ଜେନେଟିକ
ଜେନେଟିକ
ଭରା ଭରା ସଂସାରରେ ଶୁନ୍ୟତା. ଜନଗହଳି ପୂର୍ଣ୍ଣ ରାସ୍ତାରେ ଶୁନ୍ୟତା, ସାଙ୍ଗ ସାଥି ବନ୍ଧୁ ବାନ୍ଧବଙ୍କ ମେଳରେ ମଧ୍ୟ ଶୁନ୍ୟତା. ଏମିତି କାହିଁକି ଲାଗୁଛି ବାପା. ପଚାରିଥିଲା ପ୍ରଶ୍ନଟିଏ ରୁବି ବାପାଙ୍କୁ ସେବେ, ବାହାଘର ପୂର୍ବରୁ. ବାପାଙ୍କର ସେଇ ଏକା ଉତ୍ତର. ସବୁ ମଣିଷ ସ୍ୱାର୍ଥ ଓ ସର୍ତ୍ତ ମୂଳକ ଆଶା କରନ୍ତି ଅନ୍ୟଠାରୁ. ନପାଇଲେ ଦୂରେଇ ଯାଆନ୍ତି. ସେ ନିଜର ହେଉ ଅବା ପର. ଚାଲିଯାଆନ୍ତି ଯୋଉଠି ତାଙ୍କର ସ୍ୱାର୍ଥ ଅଛି, ଯୋଉଠି ତାଙ୍କୁ କିଛି ବ୍ୟକ୍ତିଗତ ଲାଭ ଅଛି. ମୁଁ ତ କାହାରିଠୁ କିଛି ମାଗୁନି କି ଆଶା ରଖିନି ତେବେ ସମସ୍ତେ ଦୂରେଇ ଯିବାର କାରଣ ଜାଣି ହେଉନି. ଟିକେ ଭିତିରି କରି ଭାବେ ରୁବି ତୁମେ ଯେତେ ନିରପେକ୍ଷ ରହିଲେ ମଧ୍ୟ ତୁମେ ଯାହା କରୁଛ ଯାହା ଚାହୁଁଛ ସେ ସବୁଥିରେ ଯଦି ଅନ୍ୟ ସମସ୍ତଙ୍କର କିଛି ନା କିଛି ସ୍ୱାର୍ଥ ନଥାଏ ତେବେ କେହି ନୁଁହଁ କାହାର. ଚାରିଆଡେ ଅନ୍ଧାର ଖାଲି ଅନ୍ଧାର ଓ ଶୁନ୍ୟତା ମିଳିବ. ସେଇଥିପାଇଁ କଣ କିଛି ଉପାୟ ନାହିଁ ବାପା? ଅଛି ଝିଅ ନିଶ୍ଚୟ ଅଛି. ମନେପକା ତୋ ପିଲାଦିନ କଥା. ତତେ ମୁଁ ସବୁଦିନ ନେଇଯାଉଥିଲି ନଈ ପଠାର ସୁବିସ୍ତୃତ ଅଞ୍ଚଳକୁ. ଆମେ ଦୁହେଁ ଚୁପ ଚାପ ବସୁଥିଲେ. କେହି କାହାକୁ ପଦେ କହୁନଥିଲେ ତେଣୁ ତୁ ବିରୋଧ କରୁଥିଲୁ କହୁଥିଲୁ ମୋ ଜୀବନ ରୁଟିନର ସବୁ ଦାଇତ୍ୱ ନେଇ ମତେ ଶୃଙ୍ଖଳିତ କରିଛ, ଶିକ୍ଷିତ କରି ସ୍ବାଧୀନ ଭାବେ ବଞ୍ଚି ପାରିବାର ରାହା ଦେଖେଇଛ. ପୁଣି ଆଉ କଣ ଜଣେଇବାକୁ ବା କଣ ଶିଖେଇବାକୁ ପ୍ରତିଦିନ ମତେ ଏଠିକୁ ନେଇଆସୁଛ ବାପା?ସେଦିନ ମୋ ଉତ୍ତର କଣ ଥିଲା ତୋର ମନେ ଅଛି ଝିଅ!ହଁ ବାପା ତୁମେ କହିଥିଲ ଏହା ଶୁନ୍ୟତା ନୁଁହଁ ବରଂ ଜୀବନ ଜିଇଁବାର ଗଭୀର ଗହନ କାଥ. ଏଠାରେ ଥିବା ଗଛରୁ ଆସୁଥିବା ଶବ୍ଦ, ପବନର ବହିବା ବେଗ, ନଈର ଚହଲା ପାଣିରେ ପ୍ରତିବିମ୍ବ, ଉଡ଼ନ୍ତା ପକ୍ଷୀ ଓ ତାର ବସା ବାନ୍ଧିବାର କୌଶଳ, ପ୍ରଜାପତି ଓ ଭଅଁରର ଗୁଣୁ ଗୁଣୁ ଗୀତ, ଆକାଶର ନୀଳିମା ଭିତରେ ଧଳା ବଉଦର ରୂପ ବଦଳେଇ ଚାଲିଯାଉଥିବା ଦୃଶ୍ୟ, ଏସବୁକୁ ଦେଖ ମାଆ.ଏମାନେ ସବୁ କଥା କହନ୍ତି ଓ ପ୍ରକୃତ ବନ୍ଧୁ. ସ୍ୱାର୍ଥ ସର୍ତ୍ତ ବ୍ୟତିରେକେ ଜୀବନର ପରିପୂର୍ଣ୍ଣତା. ସେତେବେଳେ ତୁ ଖୁବ ରାଗିଥିଲୁ ତ ତତେ ମୁଁ ଆଉ ଗୋଟେ କଥା କହିଥିଲି ଯେ ଆଉ ଗୋଟେ ଜିନିଷ ଅଛି ଯାହାକୁ ନିଜର କରିପାରିଲେ ଶୁନ୍ୟତା ଅପସରି ଯିବ. ହଁ ବାପା ମନେପଡୁଛି ସେ ଜିନିଷ ହେଲା ବହି. ସେ ବହି ପଢିଲେ ଜ୍ଞାନ ମିଳେ, ଵୁଦ୍ଧି ବଢେ, ନିର୍ଯ୍ୟାସ ପ୍ରାପ୍ତ ହୁଏ, ଆଲୋକର ସନ୍ଧାନ ମିଳେ ବୋଲି ତୁମେ କହିଛ ବାପା. ତ ଏତେ ଶୁନ୍ୟତା କାହିଁକି ଝିଅ?ନିଦ ଭାଙ୍ଗିଗଲା ରୁବିର ସତ ହେଲେ ସତେଜ ଲାଗିଲା ତାକୁ.ବାପା ସବୁବେଳେ ବ୍ୟସ୍ତ ହୋଇପଡନ୍ତି ଦୁନିଆଁ ସହିତ ବଦଳି ଗଲାଣି ମଣିଷର ମନ.
ବାପା ନାଁହାଁନ୍ତି ସତ ହେଲେ ତାଙ୍କର ପ୍ରତିଟି କଥା ଭିତରେ ହଜିଯାଇ ନିଜକୁ ଭଲପାଇ ପାରିଲେ ଶିଉଳିରେ ବି ଫୁଟିବ ଫୁଲ ଠିକ ହୃଦୟ ମନ୍ଦିରରେ ଓଁ ଶୁଭିଲା ପରି.ଝରକା ପାଖେ ଠିଆ ହୋଇ ଆଜି ସେ ଦେଖୁଥିଲା ବରଗଛଟିକୁ ଆଉ ତା ଦେହରେ ଓହଳି ଥିବା ବାଦୁଡ଼ି ଗୁଡିକୁ. ଚାହିଁଲା ଚାରିଟା କୁକୁର ଛୁଆ ଜନ୍ମ କରିଥିବା ମାଇ କୁକୁରଟି ତାଙ୍କ ପାର୍ଟିକୋ ଭିତରେ ଥିବା କାର ଭିତରେ ପିଲାଙ୍କୁ ରଖି ବର୍ଷା ହେଉଥିବାରୁ କୁଁ କୁଁ ହେଉଥିଲା. କ୍ଷୀର ଗିନାଏ ଓ ଅଖା କେଇଟି ଧରି କୁକୁରଙ୍କ ପାଖକୁ ଦଉଡି ଗଲା ରୁବି. କଳା ଓ ଧଳା ଷଣ୍ଢ ଦୁଇଟି ମୁଣ୍ଡରେ ପରସ୍ପରକୁ କେଞ୍ଚି ଲଢେଇ କରୁଥିଲେ ତ ହେ ପ୍ରଭୁ
ହେ ପ୍ରଭୁ ଡାକି ଠାକୁର ଘରେ ପଶିଗଲା ରୁବି. ଅଖଣ୍ଡ ଦୀପରେ ତେଲ ଢାଳି ବାଲକୋନୀରୁ ତଳକୁ ଚାହିଁଲାବେଳକୁ ଲହୁଲୁହାଣ ହେବା ପରିବର୍ତ୍ତେ ଷଣ୍ଢ ଦୁଇଟି ମୋଡ଼ ବୁଲି ପରସ୍ପର ବିପରୀତ ଦିଗରେ ଯାଉଥିଲେ ତ ରୁବି ଅନୁଭବ କଲେ ଶୁନ୍ୟତା ଅପସରି ଯାଇଛି. ସତରେ ଶୂନ୍ୟତାକୁ ପରିପୂର୍ଣ୍ଣତା ରେ ପରିଣତ କରି ଟିକି ନାତୁଣୀର ହାପି ଦିୱାଲୀ ଲେଖା ଚିତ୍ର ସହ ମିଳିଥିଲା କାର୍ଡ ଟିଏ.ନାତୁଣୀ ମୁଁହରେ ହସ ରୁବିଙ୍କ ଅନ୍ତରାତ୍ମା ରେ ପରିପୂର୍ଣ୍ଣତା ହୋଇ ହସ ଧାରେ ଖେଳୁଥିଲା ବେଳେ ପୁଅ କହିଥିଲା ମାମା ତୋ ନାତୁଣୀର ପ୍ରଥମ ଡ୍ରଇଂ ପୂର୍ଣ୍ଣ ଦିୱାଲୀ ଶୁଭେଚ୍ଛା ପୋଷ୍ଟ କାର୍ଡଟିକୁ ରଖିଥା.ମୁଁ ଘରକୁ ଗଲେ ବନ୍ଧେଇ ଦେବି. ରୁବି ତଥାପି ଶୂନ୍ୟତା ରେ ଛଟ ପଟ ହେଉଥିଲେ. ପୁଅ ଝିଅ କାହିଁ କେତେ ଦୂରେ. ସ୍ୱାମୀ ଛାତ ଉପରେ ଡ଼ାକ ପକେଇଥିଲେ ଦେଖ ଦେଖ ତୁମ ଆଲୋଭେରା ଗଛଟିକୁ ଦେଖ. ଫୁଲ ଆସିଛି. ରାମୁ ଏପଟେ ମିଠା ବ୍ୟାଗ ବଢ଼େଇ କହୁଥିଲା ମାଆ ତୁମେ ଦେଇଥିବା ଆମ୍ବ ଚାରାଟି ଆଜି ଦ୍ରୁମ ହୋଇ ଆମ୍ବ ଫଳିଛି. ସେହି ଖୁସିରେ ଆମ୍ବ ସହ ମିଠା ନେଇଆସିଛି. ହମା ହମା ରଡି ଶୁଭୁଥିଲା ଗୁହାଳରୁ. ରାମୁ କହୁଥିଲା ମାଆ ଆକ୍ୱାରିଅମର ମାଛମାନଙ୍କ ପାଣି ବଦଳେଇ ଦେଉଛି. ତଥାପି କୋଉ ଶୁନ୍ୟତାର ଚିନ୍ତାରେ କେଜାଣି ଛଟପଟ ହେଉଥିବା ରୁବିଙ୍କ ପାଖରେ ପହଞ୍ଚିଥିଲା ପୌରୁଷ, ଶୁଆ ଶାରୀ, ସାହିତ୍ୟ ଚର୍ଚ୍ଚା ସହିତ ଅପୂର୍ବା ଓ ବର୍ତ୍ତିକା ବହି ଖଣ୍ଡେ ଖଣ୍ଡେ. ତାଙ୍କ ଲେଖା ସବୁ ପଢି ଶୁନ୍ୟତା ଘେରି ଯାଉଥିଲା ବେଳେ ବାପା ଯେମିତି କହୁଥିଲେ ଏହି ଶୂନ୍ୟରେ ମୁଁ ଅଛି ମାଆ. ତୋ ପାଖେ ପାଖେ. ଛାଇ ହୋଇ. ଶୀଘ୍ର ଶୀଘ୍ର ସଞ୍ଜ ବତୀ ନେଇ ଉପରେ ଥିବା ତୁଳସୀ ଚଉରା ମୂଳେ କଣ ଗୁଣୁଗୁଣୁ ହେଉଥିଲେ କେଜାଣି ରୁବି. ସ୍ୱାମୀ ଚାହିଁ ରହିଥିଲେ ଏକା ଲୟରେ.ରୋଗ ଟା ନିଶ୍ଚୟ ଶଶୁର ଙ୍କ ପାଖରୁ ଆସିଛି ରୁବିଙ୍କ ପାଖରୁ ଭାବୁଥିଲେ ବୋଧହୁଏ ସ୍ୱାମୀ.ରୁବି ସେଦିନ ତାଙ୍କ ପାଖକୁ ଆସିଥିବା ବହିଗୁଡିକ ସହ ନାତୁଣୀର କାର୍ଡଟିକୁ ଧରି ଶୋଇଯାଇଥିଲେ ତ ସ୍ୱାମୀ ଭାବୁଥିଲେ ଡାକି ସବୁ ଜିନିଷ କାଢିବାକୁ କହିବେ କି ନାହିଁ.
