Koushik Lenka

Romance Classics

4  

Koushik Lenka

Romance Classics

କାହାଣୀ ର ନାଁ କାହାଣୀ

କାହାଣୀ ର ନାଁ କାହାଣୀ

7 mins
278


:-  ଓ ବାବୁ ଓ....। କୁଆଡ଼େ ମାଡ଼ି ଆସୁଛ। ଏଠି କି କାମ ତମର। ଏମିତି ରେ ଗୋଟେ ପାଗଳ ଭଳି ଲାଗୁଛ ଆତଙ୍କବାଦୀ ନୁହେଁ ତ।


:- ଆରେ ନା ନା ମୁଁ ସେମିତି କିଛି ନୁହେଁ, ମୁଁ ଟିକିଏ କଲେକ୍ଟର ପ୍ରଜ୍ଞା ମ୍ୟାଡାମ କୁ ଦେଖା କରିବାକୁ ଚାହୁଁଥିଲି। ଟିକେ ଦେଖା କରି ଚାଲିଯିବି।


:- ସକାଳୁ ସକାଳୁ ନିଶା ରେ ଅଛ ବୋଧହୁଏ। ଆପ‌ଏଣ୍ଟମେଣ୍ଟ ଲେଟର ନାହିଁ....ତମେ କହିଦବ ମୁଁ ଛାଡ଼ିଦେବି। ମୋର ବି ପିଲାଛୁଆ ଅଛନ୍ତି। ମୋ ଚାକିରି କ'ଣ ମୋତେ ପିତା ଲାଗୁଛି କି।


:-ଆପଣ ମୋତେ ଭୁଲ ବୁଝୁଛନ୍ତି ବୋଧହୁଏ। ମୁଁ ଏଇଠି ଠିଆ ହୋଇଛି ଆପଣ ଯାଇ ମ୍ୟାଡାମ୍ ଙ୍କୁ ପଚାରନ୍ତୁ; କହିବେ ରେଭେନ୍ସା ର କାବ୍ୟାଂଶ ବୋଲି ଗୋଟେ କିଏ ପାଗଳ ଟେ ଆପଣଙ୍କୁ ଦେଖା କରିବାକୁ ଚାହୁଁଛି। ମୋର ବିଶ୍ବାସ ମ୍ୟାଡାମ ନିଶ୍ଚୟ ଜାଣି ପାରିବେ।


:- ଭଲ ଆଉ, ନିଜକୁ ନିଜେ ପାଗଳ ବୋଲି କହୁଛ; ତମେ କେମିତିଆ ବେଲଜ୍ୟା ମୁଁ ଜାଣି ପାରୁନି। ସିଧା ସିଧା ପଳେଇଯାଅ। ନହେଲେ ଗଳା-ଧକା ଦେଇ ବିଦା କରିଦେବି। ଗୋଟେ ପାଗଳ ପାଇଁ ମୁଁ ଯାଇ କଲେକ୍ଟର ଙ୍କ ପାଖରେ ..... ଛିଃ ଛିଃ ଯା ପଳା ଏଠୁ, ପାଗଳ କ‌ଉଠୁ ଚାଲି ଆସିଲୁ।


:- ଏମିତି ରେ ମୁଁ ପାଗଳ ବୋଲି, ମ୍ୟାଡାମ ବି ଜାଣିଛନ୍ତି, ମୋ ପାଇଁ ଏତିକି କରିଦିଅ ମୁଁ ଫେରିଯିବି, ଯଦି ମ୍ୟାଡାମ ମନା କରିବେ, ମୋତେ ଜାଣି ନାହାଁନ୍ତି ବୋଲି ମୁଁ ଆଉ ବାଧ୍ୟ କରିବିନି ମୋ ବାଟରେ ମୁଁ ଚାଲିଯିବି।


:- ହ‌ଉ ଏଇଠି ଠିଆ ହୋଇଥାଅ ମୁଁ ଭିତରୁ ବୁଝି ଆସୁଛି......। ରହରହ ତୁ ଗୋଟେ ପାଗଳ ଭଳି ଲାଗୁଛୁ, ଯଦି କିଛି ଏପଟ ସେପଟ କଲୁ ତୋତେ ଏଇ ଫାଟକ ରେ ବାନ୍ଧି ଦେଇ ଯାଉଛି।।


     ମୁଁ ବି ହାତ ବଢ଼େଇ ଦେଲି...... ଏମିତି ରେ ଏଇ ହାତକଡ଼ି ପଡ଼ିବା ବାକିଥିଲା...।।


:- ହଁ ହଁ ବାନ୍ଧି ଦେଇଯାଅ ମୋତେ।।


   ଭିତରକୁ ସିକ୍ୟୁରିଟି ପୋଲିସ ଗଲା......


    :-ଆରେ ତମ ନାଁ କହିବା ତ ଦୂରର କଥା ମ୍ୟାଡାମ ମିଟିଙ୍ଗ ରେ ବ୍ୟସ୍ତ ଅଛନ୍ତି, ମୋ ମୁହଁ ବି ଠିକ୍ ରେ ଦେଖି ନାହାଁନ୍ତି, ଚିଡ଼ି ଉଠି ପରେ ଆସିବାକୁ କହିଗଲେ। ବୋଧହୁଏ ମିଟିଙ୍ଗ ସରିବାକୁ ଦୁଇ ତିନି ଘଣ୍ଟା ଲାଗିଯିବ;ତମେ ଅପେକ୍ଷା କର ଏଇଠି।


:- ଅପେକ୍ଷା, ନାଁ ଆଉ ପାରିବିନି, ଥାଉ ମୋ ପାଇଁ ତୁମେ ଗାଳି ଶୁଣିଲ ଭାଇ....ମୋତେ କ୍ଷମା କରିବ। ମ୍ୟାଡାମ ଙ୍କ କାମ ସରିଲେ ଖାଲି ଟିକେ ମନେ କରିକି ଏଇ କାଗଜ କେଇ ଫର୍ଦ୍ଦ ଦେଇଦବ ଆଉ କହିବ "ରେଭେନ୍ସା ର କାବ୍ୟାଂଶ" ବୋଲି ଗୋଟେ କିଏ ପାଗଳ ପଠେଇଛି।


:-ଆଛା ଠିକ୍ ଅଛି, ତୁମେ ଏଥର ଆସିପାର!!!, ମ୍ୟାଡାମ କାମରୁ ଟିକେ ହାଲକା ହେଲେ ମୁଁ ମ୍ୟାଡାମ ଙ୍କୁ ଜଣେଇ ଦେବି ଆପଣଙ୍କ ବିଷୟରେ....।


  ହଁ ସୁରେନ୍ଦ୍ର ଟିକେ କ୍ୟାବିନ କୁ ଆସିଲ।

ଆଜ୍ଞା ମ୍ୟାଡାମ କହି ଭିତରକୁ ପ୍ରବେଶ କରେ ସିକ୍ୟୁରିଟି କନେଷ୍ଟବଳ ସୁରେନ୍ଦ୍ର ମହାନ୍ତି।

     ହଁ ସେତେବେଳେ ଆସିଥିଲ, ମୁଁ ମିଟିଙ୍ଗ ରେ ଥିଲି ତୁମକୁ ମନା କଲି, କ'ଣ କଥା ଏବେ କୁହ।


:- ମ୍ୟାଡାମ୍!!! କିଏ ଜଣେ ଆପଣଙ୍କୁ ଦେଖା କରିବାକୁ ଆସିଥିଲେ। ଆପଣଙ୍କୁ ଖୋଜୁଥିଲେ। ଭାରି ବ୍ୟାକୁଳ ହେଉଥିଲେ ଆପଣଙ୍କୁ ଭେଟିବା ଲାଗି। ହଁ କ'ଣ ତ ତାଙ୍କ ନାଁ.... ହଁ ହଁ "ରେଭେନ୍ସା ର କାବ୍ୟାଂଶ ଗୋଟେ ପାଗଳ"

ବାସ୍ ପରିଚୟ ରେ ଏତିକି ଆଉ ଆପଣଙ୍କ ପାଇଁ ଦୁଇ ଫର୍ଦ୍ଦ କାଗଜ....।।


:- କ'ଣ କହୁଛ, ଲୋକ ଟା କ'ଣ ପାଗଳ ଥିଲା।

:-ହଁ ମ୍ୟାଡାମ୍ ଲୋକଟା ପାଗଳ ଥିଲା, ହେଲେ କେବଳ ବେଶ ଭୂଷା ରେ, ନତୁବା ଲୋକଟା ପୁରା ଠିକ୍ ଠାକ୍ ଥିଲା ମ୍ୟାଡାମ।


:-ଆଛା କାଗଜ ଦେଲ,

:-ନିଅନ୍ତୁ ମ୍ୟାଡାମ।


ଏଗାର ବର୍ଷ ପରେ ଆଜି ସେଇ ଅକ୍ଷର, ମୁଁ ଯାହାକୁ ଖୋଜୁଥିଲି, ଯାହା ପାଇଁ ମୁଁ ଆଜି ଆଇ.ଏ.ଏସ୍ ପ୍ରଜ୍ଞା....ଯାହା ପାଇଁ ଆଜି ବି ମୋ ସିନ୍ଥି ଫାଙ୍କା। ଏତେ ପାଖରୁ ପାଇବି ଆଜି ପୁଣିଥରେ ହରେଇ ଦେଲି। ସୁରେନ୍ଦ୍ର ତମେ ଏ କ'ଣ କଲ.....।।

:-କିନ୍ତୁ ମ୍ୟାଡାମ ଆପଣ ତ ବ୍ୟସ୍ତ ଅଛନ୍ତି ବୋଲି କହିଲେ ଆଉ ମୋତେ ପରେ ଆସିବାକୁ କହିଲେ।

:-ଆଛା ଠିକ୍ ଅଛି ତୁମେ ଏବେ ଆସ।।


     ଜାଣିଛି ତମେ ମୋତେ ଖୋଜୁଛ, ହେଲେ ମୁଁ ହଜି ସାରିଛି......କାରଣ କେବେ ପଚାରିବନି କି....ଅକାରଣ ବୋଲି ଭାବିବନି....।। 

    କ'ଣ ଆଉ କରିପାରିଥାଆନ୍ତି....ମୋର ବି ସ୍ୱପ୍ନ ଥିଲା "ପାଠ ପଢ଼ିବି କାଳିଆ ଘୋଡ଼ା ରେ ଚଢ଼ିବି.. ମଧୁ ବାରିଷ୍ଟର ସାଥେ ଲଢ଼ିବି" ହେଲେ ମୋ ପାଇଁ ତ ଘୋଡ଼ା ଛ' ଟଙ୍କା କୁ ଦାନା ନ' ଟଙ୍କା। କିଛି ସ୍ୱପ୍ନ ସବୁଦିନ ଆଖି ପରଦା ଉପରେ ଚିରଦିନ ଝୁମିବାକୁ ଭଲ ପାଆନ୍ତି।

କେହି ନ ଜାଣିଲେ ବି ତୁମେ ତ ଜାଣିଥିଲ ପ୍ରଜ୍ଞା, ମୁଁ ଜାଣିଶୁଣି କବିତା ଲେଖିବା ଅନ୍ୟର ଦୁଃଖ କଷ୍ଟ କୁ କାହାଣୀ ର ରୂପ ଦେବା ହଜିଯିବା, ଖୋଜିବା, ପାଗଳ ପରି ନିଃସଙ୍ଗତା ଏସବୁ ମୋ ଭିତରେ ଆପଣାଛାଏଁ ଅଙ୍କୁରୋଦ୍ଗମ ହେବାରେ ଲାଗିଥିଲା। ମୋତେ ଫିଜିକ୍ସ ର ଜଟିଳ ସମାଧାନ ଭିତରେ ସାହିତ୍ୟ ର ରଙ୍ଗ ଦେଖାଯାଏ, ନ୍ୟୁଟନ୍ ଙ୍କ ର ନିୟମ ଭିତରେ ମୋତେ ଜହ୍ନ କଇଁ ର ଭଲ ପାଇବା ଆଉ ଅଭିମାନ ସ୍ପଷ୍ଟ ବାରି ହୁଏ। ତୁମର ମନେ ଅଛି ନା ପ୍ରଜ୍ଞା ସେଦିନ ପ୍ରଫେସର ଶର୍ମା "ମୋସନ୍" ବିଷୟରେ ବୁଝଉଥିବା ବେଳେ, ମୋତେ ଉଦାହରଣ ଦେବାକୁ କହିଲା ବେଳେ ମୁଁ ହଠାତ୍ କହି ବସିଥିଲି- "ସାର୍ ରାତିର ଗତି ଜହ୍ନ ର ଜୋଛନା, ସହ ବଢ଼ିବାରେ ଲାଗିଛି" । ଆଉ ତା' ପରେ କିଏ "କ୍ୟା ବାତ୍ ହେ" ୱା ୱା କହିବାକୁ ଲାଗିଥିଲେ। ଆଉ ତୁମର ଲାଜ ମିଶା ହସକୁ ମୁଁ ବେଶ୍ ଅନୁଭବ କରିଛି। ହେଲେ ପ୍ରଫେସର ଶର୍ମା ନାକତଳକୁ ସୁନେଲି ଚଷମା ର ଫ୍ରେମ କୁ ଝୁଲେଇ ଦେଇ "ୟୁ ଇଡ଼ିୟଟ୍ ଗେଟ୍-ଆଉଟ୍-ଫ୍ରମ୍ ମାଇଁ କ୍ଲାସ୍" । ହଠାତ୍ ସମସ୍ତେ ହସିବାକୁ ଲାଗିଲେ ଆଉ ମୁଁ ବି ହସିଦେଇ ବାହାରକୁ ଚାଲି ଆସିଲି।


     ରେଭେନ୍ସା ର ନାଲି ମାଟି କାନ୍ଥ, ନରମ ଶିଶିର କୁ ଆଲିଙ୍ଗନ କରିଥିବା ଘାସ ଗାଲିଚା ମୋତେ ଯେମିତି ବାଧ୍ୟ କରେ କଲମ ସହିତ କାଗଜ ର ବନ୍ଧନ ବାନ୍ଧିବାକୁ। ପ୍ରକୃତରେ ମୁଁ ମଧ୍ୟ ବାଧ୍ୟବାଧକତା ରେ ଫିଜିକ୍ସ ରେ ଫଗୁଣ ରେ ରଙ୍ଗେଇ ହେଇଛି......ବେଳେବେଳେ ଭାବେ 2 ରେ ମୋତେ ଏତେ ଅଧିକ ନମ୍ବର ରଖିବାର ନଥିଲା....ହୁଏତ ମୁଁ ଯଦି ମଣ୍ଟୁ, ବିକାଶ, ସତ୍ୟ ଭଳି କମ୍-ନମ୍ବର ରଖି ଥାଆନ୍ତି, ମୋତେ ବି ସେମାନଙ୍କ ଘର ଲୋକମାନଙ୍କ ଭଳି ମୋ ବାପା ବୋଉ କହିଥାଆନ୍ତେ ଏଇ ଗାଁ କଲେଜ ରେ ଯାହା ଯେମିତି କରି ପଢ଼ୁଛୁ ପଢ଼।

   ହେଲେ ସେସବୁ ଟିକେ ଆଗରୁ ଭାବିଥିଲେ କେତେ ଭଲ ହେଇଥାଆନ୍ତା......ଚୋର ଚାଲିଗଲା ପରେ ପୋଲିସ୍ ଆସି ତଦନ୍ତ କରେ, ମୁଁ କିନ୍ତୁ......।।


     ଚୋର ସାଜି ପାରେନା....ରାତି ପାହିଲେ ବାପା ଙ୍କ ର ବିର୍ଲା-ଟାୟାର୍ସ ପର୍ଯ୍ୟନ୍ତ ସାଇକେଲ ଚଲେଇ ଯିବା ର ଶବ୍ଦ ମୋତେ ରାତି ସାରା ଶୁଆଇ ଦିଏନା....ବାପା ଙ୍କ ର ସେଇ ଗୋଟିଏ ଧାଡ଼ି ମୋତେ ସବୁବେଳେ ଲୁହ ରେ ଭିଜେଇ ଦିଏ "ବାବୁ ରେ ଯେତେ କଷ୍ଟ ହଉ ପଛେ ତୁ ଆମର ମଣିଷ ହେଇଯା, ଟଙ୍କା ପାଇଁ ଜମା ବ୍ୟସ୍ତ ହ ନା" । ରାତି ରେ ଶୋଇଥିବା ବେଳେ ମୋତେ ଉପର ପଙ୍ଖା ର ଶବ୍ଦ ଅପେକ୍ଷା ବୋଉ ର ସିଲେଇ ମେସିନ୍ ର ଘରଘର ଶବ୍ଦ ଆଉ ମୋତେ ବଡ଼ କରି ତୋଳିବା ପାଇଁ ମାଟି କୁମ୍ପି ର ଓଜନ କୁ ସିଏ ନିଇତି ପରଖି ଚାଲେ।

     ସିଏ କେମିତି ନିଇତି ପରଖି ଚାଲେ ମୋତେ ସେ ଦୃଶ୍ୟ ବେଶ୍ ଭଲ ଭାବେ ମନେ ପଡ଼ିଯାଏ। ବୋଉ କୁ ମୋତେ ନେଇ କ'ଣ ଲକ୍ଷ୍ୟଥିଲା ମୁଁ ଜାଣିନି ହେଲେ ମୋତେ କହେ "ତୋତେ ମୁଁ ଆମ ଟି.ଭି ଭିତରେ ଦେଖିବାକୁ ଚାହେଁ" , ହେଲେ ଲୁଚି ଲୁଚି କବିତା ଲେଖିବା ଗଳ୍ପ ଉପନ୍ୟାସ ସଂଗ୍ରହ କରି ଘରର କବାଟ ବନ୍ଦ କରି ଅଭିନୟ କରିବାକୁ ବେଶି ପସନ୍ଦ କରେ।।

   କେମିତି କେମିତି ସବୁ ବଦଳିବାକୁ ଲାଗିଥିଲା... ବିଜ୍ଞାନ ପାଖରୁ ମୋର ଦୂରତା ବଢ଼ି ବଢ଼ି ଚାଲିଥାଏ। ମୋତେ ସେ ଦୂର ଆକାଶର ଚଢ଼େଇ, ଦୂର ପାହାଡ଼, ଦୂର ଆକାଶର ଜହ୍ନ ଏମାନଙ୍କ ଭିତରେ ଗୋଟେ ନୂଆ ସମ୍ବନ୍ଧ ଗଢ଼ିବାକୁ ଭଲ ଲାଗୁଥିଲା...।।


   ରେଭେନ୍ସା ରୁ ଫେରୁ ଫେରୁ ମୁଁ ଆଉ ସେ ଆନ୍ତରିକତା ସେ ଭଲ ପାଇବା ମୋ ପରିବାର ଲୋକଙ୍କ ଭିତରେ ଖୋଜି ପାଉନଥିଲି।। ସମସ୍ତେ ଅସନ୍ତୋଷ ଆଉ ଅଭାବ ର ଆଇନା ରେ ବୋଉ ନିଇତି ସଜେଇ ହ‌ଉଥିଲା....ଆଉ, ଜାଣୁ ଜାଣୁ ଜାଣିବାକୁ ପାଇଲି ୟା ଭିତରେ "ବିର୍ଲା ଟାୟାର୍ସ" କମ୍ପାନୀ ର ମାନ୍ଦା ଅବସ୍ଥା ଯୋଗୁଁ ମୋ ବାପା ବି ବିନା ବେତନରେ ଗୋଟେ "ସୁରଟ ଫେରନ୍ତା" ସାଜି ଯାଇଛନ୍ତି। ଆଉ ଘରକୁ ଫେରିବା ପରେ ନିଇତି ଦେଖେ ବାପା-ବୋଉ ଙ୍କ ଭିତରେ ଝଗଡ଼ା ଲାଗି ରହେ। ବୋଉ ର ରାତି ଦିନ ପିଲା ଦୁଇଟା କେମିତି ମଣିଷ ହେବେ, ଏବେ କ'ଣ କରିବା କେମିତି ଚଳିବା, ସେ କଥା କୁ ନେଇ ବାପା ଙ୍କ ପାରିବା ପଣିଆ କୁ ପ୍ରଶ୍ନ ଲାଗି ରହେ ଆଉ ବାପା ସେମିତି ସବୁ ଠିକ୍ ହେଇଯିବ ଭାବି କରି ଚୁପ୍ ହେଇ ରହିଯାଆନ୍ତି।।

      ମୁଁ ଜାଣିନି ବୋଉ କେମିତି ଜାଣିଲା....ମୋର ଏ ଲେଖାଲେଖି ବିଷୟରେ। ପ୍ରଥମରୁ ତ ଏ ବିଷୟରେ ମୁଁ କେବେ କାହାକୁ କିଛି ଜଣେଇ ନଥିଲି, ହେଲେ ସିଏ ପରା ମା' ଯେତେ ଲୁଚେଇ ରଖିଲେ ବି ସେ କଥା କୁ ସେ ଠିକ୍ ବାରି ପାରିଥିଲା। ଆଉ, ସେଦିନ ବାପା ଙ୍କ ରାଗ ଟା ମୋ ଉପରେ ଶୁଝେଇ ଦେଲା ବୋଉ। କହୁ କହୁ ଅନେକ କଥା ଶୁଣେଇ ଗଲା। ତା ମନକୁ ଯାହା ଆସିଲା ତାହା। "ସେ କବିତା ରୁ କ'ଣ ମିଳିବ, ସିଏ କ'ଣ ତୋତେ ଚାକିରି ଦବ ନା ତୋ ପେଟ ପୁରେଇବ, ତୋ ଜୀବନ ର ବେଗ କ'ଣ ସେ ବଢ଼େଇ ପାରିବ, ପାରୁଛୁ ଯଦି କ‌ଉ ଗୋଟେ ମେଡ଼ିସିନ ଦୋକାନ ରେ ଯାଇ ରହ, ଏବେ ଚାରି ପ୍ରାଣୀ କୁଟୁମ୍ବ କେମିତି ଚଳିବା ସେ କଥା ଟିକେ ଭାବ, ତୋ ସାନ ଭାଇ କେମିତି ପଢ଼ିବ ଟିକେ ଭାବ; ସେ କବିତା ରୁ କ'ଣ ମିଳିବ"।


    ବୋଉ କୁ କ'ଣ କହିବି କିଛି ବୁଝା ପଡ଼ୁନଥିଲା....ହେଲେ ମୁଁ ତା'କୁ କହିଲି "କବିତା ମୋ ଜୀବନ ର ବେଗ ନୁହେଁ , ଆବେଗ"। ବାସ୍ ଏତିକି କଥା ବୋଉ କ'ଣ ଭାବିଲା କେଜାଣି ହଠାତ୍ କହି ବସିଲା। ବଡ଼ ହେଇ ଗଲୁଣି ମୁହଁ ଉପରେ ଜବାବ ଦ‌ଉଛୁ.... ଏମିତି କେତେ କଥା...ହଜାରେ ବ୍ୟଥା ହେଲେ ମୁଁ ତା'କୁ ଟିକେ ବି ଦୋଷ ଦେଇନି ଆଉ ସବୁ ସହିଯାଇଛି। ମୁଁ ବେଶ୍ ଭଲ ଭାବରେ ବୁଝି ଯାଇଥିଲି ଏଠି ଖଳ-ନାୟକ ତ ଅଭାବ ଥିଲା।



    ଶେଷରେ ମୁଁ ଘର ଛାଡ଼ି ଦେଲି। ଆଉ ସହିବା ଅବସ୍ଥା ରେ ମୁଁ ନଥିଲି। ହଁ ବାପା ବୋଉ ଙ୍କ ସହ ମୁଁ ସ୍ୱାର୍ଥପର ସାଜିଛି, କିଛି କରିନି....ସାନ ଭାଇ ଟାକୁ ମୋର କୂଳରେ ଲଗେଇ ପାରିଲିନି। ସମସ୍ତଙ୍କ କଥା ଜାଣି ଶୁଣି ଭୁଲି ଯିବାକୁ ବାଧ୍ୟ ହେଲି ଆଉ ଏଇ ସମୟରେ ତମର ଫୋନ୍ ଆସିଥିଲା ପ୍ରଜ୍ଞା....ଆଉ ମୁଁ ସମସ୍ତଙ୍କ ଠାରୁ ଖୁବ୍ ଦୂରରେ ରହିବାର ନିଷ୍ପତ୍ତି ନେଇ ଟ୍ରକ୍ ଡଲା ଉପରେ ବସି ଅଜଣା ପଥରେ ଯାଉ ଯାଉ ମୋ ମୋବାଇଲ କୁ ତଳକୁ ଫୋପାଡ଼ି ଦେଇଥିଲି।

    ହଁ କଟକ ଭୁବନେଶ୍ୱର ହେଇଥିଲେ ତମେ ହୁଏତ ମୋତେ ଖୋଜି ପାଇ ପାରିଥାଆନ୍ତ, ସେ ଲାଗି ମୁଁ କୋରାପୁଟ ର କେଉଁ ଏକ ଅପହଞ୍ଚ ଇଲାକା କୁ ମୁଁ ମୋ ନୂଆ ଠିକଣା ରୂପେ ଭାବି ନେଇଥିଲି। ପେଟ ପାଇଁ ଗଣ୍ଡେ ଆଉ ପିଠି କୁ ଖଣ୍ଡେ ପାଇଁ "ବିକ୍ରମଦେବ ମହାବିଦ୍ୟାଳୟ" ପାଖରେ ଥିବା ହୋଟେଲ ରେ ମୁଁ ଖାଦ୍ୟ ଦେବା ନେବା ରେ ଚାକିରି ଗୋଟେ ଯୋଗାଡ଼ କଲି। ସତରେ ବଡ଼ ବିଚିତ୍ର ଥିଲା, ଯ‌ଉ କବିତା ପାଇଁ ମୁଁ ସବୁ କିଛି ଛାଡ଼ିଦେଲି ଆଜି ତାକୁ ବି ମୁଁ ମୋ ନିଜର କରି ପାରି ନଥିଲି।


    ଛାଡ଼ ଭାବିଥିଲି ତମ ସହ ଆଉ କେବେ ଦେଖା ହେବନି ହେଲେ ସେଦିନ ମୁଁ କାମ କରୁଥିବା ହୋଟେଲ ଆଗରେ ନାଲିବତି କାର ତା' ଭିତରୁ ଆଇ.ଏ.ଏସ୍ ପ୍ରଜ୍ଞା ମହାନ୍ତି।। ତମକୁ ଦେଖି ମୋ ଛାତି କୁଣ୍ଢେ ମୋଟ ହେଇ ଯାଉଥିଲା; ଇଛା ହ‌ଉଥିଲା ସବୁକିଛି ତମ ଆଗରେ ଆସି ଗାଇଯିବି। ସବୁଠୁ ବେଶି ଆଶ୍ଚର୍ଯ୍ୟ ସହ ଖୁସି ବି ହେଇଥିଲି ତମ ଫାଙ୍କା ସିନ୍ଥି ଦେଖି; କାରଣ ମୋ ଆଶ୍ଚର୍ଯ୍ୟ ର କାରଣ ମୁଁ ନିଜେ ଥିଲି.....ଆଉ ଆଜି ବି ତମେ ମୋ ଅପେକ୍ଷା ରେ ବୋଲି ବେଶ୍ ଅନୁମେୟ କରିଥିଲି। ହେଲେ ଆଉ ସାହସ କରି ପାରି ନଥିଲି......।।

     ଏ ସହରରେ ରହିଲେ ହୁଏତ ଆଜି ନହେଲେ କାଲି ତମ ସହ ଭେଟ ହେଇଯିବ। ତମ ଅଭିମାନ କୁ ଆଉ ମନେଇବା ମୋ ବଶବର୍ତ୍ତୀ ନଥିଲା.....। ଆଉ ମୁଁ ବି ଏ ସହର ଛାଡ଼ି ଦ‌ଉଛି। କୁଆଡ଼େ ଯିବି ଭାବିନି କି ଭାବି ପାରୁନି, ପାଦ ଯୁଆଡ଼େ ଟାଣି ନବ। ତଥାପି ମୋର ପଛ କଥା ମନେ ପଡ଼ିଥିଲା....ତୁମେ ରେଭେନ୍ସା ରେ ପଢ଼ା ସମୟରେ ସବୁବେଳେ କୁହ ମୋ ପାଇଁ କାହାଣୀ ଟିଏ ଲେଖନ୍ତି ନି। ଯ‌ଉଥିରେ ମୁଁ ହୁଅନ୍ତି ସେ କାହାଣୀ ର ନାୟିକା ହେଲେ.... ମୁଁ ମନା କରେ.......।।


        ହୋଟେଲ ମାଲିକ ଙ୍କ ଠାରୁ ସଠିକ ଭାବରେ ଜାଣିବାକୁ ପାଇ ଯାଇଥିଲି...ଯେ ତୁମେ ହିଁ ମୋ ରେଭେନ୍ସା ର ପ୍ରଜ୍ଞା ଆଉ ଏବେକାର କୋରାପୁଟ ର "ଆଇ.ଏ.ଏସ ପ୍ରଜ୍ଞା ମହାନ୍ତି"। ତୁମ ପାଇଁ କାହାଣୀ ତ ଲେଖିଦେଲି ହେଲେ ସେ କାହାଣୀ ରେ ତମକୁ ନାୟିକା ସଜେଇ ପାରିଲି କି ନାଁ ଜାଣିନି.... କାହିଁକି ନା ଏ କାହାଣୀ ଥିଲା ଏକ ପାଖିଆ......ତଥାପି

କାହାଣୀ ରି ନାଁ..........................

    ଶୂନ୍ୟସ୍ଥାନ ଛାଡ଼ି ଦେଇଛି ଲେଖିଦବ କାହାଣୀ ର ନାଁ କ'ଣ।।



    ବିସ୍ତୃତ କାଚ ର ଟେବୁଲ , ବିଦ୍ୟୁତ ଚାଳିତ ଗ୍ଲୋବ ଘୁରି ଚାଲିଛି ପେପର୍ ବଟ୍ ପାଖରେ ଦୁଇ ପାଖିଆ କଲମ; ହଠାତ୍ ପ୍ରଜ୍ଞା କଲମ ର ଗୋଟେ ପାଖରେ ଶୂନ୍ୟସ୍ଥାନ ଉପରେ ଲେଖି ଦେଲେ "କାହାଣୀ"।।

ଆଉ ଏବେ "କାହାଣୀ ର ନାଁ କାହାଣୀ"।।

     ଟୋପା ଟୋପା ଲୁହ ସବୁ ଆଖି ରୁ ନିଗିଡ଼ି ପଡ଼ି କାଚ ଟେବୁଲ୍ ଉପରେ ପଡ଼ିଯାଉଥାଏ। ଆଉ ବନ୍ଦ ଘରର ଦରଜା ଭିତରେ ଦୁଇଖଣ୍ଡ କାଗଜ କୁ ଛାତିରେ ଜାବୁଡ଼ି ଧରି କାନ୍ଦି ଚାଲିଥାଏ ପ୍ରଜ୍ଞା.....ଆଉ ଏଇ ସମୟରେ....... ସୁରେନ୍ଦ୍ର ଆସି କହେ

"ମ୍ୟାଡାମ ଲୋକାଲ ଏମ୍.ଏଲ୍.ଏ ଆପଣଙ୍କ ସହ କଥା ହେବା ପାଇଁ ବାହାରେ ଅପେକ୍ଷା କରିଛନ୍ତି"

        ପଛକୁ ବୁଲି ରହିଥିବା ହୁଇଲ ଚେୟାର ଟା ହଠାତ୍ ପଙ୍ଗୁବତ୍ ସ୍ଥିର ରହି ଯାଇ

ଶବ୍ଦ ଆସିଲା "ହଁ ତାଙ୍କୁ ପଠେଇ ଦିଅ"।।



Rate this content
Log in

Similar oriya story from Romance