କଦମ୍ବ ବନର କାନ୍ଦୁରୀ କନ୍ୟା
କଦମ୍ବ ବନର କାନ୍ଦୁରୀ କନ୍ୟା
{ ଉପସଂହାର }
ପ୍ରିୟ ପାଠକ ପାଠିକା ବନ୍ଧୁଗଣ ଏହା ମୋର ନିଜସ୍ବ ଲିଖିତ ଏକ କାଳ୍ପନିକ କାହାଣୀ । ହୃଦୟସ୍ପର୍ଶୀ କାହାଣୀଟି ଇଶ୍ୱରୀୟ ମାହିମା ଉପରେ ଆଧାରିତ ଆଧ୍ୟାତ୍ମିକ ଏବଂ ଭକ୍ତିଭରା ଏକ ସୁନ୍ଦର ପରିବେଷଣ । ତେବେ ଆସନ୍ତୁ ପଢ଼ିବା ଆଜିର କାହାଣୀଟି।
ପରିବାରରେ ଥିଲେ ବାପାମାଆ ଏବଂ ଜଣେ ଦମ୍ପତି ।ସେମାନଙ୍କ ବିବାହର ଅନେକ ବର୍ଷ ବିତି ଯାଇଥିଲେ ବି ସୁଦ୍ଧାନିଃସନ୍ତାନ ଥିବାରୁ ମନରେ ଅନେକ ଦୁଃଖ । ଆଶା ଅଭିଳାଷା ଭରସା ସବୁକିଛି ଇଶ୍ୱରଙ୍କ ପାଖରେ ଅନେକ ବିନତି କରି ବାଢ଼ି ଦିଅନ୍ତି । କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଓଲଟା । ତଥାପି ସେମାନେ ଧୈର୍ଯ୍ୟର ସହ ପ୍ରଭୂ ଉପାସନାରେ ଦିନ ଅତିବାହିତ କରୁଥାଆନ୍ତି । ଥରକର କଥା ସେଦିନ ଥାଏ ଜାଗର ରାତ୍ରୀ । ସାରାଦିନର ଉପବାସ ,ପୂଜାର୍ଚ୍ଚନା ,ଦୀପଦାନ ଏବଂ ମହାଦୀପ ଉଠିବାପରେ ଭକ୍ତମାନେ ଯେଝାଗୃହକୁ ପ୍ରତ୍ୟାବର୍ତ୍ତନ କରିଗଲେ । ସେଦିନ ନିଃସନ୍ତାନ ଦମ୍ପତ୍ତି ମଧ୍ୟ ଶିବମନ୍ଦିରରୁ ଫେରିବା ସମୟରେ ବାଟରେ ପଡ଼ିଲା ଏକ ଘଞ୍ଚଜଙ୍ଗଲ ଭରା ରାସ୍ତା । ସେଇ ରାସ୍ତାଦେଇ ଫେରିବା ସମୟରେ ସେମାନଙ୍କୁ ଶୁଣାଗଲା ନବଜାତ ଶିଶୁଟିଏ ର କାନ୍ଦଣା ସ୍ୱର । ଅବଶ୍ୟ ଏକଥା ସ୍ତ୍ରୀ ପ୍ରଭାଦେବୀ ଆଗରୁ ସ୍ୱପ୍ନରେ ଦେଖିଥିଲେ କି ଜଙ୍ଗଲ ମଧ୍ୟରେ ଶିଶୁଟିଏ କୁଆଁରାବ ଦେଇ ଅନାଥପ୍ରାୟ କାନ୍ଦୁଥିଲା ତାଙ୍କ ସ୍ୱପ୍ନରେ । ସେ ସ୍ୱର ତାଙ୍କ କାନରେ ମାଆମାଆ ବୋଲି ବାଜୁଥିଲା । ଏ ସ୍ୱପ୍ନ କଥା ସେ ନିଜସ୍ୱାମୀ ରତ୍ନାକରଙ୍କୁ ପ୍ରକାଶ କରିଥିଲେ । ଏବେ ଜଙ୍ଗଲ ପଥ ମଧ୍ୟରୁ ଏପରି ଅନାଥ ପ୍ରାୟ କେଉଁ ଶିଶୁ କାନ୍ଦୁଛି ବୋଲି ସନ୍ଧାନ ନେବାପାଇଁ ସେ ସ୍ୱାମୀଙ୍କୁ ଅନୁରୋଧ କଲେ । ହେଲେ ସ୍ୱାମୀ ପ୍ରଥମତଃ ସ୍ତ୍ରୀ ପ୍ରଭାଦେବୀଙ୍କ କଥାରେ ପ୍ରାଧାନ୍ୟ ଦେଲେନାହିଁ। ସେ ତାଙ୍କୁ ପ୍ରତ୍ୟୁତ୍ତରରେ କହିଲେ ଏହା ତୁମ ସ୍ୱପ୍ନ ଯୋଗୁଁ ଭ୍ରମ ହୋଇପାରେ । ଚାଲ ଘରକୁ ଫୈରିଯିବା । ହେଲେ ଏଥର ସ୍ୱାମୀ ଉଭୟଙ୍କୁ ବନଭିତରେ ଏକାସଙ୍ଗେ କୁନି ଶିଶୁଟିର କୁଆଁକୁଆଁ କାନ୍ଦିବାର ଶୁଣାଗଲା । ତେଣୁ ସେମାନେ ପରସ୍ପରକୁ ବିସ୍ମିତହୋଇ ଅନାଇ ଏଣେତେଣେ ଖୋଜିବାକୁ ଲାଗିପଡିଲେ । ସତକୁ ସତ ସେଠାରେ ଥିବା ଏକ କଣ୍ଟକିତ ବୁଦା ନିକଟରୁ ସେମାନେ ଶିଶୁଟିକୁ ଠାବକଲେ । ଦେହଯାକ କ୍ଷତଦାଗ। ଚିରା ଲୁଗାରେ ଅଧା ଗୁଡା କୋମଳ ଶରୀର । ପ୍ରଭାଦେବୀ ଅତି ସ୍ନେହଭର ହୋଇ କୋଳକୁ ପିଲାଟିକୁ ଉଠାଇ ଆଣିଲେ କ୍ଷଣେ ବିଳମ୍ବ ନକରି । ନବଜାତ ଶିଶୁଟିର ନାହିନାଡ ଲାଗିକରି ରହିଥିଲା ।ସେ କାନ୍ଦିକାନ୍ଦି ପ୍ରଭାଦେବୀଙ୍କ ଲୁଗାକୁ କୁନିଆଙ୍ଗୁଳିରେ ଚାପିଧରିଲା । ନିଜ ଛାତିକୁ ଆଊଜାଇ ନେଲେ ସେ ଶୋକଭର ହୋଇଉଠିଲେ ।
ପ୍ରଭାଦେବୀ-: ଦେଖିଲ ପ୍ରଭୁଙ୍କ କରୁଣା । ସେ ଆମକୁ ଏ ଛୁଆଟିକୁ ଦେଇଛନ୍ତି। ଚାଲ ଆମେ ଏବେ ଶୀଘ୍ର ଘରକୁ ଫେରିଯିବା ତାକୁ ଚିକିତ୍ସା କରେଇବା । ସେ ଆମ ନେତ୍ରସମ୍ପତ୍ତି । ଆଉ ତା ନାଁ କଣ୍ ଦେବା ପଚାରିଲେ ରତ୍ନାକର। ତା ନାଁ ଆମେ
କଅଣ ରଖିବା...?? କଣ୍ ରଖିବା...?? ହଁ....ମନେପଡିଲା । ଆମେତାକୁ ଜାଗର ରାତିରେ ପାଇଛନ୍ତି ମହାଦେବଙ୍କ କୃପା ବଳରୁ
ତେଣୁ ତା ନାଁ ଦବା ଆମେ ଜାଗୃତି । ରତ୍ନାକରଙ୍କ ବେଶ ମନଖୁସିରେ ଭରିଗଲା ଜାଗୃତି ଶିଶୁକନ୍ୟାର ନାଁ ଟି ଶୁଣି । ସେମାନେ ଛୁଆଟିକୁ ନେଇ ଅବିଳମ୍ବେ ସେଠାରୁ ଚାଲିଲେ । ତାକୁ
ପ୍ରଥମେ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ । ସେ ସୁସ୍ଥହୋଇ ଘରକୁ ଫେରିବା ପରେ ସାହିସାରା ଲୋକ ମୁଖରେ କେତେକଥା ଉଠିଲା । କିନ୍ତୁ ପିଲାଟିର ବାପାମାଆର ପରିଚୟ ନମିଳିବାରୁ ବେଶ୍ ଆନନ୍ଦରେ ଦମ୍ପତ୍ତି ପିଲାଟିକୁ ପାଳିଲେ । ବାଳ ଚନ୍ଦ୍ରପ୍ରାୟ ଶିଶୁକନ୍ୟାଟି ତାଙ୍କ ଭରଣପୋଷଣ ସ୍ନେହଶ୍ରଦ୍ଧାରେ ବଢିଚାଲେ । ପରିବାରରେ ତାରି ପାଇଁ ଖେଳିଉଠେ ଖୁସିର ଲହରୀ । ଏକୋଇଶିଆରେ ନାମକରଣ ଆଉ ବର୍ଷପୁରାଣି ଜନ୍ମଦିନ ସବୁକିଛି ଧୁମଧାମରେ ଘର ଆଊ ଗଳି ଥାଟବାଟ ଭୋଜି
ଖିଆ ପୂଜାପୂଜିରେ ଅତିଥି ଅବ୍ୟର୍ଥନାରେ ଗହଳଚହଳ ହୋଇଯାଏ । ତାର ଗୁଲୁଗୁଲୁଆ ଚେହେରା ଆଉ ଦରୋଟି ଅବୁଝା କଥାରେ ଦୁଃଖ ପୋସୋରି ହୋଇଯାଏ ସେମାନଙ୍କର । ଏମିତି ବିତିଗଲା ବର୍ଷ ପରେ ବର୍ଷ । ଜାଗୃତି ଆସିବାପରେ ଯେମିତି ଘରଟି ରଞ୍ଜନ ଗୋପଲକ୍ଷ୍ମୀରେ ପୁରି ଉଠିଲା ଦିନକୁଦିନ । ଟଙ୍କାପଇସା କି ଖାଦ୍ୟ ବସ୍ତ୍ରର ଅଭାବ ନଥିଲା । ଦିନକର କଥାଟିଏ ଘଟିଗଲା । ପ୍ରଭାଦେବୀ ନିଜ ଅଗଣାରେ ମୁଣ୍ଡ ବୁଲାଇ ପଡିଯିବା ସମୟରେ ଧାଇଁ ଧରିଲେ ରତ୍ନାକର । ଆଊ ଡାକ୍ତର ଦେଖାଇବାରୁ ଜଣାଗଲା
ସେ ୨ ମାସର ଗର୍ଭବତୀ ବୋଲି । ସେତେବେଳକୁ ଜାଗୃତି ୮ ବର୍ଷର ଅବୋଧ ବାଳିକାଟିଏ ହୋଇଥାଏ । ଏ ସମୟରେ ପ୍ରଭାଦେବୀଙ୍କ ମନରେ ଘାରିଲା ଗର୍ବର ବର୍ବରତା । ସେ ବଦଳି ଯାଇଥିଲେ ନିଜ ଗର୍ଭବତୀ ହେବାପରେ । ବଦଳିଲା ମାନବିକତା
ବଦଳିଗଲା ଜାଗୃତି ପ୍ରତି ମାତୃମମତାର ବ୍ୟବହାର । ଦିନକୁ ଦିନ ସେ କଠୋର ହୋଇଉଠିଲେ ଜାଗୃତି ପ୍ରତି । ଘରର ନାନା କାମଦାମ ର ଗୃହ ଜଞ୍ଜାଳ ତା ଉପରେ ଲଦିଦେଲେ । ଟିକି ଛୁଆଟି ଉପରେ । ରାଗ ଗରଗର ହୋଇ ତାକୁ କଥାକଥାକେ ମାର୍ ଧରି ବି କଲେ । ତାକୁ ଆଗପରି ମା'ର ମମତା ମିଳିଲାନି । ବାପା ରତ୍ନାକର ଅନେକ ବୁଝାସୁଝା କଲେ ମଧ୍ୟ କିଛି ଲାଭ ହେଲାନାହିଁ । ଜାଗୃତି ଅନେକ କାନ୍ଦୁଥାଏ । ତା ଗୋରା ଦେହମୁହଁ
ଶୁଖି ଟାଉଁସିଆ ଦିଶୁଥାଏ । କିନ୍ତୁ ପ୍ରଭାଦେବୀଙ୍କ ଅତ୍ୟାଚାର କମ୍ ହେଉନଥାଏ । ବାପା ରତ୍ନାକରଙ୍କ ସ୍ନେହକୁ ଆଶାବାଡି କରି ଜାଗୃତି ସବୁ ସହି ଯାଉଥାଏ । ଏଣେ ଗର୍ଭଭାର ବଢ଼ି ପ୍ରଭାଦେବୀ
ସମୟ ଅତିକ୍ରାନ୍ତେ ପୁଅଟିଏ ଜନ୍ମକଲେ ! ଦିନଯାକର ଦୁଃଖ ଗୁଡା କୁ ଜାଗୃତି ତା ଭାଈକୁ ଦେଖି ଭୁଲିଯାଏ । ଅଗଣାରେ ତାକୁ ଜଗିବସି ଖେଳାଇ ଭୁଲାଇ ତା ପ୍ରତି ଧ୍ୟାନ ରଖିଥାଏ । ଏସବୁ କଥା କିନ୍ତୁ ପ୍ରଭାଦେବୀଙ୍କ ଆଖିରେ ଗଲାନି । ସେ ତାକୁ ପୁଅଛାଇ
ବି ମାଡିବାକୁ ସଫା ଧମକ ଦେଲେ । ପୁଅକୁ ପାଇବାପରେ ଗର୍ବ ଅହଂକାରରେ ସେ ଫାଟିପଡିଲେ । ଜାଗୃତି ପ୍ରତି ଗାଳିମାଡ ଏବଂ ଅକଥନୀୟ ଅତ୍ୟାଚାର ବଢିଲା । ଏଣେ ଭଗବାନ ମହାଦେବଙ୍କ
କୋପ ବଢ଼ିଲା ତାଙ୍କ ଉପରେ । ଛୋଟ ଅବୋଧ ବାଳିକା ଟେ କେତେ ବା ଦୁଃଖ ଅତ୍ୟାଚାର ସହିବ । ଦିନେ ପ୍ରଭା ମାଡମାରି ତାକୁ ଘରୁ ବାହାରି ଯିବାକୁ କହିଲା । ସେତେବେଳକୁ ରତ୍ନାକର ବି ବ୍ୟବସାୟ କାରବାର ନେଇ ବାହାରକୁ ଯାଇଥିଲେ । ଅତି ଦୁଃଖରେ ଛୋଟଝିଅ ଜାଗୃତି କାନ୍ଦିକାନ୍ଦି ଅସହାୟ ହୋଇ ପଥପରେ ପଥ ଆଗେଇ ଚାଲିଲା ଏବଂ କେତେଦୂର ଅତିକ୍ରାନ୍ତ ପରେ ସେ ସେଇ ଜଙ୍ଗଲ ମଧ୍ୟରେ ଞଚେତାହରାଇ ପଡ଼ିଗଲା । ପାଖରେ ଥିଲା ଏକ ଶିବାଳୟ । ମହାଦେବ ସହିପାରିଲେ ନାହିଁ ପିଲାଟିର ବିକଳ ।ସେ ଏକ ଯୋଗୀ ବେଶରଧରି ତା ପାଖରେ ପହଞ୍ଚିଲେ । କମଣ୍ଡଳୁ ରୁ ପାଣିପିଆଇ ସଚେତ୍ କରାଇଲେ ଝିଅଟି ଯୋଗୀ ରାଜାଙ୍କୁ ପାଦରେ ପ୍ରଣାମ ଜଣାଇ କାନ୍ଦିକାନ୍ଦି ନିଜ ଦୁଃଖ କହିଗଲା ମହାଦେବ ସବୁଜାଣି ଜାଗୃତିକୁ ସେଠାରୁ ଊଭାନ୍ କରିଦେଲେ ଜଙ୍ଗଲ ମଧ୍ୟରୁ । ଜାଗୃତି ଯେଉଁ ଜଙ୍ଗଲରୁ ଆସିଥିଲା ସେଇ ଜଙ୍ଗଲରେ ସେ ଅଦୃଶ୍ୟ ହୋଇଗଲା ।
+++++ ++++++ +++++
ଏଥିଉତ୍ତାରୁ ମହାଦେବ ଏକ ଉପାୟ ଚିନ୍ତିଲେ । ପ୍ରଭାଦେବୀକୁ
ଉଚିତ୍ ଶିକ୍ଷା ଦେବାପାଇଁ। ତାର ଅହଂକାର , ସ୍ୱାର୍ଥପରତା ଏବଂ ଗର୍ବର ସମୂଳେ ବିନାଶ କରିବାପାଇଁ । ଆଉ ଏବେ ଆଗକୁ ସେଇ
ପରିବାର ସହ ଯାହା ଘଟିଗଲା । ଦୁଃଖର ପାହାଡ଼ ସତେକି ଭାଙ୍ଗି ପଡିଲା ତାଙ୍କ ଉପରେ । ଏଣେ ରତ୍ନାକର ବ୍ୟବସାୟ କାରବାର ସାରି ଫେରିବାପରେ । ତାଙ୍କ ଗେଲୀ ଛୋଟଛିଅ ଜାଗୃତି ଘରେ ନଥିଲା । ତାକୁ ଝୁରୁସରି ରତ୍ନାକର ଭାଙ୍ଗିପଡ଼ିଲେ । ପ୍ରଭାଦେବୀ ବଖାଣିଲେ ତାକୁ ସେ କିପରି ମାଡମାରି ଘରୁ ତଡିଦେଲେ ଘର ବାହାର ଅଗଣା ସବୁ ଖୋଜିବାପରେ ସେ ଛାତ ଉପରକୁ ଚଢିଗଲେ ସେଠାରେ ଦୂରଦୂରାନ୍ତକୁ ଆଖି ପକାଇଲେ କେଉଁଠି ଜାଗୃତି ଦୃଷ୍ଟିଗୋଚର ହେଲାନାହିଁ ତାଙ୍କର । ସେଠାରୁ ସେ ଫେରିଆସି ଦାଣ୍ଡରେ ପାଗଳ ପ୍ରାୟ ଧାଇଁଲେ କୁନି ଝିଅକୁ ଖୋଜି ଖୋଜି । ଗଲାବେଳେ ସମସ୍ତ ପଡୋଶୀ ମାନେ କହିଲେ ସେ ତ
କାନ୍ଦୁରୀଟା ଦୁଃଖିନି ଅଭାଗିନୀଟା ଆଜି ସେ କାନ୍ଦିକାନ୍ଦି କୁଆଡେ ସେଇ ଜଙ୍ଗଲ ଆଡେ ପଳେଇଥିବ । ତାକୁ ଆଊ କଣ୍ ତମେ ପାଇବ । ସଞ୍ଜ ହେଇ ରାତି ଆସିଲାଣି । ବାଘଭାଲୁ ଯଦି ବାହାରିବେ ତାକୁ ଖାଇଯିବେଣି । ସେମାନଙ୍କ ମୁହଁରୁ ଏମନ୍ତ କଥାଶୁଣି ପ୍ରଭାଦେବୀଙ୍କ ଉପରେ ରତ୍ନାକରଙ୍କର କ୍ରୋଧ ପ୍ରଚଣ୍ଡ ବଢ଼ିଲା । ତେଣୁ ସେ ଆଉ ଘରକୁ ଫେରିଲେ ନାହିଁ। କାନ୍ଦି କାନ୍ଦି
ଜଙ୍ଗଲ ରାସ୍ତାଦେଇ ଧାଇଁଲେ ।
ସେଇଦିନ ରାତିରେ ମେଞ୍ଚାଏ ଚୋରଦଳ ରତ୍ନାକରଙ୍କ ଘରେ ପଶି
ସିନ୍ଧୁକ ଭାଙ୍ଗି ସବୁ ଧନସମ୍ପତି ଲୁଟିନେଲେ । ତା ପରଦିନ ସକାଳୁ
ଭାଳେଣୀ ପଡିଗଲା । କାନ୍ଦବୋବାଳି ରେ ଘର ଫାଟିପଡିଲା । ସ୍ୱାମୀ ଫେରିଲେନି କି ଧନସମ୍ପତ୍ତି ବି ଫେରିଲାନି , ଫେରିଲାନି ଜାଗୃତି । ପ୍ରଭାଦେବୀଙ୍କ ପ୍ରତି ଭାଗ୍ୟଦେବୀ ମୁହଁ ବୁଲାଇନେଲେ ।
ଦିନେ ଅଗଣାରେ ଶେଯରେ ଖେଳୁଥିଲା ଶିଶୁପୁତ୍ର । ମାଁ ପାର୍ବତୀ
ନିଜ ବାହନ ବାଘକୁ ଆଦେଶ ଦେଲେ ଛୁଆଟିକୁ ଚୋରେଇ ଆଣିବାପାଇଁ । ତହୁଁ ବାଘଟିଏ ପ୍ରଭାଦେବୀ ଅଗଣାରେ ଗୋଟେ କୁଦା ମାରି ଛୁଆକୁ ପାଟିରେ ଧରି ସେଠାରୁ ଛୁ.....ମାରିଲା ।
ଘରକାମ ସାରି ପିଲାକୁ ଦେଖିବା ବେଳକୁ ତା ଶେଯ ଚାରିପାଖେ
ଖାଲି ବାଘପଞ୍ଛାର ଚିହ୍ନ ପଡ଼ିଥିବାର ଦେଖିଲେ । ବାଘ ଖାଇଗଲା ବୋଲି ରଡିକରି କାନ୍ଦିକାନ୍ଦି ମୁଣ୍ଡ ବାଡ଼େଇ ପୁଅକୁ ଅନେକ ବିକଳ ହେଇ ଡାକିଲେ ଓ ଖୋଜିଲେ । ହେଲେ ସେ ବି ଜବାବ ଦେଲାନି । ଶେଷରେ ତାଙ୍କର ମନେପଡିଲା ଏମିତି ଦିନେ ସେ ଜାଗୃତିକୁ ଜଙ୍ଗଲରୁ କେତେଯତ୍ନରେ ନେଇ ଆସିଥିଲେ । ନିଃସନ୍ତାନ ଥିବା ସମୟରେ ସେ କେତେ ବିକଳହୋଇ ଛୁଆଟିଏ ପାଇଁ ଶିବାଳୟକୁ ଯାଇଁ କାମନା ବାଢୁଥିଲେ ଇଶ୍ୱରଙ୍କ ପାଦରେ। ଓଷା ଉପବାସ କେତେ କଣ୍...!! ଏବେ ନିଜକୋଳ ଶୁନ୍ୟ ହେବାଦେଖି ସେ ଅନେକ୍ ଭତ୍ସନ୍ନା କଲେ ନିଜ କୃତକର୍ମ ପାଇଁ ଆଜି ସବୁ କିଛି ହରାଇ ସେ ପାଗଳୀ ପ୍ରାୟ ଦୌଡ଼ିଲେ ରାସ୍ତାର ଗଳିକନ୍ଦି । ଲୁହ ଝରାଇ ଝରାଇ ପୁଅଝିଅ ସ୍ୱାମୀ ପାଇଁ ଅନେକ ପଶ୍ଚାତାପ କରୁକରୁ ଆଖିର ଲୁହ ଧାରାଶ୍ରାବଣ ପାଲଟି ସାରିଥିଲା । କିଛିଦିନ ଗଲା ରୋଦନ କରିକରି କ୍ଷୁଧାତୃଷାରେ ବୁଲିବୁଲି...!!! ପ୍ରଭାର ଏତାଦୃଶ ଦୟନୀୟ ଅବସ୍ଥାକୁ ଦେଖି ଦିନେ ଦେବଦେବ କୈଳାସବାସି ଶିବ ଏବଂ ମାଁ ପାର୍ବତୀ ପ୍ରଭାକୁ ଅନେକ ଦୁଃଖଦେବା ପରେ, ଦିନେ ଇଶ୍ୱର ପାର୍ବତୀଙ୍କ ମନରେ ତା ପ୍ରତି କରୁଣା ହେଲା । ତାର ଗର୍ବ ଖଣ୍ଡନ ହେବାଦେଖି ସେମାନେ ତା ପ୍ରତି ସଦୟ ହେଲେ । ଏଣେ ରତ୍ନାକର ଅନେକ ବୁଲିବୁଲି ମହାଦେବ କାଶି ବାସୀଙ୍କ ପାଦତଳେ
ଶରଣ ନେଇଥିଲେ । ଭୋକ ଉପାସରେ ମନ୍ଦିରେ ପଡିପଡି ଜୟ ଶିବଶକ୍ତି ଜୟ ମାଁ ପାର୍ବତୀ, ॐ ନମଃ ଶିବାୟ ଭଜିଭଜି ଜାଗୃତିକୁ ଫେରି ପାଇବାକୁ ପ୍ରଭୂଙ୍କୁ ଭିକ୍ଷାକଲେ । ସେଇଦିନ ରାତିରେ ପ୍ରଭୂ ସ୍ୱପ୍ନାଦେଶ ଆଶୀର୍ବାଦ କରି କହିଲେ ....ଉଠ ରତ୍ନାକର ତୋର କଲ୍ୟାଣ ହେଉ....!!! ତୋ ସ୍ତ୍ରୀର ଗର୍ବର ବର୍ବରତା ସୀମାପାର ହୋଇଯିବାରୁ ମୁଁ ତାର ଗର୍ବ ଭାଙ୍ଗିବାକୁ ଏପରି ଘଟଣା ମାନ ଭିଆଇଥିଲି । ତୋର ମନୋସ୍କାମନା ପୂର୍ଣ୍ଣ ହେଉ....!! ଏହାକହି ଭଗବାନ ଶିବ ସେଠାରୁ ଅନ୍ତର୍ଧାନ ହୋଇଗଲେ । ରତ୍ନାକର ର ସ୍ୱପ୍ନ ଓ ନିଦ୍ରାଭଙ୍ଗ ହୋଇଗଲା । ସେ ହାତକୁ ଯୋଡ଼ି ମନ୍ଦିରରୁ ବାହାରି ଜଙ୍ଗଲକୁ ଧାଇଁଲା ଜାଗୃତି କୁ ଖୋଜିବା ପାଇଁ। ଏଣେ ମାଁ ପାର୍ବତୀ ପ୍ରଭାଦେବୀଙ୍କୁ ପଥ ମଧ୍ୟରେ ଜଣେ ବୁଢ଼ୀ ମାଁ ରୂପରେ ବାଟ ଓଗାଳିଲେ । କହିଲେ ମାଁ ତୁ କୁଆଡେ଼ ଯାଉଛୁ ...?? କାନ୍ଦୁଚୁ....!!! ଲାଗୁଚି ଅନେକ ଦିନ ହେଲା କିଛି ଖାଇନୁ କାହାଘର ଝିଅ ତୁ....?? କାହାଘର ବୋହୁ....?? ଏ ଗଛମୂଳଟାରେ ଅଖିଆ ଅପିଆ ପଡିଛୁ....?? ସମ୍ମୁଖରେ କାହାର ପାଟିଶୁଣି ସେ ଚମକି ପଡ଼ି ପୁଣି ଢେର୍ କାନ୍ଦିଲା ନିଜକୁ ଅନେକ ଭତ୍ସନ୍ନା କରି । ବୁଢୀମା'ଙ୍କ ପାଦତଳେ ପଡି କହିଲା.... ମୁଁ ନିହାତି ପାପୀନି...ମୋ ପାପର କ୍ଷମାନାହିଁ । ମୁଁ ଚଣ୍ଡାଳୁଣୀ ଅନେକ ଅତ୍ୟାଚାର କରିଛି ମୋ ଛୁଆ ପ୍ରତି । ତା ନାଁ ଜାଗୃତି । ସେ କୁଆଡେ ଗଲା ...??? ତାକୁ ମୁଁ ଅନେକ ଦୁଃଖଦେଇ ମାଡମାରି ଘରୁ ତଡିଦେଲି...!! ସେ କାନ୍ଦି କାନ୍ଦି ମୋ କୋଳ ଶୁନ୍ୟ କରି କେଉଁଆଡେ ଚାଲିଗଲା । ସେ ଯିବାପରେ ମୋ ଘର ଲକ୍ଷ୍ମୀଛଡା ହୋଇଗଲା । ମୋର ଗୋଟେ
ଶିଶୁପୁତ୍ର ଟିଏ ଜନ୍ମହେଲା । ଗର୍ବରେ ଅନ୍ଧୁଣିହୋଇ ମୁଁ ନିହାତି
ମଡିଛି ହୋଇଗଲି । ଏବେ ମୋ କଲାକର୍ମର ଶାସ୍ତି ଭୋଗୁଛି । ଏବେ ମୁଁ କେଉଁଠୁ ପାଇବି ମୋ ସୁଖସମ୍ପତି, ମୋ ଜାଗୃତି...!! ମୋ ସ୍ୱାମୀ....!! ମୋ ପୁତ୍ର.....!!! ଏମିତି ହେଇ ସେ ବିକଳରେ ଚିତ୍କାରକରି ଉଚ୍ଚସ୍ୱରରେ ଆହୁରି ରୋଦନ କଲା । ହେଲେ ମାଁ ତା ମଥାକୁ ଆଉଁସି ଆସ୍ୱସନା ଦେଇ କହିଲେ । ଆଲୋ...ମାଁ ଦେଖ୍ ହେଇ ଟିକେଦୂରରେ ମୋ ଛୋଟ କୁଡିଆଘର । ରାତି ଘନେଇ ଆସିଲାଣି । ବ୍ୟାଘ୍ର ଭାଲୁ ଏ ଜଙ୍ଗଲରେ ରାତିରେ ନିର୍ଭୟରେ ଚରାଚର ହୁଅନ୍ତି । ହେଲେ ମୋ ଘରେ ମୋର କୌଣସି ଭୟ ନାହିଁ । ଆ...ଚାଲିଆ....ମା...ମୋ ସହ ଆସ୍...ମୋ କୁଡ଼ିଆକୁ । ହେଲେ ପ୍ରଭା କହିଲା ନାଁ.... ମାଁ...ମୋ ଛୁଆକୁ ତ ବାଘ ନେଇଗଲା...ମୋତେ ବି ଖାଇଯାନ୍ତୁ ବଣର,ଯିବମାନେ । ମୋର ଆଊ ଏ ନିର୍ଲଜ ଜୀବନପ୍ରତି ଲୋଭନାହିଁ । ତାର ଏପରି କଥାଶୁଣି ବୁଢ଼ୀ ମାଁ ରୂପୀ ମାଁ ପାର୍ବତୀ ତାକୁ ଭରସାଦେଇ କହିଲେ ତୁ ଆସେ ମୋ ସହ ମୋର ଏଠି ଅନେକ ପରିଚିତ ଲୋକ ଓ ସ୍ଥାନ ଅଛି ସକାଳ ହେଲେ ମୁଁ ଲୋକ ପଠାଇ ଖୋଜିଆଣିବି । ମନରେ କିଛି ନ ବିଚାରି ମୋ ପଛେପଛେ ଚାଲି ଆ...!! ବୁଢ଼ୀ ମା, ଙ୍କର ଏପରି ସାନ୍ତ୍ୱନା ବାକ୍ୟଶୁଣି ପ୍ରଭାତୀ ମନରେ ଅଭୟ ପଶିଲା...!! ସେ ନିର୍ଦ୍ବନ୍ଦ୍ବରେ ଏକମୁହାଁ ହୋଇ ତାଙ୍କରି ପଛେପଛେ ଅନୁସରଣ କଲା । ସତକୁସତ କିଛିଦୂରରେ ଦେଖାଗଲା ଏକ ଦୀପ ପ୍ରଜ୍ବଳିତ ସୁନ୍ଦର କୁଟୀର । ବୁଢ଼ୀ ମାଁ କେଣେ ଅନ୍ତର୍ଦ୍ଧାନ ହୋଇଗଲେ । ଚତୁର୍ଦ୍ଦଶ ଦିଗ ଝୁଣା ଫୁଲଚନ୍ଦନର ସୁଗନ୍ଧରେ ଭରି ଯାଉଥିଲା। ଆଚମ୍ବିତ ହୋଇଗଲେ ପ୍ରଭାଦେବୀ....ଏ କଣ୍...?? ଘଟିଯାଇଛି
ତାଙ୍କ ଆଗରେ ସେ ବୁଢ଼ୀ ମାଁ କେଣେଗଲେ...ଏଇଠି ତ ଥିଲେ । ତା ଦେହ ଥରିଉଠିଲା .....ରୋମାଞ୍ଚ ଏବଂ ଭକ୍ତିରେ ମାଁ ତୁମେ ଆସିଥିଲ... ମାଁ ମୋତେ ଏ ଜଙ୍ଗଲରେ ସାହାହୁଅ...ହେ ମହାଦେବ ହେ ମାଁ... ଦୂର୍ଗା ପାର୍ବତୀ....!!! ସେ କାନ୍ଦିକାନ୍ଦି ବିକଳ ହୋଇ ସେଇ କୁଟୀର ନିକଟରେ ପହଞ୍ଚିଲେ....ସେ କୁଟୀରରେ ଜଣେ ବ୍ରାହ୍ମଣ ଥିଲେ ଯିଏକି ମା'ଙ୍କୁ ଆରାଧନା କରୁଥିଲେ.... ଦ୍ୱାର ନିକଟରେ ଏକ ବିଶାଳ ବାଘ ଶୋଇ ରହିଥିଲା । ତାକୁ ଦେଖିବାମାତ୍ରେ ହଠାତ୍ ପ୍ରଭାମନରେ ଭୟସଞ୍ଚାର ହେଲା.... କିନ୍ତୁ ବ୍ରାହ୍ମଣ ପୂଜକ ମାଙ୍କ ପହୁଡ଼ ପକାଇବା ପରେ....ଦେଖିଲେ ଦ୍ୱାରଦେଶରେ ସ୍ତ୍ରୀ ଲୋକଟିଏ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଛିଣ୍ଡା
ମଇଳା ଲୁଗାପିନ୍ଧି ହାତଯୋଡି ବସିଛି...!! ତାକୁ ଦେଖିପକାଇ ତାକୁ
ସେ କହିଲେ ଭୟକରନି ମାଁ....ଏଠି ତୋର କାହାକୁ ଭୟନାହିଁ। ମାଁ ଜଗଦମ୍ବା ଏଠି ପୂଜା ପାଉଛନ୍ତି ଅନାଦି କାଳରୁ... ମୁଁ ତାଙ୍କ ସେବକ...ମାତ୍ର । ଏ ସମୟରେ କୁଟୀର ମଧ୍ୟରୁ ଶିଶୁପୁତ୍ରର କାନ୍ଦଣା ଶୁଣାଗଲା....ପ୍ରଭାଦେବୀ ଏବଂ ପୂଜକ କୁଟୀର ମଧ୍ୟକୁ ପ୍ରବେଶ ହେଲେ ଯେଉଁଠି ମାଁ ଜଗଦମ୍ବା ପୂଜା ପାଉଥିଲେ । ଏ ସମୟରେ ଶୁନ୍ୟବାଣୀ ହେଲା ମୁଁ ତୋର ଶିଶୁପୁତ୍ର କୁ ଫେରାଇ ଦେଲି । ମୋ ବାଘ ବାହନ ଦ୍ୱାରଦେଶରେ ଥିଲା ତାକୁ ଆଦେଶଦେଈ ମୁଁ ମୋ ପାଖକୁ ନେଇ ଆସିଥିଲି । ନେ... ଛୁଆକୁ ଆଉ ସୁଖରେ ସଂସାର କର...!! ମନେରଖ୍ ମନରେ କେବେବି
ଅହଂଭାବ ଆଣିବୁ ନାହିଁ। ପିଲାଙ୍କୁ ମାତୃମମତାଦେଇ ଲାଳନପାଳନ କରିବୁ । ପ୍ରଭା ହାତଯୋଡି ମାଙ୍କ ପ୍ରତୀମା ପାଦତଳେ ପଡି କହିଲା ମୋତେ କ୍ଷମାକର ମାଁ ମୋର ଅପରାଧ ହୋଇଛି ....!!!ହେଲେ ମୋ ଝିଅ ଜାଗୃତି କାହିଁ...?? ମୋ ସ୍ୱାମୀ.... କାହାନ୍ତି ...???ଶୁଣ୍ ବତ୍ସ....ଯା ଏଇଠୁ ଏକମୁହାଁ ହୋଇଯିବୁ....!! ଯେଉଁଠି କଦମ୍ବ ଗଛରେ ନାଲିପତାକା 🚩ଦେଖିବୁ ତୋ ଝିଅକୁ ଡାକଦେବୁ....ସେ ତୋତେ ସେଇଠି ମିଳିଯିବ । ଶୁନ୍ୟବାଣୀ ଆଉ ଶୁଭିଲା ନାହିଁ। ମନରେ ଅସୀମ ଆନନ୍ଦ । କୋଳରେ ପୁଅକୁ ଉଠାଇ ସେ ଏକମୁହାଁ ଚାଲିଲା ବନସ୍ତ ଆଗକୁ....ବାଟରେ ରତ୍ନାକର ଏବଂ ପ୍ରଭା ପରସ୍ପରକୁ ଭେଟହେଲେ । ପ୍ରଭାଦେବୀଙ୍କ ମାଁ ଜଗଦମ୍ବାଙ୍କ ଶୁନ୍ୟବାଣୀ କଥା ସବୁ ବଖାଣିଲା , ରତ୍ନାକର ମଧ୍ୟ ମହାଦେବଙ୍କ ସ୍ୱପ୍ନାଦେଶ କରାଇଥିବା କଥା ସ୍ତ୍ରୀ କୁ ଜଣାଇଲେ । ଇଶ୍ୱରୀ ନିର୍ଦ୍ଦେଶିତ ସ୍ଥାନକୁ ଖୋଜିବାକୁ ଲାଗିପଡିଲେ। ତା ମଧ୍ୟରେ ସତକୁ ସତ ଥିଲା କଦମ୍ବବନ । କଦମ୍ବଫୁଲର ମହକ ଚାରିଆଡ଼େ ମହକୁଥିଲା । ଏକ ୟାପରେ ବାପମାଏ ସେ କଦମ୍ବବନ ଭିତରେ ପଶି ,ଜାଗୃତି.....ଆଲୋ...ମାଁ ଜାଗୃତି ବୋଲି ଉଚ୍ଚରେ ଡାକିଲେ....!!! ସେତେବେଳକୁ ଭୋର ହୋଇ ଆସୁଥାଏ । କଦମ୍ବବନ ଭିତରୁ ସବୁ କଦମ୍ବବୃକ୍ଷ ମାନଙ୍କରୁ ମାଁ.... ମାଁ....ବୋଲି ବାଳିକାର କାନ୍ଦଣା ସ୍ୱର ରହିରହି..ଶୁଣା ଯାଉଥାଏ..!! ରତ୍ନାକର ଓ ପ୍ରଭା ଚାରିଆଡ଼େ ବୃକ୍ଷଶାଖାକୁ ନଜର ବୁଲାଇଲେ ସବୁବୃକ୍ଷରୁ ଏକସ୍ଵର ଶୁଣି ସେମାନେ ଆଚମ୍ବିତ ହୋଇଗଲେ... ସେମାନେ ବିକଳରେ ରୋଦନ କରି ଉଚ୍ଚରେ ଡାକିଲେ ଆଲୋ ମାଁ...ଜାଗୃତି.....ତୁ କେଉଁଠି.... ମାଁ....??? ସବୁଗଛ ମାନଙ୍କରୁ ଶୁଣାଗଲା ମୁଁ ଏଇଠି ବା...ପା.... ମୁଁ ଏଇଠି....ମାଁ.... ମୋତେ ତୁମ ସାଙ୍ଗରେ ନେଇଯାଅ....ମୋତେ ମାରନାହିଁ.....ଘରୁ ତଡିଦିଅ ନାହିଁ....ମାଁ ମୁଁ ତମ ଜାଗୃତି....??? ନିରୁପାୟ ପିତାମାତା ହାତଯୋଡି ମହାଦେବଙ୍କୁ କ୍ଷମାପ୍ରାର୍ଥନା ପୂର୍ବକ ଜାଗୃତିକୁ ତାଙ୍କ କୋଳକୁ ଫେରାଇ ଦେବାକୁ ବ୍ୟାକୁଳ ହୋଇ ନିବେଦନ କରନ୍ତେ ଏ ସମୟରେ ବାଳରବି ଆକାଶରେ ଲାଲ୍ କିରଣ ପ୍ରକାଶିଲେ । ସେଇ କିରଣର ଆଭା କଦମ୍ବବନ ସାରା ଲାଲ୍ ଆଲୋକରେ ଭରିଗଲା । ତାର ଆଭା ଏକଶାଖା ବିଶିଷ୍ଟ କଦମ୍ବଗଛରେ ପଡ଼ିଲା । ସେଇ ଶାଖାରେ ଲାଲ୍ ପତାକା ଫରଫର ହେଇ ଉଡୁଥିଲା ତାରି ଦେହରୁ ଜାଗୃତିକୁ ସେମାନେ ବାହାରି ଆସିବାର ଦେଖି ତାକୁ ଆଦର ଯତ୍ନରେ କୋଳାଇନେଲେ । ପ୍ରଭା ଜାଗୃତିକୁ
କହିଲେ ତୁ ମୋତେ ଆଉ କେବେ ଛାଡିଯିବୁନି । ମୁଁ ତୋତେ ଆଉ କେବେବି ଦୁଃଖ ଅତ୍ୟାଚାର ଦେବିନାହିଁ। ତୁ ମୋତେ କ୍ଷମାକରିଦେ ଲୋ ଝିଅ....! ତୋ ଭାଇ ସହିତ ଯେତେ ଖେଳାବୁଲା କଲେ ମୁଁ ଆଉ କିଛି କହିବିନି । ତୁ ମୋ ଗେଲିଝିଅ ପରା ଆସେ ଆମେ ଆମ ଘରକୁ ଫେରିଯିବା । ସମସ୍ତେ ଏକାସାଙ୍ଗରେ ହରିବୋଲ୍ ପକାଇ ଓଁ ନମଃ ଶିବାୟ ଜୟ ମା ଜଗଦମ୍ବାଙ୍କର ଜୟ ବୋଲି କହି ଘରକୁ ଶାନ୍ତିରେ ଖୁସିରେ ଲେଉଟି ଆସିଲେ । ଚୋରୀ ହୋଇଯିବା ପରେଯେଉଁ ଘର ଶ୍ରୀହିନ ହୋଇ ଯାଇଥିଲା ସେଇ ଘରର ଧନସମ୍ପତ୍ତି ସବୁକିଛି ପୂର୍ବପରି ସେ ସ୍ଥାନରେ ରଖାଯାଇଥିବା ଦେଖି ପ୍ରଭା ଦେବୀଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ନିଜ ସ୍ୱାମୀଙ୍କ ପାଦତଳେ ନିଜ ଭୁଲ୍ ପାଇଁ କ୍ଷମା ମାଗିଲେ ଏବଂ ବିଭୂକୃପାରୁ ସମସ୍ତେ ଆନନ୍ଦରେ ଚଳିଲେ । ସେ ଅଞ୍ଚଳରେ ସେଦିନୁ ସେ କଦମ୍ବବନ ସହିତ ମହାଦେବ ଏବଂ ଜଗଦୀଶ୍ୱରୀ ମାଆ ଜଗଦମ୍ବାଙ୍କର ମହିମାବାନା ଖ୍ୟାତ ହେଇଗଲା । ଦୋଷ ଥିଲେ ବିଜ୍ଞଜନେ କ୍ଷମା କରିଦେବେ।
(୧୯୪୨ ଶବ୍ଦର ସମାହାରରେ ପ୍ରସ୍ତୁତ ବୃହତ କାହାଣୀଟି ଆପଣଙ୍କୁ କିପରି ଲାଗିଲା ମତାମତ ନିଶ୍ଚୟ ଜଣାଇବେ ) --କ୍ରମଶଃ-----
--------🙏.........ଜୟ ମହାଦେବ ଜୟ ମା ପାର୍ବତୀ🙏
