କାରଣ
କାରଣ
ଓଃ! ଉପପାଦ୍ୟ-୩୧ । ବର୍ଷ ଆରମ୍ଭରୁ ମିଶ୍ର ସାର୍ ତାଙ୍କ ନାଲି କାଳିରେ, ବର୍ଗଚିତ୍ର, ଆୟତଚିତ୍ର, ବୃତ୍ତ ଯେତେ ପ୍ରକାର ସେଇ "ଉପପାଦ୍ୟ-୩୧"ଟାକୁ ରଙ୍ଗୀନ କରି ସାରିଲେଣି । ତାଙ୍କ କହିବା କଥା ଏବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ନିଶ୍ଚିତ ରୂପେ ଏଇଟି ଏକ ସମ୍ଭାବ୍ୟ ପ୍ରଶ୍ନ । ହେଲେ କ'ଣ ହେବ; ମୋର ତ ଜମା ଉପପାଦ୍ୟ-୩୧ ହଉ ନାହିଁ । ଯେତେ ପ୍ରକାର ଚେଷ୍ଟା କଲେ ବି ସବୁରୁ ବିଫଳ । ଆଉ, ଆଜି ଶେଷରେ ଗଣିତ ପରୀକ୍ଷା । ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଁ ହଜାରେ ମାନସିକ କରି ସାରିଛି । କେବଳ ସେଇ ଗୋଟିଏ କଥା ଉପପାଦ୍ୟ-୩୧ ଆସି ନଥାଉ । ମନକୁ ବୁଝାଇ ପରୀକ୍ଷା କୋଠରୀର ନିରବତା ସହ ମୁଁ ବି ସାମିଲ ହେଲି । ଧିରେ ଧିରେ ପ୍ରଶ୍ନ ପତ୍ର ଆସିଲା ମୋ ପାଖକୁ । ଆଉ ମୁଁ ଖୋଜି ଚାଲିଲି ଆଉ ପାଇଲି ମଧ୍ୟ ୯ନମ୍ବର ପ୍ରଶ୍ନ ଥିଲା ଉପପାଦ୍ୟ-୩୧।
ମୋର ମୋ ନିଜ ଉପରୁ ଆତ୍ମବିଶ୍ୱାସ କମି ଯାଉଥିଲା, ଲାଗୁଥିଲା ଯେମିତି ମୋତେ କୌଣସି ଗୋଟିଏ ବି ପ୍ରଶ୍ନ ଆସିବନି । ଆଖିର ଥପ୍-ଥପ୍ ଲୁହ ମୋ ଉତ୍ତର ଖାତାଟାକୁ ଭିଜେଇ ସାରିଲେଣି । ପ୍ରଥମଥର ପାଇଁ ମୁଁ ମୋ ନିଜକୁ ନିଜେ ବୁଝେଇଲି । ଛାଡ଼ "ବିଧିର ବିଧାନ କେ କରିବ ଆନ" । ଶେଷରେ ଗୋଟେ ପରେ ଗୋଟେ ପ୍ରଶ୍ନର ଉତ୍ତର ସଠିକ୍ ଦେଲି, ହେଲେ ଅଟକି ଗଲି ସେଇ ଉପପାଦ୍ୟ-୩୧ ପାଖରେ ମନ ଭିତରେ କୋହ ବଢ଼ି ବଢ଼ି ଯାଉଥାଏ । ଚୁପ୍-ଚାପ୍ ବସିଥାଏ । ହଠାତ୍ ପାଖ ଚେୟାରରେ ବସିଥିବା ଅଜଣା ଝିଅଟି ମୋର ଏ ଅବସ୍ଥାକୁ ଅନୁଭବ କରି ପାରିଲା ବୋଧହୁଏ । ଆଉ ମୋତେ ପଚାରିଲା।
:- କ'ଣ ତୁମେ ସବୁ ସାରିଲଣି?
:- ହଁ ସବୁ ତ କରିଛି ଗୋଟେ ଆସୁନି।
ନିରୀକ୍ଷକଙ୍କ ନଜର ଆଢ଼ୁଆଳରେ ଆମେ ଦୁହେଁ ବେଶ୍ ସତର୍କତାର ସହ ଯିଏ ଯାହାର ପରୀକ୍ଷା ଖାତାକୁ ଚାହିଁ କଥା ହେଇ ଯାଉଥାଉ।
:-ଆଚ୍ଛା କଉଟା ଆସୁନି ତମକୁ।
:-ଉପପାଦ୍ୟ-୩୧ ଯୋଉଁ ପଡ଼ିଛି ମୋର ୯ ନମ୍ବରରେ ଅଛି।
:-ମୋର ବି ୯ ନମ୍ବରରେ ଅଛି।
:- ମୋର ସେଟ୍-A
:- ହଁ ମୋର ବି ସେଟ୍-A
ପରୀକ୍ଷା ସରିବାକୁ ଆଉ ମାତ୍ର ହାତ ଗଣତି ୨୦ମିନିଟ୍ ବାକି । ବୋଧହୁଏ ନିରୀକ୍ଷକଙ୍କର ତତ୍ପରତା ଯୋଗୁଁ ପାଖାପାଖି ଦୁଇଜଣ ପିଲାଙ୍କ ପାଖରେ ସମାନ ସେଟ୍ ପହଞ୍ଚି ଯାଇଛି।
:-ଆଚ୍ଛା ମୁଁ ତୁମକୁ ଉପପାଦ୍ୟ-୩୧ କହିଦେବି ଲେଖିବ।
:-କିନ୍ତୁ ତମର ତ ସମୟ ନଷ୍ଟ ହେବ।
:-ମୋତେ ଏମିତିରେ ଉପପାଦ୍ୟ-୩୧ ଛଡ଼ା ଆଉ କିଛି ଆସୁନି । ତେଣୁ କରି ମୋ କଥା ତୁମେ ଚିନ୍ତା କରନି।
ନିଜକୁ ଭାରି ଅସହଜ ଲାଗୁଥିଲା, ତଥାପି କହିଲି
:-ହଁ ତେବେ ତୁମେ କୁହ।
:-ଆଚ୍ଛା ହଉ ତୁମେ ଲେଖ, ମୁଁ ଚୁପ୍-ଚାପ୍ ଡାକି ଦଉଛି।
ଆଉ ସେ ଡାକିବା ଆରମ୍ଭ କରି ଦେଇଥିଲା । ବେଳେବେଳେ ଏତେ ଧିରେ ଡାକୁଥିଲା ଯେ ମୋତେ ଅଲଗା ଶବ୍ଦ ସବୁ ଶୁଣା ଯାଉଥିଲା । "ଆଉଥରେ କୁହ" ବୋଲି କହିଲେ ସେ ଡାକି ଦଉଥିଲା।
ଶେଷରେ ମୁଁ ୧୦୦ନମ୍ବର ଯାକ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲି ସତ ହେଲେ, ସେ ଝିଅଟି ଏତେ ସାହାଯ୍ୟ କଲା ତାକୁ ମୁଁ କିଛି କହିଲିନି, ନିଜକୁ ଭାରି ଖରାପ ଲାଗିଲା । ଆଉ ମାତ୍ର ଦୁଇ ତିନି ମିନିଟ ବାକି ଥାଏ । ଚାହିଁଲେ ବି ତା' ସହ କଥା ହେଇ ହବନି । ମୁଁ ଜାଣିଶୁଣି ୧ ନମ୍ବରର ଦଶଟି ଯାକ ପ୍ରଶ୍ନର ଉତ୍ତର କାଟିଦେଲି । ଆଉ ମୋ ଖାତା ଦେଇଦେଲି ।
ପରୀକ୍ଷା ହଲରୁ ବାହାରିବା ପରେ ମୁଁ ତା'କୁ ହିଁ ଖୋଜୁଥାଏ । ଶେଷରେ ଦେଖିଲି ସେ ରାସ୍ତା ସେ ପାଖରେ କାହାକୁ ଗୋଟେ ଅପେକ୍ଷା କରିଥାଏ ହାତରେ ଲେଜର ମଡ଼େଲର ଜ୍ୟାମିତି ବାକ୍ସ ଧରି।
ମୁଁ ମୋ ସାଇକେଲ ଗଡ଼େଇ ଗଡ଼େଇ ଏ ପାଖରୁ ସେ ପାଖ ଯାଏଁ ଗଲି ଆଉ ତା'କୁ ପଛରୁ ଡାକିଲି।
:-ଟିକେ ଶୁଣିବ।
:-ଆରେ ଉପପାଦ୍ୟ ତୁମେ, ପରୀକ୍ଷା ସରିଗଲାଣି ପରା ଆଉ ପୁଣି ଉପପାଦ୍ୟ ଲେଖିବ ନାଁ କ'ଣ । (ତା' ପାଟିରୁ ସେ ମୋତେ ଉପପାଦ୍ୟ ଡାକିବା ଶୁଣି ଭାରି ହସ ଲାଗିଲା)
:- ଆରେ ନାଁ ନାଁ ସେ କଥା ନୁହଁ । ତୁମେ ମୋତେ ସାହାଯ୍ୟ କଲ, ତମକୁ କିଛି କହି ପାରିଲିନି।
:-ଆଚ୍ଛା କ'ଣ କହିବ ଦେଖିବା, ଧନ୍ୟବାଦ କହିବନି ଆଉ ଯାହା କହିବ ଚଳିବ।
:-ଆରେ ମୁଁ ତ ସେଇ ଧନ୍ୟବାଦ ହିଁ କହି ଥାଆନ୍ତି।
ଆମେ ଦୁଇଜଣ ଯାକ ଠୋ ଠୋ କରି ହସିଲୁ ଆଉ ମୁଁ ସାଇକେଲ ଗଡ଼େଇ ଗଡ଼େଇ ଚାଲିଥାଏ । ସେ ମୋ ସାଥିରେ ହସିହସି ଚାଲିଥାଏ
:-ଆଚ୍ଛା ତମ ନାଁ କ'ଣ।
:-ମୋ ନାଁ ଉଷା, ଆଉ ତମ ନାଁ ଉଦିତ ମୁଁ ଜାଣେ, ହେଲେ ମୁଁ ତୁମକୁ "ଉପପାଦ୍ୟ" ବୋଲି ଡାକିବି।
:-ଆରେ.... (ସାମାନ୍ୟ ହସିଦେଇ କହିଲି) ଆଚ୍ଛା ଠିକ୍ ଅଛି ଯାହା ତମ ଇଚ୍ଛା, ତୁମେ ଯିବ କେମିତି, ତମ ଘର କ'ଣ ଏଇ ପାଖରେ।
:-ହଁ ଏଇ ପାଖରେ ଯେ, ମୋ ନାନୀ ଆସିବା କଥା କୁଆଡ଼େ ଗଲା କେଜାଣି।
ଶେଷରେ ଦୂରରୁ ଜଣେ ଆମମାନଙ୍କ ଠାରୁ ବୟସରେ ବଡ଼ କିନ୍ତୁ ଅବିବାହିତ ଝିଅଟିଏ ଆସିଲେ । ଆଉ "ଉଷା" କହିଲା "ଉପପାଦ୍ୟ" ଇଏ ମୋ ନାନୀ।
ଆଉ ମୁଁ ନମସ୍କାରଟାଏ ହେଲି।ଆଉ ବୟସରେ ବଡ଼ ହିସାବରେ ସେ ଖୁବ୍ ସ୍ନେହାଶିଷ ଦେଲେ । ଆଉ ତାଙ୍କ ଛୋଟ ହାତ ବ୍ୟାଗରୁ ଖୋଲି ଗୋଟେ ହାପି ଡେଣ୍ଟ ଚକୋଲେଟ ଦେଲେ । ଦୁହେଁ ଫେରିଯିବା ବେଳେ ଉଷା ମୋତେ ହାତ ହଲେଇ ବିଦାୟୀ ଶବ୍ଦ କିଛି କହି ଯାଉଥିଲା, ଆଉ ଆଖି ଠାରରେ କହି ଯାଉଥିଲା କାଲି ପରୀକ୍ଷା ହଲରେ ଦେଖାଯିବ ବୋଲି । ହେଲେ, ପରଦିନ ପରୀକ୍ଷା କେନ୍ଦ୍ରରେ ସାମାନ୍ୟ ସ୍ଥାନୀୟ ଗଣ୍ଡଗୋଳ ଯୋଗୁଁ ଆମର ପରୀକ୍ଷା କୋଠରୀ ବଦଳି ଯାଇଥାଏ । ଶେଷ ପରୀକ୍ଷା ଦିନ ଖୁବ୍ ଖୋଜିଲି ଉଭୟ ଉଷାକୁ ଆଉ ତା' ନାନୀଙ୍କୁ ହେଲେ କାହାକୁ ପାଇଲିନି।
ଦଶମ ପରୀକ୍ଷା ସରିବାର ଦୁଇଦିନ ପରେ ପରେ ମୁଁ ଯାଜପୁର ଚାଲି ଆସିଥାଏ । ବଡ଼ବାପାଙ୍କ ପାଖରେ ରହି ପଢ଼ୁଥାଏ । ୟା ଭିତରେ ପାଖାପାଖି ପାଞ୍ଚବର୍ଷ! ମୁଁ ଆଉ ଘରକୁ କି ଗାଁକୁ ଆସି ନଥାଏ । ଯୁକ୍ତ ଦୁଇ ପଢ଼ା ସରିବା ପରେ ଡାକ୍ତରୀ ଇଞ୍ଜିନିୟରିଙ୍ଗକୁ ଆଉ ମନ ବଳେଇ ନଥିଲି । ଯାଜପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ "ପଦାର୍ଥ ବିଜ୍ଞାନ" ସମ୍ମାନରେ ପଢ଼ିଲି ଆଉ ଏବେ ଶେଷ ବର୍ଷ । କରୋନା କଟକଣା ଯୋଗୁଁ ଏଥର ଏଇ ଦୁଇ ଚାରିଦିନ ହେବ ମୁଁ ଘରକୁ ଆସିଥାଏ । ସବୁଠି ଖାଁ ଖାଁ ପରିବେଶ ତେଣୁ ସକାଳରୁ ରାତି ଯାଏଁ ମୋର ସେଇ କଲମ କାଗଜ ସହ ବାଲକୋନୀରେ କଟିଯାଏ।
ହଠାତ୍ ଦିନେ ଏମିତି ବସିଥାଏ । ମୋ ନଜର ଘର ଆଗରେ ଥିବା ନଳକୂପ ଉପରେ ପଡ଼ିଲା । ଆଉ ଦେଖିଲି କେହିଜଣେ ବିବାହିତା ମହିଳା ଜଣକ ପାଣି ଗରା ଭରୁଛନ୍ତି । ଝାପସା ଚେହେରା ଦୂରରୁ ଦେଖି ଚେହେରାଟା ଖୁବ୍ ଚିହ୍ନା ଚିହ୍ନା ଲାଗିଲା । ଆଉ ଏ ମନ ଖୋଜୁଥିବା ଆପଣାର ମଣିଷଟାର ଠିକଣା ବୋଧହୁଏ ସେଇଠି ମିଳିଯିବ ସେମିତି ଅନୁଭବ ହେଲା । ଆଉ ମୁଁ କାଳବିଳମ୍ବ ନକରି ଧାଇଁ ଗଲି ସେମିତି ସେ ଅଧା କାଗଜ ଆଉ କଲମଟାକୁ ଧରି । ପାଖରେ ଯାଇ ପଛରୁ ଡାକିଲି
:-ଟିକେ ଶୁଣିବେ
ଆଉ ସେ ପଛପଟକୁ ବୁଲି ପଡ଼ିବାରୁ
:-ଦିଦି ତମେ
:-ଆରେ ଉଦିତ୍ ତମେ ଏଠି ।
:-ହଁ ଦିଦି ଏଇ ଆଗ ଘରଟା ଆମର, ହେଲେ ତମେ ଏଠି କ'ଣ କରୁଛ ।
ଇଏ ଦିଦି ସେଇ ଦିଦି, ଯାହାଙ୍କ ସହ ପାଞ୍ଚବର୍ଷ ତଳେ ପରୀକ୍ଷା କେନ୍ଦ୍ରର ବାହାରେ ଦେଖା ହେଇଥିଲା । ଆଉ ଈଏ "ଉଷା"ର ଦିଦି "ନିଶା" ଦିଦି ।
:-ଆରେ ମୁଁ ଏବେ ଏ ଗାଁର ବୋହୂ ହେଇ ସାରିଲିଣି ପରା
:-ମାନେ
:-ମାନେ ଆଉ କ'ଣ ଏଇ ଯେ ଉଁ ଶ୍ରୀକାନ୍ତ ବେହେରା ତାଙ୍କ ବଡପୁଅ ସ୍ୱୟମ୍ ବେହେରାଙ୍କ ସହ ମୋର ଆଜକୁ ଦୁଇବର୍ଷ ହେଲା ବାହାଘର ହେଇ ସାରିଛି।
ଗାଁରେ ଥିବା ବେଳେ ସ୍ୱୟମ ବେହେରାର ଚରିତ୍ର ବିଷୟରେ ମୋତେ ବେଶ୍ ଭଲ ଭାବରେ ଜଣାଥାଏ । ଆଉ ତାଙ୍କ ପରିବାରର ହିଂସ୍ର ଆଚରଣ ଯୋଗୁଁ ଗାଁରେ କୋ ଉ ଲୋକଙ୍କ ସହ ତାଙ୍କ ଘର ସହ ପଡ଼େନି । ସେମାନେ ଏକ ଘରକିଆ ହୋଇ ରୁହନ୍ତି।
ଏଭଳି ଗୋଟେ କୁ-ପ୍ରବୃତ୍ତିର ଲୋକସହ ଦିଦିଙ୍କର ହାତ ଛନ୍ଦି ଯାଇଛି ଜାଣିକି ନିଜକୁ ନିଜେ ସମ୍ଭାଳି ନେଲି । ଆଉ ପାଣିଗରା ପୂରି ଉଠିବା ବେଳେ ସେ ତାଙ୍କ କାଖକୁ ଉଠେଇ ନେବାବେଳେ ମୋ ନଜରଟା ତାଙ୍କ ଡାହାଣ ହାତର ପୋଡ଼ାଦାଗ ଉପରେ ପଡ଼ିଗଲା ଆଉ ମୁଁ ବ୍ୟସ୍ତ ହୋଇ ପଚାରି ଉଠିଲି....।
:-ଦିଦି ତୁମ ହାତର ଏ ଦାଗ କେମିତି।
:-ଆରେ ସେ କଥା ଛାଡ଼ ସେ କିଛି ନୁହଁ, ମୋର ଡେରି ହଉଛି ମୋର ତେଣେ ଅନେକ କାମ ।
:-ଯିବା ପୂର୍ବରୁ "ଉଷା" ଏବେ କଉଠି ଥରେ କହିଯାଅ ।
:-ବହୁତ ଡେରି ହେଇ ଯାଇଛି ଉଦିତ୍ ! ଉଷା ସବୁଦିନ ପାଇଁ ରାତିକୁ ଆପଣେଇ ନେଇଛି।
ମନେ ରଖିବ ଉଦିତ୍ "ଉଷା" ତମକୁ ଭଲପାଏ ବୋଲି କହି ସାରିଛି । ଆଉ ତମ ପାଇଁ କିଛି ଗୋଟେ ଛାଡ଼ି ଦେଇ ଯାଇଛି । ଦିଦି ମୋ ହାତକୁ ଗୋଟେ ଚଉଭଙ୍ଗ କାଗଜଟିଏ ବଢ଼େଇ ଦେଲେ । ଉଷା ପାଖରୁ ତମ ଘର ଠିକଣା ପାଇବା ପରେ ମୁଁ ବି ସବୁଦିନ ତା'ର ଏ ଶେଷ ଚିଠିକୁ, ସାଥିରେ ନେଇ ଅଣ୍ଟାରେ ଖୋସି ଆଣିଥାଏ......... ଅନେକ ବାହାନା ଖୋଜେ ତମ ସହ ଟିକେ ମୋର ଭେଟ ହେଇ ଯାଆନ୍ତା କି.....ଦରକାର ଠାରୁ ଅଧିକ ସମୟ ମୁଁ ପାଣିଗରା ଭରେ....କିଛି ଲୋକ ବିରକ୍ତ ହୁଅନ୍ତି ମଧ୍ୟ......ହେଲେ ମୋର ତମକୁ ଅପେକ୍ଷା ଥାଏ । ଯାହା ହଉ ଆଜି ତମ ସହ ଭେଟ ହେଇଗଲା।
କାଗଜ ଉପରୁ ନଜର ହଟେଇ ମୋ ପଛ ପକେଟରେ ଭର୍ତ୍ତି କଲି ଆଉ କହିଲି ଦିଦି "ମୁଁ ତମ କଥା କିଛି ବୁଝି ପାରୁନି, ଉଷା କଥା ଟିକେ କୁହ"।
ଯେମିତି ଦିଦି ନିଜେ ଅନେକ କିଛି ବଖାଣିବାକୁ ଚାହୁଁଥିଲେ, ଆଉ ମୋତେ ହିଁ ଖୋଜୁଥିଲେ । ଆଖିରେ ଲୁହ ସବୁ ଆସି ଜମାଟ ବାନ୍ଧି ସାରିଥିଲେ
କହିବାକୁ କିଛି ନାହିଁ ଉଦିତ୍! ତୁମେ ମାନେ ସିନା ଦଶମ ଶ୍ରେଣୀ ପରୀକ୍ଷାରେ ସମସ୍ତଙ୍କ ମନ ଜିଣିଲା ଭଳି ନମ୍ବର ରଖିଥିଲ ହେଲେ ମୁଁ ଦଶମ ଶ୍ରେଣୀରେ ଅନୁତ୍ତୀର୍ଣ୍ଣ ହୋଇ ଯାଇଥିଲି । ଆଉ ମୋ ଜୀବନର ଫର୍ଦ୍ଦ ସବୁ କେହି ପଢ଼ିବା ଆଗରୁ ଲେଉଟି ଯାଉଥିଲା । ଯେମିତି ମୋ ଜୀବନରେ ଦଶମ ଶ୍ରେଣୀରେ ଅକୃତକାର୍ଯ୍ୟ ହେବା ଜୀବନରେ ଅକୃତକାର୍ଯ୍ୟ ହେବା ସହ ସମାନ ଥିଲା । ତମେ ତ ନିଜେ ଦେଖିଛ ପରୀକ୍ଷା କେନ୍ଦ୍ରରୁ ଉଷାକୁ ଆଣିବାକୁ ଯିବା ବେଳେ ମୋର ବେଶ ପୋଷାକ କେମିତି ଥିଲା । ଚୁଲି ଧୂଆଁରେ ମୋ କେଶ ସହ ମୋ ସାରା ଶରୀର ଖୁବ୍ ଅସନା ବାସୁଥିଲା।
ଦିଦିଙ୍କ ପାଖରୁ ଏତେ କଥା ଶୁଣି, ମୁଁ କିଛି ବୁଝି ପାରୁନଥାଏ । "ଉଷା" କଥା ଶୁଣିବାକୁ ମନରେ ବ୍ୟାକୁଳତା ବଢ଼ି ଯାଉଥାଏ । ଆଉ ମୁଁ ସମ୍ଭାଳି ପାରୁନଥାଏ, ପୁଣି ରାଗ ତମତମ ହୋଇ ପଚାରି ବସିଲି "ତମେ ଉଷା କଥା ନକହି ଏତେ କଥା କ'ଣ କହୁଛ?"
ମୋ ମୁହଁକୁ ଆଖି ଛଳଛଳ କରି ଦିଦି ଚାହିଁଲେ ଆଉ କହି ବସିଲେ ଯେହଉଁ ଅଧିକାରଟା, ଯେ ଉଁ ରାଗଟା ଏବେ ତମେ ମୋ ଉପରେ ଜାହିର କରୁଛ.... ଛାଡ଼ ତମକୁ କହି ଲାଭ ବା କ'ଣ..... ମୁଁ ଦିଦିଙ୍କ କଥା କିଛି ବୁଝି ପାରୁନଥାଏ ପୁଣି ସେ କହି ବସିଲେ
"ଏତିକି ମନେ ରଖିବ ଉଦିତ୍ ନିଶା, ପାଇଁ ଉଷା ହଜି ଯାଇଛି, ଉଷାକୁ ଖୋଜିବା ପାଇଁ ଆଉ ତା'କୁ ଗୋଟେ ପରିଚୟ ଦବା ପାଇଁ ଉଦିତ୍ର ଉଦୀୟମାନ ରଶ୍ମିର ଆବଶ୍ୟକ ଥିଲା"।
ବୁଢ଼ାବାପଟା ମୋର ଅହରହ ମଦ ପିଇ ସମୟ ଗଡ଼େଇ ଚାଲିଥାଏ । ପଇସା ପାଇଁ ମୋ ବୋଉ ଦେହରୁ ସବୁ ଗହଣା ଓହ୍ଲେଇ ନେବା ପରେ କେତେ ଯେ ଚିହ୍ନ ବସେଇ ଦଉଥିଲା ତା'ର ଠିକଣା ନଥିଲା । ଶେଷରେ ତା'କୁ ସାରା ଜୀବନ ମଦ ଯୋଗାଇ ଦେବା ବାବଦରେ ତୁମ ଗାଁର ଶ୍ରୀକାନ୍ତ ବେହେରା ନିଜ ଅପଦାର୍ଥ ପୁଅ ସ୍ୱୟମ୍ ପାଇଁ ମୋତେ କିଣି ନେଇଥିଲା । ଆଉ ଯେଁଉଁ କଥାକୁ ଉଷା ହିଁ ଏକମାତ୍ର ବିରୋଧ କରୁଥିଲା । ଜାଣିନି ଉଷା ତମ ଠିକଣା କେମିତି ଜାଣିଥିଲା, ସେ ଯେତେବେଳେ ଜାଣିଲା ଯେ ମୋ ବାହାଘର ତମରି ଗାଁରେ ଠିକ୍ ହେଇଛି ସେ ନିଜେ ତମକୁ ବାହାଘର ପାଇଁ ନିମନ୍ତ୍ରଣ କରିବାକୁ ଆଉ ସେମାନଙ୍କ ଆଚାର ବ୍ୟବହାର କେମିତି ବୁଝିବାକୁ ଧାଇଁ ଯାଇଥିଲା, ହେଲେ ତମକୁ ସେଠି ନପାଇ ସେ ନିରାଶ ହୋଇ ଫେରି ଯାଇଥିଲା, ଆଉ ମୋତେ କହିଥିଲା ତମେ କୁଆଡ଼େ ଘରଠୁ ବାହାରେ ରହି ପଢ଼ୁଛ ବୋଲି.....।।
ୟା' ଭିତରେ ଅନେକ ଲୋକ ଆସି ନଳକୂପରୁ ଗରା ଭରି ନେଇ ଗଲେଣି । ଆଉ ଦିଦି ଆଉ ମୁଁ ଦୁହେଁ ନଳକୂପ ଠାରୁ ଟିକେ ଦୂରରେ ଗୋଟେ ଆମ୍ବ ଗଛ ପାଖରେ କଥା ହେଉଥିଲୁ...... ଯେହେତୁ ସମ୍ପର୍କରେ ସିଏ ମୋର ଭାଉଜ ହେବେ, କେହି ଲୋକ ଚାହିଁଲେ ମୁଁ ତାଙ୍କୁ "ଭାଉଜ" ବୋଲି ଡାକି ଦଉଥିଲି, ଆଉ କେହି ନଥିଲେ "ଦିଦି" ବୋଲି ଡାକୁଥିଲି।
ମନରେ ଅହେତୁକ ଶଙ୍କାକୁ ମୁଁ ଜାବୁଡ଼ି ଧରି ରଖିଥାଏ । କେଜାଣି କାହିଁକି ନିଜକୁ ନିଜେ ମୁଁ ଦୋଷୀ ବୋଲି ଭାବୁଥାଏ, ଆଉ ପଚାରି ବସିଲି "ତା ପରେ କ'ଣ ହେଲା"...
:-ତମେ ମୋ ପୋଡ଼ାଦାଗକୁ ଦେଖି ମନରେ ଛପେଇ ଦେଇଥିବା କଥା ସବୁ ମୁଁ ଠିକ୍ ଭାବେ ବୁଝି ପାରିଛି, ଆଉ ତମ ଆଖିରୁ ସବୁ ପଢ଼ି ସାରିଛି ବୋଲି ଦିଦି ମୋତେ କହିଲେ।
:-ହାତ ଗଣ୍ଠି ପଡ଼ିବା ପାଖରୁ ମୋ ପାଦରେ ବେଡ଼ି ପଡ଼ି ଯାଇଥିଲା । କେବଳ ମୁହୂର୍ତ୍ତେ ଶାରୀରିକ ସୁଖ ମେଣ୍ଟାଇବା ସମୟରେ ହିଂସ୍ର ସ୍ୱୟମ୍ ମୋତେ ନିଜର କରେ ନଚେତ୍ ମୁଁ ଏକ ଦାସୀ ଭଳି ଚଳେ । ପୁଣି ମୋ ବାପା ମଦଖର୍ଚ୍ଚରୁ ବଞ୍ଚିତ ନହୁଅନ୍ତୁ କି ବୋଉକୁ ନମାରନ୍ତୁ ବୋଲି ମୁଁ କେବେ ପ୍ରତିବାଦ କରିନି ସବୁ କିଛି ସହିଯାଏ ।
ଏମିତି ଦିନେ ଉଷା ମୋତେ ଦେଖା କରିବାକୁ ଆସିଥାଏ, ଆଉ ଇସ୍ତ୍ରୀ କରୁ କରୁ ମୋ ସ୍ୱାମୀଙ୍କର ସାର୍ଟଟା ପୋଡ଼ି ଯାଇଥିଲା । ଆଉ ସେ ଲାଗି ମୋ ଶାଶୁ ନିଜେ ଖୁବ୍ ହିଂସ୍ର ପାଲଟି ଯାଇଥିଲେ ଆଉ ମୋ କେଶ ଝୁଙ୍କି ଝୁଙ୍କି ଘୋଷାଡ଼ି ନେଇ ଦାଣ୍ଡ ଦୁଆର ପାଖରେ ଛାଡ଼ିଥିଲେ...... ହଠାତ୍ ମୋ ସ୍ୱାମୀ ଆସି ମୋତେ ଧରିଲେ ଭାବିଥିଲି ମୋତେ ରକ୍ଷା କରିବେ । ହେଲେ ସେ ଆହୁରି ହିଂସ୍ର ହୋଇ ଇସ୍ତ୍ରୀ ଆଣି ମୋ ହାତରେ ଲଗେଇ ଦେବାବେଳେ ଏ ଦୃଶ୍ୟ ଉଷା ନଜରରେ ପଡ଼ିବା ପରେ ଉଷା ତା'ର ବଳକୁ କଷି ପ୍ରତିବାଦ କରିବା ଆରମ୍ଭ କରିଥିଲା । ହେଲେ କାମନାର ନିଆଁରେ ଅନ୍ଧ ହୋଇ ମୋରି ଆଖି ସାମ୍ନାରେ ଉଷାର ଦେହଟାକୁ ମୋ ନିଜ ସ୍ୱାମୀ ଡାହାଳ କୁକୁର ଭଳି ପୁଳା ପୁଳା ମାଂସ ସବୁ ଛିଣ୍ଡେଇ ପକଉଥିଲେ । ଆଉ ମୋର ଦୁଇ ହାତକୁ ମୋର ଶାଶୁ ଶ୍ୱଶୁର ଜାବୁଡ଼ି ଧରିଥିଲେ।
କାମନାର ନିଆଁ ଲିଭିଯିବା ପରେ, ଉଷା ଦେହରୁ ପୋଡ଼ା ଗନ୍ଧ ସବୁ ବାହାରି ଆସୁଥାଏ । ଆଉ ସେଇଦିନ ବିଳମ୍ବିତ ରାତିରେ ଉଷା ମୋତେ ଏ ବିଷୟରେ କାହାକୁ କିଛି ନ କହିବାର ନିୟମ ଦେଇ ତମ ସାଥେ ଦେଖାହେଲେ ସେଇ ଚିଠିଟାକୁ ଦବାକୁ କହି ଯାଇଥିଲା । କେବେ ବି ଚେଷ୍ଟା କରିନି ମୁଁ ସେ ଚିଠିକୁ ଖୋଲିବାକୁ । ଆଉ ଉଷାକୁ କେହି ଖୋଜି ନାହାନ୍ତି ସେବେଠୁ.......
ଲୁହ ସବୁ ଥପ୍ ଥପ୍ ହୋଇ ପାଣି ଗରାରେ ପଡ଼ୁଥିଲା, ମୋ କାନ୍ଧରେ ହାତ ରଖି କହିଲେ ମୁଁ ଯାଉଛି ଉଦିତ୍....
ଆଉ ମୁଁ ବି ଘରକୁ ଆସି ଚିଠିଟିକୁ ଖୋଲିଥିଲି ଯେିଉଁଠି ଉପରି ଭାଗରେ ସେଦିନ ପରୀକ୍ଷା ହଲରେ ଉଷାକୁ ଦେଖି ତା ରୂପ କାନ୍ତି, ବ୍ୟବହାରରେ ବିଭୋର ହୋଇ ମୁଁ ଗୋଟେ କବିତାଟିଏ ଲେଖିଥିଲି ଯୋଦଉଟାକୁ ମୁଁ ମୋ ଜ୍ୟାମିତି ବାକ୍ସରେ ରଖିଥିଲି । ପରୀକ୍ଷା ସାରି ଆସିବା ପରଠୁ ମୁଁ ଆଉ କେବେ ମୋ ଜ୍ୟାମିତି ବାକ୍ସ ଖୋଲି ନଥିଲି ପୁରୁଣା ବହିଥାକରେ ଯାଇ ଦେଖିଲି ସେମିତି ଗୋଟେ ଲେଜର ମଡ଼େଲର ଜ୍ୟାମିତି ବାକ୍ସ ହେଲେ, ଖୋଲିଲା ପରେ ଜାଣିବାକୁ ପାଇଲି ସେଇଟା ମୋର ନୁହେଁ ବଦଳି ଯାଇଛି, ସେଇଟା ଉଷାର ଥିଲା, ଆଉ ମୋ ଜ୍ୟାମିତି ବାକ୍ସ ତା ପାଖରେ ରହି ଯାଇଥିଲା.... ହେଲେ କେମିତି ମୁଁ ଆଉ ଭାବି ପାରୁନଥିଲି ଏମିତିରେ ଆମେ ଦୁହେଁ ପରୀକ୍ଷା ହଲରେ ଏକା ପାଖରେ ବସି ମଧ୍ୟ ଆମର ସେଟ୍ ପ୍ରଶ୍ନ ସମାନ ଥିଲା । ଏବେ ଠିକ୍ ମୋ କବିତା ତଳକୁ ଉଷାର ଗୋଲ ଗୋଲ ଅକ୍ଷର, ଯେନଉଁଠି ଲେଖାଥିଲା.....
ପ୍ରିୟ,
ଉପପାଦ୍ୟ
ମୁଁ ଜାଣିଛି ମୋ ଠାରୁ ସାହାଯ୍ୟ ପାଇବା ପରେ ତମେ ଜାଣିଶୁଣି ଦଶଟି ଠିକ୍ ପ୍ରଶ୍ନର ଉତ୍ତର କାଟି ଦେଇଥିଲ । ଏକଥା ତମେ ନକହିଲେ କ'ଣ ହେଲା, ମୁଁ ବେଶ୍ ଭଲ ଭାବେ ଜାଣିଥିଲି । ମୋ ଅଜାଣତରେ ବୋଧହୁଏ ତମର ଏଇ ବଦାନ୍ୟତା ଆଉ ତମ ଆକର୍ଷଣୀୟ କବିତା ପାଇଁ ଭଲ ପାଇ ବସିଥିଲି । ହେଇପାରେ ମୋ କିଶୋରୀ ମନର ଆକର୍ଷଣ । କିନ୍ତୁ ଅନେକ ଖୋଜିଛି ତମକୁ । ତମ ଲେଖା ସବୁ ଯେ ଉଁ ପତ୍ରିକାରେ ବାହାରେ ସେ ପତ୍ରିକା ସବୁ ମୁଁ ଅତି ଯତନରେ ସାଇତି ରଖେ । ଆଉ ତମର ସେ ଲେଖା "ପରୀକ୍ଷା ହଲର ନିରବତା" ଖୁବ୍ ପସନ୍ଦ ମୋର । କେବେ ତମ ସହ ଦେଖା ହେଇ ପାରିଲାନି... ଜାଣିନି ତମ ମନରେ ମୋ ପାଇଁ କ'ଣ ଅଛି । ବାସ୍ ଭଲରେ ଥିବ କଲମକୁ କେବେ ବି ଶୋଇଯିବାକୁ ଦବନି ଏତିକି ଏ କଳଙ୍କିନୀ "ଉଷା"ର ପ୍ରାର୍ଥନା।।
।।ଇତି।।
ଦୂର ରାଇଜର ଅତିଥି "ଉଷା"
ବାସ୍ ଏଇଠି ପଡ଼ିଥିଲା ଏକ ଗାଢ଼ ଲମ୍ବା ପୂର୍ଣ୍ଣଛେଦ।
ଏ ଚିଠି ଥିଲା ଉଦିତ୍ର ଡାଏରୀର ଶେଷ ଫର୍ଦ୍ଦରେ, ଆଉ ଉଦିତ୍ କାହିଁକି ତା ଲେଖା ବନ୍ଦ କରିଛି ସେ କଥା ସେ ବେଶ୍ ଭଲ ଭାବରେ ଜାଣି ଯାଇଥିଲା, ତା ଡାଏରୀ ପଢ଼ୁଥିବା ଉଦିତ୍ର ସାଙ୍ଗ ବିନୋଦ।।