Koushik Lenka

Romance Classics

4  

Koushik Lenka

Romance Classics

ଏଇ ଯେ ମୋର ଶେଷ ଚିଠି

ଏଇ ଯେ ମୋର ଶେଷ ଚିଠି

4 mins
208


କୁହ କ‌ଉ ଜୀବନ ରେ ମୁଁ ତୁମକୁ

ହରେଇ ନାହିଁ

କୁହ କ‌ଉ ବାଜି ରେ ମୁଁ ତୁମ ପାଇଁ

ହାରି ନାହିଁ

କହି ପାରିବ ଶେଷଥର କେବେ

ହାରିଥିଲି

ବୁଝେଇ ପାରିବ ପ୍ରଥମଥର କାହିଁକି

ପରାଜୟ ର ଦାଗ ସାଇତିଥିଲି

ଖୋଲି ଦେଖ ଏଇ ମୋର

ଶେଷ ଚିଠି କେବଳ

ତୁମକୁ ଭୁଲିଯିବା ପାଇଁ ଲେଖିଲି।।


      ଆଜି ଏତେ ବର୍ଷ ପରେ କେବଳ ତମ ପାଇଁ ମୁଁ ଚିଠି ଲେଖିବାକୁ ଯାଉଛି। ଚିଠି ଲେଖିବା ସମୟ ରେ କେଜାଣି କାହିଁକି ଆଜି ଏ ପୁରା ଆକାଶ କୁ ଚାହିଁବା କୁ ଭାରି ଇଛା ହେଲା। ତମକୁ ଜଣେଇ ରଖେ ତମ ହାତରେ ଚିଠି ଲାଗିଲା ବେଳକୁ କେତେ ତିଥି ଆମ୍ବ ଗଛର ବ‌ଉଳ ହେଇ ଝରି ଯାଇଥିବ; କେତେ ସକାଳ ର ଦୁଆର ମୁହଁରୁ ଝୋଟି ଚିତା ଲିଭି ଯାଇଥିବ, କେତେ ସଞ୍ଜ ରେ ସଳିତା ସରିଯିବା ଆଗରୁ ପକ୍ଷୀ ସବୁ ସଜାଡ଼ି ନେଇଥିବେ ନିଜ~ନିଜ ବସା। ସ୍ୱପ୍ନ ର ଥୋପ ଲଗେଇ ଜୀବନ ର ବନିଶୀ ରେ କେତେ ଆଶା ଆହତ ହୋଇ ସାରିଥିବେ। କେତେ ରାତି ଆଖି ନ ବୁଜିବାର ରାଣ ନେଇଥିବେ, କେତେ ଅମାବାସ୍ୟା ରେ ଅନ୍ଧାରର ବିଳାପ ଶୁଭିଥିବ; ଆଉ କେତେ ପୂର୍ଣ୍ଣିମା ରେ ଜହ୍ନ ଦେହରେ କଳଙ୍କ ବାରି ହୋଇ ପଡ଼ିଥିବ। ତେବେ ଆଜି ତୃତୀୟା; ମୋ ଜହ୍ନ ଆଜି ଠୁ ସଜେଇ ହ‌ଉଛି। ସଜନା ଗଛର ଡାଳ ପାଖରୁ ଯାହା ଯେମିତି ଦେଖାଯାଉଛି ପୂର୍ଣ୍ଣ ହେବାକୁ ଯାଉଛି ଆଉ ଗୋଟେ ପୂର୍ଣ୍ଣମୀ ତିଥି। ସେପଟେ ଜହ୍ନ ଟିଏ ନୂଆ ହେବାକୁ ଯାଉଥିବା ବେଳେ ଏପଟେ ଆଜି ମୋର ଏଇ ଶେଷ ଚିଠି।


           "ଶେଷ" କଥା ଟା ତମକୁ ଶୁଣିଲା ପରେ ହସ ଲାଗୁଥିବ ନା। ମୁଁ ବା କେବେ ଆରମ୍ଭ କରିଥିଲି ହେଲେ ଆଜି ହଠାତ୍ ଶେଷ କରିବାକୁ ଯାଉଛି। ସୋରିଷ ମଞ୍ଜି ମୋ ହାତରେ ଦେଇ ବାଟସାରା ବୁଣି ଯିବାକୁ କହିଗଲ; ଆଖିରେ ମୋର ପ୍ରାପ୍ତି ର ପୁଟୁଳି ହେଲେ ତମେ ଯେ ବାଟଯାକ ମୋ ହାତ ଧରିନେଇ ଆଗେଇ ନେଇଛ ସେ କଥା କୁ ତ ଅସ୍ୱୀକାର କରି ପାରିବନି। ତମେ କ'ଣ ଏକଥା କୁ ଗ୍ରହଣ କରିବନି ଯେ ତମେ ବି ଦିନେ ସେଇ ବାଟ ରେ ଯିବା ବେଳେ କେତେ କଣ୍ଟା ଏଡ଼ାଇ ନାହଁ ବୋଲି। ବୋଧହୁଏ ଏଥର ମୋ ଫେରିବା ବାଟ ରେ ଆଉ କାହାର ଠିକଣା ଲେଖା ସରିଥିଲା। ହେଲେ ତମେ ଜମା ବ୍ୟସ୍ତ ହୁଅନା.........ମୋର ଏ ଚିଠି ତୁମରି ଠିକଣା ରେ ଯାଇ ଥକା ମେଣ୍ଟେଇବ।


            ପଚାରିବନି କାହିଁକି ଈଏ ମୋର ଶେଷ ଚିଠି। ହା.....ହା। ଜାଣିଛି ଆଜି ବି ତମେ ଚୁପ୍ ରହିଯିବ। ହେଲେ ସବୁ ଶେଷ ଫର୍ଦ୍ଦ ରେ ହିଁ ଆରମ୍ଭ ସ୍ମୃତି ବଖାଣି ଦିଆଯାଏ। ମୁଁ ବି ବଖାଣି ଦେବି। ହେଲେ ଯଦି କିଛି ଛାଡ଼ି ଯାଏ ତମେ ତମ ମନର ଭାଷା ରେ ବୁଝିନବ। 


         ଜାଣିଛ ‌ଯ‌ଉଦିନ ତମେ ମୋତେ କଟକ ରେ ମିଳିଥିଲ ସେତେବେଳେ ମୁଁ ଘର ଛାଡ଼ି ‌ନୂଆ ନୂଆ ଆସିଥାଏ। ସବୁ ମୋତେ ଘୁରି ଘୁରି ଚାହୁଁଥାନ୍ତି। ହେଲେ ମୁଁ ଯେବେ ଚାହିଁବା ଆରମ୍ଭ କଲି ସେତେବେଳେ ଆଗରେ କେବଳ ତମେ ହିଁ ଥିଲ। ତୁମ ପାଇଁ ଚିଠି ଥିବ, ସେଥିରେ ଯଦି କଟକ ର ବାସ୍ନା ନଥିବ ତମେ ଆଜି ବି ମୋତେ ବୁଦ୍ଦୁ ବୋଲି କହିବା ଟା କିଛି ନୂଆ ନୁହେଁ। କଟକ ପ୍ରେମରେ ତମେ ଏତେ ଉବୁଟୁବୁ ଯେ ତମେ ଆଉ କିଛି ଜାଣ ହିଁ ନାହିଁ ଯେମିତି। କଟକ ତମ ଜୀବନରେ ଯେମିତି ଏକ ଅଲିଭା ଅକ୍ଷର। ମୋ ପାଇଁ ଏକ ଅବୁଝା ଗଣିତ ଯିଏ ସବୁବେଳେ ଗୋଟେ ବୃତ୍ତ ର ବଳୟ ରେ ଘୁରୁଥାଏ। ନାଁ ସେ ଗଣିତ କୁ ମୋତେ କିଏ ବୁଝେଇ ପାରେ ନାଁ ସେ ଗଣିତ କୁ ଛାଡ଼ି ମୁଁ ପର ପ୍ରଶ୍ନ ର କ୍ରମିକ ସଂଖ୍ୟା ଲେଖି ପାରେ।


           ହେଲେ, ଆଜି ଆଉ ସେ କଟକ ପ୍ରତି ମୋର ସେ ଆନ୍ତରିକତା ନାହିଁ। ତମେ ଜାଣି ଖୁସି ହେବ କି ନା ମୁଁ ଜାଣିନି ମୋର ଏବେ ବଦଳି ହେଇ ସାରିଲାଣି। ଜାଣିଛି ତମର ଠିକଣା ଦରକାର ବି ନଥିବ; ସେ ଲାଗି ଲେଖୁ ବି ନାହିଁ। ଏଇ ଦେଖ କ'ଣ ଲେଖୁଥିଲି କ'ଣ କହିଲିଣି। ଆଛା ତମେ ଜମା ବିରକ୍ତି ହୁଅନା। ସବୁ ଶେଷ ହିଁ ଏମିତି। ତା'ପରେ କେବେ ଦିନେ ତମେ "ତୁମକୁ ଚିଠି ଟିଏ ଲେଖିବାକୁ କହିଥିଲ ସେଇକଥା ଟା ଆଜି ଏତେ ବର୍ଷ ପରେ ମୋତେ ଖୁବ୍ ଘାରିଲା"। ନିଜକୁ ଯେତେ ବୁଝେଇଲି ଜମା ରୋକି ପାରିଲିନି। ଏମିତି ରେ ତମେ କରିଥିବା ତୁମ ସ୍ୱପ୍ନ ର ତାଲିକା ସବୁ ଏବେ ବି ଏ ହୃଦୟ କାନ୍ଥରେ ସାଇତା। ହେଲେ, ଏ କାନ୍ଥ ଯେ ପାନ୍ଥଶାଳା ର ସେକଥା ବୁଝିବା ବେଳକୁ ସୂର୍ଯ୍ୟ ବୁଡ଼ି ସାରିଥିଲା। ପାନ୍ଥଶାଳା ର କାନ୍ଥ ରେ କେତେ ନାଁ ଲେଖାହୁଏ ହେଲେ ସେସବୁ କ'ଣ ସବୁଦିନ ଏମିତି ଝଟକୁଥାଏ; କେତେ ବର୍ଷା ତା'କୁ ବତୁରି ଦିଅନ୍ତି ପୁଣି କେତେ ଖରା ତା'କୁ ଶୁଖେଇ ଦିଅନ୍ତି।


            ଶୁଣିଲି ଆଜିକାଲି ତମେ ଭାରି ଚିଡ଼ଚିଡ଼ ହେଇ ଯାଉଛ ଟିକେ ଟିକେ କଥା ରେ। ସେମିତି ହବାଟା ଯେ ତମର ଆଦୋୖ ଉଚିତ ନୁହେଁ ସେ କଥା କହିବାକୁ ମୁଁ ବା କିଏ। କିନ୍ତୁ ମୁଁ ଯେ ତୁମ ପସନ୍ଦ ର ପରିସୀମା ମାପିଥିବା ଗୋଟେ ବେତନ ପ୍ରାପ୍ତ ପ୍ରେମିକ ସେ କଥା କୁ ତମେ ଆଉ ଫାଙ୍କି ଦେଇ ପାରିବନି। ସେଦିନ କଟକ ରୁ ଫେରିବା ବେଳେ ବାଟରେ ବସ ବୋଧହୁଏ ବାରି ପାରିଥିଲା ଆମ ପୁରୁଣା ସ୍ମୃତି ର ମହକ। ଇଛା ନଥିଲେ ମଧ୍ୟ ମୁଁ ଓହ୍ଲେଇ ଥିଲି ଏତେ କିଛି ବଦଳି ଯିବା ଭିତରେ ବଦଳି ନଥିଲା ରେହମତ୍ ଚାଚା ର ଦହିବରା ସାଇକେଲ। ଜାଣିଛ ମୋତେ ଦେଖି ସାଙ୍ଗେ ସାଙ୍ଗେ ସେ ପଚାରୁଥିଲେ "ଲଡ଼କି କାଫି ଦିନୋଁ ସେ ଦିଖ୍ ନହିଁ ରହେ; ଓ ଠିକ୍ ତୋ ହେ ନା ବେଟା" ପିଛଲି ବାର ଓ ଆଇଥି ମେନେ ତୁମ୍~ହାରେ ବାରେ ମେଁ ପୁଛା ଓ ବୋଲି କି ତୁମ୍ ଘର ପେ ହୋ, କ୍ୟା ତୁମ୍ ଭି ଓହି ବାତ୍ ବୋଲୋଗେ ବେଟା "କି ଲଡ଼କି ଘର ପେ ହେ"।


           ଶେଷଥର ତମ ପାଇଁ ବୋଧହୁଏ ମୁଁ ସେଇଠି କାନ୍ଦି ଥିଲି। ଯାହା ହ‌ଉ ଚାଚା ଙ୍କ ପାଖରୁ ଏତକ ତ ଶୁଣିବାକୁ ମିଳିଥିଲା ତମେ ମୋତେ ଏ ଯାଏଁ ଭୁଲିନ। ହେଲେ ମୁଁ ସତ କହୁଛି ମୁଁ ତମକୁ ଭୁଲି ପାରିବି; ଖାସ୍ ସେଇଥି ପାଇଁ ତ ମୁଁ ସହର ଛାଡ଼ୁଛି। ସେଦିନ ଆଉ ଦହିବରା ଖାଇବା ଅବସ୍ଥା ରେ ମୁଁ ନଥିଲି; ହେଲେ ଚାଚା ଙ୍କୁ କିଛି ଦେଇ ଆସିଛି...... ତାଙ୍କ ଏତେ ସାରା ପ୍ରଶ୍ନ ର ମୁଁ ବାସ୍ ତାଙ୍କ ହାତକୁ କିଛି ବଢ଼େଇ ଦେଇଛି "ଚାଚା ଏକ ବାତ୍ ରଖୋଗି ମେରି"

:- "ହାଁ ବୋଲ୍ ବେଟା"

:- ମେରେ ପାସ୍ ଜ୍ୟାଦା ସମୟ ନହିଁ ହେ! ଅଗର ଆପ ବୁରା ନା ମାନେ ତୋ ମେରା ଏକ ସାମାନ ହେ କ୍ୟା ଆପ୍ ଉସେ ଦେ ସକତେ ହେଁ।

:- କୋସିସ୍ କରୁଁଗା ବେଟା। ମଗର ବେଟା ଓ କ୍ୟା ତୁମ୍`ହାରେ ସାଥ୍ ନହିଁ ରହତେ ହେ ବେଟା।


       କ'ଣ ଭାବୁଛ ଉତ୍ତର କହି ଦେଇଥିବି। କିଛି କହିନି। ଆଶ୍ୱସ୍ତି ର ପ୍ରଶ୍ୱାସ ଟିଏ ଭିତରକୁ ଟାଣି ନେଇଥିବ ନା। ସରି ସରି ଆସିଲାଣି ଏ ଚିଠି ର ଫର୍ଦ୍ଦ। ଆଉ ବା ଲେଖିବି କ'ଣ.....ତମେ ବି ଭାବୁଥିବ ଲେଖିଛି ବି କ'ଣ। ଜାଣିନି ତମ ସହ ଚାଚା ଙ୍କ ର କେବେ ଦେଖା ହବ କି ନାଁ...... ଦେଖାହେଲେ ମାଗିନେବ.... ବୋଧହୁଏ ସିଏ ବି ତମ ଅପେକ୍ଷା ରେ ଥିବେ।


      ଇଛା ଥିଲା ଈଏ ମୋର ଶେଷ ଚିଠି ହେବ ହେଲେ ଲାଗୁଛି କାହିଁକି କେଜାଣି ଏଇଠୁ ବୋଧହୁଏ ଆରମ୍ଭ ଟେ କଡ଼ଲେଉଟ‌ଉଥିବ। ଚିଠି ପାଇବା ଆଗରୁ ମୁଁ ବୋଧହୁଏ ତୁମ ଠାରୁ ଆଉ କିଛି ବାଟ ଦୂରେଇ ସାରିଥିବି। ଜୀବନରେ କେବେ ଚିଠି ଲେଖିନି ଇଏ ମୋର ପ୍ରଥମ ଆଉ ଶେଷ ଚିଠି; ୟା' ପୂର୍ବରୁ ତମର କେତେ ଚିଠି ପାଇଛି। ଛାଡ଼ିଲି ଏଇଠି କାଳି ର ଦାଗ....ଆଶା କରେ ଖୋଜିବନି ମୋତେ।



Rate this content
Log in

Similar oriya story from Romance