STORYMIRROR

Rajalaxmi Tripathy

Romance Others

3  

Rajalaxmi Tripathy

Romance Others

କାନଭାସ ର ଦୁଇଟି ଗୋଲାପ

କାନଭାସ ର ଦୁଇଟି ଗୋଲାପ

3 mins
611




ରାତି ଅନେକ ହେଲାଣି। ଆଖିକୁ ନିଦ ଆସୁନି ସୁବ୍ରତଙ୍କର। ବାର୍ଦ୍ଧକ୍ୟର ଏ ବି ଗୋଟେ ଲକ୍ଷଣ ବୋଧେ। ପତ୍ନୀ ଶୁଭ୍ରା କେତେବେଳୁ ଶୋଇପଡିଲେଣି। କୁହୁଡି ଘେରା ଶୀତୁଆ ରାତି। ଚାରିଆଡେ ନିରବତା ,ଶୁନ୍ ଶାନ ଲାଗୁଛି। ବେଡ଼ରୁ ଉଠିଆସି ସାମ୍ନା ଚେୟାରରେ ବସି ପଡିଲେ ସୁବ୍ରତ। ଅଧ୍ୟାପକ ଚାକିରୀରୁ ଅବସର ପରେ ଘର ଖଣ୍ଡେ କରି ଏ ନୂଆ ଜାଗାକୁ ଆସିଛନ୍ତି। ସହରର କୋଳାହଳ ଠାରୁ ଦୂରରେ ସ୍ଥାନଟି ଥିବାରୁ ତାଙ୍କୁ ଏଠାର ପରିବେଶ ଭଲ ଲାଗୁଛି। ଉଦ୍ଭିଦ ପ୍ରେମୀ ଯୋଗୁଁ ଗଛପତ୍ର ମଧ୍ୟ ଘର ଚାରିପଟେ ଲଗାଇଛନ୍ତି ସେ। ସେଗୁଡ଼ିକର ଯତ୍ନ ନେବାରେ ତାଙ୍କର ଅଧିକାଂଶ ସମୟ କଟେ। ଦୁଇ ପୁଅ ବିଦେଶରେ। ନିଜ ନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ। ସେମାନଙ୍କର ନିଜ ଦେଶକୁ ଫେରିବାର ସମ୍ଭାବନା କମ୍। ମଝିରେ ମଝିରେ ପୁଅମାନଙ୍କ ପାଖକୁ ଯାଇ ଉଭୟେ ଶୁଭ୍ରା ଓ ସେ ବୁଲିଆସନ୍ତି। କିନ୍ତୁ ଜନ୍ମମାଟିର ମୋହ ତାଙ୍କୁ ବିଦେଶରେ ବେଶୀଦିନ ରଖାଇଦିଏନି।


ଏମିତି କେତେ କଣ ଭାବୁ ଭାବୁ ସୁବ୍ରତଙ୍କ ନଜର ପଡିଲା ସାମ୍ନାରେ ଟଙ୍ଗାହୋଇଥିବା ଫଟୋଉପରେ।କାନଭାସ ଉପରେ ଅଙ୍କା ଦୁଇଟି ଲାଲଗୋଲାପ ।ଫୁଲ ଦୁଇଟିକୁ ଚାହିଁ ଭାବ ବିହ୍ବଳ ହୋଇଗଲେ ସେ ।ହଜିଗଲେ ଚାଳିଶ ବର୍ଷ ତଳର ନିଜର ଅତୀତ ମଧ୍ୟରେ।ଭାବି ବସିଲେ କେତେ କଥା।


ଏମିତି ଏକ ଶୀତ ରାତିର କଥା। ବାଣୀବିହାରର ଏମ .ଫିଲ୍ ଛାତ୍ର ଥିଲେ ସୁବ୍ରତ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରୀ ଥିଲେ ଶୁଭ୍ରା। ଉଭୟଙ୍କର ପ୍ରେମ ସଂପର୍କର ଚର୍ଚ୍ଚା ସାଙ୍ଗ ସାଥି ମହଲରେ ମୁଖ୍ୟ ଆଲୋଚ୍ୟ ବସ୍ତୁ ଥିଲା। କ୍ରମେ ଏହି ଖବର ଶୁଭ୍ରା ବାପା,ମା ଙ୍କ ପାଖରେ ପହଂଚିଥିଲା। ସୁବ୍ରତ ଙ୍କ ର ମେଧା ଓ ଆତ୍ମବିଶ୍ବାସ ସଂପର୍କରେ ଶୁଭ୍ରା ଠାରୁ ଶୁଣି ଅନିରୁଦ୍ଧ ବାବୁ ସେଦିନ ନିମନ୍ତ୍ରଣ କରିଥିଲେ ତାଙ୍କୁ ତାଙ୍କ ନିଜ ଘର କଟକକୁ। ଅନିରୁଦ୍ଧ ବାବୁ ଚାହିଁଥିଲେ କିଛି ସମୟ ନିରୋଳାରେ ସୁବ୍ରତଙ୍କ ସହ କଟାଇବେ।ସୁବ୍ରତ ଭଲଭାବେ ଜାଣିଥିଲେ ଏହି ନଭେମ୍ବର ଦଶତାରିଖ ଦିନଟି ଶୁଭ୍ରାର ଜନ୍ମଦିନ।ଏମିତି ଏକ ମହତ୍ତ୍ୱପୂର୍ଣ୍ଣ ଦିନରେ ସେ ନିମନ୍ତ୍ରିତ ଶୁଭ୍ରା ଘରେ। ଶୁଭ୍ରା ପାଇଁ ନିଶ୍ଚୟ କିଛି ଉପହାର ତ ଦେବାକୁ ପଡିବ। ଶୁଭ୍ରା ଅଲିଅଳୀ ଝିଅ। ବାପା ବ୍ୟାଙ୍କ ଅଫିସର। ଆଉ ସେ ନିଜେ ଏକ ଗାଉଁଲି ଚାଷୀ ପୁଅ। କେବଳ ନିଜ ଅଧ୍ୟବସାୟ ଓ ବୁଦ୍ଧିରେ ସରକାରୀ ବୃତ୍ତି ବାପାଙ୍କ କିଛି ଆର୍ଥିକ ସାହାଯ୍ୟରେ ଜୀବନରେ ଏତେ ବାଟ ଆସିପାରିଛନ୍ତି। ଅତ୍ୟନ୍ତ ମିତବ୍ୟୟୀ ହୋଇ ଏପର୍ଯ୍ୟନ୍ତ ଚଳିଛନ୍ତି।ଏମିତି ବହୁତ ଭାବିଲା ତାଙ୍କର ଶିଳ୍ପୀ ମନ। ସକାଳୁ ଉଠି ତୁଳୀ ଧରି କାନଭାସ ଉପରେ ଆଙ୍କିବସିଲେ ଦୁଇଟି ସୁନ୍ଦର ଗୋଲାପୀ ରଙ୍ଗର ଗୋଲାପ ଫୁଲ,ସବୁଜ ଡେମ୍ଫଲଗା। ସତେ ଯେମିତି ଫୁଲ ଦୁଇଟି ଲଗାଲଗି ହୋଇ ହସା ହସି ହେଉଛନ୍ତି! ଡେମ୍ଫରେ ଛୋଟ ଛୋଟ କଣ୍ଟା ଗୁଡିକ ସେମାନଙ୍କ ହସରେ ମ୍ଲାନ ପଡି ଯାଉଛନ୍ତି। ଚିତ୍ର ଆଙ୍କି ରଙ୍ଗୀନ କାଗଜରେ ଗୁଡାଇ ସଂଧ୍ୟାରେ ସୁବ୍ରତ ବାହାରିଲେ ଶୁଭ୍ରା ଘରକୁ।ଟାଉନ ବସ୍ ଧରିଲେ ବାଣୀବିହାରରୁ କଟକ ବାଦାମ ବାଡ଼ି। ନିର୍ଦ୍ଧାରିତ ସମୟ ସଂଧ୍ୟା ୬ଟାରେ ଶୁଭ୍ରା ଘରେ ପହଞ୍ଚି କଲିଂଵେଲ ଚିପିଲେ।ଦୁଆର ଖୋଲି ଶୁଭ୍ରା ହିଁ ତାଙ୍କୁ ସ୍ବାଗତ କରିଥିଲା।ଥରିଲା ହାତରେ 'ହାପି ବାର୍ଥ ଡେ'କହି ନିଜ ହୃଦୟର ପ୍ରେମ ଓ ଆବେଗ ଦେଇ ଆଙ୍କିଥିବା ଚିତ୍ର ଟିକୁ ଶୁଭ୍ରା ଆଡ଼କୁ ବଢାଇ ଦେଲେ। ଶୁଭ୍ରା ହାତର ସୁକୋମଳ ସ୍ପର୍ଶକୁ ସ୍ପଷ୍ଟ ବାରିପାରୁଥିଲେ ସୁବ୍ରତ। ସେଦିନ ଅନିରୁଦ୍ଧ ବାବୁ ଓ ତାଙ୍କ ପତ୍ନୀ ସୁବ୍ରତଙ୍କ ସହ ଶୁଭ୍ରାର ବିବାହ ବିଷୟରେ ସମସ୍ତ ଆଲୋଚନା କରିଥିଲେ। ପରେ ସମସ୍ତେ ଏକାଠି ରାତି ଭୋଜନ କରିଥିଲେ। ରାତି ବଢୁଥିଲା। ଏତେ ରାତିରେ ସୁବ୍ରତ କେଉଁଠାରେ ରହିବେ ବୋଲି ପଚାରି ଥିଲେ। ମିଛରେ କଟକରେ ଜଣେ ସାଙ୍ଗ ଘରେ ରହିବା କଥା ସୁବ୍ରତ କହିଥିଲେ। ସେ ଜାଣିପାରିନାହାନ୍ତି ଏହା ଭିତରେ ରାତି ୧୧ଟା ବାଜିଲାଣି।


ଶୁଭ୍ରାଙ୍କ ଘରୁ ବିଦାୟ ନେଇ ବାଦାମବାଡି ଛକ ରେ ଠିଆ ହେଲେ ସୁବ୍ରତ। ଟାଉନବସ୍ ଏସମୟରେ ବନ୍ଦ। ଏ କୁହୁଡିଆ ରାସ୍ତାରେ କେହି ବାଇକ କିମ୍ବା ସ୍କୁଟର ଆରୋହୀ ମଧ୍ୟ ଦେଖା ଯାଉନାହାନ୍ତି। କାହାର ସାହାଯ୍ୟ ମିଳିବା କଷ୍ଟ।ରୁମ୍ ରୁ ବାହାରିବା ବେଳେ ଅନ୍ୟ ମନସ୍କ ହେତୁ ସ୍ବେଟର ମଧ୍ୟ ଛାଡି ଆସିଛନ୍ତି।ଧୀରେଧୀରେ ଆଗକୁ ଚାଲିବାକୁ ଲାଗିଲେ ବାଦାମବାଡିରୁ ବାଣୀବିହାର। ଅନୁଭବ କରୁଥିଲେ ତାଙ୍କ ହାତ ଦୁଇ ଟିରେ ଶୁଭ୍ରା ହାତ ଦୁଇଟିର ଉଷ୍ଣତା। ଫଟୋ ଟିକୁ ତାଙ୍କ ହାତରୁ ଭିଡ଼ି ନେଲାବେଳେ ଶୁଭ୍ରାର ଲଜ୍ୟାନତ ମୁହଁ। ଦୁଇ ପ୍ୟାଣ୍ଟ ପକେଟରେ ଦୁଇ ହାତ ଭର୍ତ୍ତି କରିଆଗକୁ ମାଡ଼ି ଚାଲିଥାନ୍ତି ସୁବ୍ରତ। ଭାବୁଥିଲେ ଜୀବନ ଲମ୍ବା, ରାସ୍ତା ଲମ୍ବା କିନ୍ତୁ ସେ ତ ଏକା ନୁହନ୍ତି, ତାଙ୍କ ସହ ଅଛି ଶୁଭ୍ରା। ଏମିତି ଭାବି ବାଟ ଚାଲୁ ଚାଲୁ କେତେବେଳେ ବାଣୀବିହାର ହଷ୍ଟେଲ ଗେଟ ଅତିକ୍ରମ କରି ଆସି ନିଜ ରୁମ୍ ରେ ପହଞ୍ଚିଛନ୍ତି ସୁବ୍ରତ। ରୁମ୍ ମେଟ ରମେଶ କହିବାର ଶୁଣିଲେ-ତତେ କଣ ଏ ଶୀତ ଜଣାପଡୁନି? ଏ ଥଣ୍ଡା ରେ ଏତେ ସମୟ ବାହାରେ ବୁଲୁଛୁ। ସୁବ୍ରତ କିଛି କହିପାରୁନଥିଲେ।ଚେଷ୍ଟା କରି କହିଲେ-କାଇଁ, ମତେ ତ ଜମା ଶୀତ ଲାଗୁନି।-ହଉ ହେଲା, ପ୍ୟାଣ୍ଟ ପକେଟରୁ ସେ ହାତ ଦୁଇଟା ବାହାର କରୁନୁ କାହିଁକି?


ହସି ଉଠିଲେ ଦୁଇ ସାଙ୍ଗ।


ସୁବ୍ରତ ମନେ ମନେ ହସୁଥିଲେ।ଭାବିଲେ ଆଜିମଧ୍ୟ ଜୀବନର ଅପରାହ୍ନରେ ଶୁଭ୍ରାଙ୍କ ସହ ସେମିତି ହସୁଛନ୍ତି। ତାର ସାକ୍ଷୀ ତାଙ୍କ ବେଡ଼ରୁମରେ ଟଙ୍ଗାହୋଇଥିବା ଫଟୋର ସେଇ କାନଭାସର ଗୋଲାପ ଦୁଇଟି।


Rate this content
Log in

Similar oriya story from Romance