Lipi Sahoo

Comedy

4.7  

Lipi Sahoo

Comedy

ଜାତକ ମେଳକ

ଜାତକ ମେଳକ

7 mins
420


"ହାଟ ମଝିରେ ବ୍ରହ୍ମଜ୍ଞାନ" ଦେବା ଭଳି ମୋବାଇଲ ଟା ହଠାତ୍ ବାଜିଉଠିଲା । ଦେଖୁନ ! ରିଙ୍ଗଟୋନ କ'ଣ ବାଜୁଚି ? ଜାନୁ ତମେ ଚମକୁଚ । ଏଇ ବୁଢା ବୟସରେ ଏଇ ରିଙ୍ଗଟୋନ୍ ଶୁଣି ଲୋକେ କ'ଣ ଭାବିବେ ? ରଙ୍ଗିଲା ବୁଢାଟେ ଏବେ ବି ରସିକତା ଭରି ରହିଛି । ସବୁ ସେଇ ନାତିଆ ଟୋକା ଫାପୁଆର କରାମତି ପରିବା ବ୍ୟାଗକୁ ରାସ୍ତାକଡରେ ରଖି ମୋବାଇଲ ଉଠେଇବା ପାଇଁ ପକେଟରେ ହାତ ପୁରଉ ପୁରଉ ବ୍ୟାଗଟା ଢଳିବାକୁ ଲାଗିଲା । ଭାଗ୍ୟ ଭଲ ପାଖରେ ଠିଆ ହେଇଥିବା ଗୋଟେ ଛଇଲାଟ ଟୋକା ବ୍ୟାଗଟା ଧରି ପକେଇଲା ନ ହେଲେ ସବୁ ଆଳୁ ପିଆଜ ଟମାଟୋ ରାସ୍ତା ଉପରେ ବାଗୁଡ଼ି ଖେଳିବା ଆରମ୍ଭ କରିଦେଇ ଥାଆନ୍ତେ । ସେ ସବୁକୁ ରାସ୍ତାରେ ଗୋଡେଇ ଗୋଡେଇ ଆୟତ କରୁ କରୁ ପିଞରାହାଡ ବଙ୍କା ହେଇ ଯାଇଥାଆନ୍ତା । ଯାହା ହେଉ ଟୋକାଟା ବଞ୍ଚେଇ ଦେଲା । ତାକୁ ହସି ଧନ୍ୟବାଦ ଜଣେଇବାକୁ ଗଲାବେଳେ ପୁଣି ବାଜି ଉଠିଲା , ଜାନୁ ତମେ । ଟୋକାଟା ଟିକେ ତିରଚ୍ଛା ହସ ମାରି ଚାଲିଗଲା । ବିରକ୍ତ ହେଇ ଧଡିବାବୁ ମୋବାଇଲ ଉଠେଇଲେ । ସେପଟୁ ରଙ୍କବାବୁ କହିଲେ , ହ୍ୟାଲୋ ଧଡିବାବୁ ଆଉ କିଛି କହିଲେନି ଯେ ତିନିଦିନ ହେଇଗଲା । ଏପଟୁ ରଙ୍କବାବୁ ଖଣ୍ଡି ହସ ଦେଇ କହିଲେ ନାଇ ନାଇ ସେମିତି କିଛି କଥା ନାଇ ଯେ ଘରେ ମୋ ମା ଅଛି । ସେ ପୁରୁଣାକାଳିଆ ଲୋକ , କହିଲା ସଂକ୍ରାନ୍ତି ପୁଣି ମାସନ୍ତ ଅଛି ଶୁଭ କାମ କଣ ହୁଏ ? ତୁ ଦୁଇଦିନ ରହିଯା । ସେଇଥି ପାଇଁ ଆଉ ଦେଖେଇ ପାରିନି । କାଲି ଯିବି ଜ୍ଯୋତିଷ ପାଖକୁ । ଆପଣ ବ୍ୟସ୍ତ ହୁଅନ୍ତୁନି । କାଲି ସଂନ୍ଧ୍ଯାରେ ମୁଁ ଖବର ଦେବି । ମୁଁ ଆଜ୍ଞା ଜାତକ ଫାତକ ବିଶ୍ବାସ କରେନି । ମୋ ସ୍ତ୍ରୀ ଆଉ ମା ଜିଗର ଧରିଛନ୍ତି ବୋଲି ଦେଖେଇବା କଥା । ଆପଣ ତ ଜାଣିଥିବେ ସେମାନଙ୍କ କଥା ନମାନିଲେ ଦାନାପାଣି ବନ୍ଦ ହେଇଯିବ । ଶାଶୁବୋହୂ ଏକାଠି ହେଇଗଲେ , ତାଙ୍କ କଥାରୁ ଓହରି ଯିବାର ଆଉ ଜୁ ନାହିଁ । ହଉ ! ମୁଁ କାଲି ଖବର ଦେବି ରଖୁଛି ।

        ଘରେ ପହଞ୍ଚି ରଙ୍କବାବୁ ଗିଲାସେ ଥଣ୍ଡାପାଣି ପିଇଗଲେ ମାଁ ଆସି ପରିବା ବ୍ୟାଗଟା ନେଇ ସେ ସବୁ ସଜାଡି ରଖିବାକୁ ବସିଲେ । ରଙ୍କବାବୁ ମାଁଙ୍କୁ କହିଲେ , ହାଟରେ ଥିଲି ଧଡିବାବୁ ଫୋନ୍ କରିଥିଲେ । ତିନିଦିନ ହେଲା କିଛି ଖବର ନଦେଇ ଥିବାରୁ ସେ ବ୍ୟସ୍ତ ହୋଉଥିଲେ । ତମେମାନେ ସେଇ ଜାତକ ଚକ୍କର ରେ ପଡିଚ ବୋଲି ଅଯଥା ବିଳମ୍ବ ହେଉଛି ଯାହା । ଭଲଘର ଭଲପିଲା କ'ଣ ସହଜରେ ମିଳେ ? ହଁ ମାରି ହେଉନି କି ନା କରି ହେଉନି ।

       ଉଁ ମୋ ନାତୁଣୀ କୋଉ କମ୍ କି ? ତାକୁ ରାଜକୁମାର ମିଳିବେ । ତରତର ହେଇ ଜାତକ ନ ଦେଖେଇ କିଏ ବାହାଘର କରେ । ଆଗକୁ କିଛି ଭଲମନ୍ଦ ହେଲେ କିଏ ପିଠିରେ ପଡିବ ? ମୋର ଗୋଟିଏ ବୋଲି ନାତୁଣୀ ସବୁ ସୁଝାସୁଝି କରି ବାହାଘର କରିବି ନା। ତୁ କାଇଁକି ନଈ ନ ଦେଖୁଣୁ ଲଙ୍ଗଳା ହେଇ ଯାଉଚୁ କି ? ଛଅ ନା ନଅ ଗୋଟିଏ ବୋଲି ଝିଅ । କାଲି ତ ଜାତକ ଦେଖେଇବୁ ଭଲମନ୍ଦ ସବୁ ଜଣା ପଡିଯିବନି ।ଚଇନି ରୋଷେଇ ଘରୁ ହଲିହଲି ବାହାରି ଆସି ଶାଶୁଙ୍କୁ ପଚାରିଲେ କାହା ଭଲମନ୍ଦ କଥା କହୁଚ ମାଁ ? ଏଇ ତୋରି ଝିଅ କଥା । ପୁଅବାଲା ଆଜି ରଙ୍କକୁ ଫୁନୁ କରିଥିଲେ ତ ସେଇ କଥା କହୁଥିଲା । ସେମାନେ ଦେଖି ଆସିବେ ବୋଲି ତରତର ହେଉଛନ୍ତି ।

           ଜାତକଟା ସୁଝୁ ତା ପରେ ସିନା ଦେଖି ଆସିବେ । କାଲି ତ ଜଣା ପଡିଯିବ ସବୁ । 

ରଙ୍କବାବୁ ଚଇନିଙ୍କ ମୁହଁରୁ କଥା ଛଡେଇ ନେଇ କହିଲେ ତମେମାନେ ବୁଝୁନ , ଯଦି ଜାତକ ନପଡିଲା ତେବେ ? ଏତେ ଭଲ ପ୍ରସ୍ତାବ କ'ଣ ସହଜେ ମିଳେ ? ଆଜିକାଲି କିଏ ଆଉ ସେ ପୁରୁଣା କାଳିଆ ଯୁଗ ଭଳି ଜାତକ ସୁଝଉଚି ? ମାନଧାତା ଅମଳର ବିଚାର ୟେ ସବୁ । ଭଲ ସୁଯୋଗଟା ଯଦି ହାତଛଡା ହେଇଯିବ ? ରୋହିତ ଦୌଡି ଆସି କହିଲା ଜେଜେ ଜେଜେ ତମ ମୋବାଇଲ ଟା ଦେଲ ! ମୁଁ ଗେମ୍ ଖେଳିବି ।

ରହ ଟୋକା ତୋତେ ଦୁଇଟା ଦଉଚି ଆଜି । ମୋ ରିଂଟୋନ୍ କାଇଁ ବଦଳେଇଚୁ । ଆଜି ହାଟରେ କେତେ ଅପଦସ୍ତ ହେଲି ତୋରି ପାଇଁ । କି ଗୀତ ଦେଇଚୁ ତୁ ? ସବୁ ଲୋକ ବୁଲି ଅନେଇଲେ । 

         କାଇଁ ପିଲାଟାକୁ ରାଗୁଚ କହିଲ । ତୁ ଚାଲିଲୁ ଆମର ଭାତ ଖାଇବୁ କହି ଚଇନି ତାକୁ ନେଇ ଚାଲିଗଲେ । ପରଦିନ ସକାଳେ ରତନି ଆଉ ରଙ୍କବାବୁ ପୁଅ ଝିଅଙ୍କ ଜାତକ ନେଇ ଜ୍ୟୋତିଷ ଗୋଖିଆ ପଣ୍ଡିତ ପାଖକୁ ଗଲେ । କ'ଣ ସବୁ  ସିଲଟରେ ଗାରମାର ଟାଣି ହିସାବ କଲା । ସେ ଦୁହେଁ ବୋକା ଭଳିଆ ବଲ ବଲ କରି ଅନେଇ ଥାଆନ୍ତି ତାକୁ । ରଙ୍କବାବୁଙ୍କ ଗୋଖିଆ ଉପରେ ଯମା ବିଶ୍ବାସ ନଥିଲା । ହେଲେ ଉପାୟ କିଛି ନାହିଁ । ଚଇନି ବହୁତ ବୁଝାବୁଝି କରି ଜାଣିଲେ ଏଇ ଖଣ୍ଡମଣ୍ଡଳରେ ଗୋଖିଆ ପଣ୍ଡିତର ବହୁତ ନାଁ ଡାକ ଅଛି । ସେ ଯାହା କହିବ ସେଇଟା ବେଦର ଗାର । ବାର ବାର ତା'ର ଅଶିଆ କାଳର ମଶିଆ ଚଷମା ନାକ ତଳକୁ ଗଳି ପଡୁଥାଏ ସେ ପୁଣି ଟେକି ଦେଉଥାଏ । ମଝିରେ ମଝିରେ ପାନଖିଆ ପାଟିକୁ ଗାଈ ପରି ଚାକୁଳେଇ ଦେଉଥାଏ । ଅଧଘଣ୍ଟେ ଚାଲିଗଲା ଏମିତି ତା'ର ଅଙ୍ଗପ୍ରତ୍ୟଙ୍ଗ ଚାଳନାରେ । 

           ଶେଷରେ ମୁହଁ ଖୋଲିଲା ଗୋଖିଆ । ଝିଅ ଜାତକରେ ରିଷ୍ଟ ଅଛି । ଝିଅ ପାଇଁ କଷ୍ଟ ଦେଖଉଚି । ପିଲା ଭଲ ଘର ବି ଭଲ । ହେଲେ ଝିଅର ଭୋଗ ବାକି ଅଛି ସେଇଥି ପାଇଁ ସେ ଟିକେ କଷ୍ଟ ଭୋଗିବ । ଆଉ ଆପଣ ବି ଏଇଠି ହିଁ ବାହାଘର କରିବାକୁ ବାଧ୍ୟ ହେବେ । ଏଇ ଝିଅର ବର ଏଇ ପୁଅ ସେ ଉପରୁ ଲେଖେଇ କି ଆଣିଚି । ୟେ ବାହାଘର ଅଟକିବ ନାହିଁ । ହେଲେ ଝିଅର କଷ୍ଟ ଭୋଗ ଦେଖଉଚି । ସିଧା ସିଧା ବାହାଘର ହବନି । ଏତିକି ଶୁଣି ଚଇନିଙ୍କ ହାଲକ ଶୁଖିଗଲା । ପଚାରିଲେ କିଛି ଉପାୟ ଅଛି ପଣ୍ଡିତେ ? ପୂଜାପାଠ କରେଇଲେ ରିଷ୍ଟ କଟି ଯିବ କି ? ନା ନା ଏଇଟା ପ୍ରାରବ୍ଧ ଭୋଗ । ତାକୁ କାଟିବ କିଏ ? ଠାକୁରଙ୍କୁ ଡାକନ୍ତୁ ସେ ଯଦି କିଛି କରିବେ । ରଙ୍କବାବୁଙ୍କର ସେଠି ଆଉ ବସିବାକୁ ତିଳେମାତ୍ର ଇଚ୍ଛା ନଥିଲା । କେତେ ଦେବି ପଣ୍ଡିତେ ? ମନେ ମନେ ଭାବୁଥିଲେ ଇୟେ ଏଇନେ ହଜାରେ କି ଦେଢ ହଜାରେ ଝଡେଇ ନେବ । ଯାହା ତୁମର ଇଚ୍ଛା ଦିଅ । ମୋର ସେମିତି କିଛି ଫିସ୍ ନାହିଁ । ରଙ୍କବାବୁ ଶୁଣି ଆଶ୍ଚର୍ଯ୍ଯ ହେଲେ ଆଉ ପକେଟ୍ ରୁ ଦୁଇଶହ ଟଙ୍କା କାଢି ଟେବୁଲ ଉପରେ ରଖିଦେଲେ । ଘରେ ଆସି ରଙ୍କବାବୁ ମାଁକୁ ସବୁକଥା ଶୁଣେଇଲେ । ବୁଢୀ ମୁଣ୍ଡରେ ହାତଦେଲେ । ଏବେ କ'ଣ କରିବି ? ମୋ ନାତୁଣୀ ଭାଗ୍ୟରେ ୟେତେ କଥା ଲେଖା ଅଛି ।

        ମାଁ ୟେ ସବୁ ଫାଲତୁ କଥା । ତମେମାନେ ବିଶ୍ବାସ କରି ଧାଉଁଚ ବୋଲି ସେମାନେ ମିଛସତ କହି ପଇସା ଲୁଟୁଛନ୍ତି । କାଇଁ ମୁଁ ଯଦି ଆଉ ଗୋଟେ ଜାଗାରେ ବାହାଘର ଠିକ୍ କରେ ସେ ପଣ୍ଡିତ କ'ଣ ଅଟକେଇ ଦେବ ? କହିଲା କ'ଣ ନା ୟେ ତା'ର ବର ! ତୁ କେମିତି ଜାଣିଲୁ ? ସବୁ ମିଛ କଥା । ମୁଁ ତ ଏଇଠି ଆଉ ବାହାଘର କରିବିନି ଯମା । ଯୋଉଠି ମୋ ଝିଅ କଷ୍ଟ ପାଇବ । ଆଉ ଭଲ ପ୍ରସ୍ତାବ ଦେଖି କରିବା । ସେ ଫୋନ୍ କଲେ ମୁଁ ମନା କରିଦେବି ସିଧା ସିଧା। ଜାତକ ପଡିଲାନି ବୋଲି କହିଦେବି ।                 

        ତା ପରଠାରୁ ରଙ୍କବାବୁ ଅନ୍ୟ ଭଲ ପ୍ରସ୍ତାବ ଖୋଜିବାକୁ ଲାଗିଲେ । ଆଉ ମିଳିଗଲା ବି । ଏଥର ରଙ୍କବାବୁ ଚଇନି ଆଉ ମାଁକୁ ଶୁଣେଇ ଦେଲେ କେହି ଜାତକ କଥା ଉଠେଇବ ନାହିଁ । ମୋର ସେ ସବୁ ଫାଲତୁ କଥା ଶୁଣିବାର ନାହିଁ । ସିଧା ବାହାଘର ହେବ । ସତ କୁ ସତ ଦେଖା ସାକ୍ଷାତ ହେଇଗଲା । ବାହାଘର ତିଥି ବି ଠିକ୍ ହେଇଗଲା । ରଙ୍କବାବୁ ବେଶ୍ ଖୁସିଥିଲେ । ଜ୍ଯୋତିଷ କୁ ଭୂଲ ପ୍ରମାଣିତ କରି ଦେଇଥିବାରୁ । ଏମାନଙ୍କର ଖାଲି ଲୋକଙ୍କୁ ଡରେଇ ମୋଟା ଅଙ୍କର ଟଙ୍କା ହଡପିବା ଉଦ୍ଦେଶ୍ଯ । ସମସ୍ତେ ପଛକଥାକୁ ଭୁଲି ବିବାହର ଆୟୋଜନରେ ଲାଗି ପଡିଲେ ।

          ବିବାହ ଦିନ ବି ଆସି ପହଞ୍ଚିଗଲା । ବରଯାତ୍ରୀ ରାତିରେ ବାଜାରୋଷଣି କରି ମଣ୍ଡପରେ ପହଞ୍ଚିଲେ । ରଙ୍କବାବୁ ମନଖୋଲି ଖର୍ଚ୍ଚ କରିଥିଲେ । ଗୋଟିଏ ବୋଲି ଝିଅ ନା । ସମସ୍ତେ ପ୍ରଶଂସାରେ ପୋତି ପକଉଥିଲେ ଆୟୋଜନର ଆଡମ୍ବର ଦେଖି । ବର କନିଆ ଆସି ବେଦିରେ ବସିଲେ । ଠିକ୍ ଏଇ ସମୟରେ ଗୋଟିଏ ନହ ନହକା ଝିଅଟିଏ ଆଣ୍ଠୁ ଉପରକୁ ପଡୁଥିବା ଫ୍ରକ୍ ଟିଏ ପିନ୍ଧି ସାପ ଭଳି ହଲ ହଲ ହେଇ ଚାଲିଆସି କହିଲା , ୟେ ବାହାଘର ବନ୍ଦ କର ସିନେମା ଷ୍ଟାଇଲ୍ ରେ । ସତେକି ଆକାଶ ଛିଡି ପଡିଲା । ଚାରିଆଡେ ନିରବତା ଛାଇଗଲା ।

           ଇୟେ ମୋ ସ୍ବାମୀ । ୟାଙ୍କ ସହ ମୋ ବାହାଘର ହେଇ ସାରିଚି । ଏଇ ଦେଖ କୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ । କାହାର ଆଉ କିଛି ଡାଉଟ୍ ରହିଲା ? କନିଆ ବେଦୀ ରୁ ଉଠି ଧାଇଁଲା ତା ରୁମ୍ କୁ । ଆଖି ପିଛୁଳାକେ କ'ଣ ସବୁ ହେଇଗଲା କେତେ ସ୍ବପ୍ନ ଦେଖିଥିଲେ ରଙ୍କବାବୁ ସବୁ ଚୂରମାର ହେଇଗଲା ମୋର ମଙ୍ଗୁଳା ଝିଅକୁ ନେଇ କ'ଣ କରିବି ଏବେ ? କିଏ ବାହା ହେବ ତାକୁ ? ବର ଉଠିକି ଚାଲିଗଲା , ବରଯାତ୍ରୀ ବି । ରଙ୍କବାବୁଙ୍କ ମନେ ପଡିଲା ଗୋଖିଆ ପଣ୍ଡିତ କଥା । ତା ହେଲେ ସେ କ'ଣ ସତ କହୁଥିଲା ? ମୋ ଝିଅର ବର କ'ଣ ତା ହେଲେ ଧଡିବାବୁଙ୍କ ପୁଅ ? ଏବେ କୋଉ ମୁହଁରେ ତାଙ୍କ ପାଖକୁ ଯିବି । ସଫାସଫା ତ ମୁଁ ତାଙ୍କୁ ମନା କରି ଦେଇଥିଲି । ଚଇନି ଛାତି ପିଟି କାନ୍ଦି ଚାଲି ଥାଆନ୍ତି । ରଙ୍କବାବୁଙ୍କ ମୁଣ୍ଡ ଘୂରେଇ ପକେଇଲା ସେ ଲଥକିନା ବସି ପଡିଲେ ତଳେ । 

                  ହଠାତ ତାଙ୍କ କାନ୍ଧରେ କିଏ ହାତ ପକେଇଲା । ମୁହଁ ଉଠେଇ ଦେଖିଲେ ତାଙ୍କ ପୁତୁରା ଡଙ୍କ । ବଡବାପା ଇୟେ ମୋର ସାଙ୍ଗ , ତାକୁ ଡାକିଥିଲି ବିବାହରେ ଯୋଗ ଦେବାକୁ । ଏମିତି ଅଘଟଣ ଘଟିଯିବ ବୋଲି କିଏ ଜାଣିଥିଲା ? କନିଆକୁ ଦେଖି କହିଲା ଆରେ ! ୟା ସାଙ୍ଗରେ ମୋର ପ୍ରସ୍ତାବ ପଡିଥିଲା । ମୁଁ ଫଟୋ ଦେଖିଥିଲି । କ'ଣ ଜାତକ ପାଇଁ କଥା ଆଗେଇ ନଥିଲା । ସେ କିନ୍ତୁ ଏବେ ବିବାହ କରିବାକୁ ପ୍ରସ୍ତୁତ ଅଛି । ଭଲ ଚାକିରୀ କରେ ଭଲ ଦରମା । ଆଉ ସବୁଠୁ ବଡ କଥା ହେଲା ସେ ବହୁତ ଭଲ ପିଲା । ମୁ ତାର ଗ୍ୟାରେଣ୍ଟି ଦେଉଚି । ଆପଣ ରାଜି ହେଲେ ବାହାଘର ହବ । 

           ହେଲେ ତାଙ୍କ ବାପା ମା ସେମାନେ କ'ଣ ରାଜି ହେବେ ? ରଙ୍କବାବୁ ଙ୍କ ମନରେ ଜାଗି ଉଠିଲା ଚେନାଏ ଆଶାର ଆଲୋକ । ସେ ଡକେଇବ ତା'ର ବାପା ମାଙ୍କୁ ଯଦି ଆପଣ ହଁ ମାରିବେ । ଖାଲି କ'ଣ ରଙ୍କବାବୁ ସମସ୍ତେ ଆସି ଘେରିଗଲେ ପିଲାକୁ । ଜଲଦି ଡକାଅ ତମ ବାପା ମାଙ୍କୁ । 

ସତକୁ ସତ ଆସି ପହଞ୍ଚିଗଲେ ଧଡିବାବୁ ଆଉ ତାଙ୍କ ପତ୍ନୀ ଫୁଲକି । ପୁଣି ବିବାହ କାର୍ଯ୍ଯ ଆରମ୍ଭ ହେଲା । ଖେଳିଗଲା ଖୁସିର ଲହରୀ । ହେଲେ ରଙ୍କବାବୁଙ୍କ ଆଖିରେ ନାଚୁଥିଲା ଗୋଖିଆ ପଣ୍ଡିତର ଛବି । ଯାହା କହିଥିଲା ଷୋଳଅଣା ସତ । ଜ୍ୟୋତିଷ ଶାସ୍ତ୍ର ସତରେ ଅତୀତ ଭବିଷ୍ୟତ କହିପାରେ । କିଛି ଭଣ୍ଡ ୟାକୁ କଳୁଷିତ କରି ପକେଇଛନ୍ତି । ଅଗାଧ ବିଶ୍ବାସ ଆସିଗଲା ତାଙ୍କର ତା ଉପରେ ସେଇ ମୁହୂର୍ତ୍ତରୁ ।                   


Rate this content
Log in

Similar oriya story from Comedy