ଜୋତ୍ସ୍ନାୟିତ ରାତ୍ରି
ଜୋତ୍ସ୍ନାୟିତ ରାତ୍ରି
ଛାପିଛାପିକିଆ ଜହ୍ନ ଆଲୁଅର ଖୋଲା ଆକାଶ ତଳେ ଠିଆ ହୋଇଛି ଶିଉଳି । ଜହ୍ନ ଆଲୁଅରେ ଅସରନ୍ତି ଭାବନା । ଜୋତ୍ସ୍ନାୟିତ ରାତ୍ରିର ଝାପ୍ସା ଆଲୁଅରେ ମନେପଡେ ବିଗତ ଦିନର ସ୍ମୃତି । ବିଜୁଳି କେତେବେଳୁ ଯାଇଛି ଯେ ଆସିବାର ନାଁ ଧରୁନି । ତୋଫା ଜହ୍ନ ଆଲୁଅଟି ଧିରେ ଧିରେ ମହଳଣ ପଡି ଆସିଲାଣି । ଆକାଶକୁ ଚାହିଁଲା ଶିଉଳି । କଳାବଉଦ ଧିରେ ଧିରେ ଜହ୍ନକୁ ଢାଙ୍କି ଦେବାକୁ ଲାଗିଲାଣି । ଶିଉଳି ଅନୁଭବ କରୁଛି । ଦୁଃଖ ଏମିତି ଧିରେ ଧିରେ ମାଡି ଆସିଥିଲା । ଝାଟି ମାଟିରେ ତିଆରି ହୋଇଥିବା ପ୍ରେମର ଘରଟି ହଠାତ୍ ଭାଙ୍ଗି ରୁଜି ଚୁରମାର ହୋଇଗଲା । କିଏ ଜାଣିଥିଲା ଅଦିନିଆ ଝଡ ଆସି ଘରଟିକୁ ଭାଙ୍ଗିଦେବ । ସବୁ ସ୍ବପ୍ନ.... ସ୍ବପ୍ନରେ ରହିଗଲା ।
ଘର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ ସୌରଭ । ସୁଖର ସଂସାର ଅଦିନିଆ ମେଘ ପରି ମିଳେଇ ଗଲା । କାଲି ପରି ଲାଗୁଛି, କେତେ ଭଲ ଥିଲା ସେହିଦିନ ଗୁଡ଼ିକ । ସୌରଭଙ୍କୁ ନେଇ ହସଖୁସି ର ପରିବାର । ବ୍ୟସ୍ତ ବହୁଳ ଜୀବନ ମଧ୍ଯରେ ସୌରଭ ସମୟ ବାହାର କରି ଶିଉଳିକୁ ନେଇ ବୁଲି ଯାଆନ୍ତି ପାର୍କକୁ । କୃଷ୍ଣଚୂଡ଼ାର ଗଛ କୁ ଦେଖି ସୌରଭ କୁହନ୍ତି - କୃଷ୍ନଚୁଡ଼ା ର ନାଲି ରଂଗଟି ମୋର ଭାରି ପସନ୍ଦ । ଆଉ ଆମ ପ୍ରେମ ର ରଂଗ ମଧ୍ୟ ଠିକ ଏହି କୃଷ୍ଣ ଚୁଡ଼ା ର ଫୁଲ ପରି ଗାଢନାଲି । ଏ କଥା ଗୁଡିକ ଭାବି ଆଖି କୋଣରୁ କେତେବେଳେ ଲୁହ ଜକେଇ ଆସିଛି ଶିଉଳିର । ଆଉ ସେହି ଲୁହ କ୍ଷତ ବିକ୍ଷତ କରିଦେଉଛି ହୃଦୟକୁ । କିଏ ଜାଣିଥିଲା ? ଅସମୟରେ ଏମିତି ଜୀବନଟା ପତ୍ର ଝଡା ଦେବ ! ! ଆଉ ସେ ପାଲଟି ଯିବ ଏକ ଥୁଣ୍ଟା ଗଛ ! ବର୍ଷେ ତଳେ ଏକ ସଡକ ଦୁର୍ଘଟଣାରେ ସୌରଭ ଆର ପାରିିକୁ । ଆଉ ମୁଁ ପାଲଟି ଗଲି ଏକ ଜୀଅନ୍ତା ଶବ । ସୌରଭ ଯିବା ପରେ ତାଙ୍କର ଘର ଲୋକ ମୋତେ ଗ୍ରହଣ କଲେ ନାହିଁ । ବାପ ଘରକୁ ଚାଲି ଆସିଲି । ବାପା ମାଆ ମୋତେ ଏ ଅବସ୍ଥାରେ ଦେଖି ଚିନ୍ତିତ ହେଲେ । ବାପାଙ୍କର ଅତି ନିଜର ସାଙ୍ଗ ବାପାଙ୍କୁ ପରାମର୍ଶ ଦେଲେ । ଝିଅଟି ତ ଯୁକ୍ତ ଦୁଇ ବିଜ୍ଞାନ ପଡ଼ିଛି । ତାକୁ ନର୍ସିଂ ଟ୍ରେନିଂ ପଠାଇଲେ କେମିତି ହୁଅନ୍ତା । କମ୍ ସେ କମ୍ ତାର ମନ ପରିବର୍ତ୍ତନ ହୁଅନ୍ତା । ନିଜେ ସ୍ବାବଲମ୍ବି ହୋଇ ପାରନ୍ତା । ଅଙ୍କଲଙ୍କର କଥାଟି ବାପାଙ୍କ ମନକୁ ପାଇଥିଲା । ମୋତେ ପଚାରିଥିଲେ । ମୁଁ ପ୍ରଥମେ ଅମଙ୍ଗ ହୋଇଥିଲି । କେତେ ଏକୁଟିଆ ମନକୁ ମାରି ବସିବି ଭାବି... ବାପାଙ୍କ କଥାରେ ରାଜି ହେଲି । ଦୁଇ ବର୍ଷ ଟ୍ରେନିଂ କେମିତି କଟି ଗଲା ଜାଣି ପାରିଲି ନାହିଁ । ମୋର ଜଣେ ବାନ୍ଧବୀ ମନୀଷା ମୋତେ ହସେଇ ମଜେଇ ମୋର ମନକୁ ପରିବର୍ତ୍ତନ କରିଦେଉଥିଲା । ଯେତେ ଯାହା ହେଲେ ପରିଣୀତା ନାରୀଟିର ସ୍ବାମୀ ହିଁ ଦର୍ପଣ । ସ୍ବାମୀର ଆଖିରେ ସେ ସାରା ସଂସାରକୁ ଦେଖେ । ସ୍ବାମୀଙ୍କ ମୁହଁର ରଙ୍ଗରୁ ନିଜ ସୌନ୍ଦର୍ଯ୍ୟରେ କଳନା କରେ। ନିଜର ବେଶ ପରିପାଟିର ରୁଚିବୋଧ ସ୍ବାମୀଙ୍କ ଆଖିରୁ ପଢିନିଏ । ସ୍ବାମୀଙ୍କ ହସରେ ସେ ହସେ - ସ୍ବାମୀଙ୍କ ହୃଦୟ ଭିତରେ ସେ ନିଜ ହୃଦୟର ଭାଷାକୁ ଶୁଣେ । ସେଗୁଡିକ ମୋ ପାଇଁ ଅତୀତ । ବର୍ତ୍ତମାନକୁ ନେଇ ଯେତେ ବଞ୍ଚିବାକୁ ହେଲେ ମଧ୍ୟ ଅତୀତକୁ ଭୁଲି ହେଉ ନ ଥାଏ ।
ନର୍ସିଂ ଟ୍ରେନିଂ ସରିବା ପରେ ମୋତେ ସରକାରୀ ମେଡିକାଲରେ ପୋଷ୍ଟିଂ ହେଲା । ଘର ଠାରୁ ଅଳ୍ପ ଦୂର । ନୂତନ ଚାକିରୀ ଜୀବନ। ସମସ୍ତଙ୍କ ସହିତ ମିଶି କାମ କରିବାକୁ ପଡ଼ିବ । ମେଡିକାଲ ଅଫିସରଙ୍କ ଠାରୁ ମୋର ଦାୟିତ୍ବ ବୁଝି ନେଲି । କାର୍ଯ୍ୟ ଶୈଳୀ ସହିତ ଲୋକମାନଙ୍କ ଡାହାଣିଆ ଆଖି ଗୁଡିକ ମୋର ରୂପ ଲାବଣ୍ୟ ଉପରେ ପଡିଛି । ଜଣେ ସ୍ୱଳ୍ପ ବୟସ୍କା ବିଧବା ତରୁଣୀ ସମାଜର ଲୋଲୁପ ଦୃଷ୍ଟିରେ ବଞ୍ଚିବା ଭାରି କଷ୍ଟକର । ନିଜ ଚାରିପାଖେ ଅହରହ ଲହଲହ ଲୋଭିଲା ଆଖି । ସେହି ମଣିଷ ରୂପୀ କୁକୁର ଙ୍କ ଆଖିର କଥାରେ - ଓଃ ! କି କଦର୍ଯ୍ୟ ଈଶାରା ! ଅଫିସ୍ ରେ ଯଦି କୌଣସି ପୁରୁଷ ସହକର୍ମୀ ଙ୍କ ସହ ଅଧିକ କଥାବାର୍ତ୍ତା ହୁଏ ତେବେ ତା ପରଦିନ ନାନା ଟାହି ଟାପରା.. ଟୁପୁରା ଟାପୁରି । ଯଦି କାହା ସହିତ ବେଳ ଅବେଳରେ ମଟର ସାଇକେଲ ରେ ଚାଲିଆସିଛି ତେବେ ଅନ୍ୟ ମାନଙ୍କ ସିଧାସଳଖ ପ୍ରଶ୍ନ ବାଣ ରେ ଅତିଷ୍ଠ ହୋଇ ପଡ଼େ । ବେଳେବେଳେ ଲାଗେ ମୋର ଜୀବନଟି ରଙ୍ଗହୀନ । ମାର୍ଚ୍ଚ ୨୦ ତାରିଖ ବିଶ୍ୱ ଘରଚଟିଆ ଦିବସ । ଘରଚଟିଆ ଦିବସ ଉପରେ ଏକ ସଚତନଧର୍ମୀ ସଭା ଆୟୋଜିତ ହୋଇଥିଲା ମେଡିକାଲ ପାଖରେ । ଆମର ସମସ୍ତ କର୍ମୀକୁ ଡକାଇ ଥିଲେ ସେଠାକୁ । ଚାଳଛପର ଘର ଉପରେ କିଚିରିମିଚିରି ଶବ୍ଦ କରୁଥିବା ଏହି ପକ୍ଷୀ ବିଲୁପ୍ତ ପ୍ରାୟ । ଗାଁ ଗହଳିର ଏ ପ୍ରିୟ ପକ୍ଷୀ । ମଣିଷର ଚାଳଛପର ଘର ହେଉଛି, ଘରଚଟିଆ ମାନଙ୍କର ନିରାପଦ ବାସସ୍ଥାନ । ଘରଚଟିଆ ନାନାଦି ପୋକଯୋକ ଖାଇ ସଫା କରିଥାନ୍ତି । ସକାଳୁ ସକାଳୁ ଘରଚଟିଆର କିଚିରି ମିଚିର ଶଦ୍ଦରେ ପାହାନ୍ତିଆର ଅଳସୁଆ ନିଦ ଭାଙ୍ଗିଯାଏ ଏବଂ ତା’ର ସେହି ମଧୁର ସ୍ୱର ମନରେ ଭରିଦେଇଥାଏ ଅପୂର୍ବ ଆନନ୍ଦ ଓ ଖୁସିର ଲହରି । ସେ ଧୂଳିରେ ଗଡ଼ିଲେ ବର୍ଷା ଆଗମନର ସୂଚନା ମିଳେ । ଚାଳଛପର ଘର ପରିବର୍ତ୍ତେ ପକ୍କାଘର ଗଢି ଉଠୁଥିବାରୁ ଘରଚଟିଆ ମାନଙ୍କର ବସା ତିଆରି କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏବେଠୁ ଆମର ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ, ଶିକ୍ଷକ, ପକ୍ଷୀପ୍ରେମୀ,ପକ୍ଷୀ ବିଶେଷଜ୍ଞ,ଜଙ୍ଗଲ ବିଭାଗ ଯଦି ଗାଁ କୁ ଗାଁ ଯାଇ ସଚେତନ କରିବା ତାହାହଲେ ଯାଇ ଘରଚଟିଆ ଙ୍କର ବଂଶ ରକ୍ଷା କରାଯାଇପରିବ । ଚମତ୍କାର ଲାଗିଲା ଘରଚଟିଆଙ୍କ ଉପରେ ସଚତନଧର୍ମୀ ବକ୍ତାଙ୍କ ଭାଷଣ । ମୋତେ ଲାଗିଲା - ଆୟୁଷର ଜୀବନ୍ତ ଛାଇଟିଏ ସେ । ସକାଳର କୋମଳତାକୁ ଡେଣାରେ ନେଇ ଡେଇଁ ବୁଲେ ଚେତନା ତତ୍ତ୍ବର ଇସାରା ନେଇ । ଉଡ଼ିଯାଏ ଇନ୍ଦ୍ରିୟମାନଙ୍କର ଶୂନ୍ୟକୁ । ମନର ଅନ୍ତରତମ ଏକାନ୍ତକୁ ଯାଇ ଭୁଲିବାକୁ ହୁଏ । ଆଉ ସେହି ଅନ୍ତର୍ମୁଖୀ ଅନୁଭବ ମାନଙ୍କର ଦିଗବଳୟକୁ ଖୋଲି ଖୋଲି ଦିଏ । ଅବସାଦର ଯେତେ ସବୁ ମଉଳା କୁଟାକାଠି ଉଠାଇ ନେଇଯାଏ ନିରାଲୋକ କୋଣ ମାନଙ୍କୁ । ଶୂନ୍ୟର ପରିଧିରେ ଭାଗ କରି ଆକାଶକୁ ମୋ ଆଖି ଆଗରେ ଖୋଲି ଧରେ । ଦୃଷ୍ଟିକୁ ଟାଣିନିଏ ଆଲୁଅ ଓ ଅନ୍ବେଷାକୁ । ଥଣ୍ଟରେ ଧରିଥିବା ଗୋଟିଏ ମାତ୍ର କୁଟାରେ ସ୍ପଷ୍ଟ ଭାବେ ସଂଚରିତ କରି ଦେଖାଇଦିଏ ଭବିଷ୍ୟତର ଅତୁଟ ନକ୍ସା ନକ୍ଷତ୍ର । ଘର ବାହାରକୁ ନେଇ ପରିଚୟ କରାଏ । ଅସମୟ ଋତୁର ପ୍ରକୋପରେ ଧ୍ଵସ୍ତ ବିଧ୍ଵସ୍ତ ହୋଇଯାଇଥିବା ନୀଳବର୍ଣ୍ଣର ସ୍ଵର୍ଣ୍ଣଘଟିତ ପୁନର୍ଜନ୍ମ ସହିତ କିଚିରି ମିଚିରିରେ ଶୁଣେଇ ଦେଇଯାଏ ଏଭଳି ଅନ୍ତରଙ୍ଗ କଥା ସବୁ । ମୁଁ ଘରଚଟିଆ ପରି ଭାବି ହେଉଥାଏ । ମେଡିକାଲରେ ମୋର ଦାୟିତ୍ବ ବଢିବାରେ ଲାଗିଲା । ଅଳ୍ପ ଦିନର ନର୍ସରେ ଅଫିସର ଏବଂ ରୋଗୀଙ୍କର ପ୍ରିୟପାତ୍ର ହୋଇଗଲି । ମୋର ବ୍ୟବହାର କାର୍ଯ୍ୟଶୈଳୀରେ ବହୁତ ରୋଗୀ ଆତ୍ମ ତୃପ୍ତି ଲାଭ କଲେ ।
ମୋତେ ଡେ ଡ୍ୟୁଟି ପଡିବା ବ୍ୟତୀତ ନାଇଟ୍ ଡ୍ୟୁଟି ମଧ୍ୟ ପଡେ । ସେଦିନ ସଡକ ଦୁର୍ଘଟଣାରେ ଏକ ଯୁବକ ମେଡିକାଲରେ ଭର୍ତ୍ତି ହୋଇଥିଲା । ଗୋଟିଏ ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଛାତିରେ ଅତ୍ଯଧିକ ଯନ୍ତ୍ରଣା । ମୁଣ୍ଡରୁ ରକ୍ତସ୍ରାବ । ବାଇଶି ପଚିଶ ବର୍ଷର ଯୁବକ । ସାମ୍ପୁଲଗା ଫିନ୍ ଫିନ୍ କଳା ବାଳ । ଦୁଇଟି ସୁନ୍ଦର ବୁଦ୍ଧିଦୀପ୍ତ ଆଖି । ପ୍ରଶସ୍ତ ମସୃଣ କପାଳ । ଉନ୍ନତ ନାସା । ସୁଦୀର୍ଘ ବଳିଷ୍ଠ ଚେହେରା । ସୁନ୍ଦର ସୁଠାମ ଯୁବାପୁରୁଷ । ଆମେ ବଞ୍ଚିବାର ଆଶା ଛାଡ଼ି ଦେଲୁ ତାକୁ । କୋମାରେ ପଡି ରହିଥାଏ । ଘର ଲୋକଙ୍କୁ ଦେଖା କରିବାର ସୁଯୋଗ ନାହିଁ । ନିଃଶ୍ବାସ ପ୍ରଶ୍ବାସ ଯାଉଥାଏ କିନ୍ତୁ ଚେତା ଫେରି ନ ଥାଏ । ପ୍ରାୟ ପାଞ୍ଚ ଛଅଦିନ ପରେ ଚେତା ଫେରିଲା । ଆଖି ଫିଟେଇ ଟିକେ ଚାହିଁଲା । ବଞ୍ଚିବାର ଆଶା ଉଜ୍ଜୀବିତ ହେଲା । ମୋର ଡ୍ୟୁଟି ଥାଏ ସେଦିନ ସେଠାରେ । ଏତେ ରୋଗୀଙ୍କୁ ସେବା କରିଛି କିନ୍ତୁ ଏହା ପ୍ରତି ମୋର କେଉଁଠିନା କେଉଁଠି ମାୟା ମମତା ଅଧିକ ରହିଲା । ପ୍ରଥମେ ପ୍ରଥମେ ସେ କିଛି କଥା କରିପାରୁ ନ ଥିଲା । କେବଳ ନିଷ୍ପଲକ ଆଖିରେ ମୋତେ ଚାହିଁ ରହୁଥାଏ । ତାର ସେହି ନିଷ୍ପ୍ରଭ ଆଖି ଯୋଡିକ ଦେଖିଲେ କାହିଁକି କେଜାଣି ମୋର ଅନ୍ତର ଭିତରଟା ଏକ ଅଦ୍ଭୁତ ଯନ୍ତ୍ରଣାରେ ହାହାକାର ହୋଇ ଉଠେ । ମୋତେ ଲାଗେ ଘରଚଟିଆ ଭଳି ତାର ଦୁଃଖ ଯନ୍ତ୍ରଣା ଶୋକକୁ ପରିତ୍ଯାଗ କରି ତାର ଅନ୍ତରରେ ଆନନ୍ଦ ଆଣି ଦିଅନ୍ତି । ଜୀବନର ମାନେ କ'ଣ ? ମୋର ସୁଖ ତ ଭଗବାନ ଛଡେଇ ନେଲେ । ଯଦି ମୋର ସେବା ଶୁଶ୍ରୁଷା ଦ୍ବାରା ଜଣେ ଆରୋଗ୍ୟ ଲାଭ କଲା ବା ନୂତନ ଜୀବନ ପାଇଲା ତାହାହେଲେ ଏ ଜୀବନ ଧନ୍ୟ ହେଲା । ଘରଚଟିଆ ପ୍ରକୃତିର... ପରିବେଶକୁ ସୁସ୍ଥ ଓ ନିରୋଗ ରଖିବା ତାର ଯେମିତି ଦାୟିତ୍ବ କର୍ତ୍ତବ୍ୟ । ମୋର ସେମିତି ରୋଗୀକୁ ସୁସ୍ଥ ଏବଂ ନିରୋଗ କରିବା କର୍ତ୍ତବ୍ୟ । ରୋଗୀର ପାଖକୁ ଯାଏ ତାର ସେହି ନିଷ୍ପ୍ରଭ ଚକ୍ଷୁରେ ସେ ଦେଖେ। ମୋର ଆଖିରୁ ଅଜାଣତରେ ଲୁହ ଝରି ଆସେ । କାହାର ସେ ସ୍ବାମୀ ହୋଇଥାନ୍ତା। କେତେ ସୁନ୍ଦର ଘରସଂସାର କରିଥାନ୍ତା । ଏତେ ସୁନ୍ଦର ଯୁବା ପୁରୁଷଟି ଏମିତି ଏକ ଦୁର୍ଘଟଣାରେ, ଅସହାୟ ଭାବରେ ମୃତ୍ୟୁ ବରଣ କରିବ ମୁଁ ସହ୍ଯ କରିପାରେ ନାହିଁ । ମୋର ସ୍ବାଭାବିକ ନାରୀତ୍ବ ଏକ ଚେତନାବୋଧରେ ଜର୍ଜରିତ ହୁଏ । ଯୁବକଟିକୁ ଆଜିକି ଚେତା ଫେରିବାର ପାଞ୍ଚ ଦିନ ହୋଇଗଲାଣି । ଏବେ ଧିରେ ଧିରେ କହିବା ଆରମ୍ଭ କଲାଣି । କିଛି ବେଶୀ ନୁହେଁ । ଏମିତି ପାଣି ଟିକିଏ ଦିଅ... ବସ ! ମୁଁ ବେଳେ ତାର ମନରେ ଆନନ୍ଦ ଆଣିବା ପାଇଁ ବେଡରେ ବସିଯାଏ । ସେ ତାର ଗୋଟିଏ ହାତରେ ମୋ ହାତ ପାପୁଲିକୁ ଧରେ । ତାର ହାତର କୋମଳ ସ୍ପର୍ଶ ମୋତେ ସଚେତିତ କରାଏ । ତାର ଆଖିର ଅଶ୍ରୁ ଧାର ଧାର ହୋଇ ବହିଯାଏ । ମୋର ସ୍ବାମୀ ବାପା ମାଆ ଘର କଥା ପଚାରେ । ମନ ଦେଇ ଶୁଣେ । କେତେବେଳେ ହସି ଦିଏ ତ କେତେବେଳେ ଆଖିର ଲୁହ ଧାର ଧାର ବହିଯାଏ । ଡାକ୍ତର ଦେଖି କୁହନ୍ତି ରୋଗୀର ସ୍ଵାସ୍ଥ୍ୟରେ ଉନ୍ନତି ଘଟୁଛି କିନ୍ତୁ କେତେବେଳେ କଣ ହେବ କିଛି କହି ହେଉ ନାହିଁ । ସେ ମେଡିକାଲରେ ରହିବାର ପ୍ରାୟ କୋଡିଏ ପଚିଶି ଦିନ ହେବ । ସେତେ ପରିମାଣରେ ସ୍ବାସ୍ଥ୍ୟର ଉନ୍ନତି ଘଟୁ ନାହିଁ । ତାର ବଞ୍ଚିବାର ଆଶା କ୍ଷୀଣ ହେବାକୁ ଲାଗିଲାଣି ।
ସେଦିନ ମୋର ସେହି ଓ୍ବାର୍ଡ ରେ ନାଇଟ୍ ଡ୍ୟୁଟି ଥାଏ । ରାତି ପ୍ରାୟ ଏଗାରଟା ବାରଟା ହେବ । ସେ ପାଣି ଟିକେ ଦେବାକୁ ହାତ ଠାରିଲେ । ମୁଁ ପାଣି ଟିକେ ପିଆଇ ଟାଓ୍ବେଲରେ ମୁହଁ ପୋଛି ଦେଉଛି । ହଠାତ୍ ତାର ସେହି ବାହୁରେ ମୋତେ ଧରି ନେଲେ । କହିଲେ ମୁଁ ଜାଣୁଛି ମୁଁ ତୁମ ପ୍ରତି ଅନ୍ଯାୟ କରୁଛି । ମୋର ଯିବାର ସମୟ ହୋଇଗଲାଣି । ମୁଁ ମୃତ୍ୟୁ ଆସନ୍ନ ମୁଖୀ । ଜଣେ ମୃତ୍ୟୁ ପଥ ଯାତ୍ରୀର ଟିକେ ଶେଷ ଇଚ୍ଛା ପୂରଣ କରିବ ନାହିଁ ? ଏତିକି କହି ନିର୍ନିମେଷ ଚାହାଣୀରେ ମୋର ମୁଖ ମଣ୍ଡଳକୁ ଦେଖୁଥିଲେ । ମୋର ଦେହରୁ ଥଣ୍ଡା ଦିନରେ ଝାଳ ବାହାରିବା ପରି ଝାଳ ବୋହିଗଲା । ସେ ଝାଳ ଭୟରେ ନା ଆଶଙ୍କାରେ ନା ପ୍ରତ୍ୟାଶାରେ ? ସେ ମୋ କାନରେ ଧିରେ କହିଲେ - ମୋତେ ଏକ ଚୁମ୍ବନ ଦେଇ ପାରିବ ? ମୋର ଭୟନାହିଁ ମରିବାକୁ କିନ୍ତୁ ଜୀବନର ଏକ ଅପୂର୍ଣ୍ଣତାକୁ ନେଇ ମରିବାକୁ ଇଚ୍ଛା ନାହିଁ । ମୋତେ ଗୋଟିଏ ନାରୀର ସ୍ପର୍ଶ ଅବସୋସ ହୋଇ ରହିଯିବ । ମୁଁ ଅନ୍ୟାୟ କରୁଛି, ପାପ କରୁଛି । ମୋର ମୃତ୍ୟୁ ପରେ ମୋତେ କ୍ଷମା କରିଦେବ । ଏହା ପରେ ସେ ବଳିଷ୍ଠ ଭାବରେ ଭିଡି ଧରିଲେ । ମୋ ଓଠରେ ଓଠ ଲଗାଇଲେ । ମୁଁ କିଛି ପ୍ରତିବାଦ କରି ପାରିଲି ନାହିଁ । ଗୋଟିଏ ମୂହୁର୍ତ୍ତ ? ଗୋଟିଏ ମିନିଟ୍ ? ଗୋଟିଏ ଘଣ୍ଟା ? ଗୋଟିଏ ରାତ୍ରି ? ଗୋଟିଏ ଯୁଗ ? କାହିଁକି କେଜାଣି ମନରେ ଅସରନ୍ତି ଆଶା ଆଶଙ୍କା ? ଧିରେ ଧିରେ ହାତ ମୁଠା ଶୀତଳ ହେଇ ଯାଉଥିଲା। ଚକ୍ଷୁର ପଲକ ପଡି ପଡି ଯାଉଥିଲା । ଧିରେ ଧିରେ ଦେହଟା ପଥର ପରି ନିର୍ଜୀବ ହୋଇ ଯାଉଥିଲା । ମୁଁ ଅନୁଭବ କରୁଥିଲି ଘରଚଟିଆ ପରି ମୋ ଠାରେ ଥିଲା ନିଷ୍ପାପ ଓ ପବିତ୍ରତା ।

