ଝିଅଟିଏ ହୋଇଥିଲେ
ଝିଅଟିଏ ହୋଇଥିଲେ
ଆମର ଚାଷୀ ଘର କଥା । ଝିଅଟିଏ ପାଇଁ ଆମ ଘରେ ଭାରି ଘୃଣା ଭାବ । ପୁଅ ହେଲେ ହଳ ଧରିବ । ମଇଁଷି ଜଗିବ । ବଣକୁ ଯିବ । .....ସେଥିପାଇଁ ।
ଆମ ଘରେ ଦୁଇଟି ବଳଦ,ଦଶଟି ଗାଈ ଓ ଦୁଇଟି ମଇଁଷି । ମୋତେ ସେମାନଙ୍କ ଦେଖାରଖା କରିବାକୁ ପଡୁଥିଲା । କେତେ ଦିନ ବା ସେପରି କରି ପାରିବି !ତେଣୁ ମୋ ପଛକୁ ମୋର ଗୋଟିଏ ପୁଅ ଆସିବା ଦରକାର । - ଏମିତି ଭାବୁଥିଲି ।
ତଥାପି ଝିଅ ପ୍ରତି ମୋ ମନରେ ଘୃଣା ନ ଥିଲା । ଘରେ ମୁଁ ବୁଝାଇ କହୁଥିଲି - ' ବଣକୁ ସିନା ଯାଇପାରିବ ନାହିଁ, ଗୁହାଳ କଥା ତ ବୁଝିପାରିବ ଝିଅ । ତା' ଛଡା ଜନମ,ମରଣ,ବରଷା - ଏକଥା କ'ଣ ଆଗରୁ କହିହେବ ! '
ସ୍ତ୍ରୀଙ୍କର କ'ଣ ପିଲାପିଲି ହେବାର ଥିଲା । ତେଣୁ ଏବେ ପୁଅ,ଝିଅ ପ୍ରସଙ୍ଗକୁ ନେଇ ଖୁବ୍ ଗୋଟେ ଘମାଘୋଟ ଆଲୋଚନା ଆମ ଘରେ ଚାଲିଥିଲା ।
ଆଷାଢ଼ ଚାଲିଗଲା । ଶ୍ରାବଣ ବି ଗଲା । ଭାଦ୍ରବ ମାସ ହେଲା । ସେମାନେ ପୂରା ଅନୁମାନ ଲଗାଇ ଦେଲେ ଯେ ଏଇ ଭାଦ୍ରବ ମାସରେ ହିଁ ମୋ ସ୍ତ୍ରୀ ପିଲା ଜନ୍ମ କରିବ । ଆଉ ଏହାପରେ ଆଲୋଚନା ଟା ଆହୁରି ସରଗରମ ହୋଇଗଲା ।
ସେମାନେ କହିଲେ - ଦେଖ,ଏଇ ଭାଦ୍ରବ ମାସରେ କୃଷ୍ଣ ଜନ୍ମ ହୋଇଥିଲେ । ଯଦି ଜନ୍ମାଷ୍ଟମୀ ରାତିରେ ପୁଅ ଜନ୍ମ ହେଲା, ତେବେ ତ କଥା ସରିଲା । ସେ କୃଷ୍ଣ ହୋଇଯିବ । ମା' କୋଳ ଶୂନ୍ୟ କରି ମଥୁରାକୁ ଚାଲିଯିବ । ଏଠି କୃଷ୍ଣଲୀଳା କରିବ । ଛି.....ଛି !
ଆକାଶରୁ ପାହାଡ଼ ଛିଣ୍ଡି ପଡିଲା ପ
ରି କଥା ଏସବୁ । ଏତେ ସବୁ ଆଗତ କୁହା କଥା ଆଦୌ ଭଲ ନୁହେଁ ବୋଲି ଯେତେ କହିଲେ ବି ସେମାନେ ମୋ କଥା କେହି ଶୁଣିବା ଅବସ୍ଥାରେ ନ ଥିଲେ ।
ବିକୃତ ହୋଇ ଯାଉଥିଲା ସେମାନଙ୍କ ମୁହଁ । ନାକ କୁଞ୍ଚିତ ହେଉଥିଲା । ଯେତେ ସବୁ ଅମଙ୍ଗଳ କଥା ବାହାରୁଥିଲା ମୁହଁରୁ ।
କୃଷ୍ଣ ଜନ୍ମାଷ୍ଟମୀ ପାଖେଇ ଆସିଲା । ସମସ୍ତେ ଠାକୁରଙ୍କୁ ଡାକିବା ଆରମ୍ଭ କରିଦେଲେ । କହିଲେ - ' ହେ ପ୍ରଭୁ ! ପୂର୍ବରୁ ହେଉ, ନ ହେଲେ ଜନ୍ମାଷ୍ଟମୀ ଗଡିଯାଉ । ଜନ୍ମାଷ୍ଟମୀ ରାତିରେ କେବେ ବି ବୋହୂର କିଛି ନ ହେଉ । '
- ' ଦେଖ, ଜନ୍ମାଷ୍ଟମୀ ରାତିରେ ହିଁ ପିଲା ଜନ୍ମ ନେବ । ଏବଂ ତାହା ପୁଅଟିଏ ହେବ । ତା'ର ନାଁ କୃଷ୍ଣ ରହିବ । ବ୍ୟସ୍ତ ହେଲେ କିଛି ହୋଇପାରିବ ନାହିଁ । ଇଏ କ'ଣ ଦ୍ବାପର ଯୁଗ ହେଇଛି ଯେ ସେ ମଥୁରା ପଳେଇବ । ଯାହା ହବ ସବୁ ଏଇଠି ହିଁ ହବ । ଇଏ ପରା କଳିଯୁଗ । '
ମୋ କଥା ଶୁଣି ସେମାନେ ଭାବିଲେ ମୁଁ ଯେମିତି ପୋଡା ଘା'ରେ ଲୁଣ ଛିଟା ପକଉଛି । ମୋତେ ଗାଳିଗୁଲଜ ଦେବା ଆରମ୍ଭ କରିଦେଲେ ସମସ୍ତେ । ମୋ ସ୍ତ୍ରୀ ତ ମୋତେ ଘୃଣା ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଦେଲା ।
ହେଲେ ମୋ କଥା ସତ ହେଲା । ସତକୁସତ କୃଷ୍ଣ ଜନ୍ମାଷ୍ଟମୀ ରାତିରେ ମୋ ସ୍ତ୍ରୀ ପୁଅଟିଏ ଜନ୍ମ ଦେଲା ।
କୃଷ୍ଣ ଆସିଗଲେ - ମୁଁ ଖୁସିରେ କହିଲି ।
ଝିଅଟିଏ ହୋଇଥିଲେ ବେଶ୍ ଭଲ ହୋଇଥାନ୍ତା - ସେମାନେ ସମସ୍ତେ ନିରାଶରେ କହୁଥିଲେ ।