Lalita Mohan Mishra

Romance Classics

4  

Lalita Mohan Mishra

Romance Classics

ଗୋଲାପି ସ୍ମୃତିର ସନ୍ଧ୍ୟା

ଗୋଲାପି ସ୍ମୃତିର ସନ୍ଧ୍ୟା

9 mins
271



ସତରେ ଅତୀତଟା କାହା ପାଇଁ ବସନ୍ତର ମହୁଆ ଗୀତ ତ ଆଉ କାହା ପାଇଁ ମରୁଭୂମିର ସନ୍ତାପ । ପୁଣି ଅତୀତଟା କାହା ପାଇଁ ପୂର୍ଣ୍ଣିମାର ସ୍ନିଗ୍ଧ ଚନ୍ଦ୍ରାଲୋକ ତ କାହା ପାଇଁ ଅମାବାସ୍ୟା ର ଘୋର କାଳରାତ୍ର । କାହା ପାଇଁ ଅତୀତଟି ସୁଖର ମଧୁ ଚନ୍ଦ୍ରିକା ତ କାହା ପାଇଁ ଦୁଃଖର ଶିଳାଲେଖ । କାଳର ଗର୍ଭବେଦନାରେ ବର୍ତ୍ତମାନ କୁ ଜନ୍ମ ଦିଏ ଅତୀତ । କେବେ ଏ ଅତୀତ ଅଲୌକିକ, ତ କେବେ କଳଙ୍କିତ । କେବେ ପୁଣି ଏ ରହସ୍ୟମୟ ଅତୀତ । ଅଙ୍କିତା ଚାହେଁ ଅତୀତକୁ ଭୁଲିବାକୁ, ଆଉ ବର୍ତ୍ତମାନକୁ ନେଇ ବଞ୍ଚିବାକୁ । ଚେଷ୍ଟା କଲେ ମଧ୍ୟ ଭୁଲି ପାରେ ନାହିଁ । ସ୍ମୃତିର ଆଇନାରେ .. ରାତିର ସପନରେ ବିଗତ ଦିନର କଥାକୁ ଝୁରି ହୁଏ । ଗୁମୁରି ଗୁମୁରି କାନ୍ଦେ ।


ଅଙ୍କିତା ଭାବିହୁଏ... ବର୍ତ୍ତମାନ ମୋର ଏ ମରୁଭୂମିରେ, ମଧ୍ୟାହ୍ନର ତତଲା ବାଲିରେ ପାଦଟି ଯେଉଁଠି ପଡୁଛି ଖାଲି ଫୋଟକାର ଚିହ୍ନ । ତଥାପି ଏ ମନ ମାନୁନି ମୋହର । ସୁହାଗ ସିନ୍ଦୁର ମୋର ଫିକା ପଡିଛି । ହସ ତ କେବେଠୁ ଶୁଖି ଯାଇଛି । ଜୀବନର ଗତିପଥରେ ଏକା ଏକା ଚାଲି ଥକି ପଡିଲିଣି । ପଛକୁ ଚାହିଁଲେ ଶୂନ୍ୟ ପଦ ଚିହ୍ନ, କେହି ନାହିଁ ପଛରେ । ନିଃଶବ୍ଦ ରାତ୍ରିରେ ନିଃସଙ୍ଗ ପ୍ରହରରେ ଏବେ ବି ତୁମର ସେ ସ୍ମୃତିକୁ ଯାବୁଡି ଧରି ତୁହାଇ ତୁହାଇ କାନ୍ଦୁଛି । ବଞ୍ଚିବା ପାଇଁ କେବଳ ନିଜ ଲୁହ ନିଜେ ପିଇ ବଞ୍ଚିଛି । ତୁମର ପ୍ରେମକୁ ରୋମନ୍ଥନ କଲେ ଖାଲି ଲୁହ ହିଁ ଲୁହ । ହୃଦୟର ନଈ ଶୁଖିଲା ପଡିଛି, କାଚଧାର ପାଣି ମଧ୍ୟ ନାହିଁ । ମରଣ ନୁହେଁ ଏ ଜୀବନ ଦର୍ଶନ । ଯେତେ କଷ୍ଟ ହେଉ ନା କାହିଁକି ଆଗକୁ ବଢିବାର ପ୍ରୟାସ କରିବି । ଭାବି ଭାବି ଝିଅର ମୁଣ୍ଡରେ ହାତ ବୁଲାଇ ଆଣିଲା ।


ଦୁଃଖର ସାଗରରେ ସୁଖ ଖୋଜୁଛି ଅଙ୍କିତା । ଗୋଟିଏ ଅଡୁଆ ସୂତା ପରି ଜୀବନଟା । ଅଡୁଆ ସୂତା କେତେବେଳେ ଗଣ୍ଠି ପଡିଯାଏ ତ କେତେବେଳେ ସେହି ଅଡୁଆ ସୁତାଟି ଫିଟିବା ଆଗରୁ ଛିଣ୍ଡିଯାଏ । ଜୀବନଟା ମଧ୍ୟ ସେମିତି । ଏକା ଏକା ବଞ୍ଚିବାର କଷ୍ଟ ଏବେ ତା ପାଇଁ ପୁରୁଣା । ସହଜ ହୋଇଗଲାଣି ତାକୁ ଏଇ ଏକେଲା ଜୀବନ । ଆଉ ଲୋଡା ପଡୁନି କେଉଁ ଏକ ସାହାସୀ ପୁରୁଷର କାନ୍ଧ । ସମୟ ସହ ତାଳ ଦେଇ ଏବେ ଆଗେଇ ଚାଲିଛି ସେ । 


ଘର ବାହାରେ ଆକାଶକୁ ନିରୀକ୍ଷଣ କଲା ଅଙ୍କିତା । ସୂର୍ଯ୍ୟଙ୍କର କଅଁଳ କିରଣ ବିଛେଇ ହୋଇ ପଡିଛି । ପକ୍ଷୀ ଗୁଡିକ ନୀଡରୁ ବାହାରି ଖାଦ୍ୟ ସଂଗ୍ରହ କରିବାକୁ ଗଲେଣି । ଗାଈ ଗୁଡିକ ଗୋଠରେ ଯିବାକୁ ତତ୍ପର । କୃଷକଟି ହଳ ଧରି କ୍ଷେତକୁ ବାହାରି ଗଲାଣି । ପେପର ବାଲା ପେପର ପକେଇ ଦେଇ ଚାଲିଗଲାଣି । ଯେ ଯାହାର ଜୀବନ ଜୀବିକାରେ ଲାଗି ପଡ଼ିଛନ୍ତି । ଅଙ୍କିତା ପେଟ ଚାଖଣ୍ଡକ ପାଇଁ ଏହି ଅଫିସରୁ ସେହି ଅଫିସକୁ ଦୌଡି ଦୌଡି ଶେଷରେ ଗୋଟିଏ ଚାକିରୀ ପାଇଛି । 


ପେଟ ଚାଖଣ୍ଡେ ପାଇଁ ଅନେକ ଚେଷ୍ଟା ପରେ ବେସରକାରୀ ଚାକିରୀ ଖଣ୍ଡିଏ ଯୋଗାଡ କରିଛି। ମାତ୍ର ସେଥିରେ ବହୁତ ସମସ୍ୟା । ତା ଉପରେ ଅଫିସ୍ ଷ୍ଟାଫ୍ ଙ୍କର କୁଦୃଷ୍ଟି । ସେ ଅନୁଭବ କରେ, ଶାଢୀ ଫାଙ୍କରେ ଉଙ୍କି ମାରୁଥିବା ତା ଫୁଙ୍ଗୁଳା ଅଣ୍ଟାକୁ ସ୍ପର୍ଶ କରିବା ପାଇଁ ସେମାନଙ୍କ ତତ୍ପରତା । ଫାଇଲ୍ ବାହାନାରେ ବଡ ବାବୁଙ୍କର ବାରମ୍ବାର କେବିନ୍ ଭିତରକୁ ଡାକିବାର ବାହାନା । ଅସହଜ ଲାଗେ ତାକୁ । ତଥାପି ଯିବାକୁ ସେ ବାଧ୍ୟ । କେବଳ ନିଜ ଝିଅଟିର ମୁହଁକୁ ଚାହିଁ ତୁନି ହୋଇ ରହେ ସେହି ସମୟରେ । ବେଳେ ବେଳେ ଭାବେ... 


ଭାଗ୍ୟକୁ ଆଦରି ପର ପାଖରେ ଚାକିରୀ ଖଣ୍ଡେ କରିଛି ବୋଲି କଣ ନିଜର ଇଜ୍ଜତ୍ ମହତ ବୋଲି କିଛି ନାହିଁ ? ସ୍ୱାମୀ ପରିତ୍ୟକ୍ତା ବୋଲି କଣ ସଭିଙ୍କ ଆଖିରେ ଉପଭୋଗ୍ୟା ବସ୍ତୁ ? ମୋର ବା ଦୋଷ କଣ? ଯାହାକୁ ଦେବତା ମଣି ସାରା ଜୀବନ ଦାସୀ ଟିଏ ହେବାକୁ ମନସ୍ତ କରିଥିଲି, ସେ କଣ ଏମିତି ଅବସ୍ଥାରେ ଛାଡି ଚାଲିଯିବେ ବୋଲି ଭାବିଥିଲା। ଯାହାର ଘର ଅଗଣାକୁ ସ୍ୱର୍ଗ ଭାବି ଚଉଁରା ମାଟିକୁ ଅମୃତ ମଣିଲି । ସିଏ ଯେତେବେଳେ ନିଜର ନ ହୋଇ ପର କରିଦେଲା । ସେତେବେଳେ ସେ ଆଉ କଣ କରି ପାରିଥାନ୍ତା  ? 


ଆଜି ଯଦି ତାର ବାପା ବଞ୍ଚି ଥାଆନ୍ତେ ତେବେ କଣ ଏତେ କଷ୍ଟ ଲାଗୁଥାନ୍ତା ! ଜୀବନର ରାସ୍ତା ଲମ୍ବା । ବାପାଙ୍କ ଛାଇରେ ଟିକେ ଶାନ୍ତିରେ ନିଶ୍ୱାସ ମାରୁଥାନ୍ତା ସେ । ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚାପଗ୍ରସ୍ତ ବିବ୍ରତ କରିଦେଉଛି ତାକୁ । ଆଜି ଯଦି ପାଖରେ ଶ୍ରେୟାଂଶ ଥାଆନ୍ତେ ଏତେ କାହିଁକି ଅସୁବିଧା ହୋଇ ଥାଆନ୍ତା ? ? ?


ବିବାହର ବର୍ଷକ ପରେ ଜାମସେଦପୁର ତାଙ୍କର ଚାକିରୀ କ୍ଷେତ୍ରକୁ ନେଇଥିଲେ ଶ୍ରେୟାଂଶ । ଭଲ କ୍ବାଟର । ଭଲ ପରିବେଶ । ଅନ୍ୟ ଷ୍ଟାପଙ୍କ ମିସେସ୍ ସହିତ ମିଶିବାର ଏକ ଅନନ୍ୟ ଅନୁଭୂତି । କଲୋନୀରୁ ବାହାରି ବଣଭୋଜି କରି ଯିବା ହେଉ କି ସମସ୍ତେ ମିଶି ପାର୍ଟିରେ ଯୋଗଦେବା । ବଢିଆ ଲାଗେ । ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇଗଲା ଭଳି ଲାଗେ । କିଏ କେଉଁଠୁ ଆସିଛୁ ସେତେବେଳେ ଜଣା ପଡେ ନାହିଁ ।


ଶ୍ରେୟାଂଶ ଅଫିସ୍ ଚାଲିଗଲା ପରେ ପଡୋଶୀ ରୀତା ଦିଦି, ନରେଶ ବାବୁଙ୍କ ମିସେସ୍ ଲତା ଭାଉଜ, ମଣି ଅପା ପ୍ରାୟ ସମୟ ଆମ ଘରକୁ ଆସନ୍ତି । ହସ ଖୁସି ମଜାଗପ କରୁ । ସେ ଅଫିସ୍ ରୁ ଫେରିବା ବେଳକୁ ଯେ ଯାହାର ଘରକୁ ଚାଲି ଯାଆନ୍ତି । ଶ୍ରେୟାଂଶ ଛୁଟି ଦିନ ଗୁଡିକରେ ଜାମସେଦପୁରର ଡାଲମା ଓ୍ବାଲଡ୍ ଲାଇଫ୍, ଭୁବନେଶ୍ୱରୀ ମନ୍ଦିର ଇତ୍ୟାଦି ବୁଲାଇ ନିଅନ୍ତି । କିଛି ଦିନର ରହଣୀ ପରେ ପୂଜା ଛୁଟିରେ ଗାଁ କୁ ଆସିବାକୁ ମନସ୍ଥ କଲୁ ।


ସେଦିନ ଉତ୍କଳ ଏକ୍ସପ୍ରେସରେ ଗାଁ କୁ ଆସୁଥିଲୁ । ଖଡଗପୁର ଷ୍ଟେସନରେ ପାଣି ଆଣିବାକୁ, ଆଉ କିଛି ଜିନିଷ ଆଣିବାକୁ ଶ୍ରେୟାଂଶ ଟ୍ରେନରୁ ଓହ୍ଲାଇଲେ । ଟ୍ରେନ୍ ପ୍ରାୟ ଅଧ ଘଣ୍ଟା ରହିଲା । ଶ୍ରେୟାଂଶ ଆସିବାର ନାମ ଧରୁ ନାହାଁନ୍ତି । ଟ୍ରେନ୍ ଛାଡିବା ସମୟ ହୋଇଗଲା । ଶ୍ରେୟାଂଶର ଦେଖା ଦର୍ଶନ ନାହିଁ। ମୁଁ ବିଚଳିତ ହୋଇଗଲି । ଟ୍ରେନ୍ ରୁ ଓହ୍ଲାଇ ଚାରିଆଡେ ଦେଖିଲି କାଳେ ଆସୁଥିବେ । ଟ୍ରେନ୍ ହର୍ଣ୍ଣ ମାରିଲା । ଧିରେ ଧିରେ ଟ୍ରେନ୍ ର ଗତି ଛୁକ୍ ଛୁକ୍ ହୋଇ ଆରମ୍ଭ ହେଲା । ଟ୍ରେନ୍ ର ଛୁକ୍ ଶଦ୍ଦ ସହିତ ମୋର ଛାତିର ସ୍ପନ୍ଦନ ବଢିବାରେ ଲାଗିଲା । ଗାଡି ଛାଡି ଦେଲା । ସେଥିରେ ଥିବା ଜିନିଷ ପତ୍ର ମଧ୍ୟ ଚାଲିଗଲା ।


ରେଲୱେ ଷ୍ଟେସନର ପୋଲିସକୁ ଶ୍ରେୟାଂଶ ବିଷୟରେ ଅବଗତ କରାଇଲି । ସେମାନେ ଆଖ ପାଖ ଖୋଜା ଖୋଜି କଲେ । ସବୁ ପୋଲିସ୍ ଷ୍ଟେସନ୍ କୁ ଜଣାଇଦେଲେ । କେଉଁଠି ହେଲେ କିଛି ଖୋଜ୍ ଖବର ମିଳିଲା ନାହିଁ । ଘରକୁ, ବନ୍ଧୁ ବାନ୍ଧବଙ୍କୁ ଚାରିଆଡେ ଫୋନ୍ ଫାନ୍ କଲି କିନ୍ତୁ ସୁଫଳ ମିଳିଲା ନାହିଁ । ଦୁଇ ଦିନ ସେଠାରେ ରହି ଖୋଜା ଖୋଜି ପରେ ଗାଁ କୁ ଫେରିଲି ।


ସେତେବେଳକୁ ଛନ୍ଦା ଦେହରେ ସାତ ମାସର । ପୁଅ ଚାଲିଯିବା ପରେ ଶାଶୁ ଶ୍ବଶୁରଙ୍କର ବିଭିନ୍ନ କଥା ଭାଷା । ସେଠାରେ ଏକ ପ୍ରକାର ନିର୍ଯାତନା । ଶାଶୁଘରେ କିଏ ହେଲେ ଭଲ ପାଇଲେ ନାହିଁ । ବାପ ଘରକୁ ଚାଲି ଆସିଲି । କିଛି ଦିନ ପରେ ଛନ୍ଦା ଜନ୍ମ ହେଲା । ଆଖିର ଲୁହକୁ କେତେ ଚାପି ଧରି ଆଗକୁ ଚାଲିବି ? ନିଃସଙ୍ଗ ଜୀବନ । ଭାଇ ଭଗରିଆ ଘର । ବାପା କେଉଁ ଦିନ ଠାରୁ ଚାଲି ଗଲେଣି । ମାଆ ଏକୁଟିଆ । ମାଆ ଉପରେ ମୁଁ ପୁଣି ବୋଝ । ଝିଅ ବିବାହର ପରେ ମାଆ ଶାନ୍ତିରେ ପୁଅ ମାନଙ୍କ ପାଖରେ ଥିଲା । ମୁଁ ଫେରିଆସି ତା'ର ଚିନ୍ତା ବଢାଇଲି । ଭାଇ ମାନେ ଯେ ଯାହାର ସ୍ବଳ୍ପ ରୋଜଗାରରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । "ଦେଲା ନାରୀ ହେଲା ପାରି" ଝିଅ ଶାଶୁ ଘର ଗଲା ପରେ ସାଧାରଣତଃ ବାପ ଘରର ଚିନ୍ତା ଯାଏ । ମୁଁ ଏକ ଅସୁବିଧାରେ ପଡି ଫେରି ଆସିବାରୁ ପ୍ରଥମେ ପ୍ରଥମେ ସମସ୍ତେ ଆଦର କଲେ । ପରେ ପରେ ଅନାଦରର ପାତ୍ରି । 


ଛନ୍ଦା ଟିକେ ବଡ ହୋଇ ଗଲାଣି । ଅନ୍ଧାର ଭିତରେ ଆଲୋକର ସନ୍ଧାନ କରୁଛି । ମାଆକୁ ଜଣାଇଲି - ମୁଁ ମୋର ଅନ୍ନ ସଂସ୍ଥାନ କରିବାକୁ ଇଛା ଚାହୁଁଛି। ମାଆ ମନାକଲା ନାହିଁ । ମନା କରିବା ସମୟ ମଧ୍ୟ ମାଆ ପାଖରେ ଆଉ ନାହିଁ । ଏବେ ସେ ତ ପର ଉପରେ ବୋଝ । କେତେବେଳେ କେଉଁ କଥା । ସଦାବେଳେ କ'ଣ ଭାଇ ମାନଙ୍କର ବୋଝ ହୋଇ ରହିଲେ, ଭାଉଜ ମାନେ ଭଲ ପାଇବେ ? ତା ଅପେକ୍ଷା ନିଜର ରାସ୍ତା ତ ପୁଣି ନିଜେ ଦେଖିବାକୁ ପଡ଼ିବ ।


ଅଙ୍କିତା ଘର ଛାଡିଦେଲା । ସହରରେ ଗୋଟିଏ ଘର ଭଡା ନେଇ ଛନ୍ଦା ସହିତ ରହିଲା । ବି. ଏ ପାଶ୍ କରିଥିଲା । ଯେ କୌଣସି ଚାକିରୀ ମିଳିଲେ ମଧ୍ୟ ମାଆ ଝିଅ ଦୁହେଁ ଚଳିଯିବୁ ବୋଲି ଚାକିରୀଟି କଲା । ଛନ୍ଦାର ଦରୋଟି ଓଠରେ ମିଠା ମିଠା ହସ - ନୂଆ ନୂଆ ଅସ୍ପଷ୍ଟ ଅଦ୍ଭୁତ କଥା କେଇପଦ । ତାର ମଧୁର ଚପଳ କୌତୁକକୁ ଉପଭୋଗ କରିବାକୁ ଭାରି ଭଲ ଲାଗେ ; ହେଲେ ସେ କୌତୁକକୁ ଏକା ଏକା ଉପଭୋଗ କରି ହୁଏ ନାହିଁ । ଯାହାର ସନ୍ତକ ସେ ସ୍ମୃତି ପଟଳରେ ଆସି ଯାଆନ୍ତି । ଅମାନିଆ ଲୁହ ଚିବୁକ ଦେଇ ଗଡିଯାଏ । ଛନ୍ଦା ଏବେ ସ୍କୁଲରେ ପଢୁଛି । ତେଣୁ ତାକୁ ଛାଡି ଅଫିସ୍ ଯିବାକୁ ଅସୁବିଧା ହେଉନାହିଁ । 


ଅଫିସ୍ !! ଦୀର୍ଘଶ୍ୱାସ ଛାଡିଲା ଅଙ୍କିତା । ସେଇଟା ଅଫିସ୍ ନୁହେଁ ତ ; ଗଦା ଗଦା ଶୃଗାଳଙ୍କ ଆଡ୍ଡା ସ୍ଥଳି । ଯେମିତି କି ଗୋଟିଏ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି ସେମାନେ । ସମୟ ମିଳିବା କ୍ଷଣି ଝାମ୍ପି ପକାଇବେ ଚିଲ ଶାଗୁଣାଙ୍କ ଭଳି । ତାପରେ ଫିଙ୍ଗି ଦେବେ ରାସ୍ତାକଡ କେଉଁ ଅଳିଆ ଗଦା କିମ୍ବା କିଆବୁଦା ମୂଳେ । ସେ ବହୁତ ଭଲ ଭାବେ ଚିହ୍ନେ ଏ ପୁରୁଷ ଜାତିଙ୍କୁ । ସେଥିପାଇଁ ତ ନିଜ ସ୍ୱାଭିମାନକୁ ନେଇ ଇଜ୍ଜତ ର ସହ ବଞ୍ଚିବାକୁ ଇଛାକରେ ।


ଅଫିସ୍ କୁ ଚାଲି ଚାଲି ଯାଏ । ବେଳେ ବେଳେ ଡେରି ହୋଇଗଲେ ରିକ୍ସାରେ ଚାଲିଯାଏ । ପ୍ରଧାନ ବାବୁଙ୍କର ଡାହାଣିଆ ଆଖିଟା ଏବେ ପଡିଛି ଅଙ୍କିତା ଉପରେ । ପ୍ରଧାନ ବାବୁ ଦୁଇଟି ସନ୍ତାନର ଜନକ । ହେଲେ ପର ତରକାରୀ ସୁଆଦ ନ୍ୟାୟରେ ଲୁଚି ଲୁଚି ଭଲ ପାଉଛନ୍ତି ଅଙ୍କିତାକୁ । ପତିତା ସ୍ତ୍ରୀ ସମସ୍ତଙ୍କର ଦୃଷ୍ଟିରେ ଯେମିତି ପ୍ରେମିକା ସଦୃଶ । ତାକୁ ନେଇ ଯିଏ ଯାହା କଳ୍ପନା କରିପାରେ । ତାହାର ମନର କଥାକୁ, ହୃଦୟର କଥାକୁ ବୁଝିବାକୁ ନାରାଜ ।


ପୁରୁଷ ହୃଦୟରେ ନାରୀର ସ୍ଥାନ ପଦ୍ମ ପତ୍ରର ଜଳ ବିନ୍ଦୁ ପରି ଅସ୍ଥିର, ଟଳମଳ । ଟିକିଏ ପବନରେ ତାହା ଖସିପଡି ନିଶ୍ଚିହ୍ନ ହୋଇଯାଏ । ଜଳର ସ୍ପର୍ଶ ଯେମିତି ପଦ୍ମ ପତ୍ରରେ ଲାଗେ ନାହିଁ, ଜଣେ ନାରୀକୁ ପ୍ରେମ କଲେ ପୁରୁଷ ଚରିତ୍ରରେ ସେମିତି ଦାଗ ଲାଗେ ନାହିଁ । ତେଣୁ ତ କହିଛନ୍ତି - ପୁରୁଷ ପିତ୍ତଳ ଗରା, ଆଉ ନାରୀ ମାଟି ମାଠିଆ ।


ସେଦିନ ପାଞଟା ପରେ ହୋଇଗଲା ଅଫିସ୍ ଫାଇଲ ସାରୁ ସାରୁ । ଶୀତ ଦିନ ପାଞ୍ଚଟା ମାନେ ସନ୍ଧ୍ୟା । ରିକ୍ସାଟିଏ ମିଳିଲା ନାହିଁ । ଛନ୍ଦା କେତେବେଳୁ ସ୍କୁଲରୁ ଫେରି ପଡିଶା ଘର ମାଉସୀଙ୍କ ପାଖରେ ଥିବ ନା ସ୍କୁଲରୁ ଆସିଲା ନାହିଁ ? ଏସବୁ ଭାବି ଭାବି ଆସୁଥାଏ ହଠାତ୍ ଆଗରେ ମଟର ସାଇକେଲଟି ଅଟକି ଗଲା । ମ୍ୟାଡାମ୍ ! ଯଦି କିଛି ନ ଭାବିବେ ମୋ ଗାଡିରେ ବସନ୍ତୁ ମୁଁ ଆପଣଙ୍କୁ ଆପଣଙ୍କ ଘର ପାଖରେ ଛାଡିଦେବି । ଏ ତ ଆମ ଅଫିସର ପ୍ରଧାନବାବୁ । ଚାଲି ଚାଲି ଗଲେ ରାତି ହୋଇଯିବ । ଅଗତ୍ୟା କିଛି ଚିନ୍ତା କରିବା ପୂର୍ବରୁ ବାଧ୍ୟ ହୋଇ ବସି ପଡିଲା ଅଙ୍କିତା । ପ୍ରଧାନ ବାବୁ କିଛି କହିବାକୁ ଚାହୁଁଥାନ୍ତି କିନ୍ତୁ ଅଙ୍କିତା ନ ଜାଣିଲା ପରି ଗପି ଚାଲୁଥାଏ । ମଝିରେ ମଝିରେ ଗାଡିର ବ୍ରେକ୍ ଏମିତି ଦିଅନ୍ତି ଯେ ଅଙ୍କିତା ତାଙ୍କୁ ଧରି ପକାଏ ।


ସେଦିନ ଘର ପାଖରେ ଛାଡି ଦେଇ ଗଲେ ପ୍ରଧାନ ବାବୁ । ନବା ଆଣିବା ବାହାନରେ ଧିରେ ଧିରେ ପ୍ରଧାନ ବାବୁ ଅଙ୍କିତାର ନିକଟତର ହେଲେଣି । ଅଫିସ୍ ରେ ଏ କଥା ସମସ୍ତେ ଟୁପୁରୁ ଟାପର ହେଲେଣି । ଜଣେ ଦି ଜଣ ବୂଲାଇ ବଙ୍କେଇ ପରିହାସ କରି ପ୍ରଧାନ ବାବୁଙ୍କ କଥା କହିଲେଣି । ଅଙ୍କିତାକୁ ଏଗୁଡିକ ଭଲ ଲାଗିଲା ନାହିଁ । "ଜାନ୍ ଯାଉ ପର ମାନ୍ ଥାଉ" ଯେତେ ଅସୁବିଧା ହେଲେ ମଧ୍ୟ ପ୍ରଧାନ ବାବୁଙ୍କ ସାଥିରେ ଆସିବ ନାହିଁ ବୋଲି ନିଷ୍ପତ୍ତି ନେଲା । ଶନିବାର ହୋଇଥାଏ ଅଫିସ୍ ର ଷ୍ଟାପ୍ ଯେ ଯାହାର ଗାଁ କୁ ଯିବେ ବୋଲି ବାହାରି ଗଲେଣି । ସାର୍ ତିନିଟା ପରେ ଆଉ ଆସି ନାହାଁନ୍ତି । ବଡ ବାବୁ କାର୍ଯ୍ୟରେ ବ୍ୟସ୍ତ ।


ଶୀଘ୍ର କାମସାରିଲେ ଘରକୁ ଯିବ ବୋଲି ତତ୍ପର ଅଙ୍କିତା । ଏହି ସମୟରେ ଏକୁଟିଆ ଦେଖି ପ୍ରଧାନ ବାବୁ ଅଙ୍କିତାର ଟେବୁଲ ପାଖକୁ ଆସିଲେ । ଯଦି କିଛି ଖରାପ ଭାବିବ ନାହିଁ ଅଙ୍କିତା ଗୋଟିଏ କଥା କହିବାକୁ ଇଛା କରୁଅଛି । ଅଙ୍କିତା ଶୁଣି ନ ଶୁଣିଲା ପରି କାର୍ଯ୍ୟରେ ବ୍ୟସ୍ତ ରହିଲା । କାମ ସାରି ଶୀଘ୍ର ଘରକୁ ପଳାଇ ଆସିଲା । ପ୍ରଧାନ ବାବୁଙ୍କ ମନର କଥା ମନରେ ରହି ଗଲା । ଅଙ୍କିତା ଏଥର ଲକ୍ଷ୍ୟ କଲା - ପ୍ରଧାନ ବାବୁ ଭଲରେ ହେଉ ଅଥବା ଭେଲରେ ହେଉ ନିଜ ଅକ୍ତିଆରରେ ପକାଇ ବାକୁ ଚେଷ୍ଟା କଲେ ଅଙ୍କିତାକୁ ।


ଅଙ୍କିତା ଲୋକ ମାନଙ୍କ ଟାହି ଟାପର ଏବଂ ନିଜ ସମ୍ମାନକୁ ଜଗି ଦୁଇତିନି ଦିନ ଛୁଟି ନେଇଗଲା । ପରବର୍ତ୍ତୀ ସମୟରେ ପ୍ରଧାନ ବାବୁଙ୍କ ଆବ ଭାବ ଅସହିଷ୍ଣୁ ମନେ ହେଲା । ଚାକିରୀ ଛାଡ଼ି ଦେବ ବୋଲି ଚିନ୍ତା କଲା । କାହାକୁ କିଛି ନ ଜଣାଇ ଅଫିସ୍ ଗଲା ନାହିଁ । କାହିଁକି ଅଙ୍କିତା ଆସୁନାହିଁ ବୋଲି ପ୍ରଧାନ ବାବୁ ଅଙ୍କିତା ଘରେ ହାଜର । ଅଙ୍କିତା ପ୍ରଧାନ ବାବୁଙ୍କୁ ମନ ଇଛା କହିଗଲା । ମୋତେ ଆପଣ କ'ଣ ବାରଙ୍ଗନା ଭାବିଲେ କି ? ପ୍ରଶ୍ନ କଲା । ପ୍ରଧାନ ବାବୁଙ୍କ ଉତ୍ତର ନାହିଁ । ହଠାତ୍ ଝିଅ ଛନ୍ଦା ଆସି ଡାକିଲା - ମାଆ ! କେହି ଜଣେ ବାବୁ କାର୍ ରେ ଆସିଛନ୍ତି । ତୋର ନାମ ଧରି ଏଠାରେ ରହୁଛନ୍ତି କି ପଚାରୁଛନ୍ତି ! ! !


ଶଙ୍କୋଚି ଗଲା ଅଙ୍କିତା । ବଡ ଗାଡି ପୁଣି ଏହି କୁଡିଆ ଆଗରେ !  ଆଶ୍ଚର୍ଯ୍ଯାନିତ୍ବ ହୋଇ ଆଗକୁ ବଢିବାକୁ ଚେଷ୍ଟା କଲା । ବଡ କାର୍ ଭିତରେ ବସିଥିବା ମଣିଷକୁ ଦେଖି କିଛି ସମୟ ପାଇଁ ସ୍ଥିର ହୋଇଗଲା ସେ । ଛାତି ଭିତରୁ ଉଚ୍ଚାଟ ମାରିଲେ ଅବଦମିତ କୋହ ସବୁ । ନିଜକୁ ଆଉ ସମ୍ଭାଳି ପାରିଲାନି ସେ । ଦଉଡିଗଲା କାର୍ ନିକଟକୁ । ଆଉଜାଇ ପଡିଲା ସେହି ପରିଚିତ ଲୋକର ଛାତି ଉପରେ । ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନଥିଲେ । ଥିଲେ ତା ଛନ୍ଦାର ବାବା ଶ୍ରେୟାଂଶ, ତା ଇହକାଳ ପରକାଳର ପତି ପରମେଶ୍ଵର । 


ସଂପୂର୍ଣ୍ଣ ବଦଳି ଯାଇଥିଲେ ଶ୍ରେୟାଂଶ । ସେହି ସମୟ ସେହି ବୟସ ଆଉ ନ ଥିଲା । ତାଙ୍କ ଆଖିରେ ଏବେ ଛଳ ଛଳ ହେଉଥିଲା ଅଶ୍ରୁ । ଖଡଗପୁର ଷ୍ଟେସନରେ କିଛି ଗୁଣ୍ଡାମାନେ ତାଙ୍କୁ ହତ୍ଯା କରିବେ ବୋଲି ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇଥିଲେ । ଜାମସେଦପୁର ପୁରର ଠିକାଦାର ସହିତ କିଛି କାମକୁ ନେଇ ବଚସା ହୋଇଥିଲା । ଏମିତିକି ଦେଖା ଦେଖି ପର୍ଯ୍ୟନ୍ତ କଥା ଯାଇଥିଲା । ମୁଁ ପରିବାର ସହିତ ଗାଁ କୁ ଯାଉଛି ବୋଲି ସେ ଖଡଗପୁର ଅପରାଧୀଙ୍କ ସାହାର୍ଯ୍ୟ ନେଇଥିଲା । ସେମାନେ ମୋତେ ଜୀବନରେ ମାରି ଦେବା ପାଇଁ ଯୋଜନା କରିଥିଲେ । ସେମାନଙ୍କର ଆଘାତରେ ମୋର ଚେତନା ଶକ୍ତି ଚାଲି ଯାଇଥିଲା । 


ସେଠାରେ ଜଣେ ମାରଓ୍ବାଡି ମୋତେ ଉଦ୍ଧାର କରି ମୋର ଚିକିତ୍ସା କଲେ । ମୁଁ କିଛି ଦିନ କୋମାରେ ରହିଲି । ଭଲ ହେଲା ପରେ ମଧ୍ୟ କିଛି ଜାଣି ପାରିଲି ନାହିଁ । ମାରଓ୍ବାଡିଙ୍କ ବ୍ୟବସାୟ ଥାଏ ତାକୁ ବୁଝା ବୁଝି କଲି । ଧିରେ ଧିରେ ମୋର ମେମୋରି ପାଓ୍ବାର ଫେରିବାକୁ ଦୀର୍ଘ ଦିନ ଲାଗିଲା । ଯେତେବେଳେ ମୋର ସ୍ତ୍ରୀ ଘର ଦ୍ବାର କଥା ମନେ ପଡ଼ିଲା ଖୋଜା ଖୋଜି ଏଠାକୁ ଆସିଲି । ଜୀବନର ସୁଅରେ ଆଗକୁ ଭାସିବା ପାଇଁ ଏବେ ଦୁହେଁ ହେଉଥିଲେ ପ୍ରସ୍ତୁତ । ଅଙ୍କିତା କହିଲା - 


ଚାଲ ନା ...ଶ୍ରେୟାଂଶ ଥରୁ ଟିଏ ଫେରିଯିବା ସେହି ଅତୀତକୁ । ଦେଖି ଆସିବା ଥରେ ମିଉଜିୟମ୍ ର ସେ ତୋପ ରଖା ବରଗଛ ମୂଳ । ବୁଲି ଆସିବା କାଠଯୋଡି ଓ ମହାନଦୀର କୂଳ। ଚାଲ ନା ...କଣ ଭାବୁଛ ଚାଲ..ଟିକେ ଦେଖି ଆସିବା ଆମେ ଛାଡି ଆସିଥିବା ସମୟକୁ । 

ସାଉଁଟି ଆଣିବା ଆମ ବର୍ଷା ଭିଜା ଦିନ ଗୁଡ଼ାକୁ । ଏଇ ନିଅ .. ନିଅ ମାଏ ସେ ନାରଙ୍ଗୀ ଛତା । କେତେ ଜାଗା ଚିରା ସିଲେଇ ମରା, ସୂତା ଗୁଡ଼ା ଫିଟିଲାଣି ତଥାପି ଜାବୁଡ଼ି ଧରିଛି ଆମ ଧୂଳି ଲଗା ସ୍ମୃତି । ମେଘୁଆ ସଂଜରେ ପୁଣି ଥରେ ଜାକିଜୁକି ହୋଇ ବସି ଯିବା ଚାଲ ନା .. । ଚାଲ ନା ମନ୍ଦିରରେ ପୁଣି ଥରେ ଦୀପ ଟିଏ ଜାଳିଦେବା ପରସ୍ପର ପାଇଁ । ଓଠ ଭର୍ତ୍ତି ପି ଆସିବା ଆମ ଶାଗୁଆ ସ୍ମୃତି ...କଣ ଭାବୁଛ ?? ବୟସ ହୋଇ ଯାଇଛି ? ? ହେ ହେ..ତମେ ନା.. ଶୁଣ....ସ୍ବାମୀ ସିନା ବୁଢା ହୁଏ ପ୍ରେମିକ ତ ବିଚରା ଚିର ଯୁବକ । ଏଇ ନିଅ ଥାମି ନିଅ ମୋର ହାତ ..ଚାଲ ପୁଣି ଥରେ ...ପୁଣି ଥରେ ଜିଇଁ ଆସିବା ଆମ ଗୋଲାପି ଅତୀତ.......


Rate this content
Log in

Similar oriya story from Romance