ଈଶ୍ବରଙ୍କ ଇସାରା
ଈଶ୍ବରଙ୍କ ଇସାରା
ଅୟମାରମ୍ଭ ହୋଇଥିଲା ଗୋଟିଏ ପାର୍ବଣ ସମୟ ।ଘରେ ଘରେ ଭରି ଯାଇଥିଲା ହାସ୍ୟକଲ୍ଲୋଳ । କେତେ କେତେ ଆନନ୍ଦରେ ପୂରି ଯାଇଥିଲା ପରିବେଶ । ରଂଗ ବେରଂଗର ପୋଷାକରେ ସଜେଇ ହୋଇ ଘରେ ସମସ୍ତେ ଏକାଠି ସ୍ବାଗତ କରିଥିଲେ ବିଘ୍ନେଶ୍ବରଙ୍କୁ ।
ହଁ । ସେଇ ବିଘ୍ନହର୍ତାଙ୍କ ଆଗମନ ହୋଇଥାଏ ସେତେବେଳେ । ଭାଦ୍ରବର ଚତୁର୍ଥୀ ତିଥିର ମଜା ହିଁ ନିଆରା । ମିଠା ପିଠା, ଫଳ ଫୁଲ ଆଦି ସାରଞ୍ଜମରେ ମହ ମହ ବାସି ଉଠୁଥାଏ ଘର । ହେଲେ ତଥାପି ଆସି ନଥିଲେ ବାପା । ଫୋନ୍ କରା ଜଣାଗଲା ଯେ ସେ ଫସିଛନ୍ତି ଗୋଟିଏ ବଡ କାମରେ । ଆସୁ ଆସୁ ଡେରି ହେବ । ପୂଜା ଆରମ୍ଭ କରାଯାଉ ।
ଇଚ୍ଛା ଥିଲା ସମସ୍ତେ ମିଶି କରିବୁ ହେଲେ ମୂହୁର୍ତ୍ତ କେବେ ଅଟକି ରହେନି ବୋଲି ପୂଜା ଆରମ୍ଭ ହୋଇଯାଏ। ଘଣ୍ଟ, ଶଙ୍ଖ ନାଦରେ ବାରମ୍ବାର ଈଶ୍ବରଙ୍କ ନାମ ଉଚ୍ଚାରଣ କଦିଚାରିଦିଗ କମ୍ପନ ହୋଇ ପଡୁଥାଏ । ସେଇ ସମୟରେ ହିଁ ଘରର ଫୋନ୍ ରିଙ୍ଗ ହୋଇଛି ହେଲେ ଆମେ ସମସ୍ତଙ୍କ ଧ୍ୟାନ ଜମାରୁ ଭାଙ୍ଗିପାରେ ନାହିଁ । କେହି ଜାଣି ହିଁ ପାରିନଥାଉ ଯେ ଆମ ଫୋନ୍ କିଛି ଖବର ଧରି ଆସିଛି।
ସ୍ଥାପନା, ଆରାଧନା ସବୁ ଚାଲିଥାଏ ସୁରୁଖୁରୁରେ । ଦ୍ବାରରୁ କିଏ ଡାକିବାର ଶଦ୍ଦ ଶୁଣିବାକୁ ମିଳେ । ପୂଜାରେ ସମସ୍ତେ ବସିଥାଉ । ମୁଁ ସେଠୁ ଉଠି ଯାଇ ଦେଖେ ଜଣେ ଅଚିହ୍ନା ମଣିଷ କିନ୍ତୁ ସେଇ ବାପାଙ୍କ ବୟସର ହୋଇଥିବେ ସେ ଠିଆ ହୋଇଛନ୍ତି ।
ହାତ ଦୁଇଟି ଯୋଡି ଦେଇ ପଚାରେ- ଆପଣ ?
ସେ ନମସ୍କାର ସ୍ବୀକାର କରି କହନ୍ତି- ଏଇଟା ରାଉତ ବାବୁଙ୍କ ଘର ନା ।
ହଁ । କିନ୍ତୁ ମୁଁ ଆପଣଙ୍କୁ ଜାଣି ପାରୁନି !
ମୁଁ ତାଙ୍କ ବାଲ୍ୟକାଳର ସାଙ୍ଗ ରାଜୁ । ଗାଁ ରୁ ଆସିଛି ।
ଖୁସିରେ ଡାକିନେଇ ଯାଏ ଭିତରକୁ କିନ୍ତୁ ଜାଣି ନଥାଏ କିଏ ସେ । ପୂଜା ଚାଲିଥାଏ ବୋଲି ମା ଉଠି ନ ଆସି ଦୂରରୁ ସୂକ୍ଷ୍ମ ହସଟିଏ ଫୁଟାଏ ଯାହା ମୋତେ ସ୍ପଷ୍ଟ କରିଦିଏ ସେ ଆପଣାର କେହି ବୋଲି ।
କିଛି ସମୟ ପରେ ବାପା ଆସିଯାଇଥାନ୍ତି । ପୂଜା ଶେଷ ହୋଇଯାଏ । ବାପାଙ୍କୁ ଯାଇ ବୁଝିନିଏ ଯେ ସେ ହେଉଛନ୍ତି ଆମ ପୁରୁଣା ଘରର ଦେଖହାର କରୁଥିବା ମାଧ କାକା । କିନ୍ତୁ ସେ କାହିଁକି ଆସିଥାନ୍ତି ସେଇଟା ମୋତେ ଅଜଣା ଥାଏ ।
ରାତି ପ୍ରାୟ ଗୋଟାଏ ଡେଇଁ ଯାଇଥିବ । ମୋ ନିଦଟା ଭାଙ୍ଗିଯାଏ । ବାହାରକୁ ଆସି ଦେଖେ ମଝି ରୁମରେ ବାପା ମାଧ କାକାଙ୍କ ସହ କିଛି କଥା ହେଉଛନ୍ତି । ପାଦ ଆଗକୁ ନବଢି ରହିଯାଏ । ଇଚ୍ଛା ହୁଏ କଥା ଶୁଣିବାକୁ । ମା କହେ କାହା କଥା ଶୁଣିବା ଭୁଲ୍ ହେଲେ ସେଦିନ ସେ ସବୁ ମାନିବାକୁ ମନ ନଥାଏ । ଚୁପ୍ ରହି ମୁଁ ଶୁଣିଚାଲେ ।
ପୂର୍ବର କଥା ମୋତେ ତ ଜଣା ନଥିଲା ହେଲେ ଯେତେ ଶୁଣିବାକୁ ପାଏ ସେଥି ଭିତରେ ବୁଝିଯାଏ ଯେ ଗାଁରେ ଜଣେ ନୂଆଁ ନୂଆଁ ସଂପତ୍ତିର ଅଧିକାରୀ ହୋଇ ସଭିଙ୍କୁ ଅତ୍ୟାଚାର କରୁଛି । ସରପଞ୍ଚ ପଦବୀରେ ଠିକ୍ ମଧ୍ୟ ହେବାକୁ ଚାହୁଁଛି । ତତ୍ ସହ ସେ ଖୋଲା ଖୋଲି ଭାବେ ତା ପୁଅ ପାଇଁ ମୋତେ ବୋହୂ ଆଣିବ ବୋଲି ପ୍ରଚାର ମଧ୍ୟ କରି ସାରିଛି । ଯଦି ସୁରୁଖୁରୁରେ ନ ହେବ ତେବେ କଳ ବଳ କୌଶଳ ପ୍ରୟୋଗ ମଧ୍ୟ କରାଯିବ । ହେଲେ ବାପାଙ୍କ ଗୋଟିଏ ଜିଦ୍ କେବେ ନୁହଁ । ମରିଯିବି ପଛେ ସେମିତି ହେବାକୁ ଦେବି ନାହିଁ ।
ଏତେ ବଡ ବଡ କଥା ମୋତେ ଆଉ ଶୋଇବାକୁ ଦେଲାନାହିଁ । ସକାଳୁ ଉଠି ଦେଖେ ବାପାଙ୍କ ଆଖିରେ ଠିକ୍ ସେଇ ଅନିଦ୍ରା ଓ ଭୟର ଥକାପଣ ଝଲସି ପଡୁଛି । ମୋତେ ଭୟ ଆସେ । ମୋ ପାଇଁ ବାପା ଗୋଟାଏ ରାତିରେ ଯଦି ଏତେ ଅସୁସ୍ଥ ହୋଇଗଲେ ତେବେ ଯଦି ପ୍ରକୃତରେ ସଂଗ୍ରାମ ହେବ ତେବେ ହେବ କଣ !
ବହୁତ ଦ୍ବନ୍ଦ ଭିତରେ ଗୋଳେଇ ହେଲି । ଅନେକ ଲୁହ ଏକାକୀ ବହାଇ ଚାଲିଲି । ପ୍ରଶ୍ନ ଭିତରେ ପ୍ରଶ୍ନ କରି କରି ଉତ୍ତର ବହୁତ ଖୋଜିଥାଏ । ଶେଷରେ ସ୍ଥିର କଲି ବାପାଙ୍କ ସହ କଥା ହେବି । ସେମିତି ଏକ ରାତିର ଶୂନ୍ୟତାର ଫାଇଦା ଉଠାଇ ବାପାଙ୍କ ସହ କଥା ହେଉ ହେଉ ମୁଁ ରାସ୍ତା ପାଇଯାଏ ସମାଧାନର । ମୁଁ ସ୍ଥିର କରିନିଏ ବାହା ହେବାକୁ । ବାପା ମଧ୍ୟ ଆଶ୍ଚର୍ଯ୍ୟ ହେଲେ ପ୍ରଥମେ ହେଲେ ମୋ ଉଦ୍ଦେଶ୍ୟ ଶୁଣି ମୋତେ ଆଶିଷ ଦେବା ଛଡା ଆଉ କିଛି ନଥାଏ ତାଙ୍କ ପାଖେ ।
ମୁଁ ବାହା ହୋଇ ସାରା ଗ୍ରାମବାସୀଙ୍କୁ ଉଦ୍ଧାର କରିବାକୁ ଚାହେଁ । ସେଇ ଅତ୍ୟାଚାରୀର ଅତ୍ୟାଚାରରୁ ସଭିଙ୍କୁ ମୁକ୍ତି କରେ ଶାନ୍ତିର ଧାରା ଖେଳାଇବାକୁ ଚାହେଁ । ନିଜର ବଳିଦାନରେ ମୋ ମାଟିର ସନ୍ତାନ ମାନଙ୍କ ଆଖିରେ ହସ ଚାହେଁ ।
ବିଘ୍ନେଶ୍ବରଙ୍କ ଆଶିଷ ମୋତେ ସବୁ ବିଘ୍ନ ବିନାଶ ପାଇଁ ଶକ୍ତି ଦିଏ । ମୋ ଇଚ୍ଛା ମତେ ମୁଁ ସେଇ ମରଣଯନ୍ତାକୁ ଡେଇଁ ଦିଏ ।
