ଈଶ୍ବରଙ୍କ ସହ ବାର୍ତ୍ତାଳାପ
ଈଶ୍ବରଙ୍କ ସହ ବାର୍ତ୍ତାଳାପ
ସ୍ଵପ୍ନ ଦେଖିବା ଶୃତିର ନିୟମିତ ଅଭ୍ୟାସ । ସବୁଦିନ ରାତିରେ ସ୍ଵପ୍ନ ଦେଖି ବାଉଳି ଚାଉଳି ହୁଏ । ଗଡ଼ର ଗଡ଼ର ହେଇ କଣ ସବୁ କହିଯାଏ, ତାପରେ ପୁଣି ଶୋଇ ପଡେ । କେବେ କେବେ ସ୍ଵପ୍ନ ସକାଳୁ ମନେ ଥାଏ ତ କେବେ ଭୁଲି ଯାଇଥାଏ ।
ବାପା ବୋଉ ଏକଥା ଜାଣନ୍ତି ବୋଲି ନହେଲେ ଆଉ ଯେ କେହି ରାତିରେ ଦେଖିବ ଡରିଯିବ । କେବେ ଝାନସୀ ରାଣୀ ହେଇ ଇଂରେଜ ସହ ଲଢେଇ କରେ, କେବେ ମୀରା ଭଜନ ଗାଏ । ବାଘ ଭାଲୁ ସାପ ସ୍ଵପ୍ନ ଠାରୁ ନିଜେ କ୍ରିସ୍ ଶକ୍ତିମାନ୍ ହେବା ସବୁ ସ୍ଵପ୍ନରେ ଚାଲେ ।
ଶୀତ ରାତି । ମାଘ ମାସର ବାଘ ପରି ଶୀତରେ ସ୍ଵପ୍ନ ଦେଖି ଦେହରୁ କମ୍ବଳ କାଢି ଦେଇଛି । ଜୟ ମା ମଙ୍ଗଳା ଧ୍ଵନି କରି ବିଛଣାରେ ବସିଥାଏ । ବୋଉ ହଲେଇ ଦେଇ ପୁଣି ଶୁଆଇ ଦେଲା । ଦେହଟା ହେମାଳ ହେଇଗଲାଣି କହି ଭଲ ଭାବରେ ଘୋଡେଇ ଦେଲା । ପିଲାଟାର ସ୍ଵପ୍ନ ଦୋଷ ଯୋଗୁଁ ନା ନିଜେ ଶୋଉଚି ନା ଶୁଆଇ ଦେଉଚି ।
ସକାଳୁ ବାପା ବୋଉ ଙ୍କୁ ଚିନ୍ତାରେ ଦେଖି ଶୃତି ଭାରି ବ୍ୟସ୍ତ ଅନୁଭବ କଲା । ପିଲାଦିନେ କେତେ ହୋମିଓପ୍ୟାଥିକ ଔଷଧ ଏଥିପାଇଁ ଖାଇଛି । ବୋଉ ବି ବହୁତ ମାନସିକ କରିଛି ଏବେ ବି କରୁଛି । କେତେ ଡକ୍ଟର ଙ୍କ ପରାମର୍ଶ ନିଆଯାଇଛି । ସାଇକାଟିଷ୍ଟ୍ ଙ୍କୁ ବି ଦେଖା ହେଇଛି । ହେଲେ ଫଳ ଶୂନ ।
ପିଲାଦିନ କଥା ଅଲଗା ଥିଲା । ଏବେ ସେ ବାଇଶି ବର୍ଷର ଯୁବତୀ । ବାପା ବୋଉ ଙ୍କ ଟେନସନ୍ ବଢି ଚାଲିଛି । ଆଉ ଅତି ବେଶୀ ହେଲେ ଦୁଇ ତିନି ବର୍ଷ ପରେ ବାହାଘର ହେବ । ଏ ବିଚିତ୍ର ସ୍ଵପ୍ନ ଦୋଷ ପାଇଁ ପାରିବାରିକ ସୁଖ କାଳେ ନଷ୍ଟ ହେବ । ଶୃତି ବି ଦିନେ ଦିନେ ଉଜାଗର ରୁହେ । କିନ୍ତୁ ଭୋଅର ରୁ ଆଖି ଲାଗିଥିବ କି ନାହିଁ ସ୍ଵପ୍ନ ଦେଖିବ ।
ଡକ୍ଟର କହୁଛନ୍ତି ସବ୍ କନସିୟସ୍ ମାଇଣ୍ଡ୍ ରେ ଯାହା ଥାଏ ତାହା ସ୍ଵପ୍ନ ଭାବେ ପ୍ରତିଫଳିତ ହୁଏ । ତେଣୁ ଟିଭି ଦେଖିବା ଇଆଡୁ ସିଆଡୁ କିଛି ନ ଭାବି ସବୁବେଳେ ପଢାରେ କନସେଣ୍ଟ୍ରେଟ୍ କରେ । ବୋଉ ପୂଜା ପୂଜି ବେଶୀ କରେ ତ ଶୃତି ମଧ୍ୟ ଈଶ୍ବରଙ୍କ ଆଡେ ମନନିବେଶ କଲା ।
ଅନେକ ଦିନ ହେଲାଣି ବିଭିନ୍ନ ଆଧ୍ୟାତ୍ମିକ ବହି ପଡ଼ିଲାଣି ଶୃତି । ଫରକ୍ ବି ଅନୁଭବ ହେଉଛି । ଆଗ ଭଳି ଏତେ ବିଚିତ୍ର କି ଏତେ ପରିମାଣର ସ୍ଵପ୍ନ ଦେଖୁନି । ତେଣୁ ସେ ଆଧ୍ୟାତ୍ମିକତା ଆଡକୁ ମନ ଦେଲା ।
ମା ଶୃତି । ଆଶ୍ଚର୍ଯ୍ୟ ହୋଇ ଚାହିଁଲା । ସାମନାରେ ଦେବକୀ ନନ୍ଦନ ଯଶୋଦାର ଧନ ରାଧିକା ପ୍ରାଣ ରୁକ୍ମିଣୀ ନାଥ ସ୍ଵୟଂ ଶ୍ରୀକୃଷ୍ଣ । ଅପରୂପ ଛବି । ମନମୋହକ ହସ । ପ୍ରଣିପାତ କଲା ଶୃତି । ମୁରୁକି ହସି ଈଶ୍ବର କହିଲେ, ତୁମ ଅନ୍ତରରେ ମୋର ବାସ । ପ୍ରତ୍ୟେକ ଜୀବରେ ଜଡରେ ମୋର ସ୍ଥିତି । କରି କରାଉ ଥାଏ ମୁହିଁ ।
ଶୃତି ପଚାରିଲା, ହେ ମାଧବ ଜୀବନ କଣ ?
ଈଶ୍ୱର : ଜୀବନ ହେଉଛି ହସ ଲୁହ ର ଫେଣ୍ଟାଫେଣ୍ଟି । ଯିଏ ବୁଝିଚି ସେ ସୁଖୀ ।
ଶୃତି : ମୃତ୍ୟୁ ?
ଈଶ୍ୱର : ଚିରନ୍ତନ ସତ୍ୟ । ମନୁଷ୍ୟ ଜାଣି ବି ଅବୁଝା ।
ଶୃତି : ପିତା ?
ଈଶ୍ୱର : ଆକାଶ । କେବେ ଡହ ଡହ ଖରା ତ କେବେ ବର୍ଷା, କେବେ ଶୀତୁଆ ସକାଳ ତ କେବେ ବସନ୍ତ ମଳୟ ।
ଶୃତି : ମାତା ?
ଈଶ୍ୱର : ବସୁନ୍ଧରା । ସର୍ବଂସହା ।
ଶୃତି : ମୁଁ ?
ଈଶ୍ୱର : ମୁଁ ସବୁ ଆରମ୍ଭ ପୁଣି ସବୁ ଶେଷ । ତା ଭିତରେ ସମୟର ଗତି ।
ଶୃତି : ଈଶ୍ୱର ?
ଈଶ୍ୱର : ପ୍ରତି କୋଣ ପ୍ରତି କ୍ଷଣ । ଆତ୍ମୀୟତାରେ ଈଶ୍ୱର, ଘୃଣା ଭାବରେ ଅସୁର ।
ଶୃତି : ସ୍ଵପ୍ନ ?
ଈଶ୍ୱର : ଖୋଲା ଆଖିରେ ପୂର୍ଣ୍ଣ କରାଯାଏ । ନିଦରେ ଅର୍ଧସତ୍ୟ ଦେଖାଦିଏ ।
ଶୃତି : ବ୍ୟାଧି ?
ଈଶ୍ୱର : ମନର ବିକାର ଶରୀରକୁ ଆକ୍ରମଣ କରେ ।
ନିଦ ଭାଙ୍ଗିଗଲା ଶୃତିର । ମୁଣ୍ଡ ପାଖରେ ବାପା ବସିଛନ୍ତି । ବୋଉ ପାଦ ଘସି ଦେଉଛି । ଶୃତି ଉଭୟଙ୍କୁ ଟିକେ ଚାହିଁ ପୁଣି ଶୋଇ ପଡିଲା । ତାର ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଗଲା ।
ସ୍ଵପ୍ନ ଦେଖିବାକୁ ଈଶ୍ବରଙ୍କ ସହ ବାର୍ତ୍ତାଳାପ କରିବାର ଇଚ୍ଛା ଆଉ ଏବେ ପୂରଣ ହୋଇ ପାରୁନି । ଏବେ ସେ ସ୍ଵପ୍ନ ଦେଖୁନି ।