Sunanda Mohanty

Classics Fantasy Thriller

4  

Sunanda Mohanty

Classics Fantasy Thriller

କାକଳୀ ବୋଲି ଗୋଟେ ଝିଅ ଥିଲା

କାକଳୀ ବୋଲି ଗୋଟେ ଝିଅ ଥିଲା

5 mins
382


ବସର ପଛପଟେ ସିଟରେ ଜାକିଜୁକି ବସିଯାଇ ଝିଅଟି ସମସ୍ତଙ୍କୁ କଣେଇ କଣେଇ ଚାହୁଁଥିଲା. ଓଲ୍ହାଉଥିବା ଓ ଚଢ଼ୁଥିବା ଯାତ୍ରୀଙ୍କ ହିସାବ ଠିକ ଠିକ ରଖି କଣ୍ଡକ୍ଟର ନୂଆ ଉଠୁଥିବା ଯାତ୍ରୀମାନଙ୍କଠୁ ପଇସା ଆଦାୟ କରିବାକୁ ମାଡିଆସୁଥିବା ବେଳେ ଝିଅଟି ଇତସ୍ତତଃ ହୋଇ ଆହୁରି ଜାକିଜୁକି ହୋଇ ବସିଗଲା ବେଳେ ଆଜିଯାଏଁ ଇଶ୍ୱରଙ୍କ ପ୍ରତି ଦ୍ବିରୁକ୍ତି କୁଆଡେ ଉଭାନ ହୋଇଯାଇ ସେ ଡାକୁଥିଲା ହେ ପ୍ରଭୁ ରକ୍ଷାକର. ଷ୍ଟପେଜ ପରେ ଷ୍ଟପେଜ ଆସିବା ଭିତରେ କଣ୍ଡକ୍ଟର ଏପାଖ ସେପାଖ ହେଲାବେଳେ ସେ ଭାବୁଥିଲା ଏଥର ହୁଏତ ସେ ଧରା ପଡିଯାଇ ଏଇଠି ତା ଯାତ୍ରା ଶେଷ ହୋଇଯାଇପାରେ. ସେ ଜାଣିନଥିଲା ତା ଲକ୍ଷସ୍ଥଳ. ପଳାତକ ସାଜିଥିବା ଝିଅଟି ଭାବିଚାଲିଥିଲା ତା ସହ ଘଟିଯାଇଥିବା ଦୁଃଖ ଯନ୍ତ୍ରଣା ବହିର ଭାଗ୍ୟଫଳ ସବୁକୁ. ଓଲଟେଇ ଚାଲିଥିଲା ପ୍ରାରବ୍ଧ କର୍ମଫଳ, ଲଲାଟ ଲେଖନ ପୃଷ୍ଠା ଗୁଡିକୁ.ଧନୀ ଘର ନହେଲେ ମଧ୍ୟ ଗରୀବ ଘର ନଥିଲା ତାର. ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲା ବେଳେ ଆସାଧ୍ୟ୍ୟ ରୋଗରେ ବାପା ଚାଲିଗଲେ. ବାପାଙ୍କ ଦେହ ପାଇଁ ଓ ଶୁଦ୍ଧି ଘର ପାଇଁ ସବୁ ପଇସା ସରିଯାଇଥିଲା. ବାପାଙ୍କ ଆବର୍ତ୍ତମାନ ପରେ ମାଆକୁ ସବୁଆଡ଼ ଅନ୍ଧାର ଦିଶିଲା.ଦୁଃଖ ଯେବେ ଆସେ ସାଥି ସହଦୋର ସଖା ଓ ବନ୍ଧୁବାନ୍ଧବଙ୍କୁ ଧରି ଆସେ ତ ମାନସିକ ଯନ୍ତ୍ରଣାରେ ମାଆ ଛଟପଟ ହେଉଥିଲା. ଋଣ କରି କେତେଦିନ ଚଳିବେ ତ ହତାଶା ଭିତରେ କାକଳୀର ପାଠ ପଢ଼ାରେ ଡୋରି ବନ୍ଧାହେଲା, ନିରାଶା ଭରା ମନ ଓ ଆଖିଏ ଲୁହ ନେଇ ମାଆ ଅନ୍ୟ ଘରେ ପାଇଟି କରୁଥିଲା. ସେତିକିରେ ଦୁଃଖର ସମୟ ସରିଲାନି ଯେ ସେଦିନ ନଈକୁ ଲୁଗାପଟା ସଫା କରିବାକୁ ଯାଇ ମାଆ ଆଉ ଫେରିଲାନି ଘରକୁ. ସମସ୍ତେ କହିଲେ କୁମ୍ଭୀର ମାତିଛି. ନଇ କୂଳେ ଦିନ ସାରା ବସି ରହି କାକଳୀ ଅପେକ୍ଷା କଲା ମାଆ ଫେରିବ ନିଶ୍ଚୟ.।

   କାକାଳୀ ଜାଣିଥିଲା କୁମ୍ଭୀର ସାଙ୍ଗେ ସାଙ୍ଗେ ମଣିଷ ଖାଏନା. ତେଣୁ ମାଆ ତା ପାଟିରୁ ଖସିଆସିବ ନିଶ୍ଚୟ. ସେଦିନ ମଧ୍ୟ ମଣିଷ ପରି କିଛି ଭାଷି ଆସୁଥିବାର ଦେଖି ଦଉଡିଯାଇ ଦେଖିଥିଲା ମାଆ ଦୁର୍ଗାଙ୍କ ଭସାଣୀ ଅବୟବ. ତା ପରଠୁ ବିତୃଷ୍ନାରେ ସେ ଫେରିଆସିଥିଲା. ଭୋକ ବିକଳରେ ପଡୋଶୀ ଘର ଗାଈ ବାଛୁରୀଙ୍କ ଦେଖାଶୁଣା କରି ଦୁଇ ଓଳି ଦୁଇ ମୁଠା ପାଇଯାଉଥିଲା. ସେଦିନ ତୁହାକୁ ତୁହା ବର୍ଷା ପବନ ସାଙ୍ଗକୁ ବାତ୍ୟାରେ ସେ ଯାଇ ପାରିନଥିଲା ଗାଈ ବାଛୁରୀଙ୍କ ପାଖକୁ. ଚାଳ ସାରା ନିଗୁଡୁ ଥିବା ପାଣି ରୋକିବାକୁ ଯାଇ ସେ ରାତି କେମିତି ପାହିଲା ଜାଣି ପାରିନଥିବା ବେଳେ ସକାଳୁ ଗୋ ହତ୍ୟା ପାପରେ ଭାଗୀ ହୋଇ ଦାଗୀ ପାଲଟି ଗଲା. ପଡୋଶୀଙ୍କ ଗୁହାଳ କାନ୍ଥ ପଡି ଗାଈ ମରିଯାଇଥିଲା. ପୂର୍ବଦିନ କାକାଳୀ ହିଁ ତାକୁ ବାନ୍ଧିଥିଲା ଗୁହାଳରେ. ବିକଳରେ ହମ୍ମା ହମ୍ମା ରଡି କରୁଥିବା ବାଛୁରୀଟାକୁ କୁଣ୍ଢେଇ ସେ କାନ୍ଦୁଥିଲା ବେଳେ ତା ବେକରେ ପଡିଲା ପାଳ ଦଉଡି, ଦାନ୍ତରେ ତିରଣ ପାଦରେ ଛନ୍ଦ. ଭୋକରେ ତା ପେଟ ଜଳୁଥିଲା. ଠାକୁରଙ୍କ ପ୍ରତି ବଳି ପଡ଼ିଥିବା ବିଶ୍ୱାସ ଟିକକ ଗୋଟେ ପଲକରେ ଧୂଳିସାତ ହୋଇ ସାରିଥିଲା. ଅନ୍ଧାରର ବୁକୁ ଚିରି ସେ ଦୌଡ଼ିଲା, ଗୋଡ଼ରୁ ପାଳ ଦଉଡିର ଛନ୍ଦ, ପାଟିରୁ ତିରଣ ଓ ବେକରୁ ପାଳ ଦଉଡି କାଢ଼ି ସେ ଉଠିଗଲା ତାଙ୍କ ଗାଁ ମୁଣ୍ଡ ରାସ୍ତାରେ ଆସୁଥିବା ସନ୍ଧ୍ୟା ପୂର୍ବରୁ ଏକମାତ୍ର ବସ ଭିତରକୁ. ଜଡ଼ସଡ଼ ହୋଇ ପଛ ସିଟରେ ବସି ଭୋକ ପେଟରେ କାକୁସ୍ଥହୋଇ ବସିଥିଲା ଶୁନ୍ୟ ଆଖିରେ. ଆଗକୁ କଣ ହେବ ସେ ଜାଣିନଥିଲା. ଅତୀତର ସୁଖର ସ୍ମୃତି ସବୁ ବର୍ତ୍ତମାନର ଦୁଃଖ ଭିତରେ ଝାପ୍ସା ଦିଶୁଥିଲା. ଭବିଷ୍ୟତର ପ୍ରଥମ ସକାଳ କେମିତି କଣ ନେଇ ଆସିବ ତା ପାଇଁ ସେ ଜାଣି ନଥିଲା.।

   ଅଟକି ଗଲା ବସ. ସବୁ ଯାତ୍ରୀ ମାନେ ଓଲ୍ହେଇ ଗଲେ ଖାଇବାକୁ. ସେ ବି ଓଲ୍ହେଇଲା. ତାକୁ ଚାରିଆଡେ ଅନ୍ଧାର ଦିଶୁଥିଲା. ସମସ୍ତେ ଢାବାରେ ଖାଇବା ବେଳେ ସେ ଆଗେଇ ଯାଉଥିଲା ଦହିବରା ଦୋକାନକୁ, ବରା ନହେଉ ଆନ୍ତତଃ କିଛି ଦହି ପାଣି ତ ପିଇ ନେବ. ପିଇ ନେଲା ପେଟେ ହେଲେ ଦୋକାନୀ ପଇସା ମାଗିଲା ବେଳେ ଲାଜ ସରମରେ ସେ କହୁଥିଲା ଦହି ପାଣି ପାଇଁ ମଧ୍ୟ ପଇସା ପଡେ? ଏତିକି କଥା ତା ପାଟିରୁ ସରିଛି କି ନାହିଁ ପଛରୁ କଣ୍ଡକ୍ଟର ମଉସା ମାଡି ଆସୁଥିଲେ. ଟିକେଟ କାଟି ନଥିବା ଭୟରେ ସେ ଜଡ଼ସଡ଼ ହୋଇ ପଡିଲା ବେଳେ,ତାକୁ ଆଶ୍ଚର୍ଯ୍ୟ କରି ଦହି ପାଣିର ମୂଲ୍ୟ ଦହିବରା ବାଲାକୁ ଦେଇ, ତା ହାତକୁ ବାକି ଚାରିଶହ କେତେ ଟଙ୍କା ଧରାଇ ଦେଇ କଣ୍ଡକ୍ଟର ମଉସା କହୁଥିଲେ, ଏ ଉଧାର ପଇସା ତୋ ବାପାଙ୍କର. ଶୁଝି ପାରିନଥିଲି ଆଜି କରଜ ମୁକ୍ତ ହେଲି. କାକଳୀ ଭୟରେ ଆଉ ବସ ଭିତରକୁ ନଉଠି ଧାଉଁଥିଲା ପଛକୁ. କଣ୍ଡକ୍ଟର ମଉସା ରହ ରହ ଝିଅ କହୁ କହୁ ବସ ଛାଡିଦେଇଥିଲା. ଅଣନିଶ୍ୱାସୀ ହୋଇ କାକଳୀ ଯୋଉଠି ଥକି ପଡି ଠିଆ ହେଲା ତାହା ଏକ କୃଷ୍ଣ ମନ୍ଦିର ଥିଲା. ସେଠି ସଂକୀର୍ତ୍ତନ ଚାଲିଥିଲା ଆଉ ଝିଅଟିଏ କଚାଡି ହୋଇ ପଡିବା ଶବ୍ଦରେ ନନା ଉଠିଆସି ପାଣି ଛାଟି ଚେତା ଫେରେଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ କାକଳୀ କଣେଇ କଣେଇ ଚାଁହୁଥିଲା ଠାକୁରଙ୍କୁ. ଏତେ ସବୁ ପରେ ବି ପୁଣି ସେଇ ଡାକ ପ୍ରଭୁ ହେ ରକ୍ଷା କର ବୋଲି ବାହାରି ଆସୁଥିବା ବେଳେ ନନା ଅଭୟ ଦେଉଥିଲେ. ନନାଙ୍କ ଚେହେରା ଭିତରେ ସେ ଦେଖିପାରୁଥିଲା କୃଷ୍ଣ ଭଗବାନଙ୍କୁ.।

   ନୂଆ ସକାଳରେ ନୂଆ ଜୀବନ ପାଇ କାକଳୀ, ପୂଜକ ନନାଙ୍କ ଘରେ ଝିଅ ପରି ରହିଲା. ସ୍ୱାମୀ ସ୍ତ୍ରୀ ଦୁଇଜଣ ବଡ଼ ଧାର୍ମିକ ଲୋକ. କାକଳୀର ସମସ୍ତ ପିଛିଲା କାହାଣୀ ଭୁଲିଯାଇ ପୁଣି ପାଠ ପଢ଼ାଇଲେ ସେମାନେ. ମାଟ୍ରିକ ପାଶ କଲା କାକଳୀ. ଏଣିକି ଉଚ୍ଚ ଶିକ୍ଷା ପରିବର୍ତ୍ତେ ମନ୍ଦିରରେ କୃଷ୍ଣଙ୍କ ପାଇଁ ମାଳ ଗୁନ୍ଥା, ସିନ୍ଦୁର ଚନ୍ଦନ ଘୋଳା ମନ୍ଦିର ବାହାର ଭିତର ଓଳା ପୋଛା କରିବାରେ ନିଜକୁ ନିୟୋଜିତ କରି ନନାଙ୍କୁ ସାହାଯ୍ୟ କରିବା ସହ ଘରର ଯାବତୀୟ କାମ କରି ମାଆଙ୍କୁ ସାହାଯ୍ୟ ସହଯୋଗ କରୁଥିଲା. ବୟସ ବଢ଼ୁଥିବାରୁ ନନା ଚାହୁଁଥିଲେ କାକଳୀକୁ ହାତକୁ ଦୁଇହାତ କରି ନିଜର କର୍ତ୍ତବ୍ୟ ସମ୍ପାଦନା କରିବେ. ତାଙ୍କର ଏକମାତ୍ର ପୁଅ କିଛି କାମ ଦାମ କରୁନଥିଲା ବରଂ ଖଳ ପ୍ରକୃତିର ସାଙ୍ଗମାନଙ୍କ ସଙ୍ଗେ ପଡି ଘର କଥା ବୁଝିବା ପରିବର୍ତ୍ତେ ମଦ ମାଂସରେ ବୁଡିରହୁଥିଲା. କାକଳୀ ବାହାଘର କଥା ଉଠିଲେ ସେ କହୁଥିଲା ଆଗ ରାଜାଭାଇଙ୍କର ବାହାଘର ସରୁ, ଭାଉଜ ଆସିବା ପରେ ସେ ବିବାହ କରିବ. ରାଜା ଭାଇକୁ ସେ ଯେତିକି ନିଜର ଭାବେ ରାଜା ଭାଇଙ୍କର କାକଳୀ ପ୍ରତି ସ୍ନେହ ଶ୍ରଦ୍ଧା ନଥାଏ, ବରଂ ଟିକେ ଟିକେ କଥାରେ ବିରକ୍ତ ହୁଏ କାକଳୀ ଉପରେ. ସବୁ ସାହିଯାଏ କାକଳୀ. ପ୍ରତିବାଦ କରେନା. ରାକ୍ଷୀପୂର୍ଣ୍ଣମୀରେ ଯେବେ ରାଜା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଆଗେଇ ଯାଇଥିଲା ସେଦିନ ମଧ୍ୟ ରାଜାଭାଇ ତାକୁ ଅପମାନିତ କରିଥିଲା. ତୁ କଣ ମୋ ନିଜ ଭଉଣୀ ଯେ ମୋ ହାତରେ ରାକ୍ଷୀ ବାନ୍ଧିବୁ କଥାଟା ରାଜା ଯେତେ ସହଜରେ କହିଦେଲା, ସେତିକି ସହଜରେ କାକଳୀ ସିନା ଭାଗ୍ୟ ଆଦରି ସହିଗଲା କିନ୍ତୁ ସହି ପାରିନଥିଲେ ନନା ଓ ମାଆ. ଝିଅଟା ଉପରେ ବିତି ଯାଇଥିବା ଅନେକ ଦୁଃଖ ଭିତରେ ଟିକେ ସୁଖ ପାଇ ଅନ୍ତତଃ ବଞ୍ଚିଯାଉ ବାକି ଜୀବନଟା ବୋଲି ଭାବିଥିବା ଧର୍ମପରାୟଣ ନନା ହାରିଯାଉଥିଲେ କୋଉଠି ନା କୋଉଠି ନିଜ ଅଲକ୍ଷରେ. ପୁଣି ପାଠ ପଢିବାକୁ ପ୍ରବର୍ତ୍ତାଇ କାକଳୀ ଭିତରେ ଉତ୍ସାହ ଭରିବାକୁ ଚେଷ୍ଟା କଲାବେଳେ କାକଳୀ କାନ୍ଦି ପକାଏ କହେ, ମାଆ ବାପାଙ୍କୁ ହରେଇ ମାଆ ବାପା ପାଇଛି କହ୍ନେଇ ଯୋଗୁଁ. ତାଙ୍କରି ପୂଜା କରି ତୁମ ଦୁହିଁଙ୍କର ଆଦର ସ୍ନେହ ପାଇ ଭଗବାନଙ୍କ ଅସ୍ତିତ୍ୱର ପ୍ରମାଣ ପାଇସାରିଛି. ଏହାଠୁ ଆଉ ଅଧିକା କଣ ଦରକାର ନନା? କାନ୍ଦି ପକାନ୍ତି ନନା ଆଉ ମାଆ. ସବୁ ସେଇ ଦୟାମୟଙ୍କ ଇଛା ମାଆ କାକଳୀ କହି ଯୋଗ୍ୟ ବରପାତ୍ର ଖୋଜୁଥାଆନ୍ତି ମନେ ମନେ.।

  ସେଦିନ ପାଖ ଗାଁକୁ ପୁଅ ଘର ଓ ବର ଦେଖିବାକୁ ଯାଇଥାନ୍ତି ନିଧି ନନା. ଝିଅ ବିଷୟରେ କିଛି ଲୁଚାଇ ନଥିଲେ ସେ. ବାପା ମାଆ ମରିଯିବା ପରେ କୋଉ ପରିସ୍ଥିତିରେ କିପରି ତାକୁ ପାଇଲେ ସବୁକଥା ବୁଝାଇ କହିବା ପରେ ବି ସେମାନେ ରାଜି ଥିଲେ. ନନା ମାଆଙ୍କୁ ନେଇ ସେଦିନ ଖୁସିରେ ଘରକୁ ଫେରୁଥିଲେ. ଘର ଭିତରୁ କାକଳୀର ଚିତ୍କାରରେ ଭୟଭୀତ ହୋଇ ଦେଖିଲେ ଭିତରୁ କବାଟ ବନ୍ଦ. କବାଟ ଖୋଲି ପୁଅର ସାଙ୍ଗ ତିନିଜଣ ମାତାଲ ଅବସ୍ଥାରେ ଫେରି ଗଲା ପରେ, କାକଳୀ ରୁମକୁ ପଶିଯାପୋଲିସ ଦେଖିଥିଲେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି କାକଳୀ ଆଉ ପୁଅକୁ ଅସଂଜତ ଅବସ୍ଥାରେ ଦେଖି ତ ବୁଦ୍ଧିବାଟ ନପାଇ ପାଖରେ ଥିବା ଫଳକଟା ଛୁରୀଟିକୁ ପୁଅ ପେଟରେ ଭର୍ତ୍ତି କରିଦେଇ ଭୋ ଭୋ କାନ୍ଦୁଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ. ପୋଲିସ ଆସିଲା ବେଳକୁ ରକ୍ତାକ୍ତ ଶରୀର ରାଜାର ତଳେ ପଡିଥିଲା ଆଉ ରକ୍ତମୁଖା ଛୁରୀଟିକୁ ଧରି କାକଳୀ କହୁଥିଲା ମୁଁ ମାରିଛି. ଏବେ କାକଳୀ ଜେଲରେ ଥିଲା ବେଳେ ଶୁଣିଥିଲା ମାଆ ଆଉ ଏ ସଂସାରରେ ନାହାଁନ୍ତି ତଥାପି ସେ ପ୍ରଭୁଙ୍କୁ ଡାକୁଥିଲା ପ୍ରଭୁ ହେ ରକ୍ଷାକର ମୋ ନନାଙ୍କୁ.ମିଆଦ ପୁରି ଆସିବା ଦିନ କାକଳୀ ଭାବୁଥିଲା କୁଆଡେ ଯିବ ସେ ଆଉ?? ଜେଲରଙ୍କୁ ଅନୁରୋଧ କରିଥିଲା ସେଠି ରହି କୁନି କୁନି ପିଲାଙ୍କୁ ପଢ଼ାଇବା ଅନୁମତି ଦେବାକୁ. ଜେଲର କିଛି କହିବା ପୂର୍ବରୁ ନନା ପହଞ୍ଚି ଯାଇଥିଲେ ତାକୁ ନେବାକୁ.ଆଗପଛ ନଭାବି ନନାଙ୍କ ସଙ୍ଗେ ଯାଉଥିଲା ସେ କାରଣ ସେ ଜାଣିଥିଲା ତାର ମଧ୍ୟ କିଛି କର୍ତ୍ତବ୍ୟ ବାକି ଅଛି.ନନା ଚାଲିଯିବା ପରେ କିଛି ଦିନ କୃଷ୍ଣଙ୍କ ସେଵା କରୁ କରୁ କାକଳୀ କୁଆଡେ ଅନ୍ତର୍ଧ୍ୟାନ ହୋଇଗଲା କେହି ଜାଣିନଥିଲେ କିନ୍ତୁ ଗାମ ସରପଞ୍ଚ କୃଷ୍ଣଙ୍କ ମୂର୍ତ୍ତି ପାଖରେ ରାଧା ମୂର୍ତ୍ତି ପ୍ରତିଷ୍ଠା କରିବା ସହ, ଗ୍ରାମବାସୀଙ୍କ ଅନୁରୋଧରେ କାକଳୀର ମୂର୍ତ୍ତିଟିଏ ସ୍ଥାପନା କରିବାକୁ ଭୁଲି ନଥିଲେ.କିଏ କହୁଥିଲା କାକଳୀ ପାଗଳୀ ହୋଇଗଲା ତ କିଏ କହୁଥିଲା କୃଷ୍ଣମୂର୍ତ୍ତି ପାଖେ ତିଆରି ରାଧାଙ୍କ ମୂର୍ତ୍ତି ଭିତରେ ଲୀନ ହୋଇଗଲା.।।



Rate this content
Log in

Similar oriya story from Classics