ଗୋଟେ ରାତି
ଗୋଟେ ରାତି
ବହୁତ ଦିନ ପୂର୍ବରୁ ବିଚାର କରିଥିଲୁ ଆମେ ତିନି ସାଙ୍ଗ ମିଶି ଥରେ ବୁଲିବାକୁ ଯିବୁ । ହାତ ଧରି ଚାଲିବା ପରଠୁ ଡାକ୍ତର ପଦବୀରେ ଚିହ୍ନା ହୋଇ ରୋଗୀଙ୍କ ମୁଖରେ ହସ ଫୁଟେଇ ଦେବା ପର୍ଯ୍ୟନ୍ତ ତିନି ଜଣ ସବୁବେଳେ ଏକତ୍ର ରହିଆସିଛୁ । ପାଖେ ପାଖେ ଘର ସାଙ୍ଗକୁ ଆମ ବାପା ମାନଙ୍କ ମଧ୍ୟ ସେଇ ଏକା ପ୍ରକାରର ଚାକିରୀ । ପାଠ ପଢାଠୁ ଆରମ୍ଭି ଖେଳ କୁଦ ତଥା ବଦମାସି ସବୁଥିରେ ଆମେ ସାଙ୍ଗ । ଠିକ୍ ଗାନ୍ଧୀଙ୍କ ତିନି ମାଙ୍କଡ଼ ପରିକା ।
ଏତେ ଘନିଷ୍ଠ ସଂପର୍କ ଥାଇ ମଧ୍ୟ କେବେହେଲେ ସମୟ ଠିକ୍ ଭାବେ ନିଜ ସପକ୍ଷରେ ନଥିବାରୁ ଆମେ ବୁଲିବାକୁ ଯିବୁ ଯିବୁ କହି ସମୟ ଗଡିଚାଲୁଥାଏ । ହଠାତ କେମିତି ସଂଯୋଗକୁ ଦିନେ ବିପୁ କହେ ଆଗାମୀ ସପ୍ତାହରେ କିଛି ଦିନ ପାଇଁ ଛୁଟି ନେଇ ବୁଲିବାକୁ ଯିବା । ତା ପ୍ରସ୍ତାବ ଠିକ୍ ଲାଗେ ବୋଲି ଆମ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଏ ।
ଚାରିଦିନର ରହତି ଓ ଭ୍ରମଣର ହିସାବ କରି ଆମେ ଯାଇଥାଉ ଦିଲ୍ଲୀ । ଆମ କଲେଜ ପଢି ସାରିବା ସମୟରୁ ସେଇ ଜାଗାକୁ ଛାଡି ଆସି ଆଉ ଯାଇପାରି ନଥାଉ ବୋଲି ସେଠି ବୁଲି ଆସିବାର ଉଦ୍ଦେଶ୍ୟ ରଖିଥାଉ । ଦିନେ ହଷ୍ଟେଲର ଚାରି କାନ୍ଥ ଭିତରେ ରହୁଥିଲୁ ହେଲେ ଏବେ ବଡ ଏକ ହୋଟେଲ ରୁମରେ ରହିବାର ଅନୁଭୂତି ଭିନ୍ନ ଥାଏ । ରୁମରେ ହିଁ ଜିନିଷ ସବୁ ରଖି ଖୁସି ମନରେ ବୁଲୁଥାଉ । ଆଜି ଏଠି କାଲି ସେଠି ଏମିତି ବୁଲି ବୁଲି ଦୁଇ ଦିନ ବିତେ । ତୃତୀୟ ଦିନ ଆମେ ବିଚାର କରୁ ହଷ୍ଟେଲ ପଟେ ଯାଇ ବୁଲି ଆସିବା । କଲେଜ, ହଷ୍ଟେଲ କିଛି ପୁରୁଣା ଗୁରୁ କିଛି ନୂଆଁ ଗୁରୁଙ୍କ ସହ ଭେଟ ଆଦି ଭିତରେ ଢେର ସାରା ଭଲ ପାଇବା ସାଉଁଟି ପୁଣି ଫେରିଆସୁ ରୁମକୁ ।
ହେଲେ ଦୁର୍ଭାଗ୍ୟ ଯେ ଆମେ ହଷ୍ଟେଲରୁ ଫେରିବା ସମୟରେ ଆମ ସହ ଫେରେ ବାପିର ଭୟ । ସେ ସେଇ ହଷ୍ଟେଲ ଭିତରୁ ହିଁ କିଛି ଗୋଟେ ସାୟା ଦେଖୁଥିବାର ବାରମ୍ବାର କହେ ହେଲେ ଆମକୁ ବିଶ୍ବାସ ହୁଏନି କିନ୍ତୁ ରାତିରେ ଯେବେ ସେ ଭୟଙ୍କର ଭାବେ ଚିତ୍କାର କରେ ଏବଂ ହାତ ଗୋଡ ସବୁକୁ ଯେମିତି ମୋଡି ଭାଙ୍ଗି ଦେଉଥାଏ ଆମେ ବୁଝିଯାଉ ଯେ ସେ ନିଶ୍ଚୟ କିଛି ଗୋଟେ ସାୟାର ଆୟତ୍ତାଧୀନ ।
ଦିଲ୍ଲୀ ସହରରେ ଆମର ଚିହ୍ନା କହିଲେ କେବଳ ଥାନ୍ତି ରାଜୁ ମଉସା । ସେ ଆମକୁ ହଷ୍ଟେଲ ବେଳରୁ ହିଁ ଭଲ ପାଆନ୍ତି । ତାଙ୍କ ଭଲ ପାଇବା ଆମ ପାଇଁ ଅସୀମିତ ଥାଏ । ଆମେ ହଠାତ୍ ତାଙ୍କ କଥା ମନେ କରି ବାପିକୁ ସେଇ ରୁମ ଭିତରେ ବନ୍ଦ କରିଦେଇ ରାଜୁ ମଉସାଙ୍କ ଘରକୁ ଯିବାକୁ ସ୍ଥିର କରୁ। ତାଙ୍କ ସାହାଯ୍ୟ ହିଁ ଆମକୁ ବଂଚାଇ ପାରିବ ବୋଲି ଆମ ଆଶା । ହେଲେ ସେଇ ସାୟରା ପ୍ରକୋପରେ ଆମ ପାଦ ମଧ୍ୟ ଆଗକୁ ବଢୁନଥାଏ । ସତେ ଯେମିତି କିଏ ଜାବୁଡି ଧରିଦେଇଛି ଏବଂ ଆମେ ଚାଲିବା ଖୁବ୍ ଦୂରର କଥା ହଲିବା ମଧ୍ୟ ଅସମ୍ଭବ ଥାଏ ।
କେମିତି କଣ କରାଯିବ ବୁଦ୍ଧି ବାଟ ବଣାଥାଉ । ସେତେବେଳେ ହିଁ ପିଣ୍ଟୁ ଉଚ୍ଚ ସ୍ବରରେ ଉଚ୍ଚାରି ଉଠେ ମହାମୃତ୍ୟୁଞ୍ଜୟ ମନ୍ତ୍ର । ବାରମ୍ବାର ତା ମନ୍ତ୍ର କାନରେ ବାଜିବା ପରେ ଶରୀରରେ ଭିନ୍ନ ଏକ ଅନୁଭବ ହୁଏ । ପିଣ୍ଟୁ ପରିକା ମୁଁ ମଧ୍ୟ ଲାଗିଯାଏ ଅବିରତ ଗାଇଚାଲିବାରେ । ରାତି ସାରା ଆମ ଆଖି ବନ୍ଦ ହୋଇନଥାଏ କି ମୁଖରୁ ମନ୍ତ୍ରନାଦ କମିନଥାଏ । ଏମିତି କରୁ କରୁ ଆମେ କେତେବେଳେ ଯେ ସେଇ ସାୟାର କବଳରୁ ମୁକ୍ତ ଆମେ ମଧ୍ୟ ଜାଣି ନଥାଉ । ହେଲେ ଯେତେବେଳେ ଅନୁଭବ ହୁଏ ସେତେବେଳେ ସଂଗେ ସଂଗେ ଯାଇ ଦେଖୁ ବାପିକୁ । ହୃଦୟର ଗତି ଚାଲୁଥାଏ ହେଲେ ସେ ଚେତାଶୂନ୍ୟ । ପିଣ୍ଟୁ ସଂଗେ ସଂଗେ ଗୋଟେ କାଗଜରେ ମନ୍ତ୍ରକୋ ଲେଖି ପିନ୍ଧେଇ ଦିଏ ବାପିର ଗଲାରେ । ମୁଁ ଓ ସେ ମିଶି ଏକାଠି ବାପିର ଦୁଇ କଡରେ ବସି ମନ୍ତ୍ର ଗାଇଚାଲୁ । ଦେଖୁ ଦେଖୁ ଏତେ ବଡ ରାତିର ଅନ୍ଧାର ଦୂରେଇ ଯାଇ ସକାଳର କିରଣ ଖେଳିବାକୁ ଲାଗେ । ମୁଁ ପିଣ୍ଟୁକୁ ବାପି ପାଖରେ ଛାଡି ଦେଇ ରାଜୁ ମଉସା ଘରକୁ ଯିବାକୁ ବିଚାର କରେ । କିନ୍ତୁ ପିଣ୍ଟୁକୁ ଏକା ଛାଡ଼ି ଦେଇ ଚାଲିଯିବା ମୋ ଦ୍ବାରା ହୁଏ ନାହିଁ ।
ତଥାପି ମୁଁ ଯାଏ ହୋଟେଲର ମାଲିକଙ୍କ ପାଖକୁ । ତାଙ୍କୁ ସବୁକଥା କହିଲେ କିଛି କାଳେ ସାହାଯ୍ୟ ମିଳିଯାଇପାରେ ସେଇ ଆଶାଟିଏ ରଖି । ସତକୁ ସତ ସେମିତି ହିଁ ହୁଏ । ମାଲିକଙ୍କ ମା ଜଣେ ଶିବ ଭକ୍ତ ଥିବାରୁ ସେ ସଂଗେ ସଂଗେ ତାଙ୍କ ମାଙ୍କୁ ଡାକି ଆଣନ୍ତି । ସେ ଆସି ବାପିର ଦେହେ ବୋଲି ଦିଅନ୍ତି ଗଙ୍ଗାଜଳ ସହ ଗଙ୍ଗାବାଲି । ତତ୍ସହ ରୁଦ୍ରାକ୍ଷର ମାଳିଟିଏ ବେକରେ ପିନ୍ଧେଇ ଦେଇ ଅବିରତ କିଛି ସମୟ ପାଇଁ ଚୁପ୍ ଚାପ୍ ଆଖି ବନ୍ଦ କରି ଉପାସନା କରନ୍ତି ।
ଘଣ୍ଟାଏ ଭିତରେ ବାପି ଆଖି ଖୋଲେ । ହେଲେ ତାକୁ ଉଠିବାକୁ ଶକ୍ତି ନଥାଏ ବେଶୀ । ହେଲେ କିଛି ସମୟ ଆରାମ କରିବା ପରେ ଓ ଖାଇବା ପିଇବା ଠିକ୍ କଲାପରେ ସେ ଠିକ୍ ହେବାକୁ ଲାଗେ । ଆମେ ସେଇ ମାଙ୍କ ଗୋଡ ତଳେ ପଡିଯାଇ ଧନ୍ୟବାଦ ଦେଉ । ହେଲେ ସେ ହସି ଦେଇ ସେଇ ଧନ୍ୟବାଦର ଶ୍ରେୟ ଟେକିଦିଅନ୍ତି ପ୍ରଭୁ ନୀଳକଣ୍ଠଙୂକ ଉପରେ । ଯିଏ ବାପିର ଦେହରେ ଖେଳିଯାଇଥିବା ସାୟା ରୂପୀ ବିଷକୁ ପାନ କରିଦେଲେ ।
ଗୋଟେ ରାତି ଆଜୀବନ ପାଇଁ ଆମକୁ ପରିବର୍ତ୍ତନ କରି କରାଇଦିଏ ଶୈବ ଭକ୍ତ । ତାଙ୍କ ଭକ୍ତିର ମହିମା ଆମ ସମଗ୍ର ଶରୀରର ରକ୍ତରେ ଖେଳିଯାଇଥାଏ । ଠାକୁରଙ୍କ ପରେ ଯଦି ଆମେ ତିନିଜଣ ମିଶି କାହାକୁ ବେଶୀ ପୂଜା କରୁ ତେବେ ସେ ହେଲେ ସେଇ ମା । ଯିଏ ଜନ୍ମଦେଲେ ନୂତନ ପୁଣିଥରେ । ସେଇ ମାଙ୍କ ପଣତର ଛାଇ ଭୟଙ୍କର ସାୟାକୁ ନିମିଷକେ ଦୂରେଇ ଦେଲା । ସେ ଦିନଠୁ ଅସଂଖ୍ୟ ଜନତା ଉପାସନା କରନ୍ତି ଆମର ଏବଂ ଆମେ କରୁ ତାଙ୍କର ।

