Koushik Lenka

Tragedy Fantasy Thriller

4.3  

Koushik Lenka

Tragedy Fantasy Thriller

ଧୂସର

ଧୂସର

3 mins
487


      ସମସ୍ତେ ଆସି ଡେଙ୍ଗୁରା ପିଟି ଦେଇ ଚାଲିଗଲେ, ଜୋର କରି ମୋତେ ଟାଣି ଟାଣି ତୁଠ ପଥର ଉପରେ ମୋ କାଚ ଶଙ୍ଖା ଗୁଡ଼ାକୁ ବି ଭାଙ୍ଗି ପକେଇଲେ। ମୁଁ ଯେତେ କାକୁତି ମିନତି ହେଉଥିଲି ମୋ କଥା ଟିକେ ଶୁଣ, କେହି ମୋ କଥା ଶୁଣିଲେନି ଶେଷରେ ଅଭୁରି ମାଉସୀ ମୋ ମଥାର ସିନ୍ଦୂରକୁ ପୋଛି ଦେଇ ଚାଲିଗଲା। ଆଉ ମୁଁ ସେମିତି ମୁକୁଳା କେଶରେ ସେଇଠି ପଙ୍ଗୁ ହେଇ ବସିଥାଏ। କିଏ ଶାଢ଼ୀ ବଦଳେଇ ଦ‌ଉଥାଏ ତ ଆଉ କିଏ, ମୋତେ ଖୁଣ୍ଟଣା ବି ଦ‌ଉଥାଏ ମୁଁ କୁଆଡ଼େ ତମକୁ ମାରିଦେଲି। ମଶାଣି ଯିବା ମୋତେ ମନା ହେଲେ ଆଠ ବର୍ଷର ସିହାନୁ କ'ଣ ବୁଝିଲା କେଜାଣି ମୋତେ ଆସି କହିଲା "ମାମା! ବାପା ଙ୍କୁ ଜାଳିଦେଲି, ଆଉ ସେ ଜଳିଗଲେ, ହେଲେ ମାମା ତୁ କାଇଁ ମୋତେ ବାଇଗଣ କି ବିଲାତି ସାଥିରେ ଗଲାବେଳେ ଦେଲୁନି ତ ମୁଁ ଯେମିତି ଗଲାମାସ ନିଆଁ କୁ ଫୋପାଡ଼ି ଥିଲି ସେମିତି ଫୋପାଡ଼ି ଥାଆନ୍ତି କେତେ ମଜା ଆସି ଥାଆନ୍ତା, ତୁ କାଇଁ ଦେଲୁନି ଯେ"। ସିହାନୁ ପାଖରୁ ଏତକ ଶୁଣି ମୁଁ ମୋ ନିଜକୁ ଆଉ ସମ୍ଭାଳି ପାରୁ ନଥାଏ, ତା'ଠୁ ଲୁଚି ଯାଇ ମୁଁ ଖୁବ୍ କାନ୍ଦିଛି। ତା ପ୍ରଶ୍ନ ର ମୁଁ କ'ଣ ବା ଉତ୍ତର ରଖି ଥାଆନ୍ତି ଆଉ। ପରଦିନ ସିହାନୁ ର ବଡ଼ ବାପା ମୋ ଠୁ ହାତେ ଦୂରରେ ରହି ପୂର୍ଣ୍ଣ କୁମ୍ଭ ଟିଏ ଯାହା କି ନାଲି ରଙ୍ଗର କନାରେ ବନ୍ଧା ଯାଇଥାଏ, ମୋ ଆଗରେ ଥୋଇ ଦେଲେ। ଆଉ ଅସ୍ଥି ବିସର୍ଜନ ର କଥା ବୁଝେଇ କହି ଦେଇ ଚାଲିଗଲେ। ସମସ୍ତ ଙ୍କ ପାଇଁ ଆମେ ମା ପୁଅ ଦୁହେଁ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ସେମିତି ବ୍ୟବହାର ସମସ୍ତେ ଦେଖ‌ଉଥିଲେ। ହାତ ଗଣତି ବାର ଦିନ ବିତି ଗଲା ପରେ ମୁଁ ଗୋଟେ ରାତିରେ ସିହାନୁକୁ ମୋ ସାଥିରେ ଗାଁ ଛାଡ଼ି ସହରକୁ ନେଇ ଚାଲି ଆସିଲି।


           ଆଜି ସିହାନୁ ଖୁବ୍ ବଡ଼ ହୋଇ ଗଲାଣି। ଆଉ ତା'ର ମା ଦରକାର ପଡ଼ୁନି। ଜାଣିଛ ସିହାନୁ ବାପା; ତମେ ପରା କହି ଯାଇଥିଲ ପୁଅ ମନରେ କେବେ କଷ୍ଟ ଦବନି। ସେ ଲାଗି ମୁଁ ତା'କୁ କିଛି କହିନି କେବେ। ନିଜ ଇଚ୍ଛାରେ ବିଭା ହେଇଛି। କଟକ ସହରରେ ବଡ ହାକିମ ହେଇଛି ସେ। ଏବେ ଆଉ ତମ ପରିଚୟ କି ମୋ ପରିଚୟ ତା'ର ଦରକାର ପଡ଼ୁନି। ବୋହୁ ମୋର ଇଂରେଜୀ ପଢ଼ୁଆ, ଖୁବ୍ ବଡ଼ ଘରର। ମୁଁ ତ ଇଂରାଜୀ ବୁଝି ପାରେନି ହେଲେ 'ଘରୁ ବାହାରିଯିବା କଥା', 'ମୁଁ କୁଆଡ଼େ ବୁଢ଼ୀ ହେଇ ଗଲିଣି', 'ମୋ ପଛରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହ‌ଉଛି' ଏକଥା ଗୁଡ଼ା କହିଲା ବେଳେ ମୁଁ ଠାରରେ ବୁଝି ପାରେ। 

କ'ଣ ପଚାରୁଛ ଓଃ ଏଇ ମୋ ମୁଣ୍ଡରେ କ'ଣ ପାଇଁ ପଟି ଗୋଡ଼ା ଯାଇଛି। ନାଁ ନାଁ ସେ କିଛି ନୁହଁ ମ। ବୋହୁ ଆମର କହୁଥିଲା "କୁଆଡ଼େ ମଲା ଲୋକଙ୍କର ଛବି ଘରର କାନ୍ଥରେ ଝୁଲେଇ ରଖିଲେ ଅଶୁଭ ଛାୟା ଘରକୁ ମାଡ଼ି ବସେ"। ଏଇ କଥାକୁ ବିରୋଧ କରିବାରୁ ଫୋଟୋ ଟା ତ ତଳେ ପଡ଼ିଗଲା ହେଲେ ତା'ପାଖରେ ସେ ନାଲି କନାରେ ବନ୍ଦ ହେଇଥିବା ତମ ଶେଷ ସନ୍ତକ ଗୁଡ଼ା ତଳେ ମୁରୁଜ ହୋଇ ତଳେ ବିଛେଇ ହେଇଗଲା। ଜାଣିଛ, ସିହାନୁ ବାପା, ସେଦିନ ସିହାନୁ କ'ଣ କହିଲା "ମୁଁ କୁଆଡ଼େ ବୁଢ଼ି ହେଇ ଗଲିଣି, ମୋ ମୁଣ୍ଡ କାମ କରୁନି ଆଉ ମୁଁ ସେ ଲାଗି ପାଗେଳି ଭଳି "ଧୂସର" ରଙ୍ଗର ପାଉଁଶ ଗୁଡ଼ା ସାଇତି ରଖିଛି। ମୋତେ କ୍ଷମା କରିଦବ ତମେ; ତମ ଶେଷ ସନ୍ତକକୁ ଜୀବନର ଶେଷ ବେଳରେ ସମ୍ମାନ ଜଣାଇ ପାରିଲିନି।


                ସେତେବେଳେ ଜୀବନରେ କେତେ ରଙ୍ଗ ଥିଲା। କିଛି ରଙ୍ଗ ତମେ ଭରି ଦେଉଥିଲ ଆଉ କେତେ ରଙ୍ଗ କାହା ଅପେକ୍ଷାରେ ଆମେ ଦୁହେଁ ଭରି ଦ‌ଉଥିଲୁ। ହେଲେ ଜୀବନ ଟା ଏବେ ଖୁବ୍ "ଧୂସର" ଦିଶିଲାଣି, ଧୂଳି ହେଇ କେବେ କାହା ପାଦରେ ଲାଗିଯିବି ତ ଆଉ କେବେ କାହାର ଦେହର ମଳି ହେଇ ମ‌ଉଳି ଯିବି।

ସେଦିନ ଚିତ୍ରତ୍ପୋଳା ନ‌ଈର ଅଗଣି ଧୋବା ଯାହା କହେ କିଏ ଜଣେ ନ‌ଈକୁ ଲମ୍ଫ ମାରିଥିଲା, ସିଏ ଖାଲି ଶବ୍ଦ ଶୁଣିଛି, ଆଉ ଶବ ତ ଏଇ ଦୁଇ ଦିନ ତଳେ ଭାସୁଥିଲା। ଆଉ ଆଇନ କହେ ଗୋଟେ ପାଗେଳି ନ‌ଈକୁ ଡେଇଁ ଆତ୍ମହତ୍ୟା କରିଦେଲା......।


Rate this content
Log in

Similar oriya story from Tragedy