ଗୋଲାପ
ଗୋଲାପ
ପ୍ରୀତି ସବୁଦିନ ଛାତ ଉପରକୁ ଯାଆନ୍ତି ଦିନକୁ ଦୁଇଥର, ଥରେ ଚଉରା ପୂଜା ପାଇଁ ସକାଳେ, ଆଉ ଥରେ ସନ୍ଧ୍ୟାବତୀ ଲାଗାଇବାକୁ ସଂଜରେ. ଦ୍ୱିତୀୟ ଥର ସଞ୍ଜ ଲାଗିବାର ବହୁ ପୁର୍ବରୁ ଯିବାର କାରଣ, ପକ୍ଷୀ ଦେଖିବା, ସେମାନଙ୍କର ନୀଡ କୁ ଫେରିବା ଦୃଶ୍ୟ ଓ କେଉଁ ପକ୍ଷୀଙ୍କର କେଉଁ ସ୍ୱର ତାହା ଗବେଷଣାତ୍ମକ ଦୃଷ୍ଟି ରେ ଦେଖି ସେହି ପକ୍ଷୀକୁ ସ୍ୱର ଅନୁକରଣ କରି ଠାବ କରିବା ଭିତରେ ଗଳ୍ପ କବିତା କାହାଣୀ ଓ ଉପନ୍ୟାସ ତଥା ପ୍ରବନ୍ଧ ପାଇଁ ବହୁ ତଥ୍ୟ ମିଳିଯାଏ ପ୍ରୀତିଙ୍କୁ ସେହି ନିର୍ଜ୍ଜନ ନହେଲେ ଵି ପ୍ରକୃତିର ଦୃଶ୍ୟାବଳୀ ସମୂହରୁ, ତାଛଡା ଆଉ ଗୋଟିଏ ବଡ଼ କାମ ଥାଏ ଫୁଲଗଛ ମାନଙ୍କରେ ପାଣି ଦେବା, ଶୁଖିଲା ଡାଳ ପତ୍ର ଭାଙ୍ଗି ପରିଷ୍କାର କରିବା ତ ବେଳେ ବେଳେ ମାଙ୍କଡ଼ ଆସି ସେଗୁଡିକ ନଷ୍ଟ କରିଯିବାରେ, ଦୁଃଖ କରୁ କରୁ ପାଣି ଢାଳି ମାଟି ଦେଇ ପୁଣି ପ୍ରତିରୋପଣ ର ଚେଷ୍ଟା ସହ ପକ୍ଷୀ ଅନୁସରଣ କରୁ କରୁ ସଞ୍ଜ ନଇଁ ଆସେ, ତ ସନ୍ଧ୍ୟା ଦେଇ ତଳକୁ ଆସନ୍ତି ଠାକୁର ଘରେ ଦୀପ ଦେଇ ଜଣାଣ କରିବା ପାଇଁ, ସବୁଦିନିଆ ଏହି ଅଭ୍ୟାସ ସତରେ ପ୍ରିତୀଙ୍କୁ ଜୀବନ ଜିଇବାକୁ ପ୍ରେରଣା ଦିଏ l
ସେଦିନ ଵି ସବୁଦିନ ପରି ସକାଳ ଚଉରା ପୂଜା ପାଇଁ ହାତ ପାଆନ୍ତା ରୁ ଫୁଲ ସବୁ ତୋଳି ପୂଜା ସାରି ଜୀବନଚର୍ଯ୍ୟା ସାରି ସଞ୍ଜ ପୁର୍ବରୁ ଦ୍ୱିତୀୟ ବାର ଯେବେ ଛାତକୁ ଯାଆନ୍ତି ଚମକି ପଡିଲେ ଶୁଖି ଶୁଖି ଆସୁଥିବା ଗୋଲାପ ଡାଳରେ ଛୋଟ ସଜ ଲାଲ ଗୋଲାପଟିକୁ ଦେଖି, ଖୁସିରେ ଆତ୍ମହରା ପ୍ରୀତି, ଯାହେଉ ଡାଳଟି ଲାଗିଯାଇଛି ମାଟିକୁଣ୍ଡରେ, ଆଜି ସିନା ତୁଳସୀଙ୍କ ପୂଜାରେ ଲାଗିପାରିଲାନି, ଏଣିକି ତ ଫୁଟିବ ଆଉ ପୂଜାରେ ଲାଗିବ ନା, କେତେ ଯେ କଷ୍ଟରେ ଏ ଡାଳ ଖଣ୍ଡିକ ସେ ଆଣିଥିଲେ ଲୁଗା ପଟା ଭିତରେ ସଯତ୍ନରେ ସାଇତି ଅନ୍ୟର ଦୃଷ୍ଟି ଆଢୁଆଳରେ, ଠିକ ଯେମିତି ସେଥର ହଷ୍ଟେଲ ରୁ ଫେରିଲା ବେଳେ, ହସିଦେଲେ ପ୍ରୀତି, ସେ ଦିନର ଦୃଶ୍ୟ ମନେ ପଡି ବହୁ ପଛକୁ ଫେରି ପଡୁଥିଲେ ସେ l
ତୃତୀୟ ସେମିଷ୍ଟାର ପରୀକ୍ଷା ସରିବା ପରେ ଘରକୁ ଫେରିବା ପାଇଁ, ସବୁ ସାଙ୍ଗମାନେ ଅଟୋରିକ୍ସାରେ ବସି ବସ ଷ୍ଟାଣ୍ଡକୁ ଯିବାକୁ ତରତର ହେଲାବେଳକୁ ସେ ଟିକେ ରହ କହି, ଦଉଡୁଥିଲେ ସୁପରିଟେଣ୍ଡେଣ୍ଟ ସାରଙ୍କ ରୁମ କୁ ଆଉ ପେପରରେ ଗୁଡେଇ ନେଇଆସିଥିଲେ କିଛି ତ ସାଙ୍ଗ ମାନଙ୍କ ଅନୁସନ୍ଧାନ ଆରମ୍ଭ ହୋଇଯାଇଥିଲା କଣ ସେ ପ୍ୟାକେଟରେ, କଣ ଆଣିଲୁ ସାରଙ୍କ ଠୁ ପ୍ରୀତି? , ପ୍ରୀତି କିନ୍ତୁ କାହାକୁ କିଛି ନଦେଖାଇ ଧଡ଼ପଡ଼ କରି ବ୍ୟାଗ ରେ ରଖିନେଇଥିଲେ ପ୍ୟାକେଟ ଟି ତ ସାଙ୍ଗମାନେ ଚିଡ଼େଇବାକୁ ଛାଡ଼ିନଥିଲେ, ସାର ତତେ କଣ ଦେଇଛନ୍ତି ପ୍ରୀତି? , ତୋର ସାରଙ୍କର ସମ୍ପର୍କ କଣ ଅଛିକି, ଆମକୁ କହନା କହି ମୃଦୁ ହସୁଥିଲେ ସମସ୍ତେ, ହେଲେ ପ୍ରୀତି ନୀରବ, ସାରଙ୍କୁ ତ ସେ କଥା ଦେଇଛନ୍ତି, ଏ ବିଷୟରେ କାହାକୁ କିଛି କହିବେନି କି ଦେଖାଇବେନି ନା l
ହେଲେ ତା ବାହାଘର ଦିନ, ବର ରୂପେ ସେହି ସାରଙ୍କୁ ଦେଖି ସାଙ୍ଗ ସବୁ ଚମକି ପଡିବା ଭିତରେ ପ୍ରୀତି ଯେତେ ବୁଝାଉଥିଲେ, ଏହା କେବଳ ସଂଯୋଗ ଛଡ଼ା କିଛି ନୁହେଁ, କେହି ମାନିବାକୁ ପ୍ରସ୍ତୁତ ନଥିଲେ ଆଉ ବିବାହ ମଣ୍ଡପ ରେ ଲାଗିଥିବା ସଜ ଗୋଲାପ ଗୁଡିକ ପ୍ରୀତି ନିଜ ହାତ ଲଗା ଗୋଲାପ ଗଛରୁ ତୋଳା ଯାଇଛି ଯେଉଁ ଗୋଲାପ ଡାଳ ସାରଙ୍କ ଅନୁମତି ନେଇ ହଷ୍ଟେଲରୁ ସେ ଆଣିଥିଲା କଥାଟାକୁ ଵି ସାଙ୍ଗମାନେ ଜମା ସାଧାରଣ ଭାବେ ଗ୍ରହଣ କରିନଥିଲେ, ଆଉ ବାସର ରାତିରେ ସାର ଯେବେ କହୁଥିଲେ ତୁମେ ମୋ ଛାତ୍ରୀ ଥିଲ ବୋଲି ଜାଣିଥିଲେ, ମୁଁ ଏ ବିବାହ ରେ ମୋଟେ ରାଜି ହୋଇନଥାନ୍ତି ତ ଲାଜ ଲାଜ ହୋଇ ପ୍ରୀତି ସଜ ଗୋଲାପ ଗୁଡିକୁ ଦେଖାଇ କହୁଥିଲେ ଆପଣଙ୍କଠାରୁ ମାଗି ଆଣିଥିବା ସେହି ଡାଳ ସବୁ, ଗଛ ହୋଇ ଏଵେ ବହୁତ ଫୁଲ ଫୁଟୁଛି, ତ ସ୍ୱାମୀ ହୋଇସାରିଥିବା ସେହି ସାର କହୁଥିଲେ ତୁମେ ଡାଳ ମାଗି ନେଇ ଦାନ ସ୍ୱରୂପ ରେ ସଜ ଗୋଲାପ ଦେବ ବୋଲି ମୁଁ ଭାବି ନଥିଲି, ଲାଜେଇ ଯାଇଥିଲେ ପ୍ରୀତି l
ତଳେ ଖୋଜି ଖୋଜି ପ୍ରୀତୀଙ୍କୁ ନପାଇ ଛାତ ଉପରକୁ ଉଠିଆସି ସ୍ୱାମୀ ଯେବେ କଣ କହିବାକୁ ଯାଉଥିଲେ ତ କଥା କୁହାଇ ନଦେଇ ପ୍ରୀତି କହୁଥିଲେ ଦେଖିଲଣି, ସେଦିନ ଆମ ପୁଅ ପାଇଁ ଝିଅ ଦେଖି ଯାଇଥିବା ଅମରେଶ ବାବୁଙ୍କ ଘରୁ କେତେ କଷ୍ଟରେ ଯୋଉ ଗୋଲାପ ଡାଳ ଖଣ୍ଡେ ଭାଙ୍ଗି ଆଣିଥିଲି, ଚେର ଲାଗି ଫୁଲ ଫୁଟିଲାଣି, ସ୍ୱାମୀ କେବଳ କହୁଥିଲେ ତାହେଲେ ସେଇ ଝିଅ ନିଶ୍ଚୟ ଏ ଘରକୁ ବୋହୁ ହୋଇ ଆସୁଛି, ପ୍ରୀତି କହୁଥିଲେ ହଁ କାହିଁ ସେମିତି ଲାଗୁଛି, ସଜ ଗୋଲାପ ତ ସେହି ସଂଯୋଗ ପୁଣି ନେଇ ଆସୁଛି ନା, କହି ସ୍ୱାମୀ ରସିକତା କରୁଥିଲେ ତ ପ୍ରିତୀ, ସତରେ ପ୍ରୀତିରେ ଲାଜେଇ ଯାଉଥିଲେ l
ନୂଆ ହୋଇ ଆସିଥିବା ବୋହୂଟି ଛାତ ଉପରେ ଯେବେ ଗୋଲାପ ତୋଳୁ ଥାଏ ଆଉ କହୁଥାଏ ଏ ସବୁ ଗୋଲାପ ଫୁଲ ର ରଂଗ ଓ ବାସ ଠିକ ଆମ ଘରେ ଥିବା ଗୋଲାପ ଫୁଲ ପରି, ତ ହସି ହସି ପ୍ରୀତୀ କହୁଥିଲେ, ଯତି ମତି ନ ମିଶିଲେ କଣ ରାଜଯୋଟକ ପଡେ ନା କଣ?, ବୋହୂଟି ପ୍ରଶ୍ନିଳ ଆଖିରେ ଶାଶୁଙ୍କୁ ଚାହିଁ ଥିଲା ତ ପ୍ରୀତୀ କହୁଥିଲେ, ତୁ ଏସବୁ ବୁଝି ପାରିବୁନି, ସେ ବଡ଼ ଗହନ କଥା, ତୁ ଖାଲି ପ୍ରତିଦିନ ସଜ ଗୋଲାପ ତୋଳି ଠାକୁର ପୂଜା କରିବୁ, ଏହାହିଁ ମୁଁ ଚାହେଁ, ଆଉ ସେଇଥି ପାଇଁ ଏ ଗୋଲାପ ଗଛ ଉତ୍ତାରିଛି କେତେ କଷ୍ଟରେ, ବୋହୂଟି ହସୁଥାଏ କେବଳ l

