏକ ଅଜଣା ନମ୍ବରରୁ ତା ପାଖକୁ ଫୋଟୋଟିଏ ଆସିଛି ଓ ଫୋଟୋ ତଳେ ଲେଖା ହେଇଛି

" ଉଇଶ ୟୁ ଏ ହାପି ମ୍ୟାରେଡ଼ ଲାଇଫ। ୟୁ ଡିଜର୍ଭ ଦ ବେଷ୍ଟ"।

ସେ ଫୋଟୋ ଉପରେ କ୍ଲିକ କଲା।


 ଆରେ ଏ କଣ! ଫୋଟୋଟିରେ ସୁମିତ ତା ପରିବାର ସହିତ ଥିଲା। ସଞ୍ଜନା ଯେ ସୁମିତର ଭଉଣୀ ତାହା ଆଉ ଅବୁଝା ନଥିଲା। ଏ ଫୋଟୋରେ ମଧ୍ୟ ସୁମିତ କଳା ଚଷମା ପିନ୍ଧିଥିଲା। ଏ ଫୋଟୋ ଦେଖିଲା ପରେ ସତେ ଯେମିତି ଜୀବନର ସବୁ ଗଣ୍ଠି ପଡିଥିବା ସମ୍ପର୍କ ଫିଟି ଯାଉଥିଲା। ସେ ସୁମିତର କଳା ଚଷମା ପିନ୍ଧିବାର ରହସ୍ୟ ବି ବୁଝିପାରିଥିଲା। 




 


Rate this content
Log in

More oriya story from Bismita Sahoo

Similar oriya story from Romance