ଇଏ ବି ଗୋଟେ ପ୍ରେମ
ଇଏ ବି ଗୋଟେ ପ୍ରେମ
ଶୁଣିଥିଲି ପ୍ରେମ ଯୁବା ଅବସ୍ଥାରେ ହୁଏ । ହେଲେ ପରିଣତ ବୟସରେ କି ପ୍ରେମ କିହୋ ! ପ୍ରେମ ନା ମାନସିକ ବିକୃତି?
ଆମ ଘର ପାଖରେ ଆଜ୍ଞା ଘରକୁ ଘର ପରା ଲାଗିଛି, ବୁଢ଼ାଟିଏ ରହୁଥାଏ । ନା.. ବୁଢ଼ା କହିଲେ ଭୁଲ ହେବ । କାରଣ ତାଙ୍କ ଭଳିଆ ରସିକ ନାଗର କ’ଣ ଏ ଦୁନିଆରେ କେହି ଅଛନ୍ତି? ବୟସ ଷାଠିଏ, ହେଲେ କ’ ଣ ହେବ ଆଜ୍ଞା! ଏବେ ଏବେ ପରା ସରକାରୀ ଦପ୍ତରରୁ ଛୁଟି ନେଇଛନ୍ତି – ମାନେ ରିଟାର୍ଡେ । ହେଲେ ବୁଢ଼ାର ଯୁବ ସୁଲଭ ଗୁଣ ଭାରି । ମୁଣ୍ଡ ବାଳ ଓ ନିଶ ସବୁବେଳେ କଳା । ଦେହରେ ପୁଳାଏ ଖଣ୍ଡ ପରଫ୍ୟୁମର ବାସ୍ନା । ଖଣ୍ଡେ ବାଟକୁ ମହକି ଆସେ । ଧୋବ ଫରଫର ଇସ୍ତ୍ରି ଦିଆ ଲୁଗା, କୋଉଠି ଖୁଞ୍ଚ ଟିକିଏ ଲାଗି ନଥିବ କି କୁଞ୍ଚା ହୋଇ ନଥିବ । ଭାରି ପରିଷ୍କାର ଲୋକଟା । ସଫାସୁତରା ବୋଇଲେ ଯାହାକୁ କହନ୍ତି ସଫା । ବୁଢ଼ା ଏମିତି କି ଖାଦ୍ୟ ଖାଉଛି କେଜାଣି? ଚେହେରାଟା ପରା ପୂରା ଫୁଟି କି ଦିଶୁଛି । ସତେ କି ଦେହରୁ ତେଲ ନିଗିଡି ପଡୁଛି । ଚମ ଗୁଡ଼ାକ ବି ଏଯାଏଁ ଧୁଡୁକା ହୋଇ ନାହିଁ । ସେ କହେ – “ମୁଁ ଟୋକା, ମୋତେ ଡାକିବନି କେହି ବୁଢ଼ା । ଏବେ ବି ମୋତେ ବାହା ହେବା ପାଇଁ ପରା ଟୋକୀଙ୍କର ଲମ୍ବା ଲାଇନ୍ ଲାଗିଛି । ମୋର ଏମିତି ବୟସ କ’ଣ କି? ମୋତେ ଆଉ ଥରେ ବାହା କରି ଦେଲେ ପରା ମୁଁ ବାହା ହୋଇଯିବି।”
ବୁଢାଙ୍କର କଥା ଶୁଣି ମୋ ହୋସ୍ ଉଡି ଯାଉଥାଏ । ଏଟା ସତରେ ମଣିଷ ନା ଜାନୁଆର? ନିଜ ପୁଅ ଝିଅ ବାହା ହୋଇ ନାତି ନାତୁଣୀ ଖେଳେଇଲେଣି, ବୁଢ଼ା କହୁଛି କ’ଣ ନା ଆଉ ଗୋଟେ ବାହା ହେବ । ମନେ ମନେ ହିରୋ ତ । ଏମାନଙ୍କର କ’ଣ କାମଧନ୍ଦା କିଛି ନାହିଁକି, ଖାଲି ବାହାଘରକୁ ନେଇ ଚିନ୍ତା । କି ହୋ ଭାଇ! ଜୀବନ ତମାମ ତ ଚାକିରୀ କଲ, ଯାହା ମାରି ମୁରା କି ପୁଳାଏ ଖାଇଲ ପୁଣି ପର ଧନ ଓ ପର ଦାର ପ୍ରତି ଏତେ ଲୋଭ?
ବୁଢ଼ାଟା କ’ଣ କମ୍ ଖରକାଣ୍ଡୁଆ କି? ଯଦି ପଦେ ଅଧେ କହି ଦେଲ କି ପଚାରି ଦେଲ ତାହେଲେ କଥା ସରିଲା । ତୁମ ଇଜ୍ଜତ୍ ହକାଳି ଦେବ । ଖାଲି ତ ଖିଙ୍କାରି ଗୋଡାଇ ଆସିବ ତାକୁ କଥା କ’ଣ କହିବ? ବଡ଼ ଅଜବ ଲୋକଟା ।ଭଲ ଦଶା ଦିଆ ମଣିଷ ଏଠି ଘର କଲା ଯେ, ଏଭଳି ଲୋକଙ୍କ ହାବୁଡରେ ପଡ଼ିଲା । ଏଭଳି ଗଣ୍ଡେ ଛଅଟା ଲୋକଙ୍କୁ ଯଦି ପଡ଼ିଶା ରୂପେ ପାଇଲ ନା, ତାହେଲେ କପାଳ ଫାଟିଲା ଜାଣ । କି ପାଗ ଯୋଗରେ ବୁଢ଼ାଟା ଜନ୍ମ ହୋଇଥିଲା କେଜାଣି, ସେ ନିଜେ ଶାନ୍ତିରେ ତ ରହିବ ନାହିଁ ହେଲେ ଲୋକଙ୍କୁ ବି ଶାନ୍ତିରେ ରଖେଇ ଦେବ ନାହିଁ । ଖାଲି ଅହରହ ଗଜର ଗଜର ହେଉଥିବ, ପାଟି ତୁଣ୍ଡ କରି କମ୍ପାଉ ଥିବ । ଖାଲି ଯେତେବେଳେ ଦେଖିବ ବକର ବକର । ଭାରି କଳିହୁଡା ଲୋକଟା ।ଯାହା ସାଙ୍ଗରେ ଦେଖିବ ଗୋଟେ କଳି କରୁଥିବ ସେ ଘର ଲୋକ ହେଉ କି ପର ଲୋକ । ଏମାନଙ୍କର ଆଜ୍ଞା ପ୍ରକୃତି ଏୟା ଏମାନେ କରିବେ କ’ଣ? ପର ନିନ୍ଦା ପର ଚର୍ଚ୍ଚା ନକଲେ ଏମାନଙ୍କର ଭାତ ହଜମ ହେବ ନାହିଁ । ୟାହାପ ୟାଙ୍କ ଉପରେ ରାଧା ଚଡକ ପଡନ୍ତା କି? ବୁଢ଼ାଟା ଭାରି କୂଟକପଟିଆ ମତଲବବାଜକୁ ମତଲବବାଜ, ଧୋକାବାଜକୁ ଧୋକାବାଜ । ପର ଘରର ଛିଦ୍ର ସବୁ ୟା ତା ପାଖରେ ଗାଇବା ଅଭ୍ୟାସ । କାହା ଘରେ ଯଦି ଫାଟ ଦେଖିଲା ସେଠିକୁ ଗଳି ଯିବ । ସୁଦ କଳିହୁଡା ନାରଦ । କଥାକୁ ପାଞ୍ଚ କଥା କରିବ । କୁହନ୍ତି ନାହିଁ! ନଷ୍ଟସ୍ୟକାନସ୍ୟ ଗତି ।ଏମାନଙ୍କର ଧନ୍ଦା ହେଲା ପରା ସେୟା । ନିଜେ ତ ବୁଡିବେ ବୁଡିବେ ଆଉ ତିନି ଜଣଙ୍କୁ ସାଙ୍ଗରେ ଧରି ବୁଡାଇ ମାରିବେ । ୟାଙ୍କ ସଂସର୍ଗ ଆଜ୍ଞା ଭାରି ଖରାପ । ୟାଙ୍କୁ ଆଜ୍ଞା! ଦୂରୁ ଜୁହାର । ମନେ ମନେ ଭାବୁଥାଏ – ବୁଢ଼ାଟା କୋଉଦିନ ପାନେ ପାଆନ୍ତା କି, ଏକାବେଳକେ ଅଠା ଟାଇଟ୍ ହୋଇ ଯାଆନ୍ତା, ଆଉ ପାଟି ଫିଟାନ୍ତା ନାହିଁ।ହେଲେ ପରା ଚୋରଙ୍କୁ ସାତ ଖୁଣ ମାଫ । ମାନେ ଏମାନେ କ’ଣ ସହଜରେ ଖାଲରେ ପଡିବେ କି? ହଉରେ ପୁଅ! ତୋ ବେଳକାଳ ତ ଏବେ ପଡ଼ିଛି, କେତେ ଦୂର ରଙ୍ଗ ହେଉଛୁ ହୋଉଥା । ଯେତେବେଳେ ଅଯାଗାରେ ଘା’ ହେବ ନା ସେତେବେଳେ ପୁଅ ବୁଝିବ । କାହାକୁ ଦେଖେଇ ପାରିବୁ ନା କହି ପାରିବୁ, ଖାଲି ଆଖି ମଳି ମଳି ଗୁମୁରି କାନ୍ଦିବୁ।
ସତେ ସତେ କ’ଣ ହୋଇଛି କି, କ’ଣ ବୁଢ଼ା ଘର ଆଗେ ଏତେ ଲୋକ? ମୁଁ ଯାଇଁ ଦେଖେ! କ’ଣ ହୋଇଛି । ଇଲୋ ବୋପାଲୋ ! ବୁଢାର ତାହେଲେ ଏତେ ଗୁଣ । ଉଁ.. ହୁଁ.. ଟୋକା ଯେମିତି କିଛି ଜାଣିନି, ସୁନା ପିଲା ଭଳିଆ ବୁଢ଼ା କ’ଣ ଗୋଟେ କୋଣରେ ମୁହଁ ଲୁଚାଇ ବସିଛି? ବୁଝୁ ବୁଝୁ ଏତେ କଥା? ହୁଁ.. ହେବ ନାହିଁ କେମିତି, ବୁଢ଼ା ପରା ରସିକ ନାଗରଟି । ପର ଘର ଛିଦ୍ର ସବୁବେଳେ ଗାଉଥିଲା, ଏବେ ନିଜ ଗୁଣ ଗାଉନି?
ଏଥର ଘଟଣାଟା ଟିକିଏ ଫିଟେଇ କହିବା, ନୋହିଲେ ଘଟଣାଟା ଠିକ୍ ସେ ବୁଝା ପଡୁ ନାହିଁ । ହୋଉ ଶୁଣନ୍ତୁ –
ହଠାତ୍ ସେଦିନ ପାଟି ତୁଣ୍ଡ ଶୁଭିଲା, ସମସ୍ତେ ଦୌଡ଼ାଦୌଡ଼ି ହୋଇ ପଡ଼ିଶାଙ୍କ ଘର ଆଗେ ରୁଣ୍ଡ ହୋଇଗଲେ । ମୁଁ କିଛି ଘଟଣାଟା ବୁଝି ପାରୁନଥାଏ । ହେଲେ ଏ ଲୋକ ଗୁଡ଼ାକ ଏମିତି ପାଟି କରୁଥାନ୍ତି କାହିଁକି? ବୁଝୁ ବୁଝୁ ଘଟଣାଟା ଭିନ୍ନ ପ୍ରକାରର । ହଁ ସତରେ… ଶୁଣିଲେ ଆପଣମାନଙ୍କର ବି ମୁଣ୍ଡ ଘୂରାଇବ।
ସେଦିନ ଗୋଟେ ଶୀତୁଆ ସକାଳ ହୋଇଥାଏ କୁକୁର ଗୁଡ଼ାକ ଖାଲି ୟା ଓଳି ତା ଓଳି ତଳେ ମୁଣ୍ଡ ଗୁଞ୍ଜୁଥାନ୍ତି, ନୋହିଲେ ହଳି ହଳି ହୋଇ ଶୀତରେ କୁକୁର କାକୁର ହୋଇ ଲାଞ୍ଜ ଯାକୁଥାନ୍ତି । ଶୀତର ପ୍ରକୋପ ସହି ହେଉ ନଥାଏ, ଭାରି ଜାଡ ।ତଥାପି ବାସିକାମ ସାରି, ଯିଏ ଯୁଆଡେ ନିଜ ନିଜ କାମ ଧନ୍ଦାରେ ଚାଲି ଯାଇଥାନ୍ତି । ପଡୋଶୀ ଘରେ ସ୍ତ୍ରୀ ଲୋକଟିଏ ଏକୁଟିଆ ରହୁଥାଏ । ସ୍ଵାମୀ ତା’ର ବିଦେଶରେ । ସେଦିନ ଜାଡୁଆ ଶୀତ ଯୋଗୁ ସେ ବିଳମ୍ବରେ ଗାଧୋଇ ପାଧୋଇ ମୁଣ୍ଡ ବାଳ ଛାତ ଉପରେ ଖରାରେ ଶୁଖାଉ ଥିଲା । ମୀନକେତନ ବାବୁ ମାନେ ବୁଢ଼ା ଛପି ଛପି ତାଙ୍କର ମୁକୁଳା ପଣକୁ ଉପଭୋଗ କରୁଥାଏ । ମଝିରେ ମଝିରେ ଗଳା ଖଙ୍କରା ମାରି କ’ଣ ମଧ୍ୟ ଈଶାରା କରୁଥାଏ । ସ୍ତ୍ରୀ ଲୋକଟା ସବୁ ଜାଣି ପାରୁଥାଏ । ଚିଡ଼ିକି “ଡାକିନୀ ଖିଆ, ଯୋଗିନୀଖିଆ, ଘର ପଶା, ଓଲିଆ ବଳଦ ମରୁ ନାହୁଁ ନା!” ଗାଳି ମଧ୍ୟ ଦେଉଥାଏ । ହେଲେ ବୁଢ଼ାକୁ ବେଶୀ କିଛି ଫରକ୍ ପଡୁ ନଥାଏ । ଓଲଟା ଖିଲି ଖିଲି ହସୁଥାଏ । କାହିଁକି ନା ରସିକ ନାଗର ନା, ସୁଦ ବେହିଆଟା । ତା ମୁହଁକୁ ଲାଜ ଅଛି ନା ସରମ । ଆହୁରି ଗୁଣୁଗୁଣୁ ହୋଇ ଗୀତ ଗାଉଥାଏ ନା – “ପ୍ରେମ ପରା ମାନେ ନାହିଁ ବାଧା ବନ୍ଧନ, ନାହିଁ ଟୋକା ନାହିଁ ବୁଢ଼ା ସବୁ ଏଠି ଗଜାଳିଆ ଟୋକା।” ସ୍ତ୍ରୀ ଲୋକଟା ଏ ମାଙ୍କଡ଼ର ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ବାଧ୍ୟ ହୋଇ ଘର ଭିତରକୁ ପଳେଇ ଗଲା । ହେଲେ ବୁଢ଼ା ମନ କି ଥୟ ଧରେ? ସୁଯୋଗ ଉଣ୍ଡୁଥିଲା ତା ଘରେ ପଶିବାକୁ । ଟିକିଏ ଯେମିତି ନିରୋଳା ପାଇଲା, ସନ୍ତର୍ପଣ ସହକାରେ ତା ଘର ଦରୱାଜା ବାଡେଇଲା । ଯେମିତି ସେ ଘର କବାଟ ଖୋଲିଛି, ଅତର୍ଚ୍ଛା ତା ଘରେ ପଶି ଯାଇ ତା ଉପରକୁ ଝାମ୍ପି ପଡିଲା । ହେଲେ ସ୍ତ୍ରୀ ଲୋକଟାକୁ ଆଉ କିଏ ସମ୍ଭାଳେ ବା ? ସେ ପାଟି କରି ଉଠି ହାତରେ ପନିକିଟେ ଧରି ଗୋଡାଇଲା । ବୁଢ଼ା ଆଗେ ଆଗେ ସେ ପଛେ ପଛେ, ଗାଳି ବର୍ଷୁ ଥାଏ – ହଇରେ ଅଳପେଇସା! ମରୁନୁ ନା,ଛୁଆ ପିଲା, ନାତି ନାତୁଣୀ କମେଇଲୁଣି, ତଥାପି ତୋର ଛତରା ଗୁଣ ଯାଇ ନାହିଁ ନା… ଇତ୍ୟାଦି ଇତ୍ୟାଦି ଅନେକ ଗାଳି । ଲୋକ ସବୁ ଜମି ଗଲା ପରେ “କ’ଣ ହେଲା କ’ଣ ହେଲା” ପଚାରି ବସିଲାଠୁଁ କଥାଟାର ପର୍ଦ୍ଦା ଫ୍ଳାସ୍ ହେଲା।
ସେତେବେଳକୁ ବୁଢାର ପ୍ରେମ ନିଶା ପୂରାପୂରି ଛାଡ଼ି ଯାଇଥାଏ । ଲଜ୍ଜ୍ୟା ଓ ଅପମାନ ଭୟରେ ମୁହଁ ଲୁଚାଇ ଆଢୁଆଳରେ ଛିଡା ହୋଇଥାଏ । ଘର ଲୋକ କୋଉ ଛାଡିଲେ କି? ସ୍ତ୍ରୀଠୁଁ ଆରମ୍ଭ କରି ଝିଅ ବୋହୂ ପର୍ଯ୍ୟନ୍ତ ବୁଢ଼ାକୁ ଛି ଛାକର କରୁଥାନ୍ତି । ବୁଢ଼ା ଖାଲି ବରଡା ପତର ପରିକା ଥରୁଥାଏ।
ସେହିଦିନୁ ବୁଢ଼ା ମୁହଁ ଲୁଚାଇ ଘର ଭିତରେ ପଶିଛି ଯେ ପଶିଛି । ୟା ଭିତରେ ଅନେକ ଦିନ ବିତି ଗଲାଣି । ମୁଁ କାହିଁ ରାସ୍ତା ଘାଟରେ ତାକୁ ଆଉ ଦେଖୁ ନାହିଁ।

