କଲିକତି ଚାକିରୀ
କଲିକତି ଚାକିରୀ


ବୁଢ଼ାବଳଙ୍ଗ ନଦୀର ଦକ୍ଷିଣ ପଟ ମୌଜାରେ ବିଳାସପୁର ଗାଁ। ବିଂଶ ଶତାବ୍ଦୀର ଶେଷାର୍ଧରେ ମଧ୍ୟ ଉନ୍ନତିର ସେମିତି ବୈଶିଷ୍ଟ୍ୟ ଗାଁ'ଟିରେ ପରିଲକ୍ଷିତ ହୋଇନଥାଏ। ଗାଁ ଆରମ୍ଭ ଛକ ମୁଣ୍ଡରେ ଛପର ଛିଆଣି ଗୁଡ଼ିଆଣୀ ଘର ତେଜରାତି ଦୋକାନ, ସଦା ବାରିକର ଗୁମୁଟି ଆଉ ହଳିଆ ପାନ ଦୋକାନ। ଠାକୁରାଣୀ ପଦାରେ ଶନିବାରେ ହାଟ ପାଳି, ବହୁତ ଭିଡ଼, ଦୁଇ ତିନିଟା ଗାଁ'ର ଲୋକଙ୍କ ସପ୍ତାହର ଚଳଣି ଖୁରାକ ଯୋଗାଇବା ଦିନ।
ଦୁଇପାଖେ ମାଇଲ ମାଇଲ ଚାଷଜମି ମଝିରେ ଅଙ୍କାବଙ୍କା ହୋଇ ଲମ୍ବି ଯାଇଛି ନାଲିଗୁଡ଼ି ରାସ୍ତା। ରାସ୍ତା କଡରେ ତାଳ ଖଜୁରୀ ଗଛ, ପୁଣି ବେଳେବେଳେ ବର, ଅଶ୍ୱସ୍ଥ ଗଛ ମଧ୍ୟ ପଡ଼ିଯାଏ। ଖୁବ ଝଙ୍କାଳିଆ ଓହଳ, ବାଟେ ଯାଉଥିବା ଲମ୍ବାପଥର ପଥଚାରୀ ପାଇଁ ଘଡ଼ିଏ ବସି ପଡି ବିଶ୍ରାମ ନେବାପାଇଁ ପ୍ରକୃଷ୍ଟ ସ୍ଥାନ।
ଗାଁ ମଝିରେ ଅଛି ଗୋଟେ ଟ୍ୟୁବୱେଲ, ଯାହାର ସ୍ଥାନୀୟ ନାମ ଚାପାକଳ, ପ୍ରାୟତଃ ପିଇବା ପାଣି ପାଇଁ ବ୍ୟବହୃତ। ନହେଲେ କାଚକେନ୍ଦୁ ପରି ସ୍ୱଚ୍ଛ ପାଣି ବୁଢ଼ାବଳଙ୍ଗରେ ଥାଉ ଥାଉ ଅନ୍ୟ ଉତ୍ସର ଆବଶ୍ୟକତା କଣ!
ଅଧିକାଂଶ ଗ୍ରାମବାସୀ ନିରକ୍ଷର, ଜଣେ ଯଦି ଖୁବ ଜୋର ଘୋଷାରି ହୋଇ ଅଣ୍ଡର ମାଟ୍ରିକ ହୁଏ ତା'ର ଭାଉ କହିଲେ ନସରେ। ମୁଖ୍ୟତଃ ଧାନଚାଷ ସହ ବାଡ଼ି ଘରେ ପନିପରିବା, ଚାଳ ଛପରରେ ଲାଉ, କଖାରୁ, ବୋଇତାଳୁ ଆଦି ଘରେ ଘରେ ଚାଷ। ସର୍ବମୋଟ କହିବାକୁ ଗଲେ ସମସ୍ତେ ଆତ୍ମନିର୍ଭରଶୀଳ ଓ ପରିଶ୍ରମୀ।
କିନ୍ତୁ ଆଜିର ଯୁବସମାଜ ଅଳ୍ପ ପରିଶ୍ରମ ଓ ଅଧିକ ରୋଜଗାରରେ ରୁଚି ରଖୁଛନ୍ତି, ସେଥିପାଇଁ ଭିଟାମାଟି ଛାଡି ସୁଦୂର କାରଖାନାରେ କାମ କରିବା ସାଙ୍ଗକୁ ଭଲ ଦି' ପଇସା କମେଇ ପାରୁଛନ୍ତି। ଏହା ଆମ ଦେଶରେ ଘରୋଇକରଣ ପ୍ରଭାବରେ ଉଙ୍କିମାରି ଉଠିଥିବା ଶିଳ୍ପ ବିପ୍ଳବର ପ୍ରଭାବ। ଆଗରୁ କଥାରେ ଥିଲା," ନିଜ ବୁଦ୍ଧିରେ ଘାସ କାଟିବୁ ପଛେ ପର ବୁଦ୍ଧିରେ ଘୋଡା ଚଢ଼ିବୁନି "।ହେଲେ ଏବେ ତା'ର ବିପରୀତ ପରିଲକ୍ଷିତ ହେଉଛି। ଲୋକମାନେ ଗାଁ ଛାଡି ସହରୀ ଚାକଚକ୍ୟକୁ ବେଶୀ ଆପଣେଇନେଉଛନ୍ତି। ଯେଉଁମାନେ ଏସବୁକୁ ଗ୍ରହଣ କରିପାରିଲେ ନାହିଁ ସେମାନେ ଏମାନଙ୍କ ଆଖି ଆଗରେ ଗାଉଁଲି ମଫୁ।
××××××
"ଲେଙ୍କାସାହିର ଘନଲେଙ୍କା ପୁଅ ମଦନା, ଗଲା ସାଲ ଆର ଗାଁ'ର ସନିଆ ସହ ଚାଲିଗଲା କଲିକତାକୁ। କୁଆଡ଼େ ସେଠି ସନିଆ ଗୋଟେ କପଡ଼ା କାରଖାନାରେ ଚାକିରୀ କରେ, ବେସ! ଭଲ ଦି' ପଇସା କମାଉଛି। ସନିଆ ଏଥର ହୋରିରେ ଘରକୁ ଆସିଥିଲା, ତା' ରଙ୍ଗଢଙ୍ଗ ଚାଲିଚଳଣି ବଦଳିଗଲାଣି। କୁଆଡ଼େ କହୁଥିଲା ଆଗ ଥର ଆସିଲେ ଭାରିଜାକୁ ସାଙ୍ଗରେ ନେଇଯିବ, ରହିବା ଖାଇବା ଅସୁବିଧା ହେଉଛି।" ଏ ଥିଲା ହଳିଆ ପାନ ଦୋକାନ ଆଗରେ ଜୁଳୁକାର ଏମାନଙ୍କ ବିଷୟରେ ଚର୍ଚ୍ଚା।
ହଳିଆ ଦୋକାନ ଆଗେ ଜୁଳୁକାର ବିଦେଶୀ ଚାକିରୀର ବ୍ୟାଖ୍ୟା, ଶୁଣୁଥାନ୍ତି ହଳିଆ ଆଉ ଦୁଇ ଜଣ ଗାଁ ଲୋକ। ସମୟେ ସମୟେ କଥାର ଉତ୍ତରରେ ଅପର ପକ୍ଷ କହିଉଠୁଥାନ୍ତି,"ହଁ!! ସତ କଥା, ଆଜିକାଲି ଚାଷର କି ବା ଲାଭ, ସେଇଥିରେ ଘର ଚଳିବା କଷ୍ଟକର ହେଲାଣି, ବାଧ୍ୟ ହେଇ ସଭିଏଁ ସହର ଆଡେ ମୁହେଁଇଲେଣି।
××××××
ଠିକ ଏଇ ସମୟରେ ସେପଟୁ ଗାରପକା ଲୁଙ୍ଗି ପିନ୍ଧି, ପାଦରେ ଜୋତା ହାତରେ ବଳା ପକେଇ ହଳିଆ ଦୋକାନ ଆଡେ ଦମ୍ଭ ସହକାରେ ମାଡି ଆସୁଥାଏ ମଦନା।
ହଳିଆ ଟିକେ ନ'ଚିହ୍ନିଲା ପରି ପଚାରିଲା, "ଆରେ ଜୁଳୁକା! ୟେ କିଏ କିରେ? "
"କ'ଣ ମ ହଳିଆ କକା, ୟେ ପା ଆମ ମଦନା, ଲେଙ୍କା ସାହିର".... ।
"ଓହୋ... ଆରେ ରୂପ ଭେକ ବଦଳି ଗଲାଣି... ଜାଣି ହେଉନି "... ।
ମଦନା ଆସି ପହଞ୍ଚିବା କ୍ଷଣି ବସିଥିବା ବାଉଁଶମଞ୍ଚାରୁ ଉଠିପଡ଼ି କାନ୍ଧରେ ପକେଇଥିବା ଗାମୁଛାରେ ଝାଡ଼ି ଦେଲା ଜୁଳୁକା, ପାନଖିଆ ନାଲିଆ ଦାନ୍ତ ମେଲେଇ କହିଲା, "ଆସ ମଦନା ଭାଇ, ଏଇଠି ବସ"।
ମଦନା ବି ନିଜକୁ ସେତେବେଳେ ସମସ୍ତଙ୍କ ଠୁଁ ଅଲଗା, ବିଶେଷ ବୋଲି ଭାବି ଛାତି ଫୁଲେଇ ଚାଲୁଥିଲା, ତା' ଚାଲି ଢାଲି ସବୁଥିରେ ହୋଇଯାଇଥିଲା ଆକସ୍ମିକ ପରିବର୍ତ୍ତନ।
"ହାରେ! ତୁ ଜୁଳୁକା ନା!" ମଦନା ବିସ୍ମରି ଯିବା ପରି ପ୍ରଶ୍ନ କଲା।
ହଁ!! ମୁଁ ହିଁ...
ବର୍ଷେ ହେବ ଗାଁ'ରେ ନାହିଁ ତେଣୁ ମୁହଁ ଗୁଡା ମନେ ଅଛି ହେଲେ ନାଁ ମଥାରୁ ଚୋଲେଯାଇଛି... ।
ହଁ ହଁ... । ଏ ମଦନା ଭାଇ ତୁମେ କଲିକତାରେ କ'ଣ ଚାକିରୀ କର?
ମୁଁ, ଏକଟା କାପୋଡ଼ କାରଖାନାରେ ଆଛି! ବହୁତ ବଡ଼ ବଡ଼ ମିସିନ ଲଗେଇ ସୁତା କଟା ହୁଏ, ତା'ର ପର ସେଖାନେ ଲୁଗା ତଇରୀ ହୁଏ ।
ସେଠାରେ ରହି ମଦନା ବଙ୍ଗଳା ଶିଖିଚି ବୋଲି ଦେଖେଇ ହେଉଛି ନା ଓଡ଼ିଆ ଭୁଲି ଗଲାଣି କେଜାଣି ବଙ୍ଗଳା ଓଡ଼ିଆ ମିଶାମିଶି କରି ଭିନ୍ନ ଏକ ଢଙ୍ଗରେ କଥା ହେଉଥାଏ।
ଧୀରେ ଧୀରେ ଆରମ୍ଭ ହେଲା କଲିକତା ଉପରେ ବିଶ୍ଲେସଣ, କେତେ ବଡ଼ ସହର, ଲମ୍ବା ଲମ୍ବା କୋଠା, ଲୋକଙ୍କ କଥାବାର୍ତ୍ତା ଚାଲି ଚଳଣି ସବୁ କିଛିକୁ ବଖାଣି ଚାଲୁଥାଏ ମଦନା, ହାଁ କରି ପିଇ ଯାଉଥାନ୍ତି ହଳିଆ ଆଉ ଜୁଳୁକା।
ଏଥର ମଦନା କହିଲା ଗାଁ' ରେ କିଛୁ ନାଇଁ, ବହୁତ ଗରମ, ହାୱା ଖାଇତେ ଆସିଲି ଏପଟେ । କଣ ପାଇଁ ଯେ ଆସୁଥିଲି ଏଇ ସମୟେ ଗାଁ'କୁ । ଏଥର ଶୀତ ଦିନେହିଁ ଆସିବି ।
ନିକଟ ଏକ ବରଗଛ ଗଣ୍ଡିରେ ବସିଥାଏ, ଧରମା ବୁଢାପା, ସବୁକିଛିକୁ ଶୁଣୁଥାଏ ଆଉ ଗାଁ'ର ନିନ୍ଦା ସେ ସହିପାରିଲାନି। ପୁରୁଷ ପରେ ପୁରୁଷ ଧରି ଯେଉଁ ଭିଟାମାଟି ପାଣି ପବନରେ ବଡ଼ ହେଲେ ସେଇ ପାଣି ପବନକୁ ନିନ୍ଦୁଚି, ପୁଣି ଆମ ଭାଷା ଆମ କଥାକୁ ବିକୃତ କରିଦେଇସାରିଲାଣି। ଆଉ ବୁଢାପା ନିଆଁବାଣ ହୋଇ ଉଠି ଆସିଲା ଠୋ' କରି ମଦନା ଗାଲରେ ଶକ୍ତ ଚାପୁଡ଼ାଟେ ବସେଇଦେଲା, ମଦନା ସହି ନପାରି କହିଲା, "ମାଆ ଲୋ"।
ବୁଢାପା କହିଲା, କିରେ କହିଲୁନି କଲିକତା ଲୋ !
ହାରେ ! କଲିକତାରେ ଚାକିରୀ କରିନୁ ତ ଆମ ଭାଷା ସଂସ୍କୃତିକୁ ବିକି ଭାଙ୍ଗି ଖାଇଦେଇଛୁ, ଧିକ! ତୋ' କଲିକତି ଚାକିରୀ... ।
ଜୁଳୁକା ଆଉ ହଳିଆ ହାଁ କରି ଦୁଇ ଜଣଙ୍କୁ ଅନେଇଥା'ନ୍ତି।