Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Romance Tragedy


3  

Lalita Mohan Mishra

Romance Tragedy


ଜୀବନ ଖୋଜେ ସ୍ମୃତି ଆଇନାରେ

ଜୀବନ ଖୋଜେ ସ୍ମୃତି ଆଇନାରେ

8 mins 166 8 mins 166

~ ବେଦନାର ସ୍ୱଗତୋକ୍ତି ~ ସେ ଜୀବନକୁ ଖୋଜେ ଆଇନା ଆଗରେ । ଖୋଜେ ହାତ ପାପୁଲିରେ ଥିବା ଅଙ୍କା ବଙ୍କା ନଈ ପରି ରେଖାକୁ । ଲାଗେ ସ୍ମୃତି ସତେ ଯେମିତି ଏକ ନିଆଁ ଯାହା ପ୍ରତିଦିନ ଜାଳୁଥାଏ । ଆଉ ଗୁମୁରି ଗୁମୁରି ସେ କାନ୍ଦୁଥାଏ । ସ୍ମୃତି କାହା ପାଇଁ ଅଧା ଲେଖା ଚିଠିଟିଏ ତ କାହା ପାଇଁ ଅଙ୍କାବଙ୍କା ନଈ । ସ୍ମୃତି ସତେ କାହା ପାଇଁ ଅସରନ୍ତି ସ୍ରୋତଟିଏ ତ କାହାର ଅଭୁଲା ଚିହ୍ନ । ସ୍ମୃତି କେବେ ଶୀତ ସକାଳର କୁହୁଡ଼ିଆ ଖରା ତ କେବେ ପାଉଁଶ ତଳର ନିଆଁ l କେବେ ରୂପା ଜହ୍ନ ତ କେବେ ପୁଣି ଧାରା ଶ୍ରାବଣର ଭୟଙ୍କର ରାତି l ହେଲେ ସ୍ମୃତି ସବୁବେଳେ ସ୍ମୃତି l ଜୀବନର ଚଲା ପଥରେ ବାଟ ଚାଲୁ ଚାଲୁ ଝୁଣ୍ଟିଥିବା କିଛି ଘଟଣାବଳୀକୁ ମନରୁ ଆଡେଇ ଦେଇ ହୁଏ ସତ, ହେଲେ ଆଡେଇ ହୁଅନି ସ୍ମୃତି ପଟଳରୁ l ହୃଦୟର ଶାଖା ପ୍ରଶାଖା, ଡାଳ ପତ୍ରରେରେ ବାୟା ଚଢ଼େଇର ବସାଟିଏ ପରି ଝୁଲୁଥାଏ ଏପଟରୁ ସେପଟକୁ l 

*************************************************'***

ଚାନ୍ଦିପୁଟ ଛକରୁ ଓହ୍ଲାଇ କିଛି ବାଟ ଗଲା ପରେ ଶିବମନ୍ଦିର ଟିଏ । ଶିବମନ୍ଦିରର ଠିକ୍ ଆଗରେ କୁନି କୁନି ପିଲାମାନେ ଖେଳୁଥିବା ପଢୁଥିବା ଏକ ବିଦ୍ୟାଳୟ.... ସରସ୍ଵତୀ ଶିଶୁ ମନ୍ଦିର । ତାର ଆଉ ଟିକିଏ ଆଗକୁ ଗଲେ ହାଇସ୍କୁଲର ଗେଟଟି । ତାର ଆଉ ପାଞ୍ଚ କି ଦଶ ହାତ ଗଲା ପରେ ସରକାରୀ ଚିକିତ୍ସାଳୟ ଚାନ୍ଦିପୁଟ । ରୋଡ୍ ଉପରେ ଥିବା ସେ "ଆରୋଗ୍ୟ" ମେଡିସିନ୍ ଷ୍ଟୋରକୁ କେବେ କିଛି ପଚାରିବନି ! କାରଣ ସେ ଟୋକାଟା ଗୋଟେ ହାପ୍ ମାଇଣ୍ଡ ଟା । କହୁଥିଲେ କହୁଥିବ... ଗପୁ ଥିଲେ ଗପୁ ଥିବ । କେତେବେଳେ କଣ କହୁଛି ? ତାହା ତାକୁ ଜଣା ନାହିଁ ! କେତେବେଳେ କହିଦେବ ସେ ଦିଦିଟା ଭଲ ତ ! ! ! ଆଉ କେତେବେଳେ ଦିଦି ନାଁରେ ଚଉଦ ପୁରୁଷ ଉଖାରି ଦେବ । ଚାନ୍ଦିପୁଟ ଚିକିତ୍ସାଳୟ କହିଲେ ରଶ୍ମିତା ଦିଦି । ମୁଁ ହେତୁ ପାଇବା ଠାରୁ ସେ ଦିଦିଙ୍କୁ ଦେଖୁଛି । ଅବଶ୍ୟ କେତେ ଡାକ୍ତର ଆସି ଗଲେଣି । ବୁଢା ଡାକ୍ତର, ଟୋକା ଡାକ୍ତର, ପିଲା ଡାକ୍ତର । ହେଲେ ରୋଗୀଙ୍କୁ ଠିକ୍ ଚିହ୍ନିଲା ବାଲା ସେହି ରଶ୍ମିତା ଦିଦି । ଆଛା ଆଛା ରୋଗୀଙ୍କୁ ଭଲ କରି ଦେବାର ପ୍ରୟାସ ଜାରି ରଖିଥାଏ ସେ ଦିଦି । କେତେ ଥର ତାର ବଦଳି ଅର୍ଡର ଆସିଲାଣି । କିନ୍ତୁ ଗାଁ ଲୋକ ଲାଗି କରି ମନ୍ତ୍ରୀଙ୍କଠୁ ପ୍ରେସର କରି ଦିଦିଙ୍କୁ ଛାଡୁ ନାହାଁନ୍ତି । ଦିଦିର ଗୋରା ତକତକ ଚେହେରା । ବୟସ ଢଳି ଢଳି ଯାଉଥିଲେ ମଧ୍ୟ ଦିଦିର ସୁନ୍ଦରତା ସେତେଟା କମି ଯାଇ ନାହିଁ । ନୀଳ ଶାଢୀରେ ଗୋରା ଦେହଟି ଭାରି ସୁନ୍ଦର ଲାଗେ । କହିବାକୁ ଗଲେ ଦିଦି ଗୋଟାଏ ଚାଉଳରେ ଗଢା । ଆଖ ପାଖ ଦଶ ବାର ଖଣ୍ଡ ଗାଁରେ ଦିଦିର ନାଁ ଅଛି । ଗାଁ ଗାଁ ବୁଲି ସ୍କୁଟିରେ ରୋଗୀ ସେବା କରିବାକୁ ପଛାଏ ନାହିଁ । ତାର ସେବାରେ ସନ୍ତୁଷ୍ଟ ହୋଇ ଲୋକେ ଦିଦିର ଗୁଣ ଗାନ କରନ୍ତି । ସେବା ବେଳେ ତାର ସୁନ୍ଦରତା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ ଲୋକେ । ରଶ୍ମିତା ଦିଦି ରୋଗୀ ସେବା କରି ଅର୍ଥ ରୋଜଗାର କରେ ନାହିଁ । ତାର ସେବା ହେଉଛି ପରମ ବ୍ରତ । ବିବାହ କରିଛି କି ନାହିଁ କାହାକୁ ଜଣା ନାହିଁ । ସେ ବି. ଫାର୍ମା ପାସ୍ କରି କମ୍ପାଣ୍ଡର ଭାବରେ ଚାକିରୀରେ ଯୋଗ ଦେଇଥିଲା । ବାପା ବ୍ରହ୍ମପୁର ମେଡିକାଲ କଲେଜରେ ଲାବ୍ରୋଟିରୀଆନ୍ ଆସିଷ୍ଟାଣ୍ଡ । ମାଆ ଗୃହିଣୀ । ଗୋଟିଏ ବୋଲି ଭାଇ ସେ ଚିକିଟି ମେଡିକାଲରେ ଡାକ୍ତର ଥିଲେ । ଉଚ୍ଚ ଚିନ୍ତାଧାରା ଓ ଉଚ୍ଚ ମାନସିକତା ନେଇ ଚାକିରୀରେ ଯୋଗଦେଇ ଥିଲା । ଜୀବନର ଗତିପଥ କେତେବେଳେ କେମିତି ବଦଳି ଯାଏ ତାହା କିଏ କହି ପାରିବ ନାହିଁ । ଦିନ ଥିଲା ଦିଦି ରାସ୍ତାକୁ ଅନେକ ସମୟ ଧରି ଚାହିଁ ରହୁଥିଲା ଅବିଚଳିତ ଭାବରେ । ସ୍ପନ୍ଦିତ ହୃଦୟରେ ପ୍ରତୀକ୍ଷା କରୁଥିଲା ଶାଶ୍ୱତଙ୍କ ଆସିବା ପଥକୁ । ମଟର ସାଇକେଲର ଶବ୍ଦ ଶୁଣିଲେ... ବାରମ୍ବାର ଦୌଡି ଆସୁଥିଲା ବାରଣ୍ଡାକୁ । ଅଥଚ ଆଜି ସେ ସମ୍ପୂର୍ଣ୍ଣ ସମ୍ପର୍କ ଶୂନ୍ୟ । ଅପାଂକ୍ତେୟ ମନୁଷ୍ୟ ପାଲଟି ଯାଇଛି ସମୟର ସ୍ରୋତରେ । ଗୋଟିଏ ଗତାନୁଗତିକ ଜୀବନକୁ ନେଇ ସେ କେବଳ ବଞ୍ଚିଛି ନିର୍ଜୀବ ମାଟି ପିଣ୍ଡୁଳାଟିଏ ଭଳି । ପାତିବୁଣା ଇଜି ଚେୟାର ଉପରେ ଲମ୍ବାଇ ଦେଲା ନିଜର ସୁକୋମଳ ଦେହକୁ । ଆଜି ରାତି ଡିୟୁଟି ନାହିଁ । ଅନ୍ତତଃ ରାତିଟା ଟିକିଏ ଫୁର୍ତ୍ତିରେ ବିତାଇ ପାରିବ । ସବୁବେଳେ ରୋଗୀସେବା ଆଉ ଜୀବାଣୁପୂର୍ଣ୍ଣ ମେଡିକାଲ ଭିତରେ ରହି ରହି ଅଣନିଶ୍ୱାସୀ ହୋଇ ପଡୁଛି । ରନ୍ଧା ବଢା ଠାରୁ ଆରମ୍ଭ କରି ଝିଅର ଯତ୍ନ ନେବା ପାଇଁ ଟିକିଏ ସମୟ ପାଉନି । ଚାକରାଣୀଟି ନଥିଲେ ସତରେ କେତେ ହନ୍ତସନ୍ତ ହୋଇ ନଥାନ୍ତା ସେ ! ବେଦନା - ବିଧୁରିତ - ରଶ୍ମିତାର ମନ - ତରଙ୍ଗରେ ନାଚୁଛି ଏକ ନିର୍ଜନ ଐଶ୍ୱର୍ଯ୍ୟମୟ ଦୁଃଖ । ମନର ଦୁଃଖକୁ ସେ ଠିକ୍ ରୂପେ ଅନୁଭବ କରିପାରୁଛି । କିନ୍ତୁ କାହା ଆଗରେ ବ୍ୟକ୍ତ କରି ପାରୁନି । ମନେହୁଏ ଦୁଃଖ ହିଁ ତାକୁ ଆପଣାର କରିନେଇଛି କେଉଁ କାଳୁ । ସେଇ ଅନୁଚ୍ଚାରିତ ଶବ୍ଦ ରଶ୍ମିତାକୁ ଅଧିର କରାଇ ଦେଉଛି । ଅହରହ ବେଦନା - ବିଧୂରିତ - ରଶ୍ମିତା ସେଇ ଦୁଃଖର ଜଳନ୍ତା ଯୁଇ ଭିତରେ ଜଳି ଜଳି ସମ୍ପୂର୍ଣ୍ଣ ନିଃସ୍ଵ ହୋଇ ଅନୁନାସିକ ସ୍ଵରରେ ନିରୂପାୟ ବେଦନାର ସ୍ଵଗତୋକ୍ତି କରୁଛି । ପରିଶେଷରେ ସେ କଣ ପାଇଛି ଜାଣେନା, ଭବିଷ୍ୟତରେ କଣ ପାଇବ ଜାଣେନି । ରଶ୍ମିତାର ଏକାନ୍ତ ନିଭୃତ, ସମ୍ପୂର୍ଣ୍ଣ ଏକକ ସୁଖାନୁଭୂତିରେ ଯେମିତି କେହି ବନ୍ଧୁ କି ପ୍ରତ୍ୟକ୍ଷଦର୍ଶୀ ନାହାଁନ୍ତି । ସେମିତି ବ୍ୟାପକ ଦୁଃଖାନୁଭୂତିରେ ବି ମନର ଦୁଃଖ ବୁଝିବା ପାଇଁ ସାଥିଟିଏ ନାହିଁ । ରଶ୍ମିତା ଅନୁଭବ କରୁଛି ତା ଚାରି ପାଖରେ ଏତେ ଚିହ୍ନା ପରିଚିତ ଲୋକ, ବାପା ମାଆ, ଆତ୍ମୀୟସ୍ଵଜନ ସର୍ବୋପରି ପ୍ରେମିକ ଶାଶ୍ୱତ ନିଜ ନିଜ ଦୃଷ୍ଟିଭଙ୍ଗୀ ନେଇ ଦେଖିଛନ୍ତି ତାକୁ । ସମସ୍ତେ ସ୍ୱାର୍ଥପର ଭଳି ମନେ ହୁଅନ୍ତି । ତା ପରଠୁ ଜାଣିଶୁଣି ସେମାନଙ୍କ ଠାରୁ ଦୁରେଇ ଯାଇଛି ରଶ୍ମିତା । ପଚିଶ ଗୋଟି ବସନ୍ତର ବର୍ଣ୍ଣିଳ ପାହାଚ ଅତିକ୍ରମ କରିସାରିଛି । ଯୌବନର କାଉଁରୀ ପରଶରେ ଦିନେ ସେ ହୋଇଥିଲା ପ୍ରଗଳଭା । ଉଦ୍ଦାମ ତାରୁଣ୍ୟର ଅଜଣା ମୁହୂର୍ତ୍ତରେ ଦିନେ ତା ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ଶାଶ୍ୱତ ମିଶ୍ର । ଏବେ ବି ସେ କଥା ମନେ ପଡିଲେ ଏକ ଅଭିନବ ପୁଲକରେ ଆନ୍ଦୋଳିତ ହୋଇଉଠେ ମନ । ଅତୀତର ସବୁ କଥା ମନେ ପଡୁଛି ତାର । ସେତେବେଳକୁ ସେ ଥିଲା ଅପୂର୍ବ ସୁନ୍ଦରୀ । ତାର ଶୃଙ୍ଖଳିତ ଅଙ୍ଗ ସୌଷ୍ଠବ, ବିମ୍ବିତ ଅଧରୋଷ୍ଠ, ଚଳଚଞ୍ଚଳ ଏଣୀ ଚାହାଣୀ ଏବଂ ମନ୍ଦହାସ୍ୟ ବାୟୁମଣ୍ଡଳକୁ ଶବ୍ଦାୟିତ କରି ତୋଳୁଥିଲା । ସମସ୍ତେ ଚାହୁଁଥିଲେ ତାର ସାନ୍ନିଧ୍ୟ ଆଉ ତା ମୁହଁରୁ କେଇ ପଦ ମିଠା ମିଠା କଥା । ଯେ ଦେଖିବ... ସେ ଦେଖି ରହିଯାଉଥିଲା । ସେଦିନ ରଶ୍ମିତା ମେଡିକାଲ ଡ୍ୟୁଟି ସାରି କ୍ୱାର୍ଟର୍ସକୁ ଫେରୁଥିଲା । ପଶ୍ଚିମାକାଶରେ ସୂର୍ଯ୍ୟ ବୁଡି ଯାଇଥିଲେ । ଆମାବାସ୍ୟାର ଅନ୍ଧକାର ଘୋଟି ଆସୁଥିଲା । କ୍ୱାର୍ଟର୍ସକୁ ଫେରିବା ରାସ୍ତାରେ ଯେମିତି ସେ ଅନୁଭବ କଲା ତାକୁ କେହି ଜଣେ ଅନୁସରଣ କରୁଛନ୍ତି । ପଛକୁ ଚାହିଁଲା ଡାକ୍ତର ଶାଶ୍ଵତ ମିଶ୍ର । ହଠାତ୍ ଏକାନ୍ତରେ ପାଇ..... ମୁଁ ତୁମକୁ ଗୋଟିଏ କଥା କହିବାକୁ ଇଚ୍ଛା କରୁଛି କହି ରଶ୍ମିତାର ହାତକୁ ସ୍ପର୍ଶ କଲେ । ମନେ ମନେ ଭାରି ଲଜ୍ଜିତ ହେଲା ରଶ୍ମିତା । ଆଉ ଟିକେ ପାଖକୁ ଆସି କହିଲେ - ମୁଁ ତୁମକୁ ଭଲ ପାଏ......... ଆଇ ଲଭ୍......ରଶ୍ମିତାର ହାତ ମୁଠାକୁ ଆଉ ଟିକିଏ ଚାପ ଦେଇ କହିଲେ । ମୋର କଥାରେ ତୁମେ ଏକମତ ତ..... । ମୁଁ ତୁମକୁ ଜୀବନର ସାଥି କରିବାକୁ ଇଚ୍ଛା କରୁଛି । ଦେହରୁ ଗମ୍ ଗମ୍ ହୋଇ ଅଜଣା ଝାଳଗୁଡିକ ବହି ଯାଉଥାଏ ରଶ୍ମିତାର । ନିରବ ନିସ୍ପନ୍ଦ । କିଛି ସମୟ ପାଇଁ ନିର୍ବାକ ହୋଇଗଲା । ନିଃସ୍ପନ୍ଦ ହୋଇଗଲା ପାଦ ତଳର ମାଟି । ଲାଜେଇ ଗଲା । ବିନା ପ୍ରତ୍ୟୁତ୍ତରରେ ନିଜ ହାତକୁ ଶାଶ୍ୱତର ହାତ ମୁଠାରୁ ମୁକୁଳାଇ କ୍ୱାର୍ଟର୍ସ ଭିତରକୁ ଚାଲି ଯାଇଥିଲା ସେ । ସେ ଦିନ ରାତିରେ ତା ଆଖିକୁ ଆଉ ଜମା ନିଦ ଆସିଲା ନାହିଁ । ପ୍ରଥମ କରି ଜଣେ ପୁରୁଷ ତା ପାଖରେ ପ୍ରେମ ଭିକ୍ଷା କରୁଛି ନିଃସଙ୍କୋଚରେ । ଧୀରେ ଧୀରେ ଦୁହିଁଙ୍କ ଭିତରେ ସଙ୍କୁଚିତ ହୋଇ ଆସିଲା ଦୂରତା । ନୀଳ ଆକାଶର ବୁକୁଚିରି ମୁକ୍ତ ବିହଙ୍ଗ ପରି ଅନାୟାସରେ ଉଡି ବୁଲିଲେ ଦୁହେଁ ପ୍ରେମ ରାଇଜରେ । ପ୍ରବେଶିକା ଚାକିରୀର ଶେଷରେ ସରକାରଙ୍କ ଦ୍ଵାରା ମନୋନୀତ ହୋଇ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଶାଶ୍ୱତ ଚାଲିଗଲେ ସୁଦୂର ଦିଲ୍ଲୀ । ରଶ୍ମିତାକୁ ବିବାହର ଏକ ନିର୍ଭର ପ୍ରତିଶ୍ରୁତି ଦେଇ । ବିଦାୟ ବେଳାରେ ରଶ୍ମିତା ଆଉ କିଛି କହି ପାରିନଥିଲା ଶାଶ୍ୱତକୁ । ଏକ ଅପ୍ରକାଶିତ ଦୁଃଖ ତା ଛାତି ଭିତରଟା ଯେମିତି କୋରି ହୋଇ ଯାଉଥିଲା । ଶାଶ୍ୱତ କହିଲେ - ମୁଁ ପି. ଜି. ସାରି ଶୀଘ୍ର ଫେରି ଆସିବି ରଶ୍ମିତା କିନ୍ତୁ ପ୍ରେମିକ ଭଳି ନୁହେଁ । ଜଣେ ସ୍ୱାମୀର ମମତା ନେଇ ଫେରି ଆସିବି । ତୁମ ମନ ମନ୍ଦିରକୁ । ସେ ଦିନ ସୁଖାଭିଭୂତା ରଶ୍ମିତା ଏକ ଗଭୀର ଐଶ୍ୱର୍ଯ୍ୟ ଲାଳସାରେ ଗଦ୍ ଗଦ୍ ହୋଇ ଫେରି ଆସିଲା ଘରକୁ । ଅନେକ ଦିନ ପର୍ଯ୍ୟନ୍ତ ଶାଶ୍ୱତର ପ୍ରେରିତ ଚିଠିଗୁଡ଼ିକ ତା ଉପସ୍ଥିତିକୁ ସୂଚାଉ ଥିଲା । ସେତେବେଳେ ଫୋନର ବ୍ୟବସ୍ଥା ନ ଥାଏ । ଦିନେ ସେ ବାପାଙ୍କ ଆଗରେ ଶାଶ୍ୱତଙ୍କ ସହ ବାହାଘର ବିଷୟରେ ପ୍ରସ୍ତାବ ଉପସ୍ଥାପନା କଲା ଅପରାଧୀଙ୍କ ପରି । ମହାପାତ୍ର ବଂଶର ଆଭିଜାତ୍ୟ ଓ ପରମ୍ପରାରେ ଚଳି ଆସିଥିବା ତାର ବାପା ପ୍ରଥମେ କଥାକୁ ବିଶ୍ୱାସ କରି ପାରି ନ ଥିଲେ । ପରେ ଝିଅର କଥାରେ ଅନନ୍ୟୋପାୟ ହୋଇ ଶେଷରେ ବାହାଘର ପାଇଁ ନିରବରେ ସ୍ଵୀକୃତି ଦେଇଥିଲେ । ତାଙ୍କର ବ୍ଲଡ଼ପ୍ରେସର ଯଥେଷ୍ଟ ବଢ଼ିଗଲା । କିଛି ଦିନ ତଳର ଏମିତି ଏକ ଘଟଣା ମହାପାତ୍ରଙ୍କ ମନକୁ ଶକ୍ତ ଧକ୍କା ଦେଇଥିଲା । ଏକ ମାତ୍ର ପୁଅ ଉଚ୍ଚ ଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇ ଆଉ ଫେରି ନଥିଲା । ସେଠାରେ ଏକ ଲେଡିର ପ୍ରେମରେ ପଡି ସବୁ ଦିନ ପାଇଁ ରହିଗଲା ସେଠି । କେବଳ ପତ୍ର ଖଣ୍ଡିଏ ଲେଖିଥିଲା - ମନରୁ ସବୁ ଦିନ ପାଇଁ ଭୁଲି ଯାଅ ବାପା । ଆଜିଠୁ ସେ ତୁମ ପାଇଁ ମରି ଯାଇଛି । ସେଇ ଆଘାତ ମହାପାତ୍ରଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ତାହା ଆଜି ପର୍ଯ୍ୟନ୍ତ ଶୁଖି ପାରିନାହିଁ । ପୁଣି ରଶ୍ମିତା ସେଇ ରାସ୍ତାରେ ପାଦ ଦେବାକୁ ବସିଛି । ତାର ଭବିଷ୍ୟତ ଚିନ୍ତା ତାଙ୍କୁ ଏକ ନିବିଡ ତମତ୍ସାଚ୍ଛନ୍ନ ସ୍ରୋତରେ ଭସାଇ ଦେଲା । ଦିନେ ରଶ୍ମିତାର ଜରାୟୂରେ କ୍ରମବର୍ଦ୍ଧିଷ୍ଣୁ ପଦ୍ମ କୋରଡରେ ସତ୍ତାକୁ ଅନୁଭବ କଲା ସିଏ । ବାପା ମାଆଙ୍କ କାନରେ ଏ କଥା ପହଞ୍ଚିବାକୁ ବେଶୀ ସମୟ ଲାଗିଲା ନାହିଁ । ମହାପାତ୍ର ଅନୁଭବ କଲେ ବିରାଟ ଅଟ୍ଟାଳିକାଟା ଯେମିତି ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ଚୁରମାର ହୋଇ ଯାଉଛି । ସେଦିନ ରଶ୍ମିତା ଚିନ୍ତା କଲା ଘରେ ରହି ବାପାଙ୍କ ମୁଣ୍ଡରେ କଳଙ୍କ ବୋଲିବା ଅପେକ୍ଷା ଦୂର ସହରକୁ ଯାଇ ପ୍ରତୀକ୍ଷା କରିବ । ତା ପ୍ରେମର ପ୍ରଥମ ସ୍ମାରକୀକୁ, ଶାଶ୍ୱତଙ୍କ ଫେରନ୍ତା ପଥକୁ । ଠିକ୍ ତା ପୂର୍ବରୁ ସବୁ କିଛି ପରିବର୍ତ୍ତନ ହୋଇ ଗଲା । ଶାଶ୍ୱତଙ୍କ ପ୍ରତି ଘୃଣାରେ ତା ମନଟା ବିଷାକ୍ତ ହୋଇଉଠିଲା । ଯେଉଁ ଶାଶ୍ୱତଙ୍କୁ ସେ ପବିତ୍ର ଜ୍ୟୋତି ଭଳି ମନେ କରୁଥିଲା ହଠାତ୍ ତାହା ବିଷାକ୍ତ ରଶ୍ମିରେ ପରିଣତ ହୋଇ ଗଲା । ସେ ଦିନ ସୁଦୂର ଦିଲ୍ଲୀରୁ ପ୍ରେରିତ ପ୍ରେମିକ ଶାଶ୍ୱତଙ୍କର ଚିଠି ଖୋଲିଥିଲା ଏକ ଅଭିନବ ପୁଲକ ଓ ଉତ୍କଣ୍ଠା ସହ । କିନ୍ତୁ ଲଫାପା ଭିତରେ ଦେଖିବାକୁ ପାଇଲା ଶାଶ୍ୱତଙ୍କ ସହ ଜଣେ ଶ୍ୱେତାଙ୍ଗିନୀର ଯୁଗଳ ଫୋଟ କପି । ରଶ୍ମିତା ଅନୁଭବ କଲା ସମଗ୍ର ପୃଥିବୀ ଯେମିତି ତାକୁ ବିବର୍ଣ୍ଣ ଦିଶୁଛି । ଏକ ଆଶୁ ଫଳବତୀ ଆଶାର ନୀଡ଼ ସତେ ଯେମିତି କ୍ରୂର ତୋଫାନ କରାଳ ଚକ୍ରରେ ଭାଙ୍ଗି ରୁଜି ଚୁର ମାର ହୋଇ ଯାଇଛି । ତଥାପି ବହୁ କଷ୍ଟରେ ସେ ଶାଶ୍ୱତ ଦ୍ଵାରା ପ୍ରେରିତ ଚିଠି ଖଣ୍ଡିକ ଥରେ ପଢିବାକୁ ଚେଷ୍ଟା କଲା । ରଶ୍ମିତା, ମୋର ସ୍ନେହ ନେବ । ତୁମ ମନରେ ଦୁଃଖ ଦେଇ ଥିବାରୁ ମୁଁ ଅନୁତପ୍ତ । ତରଙ୍ଗିଣୀ ସହିତ ଅବଶିଷ୍ଟ ଜୀବନ ମୋର ଦିଲ୍ଲୀରେ ବିତିବ । ମୋତେ ଶେଷରେ ମୋ ନିଜ ରାସ୍ତା ବାଛିବାକୁ ପଡ଼ିଲା ତରଙ୍ଗିଣୀ ପାଇଁ । ଅତୀତର ପ୍ରେମକୁ ସ୍ଵପ୍ନ ବୋଲି ଭାବି ଭୁଲିଯାଅ । ମୁଁ ତୁମକୁ ଜୀବନର ସାଥି କରି ପାରିଲି ନାହିଁ, ତେଣୁ ଦୁଃଖିତ । ହୁଏତ ଭଗବାନ ଆମକୁ ଏକାଠି ଦେଖିବାକୁ ଇଚ୍ଛା କଲେ ନାହିଁ । ଏହାକୁ ଏକ ପ୍ରହେଳିକା ଭାବି ଭୁଲି ଯିବ ବୋଲି ଆଶା ଏବଂ ବିଶ୍ଵାସ.... ଇତି..... ଶାଶ୍ୱତ ରଶ୍ମିତା କିଛି ସମୟ ପାଇଁ ନିର୍ବାକ, ନିସ୍ପନ୍ଦ ପ୍ରତିମୂର୍ତ୍ତିଟିଏ ପାଲଟିଗଲା । କେଉଁ ଏକ ଅନାକାଂକ୍ଷିତ, ଅନାହୂତ ବିପଦର ଆଶୁ ଆଶଙ୍କାରେ ତା ଛାତି ଭିତରଟା ଦୁଲିକି ଉଠିଲା । ପାଦ ତଳୁ ମାଟି ଚାଲିଗଲା ପରି ଲାଗିଲା । ଧିରେ ଧିରେ ନିଜକୁ ସମ୍ଭାଳି ନେଲା । ନିଜ ମନକୁ ଆହୁରି ଦୃଢ଼ କଲା । ଜୀବନର ରାସ୍ତା ଅନେକ ଲମ୍ବା, ଭୀଷଣ ଦୁଃଖ ଏବଂ କଣ୍ଟକିତ । ଆଉ ଶ୍ୱାପଦଶଙ୍କୁଳ ସେ ଅନୁଭବ କଲା । ସେ ଦିନ ତାର ସମସ୍ତ ନିଷ୍ପତ୍ତି ଜଣାଇଦେଲା ବାପା ମାଆକୁ । ଘରର ସମସ୍ତ ସମ୍ପର୍କ ଛିନ୍ନ କରି ଜୀବନର ଜଟିଳ ରାସ୍ତାରେ ପାଦ ଦେଲା ସେ । ଅଳ୍ପ ଦିନ ପରେ ଜନ୍ମ ହେଲା ଶ୍ରେୟାଂସି । କେଉଁ ସୁଦୂର ସ୍ମୃତି ଝରା ଅତୀତକୁ ପାଥେୟ କରି ଅବଶିଷ୍ଟ ଜୀବନ ଶ୍ରେୟାଂସି ପାଇଁ ଉତ୍ସର୍ଗ କରିବାକୁ ସେ ସଂକଳ୍ପବଦ୍ଧ । ମେଡିକାଲ ସହିତ ନିଜକୁ ଜଡିତ କଲା । ଉତ୍ସର୍ଗୀକୃତ ଜୀବନ ଅତିବାହିତ କଲା । ରୋଗୀ ସେବାରେ ନିଜକୁ ନିୟୋଜିତ କଲା । ରଶ୍ମିତା ହଠାତ୍ ପ୍ରକୃତିସ୍ଥ ହେଲା । ପଛରେ ଠିଆ ହୋଇଛି କେତେବେଳୁ ଝିଅ ଶ୍ରେୟାଂସି । ଝରକା ଦେଇ ଅଷ୍ଟମୀ ଜହ୍ନର ଚେନାଏ ଫିନ୍ ଫିନ କିରଣ ବିଛାଡି ହୋଇ ପଡ଼ିଛି ଘର ସାରା । ରଶ୍ମିତା ଆଖିରେ ଦୁଇ ଧାର ଅଶ୍ରୁବିନ୍ଦୁ ଝରି ପଡ଼ିଛି ମୁକ୍ତା ବିନ୍ଦୁ ପରି ଚଟାଣ ଉପରେ । ଆଜି ସବୁ ସ୍ମୃତି ହୋଇ ରହି ଯାଇଛି । ଆଇନା କାଚକୁ ସିନା ସଫା କରି ଚିକ୍କଣ କରିଦେଉଛି କିନ୍ତୁ ମନର ଅଇନାକୁ ସଫା କରି ପାରୁ ନାହଁ । ଝିଅ କିଛି ବୁଝି ନ ପାରି ମମିର ମୁହଁକୁ ବଲବଲ କରି ଦେଖୁଛି......



Rate this content
Log in

More oriya story from Lalita Mohan Mishra

Similar oriya story from Romance