ଗୋମାତା
ଗୋମାତା


ଆମ ପଡ଼ିଶା ଘର ଦାଶବାବୁଙ୍କୁ ମୁଁ ପିଲାଟି ବେଳୁ ଦେଖିଛି। ବଡ଼ ଧର୍ମପରାୟଣ ବ୍ଯକ୍ତି ସେ! ମଥାରେ ରକ୍ତ ଚନ୍ଦନର ଟିପା, କାନ୍ଧରେ ଯଜ୍ଞ ଉପବିତ, ଗଳାରେ ତୁଳସୀ ମାଳି, ମଣିବନ୍ଧରେ ଭଳିକି ଭଳି ନାଲି ନେଳି ଶାଗୁଆ ଗେରୁଆ କଳା ସୂତ୍ରର ବର୍ଣ୍ଣାଳୀ। ନାନାଦି ଧର୍ମଗ୍ରନ୍ଥ ତାଙ୍କର କଣ୍ଠସ୍ଥ। କଥା କଥାକେ ରାମାୟଣ, ମହାଭାରତ, ପୁରାଣ, ବେଦ, ଉପନିଷଦର କାହାଣୀଗୁଡ଼ିକର ଅବତାରଣା କରନ୍ତି ସେ ସ୍ଥାନ କାଳ ପାତ୍ର ଓ ପ୍ରୟୋଜନ ଜ୍ଞାନ ଭୁଲି।
ଏ. ଜି. ଅଫିସରେ ଚାକିରୀ କରନ୍ତି ଦାଶବାବୁ। ପ୍ରତି ଦିନ ଏଗାରଟା ବେଳକୁ ଘରୁ ଅଫିସ୍ ବାହାରିପଡନ୍ତି ସ୍କୁଟର ଧରି। ଚାରିଟା ବେଳକୁ ଘରେ ହାଜିର। କଥା କଣ କି ଚାରି ଛଅଟା ଗାଈ ପାଳିଛନ୍ତି ସେ। ଆଜିକାର ମହଙ୍ଗା ବଜାରର ଦରଦାମ ଯାହା, ସେଥିରେ ବହୁପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା କାଠିକର ବ୍ୟାପାର। ଏଣୁ ଗୋପାଳନ ପରି ଏକ ଧାର୍ମିକ କାରବାର କରି କଲୋନୀ ଯାକର ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣମାନର ଦୁଗ୍ଧ ଯୋଗାଇ ଦିଅନ୍ତି ଦାଶବାବୁ। କେବେ ବି ମାପରେ ଠକିବାର ନଜିର୍ ନାହିଁ। ଏହା ହିଁ ତାଙ୍କର ବିଶେଷତ୍ବ!
ତାଙ୍କର ଗୋଟେ ଦେଶୀ କାଳୀଗାଈ ଥାଏ। ଯାହାକୁ ଅତି ଶ୍ରଦ୍ଧାରେ ତାଙ୍କ ସ୍ବର୍ଗବାସୀ ମାଆଙ୍କ ନାମାନୁସାରେ "ବିମଳି" ବୋଲି ଡାକନ୍ତି ସେ। ଅନ୍ୟ ଗାଈମାନେ ରାଜଧାନୀର ରାସ୍ତା ଘାଟରେ ଅଳିଆ କାଗଜ ପଲିଥିନ ଜରି ଆଦି ଚରୁଥିବା ବେଳେ ବିମଳି ପାଇଁ କିନ୍ତୁ ନିତି ଘାସକୁଟା ଖଞ୍ଜା। ଚୁନି ଚୋକଡ ସବୁଜ ଘାସ ଖାଇ ବେଶ୍ ସ୍ବାସ୍ଥ୍ୟବତୀ ସେ।
ନିଜ ହାତରେ ବିମଳିର ଦେଖାଶୁଣା କରନ୍ତି ଦାଶବାବୁ। ତା ଦେହରେ ମାଛିଟେ ବି ବସାଇ ଦିଅନ୍ତି ନାହିଁ ସେ। ପିଲାଟି ଦିନରୁ ବଡ଼ ଯତ୍ନରେ ଲାଳିତପାଳିତ ହୋଇଆସୁଛି ବିମଳି। ଓଳିକୁ ପଖାପାଖି ଦୁଇ ଲିଟର କ୍ଷୀର ଦିଏ ସେ। ଖୁବ୍ ଚଢା ଦରରେ ବିକ୍ରି ହୁଏ ଏଇ କ୍ଷୀର ବଡ଼ବଡ଼ିଆଙ୍କୁ।
ମୁଁ ବହୁବାର ମାନସିକ ପୂରଣ କରିବା ପାଇଁ ବିମଳିର କ୍ଷୀର ନେଇ ରୁଦ୍ରାଭିଷେକ କରାଇଛି। ଆଶାନୁରୂପ ସଫଳତା ହାସଲ କରିଛି ଜୀବନର ପ୍ରତିଟି କ୍ଷେତ୍ରରେ। ଏହି ହେତୁ ବିମଳି ସହ ମୋର ଏକ ପ୍ରକାର ଭାବଗତ ସଂପର୍କ। ଏମିତି କଟିଗଲା ଅନେକ ବର୍ଷ। ବିମଳି ଏବେ ବୃଦ୍ଧା, ଏଣୁ ଅପାଂକ୍ତେୟା। ଆଗଭଳି ଆଉ ସେ ଆଦର ଯତ୍ନ ପାଏ ନାହିଁ ଦାଶବାବୁଙ୍କ ଠାରୁ। କେବେ କେବେ ଖାଇବାକୁ ପାଏ ତ ଆଉ କେବେ କେବେ ବାହାରେ ଚରାବୁଲା କରେ। ସଞ୍ଜ ବୁଡ଼ିଲେ ପୁଣି ଫେରେ ଗୁହାଳକୁ। ତାର ଏଇ ଦୟନୀୟ ଅବସ୍ଥା ଦେଖିଲେ ମୋତେ ବଡ଼ ବିକଳ ଲାଗେ, ମାତ୍ର ମୁଁ ସଦା ସର୍ବଦା କିଂକର୍ତ୍ତବ୍ଯବିମୁଢ! ଏଇଟା ବି ମୋର ବିଶେଷତ୍ଵ!
ଦିନେ ସକାଳୁ ସକାଳୁ ଦୁଇ ଜଣ ଲୋକ ଗୋଟେ ମିନି ଟ୍ରକ୍ ଧରି ଦାଶବାବୁଙ୍କ ଘର ଆଗରେ ହାଜର। କୌତୁହଳ ବଶତଃ ମୁଁ ବାହାରକୁ ଆସି ଦେଖେ ତ, ଦାଶବାବୁଙ୍କ ହାତରେ ବିଡାଏ ନୋଟ୍, ବିମଳି ଆଖିରେ ଅସୁମାରି ଲୁହର ଜୁଆର। ଏଇ ତାର ଅନ୍ତିମ ଉପହାର ଜୀବନ ତମାମ ଦାନର! ମୋର ଆଉ କିଛି ବୁଝିବା ପାଇଁ ବାକି ନଥିଲା। ପ୍ରତିବାଦ କରିବାକୁ ସାହାସ କି ସ୍ବର ବି ନଥିଲା। କହିବି ତ କାହାକୁ? ଦାଶବାବୁଙ୍କୁ? ଯିଏ ନିଜ ସ୍ବର୍ଗବାସୀ ମାଆଙ୍କ ନାମରେ ପାଳିଥିଲେ ବିମଳିକୁ, ଆଜି କେଇଟା ଟଙ୍କା ପାଇଁ ବିକି ଦେଇଛନ୍ତି କଂସେଇ ହାତରେ ସମସ୍ତ ମାୟା ମମତାକୁ ତୁଟାଇ ଦେଇ।
ଏମିତି ଲକ୍ଷ ଲକ୍ଷ ବିମଳି ନିଜର ଉତ୍ପାଦିକା ଶକ୍ତି ହରାଇବା ପରେ ଅଲୋଡା ହୋଇଯାଆନ୍ତି ସେମାନଙ୍କର ପୁତ୍ର ତୁଲ୍ୟ ମାଲିକମାନଙ୍କ ପାଇଁ। ଜୀବନ ସାରା ଏହି କୃତଘ୍ନ ପୁତ୍ରଗଣଙ୍କୁ ଦୁଗ୍ଧ ରୂପକ ଅମୃତର ସେବା ପ୍ରଦାନ କରିବା ପରେ ମଧ୍ୟ କଂସେଇଖାନା ପାଲୋଟେ ସେମାନଙ୍କର ଅନ୍ତିମ ଆଶ୍ରୟସ୍ଥଳୀ। ଅଯାଚିତ ବାତ୍ସଲ୍ୟର ଏହା ହିଁ ପ୍ରତିଦିନ। ଯାହାକୁ ଗୋମାତାର ଆସନରେ ପୂଜା କରେ ସେ ଅଲୋଡା ହେବା ପରେ କଂସେଇ ହାତରେ ବିକିଦିଏ ଏ ସ୍ବାର୍ଥପର ମଣିଷ ସବୁ ମାୟା ମମତା ନ୍ୟାୟ ଧର୍ମ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ।
ଗୋ-ରକ୍ଷା ନାମରେ ଡିଣ୍ଡିମ ପିଟୁଥିବା କଳିକାଳର ଦିଲ୍ଲୀପ ମହାରାଜାମାନେ ସବୁ କିଛି ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି କାହାର ସ୍ବାର୍ଥରେ?