Sabitri Mohapatra

Comedy Romance

3  

Sabitri Mohapatra

Comedy Romance

ଗୋଟିଏ  ଗୋଲାପ

ଗୋଟିଏ  ଗୋଲାପ

5 mins
324



ପରିଣତ ବୟସରେ ପହଞ୍ଚି ସାରିଛି ନିବେଦିତା ଆଜି l ଆଜି ବି ବସି ବସି ସେହି ସ୍କୁଲର ଚାକିରୀ ସମୟର କଥା ଭାବିବାକୁ ଭଲ ଲାଗେ ତାକୁ l କେତେ ମଜା, କେତେ ହସରେ କଟୁଥିଲା ସେଦିନଗୁଡିକ l ଆଜି ଭାବିଲେ ଇଚ୍ଛା ହୁଏ ସେହି ପୁରୁଣା ଦିନଗୁଡିକୁ ଗୋଟାଇ ଆଣିବାକୁ l ଦିନଯାକ କ୍ଲାସ ନେବା ଭିତରେ ସେ ଅଧଘଣ୍ଟା ଟିଫିନ ସମୟଟା ବହୁତ ମୂଲ୍ୟବାନ ଥିଲା l ଦିନ ଯାକର ହାଲିଆ ମେଣ୍ଟି ଯାଉଥିଲା.. କିଛିଟା ଖୁସି ଗପ ଆଉ ମଜା କଥାରେ |


ଆଡ଼ଭୋକେଟ ରାମ ବାବୁଙ୍କର ଧର୍ମପତ୍ନୀ ନିବେଦିତାର ବାଲ୍ୟ ସମୟ କଟିଥିଲା ପୁରୀ ନିକଟର କେଉଁ ଏକା ଅନାମଧେୟ ଗାଆଁରୁ l ସେହିଠାରୁ ହିଁ ତାର ପାଠପଢା ଆରମ୍ଭ ହୋଇଥିଲା l ଗାଆଁ ଦାଣ୍ଡରୁ ଖେଳିବୁଲି ବଡ ହୋଇଥିଲେ ହେଁ ସେ ପାଠପଢାରେ ବହୁତ ଧୂରୀଣl ଥିଲା l ବିଶେଷକରି ଗଣିତ ଶାସ୍ତ୍ରରେ ସେ ଥିଲା ପାରଙ୍ଗମl | ନିବେଦିତା ତାର ସ୍କୁଲ ଶିକ୍ଷା ଶେଷ କରି ଆସି ପୁରୀ ସହରର ଏକ କଲେଜରେ ନାମ ଲେଖେଇଥିଲା ଆଉ ଗଣିତ ଶାସ୍ତ୍ରରେ ଅନର୍ସ ନେଇ ଗ୍ରାଜୁଏଟ ହେଇଥିଲା ସେହି ପୁରୀ କଲେଜରୁ l ଚାକିରୀ କରିବାକୁ ବହୁତ ଇଚ୍ଛା ଥାଇ ବି ଘରଲୋକଙ୍କ ଅନିଚ୍ଛାରେ କରିବାକୁ ସାହସ କରିନଥିଲା l ଏବେ ବିବାହ ପାଇଁ ଘରଲୋକଙ୍କ ଆୟୋଜନ ତାକୁ ବ୍ୟତିବ୍ୟସ୍ତ କରିପକାଇଥିଲା l ବିବାହ ଦେବା ପାଇଁ ଘରେ ବାପା ମାଆ ବହୁତ ଜୋରସୋରରେ ଆୟୋଜନ ଚଳେଇଥାନ୍ତି l ଘରର ବଡ ଝିଅ l ତେଣୁ ବାହାଘରଟା ସାରିଦେଲେ ସେମାନେ ଯେମିତି ନିଶ୍ଚିନ୍ତ ହୋଇଯିବେ l


ହଁ! ଏମିତି ବହୁତ ଖୋଜା ଖୋଜି ପରେ ଭୁବନେଶ୍ୱରରେ ଚାକିରୀ କରୁଥିବା ଆଡ଼ଭୋକେଟ ରାମ ବାବୁଙ୍କ ସହ ପ୍ରାୟ ବାହାଘର ଠିକ ହୋଇଗଲା କହିଲେ ଚଳେ l ରାମ ବାବୁ ବହୁତ ଶାନ୍ତଶିଷ୍ଟ ଆଉ ଘରର ଏକମାତ୍ର ପୁଅ ଥିଲେ l ପ୍ରସ୍ତାବଟା କିଛି ମନ୍ଦ ନୁହେଁ l ଭୁବନେଶ୍ୱରରେ ପୁଣି ରୁହନ୍ତି l ନିବେଦିତା ମନେ ମନେ ଭାବିନେଲା, ଚାକିରୀ ଖଣ୍ଡିଏ ତାକୁ ମିଳିଯିବ ନିଶ୍ଚିନ୍ତ ଭୁବନେଶ୍ୱରରେ l ଏହି ଆଶlରେ ସେ ମଧ୍ୟ ବିବାହ କରିବାକୁ ରାଜି ହୋଇଗଲା l


ନିବେଦିତା ଆଉ ରାମ ବାବୁଙ୍କର ବାହାଘର ଖୁବ ଜାକ ଜମକରେ ହୋଇଗଲା l ଘରେ ଶାଶୁ ଶଶୁର ଆଉ ଏମାନେ ଦୁଇଜଣ l ଜଞ୍ଜାଳ ଆଉ କିଛି ନାହିଁ l ନିବେଦିତା ଚାକିରୀ ପାଇଁ ବହୁତ ଆଡେ ଫର୍ମ ପକାପକି କରିବା ପରେ ଶେଷରେ ଗୋଟିଏ ଇଂରାଜୀ ମିଡ଼ିୟମ ସ୍କୁଲରେ ମାଥ ଟିଚର ରୂପେ ତାକୁ ସୁଯୋଗ ମିଳିଲା l ଏଥିରେ କାହାର ଅମତ ହେବାର ନଥିଲା l ତେଣୁ ନିବେଦିତା ଠିକ ସମୟରେ ଆସି ଚାକିରୀରେ ଯୋଗ ଦେଲl l ଆଜି ବସି ବସି ସେହି ସ୍କୁଲର ଚାକିରୀ ସମୟରେ କଟେଇଥିବା ମଜାଦିନ ଗୁଡିକ ଭାବି ଭାବି ମନେ ମନେ ହସି ଚାଲିଛି l ଟିଫିନ ସମୟର କଥା ବହୁତ ମନେପଡେ ଆଜି l

ସ୍କୁଲରେ ଯୋଗ ଦେବାର ପ୍ରଥମବର୍ଷର କଥା l ସମସ୍ତେ ଏକାଠି ବସି ବିବାହ ବାର୍ଷିକୀର ଉପହାର ପାଇଥିବା କଥା ପରସ୍ପର କୁହାକୁହି ହଉଥିଲେ l ନିଶି ମିସ୍ କଥା ଆରମ୍ଭ କରି କହି ବସିଲେ.... "ମୋ ମିଷ୍ଟର ମୋତେ ଏଥର ଏଇ ସୁନାର ମଙ୍ଗଳସୂତ୍ରଟି ବିବାହ ବାର୍ଷିକୀରେ ଉପହାର ଦେଇଛନ୍ତି l"ତାଙ୍କୁ ସୁନା ଜିନିଷ ଦେବାରେ ବହୁତ ସଉକ l ବରହ୍ମପୁରିଆ ଲୋକ ତ, ସୁନା କିଣିବl ଏକ ନିଶା ଯେମିତି l ଏହାଶୁଣି ପ୍ରତିମା ମିସ କହି ବସିଲେ ଯେ..... "ମୋ ମିଷ୍ଟର ସବୁବେଳେ ବିବାହ ବାର୍ଷିକୀରେ ଶାଢ଼ୀ ଦେବାକୁ ପସନ୍ଦ କରନ୍ତି l ଶାଢ଼ୀ ତ ନୁହେଁ, ସମ୍ବଲପୁରିଆ ପାଟ ଶାଢ଼ୀ l "ଶାଢ଼ୀ ଯଦି ସମ୍ବଲପୁରୀ ପାଟ ଶାଢ଼ୀ ହୋଇଥିବ, ସେ ଯେତେ ଦାମ ହେଲେ ବି ସେ କିଣିବାକୁ ପଛେଇବେନି l ଅନ୍ୟ ଶାଢ଼ୀ ତାଙ୍କୁ ପସନ୍ଦ ନୁହେଁ l ସମ୍ବଲପୁରିଆ ଲୋକ ତ l

ଅନୁ ମିସ ଏସବୁ ଶୁଣି ଟିକେ ମୁରୁକି ହସ ହସି କହିପକେଇଲେ.... ମୋ ମିଷ୍ଟର କିଛି ଗିଫ୍ଟ ଦେବା ଜାଣନ୍ତିନି l ଆନିଭର୍ସାରୀ ଦିନ ସେ ଭଲ ହୋଟେଲରେ ଖୁଆଇ ଦେଲେ ତାଙ୍କ କାମ ସରେ l ଆଉ କିଛି ଦବାନବା ସେ ଜାଣନ୍ତିନି l ଏସବୁ ଶୁଣି ସବିତା ମିସ୍ କହି ଚାଲିଲେ... ମୋ କଥା କଣ କହିବି? ଶାଶୁ ତ ସାଙ୍ଗରେ ଥାନ୍ତି, ତେଣୁ ଯେତକ ବନ୍ଧୁ ବାନ୍ଧବଙ୍କୁ ସେଦିନ ଡାକି ଦିଅନ୍ତି l ଆଉ ରଂ ଧାବଢ଼ା କରି ସମସ୍ତଙ୍କୁ ଆପ୍ୟାୟିତ କରିବା ବୋହୂର କାମ l ଆନିଭର୍ସାରୀ ଦିନରେ ରୋଷେଇଘରେ ସଢ଼ିବା ମୋର କାମ ହୁଏ l ଗୋଟେ ଥର ମାଇଁଶାଶୁ ବମ୍ବେରୁ ଆସିଥିଲେ, କହିଲେ ଆନିଭର୍ସାରୀ ଦିନରେ ରନ୍ଧାଘରେ ପଶି ଭୋଜିକରି ଅନ୍ୟମାନଙ୍କୁ ଖୁଆଇବାରେ ଆନିଭର୍ସାରୀର ମଜା କଣ? ସେଦିନଠୁ ଶାଶୁ ଶୁଣି ଟିକେ ଏହାର ପରିବର୍ତ୍ତନ ଆଣିଥିଲେ l ତାପରେ ଆଉ ଏପ୍ରକାର ଆୟୋଜନ କରୁନଥିଲେ ବେଶି l ଏମିତି ଆଳାପ ଭିତରେ ପ୍ରଭାତୀ ମିସ୍ କେଉଁଠି ଥିଲେ ପଶି ଆସିଲେ l ପ୍ରଭାତୀ ମିସଙ୍କର କଥା ତ ଆହୁରି ଅଲଗା l ପ୍ରଭାତୀ ମିସ୍ କହିଲେ.... ଛାଡ଼! ଆମର ଭଲ ଘର ଖଣ୍ଡେ ନାହିଁ, ସୋଫା ଖଣ୍ଡେ ପକେଇବାକୁ ଜାଗା ନାହିଁ, କ୍ୱାଟର୍ସ ଘର, ସେଥିରେ ଦାମୀ ଟିସେଟର ଉପହାର l ଆହୁରି ମଧ୍ୟ ମୋତେ ସିଲେଇର ସ ଅକ୍ଷର ଜଣା ନାହିଁ, ସେଥିରେ ଫେସନ ମେକର ସିଲେଇ ମେସିନର ଉପହାର l ଏସବୁ ମୋତେ ଆନନ୍ଦ ବଦଳରେ ବିରକ୍ତିଭାବ ଆଣେ l ଏମିତି ସବୁ କଥାଶୁଣି ନିବେଦିତା ମନେ ମନେ ହସୁଥାଏ l ଭାବୁଥାଏ ତାର ଆଉ ପାଞ୍ଚ ଦିନ ଅଛି ବିବାହର ପ୍ରଥମ ବାର୍ଷିକୀ l ଆଉ ସେ କଣ ଉପହାର ପାଇବ ଭାବି ମନେ ମନେ ଉତ୍କଣ୍ଠିତ ହୋଇ ରହିଥାଏ l ବହୁତ ଆଗ୍ରହର ସହିତ ଦିନ ପରେ ଦିନ ଗଣି ଚାଲିଥାଏ ନିବେଦିତା l ଚାହୁଁ ଚାହୁଁ ତାର ପ୍ରତୀକ୍ଷିତ ଆନିଭର୍ସାରୀ ଦିନଟି ଆସି ପହଁଚିଲା l ବହୁତ ଖୁସିର ଦିନ l ସକାଳୁ ସକାଳୁ ଉଠି ମିଷ୍ଟରଙ୍କୁ ଏକ ମିଠା ସମ୍ଭାଷଣ ଜଣାଇ ସ୍କୁଲକୁ ବାହାରି ଆସିଲା ନିବେଦିତା l ରାମ ବାବୁ ମଧ୍ୟ ନିଜର ନିତ୍ୟକର୍ମ ସାରି ଅଫିସ କାମରେ ବାହାରିଗଲେ l ଟିଫିନ ସମୟରେ ସମସ୍ତେ ଠରା ଠରି ହୋଇ ନିବେଦିତା ଆଡକୁ ଅଙ୍ଗୁଳି ନିର୍ଦେଶ କରି ହସl ହସି ହେଉଥାନ୍ତି l ଆଜି ବିବାହର ପ୍ରଥମ ବାର୍ଷିକୀ, ତେଣୁ ଭଲ ଗିଫ୍ଟ ନିଶ୍ଚୟ ମିଳିବ ଆଜି ନିବେଦିତାକୁ l ନିବେଦିତାର ମନଟା ବେଶ ଖୁସି ଥିଲା l ରାମ ବାବୁ ମଧ୍ୟ ଅଫିସରୁ ଫେରିଲେ ଆଉ ଚା ଜଳକ୍ଷl ରା ପର୍ବ ମଧ୍ୟ ସରିଲା l ରାତ୍ରି ଭୋଜନ ପରେ ନିବେଦିତା ବେଡ଼ ରୁମରେ ଆସି ଅପେକ୍ଷା କରିଥାଏ ରାମ ବାବୁଙ୍କ ଆଗମନକୁ l ରାମ ବାବୁଙ୍କର ଦେଖା ନାହିଁ l କୁଆଡେ ଗଲେ ସେ? ନିବେଦିତା ମନେ ମନେ ଭାବୁଥାଏ, ଏ ପର୍ଯ୍ୟନ୍ତ ତ କାହିଁ ଆସି ନାହାଁନ୍ତି, ବୋଧେ କିଛି ଗିଫ୍ଟ କିଣିବାକୁ ଯାଇଛନ୍ତି l ମନେ ମନେ ଖୁସି ହୋଇ ଅପେକ୍ଷା କରି କରି କେତେବେଳେ ତାକୁ ନିଦ ହୋଇଯାଇଛି l

ହଟାତ ନିବେଦିତାର ନିଦ ରାତିଅଧରେ ଭାଙ୍ଗିଗଲା l ଦେଖିଲା ପାଖରେ ରାମ ବାବୁ ଶୋଇଛନ୍ତି l ଟିକେ ସଂଦେହୀ ଆଖିଟା ଚାରିଆଡେ ଖୋଜି ପଳେଇ ଆସିଲା l କିଛି ତ କୁଆଡେ ଗିଫ୍ଟ ଥିବାର ଜଣାଗଲାନି l ଆଉ କଣ ସରପ୍ରାଇଜ ରଖିଛନ୍ତି? ନା ଭୁଲି ଯାଇଛନ୍ତି? ମନଟା ଟିକେ ବ୍ୟତିବ୍ୟସ୍ତ ହେବାକୁ ଲାଗିଲା l ଗିଫ୍ଟ ନପାଇଲେ ନାହିଁ, ସାଙ୍ଗମାନେ ପଚାରିଲେ କଣ କହିବ, ସେଇ ଚିନ୍ତାରେ ଚିନ୍ତାଗ୍ରସ୍ତ ହୋଇପଡ଼ିଲା l

ସକାଳ ହେଲା, ରାମ ବାବୁଙ୍କର କିଛିଭି ପ୍ରତିକ୍ରିୟା ଥିବାର ଜଣାପଡିଲାନି l ନିବେଦିତା ଭାବିନେଲା ଯେ କିଛି ବି ଗିଫ୍ଟ ତାପାଇଁ ନାହିଁ l ରାମ ବାବୁ ବି ସବୁଦିନ ଭଳି ତାଙ୍କର ନିତ୍ୟକର୍ମ ସାରି ଅଫିସ ଯିବାକୁ ବାହାରୁଛନ୍ତି l ନିବେଦିତା ଆଉ ସମ୍ଭାଳିନପାରି କାନ୍ଦ କାନ୍ଦ ହୋଇ କହି ଚାଲିଲା..... ତୁମକୁ ଗୋଟିଏ ଗୋଲାପ ଫୁଲ ବି ମିଳିଲାନି, ଆନିଭର୍ସାରୀରେ ଗିଫ୍ଟ ଦେବାକୁ? ସାଙ୍ଗମାନେ କେତେ ବଡ ବଡ ଗିଫ୍ଟ ସବୁ ପାଆନ୍ତି ଆନିଭର୍ସାରୀରେ , ଅଭିମାନ ଭରା ସ୍ୱରରେ ନିବେଦିତା କହି ପକେଇଲା l


ରାମ ବାବୁ କିଛି ଗୋଟାଏ ବଡ ଭୁଲ କରିଦେଇଛନ୍ତି ଭାବି ମନଟା ଟିକେ ଦୁଃଖ କରି ବସିଲେ l ମାତ୍ର ଏ କଥାକୁ ଭୁଲିଲେନି l ଆନିଭର୍ସାରୀରେ ଯେ ଏମିତି ଗିଫ୍ଟ ଦେବା କଥା, ଭାବି ମନେ ମନେ ଅନୁତାପ କଲେ l ସେ କଥାକୁ ମନ ଭିତରେ ସାଇତି ରଖିଲେ ଆର ବର୍ଷ ପାଇଁ l ଆର ବର୍ଷ ଦ୍ୱିତୀୟ ଆନିଭର୍ସାରୀ ଦିନ ମନେରଖି ସକାଳୁ ସକାଳୁ ଗୋଟିଏ ଗୋଲାପ ଫୁଲ କିଣି ସ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କଲେ l ଆଉ ଯେମିତି ସ୍ତ୍ରୀଙ୍କ ମୁଁହରୁ କୌଣସି ଅଭିଯୋଗ ଶୁଣିବେନି l

ନିବେଦିତା ଗୋଲାପ ଫୁଲ ପାଇ ଫିକ କିନା ହସିଦେଲା l ଏ ମଣିଷକୁ ଗାଳି ଦବ ନା ଭଲ ପାଇବ ନା ଅଭିମାନ କରିବ? ମନେ ମନେ ଭାବିବସିଲା, ଗୋଲାପ ଫୁଲ ବ୍ୟତୀତ ଆଉ କଣ କିଛି ଦିଆହୋଇ ପାରିନଥାନ୍ତା? ବାସ ସେହି ଗୋଟିଏ ଗୋଲାପ ଫୁଲ.........



Rate this content
Log in

Similar oriya story from Comedy