Lalita Mohan Mishra

Romance Tragedy Classics

3  

Lalita Mohan Mishra

Romance Tragedy Classics

ଜୀବନ ଜ୍ୟାମିତି

ଜୀବନ ଜ୍ୟାମିତି

11 mins
49



ମାଟିର ମଣିଷଟିଏ ସେ । ତା'ର ଜୀବନର ପୂର୍ଣ୍ଣତା ସଫଳତାର ଇତିବୃତ୍ତି । ଏନ୍ତୁଡି ରୁ ଶ୍ମଶାନ ଯାଏ । ଜନ୍ମରୁ ମୃତ୍ୟୁ ଯାଏ । ଜୀବନଟା ସତେ କେତେଟା ବୟସର ମାଇଲଖୁଣ୍ଟ । ତା'ରି ଭିତରେ କଲା କର୍ମମାନଙ୍କର ହିସାବ ନିକାଶ ହୁଏ । ଜୀବନର ଜଟିଳ ଜ୍ୟାମିତି ସବୁ ଖୋଜାହୁଏ । ଲାଭ କ୍ଷତିର ଅଙ୍କ ସବୁ ମିଶାଣ, ଫେଡାଣ, ହରଣ, ଗୁଣନ ଭିତରେ କଷା ଚାଲେ । ସଫଳତା ଆଉ ବିଫଳତାର ସ୍ୱାଦକୁ ଅନୁଭବ କରିହୁଏ । କେତେ ସାର୍ଥକ ସତେ ଏ ଜୀବନ...!!!


ସମସ୍ତଙ୍କ ଜୀବନ ପ୍ରବାହିତ ହୁଏ ଯୌବନ ନଈରେ । କାହା ପାଦ ସେଠାରେ ଖସିଯାଏ ପୁଣି କିଏ ଧୀର ଚିତ୍ତ ହୋଇ ଉଦ୍ଧାର ପାଏ ସେ ନଈରୁ। ଜୀବନରେ ଆସୁଥିବା ପ୍ରତ୍ୟେକ ଦୁଃଖ କଷ୍ଟ ଝଡ଼ ଝଞ୍ଜାକୁ ଦୂର କରି ଜୀବନ ପଥରେ ଅଗ୍ରସର ହୁଅନ୍ତି ସମସ୍ତେ । କିନ୍ତୁ ଜୀବନର ଚଲା ପଥରେ ଏମିତି ଏକ ମୋଡ଼ ଆସି ବଦଳାଇ ଦିଏ ଜୀବନର ଗତିପଥ। ମଣିଷ ଜୀବନରେ ଏମିତି ଏକ ସମୟ ଆସେ ଯାହାକୁ ଭୁଲିବାକୁ ଚାହିଁଲେ ବି ସେ ଭୁଲିପାରେ ନାହିଁ।ପ୍ରତି ମୁହୂର୍ତ୍ତରେ ଘଟି ଯାଇଥିବା ଘଟଣା ସବୁ ଆଖି ଆଗରେ ନାଚି ଉଠେ । ସେମିତି ଏକ ଘଟଣା........


ସେଦିନ ବହୁ ବର୍ଷ ପରେ ସାଥି ହୋଇ ଆସିବାର ସୁଯୋଗ ପାଇଥିଲେ କୌସ୍ତୁଭ ଓ କସ୍ତୁରୀ । ତପ୍ତପାଣି ଘାଟିରୁ ଓହ୍ଲାଉ ଥିବା ବସ୍ ଟି ହଠାତ୍ ଦୂର୍ଘଟଣା ଗ୍ରସ୍ତ ହୋଇନଦୀରେ ପଡିଗଲା । କେତେଙ୍କୁ ବୁହା ଚାଲିଥାଏ ବ୍ରହ୍ମପୁର ତ କେତେଙ୍କୁ କଟକ ଓ ଭୁବନେଶ୍ଵର । ପାହାନ୍ତିଆ ପ୍ରହରରେ ଡ୍ରାଇଭରର ଆଖି ଲାଗିଗଲା ବୋଧହୁଏ । କେତେକ କୁହନ୍ତି - ଗାଡିର ବ୍ରେକ୍ ଘାଟିରେ ଧରିଲା ନାହିଁ ସେଥିପାଇଁ ଗାଡିଟି ଦୂର୍ଘଟଣା ଗ୍ରସ୍ତ ହୋଇ ନଦୀ ଭିତରେ ପଡିଗଲା । ସାତ ଜଣଙ୍କ ଅକାଳ ବିୟୋଗ ଘଟିଲା ସେଠାରେ । ସେହି ଗାଡିରେ ଥିଲେ ଦୀର୍ଘ ଦିନର ବିଚ୍ଛେଦ ବନ୍ଧୁ କୌସ୍ତୁଭ ଏବଂ କସ୍ତୁରୀ । କୌସ୍ତୁଭ କିଡିନ୍ ରୋଗରେ ଆକ୍ରାନ୍ତ ହୋଇଥିବା ହେତୁ ଚିକିତ୍ସା ନିମିତ୍ତ କଟକ ମେଡିକାଲ ନିଆଗଲା । ଜୀବନ ସହିତ ସଂଗ୍ରାମ କରୁଥିବା କସ୍ତୁରୀକୁ ନିଆଯାଇଥିଲା ଆପୋଲୋ ହସ୍ପିଟାଲ ଭୁବନେଶ୍ଵର । ବିଗତ ଦିନର କଥା ମନେପଡେ - 


ଅଶମିଳା ଶାସନ ଗୋଟିଏ ଗରୀବ ପରିବାରର କୌସ୍ତୁଭ । ପିଲାଟି ବେଳରୁ ପିତୃବିୟୋଗ ହେତୁ ମା ତାର ବହୁତ କଷ୍ଟରେ ମଣିଷ କରିଛି । ଦି ଅକ୍ଷର ପାଠ ପଢାଇବା ପାଇଁ କମ୍ ସଂଘର୍ଷ କରିବାକୁ ପଡିନାହିଁ ମା' କୁ । ଏମିତିକି ଦୁଇ ଓଳି ଖାଇବାକୁ ମଧ୍ୟ ଘରେ ନାହିଁ । ବାହାନଗା ସ୍କୁଲରେ କୌସ୍ତୁଭ ପାଠ ପଢୁଥାଏ ତାର ସାଥିରେ ସେତେବେଳେ ପାଠ ପଢୁଥାଏ କସ୍ତୁରୀ । ଧନୀଘରର ଅଲିଅଳି ଝିଅ କସ୍ତୁରୀ । ଦେଖିବାକୁ ଅନିନ୍ଦ୍ୟ ସୁନ୍ଦରୀ । ଦୁଇ ଭାଇରେ ଗୋଟିଏ ବୋଲି ଭଉଣୀ । ପ୍ରାଚୁର୍ଯ୍ୟ ଭିତରେ ବଢ଼ିଆସିଛି କସ୍ତୁରୀ । ବାପା ମା ଭାଇମାନଙ୍କର ଅତ୍ୟନ୍ତ ଗେହ୍ଲା । କସ୍ତୁରୀ ଓ କୌସ୍ତୁଭ ଦୁହେଁ ବାହନଗା ସ୍କୁଲରେ ପଢୁଥିଲେ । କୌସ୍ତୁଭର ଗାଁ ରେ ଗୋଟିଏ ଛୋଟ ଚାଳଘର ଯାହା ବାହାନଗା ଠାରୁ ପ୍ରାୟ ଦୁଇ କିଲୋମିଟର । କସ୍ତୁରୀର ଘର ବାହାନଗା ବଜାରରେ ଦୁଇ ମହଲା ବିରାଟ କୋଠା । ଯଦିଓ ଦୁହେଁ ଏକା ଜାତିର କିନ୍ତୁ ଧନୀ ଗରିବର ପ୍ରଭେଦ ଅନେକ ।


ସ୍କୁଲ ଜୀବନ ପାଠ ପଢାରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ଜ୍ଞାନ ଦୃଷ୍ଟିରୁ କୌସ୍ତୁଭ ୯୦% ମାର୍କ ରଖି ମାଟ୍ରିକ ପାସ୍ କଲା । କସ୍ତୁରୀ ମାଟ୍ରିକ ରେ ୬୨% ରଖି ପାସ୍ କଲା । ବାଲେଶ୍ବର ସରକାରୀ କଲେଜରେ ଦୁହେଁ ପଢିଲେ । ଗୋଟିଏ ବସରେ ଦୁହେଁ କଲେଜ ଯାଆନ୍ତି ଏବଂ ଫେରନ୍ତି ମଧ୍ୟ ସେହି ବସ୍ ରେ । କସ୍ତୁରୀ ଲକ୍ଷ୍ୟକରେ କୌସ୍ତୁଭର ଦାରିଦ୍ର୍ୟତାକୁ । ପିନ୍ଧି ଥିବା ଚିରା ସାର୍ଟକୁ ଏବଂ ଛିଣ୍ଡିଯାଇଥିବା ଚପଲକୁ ଦେଖେ ଏବଂ ଚୁପଚାପ ଅନୁଭବ କରେ ତାଙ୍କ ଘରର ଅବସ୍ଥାକୁ । କସ୍ତୁରୀର ଇଚ୍ଛାହୁଏ ଦାମିକା ପ୍ୟାଣ୍ଟ ସାର୍ଟ ଚପଲ ନେଇ ଦେବାକୁ କୌସ୍ତୁଭକୁ । ମାତ୍ର ପାରେନି । ଭାବେ ଯଦି କ'ଣ ଭାବିବ ?


କୌସ୍ତୁଭ ଅପେକ୍ଷା କସ୍ତୁରୀର ପାଠ ଟିକେ କମ୍ ହୁଏ । ମାତ୍ର କୌସ୍ତୁଭ ସବୁଥିରେ ଟପର । କଲେଜର ସବୁଠୁ ମେଧାବୀ ଛାତ୍ର ସେ । ସମସ୍ତ ଅଧ୍ୟାପକଙ୍କର ପ୍ରିୟ ଥିଲା କୌସ୍ତୁଭ । କସ୍ତୁରୀ ସବୁ ଦେଖେ ଅନୁଭବ କରେ । ବେଳେବେଳେ ଇଚ୍ଛାହୁଏ ତାର ବହିଯାଆନ୍ତି କି କୂଳଡେଇଁ, ଅମାନିଆ ନଦୀପରି । ଯେତେ ଦୁର୍ଗମ ଏବଂ ବନ୍ଧୁର ପଥ ହେଉ ଅତିକ୍ରମ କରି ମୋତେ ମିଶିବାକୁ ହେବ ସାଗରବକ୍ଷରେ । ନମାନି ବାଧା ବନ୍ଧନ ନିମିଷକେ ମିଶିଯାଆନ୍ତି ମୁଁ ସାଗର ବୁକୁରେ। ନଦୀର ଜନ୍ମ ତ ମିଶିବାକୁ ସାଗରବୁକୁରେ। ତା'ର ଜୀବନର ପୂର୍ଣାଙ୍ଗ ପ୍ରାପ୍ତି ସାଗରରେ । ହଜାଇ ଦିଅନ୍ତା ନିଜସତ୍ତାକୁ ଆଉ ବିଲିନ ହୋଇଯାଆନ୍ତି ନୀଳସାଗରର ନୀଳିମାରେ। ଖରସ୍ରୋତା, ନିମ୍ନଗା, ସ୍ରୋତସ୍ୱିନୀ ଆଉ ଚଞ୍ଚଳା ହେବାର ଅଭିମାନକୁ ଚିରଦିନପାଇଁ ହଜାଇଦିଅନ୍ତି ସେଇ ସାଗର ବେଳାରେ। ନିସ୍ତବ୍ଧ, ନିର୍ଲିପ୍ତ, ଆଉ ଅସ୍ତିତ୍ୱହୀନ ହୋଇ ଚିରଦିନପାଇଁ ଲୋଟିପଡନ୍ତା ସାଗରବକ୍ଷରେ। ନଦୀର ଶେଷ ଠିକଣା ଯେ ଅଟେ ସାଗର । ତାର ପ୍ରାପ୍ତି ଆଉ ପୂର୍ଣ୍ଣତା ମଧ୍ୟ ଅଟେ ସାଗର।


କସ୍ତୁରୀ ର ବହୁତ କିଛି ଇଚ୍ଛାହୁଏ । କଲେଜର ଖାଇଛୁଟି ସମୟରେ କୌସ୍ତୁଭ କିଛି ନ ଖାଇ ରହିଯାଏ । କସ୍ତୁରୀ ଘରୁ ଆଣିଥିବା ପରଟା ଓ ପନୀର କୌସ୍ତୁଭ କୁ ଦିଅନ୍ତା କି ? ମାତ୍ର ଦେଇପାରେନି । ତା ପେଟକୁ ଖାଦ୍ୟ ଯାଏନା । ମନଟା ଗୋଳେଇଘାଣ୍ଟି ହୁଏ । ଏମିତିରେ କୌସ୍ତୁଭର ଗ୍ରାଜୁଏସନ ସରିଗଲା । ସାରା ଜିଲ୍ଲାରେ ଟପର । କଲେଜରେ ତାକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଗଲା । କସ୍ତୁରୀର ମନଟା ଖୁସିରେ ଉଛୁଳି ଉଠୁଥାଏ । ସେ ଆଉ ନିଜକୁ ନିଜ ଆୟତ୍ତରେ ରଖିପାରିଲାନି । ସୁଯୋଗ ଖୋଜିଲା କେତେବେଳେ କୌସ୍ତୁଭକୁ ଏକୁଟିଆ ପାଇ ତାକୁ ଅଭିନନ୍ଦନ ଜଣାଇବ । ସେଦିନ ତାର ଆଉ କ୍ଳାସ ନଥିଲେ ମଧ୍ୟ ସେ ଅପେକ୍ଷାକଲା କୌସ୍ତୁଭକୁ ।


ସେଦିନ ବସରେ ବିଶେଷ ଭିଡ଼ ନଥିଲା । ପଛ ସିଟ୍ ଖାଲି ଥିଲା । କୌସ୍ତୁଭ ସେ ସିଟରେ ବସିପଡ଼ିଲା । ଗାଡି ଛାଡିଲା ବେଳକୁ କସ୍ତୁରୀ ଗାଡ଼ିରେ ଚଢ଼ିଲା । ଏଣେ ତେଣେ ଦେଖିଲା ବେଳକୁ କୌସ୍ତୁଭ ପଛ ସିଟରେ ଏକା ବସିଛି । ତା ମନରେ ଖୁସିର ଲହରୀ ଖେଳିଗଲା । କିନ୍ତୁ ଛାତିଟା ଧଡ଼ଧଡ଼ ହେଉଥାଏ । କେବେ ସେ କୌସ୍ତୁଭର ସାମ୍ନା ସାମ୍ନି ହୋଇନାହିଁ । ତଥାପି ସାହାସ ବାନ୍ଧି ସେ ପଛ ସିଟ ଆଡକୁ ଗଲା ।


ସିଧା ଯାଇ କୌସ୍ତୁଭର ପାଖରେ ଛିଡାହେଲା । ଭାବିଲା କୌସ୍ତୁଭ ତା ଆଡୁ ବସିବାକୁ କୁହନ୍ତି କି ! !


ଆଗକୁ କ'ଣ କରିବ, କ'ଣ ପଢିବ ସେ ଚିନ୍ତାରେ ଏତେ ମଗ୍ନ ଯେ ସେ କସ୍ତୁରୀର ଉପସ୍ଥିତିକୁ ଜାଣି ପାରିଲା ନାହିଁ । ଶେଷକୁ ବାଧ୍ୟହୋଇ କସ୍ତୁରୀ ବସି ପଡ଼ିଲା କୌସ୍ତୁଭର ପାଖରେ। ଚମକିପଡ଼ିଲା କୌସ୍ତୁଭ। ତା ପାଖରେ ବସିଛି କସ୍ତୁରୀ । ସେ ଟିକେ ସଂକୋଚ ଅନୁଭବ କଲା । ନିଜକୁ ତା' ଠାରୁ ଘୁଞ୍ଚେଇ ନେଲା ।


ବଡ କଷ୍ଟରେ ସାହାସ ଜୁଟାଇ କସ୍ତୁରୀ କହିଲା " ଆଜି ତୁମକୁ ଯେଉଁ ସମ୍ବର୍ଦ୍ଧନା ଦିଆଗଲା ସେଥିପାଇଁ ମୋ ତରଫରୁ ତୁମକୁ ଅଭିନନ୍ଦନ । ଯାହା ହେଲେ ବି ତୁମେ ଆମ ଅଞ୍ଚଳର ଗର୍ବ ଗୌରବ ।


ହସି ହସି କହିଲା କୌସ୍ତୁଭ - ଧନ୍ୟବାଦ କସ୍ତୁରୀ !


ମାତ୍ର ମୁଁ ଆଗକୁ ଆଉ ପଢି ପାରିବି କି ନାହିଁ ? ?


ମା ମୋତେ ଏତେ ଟଙ୍କା ପଇସା ଦେଇ ଆଉ କେଉଁଠି ପଢାଇ ପାରିବ ? ମୋର ପି. ଜି କରିବାକୁ ଭାରି ଇଚ୍ଛା । କିନ୍ତୁ ତୁମେ ତ ଜାଣ,ଭୁବନେଶ୍ୱରରେ ରହି ପଢିଲେ କେତେ ଖର୍ଚ୍ଚ ! ! ଗାଁ ପାଖ କଲେଜ ବୋଲି ସିନା ଚଳିଲା । ଭାବିଥିଲି ଅଧିକ ପାଠ ପଢି ଚାକିରି କରି ମାଆକୁ ସୁଖ ଶାନ୍ତିରେ ରେ ରଖିବି ! ! ! 


ମୋ ଯୋଗୁଁ ବିଚାରୀ କେତେ ଧନ୍ଦି ହୋଇ ଗଲାଣି । ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ତୁମେ ବାଣୀବିହାର ହଷ୍ଟେଲରେ ରହି ପଢିବ ! ପ୍ରାୟ ବେଶୀ ଖର୍ଚ୍ଚ ହେବନାହିଁ । ଏତିକିବେଳେ କଣ୍ଡକ୍ଟର ପଇସା ମାଗିଲା । ଚୁପ୍ ରହିଲା କୌସ୍ତୁଭ । କଣ କରିବ ? ତା ପାଖରେ କେବଳ ଜଣକର ପଇସା ଅଛି । ସେ ଏକା ନିଜପାଇଁ କେମିତି ପଇସା ଦେବ ? ତା ପୁରୁଷତ୍ବ ତାକୁ ଧିକ୍କାର କଲା । ସବୁ ବୁଝି ପାରିଥିଲା କସ୍ତୁରୀ । ସେ କଣ୍ଡକ୍ଟରକୁ ଦୁଜଣଙ୍କ ଭଡା ଦେଇଦେଲା ।


ଯେନ ତେନ ପ୍ରକାରେ ଭୁବନେଶ୍ୱର ଚାଲିଗଲା କୌସ୍ତୁଭ । ବାଣୀବିହାର ରେ ପିଜି କଲା । ହଷ୍ଟେଲରେ ରହି ପଢିଲା । ତାର ଲକ୍ଷ୍ୟ ସେ ଆଇ ଏ ଏସ କିମ୍ବା ଓ. ଏ. ଏସ୍ ଅଫିସର ହେବ । ଏଣେ କସ୍ତୁରୀ ମଧ୍ଯ ପିଜି କଲା । ଯେବେଠାରୁ କୌସ୍ତୁଭ ବାଣୀବିହାରରେ ପିଜି କରିବା ଠିକ ହେଲା ସେବେଠାରୁ କସ୍ତୁରୀ ମନେ ମନେ ଠିକ୍ କରିଥିଲା ସେ ମଧ୍ୟ ପିଜି କରିବ । ସେ କୌସ୍ତୁଭର ନିକଟତର ହେବାକୁ ଇଚ୍ଛା । ପାଠପଢ଼ା ତ ବାହାନା ମାତ୍ର । ତାର ମନସ୍କାମନା ପୂର୍ଣ୍ଣ ହେଲା । ଏକା ଅଞ୍ଚଳର ହୋଇ ବାହାରି ଜାଗାରେ ପାଠପଢୁ ଥିବାରୁ ଘନିଷ୍ଠତା ବଢ଼ିଲା । ଉଭୟେ ସମୟ ବାହାର କରି ବୁଲାବୁଲି କଲେ । ଧୀରେ ଧୀରେ ଏଇ ଘନିଷ୍ଠତା ନିବିଡ ପ୍ରେମରେ ପରିଣତ ହେଲା । ସମୟ ଏମିତି ଆସିଲା ଯେ ଦୁହେଁ ଦୁହିଁଙ୍କୁ ଦିନେ ନଦେଖିଲେ ରହିପାରୁନଥିଲେ ।


ପ୍ରେମ ଏକ ସୁନ୍ଦର ଫୁଲର ନାମ ! ଯାହା କେବଳ ମନ ଉପରେ ନିବୃତ୍ତ କୋଣରେ ଫୁଟିଥାଏ । ସେ ଫୁଲର ଗନ୍ଧକୁ କେବଳ ଅନୁଭଵ କରିହୁଏ । ପ୍ରେମ ଏକ ପବିତ୍ର ଝରଣା ଅନ୍ତକୋଣରୁ ଝରି ଆସେ । ସେ ପବିତ୍ର ଝରଣା ଟି ର କୁଳୁକୁଳୁ ନାଦରେ, ହୃଦୟ ବଗିଚାରେ ପ୍ରେମ ଏକ ଝଙ୍କାଳିଆ ବଟ ବୃକ୍ଷ ସଦୃଶ । ପ୍ରେମ ଏକ ସ୍ବର୍ଗୀୟ ରସାନନ୍ଦ। ପ୍ରେମ ଏକ ଶାଶ୍ୱତ ଅନୁଭବ ଦିବ୍ୟ ଅନୁଭୂତି । ପ୍ରେମରେ ସୃଷ୍ଟି ହୁଏ ମଧୁମୟ ଜୀବନ ନିତ୍ୟ ଓ ନୂତନ। ଯେଉଁ ଶବ୍ଦରେ ରହିଛି ଆନ୍ତରିକ ବୁଝାମଣା ,ସମ୍ମାନ ଓ ଗଭୀର ଭଲପାଇବା । ପ୍ରେମ ଶବ୍ଦଟିଏ ନଥିଲେ ମଣିଷ ଭିତରେ ମଧୁମୟର ସମନ୍ୱୟ କେବେବି ଘଟି ନ ଥାନ୍ତା । ପ୍ରେମ ରେ ଭୋଗ ନ ଥାଏ କେବକ ଭଲପାଇବା । ପ୍ରେମରେ ଧୈର୍ଯ୍ୟ ଓ ନୈତିକତା ହିଁ ବଡ଼କଥା । ପ୍ରେମରେ ଚାହିଁବାର ସୁଖ ପାଇବାରେ ନ ଥାଏ ।


ସମୟର ଚକ ଆଗକୁ ଆଗକୁ ଗଡିଚାଲିଲା । କୌସ୍ତୁଭ ୟୁନିଭରସିଟି ଟପର ହେଲା । ତାର ଇଚ୍ଛା ଥିଲା ଆଇ ଏ ଏସ କିମ୍ବା ଓ ଏ ଏସ୍ ଅଫିସର ହେବାକୁ । ତେଣୁ ସେ ସେହି ଭୁବନେଶ୍ୱରରେ ରହି ପଢ଼ାପଢ଼ି କଲା । କସ୍ତୁରୀ ଘରୁ ତା ପାଇଁ ଅଧିକ ଟଙ୍କା ଆଣୁଥିଲା । ନିଜେ ଖୁବ କମ ଟଙ୍କା ଖର୍ଚ୍ଚ କରୁଥିଲା। କୌସ୍ତୁଭ କୁ ଅଧିକ ଟଙ୍କା ଦେଉଥିଲା । ଯଦିଓ ପ୍ରଥମେ ପ୍ରଥମେ କୌସ୍ତୁଭ କସ୍ତୁରୀ ଠାରୁ ନେବାକୁ ମନା କରୁଥିଲା, କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ନେବାକୁ ବାଧ୍ୟ ।


କସ୍ତୁରୀ ଠାକୁରଙ୍କ ଠାରେ ମାନସିକ କରୁଥାଏ ମୋର କୌସ୍ତୁଭ ଆଇ ଏ ଏସ୍ କିମ୍ବା ଓ ଏ ଏସ୍ ପାଇଯାଉ । ନିଜେ ମଧ୍ୟ କମ୍ପିଟେଟିଭ୍ ପରୀକ୍ଷା ଦେଉଥାଏ। ଶେଷରେ ଭଗବାନ କସ୍ତୁରୀର ଡାକ ଶୁଣିଲେ କୌସ୍ତୁଭ ଓ ଏ ଏସ୍ ପାଇଲା ଏବଂ କସ୍ତୁରୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପୋଷ୍ଟ ପାଇଲା । କସ୍ତୁରୀ ର ଆନ୍ତରିକତା ଓ କୌସ୍ତୁଭର ପ୍ରଚେଷ୍ଟାରେ ଉଭୟଙ୍କ ସ୍ୱପ୍ନ ସାର୍ଥକ ହେଲା । ସମସ୍ତ କଳ୍ପନାର ଅନ୍ତ ଘଟାଇ କୌସ୍ତୁଭ ମାଲକାନଗିରି କାଲିମେଳା ର ବିଡିଓ ଭାବରେ ନିଯୁକ୍ତି ପାଇଲା । ଯେତିକି ଖୁସି କୌସ୍ତୁଭ ହେଲାନାହିଁ ତାଠାରୁ ଅଧିକ ଖୁସିହେଲା କସ୍ତୁରୀ । କୌସ୍ତୁଭ କଥା ଦେଲା ଯେ ମୁଁ ତୋତେ ଖୁବ ଶୀଘ୍ର ବିବାହ କରିବି ।


କୌସ୍ତୁଭ ଯେଉଁ ଦିନ କାଲିମେଳା ପ୍ରଥମ କରିଯାଇଥିଲା ସେଦିନ ବହୁତ କାନ୍ଦିଲା କସ୍ତୁରୀ । କୌଣସିମତେ ତାକୁ ବୁଝାସୁଝା କରି ବିଦାୟ ନେଲା କୌସ୍ତୁଭ । ନୂଆଯାଗା । ନୂଆ ଲୋକ । ସବୁ କାମରେ ତାକୁ ସାହାଯ୍ୟ କରୁଥାନ୍ତି ସବ୍ କଲେକ୍ଟର । ମାଲକାନଗିରିରୁ କାଲିମେଳା ମାତ୍ର କୋଡ଼ିଏ କିଲୋମିଟର । ପ୍ରାୟ ସମୟ କୌସ୍ତୁଭ ସବ୍ କଲେକ୍ଟର ସାର୍ ଙ୍କ ଘରେ ହିଁ ଭୋଜନ କରେ। ଯଦି କେବେ ଖାଇବାକୁ ନ ଯାଏ ତେବେ ଚାକର ବାକରଙ୍କ ହାତରେ ମ୍ୟାଡାମ୍ ଖାଇବା ପଠେଇ ଦିଅନ୍ତି ।


ସବ୍ କଲେକ୍ଟର ସାର୍ ଙ୍କର ଗୋଟିଏ ବୋଲି ଝିଅ ଶୀତଲଗ୍ନା , ଚିନ୍ନାଇ ରେ ପଢୁଥାଏ ଶୀତଲଗ୍ନା। ଭାରି ମହତ୍ୱକାଂକ୍ଷି ଓ ଅତ୍ୟାଧୁନିକା ଶୀତଲଗ୍ନା । ଦକ୍ଷିଣ ଭାରତୀୟ ରୁଚି ସମ୍ପନ୍ନା । ଗ୍ରୀଷ୍ମାବକାଶରେ ସେ ଆସିଲା ମାଲକାନଗିରି । ସମୟକ୍ରମେ କୌସ୍ତୁଭର କାର୍ଯ୍ୟଶୈଳୀକୁ ଦେଖି ବହୁତ ପ୍ରଭାବିତ ହେଲା ଶୀତଲଗ୍ନା । କାମ ଥାଉ ନଥାଉ ସେ ଯାଇ କାଲିମେଳା ଅଫିସରେ ହାଜର । ଅଯଥାରେ କୌସ୍ତୁଭ କୁ ବିଭିନ୍ନ କଥା କହି ନିଜର ସୌନ୍ଦର୍ଯ୍ୟ ଦେଖାଇ ମନ ମୋହି ନେଉଥିଲା । ସବ୍ କଲେକ୍ଟରଙ୍କ ଏକମାତ୍ର ଅଲିଅଳି କନ୍ୟା । ତେଣୁ ସବୁ କଥା ମନା ବି କରିପାରୁ ନ ଥିଲେ କୌସ୍ତୁଭ । ମନ ଇଚ୍ଛା ଶୀତଲଗ୍ନା କୌସ୍ତୁଭର କ୍ବାର୍ଟରକୁ ଯିବା ଆସିବା କରୁଥିଲା । ଏହି ମିଳାମିଶାକୁ କିଏ ହେଲେ ବାରଣ କରୁ ନ ଥିଲେ। ଉଭୟ ପରିବାର ଚାହୁଁଥିଲେ ଶୀତଲଗ୍ନା ସହିତ କୌସ୍ତୁଭର ବିବାହ ହୋଇଯାଉ ।


ଏପଟେ କସ୍ତୁରୀ ରାୟଗଡା ଜିଲ୍ଲାର ଗୁଡ଼ାରୀ ବ୍ଲକ୍ ରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବରେ ଯୋଗ ଦେବା ଠାରୁ ସଦାସର୍ବଦା କାମ । କେତେ ବେଳେ କେମିତି କୌସ୍ତୁଭ ସାଥିରେ ଭଲ ମନ୍ଦ କଥାବାର୍ତ୍ତା ହୁଏ । ଦୁଇଜଣ ମଧ୍ୟରେ ଦୂରତା ବଢି ବଢି ଯାଉଛି । 


ଦିନେ ଏକାନ୍ତରେ ଶୀତଲଗ୍ନା କୌସ୍ତୁଭ ର ହାତଟିକୁ ନିଜର କୋମଳ ହାତକୁ ନେଇ ମୁହଁରେ ମୁହଁ ଲଗେଇ କାନ ପାଖରେ କହିଲା - ପ୍ରିୟେ ! ଆଉ କେତେଦିନ ମୋତେ କଷ୍ଟଦେଵ ? ତୁମକୁ ନପାଇ କେତେଦିନ ମୁଁ ଏମିତି ଖାଲି ଖାଲି ରହିବି ? ଶୀଘ୍ର କଣ ଗୋଟେ କର , ନହେଲେ ତୁମକୁ ମୁଁ ଅପହରଣ କରି ନେଇଯିବି ।


ଅସମଞସ ଅବସ୍ଥାରେ ପଡିଲା କୌସ୍ତୁଭ । ସେପଟେ ନିରୀହ କସ୍ତୁରୀର ତ୍ୟାଗ ସମର୍ପଣ ? ? ଏପଟେ ତାର ଉପର ଅଫିସରଙ୍କର ଏକମାତ୍ର କନ୍ୟା । ଯଦି କସ୍ତୁରୀ କୁ ଉପେକ୍ଷା କରେ ତେବେ ନିଜ ଅନ୍ତରାତ୍ମା ତାକୁ କ୍ଷମା ଦେବନାହିଁ । ଯଦି ଶୀତଲଗ୍ନା କୁ ମନାକରେ ତେବେ ଉପର ଅଫିସର ଙ୍କର କ୍ରୋଧର ଶିକାର ହେବ । ସେଦିନ ସେ କିଛି କହିପାରିଲାନି । ଧୀରେ ଧୀରେ କସ୍ତୁରୀ ସହିତ ତାର ଦୂରତା ବଢିବାକୁ ଲାଗିଲା । ରାତିରେ ଘଣ୍ଟା ଘଣ୍ଟା ଫୋନରେ ଗପୁଥିବା କୌସ୍ତୁଭ ଏବେ କେବଳ ଔପଚାରିକତା କଥା ଦିପଦ ଫୋନରେ କଥା ହେଉଛି କସ୍ତୁରୀ ସହିତ । ସମୟ ଏମିତି ଆସିଲା ଯେ କସ୍ତୁରୀ ର ଫୋନ ଆଉ ଉଠାଇଲା ନାହିଁ କୌସ୍ତୁଭ ।


ଉଦାସରେ ଭାଙ୍ଗିପଡିଲା କସ୍ତୁରୀ । ଦୋଷ କ'ଣ ରହିଲା ତାର ? ମନରେ ଅନେକ ପ୍ରଶ୍ନ, ଅନେକ ଜିଜ୍ଞାସା । ଦିନେ ଗାଁରୁ ଖବର ଆସିଲା କୌସ୍ତୁଭ ର ବିବାହ ସେଠାକାର ସବ୍ କଲେକ୍ଟରଙ୍କ ଝିଅ ସହିତ ହେଉଛି । ସବୁ ଶୁଣିଲା କସ୍ତୁରୀ । ତାର ହୃଦୟରେ ଓ ମନରେ ଭାବନ୍ତର ସୃଷ୍ଟି ହେଲା । ତାକୁ ବର୍ଣ୍ଣନା କରିବାକୁ ଶବ୍ଦର ଅଭାବ । ଧୀରେ ଧୀରେ ତାର ଯେମିତି ଚେତନା ଶକ୍ତି ଲୋପ ପାଇ ଆସୁଥିଲା । କୌସ୍ତୁଭ ଏମିତି କରିବ ବୋଲି ଆଶା କରି ନ ଥିଲା ।


ଝିଅର ଏମିତି ନିରାଶା ଭାବ ଦେଖି ଘରେ କସ୍ତୁରୀ ର ବିବାହ ଅନ୍ୟତ୍ର କରିବାକୁ ଚେଷ୍ଟା କଲେ କିନ୍ତୁ କସ୍ତୁରୀ ସମ୍ମତି ପ୍ରଦାନ କଲାନାହିଁ । ଯାହାକୁ ମୁଁ ସମର୍ପିତା ହୋଇଯାଇଛି, ଅନ୍ୟର ହୋଇ ପାରିବି ନାହିଁ । ନିଜକୁ ବିବାହ ବନ୍ଧନରୁ ଦୂରେଇ ରହିବାକୁ ଉଚିତ୍ ମଣିଲା । ଭଗବତ୍ ଚିନ୍ତନ ମନନରେ ନିଜକୁ ନିୟୋଜିତ କଲା । ନିଜେ ଯେମିତି ଯନ୍ତ୍ରଚାଳିତ ଗୋଟେ କଣ୍ଢେଇ । ନିଷ୍ପାଣ ଓ ସମ୍ବେଦନହୀନ । ନିଜର ସ୍ବପ୍ନ ଅଧୁରା ରହିଥିବାରୁ ବେଳେ ବେଳେ ବ୍ୟଥିତ ହୁଏ।


ଜୀବନର ଅପରାହ୍ନରେ ଛିଡାହୋଇ ଖୋଜୁଥାଏ ଅତୀତକୁ । ସଂଗହୀନ ଏକୁଟିଆ ପଣ ଅନ୍ତରକୁ କ୍ଷତାକ୍ତ ଓ ରକ୍ତାକ୍ତ କରୁଥାଏ । ଯୌବନର ସମୟ ଛୁଟ କିନା ପଳାଇଲା । ସମୟ ସହିତ ସବୁ ସମ୍ପର୍କମାନେ ଆପେ ଆପେ ଦୁରେଇ ଗଲେ । ହାତ ବଢ଼ାଇ ଧରିବାକୁ ଇଚ୍ଛା କଲେ ବି କ୍ଲାନ୍ତ ଶୀର୍ଣ୍ଣ ହାତ ତାକୁ ଧରି ପାରିନି । ମନ କ୍ଲାନ୍ତ ,ଦେହ ବି କ୍ଲାନ୍ତ କେମିତି ଏକ ନିରବ ସୁସୁପ୍ତି ଗୁଞ୍ଜରୀ ଉଠେ ଅନ୍ତରାତ୍ମାରେ । ଏମିତି ଏକ ଷ୍ଟପେଜରେ ଛିଡା ହେବ ବୋଲି ନିଜେ କେବେ ଭାବି ନ ଥିଲା ।


କୌସ୍ତୁଭ ଶୀତଲଗ୍ନାଙ୍କୁ ବିବାହ କରି କିଛି ଦିନ ସୁଖରେ ରହିଲେ । ସୁଖ ତାଙ୍କର ଅଧିକ ଦିନ ଦୃଢିଭୂତ ହୋଇ ରହି ପାରିଲା ନାହିଁ । ବଡ ଘର ସୁଖ ସ୍ବଚ୍ଛନ୍ଦରେ ବଡ ହୋଇଛି ଶୀତଲଗ୍ନା । ଝାଟିମାଟି ପାଣି କାଦୁଅ ଚାଳଘରୁ ଜୀବନ ସହିତ ସଂଗ୍ରାମ କରି ଏ ପର୍ଯ୍ୟନ୍ତ ଆସି ପାରିଛି କୌସ୍ତୁଭ । ହୃଦୟର ତାରତମ୍ୟ ମନର ତାରତମ୍ୟ । ଦୁଇ ଜଣଙ୍କ ମଧ୍ଯରେ ସଦାସର୍ବଦା ଯୁକ୍ତିତର୍କ । ମୁହଁ ଫୁଲାଫୁଲି ରାଗ ଅଭିମାନ । ଜଣେ ଅନ୍ୟ ଜଣଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ନେଇ ଖାପଖୁଆଇ ଚଳିବା ଶିଖିଲେ ନାହିଁ । ଜଣେ ଜଣକର ଅହଂକାରକୁ ବଜାୟ ରଖିଲେ । ଫଳରେ ଦୂରତା ବଢିଲା ଏବଂ ନିଜ ମନର କ୍ଲାନ୍ତି ପାଇଁ ନିଶାକୁ ଆଦରିଲା କୌସ୍ତୁଭ । ପରିଣାମ ସ୍ବରୂପ ଯାହା ହୁଏ ବା ଯାହା ଘଟୁଛି ତାହା ମଧ୍ୟ କୌସ୍ତୁଭ ଓ ଶୀତଲଗ୍ନା କ୍ଷେତ୍ରରେ ଘଟିଲା ।


ଜଣେ ଅନ୍ୟ ଜଣଙ୍କ ପାଇଁ ତ୍ୟାଗ ଓ ସମର୍ପଣ ଭାବ ଦେଖାଇବା ପରିବର୍ତ୍ତେ ଜୀବନ ସାରା ଏକାକୀ ଚାଲିବାର ଶପଥ ନେଲେ । ଜଣେ ସବୁକିଛି ପାଇ ନିଜକୁ ସମାଜ ଠାରୁ ଦୂରେଇବାକୁ ଯାଇ ନିଶାକୁ ଆଦରିଲା । "ଅଜାଗା ଘା' ଦେଖି ହୁଏନି କି ଦେଖେଇ ହୁଏନି " ସେମିତି ଏକ ପରିସ୍ଥିତିରେ ସନ୍ତୁଳି ହେଲା କୌସ୍ତୁଭ । ଅଫିସର ହୋଇ ମଧ୍ୟ ନିଶାକୁ ବାଧ୍ଯ ହୋଇ ଆଦରିଲା । ଫଳ ସ୍ବରୂପ କିଡିନ୍ ଫେଲୋର ।


ସେଦିନ ବସ୍ ରେ ହଠାତ୍ କୌସ୍ତୁଭ କୁ ଦେଖି ବିସ୍ମିତ ହୋଇଥିଲା କସ୍ତୁରୀ । ମନରେ ପୁଲକ ଭରିଗଲା । ପୁଲକ ଅବ୍ୟାହତ ରହିଲା କିନ୍ତୁ ବିସ୍ମୟ ଘନୀଭୂତ ହେଲା । କୌସ୍ତୁଭ ନିଜକୁ ଦୋଷୀ ମଣିଲା । କ୍ଷମଣୀୟ ପାଇଁ ଅନୁରୋଧ କଲା । ଦୁଇ ଜଣ ବହୁଦିନ ପରେ ଦେଖା ହୋଇଥିବାରୁ ସୁଖ ଦୁଃଖ ବାଣ୍ଟିଲେ । ଏବେ ମଧ୍ୟ ସେହି ଭାବର କମି ଥିଲା ଭଳି ଅନୁଭବ ହେଲା ନାହିଁ । ସମୟ ସଦା ସାଥି ଦିଏ ନାହିଁ । ବସ୍ ଟି ସର୍ପିଳ ଗତିରେ ଚାଲିଥିଲା ହଠାତ୍ ରାତିର ଘନ ଅନ୍ଧକାରରେ ଦୁର୍ଘଟଣା ଗ୍ରସ୍ତ ହେବ ବୋଲି କିଏ ଜାଣିଥିଲା ? 


ଆମ୍ବୁଲାନ୍ସରେ କସ୍ତୁରୀ କୁ ଆପୋଲୋ ହସ୍ପିଟାଲକୁ ନିଆଗଲା । ମୃତ୍ୟୁ ସହିତ ସଂଗ୍ରାମ କରୁଥାଏ କସ୍ତୁରୀ । କୌସ୍ତୁଭର ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି ପଚାରିବାକୁ ଭୁଲି ନ ଥିଲା । କୌସ୍ତୁଭର ପୂର୍ବ ରୋଗକୁ ଛାଡି ଦେଲେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି କହିଥିଲେ । କସ୍ତୁରୀର ଜୀବନ ପ୍ରଦୀପ ଧିରେ ଧିରେ ଲିଭି ଲିଭି ଆସୁଥାଏ । ବଞ୍ଚିବାର ଆଶା ବେଳକୁ ବେଳ କ୍ଷୀଣ ହୋଇ ଯାଉଥାଏ । କେବେ ସେ ଶୁଣିଥିଲା । ମୃତ୍ୟୁ ର ଅବ୍ୟବହିତ ପୂର୍ବରୁ ତୁମେ ଶରୀରର ଅଙ୍ଗ ଅନ୍ୟକୁ ଦାନ କରିପାରିବ । ଉଚିତ୍ ମଣିଲା କସ୍ତୁରୀ ନିଜର କିଡିନ୍ କୁ କୌସ୍ତୁଭକୁ ଦେବାକୁ ଇଚ୍ଛା କଲା। ଯାହା ପାଇଁ ଏ ଜୀବନ ସମର୍ପିତ ସେ ଶରୀର କିଛି ଅଂଶ ଯଦି ଶେଷର କୌସ୍ତୁଭର ଜୀବନ ବଞ୍ଚାଇବାରେ ସହାୟକ ହେବ ସେଥିରେ ମୋର ଆନନ୍ଦ ଏବଂ ଶାନ୍ତି ।


ଶେଷରେ ସେହି କଥା ମଧ୍ୟ ହୋଇଥିଲା ।


ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହା ଜୀବନ ଉପହାର । ମୃତ୍ୟୁ ପୂର୍ବରୁ ବା ପରେ ଜଣଙ୍କର ଅଙ୍ଗ ଆସନ୍ନ ମୃତ୍ୟୁମୁଖରେ ପଡିଥିବା ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ପୂର୍ବକ ତାଙ୍କୁ ନୂତନ ଜୀବନ ପ୍ରଦାନ । ଅଙ୍ଗଦାନ ମହତ ଦାନ। କିଡନୀ ଦାନ କରି କସ୍ତୁରୀର ଜୀବନ ପ୍ରଦୀପ ଲିଭି ଆସୁଥିଲା । କୌସ୍ତୁଭର ଲିଭି ଯାଉଥିବା ଜୀବନ ପ୍ରଦୀପ ଜଳିବାକୁ ଲାଗିଥାଏ। କସ୍ତୁରୀର ତ୍ଯାଗ ସମର୍ପଣ ଆଗରେ କୌସ୍ତୁଭ ପଶ୍ଚାତାପର ଅଗ୍ନିରେ ଦଗ୍ଧୀଭୂତ ହେଉଥାଏ । ନିଜକୁ ଧିକ୍କାର କରୁଥାଏ । 


ସତରେ.... ଜୀବନର ଜଟିଳ ଖାତାରେ ବାକିଥିବା ଜଞ୍ଜାଳର ଜ୍ୟାମିତି କସୁ କସୁ ଭୁଲ୍ ହୋଇଯାଏ । ଅର୍ଦ୍ଧେକ ଆୟୁଷର ଅନେକ ଉପପାଦ୍ୟ ଲାଗେ, ପ୍ରତି ସକାଳର ଏକ ପ୍ରାରମ୍ଭ । ଆରମ୍ଭ ତ ଅନ୍ତଃହୀନ ଆଶାକୁ ନେଇ ଆଗେଇ ଚାଲେ, କିନ୍ତୁ ସନ୍ଧ୍ୟା ଯାଏଁ ରହିଯାଏ ଆଉ କିଛି ଡହଳ ବିକଳ ।


Rate this content
Log in

Similar oriya story from Romance