Lipi Sahoo

Comedy

4.7  

Lipi Sahoo

Comedy

କଇଁଆ ଭୂତ

କଇଁଆ ଭୂତ

3 mins
284


ଗଛଟିକୁ ଦେଖି ଦେଲେ ମନରେ ଆପେ ଆପେ ଏକ ଶିହରଣ ଆସିଯାଏ । ଚୀର ହରିତ୍ ଆଉ ଖୋଲା ଛତା ଭଳି ଆକାର । ସବୁବେଳେ ଛୋଟ ଛୋଟ ପତ୍ର ଗୁଡିକ ଦୋଳାୟିତ ହେଉ ଥାଆନ୍ତି । ଟିକିଏ ପବନ ହେଲେ ଏକ ପ୍ରକାର ସର୍ ସର୍ ଶବ୍ଦ ଶୁଭାଯାଏ । ଯାହା କୁହ ଏକ ଆକର୍ଷଣ ଶକ୍ତି ଥିଲା ସେଇ ତେନ୍ତୁଳି ଗଛର । ଯେ କେହି ବି ଟାଣି ହେଇ ଚାଲିଯିବେ ତା ତଳକୁ । ଅପୂର୍ବ ଶୀତଳତା ଥିଲା ତା'ର ମୂଳରେ । ଗଛଟି ଥିଲା ଆମ ଏମ୍ ଇ ସ୍କୁଲଠାରୁ ଟିକେ ଦୂରରେ ଥିବା ଛୋଟିଆ ପଡିଆ ମଝିରେ । ତା'ର ପାଖାପାଖି ଥିଲା ଅନେକ ଅନାବନା ବୁଦାଗଛ । 


         ଗଛକୁ ନେଇ ଥିଲା ପିଲାଙ୍କ ଭିତରେ କୋକୂଆଭୟ । ଲୋକେ କୁହନ୍ତି ସେଇ ଗଛରେ ଭୂତ ରୁହେ । ଆମେ ଦିନରେ ବି ଡରୁ ସେଇ ଗଛ ପାଖ ଦେଇ ଯିବାକୁ । ଯେତେବେଳେ ପାଚିଲା ତେନ୍ତୁଳିରେ ଲଦି ହେଇପଡେ ଗଛଟି ପିଲାମାନେ ଆଉ ସମ୍ଭଳା ପଡନ୍ତିନି । କି !! ମିଠା ସେ ତେନ୍ତୁଳି ଯେ ନ ଚାଖିଚି ସେ ବିଶ୍ବାସ କରି ପାରିବନି । ପିଲାମାନେ ନିଜେ ନିଜେ ଏକ ନିୟମ ବନେଇ ଥିଲେ । ଦିନରେ ୬୵୭ ପିଲା ମିଶି ସେ ଗଛମୂଳକୁ ଗଲେ କିଛି ଅସୁବିଧା ନାଇଁ । ଆଉ ତଳେ ପଡିଥିବା ପାଚିଲା କଇଁଆ ଗୋଟେଇ ପାରିବ ହେଲେ ଗଛକୁ ଗୋଟେ ବି ଟେକା ମାରି ପାରିବ ନାଇଁ । ନ ହେଲେ ଭୂତ ମାଡି ବସିବ । ସେଇ ନିୟମରେ ପିଲାମାନେ କଇଁଆ ପାଚିଲେ ଗଛମୂଳକୁ ଯାଆନ୍ତି । ହଁ , ସେଠି ପାଟିତୁଣ୍ଡ ବି କରି ପାରିବ ନାଇଁ । ଚୁପଚାପ କଇଁଆ ଗୋଟେଇବ ବେଶୀ ଦରକାର ଥିଲେ ଫୁସଫୁସ କଥା ହେଇ ପାରିବ । ସବୁପିଲା ସେ ଗଛମୂଳକୁ ଯିବାର ସାହାସ କରି ପାରନ୍ତି ନାହିଁ । କିଛି କିଛି ସାହାସୀ ପିଲା ଦଳବାନ୍ଧି ଯାଆନ୍ତି କଇଁଆ ଆଣନ୍ତି । ତାଙ୍କ ପଛରେ ବାକି ପିଲା ପଡିଯାଆନ୍ତି ଟିକିଏ କଇଁଆ ଚାଖିବା ପାଇଁ । ଓଃ !! ସେତେବେଳେ ସେ ପିଲାମନଙ୍କର ଭାଉ ଦେଖିବା ଭଳିଆ । ନିଜକୁ ରାଷ୍ଟ୍ରପତି ବୋଲି ମନେ କରନ୍ତି । ଯାହା ଉପରେ ଦୟା ଆସିଲା ତାକୁ ଦେବେ ନ ହେଲେ ନାଇଁ । 


                 ଯେଉଁ ଦିନ ବାର୍ଷିକ ପରୀକ୍ଷା ସରିଲା । ସେ ଦିନ ଆମ ଖୁସି ଆକାଶ ଛୁଇଁଥିଲା । ଏକଥା କହିବା ବାହୁଲ୍ୟ ମାତ୍ର । ଆଉ ସେଇ ସ୍କୁଲରେ ଶେଷ ଦିନ ଥିଲା ଆମର । ରେଜଲ୍ଟ ବାହାରିଲା ପରେ ନୂଆ ବଡ ସ୍କୁଲରେ ନାମ ଲେଖେଇବୁ । ଆଉ ଏଇ କଇଁଆ ଗଛକୁ ଦେଖିବାର ସୁଯୋଗ ମିଳିବନି ଖାଇବା ତ ଦୂରର କଥା । ଛାଡି ଯିବା ପୂର୍ବରୁ ମନଭରି କଇଁଆ ଖାଇବାକୁ ଭାରି ଇଚ୍ଛା ହେଲା । ଗଛ ବି ଲଦି ହେଇଥାଏ ପାଚିଲା କଇଁଆରେ । ସେ ଦିନ ହଠାତ ଅଦମ୍ୟ ସାହାସ ଜାଗି ଉଠିଲା ମୋ ଭିତରେ । ମୁଁ ମୋ ସାଙ୍ଗ ରୂପା , ଦିନା , ନାରଣ , ଶମ୍ଭୁକୁ ଡାକି ବୁଝାସୁଝା କରି ଗଛ ମୂଳକୁ ଗଲି । ପବନ ଯୋଗୁଁ ଗଛରୁ ଏକ ସରସର ଆବାଜ୍ ଆସୁଥାଏ । ଗଛତଳ ପୂରା ଥଣ୍ଡା ଥଣ୍ଡା ଲାଗୁଥିଲା ଦେହ ଶିହରି ଗଲା । ଖରାବେଳ ଯୋଗୁଁ ଚାରିଆଡ ଶୂନଶାନ ହେଇ ଯାଇଥାଏ । ପିଲାସବୁ ଯେଝାଘରକୁ ଫେରି ଯାଇଥିଲେ । ଆମ ମନରେ ଭୟ ବି ଥାଏ । ସେଠି ପହଞ୍ଚି ଦେଖିଲୁ ଦୁର୍ଭାଗ୍ଯକୁ ଗୋଟେ ବି କଇଁଆ ତଳେ ପଡି ନଥଲା । ମନଟା ଖଟା ହେଇଗଲା । ଖାଇବା ଲୋଭକୁ ଭୟ ଦୁହିଁଙ୍କ ଭିତରେ ଯୁଦ୍ଧ ଚାଲିଲା ।


                    ମୋ ଖୁରାଫତି ମୁଣ୍ଡରେ ଗୋଟେ ବୁଦ୍ଧି ପଶିଲା । ମୁଁ ସମସ୍ତଙ୍କୁ ଡାକି କହିଲି ଚାଲ , ଭୂତକୁ ହାତଯୋଡି ପ୍ରାର୍ଥନା କରିବା କି ଆମେ ଛୋଟପିଲା , ଆମକୁ କଇଁଆ ଖାଇବାକୁ ବହୁତ ଇଚ୍ଛା ହେଉଚି । ଦୟାକରି ଆମକୁ ଅନୁମତି ଦିଅ କି ଆମେ ଟେକାମାରି ଦୁଇଟା କଇଁଆ ଝଡେଇବୁ । ଚାରିଜଣ ପ୍ରଥମେ ଟିକେ ଏପଟ ସେପଟ ହେଲେ ମୋ କଥା ଶୁଣି । କ'ଣ ପାଗଳ ଭଳିଆ ଗପୁଚି ଭାବି । ହେଲେ କଇଁଆ ଲୋଭରେ ବାଧ୍ଯ ହେଇ ଆଖିବୁଜି ହାତ ଜୋଡିଲେ ।                    

       

           ହଠାତ୍ ମଡମାଡ ହେଇ ଗୋଟିଏ ଶୁଖିଲା ଡାଳ ଖସିଲା । ଛାନିଆରେ ବୋପାଲୋ !! କହି ଆମେ ଦୌଡିଲୁ ଖଣ୍ଡେ ବାଟ । ଦୂରରୁ ମୋଡି କି ଅନେଇ ଦେଖିଲୁ , ସେ ଡାଳରେ ପେନ୍ଥା ପେନ୍ଥା କଇଁଆ ଝୁଲିଚି । ଆମେ ଭାବିଲୁ କଇଁଆଭୂତ ବୋଧେ ଦୟାକରି ଆମକୁ ଏଇ କଇଁଆ ଦେଇଚି । ସାହାସ କରି ଚାରିଜଣ ଯାକ ଡରି ଡରି ହାତ ଧରାଧରି ହେଇ ଆସିଲୁ ସେଇ ଡାଳ ପାଖକୁ । ମନ ଇଚ୍ଛା ଖୁସିରେ ତୋଳି ଚାଲିଲୁ କଇଁଆ । ଭୂତକଥା ପୂରା ଭୂଲି ଯାଇଥିଲୁ ସେତେବେଳେ । ସବୁ କଇଁଆ ତୋଳି ସାରିଲା ପରେ ଆମର ମନେ ପଡିଲା କଇଁଆଭୂତ କଥା । ଉପରକୁ ଅନେଇ ଦେଖିଲୁ ଗୋଟେ ହନୁମାଙ୍କଡ ମନ ଦେଇ ଖାଇ ଚାଲିଚି କଇଁଆ । ସେଇବୋଧେ ଏଇ ଡାଳକୁ ଭାଙ୍ଗିଥିଲା । ଆରେ ଆମେ ଯାହାକୁ କଇଁଆଭୂତ ଭାବିଥିଲୁ ସେ ବାହାରିଲା ହନୁ ......।।

                    


Rate this content
Log in

Similar oriya story from Comedy