Kulamani Sarangi

Comedy

4  

Kulamani Sarangi

Comedy

ଗୋଟିଏ ସରମା ପାଇଁ ଶୋକ ଦିବସ

ଗୋଟିଏ ସରମା ପାଇଁ ଶୋକ ଦିବସ

4 mins
289


ଶର୍ମା ବାବୁ ଅତି ଗେଲବସରରେ ଗୋଟିଏ ସରମା ପାଳିଥିଲେ । ଏହି "ସରମା" ଶବ୍ଦଟି ବୁଝିବାରେ ଆପଣମାନଙ୍କୁ କଷ୍ଟ ହେଉଥିବା ଅନୁମାନ କରି, ଟିକିଏ ସରଳୀକରଣ କରୁଛି, ରାଗିବେନି । 


ସରମା ତିନିପ୍ରକାର ଅଛନ୍ତି ; ଜଣେ ସରମା ହେଉଛନ୍ତି ମହର୍ଷି କଶ୍ୟପଙ୍କ ପତ୍ନୀ । ପୋକ, ଜୋକ, ମାଛି, ଭଅଁର ଇତ୍ୟାଦିଙ୍କୁ ସେ ଜନ୍ମ ଦେଇଥିଲେ ବୋଲି ଶାସ୍ତ୍ର କହେ । ଅର୍ଥାତ୍ ଏହି ପୋକ ଜୋକ, କୀଟ ପତଙ୍ଗମାନେ ହେଉଛନ୍ତି କାଶ୍ୟପେୟ ବା ସରମା-ତନୟ/ତନୟା । 


ଦ୍ୱିତୀୟ ସରମା ହେଉଛନ୍ତି ଘରବୁଡା କୁମ୍ଭୀରଙ୍କ ପତ୍ନୀ ଅର୍ଥାତ୍ ବିଭୀଷଣଙ୍କ ମିସେସ୍ ସରମା ଦେବୀ, ଯେ ଅଶୋକ ବନରେ, ରାବଣ ଆଦେଶରେ ସୀତାଙ୍କୁ ଜଗିରହିଥିଲେ । କିଛି ରାକ୍ଷସୀ ସୀତାଙ୍କୁ ଦାନ୍ତ ଦେଖେଇ, ଜିଭ ଲହଲହ କରି ଡରେଇଲା ପରେ ସରମା ଦେବୀ ସୀତାଙ୍କୁ ଗେଲ କରୁଥିଲେ । 

ଅର୍ଥାତ୍ ରାବଣ ସୀତାଙ୍କ ମନୋରଞ୍ଜନପାଇଁ "ବ୍ଳୋ ହଟ୍, ବ୍ଳୋ କୋଲ୍ଡ୍" ପରିବେଶର ବ୍ୟବସ୍ଥା କରିଥିଲେ । 


ଏହି ସରମା ଦେବୀଙ୍କର ନାମକରଣ ମଧ୍ୟ ଅଦ୍ଭୁତ ପରିସ୍ଥିତିରେ ହୋଇଥିଲା ବୋଲି ଶାସ୍ତ୍ର କହେ । ତାଙ୍କ ମାତା ମାନସରୋବର କୂଳରେ ତାଙ୍କୁ ଯେତେବେଳେ ପ୍ରସବ କଲେ, ସରୋବର ଜଳ ଫୁଲିବାରେ ଲାଗିଲା । ଝୁଅ ପାଣିରେ ବୁଡିଯିବା ଡରରେ ମାତା ମାନସରୋବରକୁ କହିଲେ "ସରଃ ମା ବର୍ଦ୍ଧସ୍ୱ" ଅର୍ଥାତ 'ହେ ସରୋବର ! ଆଉ ଫୁଲ ନାହିଁ । 'ସରୋବର ତ ଫୁଲା ବନ୍ଦ୍ କରିଦେଲେ, କିନ୍ତୁ ମାତାଙ୍କର ଉଚ୍ଚାରିତ ଶବ୍ଦ ଦୁଇଟି ଅନୁଯାୟୀ କନ୍ୟା ନାମ ସରମା ରଖାଗଲା । 


ଆଉ ଗୋଟିଏ 'ସରମା'ର ଅର୍ଥ ହେଉଛି କୁକୁରୀ ବା ମାଈ କୁକୁର ବା କୁତୀ । କୁତୀର ନାମ କାହିଁକି ଯେ ସରମା ହେଲା ତାହା ଆମ୍ଭର ଜ୍ଞାନର ବହିର୍ଭୂତ ହେଲେ ହେଁ, କଳ୍ପନା ବା ଅନୁମାନର ବହିର୍ଭୂତ ନୁହେଁ । ପ୍ରାଣୀଟି ସ୍ତ୍ରୀ'ଲିଙ୍ଗ ବିଶିଷ୍ଟ ହୋଇଥିବାରୁ ସରମୀ ବା ଲଜ୍ଜ୍ୟାଶୀଳା ହେବା ସ୍ୱାଭିବିକ । ତେଣୁ ହୁଏତ ସରମା ନାମ ବହନ କରିଅଛି । ଏହା ବ୍ୟଙ୍ଗାତ୍ମକ ବିଶ୍ଳେଷଣ ବୋଲି କେହି କହିଲେ ଆମେ ସହଜରେ ସମ୍ମତି ଦେବୁ । 


ଅବଶ୍ୟ ଶର୍ମା ବାବୁଙ୍କର ସରମା ବା କୁତୀ'ଟି ବହୁତ୍ ଲଜ୍ଜ୍ୟାଶୀଳା । କେହି ଅଚିହ୍ନା ଲୋକ ଘରକୁ ଆସିଲେ ଭୁକାଭୁକି କରିବା ଦୂରର କଥା, ଲାଜକରି ଘର ଭିତରକୁ ପଳାଇଯାଏ ଏବଂ ମାଲିକଙ୍କ ସୋଫା ଉପରେ ମୁହଁ ଲୁଚେଇ ଶୋଇଯାଏ ।  

ଶର୍ମା ବାବୁଙ୍କ ଘରେ ଥିବା ବିରାଡିଟି ମଧ୍ୟ ସମଧର୍ମାଲମ୍ବୀ । ମୂଷାମାନେ ତା ସାମ୍ନାରେ ଆସି ଭାରତ ନାଟ୍ୟମ୍ କଲେ ମଧ୍ୟ ସେ ଅହିଂସା ପରମୋଧର୍ମ ଦୀକ୍ଷାରେ ଉଦବୁଦ୍ଧ ହୋଇ ସେମାନଙ୍କ ନୃତ୍ୟପରିବେଷଣ ଶୈଳୀକୁ ତାରିଫ୍ କରେସିନା, ଭୁଲରେ ସେମାନଙ୍କୁ ଆକ୍ରମଣ କରିବା ଚିନ୍ତା ମନକୁ ଆଣେନାହିଁ । ସେଥିପାଇଁ ଶର୍ମାବାବୁ ତାକୁ ଗାନ୍ଧୀ ବିରାଡି ବୋଲି ଡାକନ୍ତି । ଅବଶ୍ୟ ଗାନ୍ଧୀ ବିରାଡି ଆମିଷ ଭକ୍ଷଣରେ କେବେ ହେଳା କରେନାହିଁ । ସେଥିପାଇଁ ତା'ନିମିତ୍ତ ମାଛ ମାଂସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । 


ଗାନ୍ଧୀ ବିରାଡି କଥା ବାଦ୍ ଦେବା, କାରଣ ଆମ ଗଳ୍ପର ନାୟିକା ହେଉଛନ୍ତି ଶର୍ମା ବାବୁଙ୍କ 'ସର୍ମିଲୀ' ନାମ୍ନୀ ସରମା ବା ମାଈ କୁକୁରଟି । 


ଶର୍ମା ବାବୁ ଶର୍ମିଲୀକୁ ଝିଅପରି ପାଳିଥିଲେ । ତା'ପାଇଁ ସ୍ୱତନ୍ତ୍ର ଶୟନାଗାର ଏବଂ ସୋଫାର ବ୍ୟବସ୍ଥା କରାଯାଇଥିଲା । ନିଜେ ଶାକାହାରୀ ହେଲେ ମଧ୍ୟ ଶର୍ମିଲୀ ପାଇଁ ପ୍ରତିଦିନ ମାଂସାହାରର ବ୍ୟବସ୍ଥା ଥିଲା । ତାପାଇଁ ଏକ ସ୍ୱତନ୍ତ୍ର ଚାକର ନିଯୁକ୍ତ ହୋଇଥିଲା ।  

ସବୁଦିନ ସକାଳୁ ଶର୍ମିଲୀକୁ ପ୍ରାତଃ ଭ୍ରମଣ କରାଇ, ପୁରୀଷ ଏବଂ ମୂତ୍ର ବିସର୍ଜନ କରାଇ, ସେହି ସ୍ୱତନ୍ତ୍ର ପରିଚାରକଟି ତାକୁ ନାତିଶୀତୋଷ୍ଣ ଜଳରେ, ସୁବାସିତ-ସ୍ୱତନ୍ତ୍ର ସାବୁନ ଲଗାଇ, ଘଷି ମାଜି ସ୍ନାନ କରାଉ ଥିଲା । ତାପରେ ସ୍ୱତନ୍ତ୍ର ପାକଶାଳାରେ ଆମିଷ ପାକ ରନ୍ଧନକରି ସର୍ମିଲୀକୁ ଭରପେଟ୍ ତଣ୍ଟି ପର୍ଯ୍ଯନ୍ତ ଗିଳେଇବାପରେ ନିଜର ନିତ୍ୟକର୍ମପାଇଁ ତାକୁ ଫୁରୁସତ୍ ମିଳୁଥିଲା । ସେଥିପାଇଁ ମୋଟା ଅଙ୍କର ଦରମାପାଇ ସେ ଆନନ୍ଦ ଚିତ୍ତରେ କାଳାତିପାତ କରୁଥିଲା । ଶର୍ମାବାବୁ କାର୍ଯ୍ୟାଳୟରୁ ଫେରିବାପରେ କୁକୁରୀ-କନ୍ୟାଟି ସହିତ ଦୁଇଘଣ୍ଟା ଖେଳକୁଦ କରୁଥିଲେ । କନ୍ୟାଟି ତାଙ୍କୁ ଆପାଦ-ମସ୍ତକ ଚାଟଚୁଟି କଲାବେଳେ ଶର୍ମାବାବୁଙ୍କୁ ଅଳକାପୁରୀର ଆନନ୍ଦ ମିଳୁଥିଲା । 


ପ୍ରତି ସପ୍ତାହରେ ଜଣେ ପଶୁଡାକ୍ତର କୁକୁରୀ-କନ୍ୟାର ସ୍ୱାସ୍ଥ୍ୟ ଯାଞ୍ଚ କରିବାପାଇଁ ଆସୁଥିଲେ । କାକ୍ତର ମହାଶୟଙ୍କ ପ୍ରଦତ୍ତ ଚାର୍ଟ ଅନୁଯାୟୀ କନ୍ୟାପାଇଁ ସୁଷମ ଖାଦ୍ୟର ବ୍ୟବସ୍ଥା ହେଉଥିଲା । 


ଅଳ୍ପଦିନ ଭିତରେ ଶର୍ମିଳୀ ଫୁଲିଫାଲି ଏମିତି ମୋଟୀ ହୋଇଗଲା ଯେ ସେ ଆଉ କୁକୁର ଜାତୀୟ ପ୍ରାଣୀଭଳି ଦେଖାଗଲାନାହିଁ । ପ୍ରାତଃ ଭ୍ରମଣ ସମୟରେ ଅନ୍ୟ କୁକୁରମାନେ ତାକୁ ଅନ୍ୟ କେଉଁ ଗ୍ରହର ପ୍ରାଣୀ ମନେକରି ପ୍ରାଣଭୟରେ ପଳାୟନ କଲେ । ଶର୍ମିଳୀ ଏହା ଦେଖି ଆତ୍ମଗର୍ବରେ ଆହୁରି ଫୁଲିବାକୁ ଲାଗିଲା । 


ଶର୍ମା ବାବୁ ମୋର ବସ୍ । ବସ୍ ମାନେ ପୁରା ଅଫିସର ସେ ବସ୍ --ଇନ୍-ଚାର୍ଜ । ଦିନେ ତାଙ୍କ ଘରକୁ କାର୍ଯ୍ୟ ଉପଲକ୍ଷେ ଯାଇଥିଲି । ସେଦିନ ମୋର ଭାଗ୍ୟ ଖରାପ ଥିଲା । ଦେବାନନ୍ଦଙ୍କ ଭଳି ହେୟାର ଷ୍ଟାଇଲ୍ ରଖୁଥିବା ଶର୍ମାବାବୁଙ୍କ ବଦଳରେ ତାଙ୍କ ଡ୍ରଇଂ ରୁମ୍'ରେ ଜଣେ ଲଣ୍ଡିତ ମସ୍ତକ(ଚନ୍ଦା ଭଦ୍ରଲୋକ)ଙ୍କୁ ଦେଖି ପଚାରିଲି --କ୍ୟାନ୍ ଆଇ ମିଟ୍ ମିଷ୍ଟର୍ ଶର୍ମା ?"

ଭଦ୍ରଲୋକ ଜଣକ କହିଲେ ---ଇଏସ୍ ଅଫ୍ କୋର୍ସ ଆଇ ଆମ୍ ମିଷ୍ଟର୍ ଶର୍ମା । ଆର୍ ୟୁ ନଟ୍ ଏବଲ୍ ଟୁ ରେକଗନାଇଜ୍ ମି ମିଷ୍ଟର୍ ବର୍ମା?"


ଏଥର ମୁଁ ହୃଦୟଙ୍ଗମ କଲି ଯେ ଶର୍ମାବାବୁଙ୍କ ଦେବାନନ୍ଦିଆ ବାଳ ନକଲି । ଡ୍ରଇଁ ରୁମର ଗୋଟିଏ କୋଣରେ ଥୁଆ ହୋଇଥିବା ୱିଗଟି ମୋ'ଆଡକୁ ଅନେଇ ମୋତେ ଉପହାସ କରୁଥିଲା । କଥାକୁ ସଜାଡିନେଇ କହିଲି --ବଡ ଦୁଃଖିତ ସାର୍ । ଆଗରୁ ମୁଁ ଆପଣଙ୍କୁ----

ଓ, ତାହେଲେ ବିନା ୱିଗରେ ଆପଣ ମତେ ଚିହ୍ନି ପାରିବେନି; ତା'ମାନେ ୱିଗଟି ହିଁ ମିଷ୍ଟର୍ ଶର୍ମା । " ଶର୍ମା ବାବୁଙ୍କର ରାଗର କାରଣ ମୁଁ କାହିଁକି ତାଙ୍କୁ ଲଣ୍ଡିତ-ମସ୍ତକରେ ଦେଖିଦେଲି । 


କଥାଟା କୁଆଡୁ କୁଆଡକୁ ଯାଉଥିଲା । ଏହି ସମୟରେ ଶର୍ମିଳୀ ଡ୍ରଇଁ ରୁମକୁ ପଶିଆସିଲା । ମୋ ପାଟିରୁ ବାହାରି ପଡିଲା--ଏତେ ସୁନ୍ଦର ଘୁଷୁରୀଟିଏ କେବେ ଆଣିଲେ ସାର ?


ଶର୍ମାବାବୁ ଚିଡିଯାଇ କହିଲେ "ହ୍ୱାଟ୍ ଡୁ ୟୁ ମିନ୍ ବାଇ ଘୁଷୁରୀ?

ଏଇଟା ମୋ ଡଗି 'ଶର୍ମିଳୀ' । ମୋ ପାଳିତା କନ୍ୟା ସେ । ଆପଣଙ୍କୁ ଘୁଷୁରୀ ଭଳି ଦେଖାଗଲା ?"


ସେଦିନ ଅପଦସ୍ଥ ହୋଇ କେମିତି ପଳେଇ ଆସିଲି ମତେ ଏକା ଜଣା । 

ଏ ଭିତରେ ଶର୍ମା ବାବୁଙ୍କ ଜୀବନରେ ଗୋଟିଏ ଦୁଃଖଦ ଘଟଣା ଘଟିଯାଇଛି । ତାହା ଶର୍ମାବାବୁଙ୍କ ମନରୁ ସବୁ ସୁଖ ଶାନ୍ତି ଦୂର କରିଦେଇଛି । ସାର୍ ସବୁବେଳେ ମନ ଦୁଃଖ କରି ବସିଛନ୍ତି । 

କାମରେ ମନ ଲାଗୁନାହିଁ, ଖାଇବା ପିଇବା ଭୁଲିଯାଇଛନ୍ତି । ସବୁବେଳେ ଚିଡି ଚିଡି । 

କଥା ବୁଝୁବୁଝୁ, ଶର୍ମିଳୀ ଭୀଷଣ ଡାଇବେଟିସ୍ ରୋଗରେ ପ୍ରପୀଡିତା । ଅବସ୍ଥା ବଳେଇ ପଢିଲାଣି । ଆଗରୁ ଜାଣିନପାରିବାରୁ ଔଷଧ ନଖାଇ କୁକୁରୀଟିର ଶରୀର ଭିତରର ସବୁ ଅଙ୍ଗ ବେକାର ହୋଇଯାଇଛି । ରାଗରେ ପୂର୍ବତନ ପଶୁଡାକ୍ତରଙ୍କୁ ଝିଅର ସେବାରୁ ନିବୃତ କରିଦେଇଛନ୍ତି ଶର୍ମାବାବୁ । 

ନୂତନ ପଶୁଡାକ୍ତର ଶର୍ମିଳୀର ସମୟ ନିର୍ଦ୍ଧାରଣ କରି ଦେଲେଣି । ଅତି ବେଶିରେ ଦୁଇ ମାସ । 


ଦି' ମାସ ଛୁଟି ନେଇଗଲେ ଶର୍ମା ବାବୁ । ସବୁବେଳେ ଝିଅକୁ କୋଳରେ ଧରି ବସିଲେ । ଅଫିସରେ ଯେତେସବୁ ତୈଳିକ ଥିଲେ ଗୋଟିଏ ଗୋଟିଏ ତେଲ ଡବା ଧରି ଶର୍ମା ବାବୁଙ୍କ ଘରେ ପହଞ୍ଚିଲେ । ତାଙ୍କ ଭିତରେ ଜଣେ କବି ଥିଲେ । ସେ କେତୋଟି ସୁନ୍ଦର ଚଉପଦୀ କୁକୁରୀର ପ୍ରଶଂସାରେ ଲେଖି ପଢିଲେ । ଅନ୍ୟ କେତେଜଣ ପାଳିକରି ଶର୍ମିଳୀକୁ ରାତିରେ ଜଗିଲେ । 

ଏହିପରି ସ୍ୱତନ୍ତ୍ର ସେବା ସତ୍ତ୍ୱେ ଶର୍ମିଳୀ ଦେଢ ମାସ ଭିତରେ ଇହଧାମ ତ୍ୟାଗକଲା । 


ଯେଉଁ ଦିନ ତା'ଆତ୍ମା ପରମାତ୍ମାରେ ବିଲୀନ ହୋଇଗଲା ସେଦିନ କାର୍ଯ୍ୟାଳୟରେ ଅଘୋଷିତ ଛୁଟି ହୋଇଗଲା । କାର୍ଯ୍ୟାଳୟର ଅର୍ଦ୍ଧେକ କର୍ମଚାରୀ ଫୁଲମାଳ ଧରି ଶର୍ମାବାବୁଙ୍କ ଘରେ ପହଞ୍ଚିଲେ । ରାଜକୀୟ ସମ୍ମାନ ସହିତ କୁକୁରୀଟିର ଦାହକାର୍ଯ୍ୟ ସମାପ୍ତ ହେଲା । ବାର ଦିନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ପାଳନ କରାଗଲା । ତେର ଦିବସରେ କାର୍ଯ୍ୟାଳୟରେ ଶୋକ ସଭା ଅନୁଷ୍ଠିତ ହେଲା । ଉଲ୍ଲେଖଯୋଗ୍ୟ ଯେ ଯେଉଁମାନେ ଶୋକସଭାରେ ଯୋଗ ଦେଲେ ନାହିଁ, ସେମାନଙ୍କର, ଆବଶ୍ୟକ ସ୍ଥଳେ, ପରବର୍ତ୍ତୀ ପଦୋନ୍ନତି ହେଲାନାହିଁ । 



Rate this content
Log in

Similar oriya story from Comedy